Unknown

 

 

 

 

 

 

 

 

 

 

 

ମାଧବୀର ମଧୁରାତି

ଶ୍ରୀମତୀ ଗାୟତ୍ରୀ ବସୁମଲ୍ଲିକ

 

 

ରାତି ଶେଷରେ ଫିକା ଆଲୁଅ । ଧାନବିଲର ସବୁଜ କ୍ଷେତରେ ଲୋଟିଯାଉଛି ଶିଶୁ ପବନ । ଆନନ୍ଦରେ କଣ୍ଠରୁ ତାର ଝରିପଡ଼ୁଛି ସୀ ସୀ କରି ଗୋଟିଏ ମଧୁର ଶବ୍ଦ । ଦୁଷ୍ଟଖେଳ ଯୋଡ଼ିଦେଇଛି ମାଧବୀର ଲୁଗା ସାଥିରେ । ଅଥୟ ହୋଇପଡ଼ୁଛି ମାଧବୀ । ଲୁଗା ସମ୍ଭାଳିବ, ନା ବିଲର ସରୁ ହିଡ଼ରେ ସାବଧାନ ହୋଇ ପାଦଚାଳିବ ? ଟିକିଏ ଏପଟ ସେପଟ ହେଲେ ପଡ଼ିବ ଯାଇ ବିଲର ପଙ୍କ–କାଦୁଅରେ । ଅବଶ୍ୟ ପଙ୍କ–କାଦୁଅକୁ କେବେ ସେ ଡରେନି, ଖରାପ ବି ଲାଗେନି ତାକୁ । କେତେ ଦିନ କେତେ ଥର ନୀଳକଇଁ ଲାଗି ସେ ପଙ୍କ–କାଦୁଅରେ ଘାଣ୍ଟି ହୋଇଛି-। ଆଜି ଏଇ ବତିଶବର୍ଷ ବୟସରେ ବି ସେ କଣ ଛାଡ଼ିଛି ପଙ୍କରେ ପଶି କଇଁ ତୋଳିବା-! ହେଇ ସେଦିନ ମା ମରିଯିବା ପୂର୍ବମୁହୂର୍ତ୍ତ ପର୍ଯ୍ୟନ୍ତ କ୍ଷୀଣ ସ୍ୱରରେ ସେଇସବୁ କଥା କହି ଲୁହ ଗଡ଼ାଉଥିଲା-। ବାହୁନି ବାହୁନି କହୁଥିଲା–ସ୍ୱାମୀ ଗଲା, ସଂସାର ଗଲା, ସବୁଆଡ଼ୁ ସବୁଗଲା; ଶେଷକୁ ମୁଁ ବି ଯାଉଛି ତତେ ଛାଡ଼ି । କେତେସରି ହେଲୁଣି, ଆହୁରି କେତେସରି ହେବୁ । ତଥାପି ତୋର ପିଲାଳିଆ ଢଙ୍ଗ ଗଲାନି ଲୋ ମାଧୁ ? କଣ କରିବୁ ତୁ ? କଇଁଫୁଲପରି ଏତେ ରୂପ ପାଇ ଲୋଟିଲୁ ସେଇ ପଙ୍କରେ । ଆକାଶରେ ରହିଲା ଚାନ୍ଦ, ମାଟିରେ ରହିଲୁ ତୁ । ବ୍ୟର୍ଥ ହୋଇଗଲା ଜୀବନ ତୋର ।

 

ଅଥଚ ଜୀବନଟା ଯେ ବ୍ୟର୍ଥ ହୋଇଗଲା, ଏକଥା ଦିନେ ହେଲେ ବୋଧକଲାନି ମାଧବୀ । ଆଜି ଯାହା ବ୍ୟସ୍ତହେଇ ଧାଇଁଯାଉଛି ସେ ଖାଲି ନୀତା ନୂଆବୋଉକୁ ଖୁସି କରାଇବା ପାଇଁ, ଟିକିଏ ତାକୁ ଶାନ୍ତି ଦେବାପାଇଁ । ଆଉ କେତେ ଘଣ୍ଟାପରେ ଶୁଭଭାଇ ଆସିବ ଚାଉଳ ପରିବା ନେଇ, ତାକୁ ଖୋଜିବ । ତାକୁ ପାଇବନି, ଅବାକ୍‌ ଆଖିରେ ଚାହିଁବ ଚାରିଆଡ଼କୁ..... ଲୁହରେ ଅନ୍ଧ ହୋଇଯିବ ଆଖି ତାର । ସେ ସେମିତି; ମାଧବୀ ପ୍ରାଣ ତାର ।

 

ସାବଧାନରେ ପାଦ ଚାଳୁଚାଳୁ ଆଖିରୁ ଲୁହ ପୋଛିଲା ମାଧବୀ । ବୋଉ ମରିବାର ମାସେ ହେଲାଣି, ଏଇ ମାସକଯାକଧରି ପ୍ରତିଦିନ ଶୁଭଭାଇ ଚାଉଳ, ପରିବାଆଣି ପାଖରେ ତାର ରଖିଦେଇ କହେ—‘‘ଏଇ ଦି’ଟା ଫୁଟାଇ ଖାଇଦେବୁ ମାଧୁ । ଉପାସ ରହିବୁନି–ତତେ ମୋ ରାଣ ରହିଲା, କଲେଜ ବେଳ ହୋଇଯାଉଛି; ଫେରିଆସି ଯେମିତି ଜାଣେ ଯେ ତୁ ଉପାସ ରହିନୁ ।’’

 

ଖୁଣ୍ଟ ଉପରୁ ଦେହଟାକୁ ଉଠାଇ ଆଣି ସିଧାହୋଇ ବସେ ମାଧବୀ । ଗାଢ଼ ଆଖି ମେଲି ଚାହେଁ ଶୁଭେନ୍ଦୁର ସ୍ନେହସଜଳ ମୁହଁଟାକୁ । ଅନେକ ସମୟ ପରେ, ରହି ରହି କହେ—‘‘ତମେ କଣ ଏ ଗାଆଁରେ ମତେ ରଖେଇଦେବନି ଶୁଭଭାଇ ? ସବାଶେଷ ବନ୍ଧନଟି ତ ମୋର ତୁଟିଗଲାଣି ମାସେହେଲା । କଣ ଆଉ ବିଶେଷ ପ୍ରୟୋଜନ ଅଛି ଏଇ ମୋର ଛାର ଜୀବନଟାରେ କହିଲ ? ଖାଇବା ପିଇବା ହେଲା ନିଜ ଦେହ–ମନର ଚାହିଦା, ଭୋକକଲେ କେଉଁଠୁ ହେଲେ ଦରାଣ୍ଡି ସାଉଁଟି ନିଶ୍ଚୟ କଣ ହେଲେ କିଛି ବି ଖାଇବି । ପୋଡ଼ା ପ୍ରାଣଟା ଯେତେବେଳେ ଅଛି, ସେତେବେଳେ ନିଶ୍ଚୟ କିଛି ନା କିଛି ଖାଇବାକୁ ତ ପଡ଼ିବ–ହେଲେ ତମେ କାହିଁକି ଘରଯାକର ଲୋକଙ୍କୁ ଅଶାନ୍ତି କରି ମୋଲାଗି ବ୍ୟସ୍ତ ହେଉଛ କହିଲ ? କିଛି ନହେଲେ ମୋ ଦାଦା ଖୁଡ଼ୀ ତ ଅଛନ୍ତି ?’’

 

ଠିକ୍‌ ସେଇ ମୁହୂର୍ତ୍ତରେ ବାଉଁଶ ତାଟି ଆରପଟୁ ମୁହଁ ଗଳାନ୍ତି ଖୁଡ଼ୀ । ସ୍ୱର ଲମ୍ୱେଇ ଚିକ୍‌କଣ କଣ୍ଠରେ କହନ୍ତି—‘‘ଆଲୋ ମା, ମଣିଷଟିଏ ପୋଷିବା ଯାହା ହାତୀଟିଏ ପୋଷିବା ତାହା-। ଦାଦାଙ୍କର ତୋର ମାଷ୍ଟରିଆ ମୁଣ୍ଡ । ସେଥିରେ ଚାରିଚାରିଟା ପିଲା । ଜମି ଧାନ ତ ଯାଏ ଛଅଟା ମାସ—ଆଉ ଛ’ ମାସ ? ସେଇ ଛ’ ମାସ କେମିତି ଆମେ ଚଳୁ, ସେ କଥା କଣ ତତେ ଅଜଣା-? ଦଶ ବର୍ଷତଳେ ଯେମିତି ତୁ ଆସି ଏ ଘରେ ପାଦଦେଲୁ, ସେମିତି ବୋଉ ତୋର ତା ଭାଗକ ନେଇ ଭିନ୍ନେ ହୋଇଗଲା । କହିଲା—‘ମନରେ କିଛି ଭାବେନା ଲଳିତା, ତୋର ଜମି ବି ଅଛି, ରୋଜଗାର ବି ଅଛି, ଚଳିଯିବୁ । ଆଜି ମୁଁ ଅଛି କାଲି ନଥିବି, ବାର ପାଲା ଲାଗିବ ଏଇ ହତଭାଗୀଟିକୁ ନେଇ-। ତେଣୁ କହୁଥିଲି କି ମୋ ତକ ମତେ କାଢ଼ିଦେ । ତା ବ୍ୟବସ୍ଥା ମୁଁ ବଞ୍ଚି ଥାଉଁ ଥାଉଁ କରିଦିଏ ।’ ଦାଦା ତୋର ଏକାକଥାକେ ରାଜି ହୋଇ ସବୁ ସୁବିଧା ତମର କରିଦେଲେ । ତମ ଭାଗ ତମେ ନେଲ–ଆମର କି ଥାଏ ତହିଁରେ ? ଠାକୁରଙ୍କ ଦୟାରୁ ବହୁତ କଷ୍ଟରେ ଆଉ ଚାରି ମାଣ ଜମି କିଣି କୌଣସି ମତେ ବର୍ଷଟା ଗୁଜୁରାଣ କରୁଛୁ । ସେଇ ମୁଠାକରେ ଆଉ ଭାଗ ବସାଇବାକୁ ବଳ କାଇଁ ମା ? କଥା ଶୁଣିଲୁ ନାହିଁ । ସେତେବେଳେ ବୋଉର ଅସୁସ୍ଥତା ପାଇଁ ମାଣ ମାଣ କରି ଅଉଲ ନମ୍ୱର ଜମି ତିନିମାଣଯାକ ସବୁ ବିକିଲୁ । ବୁଢ଼ା ହାଡ଼ ପାଇଁ ଏତେ ଗୋଟାଏ ଡାକ୍ତର ବୈଦ୍ୟ କଣ-? ଭଲ ହବାର ଥିଲେ ତ ଭଲ ହେବ–ନହେଲେ ନାହିଁ । ଆମର ଏଇ ମଫସଲ ଜାଗାରେ ଜମି ବିକି କିଏ ପୁଣି ରୋଗୀ ଦେଖାଉଥାଏ ? ପାଞ୍ଚନପାଣି ଟିକିଏ ହେଲେ ଢେର୍‌ । ତୁ ଯେ କଲୁ ଏକ ଅଭିଲା କଥା, ତୋ ନାଆଁରେ ଜମି ହେଇଯାଇଥିଲା ବୋଲି ବୋଉ ତୋର କିଛି ଜାଣିଲାନି-। ଜାଣିଥିଲେ ଆହୁରି ଆଗରୁ ଛାତିଫାଟି ମରିଥାଆନ୍ତା ।’’

 

କଥା ସାରି ଫିକକରି ହସିଦେଲେ ଲଳିତା । ମିଠା ଗଳାରେ କହିଲେ—‘‘ଏଇ ଶୁଭ ତତେ ନିଶ୍ଚୟ ସାହାଯ୍ୟ କରିବ, ଏଇ କଥା ତୁ ଜାଣିଥିଲୁ । ସେଇଥିପାଇଁ ଆଖିବୁଜି ନିଶ୍ଚିନ୍ତ ମନରେ ବିକିଦେଲୁ ଜମିତକ । ଆଉ ସତକୁ ସତ ସେଇଆ ହେଲା । ତୋର ସବୁ ଭଲମନ୍ଦକୁ ମୁଣ୍ଡରେ ମୁଣ୍ଡାଇ ନେଲା ଶୁଭ; ଆଉ ପୁଣି ଆଜି ରାଗୁଛୁ କାହିଁକି ତା ଉପରେ ? ସିଏ ବି ତ ବଡ଼ ଲୋକର ପୁଅ । ନିଜେ ବି ରୋଜଗାର କରେ—କିଛି କମ୍‌ ନୁହେଁ । ପିଲାଦିନୁ ତତେ ସିଏ ଭଲପାଏ । ସେଇଥିପାଇଁ ସେ ତୋ ପାଇଁ କରେ । କରୁ । ବଅଁଶଖାଈ ଅନାଥିନୀ ସେଇ ତାଙ୍କର ଜ୍ଞାତି ଜେଜେମା, ସିଏ ଭିକ ମାଗିବୁଲୁଛନ୍ତି । ତାଙ୍କୁ ତ କାଇଁ ଦୟା ଦରଦ ଦେଖାଉନି ଶୁଭ ! ତେବେ ତୋ ପାଇଁ ଏତେ କାହିଁକି କରୁଛି !! ନା, ତୋ କଥା ଅଲଗା; ଆଉ ସେଇ ଜେଜେମା କଥା ବି ଅଲଗା । ବାହାରର ଦି ଚାରିପଦ ଅଲଣା କଥାରେ କାନ ଦେଇ ଏଇ ଚିଡ଼ିହେବାଟାରେ ତୋର କିଛି ମାନେନାହିଁ । କିଏ କଣ କାହା ମନ ଉପରେ ରଜା ? ତାର ମନେହେଲା, ସିଏ ତୋ ପାଇଁ କଲା–କାହାର କଣାଗଲା ସେଇଠୁ ? ବାହାର କଥାରେ ତୁ କାନଦେନା ।’’

 

ଦେହମନ ପଥର କରି ଠିଆହୋଇଥିଲା ମାଧବୀ; ବିମୂଢ଼ ଗଳା ଚିରି ତାର ବାହାରି ଆସିଥିଲା ପଦଟିଏ କଥା—ଖୁଡ଼ୀ...

 

ଆଉ ଶୁଭେନ୍ଦୁ ? ସେ ବି ବ୍ୟଥାହତ ନିଷ୍ପଲକ ଆଖି ମେଲି ଚାହିଁରହିଥିଲା ଲଳିତାଙ୍କର ରହସ୍ୟମୟ ମୁହଁଟାକୁ । ଅଠା ଅଠା ଗଳାଟାକୁ ଢୋକ ଗିଳି ଭିଜାଇ ନେଇ ମାଧବୀ ଅସ୍ପଷ୍ଟ ଗଳାରେ କହିଲା—‘‘ବୋଉ ନାହିଁ ବୋଲି ତୁମେ ମତେ ଏମିତି କଥାସବୁ କହିଲ ଖୁଡ଼ୀ ! ଦଶବର୍ଷ ଧରି ଏଇଠି ମୁଁ ଅଛି । ବତିଶ ବର୍ଷ ବୟସ ହେଲା ମୋର । ଦିନେକାଳେ ତ ମୋ ନାଁରେ ପଦେ କଥା କିଏ କହିନି ? ଆଉ ଖୁଡ଼ୀ ହୋଇ ତମେ ମୋ ନାଁରେ କଣ ସବୁ କହିଗଲ କୁହ ତ ? ତୁମେ ଯଦି ଏମିତି କଥା କୁହ, ତେବେ କାଲି ସକାଳେ ଗାଁ ଲୋକେ କଣ ନ କହିବେ !’’

 

ମିଠାକରି ହସିଥିଲେ ଖୁଡ଼ୀ । ସ୍ୱର ଲମ୍ୱାଇ କହିଥିଲେ—‘‘ବାଆକୁ ବତାଭଳିଆ ତତେ ଆବୁରି ତୋର ବୋଉ ଥିଲା । ଶୁଭ ଆସିଲେ ବି ଅସୁନ୍ଦର ଦିଶୁନଥିଲା । କଥାପଡ଼ିଲେ ଶୁଭ କହନ୍ତା ମାଉସୀ ସାଙ୍ଗରେ ଗପକରି ଆସିଲି ପରା । ହେଲେ ଆଜି ତ ଆଉ ସେ କଥା ନାହିଁ । ମାସେ ହେଲାଣି ଦୁଇବେଳା ଆସୁଛି ଶୁଭ । କଲେଜର ମାଷ୍ଟର ବୋଲି ସକାଳେ ବେଶି ରହୁନି । ହେଲେ ସଞ୍ଜରେ ଆସି ଫେରୁଛି ରାତି ଦଶଟା ଏଗାରଟାରେ । ଗାଁଲୋକଙ୍କ ଆଖିରେ ପଡ଼ୁଛି କଥାଟା । ନବନୀତା ତେଣେ ଭାତ ତରକାରି ଧରି ବସିରହୁଛି ଅଧରାତି ଯାଏ; ନିଦ–ମଳମଳ ଆଖିରେ ଚାହିଁରହୁଛି ଶୁଭର ଫେରିଲା ବାଟକୁ । ସେଇକଥା କାଲି ଦୁଃଖକରି କହୁଥିଲେ ଶୁଭବୋଉ ସୌଦାମିନୀ ଅପା ଯେ–ଦେଖମ ଲଳିତା, ଦି’ଟା ଛୁଆର ବାପ ହେଲାଣି ଶୁଭ, ହେଲେ ବୁଦ୍ଧି ନାହିଁ ଜମା ଲୋ ! ସୁଖ–ଦୁଃଖ ତ ମଣିଷର ଲାଗିଛି । ପିଲା ମାଇପ ପାସୋରି ଏ ଟୋକା ଦିନରାତି ପଶିଛି ସେଇ ମାଧବୀ ପାଖରେ । କହିଲେ କହୁଛି କଣନା ଏ ବେଳରେ ତାକୁ ଟିକିଏ ସାନ୍ତ୍ୱନା ନଦେଲେ, ସେ କେମିତି ବଞ୍ଚିବ ଲୋ ବୋଉ ! ମଲା, ତା’ର ଗୋଟାଏ ଛାର ଜୀବନ—ତାର ପୁଣି ମଲା ବଞ୍ଚିଲା ? ରଜାଘରର ବୋହୂ ହୋଇଥିଲା—ହେଲେ ଅଲକ୍ଷଣୀ ଛୁଆଖାଈକି ତ କିଛି ସହିଲାନି । ସବୁଆଡ଼ୁ ସବୁ ଖାଇ ସବୁ ହରାଇ ବସିରହିଛି ଅଟଳ ମହାମେରୁ ପରି, ଆଉ ତା ପାଇଁ ଏତେ ବ୍ୟସ୍ତ ହବାର କଣ ଅଛି ?

 

‘‘ହେଲେ ମୁଁ କଣ ଛାଡ଼ିଛି ? ମୁଁ କହିଲି–ମଲା, ଶୁଭ ତାକୁ ପିଲାଦିନୁ ଭଲପାଇ ଆସିଛି । ସେ କଥା ତ ତୁମକୁ ଅଛପା ନାହିଁ ଅପା ! ସେଥିରେ ପୁଣି ବିଲେଇ କପାଳକୁ ଶିକା ଛିଡ଼ିଲାପରି ମାଧବୀ ପୁଣି କେଇଟି ବର୍ଷପରେ ଲେଉଟି ଆସିଲା—ତାର ଧୂଳିଖେଳର ସାଥୀ ପାଖକୁ; ଫେରିଆସିଲା ତାର ଖେଳଘରର ବରପାଖକୁ । ମାୟାର ବନ୍ଧନ ତୁଟିବ କଣ ନ ଯୋଡ଼ିହୋଇଗଲା ଆହୁରି ଟାଣହୋଇ । ମାଧବୀର ଆଜିକାର ଏତେ ବଡ଼ ଦୁଃଖରେ ଶୁଭ ମନ ତଟିବନି ତ ଆଉ କଣ ଦାମା ଶ୍ୟାମାର ମନ ତଟିବ ?’’

 

‘‘ବୋଉ ତାର କଣ ବୁଝିଲେ କେଜାଣି, ଗରଗର ହୋଇ କହିଲେ—ଆଲୋ ହେ, ସେଇଟା ପରା ତିନିଟା ଛୁଆର ମା ? ସବୁଗୁଡ଼ାକ ବଞ୍ଚିଥିଲେ ପରା ତାକୁ ଗାଧୋଇ ଖାଇବାକୁ ବେଳ ଅଣ୍ଟନ୍ତାନି । ଆଉ ଏଇ ପରପୁରୁଷର ବହଲା କଥାକୁ ଆଜି ବି ଟାକିବସିଛି ପ୍ରାଣ ତାର ! ଏଇଥିପାଇଁ ତ ଏତେ ଅବସ୍ଥା ହେଲା । ଦେଖିଲୁ, ବୋହୂଟା ମୋର ଭାତମୁଠାକ ଧରି ବସିରହୁଛି ରାତି ବାରଟାଯାକେ !!’’

 

ଖୁବ୍‌ ଚଞ୍ଚଳ ପାଦରେ ସେଠୁ ଚାଲିଗଲା ଶୁଭ । ମାଧବୀ କେବଳ ସ୍ଥିର ଆଖି ମେଲି ଚାହିଁରହିଲା ଖୁଡ଼ୀଙ୍କ ମୁହଁକୁ ।

 

ଲଳିତା ଛଳନାରେ ମଧୁର ହସି ସ୍ନେହଝରା କଣ୍ଠରେ କହିଲେ—‘‘ଆଲୋ, ଏମିତି ପଥର ପାଲଟି ମତେ ଚାହିଁରହିଛୁ କଣ ? ଯିଏ ଯାହା କହୁଛି କହୁଥାଉ—ତୋ ବାଟରେ ତୁ ଚାଲେ-। ସୌଦାମିନୀ ଅପା ବୋହୂଟିଏ ଆଣିଲେ ଯେ ଶୁଭର କାଣିଆଙ୍ଗୁଠିକି ବି ସିଏ ସରିନୁହେଁ । ଖାଲି ପଇସା ଲୋଭରେ କେଉଁଠୁ ଯାଇ ଧରିଆଣିଲେ ଗୋଟାଏ ଚେପେଟୀନାକୀ, ଡେଙ୍ଗେଇ ଘୋଡ଼ାକୁ-। ସେଇ ବୋହୂ ଲାଗି ପୁଣି ମନ ତଟିବ ଶୁଭର ! ବୋଲେ, ଭଲ ଯିଏ ଖାଇଛି, ମନ୍ଦ ଖାଇବାକୁ ସିଏ କାହିଁକି ମନ କରିବ କି ?’’

 

ଟିକିଏ ରହି ପୁଣି ଗେହ୍ଲାଳିଆ ସ୍ୱରରେ ଲଳିତା କହିଲେ—‘‘ସତରେ ମାଧବୀ, ରୂପ ମୁଁ ଅନେକ ଦେଖିଛି, ହେଲେ ତୋ ରୂପପରି ରୂପ କାହିଁ ଆଉ ମୁଁ ଦେଖିଲିନି । ଯେମିତି ଦୁଧ–ଅଳତାଗୋଳା ରଙ୍ଗ, ସେମିତି ଆଖି, ନାକ, ସେମିତି ବାଳ, ସେମିତି ବି ଦେହର ଗଢ଼ଣ । ତିନିତିନିଟା ଛୁଆର ମା’ ବୋଲି କିଏ କହିବ, ନା କିଏ କହିବ ଏଇ ଝିଅଟାକୁ ଆସି କୋଡ଼ିଏ–ବାଆର ହେଲାଣି ବୋଲି ?’’

 

ନିଜକୁ ଅନେକ ସମ୍ଭାଳି ନେଇଥିଲା ମାଧବୀ । ଖୁଡ଼ୀ କଥା ସାରି ଯେତେବେଳେ ହସିଲା ଆଖିମେଲି କେବଳ ଚାହିଁରହିଲେ ତାଆଡ଼େ, ସେତେବେଳେ ଧୀର ଫିସ୍‌ଫିସ୍‌ କଣ୍ଠରେ ମାଧବୀ କହିଉଠିଲା–ଆଉ ମୋ ପାଖରୁ କଣ ତୁମେ ଚାହୁଁଚ ଖୁଡ଼ୀ ? ଫୁସୁଲେଇ ଫୁସୁଲେଇ ତ ଶାଗ ମାଛ ଦରରେ ନେଇନେଲେ ଜମି ତିନିମାଣ । ନହେଲେ ତିନିମାଣ ଜମିକୁ କଣ ଦୁଇଶ ଟଙ୍କା-!! ବାକି ରହିଲା ଏଇ ଘରଡ଼ିହ ସହିତ ଘର କେଇ ବଖରା । ତୁମର ଚାରି ପୁଅକୁ ସେପଟ ଘରେ ଜାଗା ହବନି । ଆହୁରି ଜାଗା ଦରକାର, ଆହୁରି ଘର ଦରକାର । ସେତକ ବିନା ଆୟାସରେ ମିଳିବ ମତେ ଛତରକୁ ପଠାଇଲେ ନା ? ମୋ ବାପ ଚଉଦପୁରୁଷର ଘରଡ଼ିହ, ପ୍ରାଣ ଥାଉ ଥାଉ ଏକୁ ମୁଁ ବିକିବିନି—ସେ କଥା ତୁମେ ଜାଣ । ଖୁଦ ତୋରାଣୀ ଟିକିଏ ଦେଇ କେବେ ଯାଇ ଏ ଘର ତୁମେ ପାଆନ୍ତ । ହେଲେ ତରସହୁନି ତୁମର । ତେଣୁ ଆହୁରି ଯେମିତି ସହଜରେ ତୁମେ ଏଖଣ୍ଡକ ପାଇଯିବ ତା’ର ବ୍ୟବସ୍ଥା କରୁଛ, ନା ? ହେଲେ ତୁମେ ବି ଶୁଣିରଖ ଖୁଡ଼ୀ, ଏପଟ ସୂର୍ଯ୍ୟ ସେପଟେ ଉଇଁବ, ହେଲେ ଗାଁ ଛାଡ଼ି କୁଆଡ଼େ ମୁଁ ଯିବିନି । ଏ ଘରଡ଼ିହ ପାଇଁ ତୁମକୁ ଅପେକ୍ଷା କରିବାକୁ ପଡ଼ିବ ଏଇନେ ଦୀର୍ଘ ଦିନ ଧରି, ଜାଣେ ମୋ ନାଁରେ ଭୁଟଭାଟ ହୋଇ ତୁମେଇ ମତେଇ ଦେଉଛ ଗାଲୋକଙ୍କୁ । ତୁମେଇ ତତେଇଦେଇଛ ସୌଦାମିନୀ ମାଉସୀଙ୍କ ମନକୁ । ସବୁ ମୁଁ ଶୁଣିଛି-। ଶୁଣିଛି ବୋଲି ତ ଏଇନେ ଚିଡ଼ୁଥିଲି ଶୁଭଭାଇ ଉପରେ । କିଛି ନ ହୋଇ, ଦଶଟା ନଡ଼ିଆ ଗଛ ମୋର ଅଛି । ବାଡ଼ି ପୋଖରୀରେ ଯେଉଁ ମାଛ ଅଛି ସେଥିରେ ଅଧଭାଗେ ତୁମର ହେଲେ, ଅଧଭାଗେ ମୋର । ନହେଲାବେଳକୁ ମୂଲ ଲାଗିବ, ହେଲେ ମୋ କଥାରେ କଥା କହିବାକୁ ତୁମେ ଆସନି-

 

କଥା ସାରି ମୁହଁଛାଟି ଅଗଣାରୁ ଚାଲିଆସିଥିଲା ମାଧବୀ । ଗଳାରେ ରଣ–କାହାଳୀ ବଜାଇ ପାଟିକରି ଉଠିଥିଲେ ଖୁଡ଼ୀ । ସ୍ୱରକୁ ଲହରେଇ ଲହରେଇ ଗାଇଉଠିଥିଲେ—‘‘ନଦେଖିଲା ଲୋକ ଦେଖ, କଇଁଚ କାଢ଼ିଛି ବେକ—ବୋଲେ ଯୌବନର ଭୋକ, ସେ ହେଲା ଅସମ୍ଭାଳ । ଦଶବର୍ଷ ହେଲା ହସି, ନାଚି, କୁଦି ବୁଲୁଛି ଏଠି ତୁଚ୍ଛା ପେଟରେ ! କିଛି ଆଉ ଆମେ ଜାଣୁନାଇଁ । ଦୁନିଆର ଲଜ୍ଜା ମୁଣ୍ଡରେ ବୋହି ଏମିତି ପୁଣି କିଏ ହସେ ? କିଏ ପୁଣି ଆଗ ପଛ ସବୁ ପାସୋରି ବୁଲୁଥାଏ ଗୋଟାଏ ପରପୁରୁଷ ସାଥିରେ ? ଆଜି ବସିଲେଣି ଯାଇ ନଈକୂଳରେ ତ, କାଲି ବସିଛନ୍ତି ଯାଇ ନଙ୍ଗଳେଶ୍ୱରଙ୍କ ପିଣ୍ଡାରେ । ପୁଣି ପଅରିଦିନ ଦେଖିବ ତ ସେ ବେତବଣ ଭିତରେ । କି କଥା–ଆଲୋ କି କଥା ଏତେ ହୁଅମ ସବୁ ? ଗୀତା କଥା ନା ଭାଗବତ କଥା ? ଲାଜନାହିଁ ମୁହଁକୁ-। କହୁଛି କଣ ନା ଘରଡ଼ିହ ପାଇଁ ଲୋଭେଇପଡ଼ିଛି ମୁଁ । ମଲା ମୋର—ନିଆଁଶିଆ ଘର ଡ଼ିହ–ସେଇ ଡିହ ପାଇଁ ପୁଣି ଝୁରି ମରୁଛନ୍ତି ଲୋକେ ।’’

 

ଖଟ ଉପରେ ପଡ଼ିରହି ଖୁଡ଼ୀର ସବୁ କଥାକୁ କାନଡ଼େରି ଶୁଣିଥିଲା ମାଧବୀ । ଆଖିକୋଣଦେଇ ଝରିଆସିଥିଲା ଅଶ୍ରୁର ଧାରା । ତକିଆରେ ମୁହଁ ଗୁଞ୍ଜି ଦେଇଥିଲା ସେ । ସତରେ, ଶୁଭଭାଇକି ଦେଖିଦେଲେ ଆପଣାକୁ ଭୁଲେ ସିଏ । ଭୁଲିଯାଇଥିଲା ସିଏ ସେଇ ସେଡ଼େବଡ଼ ଦିନରେ ବି, ଯେଉଁଦିନ ରାତିପାହାନ୍ତାରୁ ଶାଶୁଘର ଛାଡ଼ି ଚାଲିଚାଲି ଚାଲିଆସିଥିଲା ଏଇ ଗାଆଁକୁ । ଚାଲିଆସିଥିଲା ଆଭରଣଶୂନ୍ୟ ଏକବସ୍ତ୍ର ଦ୍ୱିତୀୟ ନାସ୍ତିହୋଇ । ମନଭିତରୁ ତାର ମନଭାବଟା କଟିଯାଇଥିଲା ଏଇ ଗାଁରେ ପାଦଦେଇ । ଚମକି ପଡ଼ି ଅସହାୟ ଆଖି ମେଲି ଚାହିଁଥିଲା ଚାରିଆଡ଼କୁ । ମନଟା ତାର ଚିତ୍କାରକରି ବାହୁନିଉଠି କହିଥିଲା—ଏ ମା’ କଣ କଲି ଲୋ-? ଘରକୋଣର ବୋହୂ ହୋଇ ପଦାକୁ ପଳାଇଆସିଲି ପାଦକାଢ଼ି ? ବୋଉ ମୋର ମତେ ଦେଖିଲେ ଏଇନେ ଛାନିୟା ହୋଇଯିବ !!

 

ତଣ୍ଟି ଶୁଖି ଅଠା ଅଠା ହୋଇଆସିଥିଲା ସେଦିନ ମାଧବୀର । ଗୋଡ଼ହାତରୁ ଜୀବନ ଛାଡ଼ିଯାଇଥିଲା । ଆଉ କେତେ ପାଦ ଯାଇ ବସିପଡ଼ିଥିଲା ନଈ ଅତଡ଼ି ଉପରେ । ଅଲରା ଖୋଷାଟା ଖୋଲିଯାଇ ବିଛାଇହୋଇ ପଡ଼ିଥିଲା ସାରା ପିଠିରେ । ପବନରେ ଉଡ଼ୁଥିଲା ତାର ଜରିଦାର ଓସାରିଆ ଅଞ୍ଚଳଟା । ଧୀରେ ଧୀରେ ସେଇଠି ବସି ପଥର ପାଲଟିଯାଇଥିଲା ମାଧବୀ । ଜାଣିପାରିନଥିଲା କେତେବେଳେ ସେଇଠି ପାରିହୋଇ ଯାଇଥିଲା ଦିନର ତିନୋଟି ପ୍ରହର ।

 

କାହା ହାତର କୋମଳ ସ୍ପର୍ଶରେ ଚମକିପଡ଼ି ମୁହଁ ଟେକିଲା ମାଧବୀ । ଆଖିରେ ଜିଜ୍ଞାସାଭରି, ଓଠରେ କ୍ଷୀଣ ହସରେ ଆଙ୍କି ମୁହଁକୁ ତାର ଚାହିଁରହିଛି ଶୁଭେନ୍ଦୁ । ଶୁଭଭାଇ ! ରହି ରହି ଅନେକ ସମୟ ପରେ ମାଧବୀ କହିଥିଲା–ସେଠୁ ମୁଁ ସବୁଦିନପାଇଁ ଚାଲି ଆସିଲି ଶୁଭଭାଇ ! ଆଉ ଫେରିବିନି ।

 

ବିକୃତ ଗଳାରେ ଶୁଭେନ୍ଦୁ ପଚାରିଲି—ସେଠୁ ଚାଲିଆସିଲୁ ? ଆଉ ଫେରିବୁନି ? ଆଠବର୍ଷ ଘରକଲାପରେ ଘର ଛାଡ଼ି ଚାଲିଆସିଲୁ ତୁ !! କିନ୍ତୁ କାହିଁକି ??

 

ଏଥର ସ୍ମିତ ହସିଲା ମାଧବୀ । କହିଲା—କଣ ଆଉ କରନ୍ତି ? ସେମାନେ ଯେ ମୁକ୍ତି ଚାହିଁଲେ ମୋ ପାଖରୁ । ଏଡ଼େ ବଡ଼ଲୋକ ସେମାନେ—ଅଥଚ ଗଳାରେ ସେମାନଙ୍କର କି ଦାରିଦ୍ର୍ୟ ! କି କରୁଣ ସେମାନଙ୍କର କଣ୍ଠସ୍ୱର ! ହାତଯୋଡ଼ି ସେମାନେ କହିଲେ, ‘‘ଭରଣ ପୋଷଣ ସବୁ ଦେବୁ ଆମେ—ଏଠୁ ତୁମେ ଚାଲିଯାଇ ମା’ ପାଖରେ ରୁହ ତୁମର । କହିବ ଯେବେ କାଲି ନେଇ କାରରେ ତୁମକୁ ଛାଡ଼ିଦେଇ ଆସିବୁ । ବାଇଶଟା ବର୍ଷ ବର୍ଷ ତୁମର । ଇଚ୍ଛାକଲେ ଆଉ କେଉଁଠି ତୁମେ ବିବାହକରି ଚାଲି ବି ଯାଇପାର । କାହିଁରେ ଆମର ଆପତ୍ତି ନାହିଁ । କାହିଁରେ ଆମେ ଯିବୁନି ବାଧାଦେବାକୁ ।’’

 

ଆଜିକା ପରି ସେଦିନ କଣ କଥା କହିପାରୁଥିଲା ମାଧବୀ ? ପାରୁନଥିଲା । ତେଣୁ କାହାରି କଥାରେ କିଛି ସେଦିନ ସିଏ କହିପାରିନଥିଲା । ଖାଲି ମୂକ, ଆଖିମେଲି ଚାହିଁରହି ଥିଲା ସଭିଙ୍କର ଅନୁନୟଭରା ମୁହଁକୁ; କିନ୍ତୁ ଗୋଟିଏ ରୁଦ୍ଧ ଅଭିମାନରେ ଫୁଲୁଥିଲା ତାର ଛାତି ଭିତରଟା-। ତାର ଚାଲିଯିବାଟାକୁ ଚାହୁଁଛନ୍ତି ଏମାନେ ? ସମସ୍ତେ ! ବେଶ୍‌ ତ, ଭଲ ତ, ତା’ ପାଇଁ ପୁଣି ଗାଡ଼ି–ଘୋଡ଼ାର କି ପ୍ରୟୋଜନ ? ବଡ଼ଘରେ ସିନା ବଡ଼କଥା—ସେ ଯେତେବେଳେ ଛୋଟଘରକୁ ଯାଇ ରହିଯିବ ଚିରଦିନ ଲାଗି ଛୋଟ ହୋଇ, ସେତେବେଳେ ତା’ ପାଇଁ ଏତେ ସଲଟଣ କାହିଁକି-??

 

ସେଇଦିନ ରାତି ଶେଷରେ ଘରୁ ଗୋଡ଼ କାଢ଼ି ଚାଲିଆସିଲା ମାଧବୀ ।

 

ଅସହିଷ୍ଣୁ କଣ୍ଠରେ ଶୁଭେନ୍ଦୁ କହିଉଠିଲା—ଆରେ ବାବା ସବୁ ତ ବୁଝିଲି । ହେଲେ କେଉଁ କାରଣରୁ ସେମାନେ ତତେ ତଡ଼ିଲେ, ସେ କଥା କହୁନୁ କାହିଁକି ? ମୁହୂର୍ତ୍ତକ ଦେଖାରେ ତତେ ଦେଖି ତ ପାଗଳ ହୋଇଯାଇଥିଲା ତମାଳ ଚୌଧୁରୀ । ଗଳାରେ ପ୍ରଚୁର ବିସ୍ମୟଭରି ସେଦିନ ତ ମତେ ପଚାରିଥିଲା—ଶୁଭେନ୍ଦୁ ! କାହାରରେ ପ୍ରତିମା ପରି ଏଇ ଝିଅଟା ? କି ରୂପରେ ଝିଅଟାର ? ବାହା ନ ହେଲାପରି ତ ଲାଗୁଛି ।

 

ହିଂସାରେ ଜଳିଯାଇଥିଲା ସେଦିନ ମନଟା ମୋର । ଇଚ୍ଛା ହେଉଥିଲା, ଆଖି ଦୁଇଟାକୁ ତାର ଫୁଟାଇଦେବାକୁ । ହେଲେ ସେଇ ମୁହୂର୍ତ୍ତରେ ମନେପଡ଼ିଗଲା ବୋଉ–ବାପାଙ୍କ କଥା । ବାପାଙ୍କର ଭାରି ମନଥିଲା ତତେ ବୋହୂକରି ନେବାକୁ; ହେଲେ ବୋଉର ଏକ୍‌କା ନାହିଁ । କହିଲା–ମଲା, ମୁଁ ଗରିବ ଘରର ଝିଅ ଏଇ ସାମନ୍ତ ପରିବାରର ବୋହୂ ହୋଇ ଆସିଥିଲି ବୋଲି ଜାଆ ନଣନ୍ଦମାନଙ୍କ ପାଖରୁ ଉଲୁଗୁଣା ଶୁଣି ଶୁଣି ବୁଢ଼ୀ ହେଇ ମରିବାକୁ ବସିଲିଣି, ଫେର ସେଇ ଗରିବ ଘର ଝିଅ ଆସିବ ଏ ଘରକୁ ? ନା, କେଭେ ମୁଁ ତା କରାଇଦେବିନି; ସେ କଥା ହେଲେ ନିଶ୍ଚେ ଦଉଡ଼ି ଲଗାଇଦେବି ବେକରେ ।

 

ସେଇ କଥାରେ ମନରେ ମୋର ଭରିଯାଇଥିଲା ରାଗ, ଅଭିମାନ । ଆମଠୁ ବି ବଡ଼ଘର ହେଲା ଚୌଧୁରୀ ଘର । ଇଚ୍ଛାହେଲା ମାଧବୀ ଆମ ଘରକୁ ନ ଆସିଲେ କଣ ହେଲା, ବୋଉ ଦେଖୁ ଯେ ସିଏ ଗଲା ଆମଠୁ ବି ବଡ଼ଘରକୁ । ମନରେ ଆଶା ନେଇ ଚାହିଁଲି ଚୌଧୁରୀର ମୁହଁକୁ । ସେ ଚାହିଁରହିଥିଲା ତୋରି ଆଡ଼କୁ । ଷୋଳବର୍ଷର ତୁ । ଦେହରେ ତୋର ବାସନ୍ତୀ ରଙ୍ଗର ନାଲିଧଡ଼ିଆ ଶାଢ଼ୀ । ଅପୂର୍ବ ଦିଶୁଥିଲୁ ତୁ, ଠିଆହୋଇଥିଲୁ ଦୋଳମଞ୍ଚ ପାଖରେ । ଠାକୁର ଦେଖୁଥିଲୁ ।

 

ହାତଧରି ତାର ହଲାଇଦେଲି । କହିଲି—‘‘ଏଇ, ଆମ ଗାଁକୁ ନିମନ୍ତ୍ରଣ ଖାଇଆସି ଆମରି ଗାଆଁର ଝିଅ ଉପରେ ଆଖିପକାଉଛୁ କାହିଁକି ? ବାହାହବୁ ତାକୁ ?’’

 

ଗଳାରେ ଉଲ୍ଲାସ ଭରି ତମାଳ ଚୌଧୁରୀ କହିଥିଲା—ବୁଝନା, କିଏ ହବ ତୋର ସିଏ-? ବୁଝିଦେ । ଏଇ ଫଗୁଣ ତ ଗଲା, ଆସନ୍ତା ବୈଶାଖରେ ବାହାହୋଇପଡ଼ିବି ମୁଁ । ବୋଉ ବି ଭାରି ଅଝଟ ହେଲାଣି, ସବୁବେଳେ ତାର ସେଇ ଗୋଟେ କଥା–ଏଡ଼େ ବଡ଼ ମହଲକୁ ମୋର ଅନ୍ଧାରକରି କେତେଦିନ ଆଉ ରଖିବୁରେ ତମାଳ ? ସେ ଯାହାହୋଇଯାଏ, ତେବେ ବେଶ୍‌ ହୁଅନ୍ତା-। ବୁଝିବୁ ସେ କଥା ?

 

କହିଥିଲି ଯାଇ ବାପା ବୋଉକୁ ତୋର ସେଇ ତମାଳ ଚୌଧୁରୀର ମନକଥା । କଣ ଜାଣୁ, ତତେ ଯେତେବେଳେ ଷୋଳ, ମତେ ସେତେବେଳେ ବାଇଶି । ସେଇ ବାଇଶି ବର୍ଷର ମନନେଇ ସେଦିନ ତତେ ଦେଖି ଉଚ୍ଛ୍ୱସିତ ହୋଇଉଠିଥିଲା ତମାଳ; ଅଥଚ ତାରି ଆଖି ତା’ର ମନନେଇ ମୁଁ କେବେ ତତେ ଦେଖିନି କି ଚାହିଁନି । ତତେ ଦେଖିବାରେ, ପାଖରେ ବସାଇ ଗପ କରିବାରେ ମୋର ଥିଲା ଗୋଟାଏ ଅନାବିଳ ଆନନ୍ଦ । ତତେ ବାହାହେବା କଥା କେଉଁଦିନ ହେଲେ ଭାବିନି ମୋ ବାପା–ବୋଉଙ୍କ କଥା ଶୁଣିସାରିଲା ପରେ । ଦିନେ ମନରେ ମୋର ପଡ଼ିଥିଲା ସେମିତିକା ଇଚ୍ଛାର ଗୋଟିଏ କ୍ଷୀଣ ରେଖା, ସେଇରେଖା ପୁଣି ନିଶ୍ଚିହ୍ନ ହୋଇଯାଇଥିଲା ତତେ ତମାଳ ହାତରେ ତୋଳି ଦେଲାପରେ । ଭାରି ଖୁସି ହୋଇଥିଲି ତୋର ସୁଖ–ସମ୍ପଦ ଦେଖି । ସେଇ ବୈଶାଖରେ ତୁ ବାହାହୋଇ ଚାଲିଗଲୁ । ତୋ ଭାଇହୋଇ ତୋ ସାଥିରେ ଯାଇଥିଲି ତତେ ଛାଡ଼ିବାକୁ । ବୋହୂର ଭାଇବୋଲି ସେମାନେ ମତେ ଲୁଗାପଟା ପିନ୍ଧାଇଥିଲେ । ସେ ସବୁ କଥା ତୋର ମନେଅଛି ନା ମାଧୁ ?

 

କଥା ସାରି ହୋ–ହୋ କରି ହସିଉଠିଥିଲା ଶୁଭେନ୍ଦୁ ।

 

ବଡ଼ ଅଳ୍ପ କଥାରେ ଆନନ୍ଦ ପାଏ ଶୁଭଭାଇ !

 

ସେଇ ଅତଡ଼ି ଉପରେ ବସିରହି ଗଭୀର ଆଖିମେଲି ମାଧବୀ ଦେଖୁଥିଲା ଏଇ ଆନନ୍ଦମୟ ପୁରୁଷର ଅନାବିଳ ମୁହଁଟିକି । ହସ ବନ୍ଦକରି ଶୁଭେନ୍ଦୁ ସେଦିନ ହଠାତ୍ ଗମ୍ଭୀର ହୋଇଯାଇଥିଲା, ଆହୁରି ଗମ୍ଭୀର ଗଳାରେ ପଚାରିଥିଲା—ଆରେ, ଏମିତି ଢେବା ଢେବା ଆଖିରେ ଚାହିଁଚୁ କଣ ମ ? କହୁନୁ କାହିଁକି—ସେଠୁ ତୁ ଏମିତି ଭାବରେ ପଳାଇ ଆସିଲୁ କାହିଁକି ? ତୋ ଶାଶୁ ଅବଶ୍ୟ ସେଦିନ ତତେ ଖୁବ୍‌ ଆଦରକରି ବରଣ କରି ନଥିଲେ—କାରଣ ତୁ ତାଙ୍କର ସମକକ୍ଷ ଘରର–ଝିଅ‌ ନୋହୁଁ ବୋଲି । ମୁଁ ସେଦିନ ସେ କଥାଟା ବୁଝିପାରିଲେ ବି ଖାତିରି କରିନି । ବୁଢ଼ୀ ମଣିଷ, କେଇଟାଦିନ ଅବା ତାଙ୍କର ଜୀବନ ? ଅସଲ ହେଲା ତମାଳ, ସେ ତ ନିଜେ ମନକରି ତତେ ବାହାହୋଇଛି—ଆଉ କାହାର ଭଲପାଇବା ନପାଇବାରୁ କଣ ମିଳିବ ! ଆଚ୍ଛା ମାଧୁ ! ତମାଳ କଣ ଜାଣିଛି ତୋର ଏଇ ଚାଲିଆସିବା କଥା ।

 

ପୁଣି ସ୍ମିତ ହସିଲା ମାଧବୀ । କହିଲା—ବା’ରେ, ତାଙ୍କରି ଅନୁରୋଧରେ ତ ମତେ ଚାଲିଆସିବାକୁ ପଡ଼ିଲା । ନହେଲେ ଶାଶୁଙ୍କର ଦିନରାତିର ଗଞ୍ଜଣା କଣ ହାଡ଼ରେ ମୋର ଭେଦୁଥିଲା ?

 

ସ୍ତବ୍‌ଧ ଆଖିମେଲି ଶୁଭେନ୍ଦୁ ମୁହୂର୍ତ୍ତେ ଚାହିଁଲା ମାଧବୀ ଆଡ଼କୁ ଓ ବିସ୍ମୟରେ କହିଲା—ତୋର ଚାଲିଆସିବାରେ ତାର ବି ଇଚ୍ଛାଥିଲା ? କିନ୍ତୁ କାହିଁକି ?

 

ଧୀର ଶାନ୍ତ ଗଳାରେ କାରଣ କହିଥିଲା ମାଧବୀ ।

 

ଆକାଶରୁ ଖସିପଡ଼ିଲା ପରି ବିସ୍ମୟରେ ଶୁଭେନ୍ଦୁ କହିଥିଲା—ଯାଃ । ଇଏ ବି କଣ ଗୋଟାଏ କଥା !! ଏଇ କାରଣରେ ସ୍ତ୍ରୀକୁ କିଏ ଘରୁ ଚାଲିଯିବା କଥା କହେ ? ଏଥିରେ ସ୍ତ୍ରୀର ହାତ କଣ ? କି ଅଦ୍‌ଭୁତ କଥା !

 

ମାଟି ଉପରେ ଘନସବୁଜ ଘାସର ଗାଲିଚା, ସେଇ ଗାଲିଚାରେ ହାଲୁକା କରି ହାତ ବୁଲାଉଥିଲା ମାଧବୀ, ଆନତ ଆଖି ଦୁଇଟିରେ ତାର ଶୂନ୍ୟ ଦୃଷ୍ଟି । ଦାନ୍ତଚିପି ଆକାଶକୁ କିଛି କ୍ଷଣ ଚାହିଁରହିଲା ଶୁଭେନ୍ଦୁ । ତା’ପରେ ଗୋଟେ ଝଟ୍‌କାରେ ମାଧବୀର ହାତଧରି ଉଠାଇ ଦେଲା ତଳୁ । ରୋଷ-ଗମ୍ଭୀର ଗଳାରେ କହିଲା—ହଉ, ହଉ, ଢେର୍‌ ହେଲାଣି—ଚାଲେ, ଘରକୁ ଚାଲେ । ଢେର୍‌ ହେଲା ଆମର ବଡ଼ଘରର ବୋହୂପଣିଆ । ଉଃ, ସକାଳୁ ତ ଆସି ଏଇଠି ଛପି ବସିରହିଛୁ ଭୂତପରି–ପେଟରେ ଏ ପର୍ଯ୍ୟନ୍ତ ପାଣି ବି ଟିକେ ପଡ଼ିନି । ମୁହଁ ଶୁଖି ଆମ୍ୱୁଲ ହୋଇ ଗଲାଣି । ଚାଲେ, ଚାଲେ ।

 

ଆଗକୁ ପାଦ ବଢ଼ାଉ ବଢ଼ାଉ ଠିଆହୋଇପଡ଼ିଲା ମାଧବୀ । ଛଳଛଳ ହୋଇଉଠିଲା ତାର ଆଖି ଦୁଇଟି । କଣ୍ଠରେ କୋହ ଭରି ରହି ରହି କହିଲା—‘‘ମତେ ଦେଖିଲେ ବୋଉ ମୋର କଣ କରିବ, କଣ କହିବ କହିଲ ?’’

 

ଅସ୍ଥିର ଗଳାରେ ଶୁଭେନ୍ଦୁ କହିଉଠିଲା–ଛାଡ଼ ତ ତୁ ସେସବୁ କଥା—ସେ କଥା ମୁଁ ବୁଝିବି, ତୁ ଟିକିଏ ଚଞ୍ଚଳ ଚାଲିଲୁ ! କିଛି ଗଣ୍ଡେ ଆଗ ତୁ ଖାଇଲେ, ତେବେ ଯାଇ ମୋର ଶାନ୍ତି ।

 

ଆଖିରୁ ଲୁହ ପୋଛି ନେଉ ନେଉ ଫିକ୍‌କରି ହସିଲା ମାଧବୀ, ଭିଜାଗଳାର କୌତୁକ ଗୋଳି କହିଲା—ତୁମେ ମତେ ଏତେ ଭଲପାଅ ଶୁଭଭାଇ ? ଏତେ ଭାବ ମୋ କଥା ? ଅଥଚ ସେଦିନ ଯଦି ସେଇ ଚୌଧୁରୀ ଘର ପୁଅକଥା ନ ଭାବି ନିଜକଥା ଭାବିଥାଆନ୍ତ, ତେବେ କେତେ ଭଲହୋଇଥାନ୍ତା କୁହ ତ ! କାହିଁକି ମତେ ତଡ଼ିଦେଲ ଏ ଗାଆଁରୁ ?

 

ଠିଆହୋଇପଡ଼ି ସେଦିନ ଶୁଭେନ୍ଦୁ ଅସହାୟ ଆଖିମେଲି ଚାହିଁଥିଲା, ମାଧବୀର ହସିଲା ହସିଲା ଲୁହଧୁଆ ମୁହଁଟାକୁ । ଗଳାରେ ଅଭିଯୋଗ ଭରି କହିଥିଲା–ବାଆରେ, ଯୁଗଯୁଗ ଧରି ଗୋଟାଏ କଥା ଅଛି ଯେ, ପୁଅମାନଙ୍କଠୁ ଝିଅମାନେ ବେଶି ଜାଣିବାର, ବେଶି ବୁଦ୍ଧିଆ ଝିଅମାନେ କୋଡ଼ିରେ ବୁଢ଼ୀ; ଆଉ ପୁଅମାନେ ଯାଇ ଚାଳିଶରେ । ମୋ ମୁଣ୍ଡରେ କି ମନରେ ଏବେ ସେଇ କଥାଟା ଯଦି ନପଶିଲା ତ ତୋର କଣ ହୋଇଥିଲା ? ତୁ ତ ଷୋଳବରଷୀଟେ ହୋଇସାରିଥିଲ—ସେ ତୁଳନାରେ ତ ତୋର ଅନେକ ବୁଦ୍ଧି ହେବାର କଥା ? ଅନେକ ଜାଣିବାର କଥା ? ଜିଧ୍‌ଦରି ମତେ କରେଇଲୁନି ତୋ ସାଥିରେ ବାହାଘର । ମୁଁ କଣ ବାହାରିଯାଇପାରିଥାନ୍ତି ତୋ କଥାରୁ ?

 

ଏଥର ସବୁ ଦୁଃଖ ପାସୋରି ହସି ଉଠିଲା ମାଧବୀ, ସେମିତି ହସୁ ହସୁ କହିଲା—ଜିଦ୍‌ଧରି ମୋ ସାଥିରେ ତୁମର ବାହାଘର ମୁଁ କରାଇଦେଇଥାନ୍ତି, ନା ? କଣ କହିଲ ଆଉ ଥରେ କହିବଟି !

 

ତାର ହସ ଦେଖି ଗମ୍ଭୀର ହୋଇଗଲା ଶୁଭେନ୍ଦୁ । ଗଳାରେ ବିରକ୍ତ ଭରି କହିଲା–ଭାଗ୍‌, ଭୋକରେ ପଛେ ଅନ୍ତନାଡ଼ୀ ଜଳିଯାଉଥିବ–ଆଉ ଇଆର ହସ ଲାଗିଛି ? ଅଲାଜୁକୀଟା !

 

ହସର ବେଗ ବଢ଼ୁଛି ପଛେ କମୁନି ମାଧବୀ କଣ୍ଠରୁ । ସେ ପୁଣି ହସୁ ହସୁ କହିଲା—ଗାଳିଦିଅନି ଶୁଭଭାଇ, ଗାଳିଦିଅନି । ଉଃ—କେତେ ଦିନ—କେତେ ଦିନପରେ ଆଜି ହସିଲି ମନଖୋଲି । ଆଃ, କି ଆନନ୍ଦ ଯେ ଲାଗୁଛି କଣ ଆଉ କହିବି ତୁମକୁ ! ଆଜି ନୁହେଁ ଶୁଭଭାଇ, ଚିରଦିନ, ସେଇ ପିଲାଦିନୁ ତୁମେ ମୋ ପାଖରେ ଥିଲେ ମନରେ ମୋର ବହୁତ ଆନନ୍ଦ ହୁଏ । ତୁମେ ଯେମିତି ମତେ ବାହାହେବା କଥା କେବେ ଭାବିନି, ମୁଁ ବି ତୁମକୁ ନେଇ କେବେ ସେମିତି ଗୋଟେ ଅସୁନ୍ଦର ଚିନ୍ତା କରିନି । ତମେ ମୋର ଭାଇ, ତୁମେ ମୋର ବନ୍ଧୁ, ତୁମେ ମୋର ଅତି ପ୍ରିୟଜନ । ମୁଁ ଖାଲି ଏତିକି ଜାଣେ ଯେ ମୋ ଜୀବନରେ ତୁମ ଉପସ୍ଥିତି ବଡ଼ ଆନନ୍ଦର, ବଡ଼ ସୁଖର । ଆଜି ଏଇ ମୁହୂର୍ତ୍ତରେ ତୁମେ ଦେବଦୂତପରି ମତେ ଲାଗୁଛି ।

 

ଓଠ ବଙ୍କେଇ ଶୁଭେନ୍ଦୁ କହିଲା—ସେଠି ଖୁବ୍‌ ନଭେଲ୍‌ ପଢ଼ୁପରା ? କଥାରେ ତ କଣ ବାଟୁଳି ବାଜୁନି ?

 

ଓଠରେ ସେମିତି ହସ ଆଙ୍କିରଖି ମାଧବୀ କହିଲା—ପଢ଼େ ତ, ପ୍ରଚୁର ପଢ଼େ, ଚୌଧୁରୀ ସାବ୍‌ କହନ୍ତି—ଏକା ଏକା ତୁମେ ଖୁବ୍‌ କଷ୍ଟ ପାଅ, ନା ମାଧବୀ ? କଣ କରିବି କହ ? ଏଇ ଓକିଲାତିଆ କାମ ଭାରି ଝିନ୍‌ଝଟର । ବହି ପଢ଼, ଦେଖିବ ଆଉ ତୁମକୁ ଏକା ଏକା ଲାଗିବନି. ଆଉ ବହି ପଢ଼ିଲେ ମନଟା ବି ବେଶ୍‌ ପ୍ରସାର ଲାଭକରେ ।

 

ଗଳାରେ ବିଦ୍ରୂପଭରି ଶୁଭେନ୍ଦୁ ପଚାରିଲା—କଣ, ମନଟା ପ୍ରସାର ଲାଭ କରିଛି ତୋର-?

 

ବଡ଼ ବଡ଼ ଆଖିରେ କପଟ ବିସ୍ମୟଭରି ମାଧବୀ କହିଲା–ଏ ମା’ କରିନି ! ଆଉ କେମିତି କରନ୍ତା ? ତାଙ୍କୁ ଆଉ ଥରେ ବାହାହବାର ସୁଯୋଗ ଦେଇ ଘର ଛାଡ଼ି ପଳାଇଆସିବାର କଳଙ୍କ ମୁଣ୍ଡରେ ନେଲି । ଫେର୍‌ ହେଇ ଦେଖ—ତୁମେ—ତୁମକୁ ମନକଲେ ମୁଁ ମୁହୂର୍ତ୍ତକେ ଛଡ଼ାଇ ଆଣନ୍ତି ଏଇନେ ନୀତା ନୂଆବୋଉଙ୍କ ପାଖରୁ । ତା ବି ମୁଁ କରିବିନି—କରିବାକୁ ମନହଉନି । ତେବେ ଦେଖ କେଡ଼େ ଉଦାର ମନ ମୋର । ଏତେ ଉଦାରତା କୋଉଠୁ ପାଇଲି ? ସେଇ ନଭେଲ ଉପନ୍ୟାସ ପଢ଼ି ନା ! ଜାଣ, ଟିକିଏ ବି ଦୁଃଖ ମୁଁ କରେନ୍ତି, ଚୌଧୁରୀ ସାବ୍‌ ବର୍ଷେ ହେବ ମୋ’ଠୁ ଅଲଗା ଶୋଉଛନ୍ତି ବୋଲି ।’’

 

ଶୁଭେନ୍ଦୁ ଚାହିଁଲା ମାଧବୀର ମୁହଁକୁ । ଦେଖିଲା ହସହସ ମୁହଁରେ ଅନର୍ଗଳ କଥାକହି ଚାଲିଛି ମାଧବୀ, ତା କଥାର କଳକଳ ଶବ୍‌ଦତଳେ ମନେହେଲା ଜମିରହିଛି ରାଶିରାଶି ବ୍ୟଥା, ରାଶିରାଶି ଅଭିମାନ । ବ୍ୟଥାରେ ବିବର୍ଣ୍ଣ ହୋଇଗଲା ଶୁଭେନ୍ଦୁର ସାରା ମନଟା ।

 

ସେମାନେ ଯାଇ ପହଞ୍ଚିଲେ ମାଧବୀଘରେ । ଦାଣ୍ଡଘରେ ପାଦଦେଇ ଥମକିପଡ଼ି ଠିଆହେଲା ମାଧବୀ; ତା’ପରେ ତକ୍ତପୋଷଟା ଉପରେ ବସିପଡ଼ୁପଡ଼ୁ କ୍ଳାନ୍ତକଣ୍ଠରେ କହିଲା–‘‘ଭିତରକୁ ତୁମେ ଯାଅ ଶୁଭଭାଇ ! ମୁଁ ଆଉ ଚାଲିପାରୁନି, ଟିକିଏ ବସେ ।’’

 

ଶୁଭେନ୍ଦୁ ବୁଝିଲା—ଲଜ୍ଜା ଭୟରେ ମାଧବୀ ଅବଶ ହୋଇପଡ଼ିଛି । ତେଣୁ ଭିତରକୁ ଯିବାକୁ ମନ ସାଥିରେ ସାହସ ବି ସିଏ ହରାଉଛି । କୋହ ଜମିଆସିଲା ତାର ଛାତିତଳେ । ମାଧବୀଠୁ ସେ ଅନେକ ବଡ଼ । ତଥାପି ସେମାନେ ଦିନେ ଥିଲେ ପରସ୍ପରର ସାଥୀ । ତାରି ସ୍କୁଲ ଫେରିଲା ବାଟକୁ ଛ’ବର୍ଷର ଟିକି ମାଧବୀ ଚାହିଁରହିଥାଏ ଆକୁଳ ଆଖିରେ । ତାକୁ ଦେଖୁ ଦେଖୁ ହୀରାକଣିପରି ଆଖିତାରା ଦୁଇଟି ଉଜ୍ଜ୍ୱଳ ହୋଇଉଠେ ମାଧବୀର । ଗଳାରେ ମୁଠାମୁଠା ଅଭିମାନଭରି କହେ—ତୁ ସ୍କୁଲ ଛୁଟିପରେ ନିଶ୍ଚୟ ଆଉ କୁଆଡ଼େ ବୁଲିଯାଉ–କୁଆଡ଼େ ଯାଉ ଶୁଣେ ? ଏଇ ବାଟ ଦେଇତ ନୀତୁ, ନୀର, ଗୋପାଳ, ଦୀପୁ କେତେବେଳୁ ଗଲେଣି—ଆଉ ତୁ ଆସିଲୁ ଏତେ ଏତେ ଡେରିରେ କାହିଁକି ? ବେଶି ପାଠୁଆ ଦେଖେଇହଉଛୁ ନା ? ଦେଖ, କେତେ କୋଳି, ପିଜୁଳି, କାକୁଡ଼ିକଷି ତୋଳିଆଣି ରଖିଛି, ତୁ ଆସିଲେ ଖାଇବା ବୋଲି । ଆଉ ତୁ ହଲିହଲି ଝୁଲିଝୁଲି ଏତେବେଳକୁ ଆସୁଛୁ ନା ?

 

ଗଳାରେ ଅପରାଧଭରି ସେ ସେତେବେଳେ କହୁଥିଲା—ମୋ ଭାଗଟା ରଖିଦେଇ ତୁ ଖାଇନେଲୁନି ।

 

ମାଧବୀ କ୍ଷଣେ ଚାହେଁ ତାର ମୁହଁକୁ । ତା’ପରେ ମୁହଁ ବିକୃତକରି କହେ—ଏକା ଏକା ଖାଇପାରେନି ବୋଲି ତ ତତେ ଚାହିଁଛି । ଆଉ ତୁ କହୁଚୁ କଣନା ତୋ ଭାଗଟା ରଖିଦେଇ.... ମାଧବୀ ରାଗର ଓ ଅଭିମାନର ଛଳନାକରେ ।

 

ସେ ଗଳାରେ ଅନୁନୟଭରି କହେ—ରାଗେନା ମାଧବୀ ! କାଲିଠୁ ଆଉ ଜମା ଡେରି କରିବିନି, ଆ—ସାଙ୍ଗହୋଇ ଖାଇବା ଆ ! ସେ ମାଧବୀକୁ ପାଖରେ ବସାଇ ନିଜ ହାତରେ ଖୁଆଇଦିଏ ।

 

ସେଦିନ ଆଜି ଆଉ ନାହିଁ; ଉଭାଇଯାଇଛି କର୍ପୂରପରି । ମାଧବୀ ଏହାପରେ ବଡ଼ହୋଇ ଦିନେ ଶାଢ଼ି ପିନ୍ଧିଥିଲା । ‘ତୁ’ରୁ ତମେ ଆସ ଯାଅ ବୋଲି ମାନ୍ୟକରି କଥା କହିଥିଲା । ହେଲେ ବନ୍ଧୁତା ? ଏକାଠି ଖାଇବା, ସାମାନ୍ୟ ଟିକିଏ ଦରବ ହେଲେ ବି ଆଗ ମତେ ଖୁଆଇବା ଏସବୁ ଥିଲା ତାର ସେଇ ବେଦିକି ଯିବା ପର୍ଯ୍ୟନ୍ତ ।

 

ଆଜି ବି ମନେଅଛି ସେଇ ଅଭୁଲା ଦିନର କଥା । ମାଧବୀର ମଙ୍ଗନ ଦିନ କିଏ ଦୁଇଟା ସନ୍ଦେଶ ଧରାଇ ଦେଇଥିଲା ହାତରେ ତାର । ସେକଥା ସକାଳର । ଦିନ ଦଶଟାରେ ଶୁଭେନ୍ଦୁ ଯାଇଥିଲା ତାଙ୍କ ଘରକୁ । ସଭିଙ୍କ ଆଖି ଉହାଡ଼ରେ ଲୁଚିରହି ହାତଠାରି ତାକୁ ପାଖକୁ ଡାକିଥିଲା ମାଧବୀ । ସେ ଯେତେବେଳେ ପାଖରେ ଯାଇ ଠିଆହେଲା, ମାଧବୀ ଲୁଗାସନ୍ଦିରୁ ହାତକାଢ଼ି ମୁହଁରେ ତାର ଗୁଞ୍ଜିଦେଇଥିଲା ଗୋଟାଏ ସନ୍ଦେଶ ଓ ମୁହଁଫୁଲାଇ କହିଥିଲା–ବାପ୍‌ରେ ବାପ୍‌ । ଏତେବେଳକୁ ଆସିଲ ? କେଉଁ ସକାଳୁ ଏଇ ସନ୍ଦେଶ ଦୁଇଟା ଲୁଚାଇଧରି ବସିରହିଛି । ବେଶି ଗୋଟେ ଦେଖେଇହଉଛ, ନା ?

 

ଥଟାକରି କହିଲି–କଣ, ତୋପାଇଁ ରଜାପୁଅ ପରି ଗୋଟେ ସୁନ୍ଦର ବର କରିଦେଲି ବୋଲି ପୁରସ୍କାର ଦେଲୁ ନା କଣ ?

 

ଓଠ ବଙ୍କେଇ ମାଧବୀ କହିଲା—ଆହା, ସତେ ଯେମିତି ଆଜି ନୂଆକରି ମୁଁ ଖୁଆଇଲି-?

 

କେଜାଣି କାହିଁକି ସେଇ ମୁହୂର୍ତ୍ତରେ କୋହ ଭରିଗଲା ଛାତିରେ ମୋର । ସେଇ କୋହକୁ ଚାପି ନେଉ ନେଉ କହିଲି—ସେଇ କାହିଁ କେଉଁ କାଳରୁ–ଏତେ ଟିକିଏ ଦରବ ହେଲେ ବି ସାଇତିରଖିଥାଉ ସାଙ୍ଗରେ ଖାଇବା ବୋଲି ! କିନ୍ତୁ ପଅରଦିନଠୁ କଣ କରିବୁ ? ଭଲଟିଏ କି ମନ୍ଦଟିଏ ହାତରେ ପାଇଲେ ଏକାକରି ସେଠି କେମିତି ଖାଇବୁ କହିଲୁ ?

 

ଧୀରେ ଧୀରେ ମାଧବୀର ମଥାଟି ନୋଇଁଗଲା । ସରୁ ସୁନ୍ଦର ଚିବୁକଟି ତାର ଛାତି ଛୁଇଁଲା । ଠିଆହେବା ଭଙ୍ଗିରେ ତାର ଫୁଟିଲା ଏକ କାରୁଣ୍ୟ । ତା’ପରେ ମୁଦିଲା ଦୁଇଟି ଲମ୍ୱିଲା ଆଖି କୋଣରୁ ବହି ଝରିଆସିଲା ଅଶ୍ରୁର ମୁକ୍ତାକଣା, ସାରା ଦେହରେ ତାର ସୃଷ୍ଟିହେଲା କ୍ଷୀଣ ଏକ କମ୍ପନ । ଫୁଲିଫୁଲି କାନ୍ଦିଲା ମାଧବୀ ।

 

ମାଧବୀର ଏଇ କରୁଣରୂପ ନୂତନ ଏକ ଭାବ ସୃଷ୍ଟି କରିଥିଲା ମନରେ ତାର । ମନ ତାର ଗୁମୁରି ଉଠିଥିଲା ଏକ କରୁଣ ମୂର୍ଚ୍ଛନାରେ । ଛୋଟ ପିଲାଙ୍କ ପରି କାନ୍ଦିଉଠିଥିଲା ସିଏ ।

 

ସିଏ ଗୋଟିଏ ଦିନ–ଆଉ ଆଜିକାର ଇଏ ଗୋଟିଏ ଦିନ । ମାଧବୀ ଛାତିତଳେ ଆଜି ଜମିରହିଛି ବ୍ୟଥା, ଅଭିମାନ । ଏଇ ଗାଁ, ଏଇ ମାଟି, ଏମିତିକି ଏଇ ଘର, କାହାରି ଉପରେ ଆଜି ଆଉ ତାର ଦାବି ନାହିଁ । ଏଇ ସମସ୍ତଙ୍କ ପାଖରେ ଆଜି ସେ ହୋଇଯାଇଛି ପର । ସେଇଥିପାଇଁ ମନକୁ ତାର ଗ୍ରାସକରୁଛି ଲଜ୍ଜା; ଭୟ, ଆଉ ସଙ୍କୋଚ, ସାହସପାଉନି ସିଏ ଭିତରକୁ ପଶିଯିବାକୁ ।

 

ଗଡ଼ିଆସୁଥିବା ଲୁହକୁ ପୋଛିନେଇ ଚଟ୍‌କରି ସେଦିନ ଘରଭିତରକୁ ପଶିଯାଇଥିଲା ଶୁଭେନ୍ଦୁ । ପାଟିକରି ଡାକ ଛାଡ଼ିଥିଲା ‘ମାଉସୀ’ ‘ମାଉସୀ’ ବୋଲି । ଘରଭିତରୁ ଧାଇଁଆସିଥିଲେ ସରୋଜିନୀ, ଗଳାରେ ଅନେକ ଆନନ୍ଦ ଭରି କହିଉଠିଥିଲେ–ଇରେ, କି ଭାଗ୍ୟରେ ମୋର ? ହଇରେ; ଏତେଦିନକେ ତୋର ମନେପଡ଼ିଲା ମାଉସୀ କଥା ! ଆ ଆ, ଭିତରକୁ ଆ ।

 

ଆଖିରେ ଆଖିରେ କିଛି କଥା ବୋଧହୁଏ ତାଙ୍କୁ କହିଥିଲା ଶୁଭେନ୍ଦୁ, ନହେଲେ ହଠାତ୍‌କରି ବନ୍ଦହୋଇଗଲା କାହିଁକି ସରୋଜିନୀଙ୍କର କଣ୍ଠରେ ଜାତହୋଇଥିବା ଉଚ୍ଛ୍ୱାସ ? ପାଦ ଘୋଷାରି ଘୋଷାରି ସରୋଜିନୀ ଆସିଥିଲେ ଦାଣ୍ଡଘରକୁ । ମୂକ ଆଖି ମେଲି ଚାହିଁଥିଲେ କ୍ଷଣେ ଝିଅର ଆନତ ମୁହଁଟିକି । ମାଧବୀ ବି ମୂକ ଆଖି ମେଲି ଚାହିଁରହିଥିଲା ବୋଉ ମୁହଁକୁ ।

 

ଉଃ, କି ସେ ଗୋଟାଏ ଭୟଙ୍କର ଦିନ !

 

ଭୟାର୍ତ୍ତ ଗଳାରେ ବୋଉ ରହି ରହି କହିଥିଲା—ଏମିତି ହୋଇଆସିଛୁ କେମିତି !! ସାଙ୍ଗରେ କଣ କେହି ଆସିନାହାନ୍ତି ?

 

ବୋଉ କଥାର ଉତ୍ତର ନଦେଇ ମାଧବୀ ବସିରହିଥିଲା ଚୁପ୍‌ହୋଇ ।

 

ମୁଣ୍ଡରେ ହାତଦେଇ ସେଇ ଭୂଇଁଉପରେ ବସିପଡ଼ିଲେ ସରୋଜିନୀ । ପଲକହୀନ ଆଖିରେ ଫୁଟିଉଠିଲା ଆତଙ୍କ । ଅସହାୟ ଆଖିରେ ମାଧବୀ ଥରେ ବୋଉ ଆଡ଼କୁ ଚାହିଁ ଆଉଥରେ ଚାହିଁଲା ଶୁଭେନ୍ଦୁର ବିବ୍ରତ ମୁହଁଆଡ଼କୁ । ବ୍ୟସ୍ତ ହୋଇପଡ଼ିଲା ଶୁଭେନ୍ଦୁ । ସରୋଜିନୀଙ୍କ ପିଠିରେ ହାତମାରି ଚିଡ଼ିଲା କଣ୍ଠରେ କହିଲା—ବାଃ, ଭଲ ମା’ ହୋଇଛ ! ଆଠବର୍ଷ ଘର କଲାପରେ ଝିଅଟା କାହିଁକି ଆସିଲା, କି ମନ ନେଇ ଆସିଲା, ବସିପଡ଼ିଲ ଏଇଆ ଭାବିବାକୁ । ମୁହଁ ତାର ଶୁଖିଗଲାଣି, ଭୋକରେ ତାର ପେଟ ଜଳୁଛି, କିଛି ତୁମେ ଭାବୁନ ? କାହା ସାଥିରେ ଆସିଲା ନ ଆସିଲା ଏଇ କଣ ଗୋଟାଏ ବଡ଼ ଚିନ୍ତାର କଥା ? ଆସିଛି ତ ଆସିଛି । ତିନି ତିନିଟା ଛୁଆର ମା, ଯେମିତି ପାରେ ସେମିତି ଆସୁ । ତା ପାଇଁ ଏତେ ଭାବିବାର କଣ ଅଛି ? ଦି’ଗାଁ ଭିତରେ ଦୂର ମାତ୍ର ଛଅ କୋଶ ବାଟ । ପିଲାଲୋକ, ଚାଲି ଚାଲି ଆସି ହାଲିଆ ହୋଇପଡ଼ିଥିବ, ସେ କଥା ନ ଭାବି ତୁମେ ଭାବୁଛ ଛେନାଗୁଡ଼ କଥା । ଝିଅଟା କଣ ତୁମକୁ ପିତା ଲାଗୁଛି ? ସବୁକଥା ପରେ ବୁଝିଲେ ଚଳିବ—ଯାଅ, ଆଗ ତାକୁ ଖାଇବାକୁ ଦିଅ ।

 

ଶୁଖିଲା ଓଠରେ ଜିଭ ବୁଲାଇନେଇ ହସିବାର ଚେଷ୍ଟାକଲେ ସରୋଜିନୀ । କହିଲେ—ହଁ ମ ପୁଅ ! ଯାହା କହିଲୁ ସତ । ଆସିଛି ତ ଭଲକରିଛି । ଶୂନ୍ୟ କୋଳ ମୋର ପୁଣି ପୂର୍ଣ୍ଣ ହୋଇଉଠିଲା । ନିଆଁ ଚୁଲି ଶାଶୁଘର । ତାଙ୍କ ମୁହଁରେ ନିଆଁ, ତାଙ୍କ ବଡ଼ଲୋକୀ ମୁହଁରେ ଧୂଆଁ । ଝିଅଟା ମୋର ଆଠବର୍ଷ ଭିତରେ ଆସିଛି ଦୁଇଥର । ଥରେ ଖୁବ୍‌ ବେମାର ପଡ଼ିଥିଲି ମୁଁ, ଆଉ ଥରେ ବାପର ଶୁଦ୍ଧଘରକୁ । ଥରେ ଥିଲା ଚାରିଦିନ, ଆଉ ଥରେ ଥିଲା ପନ୍ଦର ଦିନ । ଶାଶୁ ରାଣ୍ଡୀ ରଖେଇଦିଏନି । କହେ–ଅଃ, ଯୋଉ ତ ବାପଘର । କେଳା କୁଡ଼ିଆ, ସେଠିକି ତୁମେ ବାର ବାର ଯିବାକୁ ମନକଲେ, ଆମର ମାନମହତ ରହିବନି । ଯାହା ତ ତମାଳ କଲା କଲା–ଏଣିକି ମୋ କଥାରୁ ବାହାର ହେଲେ, ଖଣ୍ଡପ୍ରଳୟ କରିବି ମୁଁ । ଖବରଦାର୍‌, ତୁମେ ଯାଇପାରିବନି ବାପଘରକୁ । ଝିଅ ମୋର ଆସେନି, କହେ କଣ ହେବଲୋ ବୋଉ, କାହ ଇଛାରେ ବାଧାଦେଇ ? ପର ତ ମତେ କରିଦେଇଛୁ–ଆଉ କଣ ମୁଁ ନିଜର ହେବି, କହିଲୁ ! ସେଇମାନେ ସୁଖୀ ହୁଅନ୍ତୁ କାହିଁରେ ତ ସେମାନେ ମତେ ନେଇ ସୁଖୀ ହେଲେନି–ଆଉ ଏଇ ଇଚ୍ଛାଟା ତାଙ୍କର ମୁଁ କାହିଁକି ଯିବି ଭାଙ୍ଗିଦେବାକୁ ?

 

ଝିଅକଥା ଶୁଣି ବାପ ତା’ର ଲୁହ ଗଡ଼େଇ କହିଥିଲା—ସତ ମାଧୁବୋଉ ସତ, ଝିଅ ଯାହା କହୁଛି ପୂରା ସତ । ସେ ପର ହୋଇଯାଇଛି । ବଡ଼ଘରକୁ ତାକୁ ଆମେ ଦେଇ ପର କରିଦେଇଛୁ । ଯାହାହେଲେ ହେଲା, ମାଧୁ ମୋର ନିଜେ ଟିକିଏ ସୁଖରେ ଶାନ୍ତିରେ ଥାଆନ୍ତା କି ତେବେ ଆଉ ମୋର ଭାବିବାର କିଛି ନ ଥାଆନ୍ତା । ଦୁଇ ଦୁଇଟା ପିଲା ସେ ଗର୍ଭରେ ଧରିଲା, ଅଥଚ କାହାକୁ ଗୋଟାକୁ ହେଲେ କୋଳେଇ ପାରିଲାନି ! ଆହା, ରୂପଟା ଯାହାର ସୁନା ପରି ଏତେ ଉଜ୍ଜ୍ୱଳ, କପାଳଟା ତାର ପୁଣି କୋଇଲା କଳାଠୁ ବି ହୀନ !!

 

ଏଇ କଥା, ଏଇ କଥା ବାହୁନି ହୋଇ ହୋଇ ସେ ମଲେ । ମଲେଣି ସିଏ ତିନିବର୍ଷ ହେଲା । ଝିଅ ବି ମୋର ଆସିଥିଲା ସେଇ ତିନି ବର୍ଷତଳେ । ଆଉ ଆସିଲା–ଆଜି । ଆସିଲା ନିରିମାଖୀହୋଇ, ହଉ, ଭଲହେଲା ମୋ କୋଳକୁ ଫେରିଆସିଲା ମୋ ଧନ ।

କଥା ସାରି, ଲୁହପୋଛି ଉଠି ଠିଆ ହେଲେ ସରୋଜିନୀ । ମାଧବୀର ନୋଇଁଲା ମୁହଁକୁ ହାତରେ ତୋଳିଧରି କପାଳରେ ତାର ଚୁମାଦେଇ ସ୍ନେହସିକ୍ତ କଣ୍ଠରେ କହିଲେ–ଆ ଆ, ଖାଇବୁ ଆ ମା, ଲୁଗା ପାଲଟିପକା, ଆ ।

ମାଧବୀର ଆଖିରୁ ଫିଟିଥିଲା ପାଣିର ଝର । ତାର ଗୋଲାପୀ ଗଣ୍ଡଦେଇ ଅବିରାମ ଧାରାରେ ଝରୁଥିଲା ଅଶ୍ରୁର ବହଳିଆ ଧାରା । ସରୋଜିନୀ ଅଞ୍ଚଳରେ ସେଇ ଲୁହ ପୋଛି ଦେଉ ଦେଉ କହିଲେ–ମଲା ମଲା, ତୁ ଗୋଟାଏ କାନ୍ଦୁଛୁ କାହିଁକି ମ ? ତୋର କଣ ହୋଇଛି କି ? ଆଠବର୍ଷ ଘରକଲା ବୋହୂ ତୁ, ସଂସାରଟାକୁ ତ ଦେଖିଲୁ, ଜାଇଁଲୁ । ଆଉ ପୁଣି ଦୁଃଖ କାହିଁକି ? ଆଉ ସବୁଠୁ ବଡ଼ କଥା–ସତରେ କଣ ତମାଳ ତତେ ଛାଡ଼ି ରହିପାରିବ ! ଘଣ୍ଟାକ ପରେ ନହେଲେ ବି, ଆଠଦିନ ବି ପାହିବନି, ସେ ଆସି ତତେ ନେଇ ଯିବ । ସ୍ୱାମୀ ସ୍ତ୍ରୀର ଝଗଡ଼ା ଯିଏ, ସକାଳର କୁହୁଡ଼ି ସିଏ । ବାହାହେବ ବୋଲି କହିଦେଲା ବୋଲି ସତରେ କଣ ସିଏ ବାହା ହୋଇପଡ଼ିବ ?

ଆଖିର ତରାସ ମେଲି ମାଧବୀ ଏଥର ଚାହିଁଲା ବୋଉର ମୁହଁକୁ, ଗୋଟିଏ ସ୍ଥିର ବିଶ୍ୱାସରେ ଉଜ୍ଜ୍ୱଳ ଦିଶୁଥିଲା ସରୋଜିନୀଙ୍କ ମୁହଁ । ଝିଅର ବିମୂଢ଼ ଆଖିରେ ଆଖି ରଖି ଛୋଟକରି ହସିଲେ ସରୋଜିନୀ, ଗଳାରେ ମମତାଭରି କହିଲେ—କଣ ଲୋ ଏମିତି ଚାହିଁଛୁ ? ଖାଇବୁ ଚାଲେ-

ବୋଉ ମନର ବିଶ୍ୱାସ ଟିକକ ଭାଙ୍ଗିଦେବାକୁ ମାୟା ଲାଗିଲା । ମାଧବୀ ଭୂଇଁରେ ହାତଭରାଦେଇ ଉଠିପଡ଼ିଲା । ମାଧବୀ ଗୋଡ଼ହାତ ଧୋଇ ଲୁଗାପାଲଟି ନେଲା । ଆଠବର୍ଷ ପରେ ପିନ୍ଧିଲା ଏମିତି ଗୋଟିଏ ଶାଢ଼ି, ଯାହା ପିନ୍ଧନ୍ତି ତମାଳଙ୍କ ଘରର ଦାସୀ ଚାକରାଣୀ ମାନେ । ନିଜ ଦେହକୁ କଣେଇ ଚାହିଁଲା ସିଏ । ମନେ ମନେ କହିଲା–ଉଃ, କି ଆରାମ୍‌ ! କେଡ଼େ ହାଲୁକା । ଆଉ ଯେଉଁ ଶାଢ଼ିଟା ଖୋଲି ରଖିଥିଲା ଏଇନେ, ସେଟା କେଡ଼େ ଓଜନିଆ ଲାଗୁଥିଲା !! ଆଜି ତାର ମନେହେଉଛି–ସତେ ଯେମିତି ସେ ବିରାଟ ଖଣ୍ଡେ ପଥରର ଚାପାତଳୁ ହଠାତ୍‌ ବାହାରିଆସିଛି । ମୁକ୍ତିର ଏକ ଲମ୍ୱା ନିଃଶ୍ୱାସ ଛାଡ଼ି ଆରାମ ବୋଧକଲା ମାଧବୀ । ତାର ଚାଲିବା ଧରଣରେ ଫୁଟିଉଠିଲା ତା’ ମନର ଆନନ୍ଦ । ସେଇ କଥାକୁ ଅନୁଭବ କରି ଖୁସିହେଲେ ସରୋଜିନୀ । ଭାବିଲେ ତାଙ୍କର ବିଶ୍ୱାସରେ ବିଶ୍ୱାସ ମିଶାଇ ଝିଅଟା ସହଜ ହୋଇଯାଇଛି ।

ପେଟେ ପଖାଳ ଖାଇ ଶୋଇବାଘରର ଦକ୍ଷିଣପଟ ଝରକା ପାଖରେ ଆସି ଠିଆହେଲା ମାଧବୀ । ତାଙ୍କ ବାଡ଼ିର ଆମ୍ୱ ପଣସର ବଗିଚା ଫାଙ୍କଦେଇ ଦିଶୁଛି ସବୁଜ ଘାସଭରା ଶୂନ୍ୟ ଗଡ଼ାଣିଆ ବିଲମାଳ । ସେଇ ବିଲର କଡ଼ରେ ବହିଯାଇଛି ଦେବୀନଈ । ଓସାରିଆ ବାଲିଶଯ୍ୟା ଉପରେ ଅଳସ ଭଙ୍ଗି ନେଇ ଶୋଇରହିଛି ପାଣିର କ୍ଷୀଣ ଗୋଟିଏ ରୂପେଲି ଧାରା । ଦିଶୁନି ଏଠୁ ସେଇ ଧାରା । ନଦିଶୁ । ସେଇ ଧାରାକୁ ପବନ ଛୁଇଁ ଛୁଇଁ ଧାଇଁଆସୁଛି କିନ୍ତୁ ତାରି ପାଖକୁ । ଦେହରେ ମୁହଁରେ ପାଉଛି ମାଧବୀ ସେଇ ପବନର ହାତର ଶୀତଳ ପରଶ । ପରମ ଶାନ୍ତିରେ ଆଖିଦୁଇଟି ମୁଦିଦେଲା ମାଧବୀ ।

ରାତିରେ ଶୋଇଲା ବୋଉର ଦେହକୁ ଦେହ ଲଗାଇ । ନିବିଡ଼କରି ଜଡ଼ାଇ ଧରିଲା ବୋଉର ବେକଟାକୁ । ନିଦ୍ରାର ଘନ ସ୍ପର୍ଶରେ ଢାଙ୍କିହୋଇ ଆସିଲା ତାର ଆଖିପତା ଦୁଇଟି । ସେଇ ମୁଦିଲା ଆଖିତଳେ ଭାସିଗଲା ଶୁଭଭାଇର ଶାନ୍ତ ସ୍ନିଗ୍‌ଧ ମୁହଁଟି । ଏଥର ପ୍ରତିଦିନ ଦେଖାହେବ ଶୁଭଭାଇ ସାଥିରେ । କଥା ହେବ ଦୁହିଁଙ୍କର ଲମ୍ୱା ଆଉ ଅଛିଣ୍ଡା । ଉଃ, କେତେ ଦିନ କେତେ ରାତି ପାଟି ବୁଜି ଚୁପ୍‌ଚାପ୍‌ କଟାଇ ଦେଇଛି ମାଧବୀ ! ସତେ ଯେମିତି ସେ ମୂକ !!! ସେ ଘରର ଦାସୀ ଚାନ୍ଦବୋଉର ଯେଉଁ ଅଧିକାର, ସେ ଟିକକ ବି ନଥିଲା ତାର । ଅଦ୍‌ଭୁତ ! ସତେ ଯେମିତି କେଉଁଠିକାର କିଏ ଗୋଟେ ସିଏ, ବଳେ ବଳେ ପଶିଯାଇଥିଲା ଚୌଧୁରୀଙ୍କ ଘର ଭିତରକୁ ।

 

ପିଠିରେ ହାତବୁଲାଇ ସରୋଜିନୀ ଡାକିଲେ–ମାଧୁ.....

 

ତନ୍ଦ୍ରା କଟିଗଲା ମାଧବୀର ଆଖିପତାରୁ । ସ୍ୱର ଲହରେଇ କହିଲା–ଉଁ....

 

ଶୋଇଲୁ ?

 

ନା ।

 

ତତେ କାହିଁକି ଏମିତି ଭାବରେ ଆସିବାକୁ ପଡ଼ିଲା ?

 

ସଜାଗ ହୋଇଉଠିଲା ମାଧବୀ । ତେବେ ମନରେ ତାର ସାହସ ଫେରିପାଇଚି । ସେ ଯେତେବେଳେ ବୋଉ କୋଳରେ ଶୋଇପଡ଼ିବାର ଅଧିକାର ପାଇଲାଣି; ସେତେବେଳେ କାହାକୁ ଆଉ ସିଏ ଡରିବନି—ଏପରିକି ବୋଉକୁ ବି ନୁହେଁ । ବୋଉ ଆଉ ଶୁଭଭାଇ ଥିଲେ ତାର ପରବାୟ ନାହିଁ । କାହିଁକି କାହାକୁ ସିଏ ଡରିବାକୁ ଯିବ ?

 

ସରୋଜିନୀ ପୁଣି ଫିସ୍‌ଫିସ୍‌ ଗଳାରେ ପଚାରିଲେ—ଶୋଇଲୁକି ମା ?

 

ଗଳାରେ ବିରକ୍ତ ଭରି ମାଧବୀ କହିଉଠିଲା—ଧ୍ୟାତ୍‌; କାହିଁକି ଗୋଟେ କଟକଟ ହେଉଛୁ ମ ? ଶୁଆଇ ଦେବୁନାହିଁ ନା କଣ ? ଆଉ ଯେବେ ବକର ବକର ହେବୁ, ଉଠି ଚାଲିଯିବି ପଦାକୁ । କଥାସାରି ଆହୁରି ଜୋରରେ ଜାକିଧରିଲା ବୋଉର ବେକଟାକୁ ।

 

ପରମ ସ୍ନେହରେ ସରୋଜିନୀ ଝିଅକୁ ଜଡ଼ାଇଧରିଲି । ଆସ୍ତେକରି ମଥାରେ ତାର ଓଠ ଛୁଆଁଇଲେ । ତାପରେ, ଅନେକ ବ୍ୟଥାଜଡ଼ିତ ପ୍ରଶ୍ନକୁ ଛାତିତଳେ ଚାପିରଖି ଆଖି ମୁଦି ଶୋଇବାକୁ ଚେଷ୍ଟାକଲେ ସେ ।

 

ଉଠିଲେ କିନ୍ତୁ ସିଏ କାଉ କା’ ନକରୁଣୁ । ବିଛଣାରେ ବସିପଡ଼ି ଚାହିଁଲେ ଘୁମନ୍ତ ଝିଅଆଡ଼କୁ । ପରମ ନିଶ୍ଚିନ୍ତରେ ଶୋଇରହିଛି ତାଙ୍କରି ପ୍ରାଣର ମାଧବୀ । ଗୋଟାଏ ପୁରୁଣା ହେଂସ, ତାଆରି ଉପରେ ବିଛାହୋଇଛି ଆହୁରି ପୁରୁଣା ଦୁଇଖଣ୍ଡ କନ୍ଥା । ତାରି ଉପରେ ଶୋଇରହିଛି ଧନୀ—ମାନୀ ଘରର ବୋହୂ ଶ୍ରୀମତୀ ମାଧବୀ ଚୌଧୁରୀ । ପହିଲି ବର୍ଷ କୁଆଁର ପୁନିଅଁକୁ ଏଠୁ ଭାର ନେଇ ଯାଇଥିଲା ହଳିଆଟେ । ସିଆଡ଼ୁ ଆସି କହୁଥିଲା—କଣ କହିବି ସାଆନ୍ତାଣୀ, କି ଘର ପାଇଛନ୍ତି ମାଧବୀନାନୀ ! ଘର ତ ନୁହେଁ, ସତେ ଯେମିତି ପୁରୀ ରାଜାଙ୍କ ନଅର । ତା ଭିତରକୁ, ତା ଭିତରକୁ, ତା ଭିତରକୁ କେତେ ଯେ ଘର ତାକୁ କଣ ମୁଁ ଗଣିପାରିଲି !! ମାଧବୀ ନାନୀଙ୍କର ଶୋଇଲାଘର ଦେଖିବାକୁ ଯାଇଥିଲି ତିନିମହଲା ଉପରକୁ । ବାପଲୋ ବାପ, ପାହାଚ ଚଢ଼ୁ ଚଢ଼ୁ ତ ମୋର ଗୋଡ଼ ଥକିପଡ଼ିଲା । ମତେ ନାଗିଲା ସ୍ୱର୍ଗ ଗଲା ପରି । ତା’ପରେ କଣ ଦେଖିବ ସେ ଶୋଇବାଘର । ମଝିରେ ପଡ଼ିଛି ଖଟ । ମୁଠୁଣିଏ ବହଳର ଗଦି ପଡ଼ିଛି ତା ଉପରେ । ଚାରି କଡ଼ରେ ଚାରିଟା କଳା କାଠର ଫୁଲକଟା ଖମ୍ୱ । ତା’ରି ଉପରେ ଠିଆହୋଇଛନ୍ତି ସୁନାରଙ୍ଗର ଚାରୋଟି ମାଇପି । ସବୁରି ପିଠିରେ ଦିଟା କରି ଡେଣା—ସତେକି ଆଉ ଟିକକୁ, ଫୁରଫାର ହୋଇ ବାହାରି ଆସିବେ ପଦାକୁ । ଛାତରୁ ଝୁଲୁଛି ସୁନା ରଙ୍ଗର ବଡ଼ ଗୋଟାଏ କାଚର ପଦ୍ମ । ଆଖି ଖୋସି ମୁଁ ତ ଗଲା ଚାହିଁଛି । ଆଉ ମାଧବୀ ନାନୀ ? ସୁନା ଅଳଙ୍କାର ନାଇ ତାଙ୍କ ଦେହର ଚମ ଆଉ ଦିଶୁନି । ସବୁଭଲ–ସ... ଅ... ବୁ । ହେଲେ ତାଙ୍କ ଶାଶୁ ? ନା, ମନକୁ ପାଇଲାନି ମୋର । ଖାଇବାକୁ ପିଇବାକୁ ଦେଲେ ହଁ, ହେଲେ କଥା କହୁଥାନ୍ତି ଫୋପାଡ଼ିଲା ପରି । ଅବାଗିଆ ଗର୍ବୀ ମଣିଷଟାଏ ।

 

ଗାଁଯାକର ମାଇପେ ତାକୁ ଘେରିଯାଇ ସେଦିନ କଥା ତାର ଶୁଣୁଥିଲେ । ମାଧବୀର ଶାଶୁ ଭଲ କି ମନ୍ଦ ସେଦିନ କାନରେ ପୂରାଇ ନ ଥିଲେ ସିଏ । ଝିଅର ସୁଖ ଐଶ୍ୱର୍ଯ୍ୟର କଥା ଶୁଣି ଶୁଣି ପେଟ ତାଙ୍କର ପୂରିଯାଉଥିଲା । ଗାଁ ମାଇପେ ଆଁ କରିଦେଇଥିଲେ ।

 

ତମାଳ ତାଙ୍କର ଗୋଟିଏ ବୋଲି ପୁଅ । ମାଧବୀ ସେ ଘରର ବୋହୂ । ସେ ଘର ମାଧବୀର । ସେ ଘରେ ଅଛି ଯେତେ ସମ୍ପଦ ସବୁ ମାଧବୀର । ସେଇ ମହାରାଣୀ ମାଧବୀ ଏଠି ଶୋଇରହିଛି ଛିଣ୍ଡା କନ୍ଥା ଦି’ଖଣ୍ଡିରେ । ତାର ଶୋଇଲା ମୁହଁରେ ବିଛାଇହୋଇ ରହିଛି ପରମ ଆନନ୍ଦ, ପରମ ନିଶ୍ଚିନ୍ତତା । ଚମକି ଉଠିଲେ ସରୋଜିନୀ । ଏତେ ଆନନ୍ଦ ଏତେ ନିଶ୍ଚିନ୍ତ ହେବାର କଣ ଅଛି ମାଧବୀର । ଘର ଛାଡ଼ି, ବର ଛାଡ଼ି ଆସିଛି । ଦୁଃଖରେ ତ ଭାଙ୍ଗିପଡ଼ିବା କଥା ! ତେବେ-!! ତେବେ କଣ ସେଠି ସୁଖରେ ନଥିଲା ମାଧବୀ !! ମାଧବୀ କଣ ଚାହୁଁନଥିଲା ସେଠି ଆଉ ରହିବାକୁ ! ସେମାନଙ୍କୁ କଣ ସହି ପାରୁନଥିଲା ମାଧବୀ ? କିନ୍ତୁ କାହିଁକି ?

 

ସହସ୍ର ପ୍ରଶ୍ନରେ ଆକୁଳ ହୋଇଉଠୁଥିଲା ସରୋଜିନୀଙ୍କର ଅନ୍ତର । ବ୍ୟାକୁଳ ଆଖି ମେଲି ସେ ଚାହିଁରହିଥିଲେ ଝିଅର ମୁହଁକୁ । ପାହାନ୍ତିଆର ଫିକା ଆଲୁଅରେ ବାସୀ ଯୁଇ ଫୁଲପରି ବିବର୍ଣ୍ଣ ଦିଶୁଛି ମାଧବୀର ହାଡ଼ୁଆ ମୁହଁଟା । ହଁ, ଖୁବ୍‌ ଖରାପ ଦିଶୁଛି ମାଧବୀ । ଗାଲ ଦୁଇଟା ପତଳା ହୋଇଯାଇଥିବାରୁ ନାକଟା ବାହାରିପଡ଼ିଛି ଏତେ ବଡ଼ ହୋଇ । ଭାରି ପତଳା ଦିଶୁଛି ମଥା ଉପରର ବାଳଗୁଡ଼ାକ । ଏମିତି କାହିଁକି ଦିଶୁଛି ମାଧବୀ ! ସୁନାର ପ୍ରତିମା ମାଧବୀ ଯେ ଗୋଟିଏ ଚାଉଳରେ ଗଢ଼ା !! ଯାହାକୁ ମୁହୂର୍ତ୍ତକ ଦେଖାରେ ଆପଣାର କରିନେଇଥିଲା ତମାଳ ଚୌଧୁରୀ !! ସେ କଣ ଏଇ ମାଧବୀ, ଏଇ କଣ ସୁଖୀ ହେବାର ଲକ୍ଷଣ !

 

ଛାତି ତଳଟା ଗୁମୁରିଉଠିଲା ସରୋଜିନୀଙ୍କର । ପୁଣି ଭାବିଲେ ଅନ୍ୟ କଥା । ଛ’ମାସ ତଳେ ପିଲାଟିଏ ହୋଇ ନଷ୍ଟ ହୋଇଯାଇଛି । ଦୁଃଖ ବେଦନା ତ ମନରେ ପାଇଥିବ । ସେଥିରେ ଶାଶୁ ନିଶ୍ଚୟ ଅଯତ୍ନ ଆଉ ଅଣହେଳା ବି କରିଥିବ । ତେବେ ଆଉ ରୂପ କୁଆଡ଼କୁ ଆସିବ ମାଧବୀ ଦେହରେ ? ସେଇଥିପାଇଁ, ଚବିଶ ବର୍ଷର ମାଧବୀ ଦିଶୁଛି ଚାଳିଶ ବର୍ଷର ବୁଢ଼ୀ ପରି ।

 

ପରମ ସ୍ନେହରେ ହାତ ବୁଲାଇଲେ ସିଏ ମାଧବୀ ଦେହରେ । କର ଲେଉଟାଇ ମାଧବୀ ଜାବୁଡ଼ି ଧରିଲା ତାଙ୍କ ଆଣ୍ଠୁଟାକୁ । ମାତୃସ୍ନେହରେ ହସିଲେ ସରୋଜିନୀ । ଦେହରେ ତାର ଢାଙ୍କିଦେଲେ ପତଳା ଗୋଟିଏ ଚଦର । ଧୀରେ ଧୀରେ ମାଧବୀର ହାତରୁ ମୁକୁଳାଇ ଆଣିଲେ ନିଜର ଆଣ୍ଠୁଟିକି ଓ ଉଠି ଚାଲିଆସିଲେ ପଦାକୁ ।

 

ଆହୁରି ଅନେକ ଡେରିରେ ଉଠିଲା ମାଧବୀ । ମୁହଁ ଧୋଇଲାପରେ ଆଖିରେ ତାର ପ୍ରଥମେ ପଡ଼ିଲା ଲଳିତା ଖୁଡ଼ୀଙ୍କର ବର୍ଷକର ପୁଅ ମୁନ୍ନା ଉପରେ । ଧାଇଁଯାଇ ତାକୁ କୋଳକୁ ନେଲା ମାଧବୀ । ପିଣ୍ଡାରେ ବସି କକା ଦାନ୍ତ ଘଷୁଥିଲେ । ତାଙ୍କୁ ଗୋଟିଏ ମୁଣ୍ଡିଆ ମାରି କରେଇ ଠିଆହେଲା ସିଏ । ଦାନ୍ତଘଷା ଅଧା ରଖି ଘନଶ୍ୟାମ ସ୍ନେହସିକ୍ତ କଣ୍ଠରେ କହିଲେ–ଟିଉସନ ସାରି ଫେରିଲାବେଳକୁ ତୁ ଶୋଇପଡ଼ିଥିଲୁ, ସେଥିପାଇଁ କାଲି ଆଉ ତତେ ଦେଖିପାରିଲିନି । ଭଲ ଅଛୁ ତ ମା’ ?

 

ଫିସ୍‌ଫିସ୍‌ ଗଳାରେ ମାଧବୀ କହିଲା–ହଁ କକା, ଭଲଅଛି । ଖୁବ୍‌ ଭଲଅଛି ।

କଥାସାରି ମୁନ୍ନାକୁ ନେଇ ସେଠୁ ପଳାଇଥିଲା ମାଧବୀ । ନିଜକୁ ଆଢ଼ୁଆଳ କରି ରଖିବାକୁ ଚାହୁଁଛି ମାଧବୀ । ତାର ପଳେଇଯିବା ଧରଣ ଦେଖି ସେଇ କଥା ବୁଝିପାରିଥିଲେ ସରୋଜିନୀ । ଅଗଣା ଝାଟୋଉ ଝାଟୋଉ ମୁହୂର୍ତ୍ତକ ଲାଗି ହାତ ତାଙ୍କର ଅଟକିଯାଇଥିଲା । ଶାଶୁଘରୁ ଏକା ଏକା ପଳାଇ ଆସି ସଭିଙ୍କ ପାଖରେ ଚୋର ହୋଇଯାଇଛି ମାଧବୀ । ଘନଶ୍ୟାମଙ୍କ ମଥାର ମଣି ଥିଲା ଦିନେ ଏଇ ମାଧବୀ । ସେତେବେଳେ ଲଳିତା ହୁଏତ ଏଡ଼ିକି ଟିକିଏ ହୋଇ ବାପଘର ଗାଁରେ ଡିଆଁମାରି ଧୂଳି ଖେଳୁଥିବ । ଘନଶ୍ୟାମ ତାଙ୍କର ସାବତ ଦିଅର । ସେ ଯେତେବେଳେ ଏ ଘରକୁ ଆସିଲେ ଘନଶ୍ୟାମ ସେତେବେଳେ ଏଡ଼େ ଟିକିଏ । କୋଳେଇ କାଖେଇ ସିଏ ମଣିଷ କରିଥିଲେ ଘନଶ୍ୟାମଙ୍କୁ । ଶାଶୁ ମଲାବେଳେ ତାରି ହାତରେ ଦେଇଯାଇଥିଲେ ବାରବର୍ଷର ଘନଶ୍ୟାମଙ୍କୁ । ପୁଅଠୁ ଅଧିକ କରି ତାକୁ ବଢ଼ାଇଥିଲେ ସରୋଜିନୀ-। ଦିନେ କୋଳକୁ ତାଙ୍କର ଆସିଲା ମାଧବୀ । ସେତେବେଳେ ଘନଶ୍ୟାମ ଚଉଦବର୍ଷର-। ମାଧବୀକୁ ଛାତିରେ ଜାକି ସେଦିନ କିଶୋର ଘନଶ୍ୟାମ କହିଥିଲେ—ମୁଁ ଗୋଟେ ବଢ଼ିଆ ଖେଳନା ପାଇଗଲି ଭାଉଜ ! ଦେଖୁଛ, ଦେଖ କିମିତି ହସୁଛି ଏଇ ଟିକି କଣ୍ଢେଇଟା ।

ଚୋରା ହସ ହସି, ମୁହଁଛାଟି ସରୋଜିନୀ ସେଦିନ କହିଥିଲେ—ତୁଇ ଦେଖୁଥା ବସି । ମତେ ବେଳ କାଇଁ ? ନାଚି ନାଚି ସିଆଡ଼ୁ ଆସି ଏଇନେ ସ୍କୁଲଯିବା ପାଇଁ ଭାତ ମାଗିବୁ ।

ମାଟ୍ରିକ ପାସକରି ଘନ ମାଷ୍ଟ୍ର ହେଲେ । ବାହାଘର କଥା କହିଲାରୁ ମୁହଁମୋଡ଼ି କହିଲେ–ମତେ ବାହାଦେବା କଥା କହିଲେ ସଫା ଚାଲିଯିବି ଘର ଛାଡ଼ି । ଜାଣନିତ ଭାଉଜ ସେଇ ପରଘରୀ ଝିଅଗୁଡ଼ାକଙ୍କ କଥା । କ୍ଷଣକେ ଓଲଟପାଲଟ କରିଦେବେ ଜୀବନଟାକୁ । ମାଧବୀ ବାହାହୋଇ ସାରି ଚାଲିଗଲେ ତା’ପରେ ଯାଇ ମୁଁ ବାହାହେବି—ତା ଆଗରୁ ନୁହେଁ । ଯିଏ ଆସିବ ସେ ଯଦି ମାଧବୀକୁ ମୋର ଭଲନପାଏ ।

ମୁହଁ ମୋଡ଼ିଥିଲେ ସରୋଜିନୀ, କହିଥିଲେ—ଛୋପରା ।

ଯାହା କହନ୍ତୁ ସରୋଜିନୀ ବା ବଡ଼ଭାଇ ରାଧାଶ୍ୟାମ, ଜିଦ୍‌ ରହିଥିଲା କିନ୍ତୁ ଘନଶ୍ୟାମଙ୍କର । ମାଧବୀ ବାହାହୋଇ ଚାଲିଯିବାର ଦୁଇବର୍ଷପରେ ବାହାହୋଇଥିଲେ ଘନଶ୍ୟାମ; ହେଲେ ଆଶ୍ଚର୍ଯ୍ୟ ଏକାଠି ଥିଲେ ବି କେମିତି ବଦଳିଯାଇଥିଲେ ସିଏ । ଯେକୌଣସି କଥା କରିବାକୁ ତାଙ୍କୁ ପଚାରିଲେ କହନ୍ତି—ଆଚ୍ଛା ହଉ, ପରେ କହିବି ।

ଏଇ ‘ପରେ କହିବି’ର ଅର୍ଥ ବୁଝିଥିଲେ ସରୋଜିନୀ, ପରେ କହିବି—ମାନେ ଲଳିତାକୁ ପଚାରି ଯାହାହଉ ଠିକ୍‌ କରିବେ ସିଏ । ମନରେ ଅନେକ ଦୁଃଖପାଇଲେ ବି ସ୍ୱାମୀଙ୍କୁ କିଛି କହନ୍ତିନି ସିଏ । କଣ ହବ ଏସବୁ କହି ? ପୁଅପରି କେତେ ଆଶାକରି ପଢ଼ାଇ ଶୁଣାଇ ମଣିଷ କରିଥିଲେ । ସେ ଆଜି ବଦଳିଯାଇଛି, ଏଇକଥା କହିବେ ସ୍ୱାମୀ ଆଗରେ ? ଯେଉଁ ମଣିଷଟି ଝିଅକୁ ବଡ଼ଘରେ ଦେଇ ବି ହନ୍ତସନ୍ତ ହେଲେ, ତାଙ୍କୁ ଆହୁରି ଇଆଡ଼ୁ ସିଆଡ଼ୁ କହି ସନ୍ତାଇବାରେ କି ଦରକାର ଅଛି ?

‘‘ମାଧବୀ ଘରକୁ ଭାର ଯିବ ଶ୍ୟାମ........’’ ରୋଷେଇଘର ଭିତରୁ ଆଖିରେ ଥଣ୍ଡାନିଆଁ ଜାଳି ଲଳିତା ଚାହେଁ ଘନଶ୍ୟାମଙ୍କ ମୁହଁକୁ । ଘନଶ୍ୟାମ ଚଞ୍ଚଳ ପାଦରେ ଘରେ ପଶି ଯାଉଯାଉ କହନ୍ତି—‘‘ହଁ, ଯିବାର କଥା ତ....... । ବ୍ୟାସ୍‌ ସେତିକି, ସରିଗଲା ତାଙ୍କର କର୍ତ୍ତବ୍ୟ । ମନମାରି ଏଆଡ଼ୁ ସେଆଡ଼ୁକରି ସବୁ ନିଜେ ଯୋଗାଡ଼ କରନ୍ତି, ନିଜେ ସଜାଡ଼ନ୍ତି । ସଜଡ଼ାସଜଡ଼ି ବେଳକୁ ଲଳିତା ଆସି ପାଖରେ ଠିଆହୁଏ । ମସୃଣ ଗଳାରେ କହେ–‘‘ଦିଅମ, କେତେ ଆଉ ଏକା ଏକା କରିବ । ମୁଁ ସଜାଡ଼ିଦିଏ ।’’

 

ବାଧା ଦିଅନ୍ତିନି ସରୋଜିନୀ—ଘୁଞ୍ଚି ବସନ୍ତି । ହେଲେ ଗଳାଠେଲି—ବାହାରିଆସେ କୋହ । ସେଇ କୋହକୁ କିନ୍ତୁ ମୁହୂର୍ତ୍ତକେ ଗିଳିପକାନ୍ତି ସରୋଜିନୀ । ସବୁ ସଜାଡ଼ୁ ସଜାଡ଼ୁ କାକରଭିଜା ଗଳାରେ ଲଳିତା ପଚାରେ—କାହାଠୁ ଟଙ୍କା ଆଣିଲ ଯାଇ ? ଇଏ ତ ଆମର ଏମିତି କରିତ୍‌କର୍ମା ମଣିଷଟିଏ ଯେ କହିବାର ନୁହେଁ । ତେଲଲୁଣ ଲୁଗାପଟା କରୁ କରୁ କୁଆଡ଼େ ଯେ ସାରିଦେଉଛନ୍ତି ଦରମାର ପଞ୍ଚାଅଶୀଟା ଟଙ୍କା, ତାର ଆଉ ହିସାବ ମିଳୁନି । ଆଉ ତା ବି କହେ, ଇଆ ବି କହେ । ଯୁଗ ତ ମହରଗର । ଏ ହାତକୁ ଆଇଁଲେ ସେ ହାତକୁ ନାହିଁ । ଆଉ କହିବ କଣ, ହେଲେ ଟଙ୍କା କିଏ ଦେଲା ମ ?

 

ହଁ, ଏକଥା ସତ, ବାରିଘରେ ଯେଉଁ ମୂଲିଆ ଲାଗୁଛନ୍ତି ତାର ମଜୁରି, ଲୁଣ, ତେଲ, ପରିବା ଏସବୁ କରନ୍ତି ଶ୍ୟାମ । ହେଲେ ତାର ହିସାବ କଣ ସରୋଜିନୀ ରଖିନାହାନ୍ତି ? ରଖିଛନ୍ତି । ସେ ସବୁ ମିଶିଯାଏ ଷାଠିଏ ଟଙ୍କା–ଆଉ ଲୁଗାପଟା, ସେକଣ ସବୁ ମାସରେ କିଣାହେଉଛି ? ହେଉନି ତ । ବାକିରହିଲାଣି ପଚିଶ ଟଙ୍କା । ତା’ଉପରେ ଦୁଇବେଳାର ଟିଉସନ୍‌ ଟଙ୍କା ଅଛି ତିରିଶ କରି । ପଞ୍ଚାବନ ଟଙ୍କା ଲଳିତାପାଇଁ ସାବୁନ, ସ୍ନୋ, ପାଉଡ଼ରରେ ମାସକୁ—ଆଉ ପାଞ୍ଚଟଙ୍କା ଗଲେବି ବାକିରହିଲାଣି ପଚାଶ ଟଙ୍କା । ଆଉ ଏବକୁ ଲଳିତା ଆସିବାର ବର୍ଷକ ପରଠୁ ମାଧବୀ ଘରପାଇଁ ଭାରଥୋର କଥା ପଡ଼ିଲେ ଶ୍ୟାମ ଯାଇ କବାଟ କୋଣରେ ଲୁଚନ୍ତି । ହଉ, ଲୁଚ.....

 

ଭାବନା ଅଟକିଯାଏ ସରୋଜିନୀଙ୍କର । ପ୍ରଶ୍ନ ଭୁଲେନି ଲଳିତା । ପୁଣି ସରୁକରିର ପଚାରେ କାହାଠୁ ଆଣିଲ ମ ଟଙ୍କା ? କେତେ ସୁଧରେ ଆଣିଲ ? ଦ୍ୱିତୀୟାଓଷା ଭାର ବି ତ ଯାଇଥିଲା, ସେ ଉଧାର ଟଙ୍କାରେ । କେତେଗୁଡ଼ାଏ ଟଙ୍କା ତ ଆମ ଉପରେ ହେବଣି ?

 

ଆଉ ଉପରେ ! ଛାତି ଭିତରେ ହସନ୍ତି ସରୋଜିନୀତ । ସିଧା ଚାହାଁନ୍ତି ଚମ୍ପାଫୁଲିଆ ରଙ୍ଗର ଲଳିତା ମୁହଁକୁ । ସତରେ ଭାରି ସୁନ୍ଦର ଦେଖିବାକୁ ଲଳିତା । ତେର ବୟସରେ ବାହାହୋଇଛନ୍ତି ଘନଶ୍ୟାମ । ସେଥିରେ ପୁଣି ମନଲାଖି ଭାରିଯା । ଘରେ ଯେତିକି ବେଳ ରହନ୍ତି, ରହନ୍ତି ତା’ରି ପଣତ ତଳେ । ଉଠନ୍ତି ବସନ୍ତି ତାରି କଥାରେ । ଏମିତି ହୁଏ—କହିବାର କିଛି ନାହିଁ, ତଳକୁ ଆଖି ନୁଆଇଁଲେ ସରୋଜିନୀ ।

 

ରହି ରହି କହିଲେ–ଶୁଭବୋଉଠୁ ଯାଇ ପରା ଟଙ୍କା ଆଣିଲି ! ଆର ଥରକ ଆଉ ଏଥରକ ମିଶି ତାର ଶହେଟଙ୍କା ହେଲା ମୋ ଉପରେ । ସୁଧ ସିଏ ନବନି, କହିଲା—ମଲା, ମାମୁଘରକୁ ଭାର ଯିବ–ସେଥିରେ ତତେ ଉଧାର କରିବାକୁ ପଡ଼ୁଛି—ଆହୁରି ସୁଧ ଦବ ? ନାହିଁ—ଦର୍କାର ନାହିଁ—ଯେତେବେଳେ ତୋର ସୁବିଧା ସେତେବେଳେ ଆସି ମତେ ଟଙ୍କାଦେବୁ ।

 

କଥା ସାରି ପୁଣି କାମରେ ମନଦେଲେ ସରୋଜିନୀ । ହେଲେ ସେଇ କଥାରେ କଣ ମନ ମାନିବା କଥା ? ଲଳିତା ଲହରେଇ ପୁଣି ପଚାରନ୍ତି—ସୁଧ ସିନା ନେବେନାହିଁ; ମୂଳତ ନେବେ ? ଦବା କୋଉଠୁ ?

 

ଦାନ୍ତରେ ଦାନ୍ତ ଚାପନ୍ତି ସରୋଜିନୀ, ପୁଣି ମୁହୂର୍ତ୍ତକେ ସମ୍ଭାଳି ନିଅନ୍ତି । ଆନମନା ଗଳାରେ କହନ୍ତି—ବର୍ଷକୁ ଆମର ପାଞ୍ଚ ସାତଶ ଟଙ୍କାର ଯେଉଁ ମାଛ ବିକାହୁଏ ସେତିକି ତ ମୋର ବଳ ଲୋ ମା’—ଆଉ କେଉଁଠୁ ଦେବି ?

 

ଆଖି ଦୁଇଟା ଚିରିହୋଇଯାଏ ଲଳିତାର । ଅଦ୍‌ଭୁତ ଗଳାରେ କହେ ମାଛବିକା ଟଙ୍କା !

 

ଚିଡ଼ି ଉଠନ୍ତି ସରୋଜିନୀ—ତା ବୋଲି କହନ୍ତିନି ଯେ—ମଲା, ମୋର କଣ ଭାଗ ନାହିଁକି ସେ ଟଙ୍କାରେ ? ନା, ତାହା କହନ୍ତିନି । କହନ୍ତି–ମଲା ଆଉ କୁଆଡ଼େ ଯାଇ ଚୋରୀ କରିବି କି ?

 

ସ୍ୱର ବଦଳାଏ ଲଳିତା, ଗେହ୍ଲାଳିଆ କଣ୍ଠରେ କହେ—ନାହିଁ ଯେ, ମଣିପୁରୀ ହାରଟେ ପିନ୍ଧିବାକୁ ମୋର ବହୁତ ଦିନରୁ ମନ, କାଳିଆବୋଉ ଖୁଡ଼ୀଙ୍କ ବେକରେ ଯୋଉ ହାର ନାହିଁ—ଠିକ୍‌ ସେମିତି । ଏଙ୍କର ତ ଯୋଉ ପଇସା—ମଣିଷର କୋଉ ମନ ରହିବନି ଏ ଘରେ । ଦୁନିଆଁ ମାଇପେ ରୋଲେକ୍‌ସ ଶାଢ଼ି ପିନ୍ଧିଲେ, ଆଉ ମୋରି କପାଳକୁ ନହେଲା ଖଣ୍ଡେ, ଛାର ଖଣ୍ଡେ ଲୁଗା ଯେତେବେଳେ ନହୋଇ ପାରିଲା ସେତେବେଳେ ସେ କଣ ଆଉ ହାରଟେ କରିଦେବେ ? ତୁଚ୍ଛାକଥା, ସେଇ ମାଛବିକା ଟଙ୍କାକୁ....

 

ଗଳାଟା ଧରିଆସିଲା ଲଳିତାର । କଥା ସାରିଲା ସିଏ । ଘନଶ୍ୟାମ ପରି ସରୋଜିନୀ କଣ କଥାଗୁଡ଼ାକ ନ ଶୁଣିବାର ବାହାନା କରି ଉଠି ଚାଲିଯିବ ସେଠୁ !! ନା, ନା, ତା କେମିତି ହେବ-! ସେ ଯେ ବଡ଼ । ସେ ଯେ ବହୁତ ମନ କରି ଲଳିତାକୁ ଆଣିଥିଲେ ବୋହୂକରି । ସେ ଶାଶୁ ସମାନ-। ମାଧବୀ ପାଇଁ ଆଣିଥିବ । ରୋଲେକ୍‌ସ ଶାଢ଼ି ଉପରେ ଆଖିରଖି ବସି ରହିଛି ଲଳିତା-। ଘୃଣା ଓ ମମତା ମିଶି ଅଦ୍‌ଭୁତ ଗୋଟାଏ ଭାବ ଜାତ ହେଲା ସରୋଜିନୀଙ୍କ ମନରେ । କହିଲେ–ଏ ବର୍ଷ ଯେତେ ମାଛ ହୋଇଛି ହଜାରେରୁ ଊଣା ବିକାହେବନି । ମୁଁ ତ ଶୁଝିବି ମାତ୍ର ଶହେଟା ଟଙ୍କା–ବାକିଟା ତୁ ନେଇ କରୁନୁ ହାର !

 

କଥା ସାରି ଗୋଟାଏ ତିକ୍ତ ମନନେଇ ସେଠୁ ଚାଲିଗଲେ ସରୋଜିନୀ । ଏଇମିତି ଏମାନେ—ଏଇ ଘନଶ୍ୟାମ ଆଉ ଲଳିତା । ଗୋଟିଏ ଗୋଟିଏ କରି ଦେହରେ ଦିହେ ଗହଣା କଲାଣି ଲଳିତା । ଖଣ୍ଡକ ଜାଗାରେ ଦଶଖଣ୍ଡ ରୋଲେକ୍‌ସ ପିନ୍ଧିଲାଣି ସିଏ, ହେଲେ କାହିଁରେ ତାର ଶାନ୍ତି ନାହିଁ । ବୁଢ଼ାବୁଢ଼ୀ ଯୋଡ଼େ, ସେମାନେ ପେଟକୁ ମୁଠାଏ ଖାଉଛନ୍ତି, ଆଉ ପାଞ୍ଚଟଙ୍କିଆ ଖଣ୍ଡେ ପିନ୍ଧୁଛନ୍ତି ଏତିକି ! ଆଉ ସେମାନେ ଜମେଇଚାଲିଛନ୍ତି ହାତପାଣ୍ଠି; ତା ପରେ.......

 

ତା’ପରେ ସିଏ ଗଲେଣି ଆଜକୁ ତିନିବର୍ଷଧରି । ଏକା ଥିଲେ ସିଏ; କେତେ ଖାଆନ୍ତି ? କେତେ ଲଗାନ୍ତି ? କେତେ ସରେ ତାଙ୍କ ପାଇଁ ? ସବୁ ତ ଖାଉଛ ତମେ, ତମର ବି ଡେରିରେ ପିଲା ହେଲା । ସେଇ ପିଲା ହେଇଛି ବର୍ଷକରେ, କି ଖର୍ଚ୍ଚଟା ଥିଲା ଏ ଘରେ ? ସବୁ ସାଇତି ରଖିଛ-

 

ଆଖିରେ ପାଣି ଚାଲିଆସିଲା ସରୋଜିନୀଙ୍କର । ପୁଣି ଝାଟେଇବାରେ ମନଦେଲେ ସିଏ ।

 

ମାଧବୀର ଏମିତିଭାବରେ ଆସିବା ଦେଖି ମନରେ ଡରିଯାଇଛି ଲଳିତା, ମୁହଁକୁ ହାଣ୍ଡିକରି ବୁଲୁଛି । ମଲାରେ, ସତେ କଣ ମାଧୁ ମୋର ଏଇଠି ରହିଯିବ ସବୁଦିନ ପାଇଁ ? ନାହିଁ, ଦେଖ ତ ଏଙ୍କର ବହପକୁ ! ଖାଇ ଖାଇ ମୁହାଁହୋଇଗଲେଣି ଏମାନେ ।

 

କାମ ସାରି ପୋଖରୀକୁ ଗାଧୋଇଗଲେ ସରୋଜିନୀ । ସେଇ ପୋଖରୀହୁଡ଼ାର ଜାମୁଗଛ ତଳେ ବସି ଟିକି ଭାଇକୁ ଖେଳାଉଛି ମାଧବୀ, ହାତରେ ତାର ଦରଖଣ୍ଡିଆ ଗୋଟିଏ ପିଜୁଳି । ତା ଆଡ଼େ ସ୍ନେହଝରା ଆଖିରେ ଚାହିଁ ସରୋଜିନୀ ପଚାରିଲେ–ଏତେ ସକାଳୁ ଗୋଟେ ପିଜୁଳି କେଉଠୁ ପାଇଲୁ କିଲୋ ?

 

ମୁକ୍ତାଝରା ହସ ହସି ମାଧବୀ କହିଲା—ମଲା, ଏଇଟା ଆମ ବାଡ଼ି ପିଜୁଳି ପରା । ଦେଖିଲୁ କେମିତି ପାଚିଛି ? ଏକଦମ୍‌ ଯାଇ ଅଗରେ ଝୁଲୁଥିଲା ।

 

—ଅଗରେ ଝୁଲୁଥିଲା !! ଆଉ ତୁ ଆଣିଲୁ କେମିତି ?

 

ମାଧବୀ ନିଶ୍ଚିନ୍ତ ଗଳାରେ କହିଲା—କାହିଁକି ? ଗଛରେ ଚଢ଼ି ତୋଳି ଆଣିଲି । ତୁ କଣ ଭାବିଛୁ–ମୁଁ ଗଛଚଢ଼ା ଭୁଲିଯାଇଛି ? ମୋଟେ ନୁହେଁ ।

 

କଥା ସାରି ଆଖିରେ ଆନନ୍ଦର ଆବେଗ ଭରି ପୁଣି ପିଜୁଳି ଖାଇବାରେ ମନଦେଲା ମାଧବୀ । ଦୁନିଆର ଆନନ୍ଦ, ଦୁନିଆର ତୃପ୍ତି, ସବୁ ଆସି ଠୁଳ ହୋଇଛି ମାଧବୀର ପ୍ରତିଟି ଅଙ୍ଗପ୍ରତ୍ୟଙ୍ଗରେ । ଉଜ୍ଜ୍ୱଳ ଦିଶୁଛି ତାର ମୁହଁଟି । ବନ୍ଧ ଉପରେ ବସି ପାଦ ଦୁଇଟି ଝୁଲାଇ ଦେଇଛି ତଳ ଆଡ଼କୁ । ହାଡ଼ୁଆ ହେଲେ ବି ଗୋରା ଗୋରା ପାଦ ଦୁଇଟି ଆଗପଛ ହୋଇ ଝୁଲିଲାଗିଛନ୍ତି ପରମ ଆନନ୍ଦରେ ।

 

ପଣତକାନିରେ ଗୋଡ଼ ଘଷୁ ଘଷୁ ସରୋଜିନୀ ଭ୍ରୂକୁଞ୍ଚିତ କରି ଚାହିଁ ଦେଖୁଥିଲେ—ଝିଅ ଭିତରର ନିର୍ବୋଧ ନିଶ୍ଚିନ୍ତତାକୁ । ଏକ ବିମୂଢ଼ ସ୍ତବ୍‌ଧତାରେ ପଥର ପାଲଟିଯାଉଥିଲା ତାଙ୍କର ଛାତି ତଳର କଲିଜାଟା । ଘର, ବର–କାହାରି ପ୍ରତି କଣ ଏତେ ଟିକିଏ ବି ମାୟା ନାହିଁ ମାଧବୀ ମନରେ-! କେମିତି ନାହିଁ ! କାହିଁକି ନାହିଁ ! ଆଠବର୍ଷ ଘରକଲାପରେ, ତିନୋଟି ଛୁଆର ମା’ ହେଲା ପରେ ଚବିଶ ବର୍ଷର ମାଧବୀ । ପିଜୁଳି ଖାଉଛି, ଗଛରେ ଚଢ଼ୁଛି, ଗୋଡ଼ ଝୁଲାଉଛି—ଠିକ୍‌ ଯେମିତି ଚଉଦ ବର୍ଷର ଝିଅ !! ଢଙ୍ଗ–ଢାଙ୍ଗରେ ପ୍ରକାଶପାଉଛି କୁମାରୀ କନ୍ୟାର ନିର୍ମଳ ଆନନ୍ଦ, ହଜେଇବାର ଏତେ ଟିକିଏ ବ୍ୟଥା କଣ ସ୍ପର୍ଶ କରୁନି ମାଧବୀ ମନକୁ ! ଉଃ, କି ନିଶ୍ଚିନ୍ତରେ କାଲି ଶୋଇଲା ଝିଅଟା ! କେମିତି ଶୋଇପାରିଲା !! ଅଥଚ ହେଇ ସେଦିନର କଥା—ହଁ, ତାଙ୍କର ବୋହୂକାଳର କଥା ହେଲେ ବି ଲାଗୁଛି ସେଦିନର ପରି । ମାମୁ–ଶଶୁରଙ୍କ ଝିଅ ବାହାଘରକୁ ଏକା ଏକା ଚାଲିଗଲେ ଚାରୋଟି ଦିନପାଇଁ । ଶାଶୁ ବଞ୍ଚିଥିଲେ । ଗଲେ ତାଙ୍କରି ଇଚ୍ଛାରେ । ଉଃ, ଅସହ୍ୟ ଲାଗିଛି ତାଙ୍କ ସେଇଦିନ ଚାରୋଟି । ରାତିପରେ ରାତି ତିନିରାତି କର ଲେଉଟାଇ ଲେଉଟାଇ ସେଇମିତି ଉଜାଗର କଟାଇଦେଇଥିଲେ ସିଏ । ଅଥଚ..........

 

ଭାବନା ଶେଷରେ ଅକାରଣରେ ରକ୍ତ ଉକୁଟି ଆସିଲା ତାଙ୍କର ସାରା ମୁହଁରେ । ମଥା ନୁଆଁଇ ମନ ଭୁଲାଇଲେ । କେଇଟି ମୁହୂର୍ତ୍ତପରେ ପୁଣି ଅଶାନ୍ତି ହେଇଉଠିଲା ତାଙ୍କର ମନଭିତରଟା-। ଆଖିଟେକି ଚାହିଁଲେ ମାଧବୀର ମୁହଁକୁ । ସେତେବେଳକୁ ଗୋଟାଏ ସୁନା ରଙ୍ଗର ପ୍ରଜାପତିକୁ ହାତରେ ଧରି ବର୍ଷକର ଭାଇକୁ ଦେଖାଉଛି ମାଧବୀ । ପବନରେ ଉଡ଼ୁଛି ତାମଥାର ଛିଣ୍ଡା ଛିଣ୍ଡା ବାଳ । ସେଇ ବାଳରେ ଅଧେ ଢାଙ୍କି ହେଇଯାଇଛି ମାଧବୀର ଗାଲ ଆଉ କପାଳ । ପ୍ରଜାପତିଟାକୁ ଦେଖି ତାଳି ବଜାଇ କୁରୁଳୁଛି ବାବୁଲି । ତାରି ସାଥିରେ ତାଳ ମିଳାଇ ଆହୁରି କୁରୁଳୁଛି ମାଧବୀ ।

 

କାହିଁକି କେଜାଣି ଜଳିଉଠିଲା ସରୋଜିନୀଙ୍କର ସାରା ମନଟା । ପିତା ଲାଗିଲା ତଣ୍ଟି ପାଖଟା, ଢୋକଗିଳି ବିକୃତଗଳାରେ ସିଏ ଡାକି ଉଠିଲା—ହେ ମାଧୁ.......

 

ଗୋଟାଏ ଶ୍ରୁତିକଟୁ ଡାକରେ ଚମକିଉଠିଲା ମାଧବୀ । ଚାହିଁଲା ତା ବୋଉ ମୁହଁକୁ । ଧୀରେ ଧୀରେ ବିରକ୍ତିରେ କୁଞ୍ଚିତ ହୋଇଆସିଲା ତାର ମୁହଁର ଚମଡ଼ା । କି ସୁନ୍ଦର ଗୋଟାଏ ଆନନ୍ଦମୟ ପରିବେଶକୁ ନଷ୍ଟ କରିଦେଲା ବୋଉ ! କି ସୁନ୍ଦର ତାଳିମାରି ହସୁଥିଲା ବାବୁଲି । ଦେଖ ତ—ସିଏ ବି ସେଇ ବିଚିକିଟିଆ ଶବ୍ଦରେ କେମିତି ଘାବରେଇ ଯାଇଅଛି ! ମଲା ମୋର ଏଇଟା ! ମାଧବୀ ଭାଇକୁ ଛାତିରେ ଜାକି ରୋଷକଷାୟିତ ଆଖିମେଲି ଚାହିଁଲା ବୋଉର ମୁହଁକୁ । ରଣଝଣିଆ ଗଳାରେ ପଚାରିଲା–କଣ କିଲୋ ? କାହିଁକି ଡାକିଲୁ ମ ? କଣ କହୁଚୁ ?

 

ଝିଅର ରାଗ ଦେଖି ଦବିଗଲେ ସରୋଜିନୀ । କାନ୍ଦୁରା ହସ ହସି ନରମ ଗଳାରେ କହିଲେ—ନାଇଁମ କିଛି ନାହିଁ ଯେ—ଏଇ, ଇଆ ହେଲା—କହୁଥିଲି କି ଶାଶୁଘର ପାଇଁ ମନଟା ତୋର ବହୁତ ଗୋଳେଇଘାଣ୍ଟି ହେଉଥିବ—ନାଲୋ ମା ?

 

ଆଖି ଦୁଇଟା ଢେବା ଢେବା ହୋଇଗଲା ମାଧବୀର । ସେଇ ଆଖିରେ ଦୁନିଆର ବିସ୍ମୟ ଭରି ମାଧବୀ କ୍ଷଣେ ଚାହିଁଲା ତା ବୋଉର ବୋକା ମୁହଁଟାକୁ । ହାଡ଼ରେ ନିଆଁ ଲାଗିଗଲା ମାଧବୀର । ତାତିଲା ଗଳାରେ କହିଲା–ଏଇ ଗୋଟାଏ ଅମୂଲ୍ୟ କଥା ପଚାରିବା ପାଇଁ ଏଡ଼େ ବଡ଼ ଚିରିଚିରା ଛାଡ଼ି ଡାକପକାଉଥିଲୁ ତୁ ? ହୁଃ, କାମ ତ କିଛି ନାହିଁ । ଖୁଡ଼ୀ ରାନ୍ଧିଦେଉଛି, ଇଏ ଗୋଡ଼ ଲମ୍ୱେଇ ମାରିଦଉଛି ଭୋଜନ । ସେତକ ପୁଣି ଝଡ଼େ କେମିତି ! ଇଆଡ଼ୁ ସିଆଡ଼ୁ ଗୁଡ଼େ ନ ଗପିଲେ, ହୁଃ, ପଚାରିବାକୁ ଆଉ କଥା ପାଇଲାନି !

 

ଗୋଡ଼ କଚାଡ଼ି କଚାଡ଼ି ବନ୍ଧ ଉପରୁ ଚାଲିଯାଉଥିଲା ମାଧବୀ । ତା କଥାରେ ଟିକିଏ ବି ଦୁଃଖ କଲେନି ସରୋଜିନୀ । ଓଲଟି ଗଳାରେ ଅନୁନୟ ଭରି କହିଉଠିଲେ ହେ, ହେ, ହେ ମାଧୁ, ହେଇଟି ତୋ ଖୁଡ଼ୀ ରାଣ, କକା ରାଣ, ମତେ କହିଯା ଶାଶୁଘର ପାଇଁ ତୋ ମନ ଘାଣ୍ଟି ହେଉଛି କି ନାହିଁ ?

 

ନାଗୁଣୀ ପରି ଫାଇଁକିନା ବୁଲିପଡ଼ିଲା ମାଧବୀ । ସ୍ଥିର ଆଖିମେଲି ଚାହିଁଲା ବୋଉର ଆଶାଭରା ପ୍ରଶ୍ନାକୁଳ କରୁଣ ମାୟାଭରା ମୁହଁଟିକି । ସେଇ ମୁହଁ ଦେଖି ତା ମନରେ ମାୟା ଜାତହୋଇଥିଲା କିନା ସେ କଥା ସେଇ ଜାଣେ । ହେଲେ ମୁହୂର୍ତ୍ତ କେତୋଟି ପରେ କର୍କଶ ଗଳାରେ ଉତ୍ତରଦେଲା ସେ—ନା....... ଆଁ....... ଆଁ........

 

ତାପରେ ଦୁମ୍‌ଦାମ୍‌ ପାଦ ପକାଇ ସେଠୁ ଅନ୍ତର୍ଦ୍ଧାନ ହୋଇଯାଇଥିଲା ଥିଲା ମାଧବୀ । ଅଭ୍ରଖଣ୍ଡ ପରି ଗୁଣ୍ଡ ଗୁଣ୍ଡ ହୋଇ ଭାଙ୍ଗିପଡ଼ିଲା ସରୋଜିନୀଙ୍କର ମନର ଆଶାର ମିନାରଟି । ଆଖି ନୁଆଇଁ ପାଣିରେ ଗାର କାଟିଲେ ସିଏ । ସରୋଜିନୀଙ୍କର ଦୁଇ ଆଖିରୁ ଝରିଆସିଲା ଦୁଇଧାର ତପ୍ତ ଅଶ୍ରୁ ।

 

‘‘ହେ ସରନାନୀ, ଆଲୋ ପୋଖରୀ ତୁଠରେ ବସି ଏମିତି ଲୁହ ଗଡ଼ାଇବା ଭାରି ଅମଙ୍ଗଳ ମ—ଜାଣିନୁ ଏକଥା !’’

 

ଅଶ୍ରୁଭରା ଆଖିମେଲି ସରୋଜିନୀ ଚାହିଁଲେ କଡ଼କୁ । ପଥରରେ ଗୋଡ଼ ଘଷୁଛି ଉମାବୋଉ । ଚଟ୍‌କରି ଦୁଇ ଆଖିରୁ ଲୁହ ପୋଛିନେଲେ ସରୋଜିନୀ । ମନେ ମନେ କହିଲେ–ମଲା ମୋର, ଏଇଟା କୋଉଠି ଥିଲା ମ ? ଇଏ କାହିଁକି ଜାଣିବ ତାଙ୍କ ଲୁହକଥା—ତାଙ୍କ ଭଲମନ୍ଦ କଥା । ବଡ଼ପୁଅ ପିଳେହୀପେଟା ସନିଆ ପାଇଁ ଦିନେ କେତେ ନେହୁରା ହୋଇ ମାଗିଥିଲା ମାଧବୀକୁ । ସେଦିନ ବଙ୍କେଇ ହସିଥିଲେ ସିଏ । କୋଣେଇ ଚାହିଁଥିଲେ, ଗୋଟିଏ ଚାଉଳରେ ଗଢ଼ା ଅଳତା ରଙ୍ଗର ମାଧବୀ ଆଡ଼କୁ । ମୁହଁମୋଡ଼ି କହିଥିଲେ–ମଲା, ଏମିତି ଗୋଟେ କଥା ପକେଇବାକୁ ମନ ତୋର ହେଲାଟି ଉମାବୋଉ !! ପୁଅ ତୋର ଜହ୍ନୀମଞ୍ଜି ପରି କାଳିଆ ହେଲା, କି ଦାନ୍ତୁରା ହେଲା ସେଥିପାଇଁ କହୁନି; ହେଲେ ପିଳେହୀଟା ତ ଚରିଗଲାଣି ତାର ପେଟ ଗୋଟାକ ଯାକ । ଘରଦ୍ୱାର ଜମିବାଡ଼ି ଢେର୍‌ ଅଛି ତୋର—ହେଲେ ସେଇଆକୁ କଣ ଝିଅ ମୋର ଘୋରି ପିଇବ, କହିଲୁ ?

 

ହେଲେ ଆଜି ଦେଖ ତ—ସେଇ କାଳିଆ, ଦାନ୍ତୁରା ସନିଆ ଆସି ଚାରି ପୁଅର ବାପ ହେଲାଣି । ଚନ୍ଦ୍ରଉଦିଆ ନହେଲେ ବି ବୋହୂ ଆଣିଲା ଉମାବୋଉ—ନାକରା ନୁହେଁ । ଆଉ ସିଏ । ତାଙ୍କ କପାଳକୁ ଓହ୍ଲାଇ ଆସିଥିଲା ଏକ ରାଜକୁମାର । ସ୍ୱପ୍ନରେ ବି ସେଇ କୁମାର କଥା ଭାବି ନଥିଲେ ସରୋଜିନୀ । ଆଖି ଆଗରେ ନା ନା ରୂପ ଧରି ଚକାଭଉଁରି ଖେଳୁଥିଲା ସେହି ଶୁଭେନ୍ଦୁ–ଶୁଭ । ଶୁଭବୋଉ ଓ ସେ ଏକା ଗାଁର ଝିଅ; ତେଣୁ ସଙ୍ଗାତ ବି । ହେଲେ ମାଧବୀକୁ ବୋହୂକରି ନେବାକୁ ମୁହଁ ମୋଡ଼ିଥିଲେ ସଙ୍ଗାତ ସୌଦାମିନୀ । ତାଙ୍କ ମୁହଁକୁ ବଙ୍କାକରି ମାଧବୀ ବୋହୂ ହୋଇ ଚୁଲିଯାଇଥିଲା ରଜାଘରକୁ । ତଳେ ପାଦ ପଡ଼ୁନଥିଲା ସରୋଜିନୀଙ୍କର । ସେଇ ପାଦ ଛୋଟା ହୋଇ ଯାଇଛି ଆଜି ।

 

ଆଖି ଟେକି ଆଉ ଥରେ ସିଏ ଚାହିଁଲେ ଉମାବୋଉକୁ । ଅକାରଣ ଦମ୍ଭରେ କେମିତି ଗୋଟାଏ ସିଧା ଦିଶୁଛି ଉମାବୋଉର ସାରାଦେହ । ଅଳ୍ପ କାଶି, ଗଳାକୁ ସହଜକରି ଲହରେଇ ଲହରେଇ ସରୋଜିନୀ କହିଲେ–କଣ କହିଲୁଟି ? ମୁଁ କାନ୍ଦୁଛି ବୋଲି କହିଲୁ ? ନାଇଲୋ, କାନ୍ଦିବି କାହିଁକି ମ–ମୋର କଣ ହେଇଛି କି ? ଆଲୋ ପୋକୁଟେ ଆସି କୁଆଡ଼ୁ ପଡ଼ିଲା ମୋ ଆଖିରେ ଯେ ଏତେବେଳଯାଏ ଗଲା ପୋଡ଼ୁଛି ।

 

ତାଙ୍କ ଆଡ଼ିକି ଟିକିଏ ଚାହିଁଦେଇ ବଙ୍କେଇ ହସିଲେ ଉମାବୋଉ । ଚୋବେଇ ଚୋବେଇ କହିଲେ–ଆଖିପୋଡ଼ା ତ ବନ୍ଦ ହୋଇଗଲାଣି କେତେବେଳୁ–କାହିଁକି ନା ଆଖିରୁ ଆଉ ଲୁହ ଗଡ଼ୁନି; ବରଂ କଣ ଭାବିଲାପାରି ଲାଗୁଥିଲା । କଣ ଭାବୁଥିଲୁ ? ସେଇ ମାଧୁକଥା ? ହଁ, ଭାବିବା କଥା ତ-! ଶୁଣିଲି ସବୁଦିନ ପାଇଁ କୁଆଡ଼େ ଚାଲିଆସିଛି । ସତରେ କଣ ସେ କଥା ସତ ? ବୁଝିଲୁ ଯେତିକିର ମଣିଷ ସେତିକିରେ ନରହିଲେ ସୁଖଶାନ୍ତି ହଜିଯାଏ । ବଡ଼ଘରିଆଙ୍କ ମନମର୍ଜ୍ଜି ପରା ଭିନ୍ନେ । ଦେଖୁନୁ ଆମ ଏଇ ଗାଁ ବଡ଼ଲୋକ ସାମନ୍ତଘର କଥା–ଶୁଭ ସାଥିରେ ମାଧବୀର ବାହାଘର ମନାକରିଦେଲେ । ଦଇବ ଦୁରୁଯୋଗକୁ ଉଡ଼ିଆସିଲେ ଗନ୍ଧର୍ବପୂତ; ହାତଧରି ଉଡ଼େଇ ନେଇଗଲେ ତମ ରୂପର ରାଣୀ ମାଧବୀକୁ । ଆଲୋ ଦେଖ ତ, ପୁଣି ଦିନ କେଇଟା ଯାଇନି, ଆଣି କଚାଡ଼ି ଦେଲେ ଭୂଇଁରେ–ଦେଖତ ଠାକୁରଙ୍କ ଦୟାରୁ ଝିଅଟା ଆମର ଉଡ଼ିଗଲା କେତେ ଉଚ୍ଚକୁ-

 

ସରୋଜିନୀ ଚାହିଁରହିଲେ ଉମାବୋଉ ମୁହଁକୁ । ସାରା ଦେହ–ମନରେ ତାଙ୍କର ଫୁଟିଯାଉଥିଲା ତା’ରି କଥାର ନାହୁଡ଼ । ତାଙ୍କୁ ବିଦ୍ରୂପ କରୁଛି ଉମାବୋଉ । ଧୀରେ ଧୀରେ ସ୍ୱଚ୍ଛ ହୋଇଆସିଲା ତାଙ୍କ ଆଖିର ଚାହାଣି ସେତେବେଳକୁ; କିନ୍ତୁ ତୁଠ ଛାଡ଼ି ଚାଲିଯାଇଥିଲା ଉମାବୋଉ-

 

ଉମାବୋଉ ଚାଲିଗଲାଣି ! ଆଚ୍ଛାକରି ତାକୁ ଦି’ପଦ ସିଏ ଶୁଣାଇ ଦେଇ ପାରିଲେନି ।

 

‘‘ଆଲୋ ହେଇଟି ତ ମାଧୁବୋଉ ।’’ —କେତୋଟି କଣ୍ଠର ଶବ୍ଦରେ ସରୋଜିନୀ ମୁହଁଟେକି ଚାହିଁଲେ ବନ୍ଧ ଉପରକୁ । କଥାକୁହାଳି ନରିବୋଉ ସାଥିରେ ଆସିଲେଣି ଆହୁରି ପାଞ୍ଚ–ଛଅ ଜଣ । ଚଞ୍ଚଳ ହାତରେ ଲୁଗା ଫଳକ ଚିପୁଡ଼ିବାରେ ମନଦେଲେ ସରୋଜିନୀ । ସରୋଜିନୀଙ୍କ ଚଞ୍ଚଳତାଠୁ ଆହୁରି ଚଞ୍ଚଳ କଣ୍ଠରେ ନରିଆବୋଉ ହସଗୋଳା କଣ୍ଠରେ ପଚାରିଲେ–ଆଲୋ ହେ ମାଧୁବୋଉ ମାଧୁ ପରା କୁଆଡ଼େ ଆଇଚି ? କାହା ସାଙ୍ଗରେ ଆଇଲା ମ ? ଜୋଇଁ ଆସିଥିଲେ କି-? ଦଶବର୍ଷ ଭିତରେ ଦେଖିଲୁ ନୂଆ କଥାଟିଏ । ପୁଣ୍ୟ ନାହିଁ ପରବ ନାହିଁ, ମାଧବୀ ଆଇଛି ତୁଚ୍ଛା ଦିନଟାରେ । ରହିବ ଏଇନେ କେତେଦିନ, ନାଇଁ ? ଆଲୋ କେତେଦିନ ରହିବ ମ ?

 

ଉଃ, କେତେ ପ୍ରଶ୍ନ ! ଓଠରେ କ୍ଷୀଣ ହସଗାରେଟାଣି କ୍ଲାନ୍ତିଜଡ଼ା କଣ୍ଠରେ ସରୋଜିନୀ ସେଇ ଶେଷ ପ୍ରଶ୍ନର ଉତ୍ତର ଦେଇ କହିଲେ–ଏଇ ପିଲାଟା ନଷ୍ଟ ହୋଇଗଲା ପରେ ମାଧୁ ମୋର ଭାଙ୍ଗି ଗୁଣ୍ଡ ହୋଇଯାଇଛି । ରଖିବି ତାକୁ ଏଇନେ କିଛିଦିନ ।

 

କଥାସାରି ଚଞ୍ଚଳପାଦରେ ବନ୍ଧ ଉପରକୁ ଉଠିଗଲେ ସରୋଜିନୀ । ନରିଆବୋଉ ମୁଡ଼ୁକି ହସ ଆଖିମିଟିକା ମାରି ପଚାରିଲେ—ଆଉ, କହିଲୁନି ତ ଆସିଲା କାହା ସାଥିରେ ?

 

ନଶୁଣିପାରିବାର ବାହାନା କରି ବନ୍ଧ ତଳକୁ ଗଡ଼ିଗଲେ ସରୋଜିନୀ । କାନରେ ତାଙ୍କର ବାଜିଲା ମିଳିତ କଣ୍ଠର ହାସ୍ୟରୋଳ । ଛାତିରେ କୋହ ଜମିଆସିଲା ସରୋଜିନୀଙ୍କର । ପାଦ ଘୋଷାରି ଘୋଷାରି ଆଗେଇଗଲେ ସେ । ତଣ୍ଟି ତାଙ୍କର ଅଠା ଅଠା ହୋଇଯାଉଛି । କଲିଜାଟା ଫାଟିଗଲା ପରି ଲାଗୁଛି । ଘରେ ପହଞ୍ଚି ଦୁର୍ବଳ ହାତରେ ଅଲଣାରୁ ଲୁଗାଟା ଟାଣିଆଣି ପାଲଟିଲେ-

 

ପଖାଳ କଂସାଏ ଆଉ ଶାଗଭଜା ଆଣି ପିଣ୍ଡାରେ ରଖିଲା ଲଳିତା । ଖାଇବାକୁ ଇଚ୍ଛା ନାହିଁ । ଦୁଆରବନ୍ଧଟା ଧରି ଠିଆହେଲେ । ଆଖି ପଡ଼ିଲା ଅଗଣାରେ ଥିବା ଅମୃତଭଣ୍ଡା ଗଛ ତଳକୁ-। ବଡ଼ ଗୋଟାଏ କଙ୍କଡ଼ା ଗୋଡ଼ରେ ଦୌଡ଼ି ବାନ୍ଧି ସାନଭାଇ ସହିତ ଖେଳୁଛି ମାଧବୀ-

 

ମାଧବୀ ଉଠିପଡ଼ି ତାଳିମାରି ହସିଉଠିଲା ଟିକି ଭାଇର ଆନନ୍ଦ–ଉଜ୍ଜ୍ୱଳ ମୁହଁକୁ ଚାହିଁ । ଭାଇର ଗାଲଟାକୁ ଟିପିଦେଇ ତାକୁ କୋଳକୁ ଉଠାଇନେଇ ଛାତିରେ ଜାଳିଲା ସିଏ । ସାରା ମୁହଁରେ ତାର ବରଷିଦେଲା ଚୁମ୍ୱନରଧାରା । ଅତୃପ୍ତ ମାତୃତ୍ୱ ତାର ଚେଇଁଉଠିଲେ ତା’ରି ଦୁଇଟି କଳା ଆଖିରେ ଉଜ୍ଜ୍ୱଳ ତାରା ହୋଇ । ଭାଇକୁ ଛାତିରେ ଜାକି ଚକାଭଉଁରି ଖେଳିଲା ମାଧବୀ ।

 

ବେଦନା–ବିମୂଢ଼ ଆଖିରେ ସରୋଜିନୀ ଚାହିଁରହିଲେ ମାଧବୀର ବ୍ୟଥାହୀନ, ଶଙ୍କାହୀନ ସ୍ୱଚ୍ଛ ସୁନ୍ଦର ମୁହଁଟିକି । ବିମଥିତ ହୃଦୟ ତାଙ୍କର ହାୟ ହାୟ କରି ଉଠିଲା । ସେଇଠୁ ଉଠିଯାଇ ଘର ଭିତରେ ସଉପ ଖଣ୍ଡିଏ ବିଛାଇଦେଇ ଗଡ଼ିପଡ଼ିଲେ ସେ । ଆଃ, ଥରେ ଯେବେ ମାଧୁ ମୁହଁ ଶୁଖାଇ ବୁଲନ୍ତା, ଥରେ ଯେବେ କହନ୍ତା ଯେ ବୋଉଲୋ ସେଠିକା ପାଇଁ ମନଟା ଭାରି ଗୋଳେଇ ଘାଣ୍ଟି ହେଉଛି ତେବେ ତ ବୁଝିହୁଅନ୍ତା ଯେ, ଦୁହିଁଙ୍କ ଲାଗି ଦୁହିଁଙ୍କ ମନରେ ଅଛି ମମତା–ଖାଲି ସାମୟିକ ଅଶାନ୍ତି ଲାଗି ଘର ଛାଡ଼ି ପଳାଇଆସିଛି ମାଧୁରୀ ଓ ଆକୁଳ ହେଉଛି କାହାର ଆସିବା ବାଟକୁ ଚାହିଁ । ଭଲପାଇବା ଥିଲେ ଥିବ ଆଶା; ପୁଣି ସେଇ ଆଶା ଆକୁଳ କରାଇବ ମନକୁ । ମନ ହେବ ନିସ୍ତେଜ ! ପ୍ରତୀକ୍ଷାରେ ପ୍ରଦୀପ ଜାଳି ଆଖି ତାର ହେବ ଚଞ୍ଚଳ ଆଉ ଅସ୍ଥିର । ମନ ହେବ ଆନମନା । ଏଇ ଭାବହେଲା ଦୁଇଟି ପ୍ରାଣର ଗୋପନ ବ୍ୟାକୁଳତାର ସଂକେତ ଆଉ ଜଣକ ବିହୁନେ ଜଣେ ଯଦି ହୁଏ ନିର୍ଲିପ୍ତ, ହୁଏ ଯଦି ଉଦାସୀନ, ତେବେ କଣ କୁହାଯାଇ ପାରିବ କି ଯେ, ଏଇ ଦେହର ଚୋରାବାଲି ତଳେ ମୁଣ୍ଡପିଟି ମରୁଛି ବିରହର ବ୍ୟଥିତ ଢେଉ !! ନା ନା, ଏତେ ଟିକିଏ ବି ମମତା ନାହିଁ ମାଧବୀ ମନରେ ତମାଳ ଲାଗି । ତମାଳର ବି ହୁଏତ ମମତା ନାହିଁ ଏଇ ମାଧବୀ ଲାଗି । କାହାର ମନ କାନ୍ଦୁନି କାହାରି ପାଇଁ । କେହି ଝୁରିହେଉନାହାନ୍ତି କାହାରିକୁ । ନୋହିଲେ ତମାଳ ମୁହଁର ଛାଇ ପଡ଼ନ୍ତାଣି ଆସି ମାଧବୀ ମୁହଁର ଅନୁଜ୍ଜ୍ୱଳ ଦର୍ପଣରେ । ଏ କଥା ଭାବି ସରୋଜିନୀଙ୍କ ଆଖି ଫାଟି ଝରିଆସିଲା ତପ୍ତ ଅଶ୍ରୁର ଧାରା ।

 

ବୋଉ ମୁହଁକୁ ରାଗିଲା ଆଖିରେ ଚାହିଁ ମାଧବୀ କହିଲା—ତତେ ଭୋକ ନକଲେ ମୋର ଭାସିଯାଉଛି । ତୁ ନଖାଇଲେ ମୁଁ ଖାଇଦେବି—ହେଲେ ତୁ କାନ୍ଦୁଚୁ କାହିଁକି ଶୁଣେ ?

 

ଲୁହ, କ୍ରୋଧ ଓ ଅଭିମାନରେ ନିବୁଜ ହୋଇ ଆସିଲା ସରୋଜିନୀଙ୍କର ଗଳା । ଫିସ୍‌ଫିସ୍‌ କରି ସେ କହିଲେ—‘‘ତୁ କାହିଁକି ଗୋଡ଼ରେ ଚାଲି ଏମିତି ଗୋଟାଏ ଏକା ହୋଇ ଚାଲିଆସିଲୁ କହ ତ ? ସେମାନେ ତ କହୁଥିଲେ ତାଙ୍କ କାର୍‌ରେ ଆଣି.......’’

 

ଖିଲିଖିଲି ହୋଇ ହସିଉଠିଲା ମାଧବୀ । କହିଲା—ଆଲୋ ବୋଉ ! ସୀତା ପଛେ ବନବାସ ଯାଉ; ହେଲେ ଯାଇଥିଲା ସୁନାର ରଥରେ । ସେଇ ରଥର ଚକତଳେ ଦୁଲୁକି ଉଠୁଥିଲା ସୀତାର ମାଟି ମା’ ଓ ମନେ ମନେ କହୁଥିଲା ପରା—ଯାଆମ, ଝିଅର ପଛେ ଯା ହେଉଛି ହେଉ, ହେଲେ ଆସିଛି ତ ସୁନାର ରଥରେ ! ଶୁଣୁଚୁ ପରା ନିଇତି ପୁରାଣ । ଶୁଣିଥିବୁ ତ ସେଇ ପୁରାଣର ମାଟି–ମାଆର ମନକଥା । ନିଶ୍ଚେ ଶୁଣିଚୁ, ନହେଲେ ମୋତେ ପାଶୋରି ତୁ କାହିଁକି ଖୋଜୁଚୁ ଛତାଛତ୍ରୀ ? ହଇଲୋ ବୋଉ, ସେଥିରୁ କଣ ମିଳିବ ? ଏତିକି ଜାଣିଥା, ମୋ ମନରେ ଡର ନାହିଁ କି ଭୟ ନାହିଁ, ଚିନ୍ତା ନାହିଁ କି ଭାବନା ନାହିଁ । ଆନନ୍ଦରେ ଅଛି ମୁଁ । ତୁ ଥିଲେ ମୋର ସବୁ ଅଛି । ତୁ କାହିଁକି ଡରୁଚୁ ? ମୁଁ କଣ କୁଆଁରୀ ଝିଅ ହେଇଚି ? ଏକା ଆସିବାରେ ଯଦି ନାଁ ପଡ଼ିଯାଉଛି ତ ପଡ଼ୁ-। ଜୀବନର ସବୁ ଅରମାନ ମୋର ମେଣ୍ଟିଯାଇଛି ଲୋ ବୋଉ । ନାଁ ଧୋଇ ପାଣି ପିଇବାର ବୟସ ବି ମୋର ଆଉ ନାହିଁ, ସେଇ ନାଁ ରହିଲା କି ପୋଡ଼ିଗଲା—କି ଯାଏ ଆସେ ସେଥିରେ କହିଲୁ-?

 

ବୋକାଙ୍କ ଭଳି ସରୋଜିନୀ ଚାହିଁରହିଥିଲେ ଝିଅର ମୁହଁକୁ; ଶୁଣୁଥିଲେ ତାରି ନିରୁତ୍ତାପ କଣ୍ଠର ନିର୍ବେଦ ଭାଷା । ମାତ୍ର ଚବିଶଟି ବର୍ଷ ବୟସ ଭିତରେ କେଡ଼େ ନିର୍ଲୋଭ, କେତେ ନିର୍ବିକାର ହୋଇଯାଇଛି ମାଧବୀ ! ଆକୁଳ ହୋଇ ବାହୁନିଉଠିଲା ସରୋଜିନୀଙ୍କର ମନ । କଥା ସରିଲାବେଳକୁ ସାମାନ୍ୟ ଟିକିଏ ଓଦା ହୋଇଆସିଥିଲା ମାଧବୀର ଆଖିକୋଣ; କିନ୍ତୁ ମୁହୂର୍ତ୍ତକେ ସିଏ ଶକ୍ତ କରିନେଇଥିଲା ତାର ଭିଜା ଭିଜା; ମନଟାକୁ । ଶୁଖି ଯାଇଥିଲା ତା ଆଖିକୋଣରେ ଚିକ୍‌ଚିକ୍‌ କରିଆସୁଥିବା ପାଣିଟିକକ । ରୁଢ଼ କଣ୍ଠରେ କହିଉଠିଥିଲା—କଣ ଲୋ ଗୋଟାଏ ମୁହଁଟାକୁ ବଲବଲକରି ଚାହିଁଛୁ ? ଯାଇ ତୁ ଖାଇବୁ ନା ନାହିଁ ଯେ ?

 

ଝିଅର ଭ୍ରୂକୁଞ୍ଚିତ ମୁହଁରୁ ଆଖି ଫେରାଇ ନେଇ ଖାଇବସିଲେ ସରୋଜିନୀ, ଖାଉ ଖାଉ ଭାବିଲେ–ମଲା, ଏମିତି କଣ ହୁଏ ? କାହା ଉପରୁ ଲୋଭ କଣ କାହାରି ଛାଡ଼ିଯାଏ ! ଆସିବ ନିଶ୍ଚୟ ତମାଳ ଓ କହିବ ଠିକ୍‌ ଇଆରି ପରି—ଆସୁଚନା ନାହିଁ ଯେ ? ସେ ଆସି ଭାତ କଂସାରେ ବସିଲା ପରି ମାଧବୀ ଠିକ୍‌ ଚାଲିଯିବ ତାରି ସାଥୀରେ ମୁଣ୍ଡରେ ଓଢ଼ଣା ଟାଣି ।

 

ମୁହୂର୍ତ୍ତକେ ମନରୁ ତାଙ୍କର ଧୋଇଗଲା ସବୁ ଦୁଃଖ । ଆଖି ତୋଳି ଚାହିଁଲେ ସିଏ । ଅମୃତଭଣ୍ଡା ଗଛ ଉପରେ କାଉଟାଏ ବସିଛି । ଏଇ କାଉଟା ଓହ୍ଲାଇ ଆସି ରାବନ୍ତାନି ତାଙ୍କ ମୁହଁ ପାଖରେ ବସି ? ତିନିଭାଗ ଚାଉଳ ଥୋଇ ବୁଝନ୍ତେନି ସେଇ ଜୋଇଁଟାର ଆସିବା ନଆସିବା କଥା-? ଆଖିରେ ଅନେକ ଆଗ୍ରହ ଭରି ସିଏ ଚାହିଁରହିଲେ କାଉଟା ଆଡ଼କୁ ।

 

ମୁହଁ ଫେରାଇ ଚାହିଁଲେ କଡ଼କୁ । ଭାଇକୁ ତେଲ ଲଗାଇଦେଉଛି ମାଧବୀ । ଭାଇକୁ ଧରି ପୋଖରୀ ଆଡ଼କୁ ଚାଲିଗଲା ମାଧବୀ । କୂଳରେ ଠିଆହେଲା କୁନା । ମାଧବୀ ପାଣିରେ ପଶି ଚବ୍‌ଚବ୍‌ କରି ପହଁରିବାକୁ ଲାଗିଲା । ଟିକି ଭାଇଆଡ଼େ ଚାହିଁ ହସିଲା । ଭାଇ ବି ହସି ହସି ଲୋଟିପଡ଼ୁଛି ପୋଖରୀକୂଳରେ ବାଲି କାଦୁଅ ଉପରେ ।

 

ଧୀର ଗମ୍ଭୀର ପାଦରେ ଆଗେଇ ଆସିଲେ ତିନି ଚାରୋଟି ଝିଅ । ବୟସ ଏକୋଇଶ ବାଇଶରୁ କାହାରି ଊଣା ନୁହେଁ । ମଞ୍ଜୁ, ରିନା, ରୂପୁ, ଲତା–ସମସ୍ତେ ମାଧବୀଠାରୁ ବରଷ ଏକ ଦୁଇ, ତିନିର ସାନ । ସମସ୍ତେ ରହିଛନ୍ତି ଅଭିଆଡ଼ୀ; ଅଥଚ କେତେ ଝଡ଼ ବହିଗଲାଣି ମାଧବୀ ଜୀବନର ବାଲୁକାବେଳାରେ ।

 

ସାମାନ୍ୟ କଣେଇ ଚାହିଁ ମୁହଁକୁ ଦେଖିନେଲା ମାଧବୀ । ସବୁରି ମୁହଁରେ ତାକୁ ନଚିହ୍ନିବାର ଭାବ । ମନେ ମନେ ଦାନ୍ତ ଚିପି ହସିଲା ମାଧବୀ । ମନେପଡ଼ିଲା ଗଲା ତିନୋଟି ବର୍ଷ ତଳର କଥା । ବାପାଙ୍କ ଶୁଦ୍ଧଘରକୁ ଆସିଥିଲା ସେ । ତାକୁ ସେଦିନ ଘେରିଯାଇଥିଲେ ଏଇ ଝିଅଗୁଡ଼ାକ, କାଙ୍ଗାଳ ଆଖିମେଲି ନିରେଖି ନିରେଖି ଦେଖୁଥିଲେ ତା ଦେହର ଦାମିକା ସୁନ୍ଦର ଅଳଙ୍କାରଗୁଡ଼ିକୁ । ଦେଖୁଥିଲେ ହାତ ବୁଲାଇ । ପାଖ ଛାଡ଼ୁନଥିଲେ ତାର । ମାଧୁନାନୀ ଦେଉଳ ଯିବା, ମାଧୁନାନୀ ଖାଇବା, ମାଧୁନାନୀ ଗାଧୋଇଯିବା–ସତେ ଯେମିତି ମାଧୁନାନୀ ବିନା ସବୁ ଅସମ୍ପୂର୍ଣ୍ଣ ରହିଯିବ ସେମାନଙ୍କର । ସେଇ ମାଧୁନାନୀ ସିଏ ତାଙ୍କର, ଅଥଚ ତାକୁ ଆଜି ଆଉ ଚିହ୍ନିପାରୁନାହାନ୍ତି ସେମାନେ । ଘୃଣାରେ କୁଞ୍ଚିତ ହୋଇଗଲା ମାଧବୀର ମୁହଁ । ସେ ଝିଅମାନଙ୍କ ଆଡ଼କୁ ଚାହିଁଲା ବି ନାହିଁ ।

 

ମାଧବୀର ଏଇ ବେଖାତିରିଆ ଭାବ ସେମାନେ ବୋଧହୁଏ ଆଶା କରିନଥିଲେ । ଭାବିନଥିଲେ ଯେ ସେମାନଙ୍କ ପରି ମାଧବୀ ମଧ୍ୟ ନ ଚିହ୍ନିବାର ସାହସ କରିବ । ସ୍ୱାମୀର ଘର ଛାଡ଼ି ପଳାଇ ଆସିବା ତ ଲାଜରେ ମରି ଶୋଇବା କଥା । ତେଣୁ ମାଧବୀ ନିଜେ ଉପରେ ପଡ଼ି ସେମାନଙ୍କ ସାଥିରେ କଥା କହି ସେଇ ଲଜ୍ଜାକର ଓଜନିଆ କଥାଟାକୁ ହାଲୁକା କରିଦେବ ବୋଲି ସେମାନେ ଭାବିଥିବେ । ମାଧବୀ କି ଦମ୍ଭରେ ସେମାନଙ୍କୁ ନ ଚିହ୍ନିବାର ଢଙ୍ଗ ଦେଖାଇ ମୁହଁ ଫେରାଇ ରହିଛିତ !!

 

ପରସ୍ପରର ମୁହଁକୁ ସେମାନେ ଚକିତ ହୋଇ ଚାହିଁଲେ । ଯିଏ ଯାହାର ଗାଲ ଓହଳାଇ ପାଣିରେ ପଶିଥିଲେ ସେମାନେ । ଅପେକ୍ଷା କରୁଥିଲେ–କେତେବେଳେ ମାଧବୀ ହସିଲା କଣ୍ଠରେ ପଚାରିବ–କିଲୋ, କେମିତି ଅଛ ମ ସବୁ ?

 

ସେମାନେ ଅନେକ ଡେରିରେ ଉତ୍ତର ଦେଇ କହିବେ—ଆମ ସାଥିରେ କଥା ହୁଅନା ମାଧବୀ ନାନୀ, ଆମର ବାପା ବୋଉ ହେରିକା ଦେଖିଲେ ଆମକୁ ଠିଆ ଚିରିଦେବଟି । ଶାଶୁଘରୁ ପଳେଇ ଆସିଛୁ ତୁ, ତୋ ସାଥିରେ କଥା କହିଲେ ଜାତି ମହତ ଯିବ । କିନ୍ତୁ ନାଃ, ସେମାନଙ୍କୁ କିଛି କହିବାକୁ ପଡ଼ିଲାନି । ସେ ଆଶା ସେମାନଙ୍କର ଏତେ ଟିକିଏ ବି ପୂର୍ଣ୍ଣ ହେଲାନି ।

 

ଭାଇକୁ ଗାଧୋଇ ଦେଇ, ନିଜେ ଗାଧୋଇ ଲୁଗା ଚିପୁଡ଼ୁଛି ମାଧବୀ । କାହାରି ଲାଗି ତାର ଆଖିରେ ନାହିଁ ଏତେ ଟିକିଏ ବି କୌତୂହଳ । ସାରା ମନରେ ତାର ଆକାଶର ସ୍ଥିରତା ।

 

ଅସହ୍ୟ ଲାଗୁଛି ମାଧବୀର ଏଇ ନିଖୁଣ ନୀରବତା । ନୋହିଲା କଥା ପାଇଁ ମନରେ ଜାତ ହୁଏ ଦାରୁଣ ଆକର୍ଷଣ । ଅଦ୍‌ଭୁତ ଏଇ ମଣିଷର ମନ । ଚାରୋଟି ପ୍ରାଣରେ ମାଧବୀକୁ କଥା କୁହାଇବାର ଅଦମ୍ୟ ଆଗ୍ରହ; ଅଥଚ ତା ସାଥିରେ କଥା ନ କହି ତାର ଉପସ୍ଥିତିକୁ ତୁଚ୍ଛତା ଦେଖାଇ ତାକୁ ଅପମାନିତ କରିବାରେ ସେମାନଙ୍କ ମନରେ ଥିଲା ଆନନ୍ଦମିଶା ଗୋଟିଏ ଗୋପନ ଇଚ୍ଛା ।

 

ଲୁଗା ପାଲଟି, ଭାଇକୁ କାଖରେ ଧରି ଯିବାକୁ ବାହାରୁଛି ମାଧବୀ । ମାଧବୀ ଚାଲିଯିବ ଏଇନେ ସେମାନଙ୍କର ସବୁ ଇଚ୍ଛାକୁ ଗୋଡ଼ରେ ମାଡ଼ିଦଳିଦେଇ । ଅସ୍ଥିର ହୋଇ ଉଠିଲା ଚାରୋଟିଯାକ ମନ । ପାଣିରେ ଆଖି ରଖି ଶୁଖିଲା ଗଳାରେ ମଞ୍ଜୁ ପଚାରିଲା—‘‘କେତେଦିନ ଏଇଠି ଏଇନେ ରହିବୁ ନା ମାଧୁନାନୀ ?’’

 

ଆଗକୁ ପାଦ ବଢ଼ାଉ ବଢ଼ାଉ ମାଧବୀ ବୁଲି ଚାହିଁଲା । ମୁଦିଲା ଓଠର କୋଣ ବାହି ଝରିଆସିଲା ହସ ଟିକିଏ । କହିଲା—ତୁମ ସମସ୍ତଙ୍କର ବାହାଘର ଖିରିପିଠା ନଖାଇ ମୁଁ କଣ ଯାଉଚି ? ଲାଗୁ ସେଥିପାଇଁ ଚାରିବର୍ଷ, ନହେଲେ ପାଞ୍ଚବର୍ଷ ।

 

କଥା ସାରି ଅନ୍ତର୍ଦ୍ଧାନ ହୋଇଗଲା ମାଧବୀ । ଲଜ୍ଜା ଆଉ ଅପମାନରେ ଝାଉଁଳି ପଡ଼ିଲା ଚାରୋଟି ମୁହଁ । କହିବାକୁ ଗଲେ, ସମସ୍ତେ ସେଇ ମାଧବୀ ସାଙ୍ଗର, ମଞ୍ଜୁ ହାଣ୍ଡି କଳାଠୁ କଳା, ହସିଲେ ମାଢ଼ି ଦିଶେ, ବଣିଗୋଡ଼ି, ଯିଏ ଥରେ ଦେଖିବାକୁ ଆସୁଛି ସିଏ ଦ୍ୱିତୀୟ ଥରକ ଲାଗି ଲେଉଟୁନି ଆଉ । ରିନା—ଗୋରା ଆଉ ଗଢ଼ଣର ହେଲେ ବି ବହୁତ ମୋଟୀ ହୋଇଯାଇଛି । ତା’ ଲାଗି ବହୁତ ଦେବେ ନନା ତାର । ହେଲେ ପାଠୁଆ ଯୋଗ୍ୟ ଜୋଇଁ ମିଳୁନାହାନ୍ତି । ରୂପୁ—ବ୍ରାହ୍ମଣଘରର ଝିଅ ହୋଇ ଭାବ ଲଗାଇଛି ଗୁଡ଼ିଆଘରର ପାଠୁଆ ଚାକିରିଆ ପୁଅ ସାଥିରେ । ସେଇ ଗୁଡ଼ିଆ ଟୋକା ତାକୁ ବାହାକରାଇ ଦେଉନି କେଉଁଠି ହେଲେ । ଲତା—ବର ଆସି ବାହୁଡ଼ିଯାଇଛି ବେଦି ଉପରୁ ଛାର–ଛିକର ଟଙ୍କା ପାଞ୍ଚଶ’ଟା ପାଇଁ ।

 

ମୁହଁମୋଡ଼ୀ ରୂପୁ କହିଲା—ଓଃ, ଦେଖୁଚୁଟି ତା ଅହଙ୍କାରକୁ ?

 

ଲତା ମୁହଁରେ ଗାମୁଛା ଘଷୁ ଘଷୁ କହିଲା ଅଲଣା ଅହଙ୍କାର । ଘର ଛାଡ଼ି, ବର ଛାଡ଼ି ଏକା ଏକା ହୋଇ ପଳାଇଆସିଛି ଯେଉଁ ଝିଅ, ତାକୁ କଣ ମାନୁଛି ଏଇ ଅହଙ୍କାର ?

 

ଲତା ପାଣିରେ ଗାର କାଟୁ କାଟୁ କହିଲା—ଏଡ଼ିକି ଟିକିଏ ଦିନୁ ବାହାହୋଇଯାଇଛି ବୋଲି ଫୁଟାଣି ଦେଖଉଛି । ଆମେ ତ ଆମେ, ଏବେଯାଏ ପରା ସାମନ୍ତଘର ଝିଅ, ସେଇ ସାଧୁନାନୀ ସାଙ୍ଗ, ଶୁଭଭାଇର ଭଉଣୀ ଧାରାଶ୍ରୀ, ସେ ଆଗ ବାହାହେଲାଣି ନା ? ପାରି ପାରି ସେ ନହେଲେ ବା ଏମ୍‌.ଏ. ପଢ଼ୁଛି । ଆମେ ତ ତା’ଠୁ ସାନ ନା ନାହିଁ ? କହୁନୁ ?

 

ଚୋବେଇ ଚୋବେଇ ମଞ୍ଜୁ କହିଲା—ଆଲୋ ନାଲୋ, ଅସଲରେ ତା ଦେହରୁ ଏଇନେ ଛାଡ଼ିନି ବଡ଼ଲୋକୀ ବାସନା ।

 

ବନ୍ଧ ଆରପଟେ ଠିଆହୋଇ ସବୁ ଶୁଣିଲା ମାଧବୀ ଓଠ ବଙ୍କେଇ ହସିଲା । କାହାରି ସାଥିରେ ବଳିପଡ଼ି ମିଶିବାର ଭୁଲ କଥାକୁ ଆହୁରି ଭୁଲ ବୋଲି ଜାଣିଲା ।

 

କିନ୍ତୁ କେଜାଣି କାହିଁକି, ବୋଉ ମୁହଁ ଦେଖିଲେ ନିଜକୁ ସମ୍ଭାଳିପାରେନି ସିଏ । ଆସିଲା ବେଳଠୁ ଦେଖୁଛି ବୋଉ କାନ୍ଦୁଛି । ହେଲେ କହିବାର ତ କିଛି ନାହିଁ । ସବୁ ମା’ ଯାହା ଚାହାଁନ୍ତି ସେ ବି ସେଇୟା ଚାହୁଁଛି—ଘର ବର ନେଇ ହସଖୁସିର ସଂସାର କରୁ ଝିଅ । ଆରେ, ଆଚ୍ଛା କଥା ତ, ସବୁରି ଭାଗ୍ୟରେ କଣ ସବୁ ମିଳେ ? ମଣିଷର ଚାହିଁବା ଆଉ ଭଗବାନଙ୍କର ଦେବା—ଏ ଯେବେ ଏକାଠି ହୁଅନ୍ତା ତେବେ ତ ଦୁଃଖ ବୋଲି କଥା ନଥାଆନ୍ତା ଏ ପୃଥିବୀରେ !

 

ଖାଇଲା ପରେ ଭିତର ଘରେ ସଉପ ପକାଇ ଶୋଇରହିଛି ମାଧବୀ । ଅନାବନା ଦୁନିଆର ଚିନ୍ତାରେ ମନଟା ଭାରି ହୋଇଉଠୁଛି ତାର । ବୋଉ ଥରକୁ ଥର ଯାଇ ଚାହୁଁଛି ତା ଶାଶୁଘରରୁ ଚମ୍ପାପୁରରୁ ଇଆଡ଼ିକି ଆସିବାର ରାସ୍ତାଟାକୁ । କାହିଁକି ସିଏ ଚାହୁଁଛି ? କାହା ଲାଗି ତା ଭିତରର ସୃଷ୍ଟି ହୋଇଛି ଏଇ ବ୍ୟାକୁଳ ପ୍ରତୀକ୍ଷା ? ସବୁ ତ ବୁଝିପାରୁଛି ସିଏ । ଆଉ ଏଇ ବୁଝି ପାରିବାଟାହିଁ ତ ମନକୁ ତାର ବେଶି ପୀଡ଼ା ଦେଉଛି । ଆଉ କେହି ନ ଜାଣୁ, ସେ ତ ଜାଣେ ଯେ ବୋଉର ଏଇ ପ୍ରତୀକ୍ଷା ପ୍ରତୀକ୍ଷାରେ ହିଁ ରହିଯିବ । କେଉଁ ଦିନ ହେଲେ ଆସିବନି ସେ ଅପେକ୍ଷା କରୁଥିବା ମଣିଷଟି, ଆସି ତା ଝିଅକୁ ସାଥିରେ ନେଇ ଚାଲିଯିବନି ଏଇ ଘରୁ । ଅଥଚ ଚାହିଁ ଚାହିଁ ଦିନେ ହୁଏତ ଆଖି ଫୁଟିଯିବ ବୋଉର । ଉଃ, ଏଇଠିକି ଆସିବା କଥା ଛଡ଼ା ତ ଅନ୍ୟ କିଛି ଭାବିପାରିଲାନି ସିଏ । ଅଥଚ ତାର ଉପସ୍ଥିତିରେ କେତେ ଦୁଃଖ ନ ପାଇଛିଟି ବୋଉ ତାର ।

 

‘‘ମାଧୁ..... ମାଧବୀ...... ଏ ମାଧୁ ! ଗଲା, ଶୋଇଥିବୁ କି ଆଜି ?’’

 

ଏକାଡାକରେ ‘ଓ’ କଲାନି ମାଧବୀ । ଅନେକ ସମୟ ପରେ ତକିଆରେ ମୁହଁ ଘଷି ଘଷି ଧୀରେ ଉଠି ବସିଲା ଯେ । ଦୁଇହାତ ଦୂରରେ ଠିଆହୋଇଛି ଶୁଭଭାଇ । ମୁକ୍ତାଝରା ହସ ହସି ମାଧବୀ ପଚାରିଲା–କେତେବେଳୁ ଆସିଲଣି ? ଉଃ, ବହୁତ ଶୋଇପଡ଼ିଲା ଆଜି ।

 

ମୁହଁରେ ତାର ଆଖିରଖି ହୋଇଗଲା ଶୁଭେନ୍ଦୁ । କହିଲା—‘‘ବହୁତ ଦୁର୍ବଳିଆ ହୋଇପଡ଼ିଛୁ ତୁ । ଶୋଇଥିଲେ ଦେହକୁ ତୋର ଉପକାର ହୁଅନ୍ତା, ଅଥଚ ତୁ ନ ଶୋଇ କାନ୍ଦୁଥିଲୁ । କାହିଁକି କାନ୍ଦୁଥିଲୁ କହ ତ ? ମନ ଘାଣ୍ଟି ହେଉଛ ତମାଳ ପାଇଁ ? ତତେ ଦେଖିଲେ ମନେହୁଏଲ ଏଇ ଦଶବର୍ଷ ଧରି ଅନେକ ତୁ ସହିଚୁ । ତେବେ ତମାଳର ସେଇ କଥାପଦକୁ ପ୍ରଳାପ ଭାବି ସହି ନଗଲୁ କାହିଁକି କହ ତ ମାଧବୀ... କହିବୁ ଯେବେ ତା ସାଥିରେ କଥାବାର୍ତ୍ତା କରି ନିଜେ ମୁଁ ତତେ ସାଥିରେ ନେଇ ଛାଡ଼ିଦେଇଆସିବି । ଯିବୁ ତୁ ଚମ୍ପାପୁର ?

 

ଦାନ୍ତରେ ଦାନ୍ତ ଚାପିଲା ମାଧବୀ । ଫୁଲି ଉଠିଲା ତାର ପତଳା ନାକପୁଡ଼ା ଦୁଇଟି । କହିଲା–ତୁମେ ଠିକ୍‌ ଧରିଚ ଶୁଭଭାଇ ! ମୁଁ ଶୋଇନି–କାନ୍ଦୁଥିଲି । ତେବେ ସେ କଣ ସେଇ ଚମ୍ପାପୁରର ନିର୍ବୋଧ ସ୍ୱାର୍ଥପର ଲୋକଟା ପାଇଁ ? ଛି, ଛି, ମୋଟେ ନୁହେଁ, ବରଂ ସେଇ ଲୋକଟାର ପାଖ ଛାଡ଼ିବାପରେ କେତେ ଯେ ମୁଁ ଶାନ୍ତିପାଉଛି, କେତେ ଯେ ସୁଖରେ ଅଛି, ସେ କଥା କେବଳ ମୁଁ ଜାଣେ । ସେ କଥା ନୁହେଁ ଶୁଭଭାଇ, ମୁଁ କାନ୍ଦୁଛି ମୋ ବୋଉ ପାଇଁ । ମୋର ଦୁଃଖିନୀ ବୋଉ ମନରେ ଅନେକ ଦୁଃଖ, ଅନେକ ଅଶାନ୍ତି । ଦେଖ ତ, ତାରି ସନ୍ତାନ ହୋଇ ତାକୁ ସୁଖୀ କରିବି କଣନା, ଓଲଟି ହେଲି ତାର ଦୁଃଖର କାରଣ ! ସେଠି ପଛେ ମୁଁ ଯେମିତିପାରେ ସେମିତି ରହେ, ହେଲେ ମୋତେ ନେଇ ବୋଉର ମୋର ଥିଲା ଗୋଟିଏ ସୁନ୍ଦର କଳ୍ପନା । ଆଜି ମୁଁ ଭାଙ୍ଗିଦେଲି ତାର ସେହି କଳ୍ପନାକୁ । ନିଜକୁ ଖୁବ୍‌ ନିଷ୍ଠୁର ମନେକରୁଛି ଶୁଭଭାଇ ! ଖୁବ୍‌ ଖରାପ ଲାଗୁଛି ମୋତେ । କିନ୍ତୁ ମୁଁ ତା ପାଖକୁ ଫେରି ନ ଆସି ଅନ୍ୟ କୁଆଡ଼େ ଚାଲିଯାଇଥିଲେ ସେ କଣ ଆହୁରି ଦାରୁଣ ଆଘାତ ପାଆନ୍ତାନି ?

 

ଟାଙ୍କୁରି ଉଠିଲା ଶୁଭେନ୍ଦୁର ସାରା ଦେହର ଲୋମମୂଳ । ଗଳାରେ ଆତଙ୍କ ଭରି କହିଲା–ଛି ଛି, ଏମିତି କଣ କହୁଛୁ ମାଧବୀ ? ଏଠିକି ନ ଆସି ପୁଣି ଆଉ କେଉଁଠିକି ଯାଇଥାଆନ୍ତୁ ?

 

ମ୍ଲାନ ହସିଲା ମାଧବୀ; ମଥାନୁଆଁଇ କହିଲା—ମୁଁ ଜାଣେ, ବୋଉ ମୋର ଏଇ ଦୁଃଖ ସହିବ । ହେଲେ ମୁଁ ସେଠି ବି ନାହିଁ କି ଏଠି ବି ନାହିଁ, ଏ କଥାଟା ସେ ମୋଟେ ସହିପାରିବନି; ମରିଯିବ । ସେଇଥିପାଇଁ ଅନେକ ଭାବି ପଳାଇଆସିଲି ଏଠିକି । ନହେଲେ ଅନ୍ଧାର କିବା ଦିନ ଆଉ କିବା ରାତି—କୁହ ?

 

ଏହି ସମୟରେ ବୋଉ ଆସି କହିଲେ–ମାଧୁ, ଶୁଖୁଆ ପୋଡ଼ିଦେବି—ପଖାଳ ଖାଇବୁ-?’’

 

ମାଧୁ ବୋଉକୁ କୁଣ୍ଢାଇ ଧରି ଆନନ୍ଦରେ କହିଉଠିଲା—ଆଲୋ ପଚାରୁଛୁ କଣ ମ ! ଶୁଖୁଆ ପଖାଳ–ତା ପୁଣି ଖାଇବିନି !! ଉଃ, କେତେଦିନ ସେଠି ଝୁରିହେଇଚି ଲୋ ବୋଉ, ଆମ ଘରର ଶାଗପତ୍ରକୁ । ଏତେବେଳେ ସେଇଠି କଣ ଖାଏ ଜାଣୁ ?—ବମ୍ୱାଇ ପରଟା, ଆଳୁଦମ୍‌, ଆଉ ଗୋଟିଏ ଅଣ୍ଡାସିଝା; ନହେଲେ ସେମିତି ଅନ୍ୟ କିଛି ଦାମିକା ଖାଦ୍ୟ । ହେଲେ କଣ ହବ, ଦେହରେ କିନ୍ତୁ ଲାଗେନା । ଆଉ ଜାଣିଚୁନା ବୋଉ, ହେଇ ଦେଖ, ଏଇଠି ଯେମିତି ଖୋଲାମନରେ ମୁଁ କଥା କହିପାରୁଛି ସେଠି ସେକଥା ଆଦୌ ହେବନି । ଶାଶୁ ତ କଥା କୁହନ୍ତିନି—କାରଣ ଛୋଟଲୋକର ଝିଅ ସାଥିରେ ପୁଣି କି କଥା ! ଆଉ ତୋ ଜୋଇଁ ! ପାର୍ଟି, ପିକ୍‌ନିକ୍‌, ବାର୍‌, ଲାଇବ୍ରେରୀ କରି କରି ସେ ଫେରନ୍ତି ରାତି ଗୋଟେ ଦୁଇଟାରେ । ସେତେବେଳକୁ ମୁଁ ଯାଇ ଆରପାରିରେ ।

 

କଥାସାରି ଖିଲିଖିଲି ହୋଇ ହସିଉଠିଲା ମାଧବୀ । ପୁଣି ଦୁଇଟି ଦୁର୍ବଳ ହାତରେ ଜାବୁଡ଼ି ଧରିଲା ବୋଉକୁ । ଗେହ୍ଲାଳିଆ ସ୍ୱରରେ ଲମ୍ୱେଇ ଲମ୍ୱେଇ କହିଲା—ଏ ବୋଉ, କଳମଶାଗ କୋଉଠି ମିଳୁନିଲୋ, ଆଣନ୍ତୁନି ? କେତେ କାଳ ହେଲା ଯେ ଖାଇନି କଣ ଆଉ କହିବି ? ହେଇଟି, ଶୁଣିଲେ ତୁ ଏଇନେ ହସିବୁ । ହେଇଟି, କାଲି ପାହାନ୍ତିଆରେ ଆସିଲା ବାଟରେ ରାସ୍ତାରେ ପଡ଼ିଲା ମସ୍ତ ଗୋଟାଏ ପୋଖରୀ । ଇଲୋ ମାଲୋ, କଣ କହିବିଟି–କଳମ ଶାଗରେ ଗୋଟେଫାଳ ତ ଗଲା ପୂରିରହିଛି । ଭାରି ମନେହେଉଥିଲା ଲୋ, କିଛି ତୋଳିଆଣିବାକୁ । ହେଲେ କାହା ଆଖିରେ ପଡ଼ିଯିବ, କଣ ହବ ଏଇ କଥା ଭାବି ଲାଜରେ ଆଉ ଆଣିଲିନି ।’’

 

ପଲକ ପଡ଼ୁନି ଶୁଭେନ୍ଦୁ ଆଖିରେ । ପଲକ ପଡ଼ୁନି ସେଇ ସରୋଜିନୀଙ୍କ ଆଖିରେ ମଧ୍ୟ-। ମାଧବୀ କଣ ଅଭିନୟ କରୁଛି, ନା କଣ ଅଭିନୟ ସାରି ବାହାରିଆସିଛି ଗ୍ରୀନ୍‌ ରୁମ୍‌ରୁ ? ଦୁଇଟି ମନର ଭାବନା ଓ ଚିନ୍ତାକୁ ବିଚଳିତ କରି ମାଧବୀ ଅଳିଭରା କଣ୍ଠରେ କହିଉଠିଲା–କଣ ମ ବୋକିଟା ଭଳି ଚାହିଁଛୁ ମୁହଁଟାକୁ ? ଚାଲୁନୁ କାହିଁକି ଖାଇବାକୁ ଦେବୁ ।

 

ଟିକି ଟିକି ପାଦରେ ଠୁକୁ ଠୁକୁ ଚାଲି ଘର ଭିତରକୁ ପଶିଆସିଲା କୁନା, ଖନେଇ ଖନେଇ କହିଲା—ନାନୀ, ବୋଉ–ବାତ ।

 

‘‘ବୋଉ ଭାତ ବାଢ଼ିଛି ? ଖାଇବା ?’’ –କହୁ କହୁ ଭାଇକୁ ଛାତିରେ ଜାକି ସେଠୁ ଚାଲିଗଲା ମାଧବୀ । ମଉନ ମୈନାକ ହୋଇ ଠିଆହୋଇ ରହିଲେ ଶୁଭେନ୍ଦୁ ଆଉ ସରୋଜିନୀ । ଅଥଚ ଦୁହିଁଙ୍କ ମନରେ ଅନେକ ଭାଷାହୀନ ପ୍ରଶ୍ନ ।

 

ପାହିଚାଲିଲା ଦିନ ପରେ ଦିନ.....

ପାହିଚାଲିଲା ରାତି...

ମଲ୍ଲୀପୁରକୁ ହସାଇ କନ୍ଦାଇ ବିଦାୟ ନିଅନ୍ତି ଛଅଋତୁ ।

 

ଝିଅର ଅଲକ୍ଷ୍ୟରେ ସରୋଜିନୀ ଆଖି ରଖନ୍ତି ଚମ୍ପାପୁରକୁ ଯିବା–ଆସିବାର ନାଲିଧୂଳିଭରା ଅଣଓସାରିଆ ରାସ୍ତା ଉପରେ । ଆଖିରୁ ତାଙ୍କର ପାଣି ମରେ । ତାଙ୍କ ଛାତି ଦୀର୍ଘଶ୍ୱାସରେ କମ୍ପିଉଠେ । ତଥାପି ସିଏ ଓଠରେ ହସ ଟାଣି ଝିଅକୁ ଆଦର କରନ୍ତି । କହନ୍ତି–‘‘ମୋର ଏଇ ହତାସିଆ ବୟସରେ ତୁ ଯେବେ ପାଖରେ ନଥାନ୍ତୁ ମୋର କଣ ହୁଅନ୍ତାଟି-!! ଭଲହେଲା ମ, ତୁ ଯେ ସେଠି ସୁଖ-ଶାନ୍ତିରେ ନଥିଲୁ, ସେକଥା ପରା କହିଦେଉଥିଲା ତୋର ଚେହେରା ।’’

 

ବୋଉ ମୁହଁକୁ କଣେଇ ଚାହେଁ ମାଧବୀ । ମନେ ମନେ ତିକ୍ତ ହସେ । ତା ବୋଉକୁ କଣ ତା’ଠୁ ବେଶି କିଏ ଜାଣିବ ? ଦେଖୁ ଦେଖୁ ବିତିଗଲା ପାଞ୍ଚବର୍ଷ । ତମାଳ ପୁଣି ଥରେ ବାହାହେଇ ତାର ପୁଅଟେ ହୋଇଛି । ଗେହ୍ଲୀ ଗୌଡ଼ୁଣୀ ଆସି କହୁଥିଲା—କଣ କହିବି ଗୋ ବୋହୂ ସାନ୍ତାଣୀ, ପୁଅ ତ ନୁହେଁ, ସତେକି ସେ ଘର ଭିତରକୁ ଖସିପଡ଼ିଛି ଆକାଶର ଚାନ୍ଦରୁ ଚେନାଏ ।

 

ଛାତିତଳର ଲମ୍ବା ନିଃଶ୍ୱାସଟାକୁ ଚାପି ଚାପି ଛାଡ଼ିଛି ମାଧବୀ । ମନଟା ଆକୁଳ ହୁଏ ପିଲାଟାଲାଗି । ଆକୁଳ ହୋଇଛି ଜୀଅନ୍ତା ନରମ ମାଉଁସ ପେଣ୍ଡୁଳାଟି ପାଇଁ । ସେ ସେଇଠି ଥାଇ ଯଦି ଆଉ ଜଣେ କିଏ ଆସନ୍ତା ତେବେ କି ଅଡ଼ୁଆ ହୁଅନ୍ତା ତାଙ୍କର ! କେହି ନବୁଝନ୍ତୁ, ସେ ବି କଣ ବୁଝିପାରିଲେନି ? କାହିଁରେ ଯେ ସିଏ ବାଧାଦେବାର ଝିଅ ନୁହେଁ ଏଇ କଥାଟା କଣ ବୁଝିପାରିଲେନି ଦଶବର୍ଷ ଭିତରେ ବି ? ସେଇ ପିଲାଟିକୁ କୋଳରେ ଧରିବାର ମଉକା ପାଇଥିଲେ ନିଜକୁ କେଡ଼ୋ ଭାଗ୍ୟବତୀ ନ ମଣନ୍ତା ସିଏ !

 

ସେମିତି ଆଉ ଗୋଟିଏ ଦିନର କଥା । ମହାଦେବଙ୍କ ମନ୍ଦିର ବେଢ଼ା ବୁଲି ଫୁଲ ତଳୁଥିଲା ମାଧବୀ । ଶୁଭେନ୍ଦୁ ଆସି ବସିପଡ଼ିଲା ମନ୍ଦିର ପିଣ୍ଡାରେ । ମୂକ ଆଖି ଦୁଇଟିରେ ବିଷଣ୍ଣତାର କାଳିମା । ଗାଲରେ ହାତ ଦେଇ ଚୁପ୍‌ଚାପ୍‌ ଚାହିଁରହିଲା ଭାବମଗ୍ନ ମାଧବୀଆଡ଼େ । ବେଶ୍‌ କିଛି ସମୟ ପରେ ମାଧବୀର ଆଖିପଡ଼ିଲା ଶୁଭେନ୍ଦୁ ଉପରେ । ସାରା ମୁହଁରେ ତାର ବୁଣିହୋଇଗଲା ଆନନ୍ଦର ରେଣୁ; ରେଣୁ ପରାଗ । ଅଳ୍ପ ହସି କହିଲା—କେତେବେଳୁ ଆସିଲେଣି-? ଆରେ ଏମିତି ମୁହଁ ସୁଖାଇ ବସିଛ କାହିଁକି ? କଣ ମତେ ଦେଖୁଛ ? ସତରେ ଶୁଭଭାଇ, ଏଠି ପୂରା ବଦଳିଗଲାଣି ସ୍ୱାସ୍ଥ୍ୟ ମୋର ।

 

ଫୁଲ ଡାଲାଟାକୁ ତଳେ ରଖିଦେଇ ଶୁଭେନ୍ଦୁ ସାମନାରେ ବଢ଼ାଇ ଧରିଲା ତାର ଅଳତାରଙ୍ଗର ନିଟୋଳ ହାତ ଦୁଇଟି । କହିଲା—ଦେଖୁଛ, ପୁଣି କେମିତି ମୋଟା ହୋଇଗଲାଣି ମୋର ହାତ ଦୁଇଟା ! ଦେଖ, ଆଗପରି ପୁଣି ଫୁଲାଫୁଲା ଦିଶିଲାଣି ମୋର ପାଦ ଦୁଇଟା ବି, ଆଉ ବାଳ ? ଦେଖ କେଡ଼େ ଗହଳିଆ ହୋଇଗଲାଣି । ଏବେ ପରା ଆଗପରି ଆଉ ମୁଁ ନିଜେ ନିଜେ ମୁଣ୍ଡ କୁଣ୍ଡାଇପାରେନି । ବୋଉ, ନହେଲେ ଖୁଡ଼ୀ ଯିଏ ହେଉ ବାନ୍ଧିଦିଅନ୍ତି । ଜାଣିଚନା, ଶୁଭଭାଇ, ସେଠିଥିଲେ ମୁଁ କିନ୍ତୁ ଆଉ ଅଳ୍ପ ଦିନ ଭିତରେ ମରିଯାଆନ୍ତି । ଉଃ, କି ଓଜନିଆ ସେଠିକାର ପରିବେଶ । ରୁନ୍ଧିହୋଇ ଆସେ ମୋର ଛାତିଟା । ପଳ ପଳ ହୋଇ ରକ୍ତ ଶୁଖିଯାଏ ମୋ ଦେହରୁ । ଆଉ ଏଠି—ଆଃ, ଆକାଶଟା କେଡ଼େ ନୀଳ ଆଉ କେଡ଼େ ବିସ୍ତୃତ । ପବନରେ ଉଡ଼ିବୁଲେ କି ସୁନ୍ଦର ଗୋଟାଏ ମାଟିର ଗନ୍ଧ । ତାରି ସାଥିରେ ମିଶିଥାଏ ଯୁଇ ହେନା ମାଳତୀର ବାସ୍ନା । ସବୁମିଶି ମନରେ କେମିତି ଗୋଟାଏ ଆବେଗ ଭରିଦିଏ । ଆଉ ଆଖିରେ ପଡ଼େ କେତେ ରଙ୍ଗର ଯେ ଚଢ଼େଇ ତାର କଣ ଠିକଣା ଅଛି ! ଅଥଚ ମଲ୍ଲିପୁରରୁ ଚମ୍ପାପୁରଟା କେତିକି ଟିକିଏ ବାଟ କୁହତ ? ଏତିକି ଭିତରେ ଏତେ ତଫାତ୍‌ ଲାଗେ କାହିଁକି ? ସେଠି ଘରର ଛାତ ଉପରେ ଉଠିଲେ ବି ଆକାଶଟା ମତେ ଦିଶେନି ଏତେବଡ଼ ହୋଇ, କି ଦିଶେନି ଘନନୀଳ । ଆଉ ପକ୍ଷୀର ରାବ ? କେଜାଣି କେବେ ତ ପଡ଼ିନି କାନରେ ମୋର ।

 

କଥାସରି ଆକାଶରେ ଆଖି ରଖିଲା ମାଧବୀ । ଦୁଇ ଆଖଖିଡ଼ୋଳାରେ ତାର ସ୍ୱପ୍ନର ମାୟାଞ୍ଜନ । ଆପଣା ଭିତରେ ଆପେ ସମାହିତ ମାଧବୀ ।

 

ତାର ସେଇ ସମାହିତ ରୂପକୁ ନିରେଖି ନିରେଖି ଚାହିଁଲା ଶୁଭେନ୍ଦୁ । ମାଧବୀ କଥାରେ ନାହିଁ ଏତେ ଟିକିଏ ବି ଅତ୍ୟୁକ୍ତି । ତା ମନର ଆନନ୍ଦ ବିଛାଇ ହୋଇରହିଛି ସାରା ଦେହରେ ତାର । ଅପୂର୍ବ ଦିଶୁଛି ସିଏ । ନିଟୋଳ ହୋଇଯାଇଛି ତାର ଗଣ୍ଡ ଦୁଇଟି । ସେଇ ଗଣ୍ଡରେ ଫୁଟି ଦିଶୁଛି ରକ୍ତିମ ଆଭା । ସୁଗଠିତ ସୁନ୍ଦର ଓଠ ଦୁଇଟି । ଆଉ ଚିବୁକରେ ଲାଖିଛି ପ୍ରବାଳର ବର୍ଣ୍ଣଛିଟା । ଉଜ୍ଜ୍ୱଳ ଦିଶୁଛି ଚିବୁକର ଡାହାଣପଟେ ଥିବା ଗାଢ଼ କଳାରଙ୍ଗର କଳା ଜାଇଟି । ଲମ୍ୱିଲା ଦୁଇଟି ଆଖିଡ଼ୋଳା ଭିତରେ ଉଜ୍ଜ୍ୱଳ ଦିଶୁଛି ଆଖିତାରା । ମଥାର ଲମ୍ୱା ଘନକେଶ ପିଠି ଉପରେ ବିଛାଇହୋଇଯାଇ ଜମିଯାଇଛି ଭୂଇଁଉପରେ । ସେଇ କେଶରେ ଶ୍ରାବଣ ମେଘର ମାୟା । ସାରା ଦେହରେ ତାର ଫୁଟିଦିଶୁଛି ନିଟୋଳ ନିଖୁଣ ସୌନ୍ଦର୍ଯ୍ୟ । ଏତେ ସୁନ୍ଦର କେମିତି ହୋଇଗଲା ମାଧବୀ !! ଅବଶ୍ୟ ଦିନେ ଅଦ୍‌ଭୁତ ସୁନ୍ଦର ଥିଲା ମାଧବୀ, ଯାହା ଦେଖି ମୁଗ୍‌ଧ ହୋଇ ତାର ହାତ ଧରିଥିଲା ତମାଳ ଚୌଧୁରୀ । କିନ୍ତୁ ସେ ତ କାହିଁକି କେଉଁ ଦୂର ଅତୀତର କଥା । ତା’ପରେ ତ କଙ୍କାଳ ହୋଇ ଫେରିଆସିଲା ମାଧବୀ; ଫେରିଆସିଲା ମାଧବୀର ଧ୍ୱଂସାବଶେଷ । ହେଲେ ପୁଣି ପଲ୍ଲବୀ ଉଠିଲା ମାଧବୀର ଝାଉଁଳା ଅଙ୍ଗଲତା ତା ଦେହର ଏଇ ସୌନ୍ଦର୍ଯ୍ୟ କଣ ତାରି ଉଲ୍ଲାସିତ ମନର ପ୍ରତୀକୁ ନୁହେଁ ?

Unknown

 

ପଞ୍ଚପ୍ରାଣ ଦେଇ ତେବେ କଣ ସେଠୁ ମୁକ୍ତି ଚାହୁଁଥିଲା ମାଧବୀ । ଏତେ କଣ ସେଠି ତାକୁ କଷ୍ଟ ଦେଉଥିଲା ? କି କଷ୍ଟ ? ସନ୍ତାନହରା କଷ୍ଟ ? ହେଲେ ସେ କଷ୍ଟ ତ ସ୍ୱର୍ଗର ନନ୍ଦନକାନନକୁ ବି ଯାଇ ପାଶୋରିବାର ନୁହେଁ ? ତେବେ–ତେବେ ଆଉ କି କଷ୍ଟ, କି ବ୍ୟଥାରେ ବ୍ୟଥିତ ହୋଇ ନିଃଶେଷ ହୋଇଯାଉଥିଲା ମାଧବୀ !

 

—କଣ ଏତେ ଭାବୁଛ ଶୁଭଭାଇ ? ଚାଲ ଏଥର ଯିବା ।

 

ଚମକିପଡ଼ି ନିଜର ହାତଘଡ଼ିକୁ ଚାହିଁଲା ଶୁଭ । ଆଠଟାରୁ ଆସି ସାଢ଼େ ନଅଟା ହୋଇଗଲା ! ଦେଢ଼ଘଣ୍ଟା ଥରି ଏଇଠି ସିଏ ବସିରହିଛି, ଆଶ୍ଚର୍ଯ୍ୟ ! କଲେଜ ଯିବ ସିଏ ଆଉ କେତେବେଳେ ?

 

ନରମ ହସି ମାଧବୀ କହିଲା—କଣ ଏତେ ଭାବୁଥିଲ ?

 

ବୋକା ଭଳି ହସି ଶୁଭେନ୍ଦୁ କହିଲା—ନା’ରେ କିଛି ନାହିଁ ।

 

ଉଠିପଡ଼ିଲା । ଚାଲୁ ଚାଲୁ ପୁଣି କହିଲା—ଆଚ୍ଛା ମାଧୁ କହିଲୁ, ତମାଳ ମରିଯାଇଛି ଶୁଣିଲେ ମନ ତୋର କେମିତି ହବ ?

 

ଶିର୍‌ ଶିର୍‌ ହୋଇ କମ୍ପିଉଠିଲା ମାଧବୀର ସାର ଦେହଟା । ମୁହୂର୍ତ୍ତକେ ନୀଳପଡ଼ିଗଲା ତାର କମ୍ପିତ ଓଠ ଦୁଇଟି । ବିବର୍ଣ୍ଣ ହୋଇଗଲା ତା ଦେହର ଅଳତା ଗୋଳାରଙ୍ଗ । ଥରିଲା ସ୍ୱରରେ ସେ କିଛି କହିବାକୁ ଯାଇ ବି କିଛି କହିପାରିଲାନି । ଫୁଲଡାଲାଟା ତଳେ ରଖି ସେଇଟି ସେ ବସିପଡ଼ିଲା—ସେଇ ନରମ ସବୁଜ ଘାସ ଉପରେ । ନିଷ୍ପଲକ ଆଖିରେ ଆତଙ୍କ ଭରି ସେ ଚାହିଁରହିଲା ଶୁଭେନ୍ଦୁର ମୁହଁ ଆଡ଼କୁ ।

 

ଗଳାରେ ଗାମ୍ଭୀର୍ଯ୍ୟ ଭରି ଶୁଭେନ୍ଦୁ କହିଲା—କଣ ! କଣ ହେଲା ତୋର !! ତୁ ତ ତାକୁ ଭଲପାଉନୁ । ଏଁ !

 

ମାଧବୀର ଦୁଇ ଗଣ୍ଡରେ ବିଛାଇହୋଇଥିଲା ଅଶ୍ରୁର ଧାରା । ରୁଦ୍ଧ ଗଳାରେ କହିଲା—ଭଲପାଇବା, ସେ ତ ଆଖିରେ ଦେଖିପାରିବାର କଥା ନୁହେଁ ଶୁଭଭାଇ; ତେବେ କଣ ଦେଇ ସେଇ କଥା ତୁମକୁ ମୁଁ ବୁଝାଇବି ? ଥାଉ ସେ କଥା । ଯଦି ଥଟ୍ଟାରେ ଏ କଥା କହିଥାଅ, ତେବେ ଆଉ କେବେ ଏମିତି ଥଟ୍ଟା କରିବନି । ତାଙ୍କ ଭଲପାଇବା ତାଙ୍କର; ଆଉ ମୋ ଭଲପାଇବା ମୋର । ତାଙ୍କଠୁ ଭଲପାଇବା ନ ପାଇବି ମୁଁ ଯଦି ଭଲପାଇଯାଉଥାଏ ବା ମୁଁ ତାଙ୍କୁ ଭଲନପାଇ ମଧ୍ୟ ସେ ଯଦି ଭଲପାଇଯାଉଥାଆନ୍ତି, ତେବେ ସେଇ ଏକତରଫା ଭଲପାଇବାର ଫଳ କିଛି ହୁଏନି । ସେମିତି ଗୋଟିଏ ବିଫଳ ମନନେଇ ମୁଁ ଚାଲିଆସିଛି । ତା’ ବୋଲି ତାଙ୍କର ମୃତ୍ୟୁ !! ନା—କଦାପିହେଲେ ସେ କଥା ମୁଁ ସହିପାରିବିନି । ମୋର ସବୁ ପରମାୟୁ ନେଇ ସେ ବଞ୍ଚିଥାଆନ୍ତୁ; ସୁଖରେ ଥାଆନ୍ତୁ । ତାଙ୍କର ଅଭାବ ମୁଁ ମୋଟେ ଅନୁଭବ କରୁନି । ମୁଁ ହଜିଯାଇଛି ଏଇ ମୋର ଗାଁ ମୁଣ୍ଡରେ ଥିବା ଆକାଶର ନୀଳିମା ଭିତରେ । ମୁଁ ଭାସିଯାଉଛି ମୋ ଗାଁ ଛାତିରେ ବହିଯାଉଥିବା ନଈସୁଅରେ । ମୁଁ ବିଭୋର ହୋଇଯାଉଛି ମୋ ଗାଁର ଅସଂଖ୍ୟ ରକମର ପକ୍ଷୀଙ୍କ କାକଳିରେ । ମୁଁ ମୋର କକାପୁଅ ଭାଇକୁ ଛାତିରେ ଜାତି ତନ୍ମୟ ହୋଇଯାଉଛି ମାତୃତ୍ୱର ଅପାର ସୁଖରେ । ମୁଁ ପରମ ନିଶ୍ଚିନ୍ତରେ ଅଛି ମୋ ବୋଉର ଅଞ୍ଚଳ ତଳେ । ମୋର ସାରା ସତ୍ତା ଆନନ୍ଦରେ ନିନ୍ଦିତ ହୋଇ ରହିଛି ତମରି ସ୍ନେହ ସାନ୍ନିଧ୍ୟରେ । ଆଉ ମୋର କିଛିହେଲେ ପ୍ରୟୋଜନ ନାହିଁ । ତଥାପି.....ତଥାପି ଏତିକି କହିବ ଯେ ତାଙ୍କ ଜୀବନରେ ଏତେ ଟିକିଏ ବି କ୍ଷୟ–କ୍ଷତି ଶୁଣିଲେ ମତେ ବହୁତ ବାଧିବ, ବହୁତ ଦୁଃଖ ମୁଁ ପାଇବି । ଆଚ୍ଛା, ଏଥର କୁହ ତ, କାହିଁକି କହିଲ ଏମିତି କଥା ?

 

ନିଷ୍ପନ୍ଦ ଦେହମନ ନେଇ ଠିଆହୋଇଥିଲା ଶୁଭେନ୍ଦୁ । ଆଖି ଚିରି ଦେଖୁଥିଲା ସିଏ ମାଧବୀ ମୁହଁରେ ବିଛାଇହୋଇ ରହିଥିବା ଏକ ଅପୂର୍ବ ଅପାର୍ଥିବ ଜ୍ୟୋତିକୁ ।

 

ପୁଣି ନିଜ ପ୍ରଶ୍ନର ପୁନରାବୃତ୍ତି କଲା ମାଧବୀ ।

 

ସେଇ ପ୍ରଶ୍ନରେ କମ୍ପିଉଠିଲା ଶୁଭେନ୍ଦୁର ଆଖିପତା । ଢୋକ ଗିଳି କହିଲା—ଗୋଟିଏ ଖବର ତତେ ଦେବି ମାଧବୀ, ସେଇ ଖବର—ତମାଳ ମରିଗଲା ଖବରଠୁ ବି ଭୟଙ୍କର । ତମାଳର ମୃତ୍ୟୁ-ଖବର ଯଦି ତତେ ଶୋକାତୁରା କରିପକାଇଲା । ତେବେ ସେଇ ଭୟଙ୍କର ଖବରଟା ତୁ ଶୁଣି ସହିବୁ କେମିତି କହିଲୁ ?

 

ପ୍ରଶାନ୍ତ ହସିଲା ମାଧବୀ, କହିଲା—ତୁମେ ବିଶ୍ୱାସ କର ଶୁଭଭାଇ ! ତାଙ୍କର ମୃତ୍ୟୁଛଡ଼ା ଆଉସବୁ ଖବର ମୋ ପାଖରେ ତୁଚ୍ଛ । ଏମିତି କୌଣସି ଖବର ନାହିଁ ଯାହା ମତେ ବିଚଳିତ କରିପାରିବ ।

 

ବୈଶାଖର ଖରାତାପରେ ଲାଲ ହୋଇଉଠିଥିଲା ମାଧବୀର ଗୋଲାପି ରଙ୍ଗର ମୁହଁଟି । ସାରା ମୁହଁରେ ତାର ଫୁଟିଉଠିଥିଲା ସ୍ୱେଦର ବିନ୍ଦୁ ବିନ୍ଦୁ ମୁକ୍ତା କଣା । କପାଳରେ ତାର ଜଡ଼ିଯାଇଥିଲା ଚୂର୍ଣ୍ଣକୁନ୍ତଳ । ଅପୂର୍ବ ଦିଶୁଥିଲା ମାଧବୀ ।

 

ଶୁଭେନ୍ଦୁ ଆଖିରେ ଭରିଗଲା ମୁଗ୍‌ଧ ଆବେଗ, କହିଲା—ଜାଣିଚୁ, ତୋର ମୃତ୍ୟୁଞ୍ଜୟୀ ତମାଳର ଦୁଇଦିନ ହେଲା ବାହାଘର ସରିଲାଣି ବାଲେଶ୍ୱରର କେଉଁ ଗୋଟାଏ ଜମିଦାରର ଝିଅ । ନାଁ ତାର ସୁଚରିତା । ଆସନ୍ତା ଅପରଦିନ ତାଙ୍କଘରେ ଭୋଜି । କି ଆସ୍ପର୍ଦ୍ଧା ସେଇ ତମାଳର—ମତେ ପୁଣି ନିମନ୍ତ୍ରଣପତ୍ର ପଠାଇଛି । ଅନୁରୋଧ କରି ଲେଖିଛି ମୁଁ ଯେମିତି ଅବଶ୍ୟ ଯାଏ । ପତ୍ର ପଢ଼ି ମୁଁ ସ୍ତମ୍ଭିତ । କାଲି ଚାରିଟାବେଳଠୁ ଶୁଣିଲିଣି, ହେଲେ ତତେ କହିବାକୁ ସାହସ ପାଉନଥିଲି ।

 

ଖିଲିଖିଲି ହୋଇ ହସିଉଠିଲା ମାଧବୀ । ହସି ହସି ଗଡ଼ିଗଲା ସେଇ ଘାସର ଗାଲିଚା ଉପରେ । କେତେ ସମୟପରେ ସେମିତି ହସୁ ହସୁ କହିଲା—ଏଇ ଗୋଟାଏ ଛାର କଥା କହିବାକୁ ଯାଇ ଏତେ କୁନ୍ତୁ–କୁନ୍ତୁ ତୁମେ—ହେଉଥିଲ ଶୁଭଭାଇ ! ଆଶ୍ଚର୍ଯ୍ୟ । ଇଏ ତ ମୋଲାଗି ଗୋଟିଏ ସୁଖର ଖବର ଶୁଭଭାଇ ! ଏଇ କଥାକୁ ତୁମେ ଏତେ ଭାବିହେଉଥିଲ କାହିଁକି ? କେଡ଼େବଡ଼ ଘର, କେତେ ଧନଦୌଲତ—ସବୁ ତ ତୁଚ୍ଛ ହୋଇଯାଉଥିଲା । ହଉ, ଭଗବାନ କରନ୍ତୁ, ସେମାନେ ଏଥର ସୁଖୀ ହୁଅନ୍ତୁ ।

 

ସତରେ ସୁଖୀ ହୋଇଥିଲେ ଚୌଧୁରୀ ପରିବାର । ସରଗର ଚାନ୍ଦ ହୋଇ ତାଙ୍କ ଘରକୁ ଓହ୍ଲାଇ ଆସିଥିଲା ପୁଅଟିଏ । ଗେହ୍ଲୀ ଗୌଡ଼ୁଣୀ ମୁହଁର ସେଇ କଥା ଶୁଣି ଆନନ୍ଦରେ ଅସ୍ଥିର ହୋଇଉଠିଥିଲା ତାର ପ୍ରାଣ । ମନହୋଇଥିଲା—ଧାଇଁଯାଇ ଥରେ ଆନନ୍ଦରେ ଅସ୍ଥିର ହୋଇଉଠିଥିଲା ତାର ପ୍ରାଣ । ମନହୋଇଥିଲା–ଧାଇଁଯାଇ ଥରେ ଛାତିରେ ଜାକିଧରିବାକୁ ସେଇ ପୁଅକୁ; କିନ୍ତୁ ହୋଇପାରିଲାନି ସେ କଥା । ସିଏ ଧାଇଁଯାଇପାରିନି । ମନେହୋଇଛି ପୁଣି ଯେ ତାକୁ ଦେଖୁ ଦେଖୁ ଯଦି ଝାଉଁଳିଯାଏ ସମସ୍ତଙ୍କର ପଲ୍ଲବିତ ମୁହଁ ! ତେବେ !! ଛି ଛି, ନାଁ ସେ ଯିବନି । ଯିବନି କାହାରି ଶାନ୍ତ ମନରେ ଅଶାନ୍ତିର ଢେଉ ତୋଳିବାକୁ ।

 

ଗେହ୍ଲୀ ଗୌଡ଼ୁଣୀ ମୁହଁରୁ ତମାଳର ପୁଅ ହେବା କଥା ଶୁଣି ବୋଉ ମୁହଁମୋଡ଼ି ଉଠି ଚାଲିଯାଇଥିଲା । ମାଧବୀ ବି ମନରେ କୌତୁକ ଭରି ଉଠି ଚାଲିଯାଇଥିଲା ତାଙ୍କରି ପଛେ ପଛେ । ପିଣ୍ଡା ଖୁଣ୍ଟକୁ ଆଉଜି ଚୁପ୍‌କରି ଠିଆହୋଇଥିଲେ ସରୋଜିନୀ । ମାଧବୀ ପଛପଟେ ଠିଆହୋଇ ଦୁଇହାତରେ ଜଡ଼ାଇ ଧରିଲା ତାଙ୍କ ଅଣ୍ଟାକୁ । ଗଳାରେ କାକୁତି ଭରି କହିଲା—ହେ ବୋଉ ! ବାହାଘର କଥା ଶୁଣି ଯେମିତି ଲୁଚେଇ ଲୁଚେଇ ମାସ–ମାସ ଧରି କାନ୍ଦିଲୁ, ସେମିତି କାନ୍ଦନାଟି । ଦେଖ୍‌, ସେଇ ପୁଅ ମୋର ଅନ୍ଧାର ଘରର ଏକମାତ୍ର କୁଳପ୍ରଦୀପ । କଲ୍ୟାଣ କର ତାକୁ ।

 

ବିରକ୍ତିରେ ଚିତ୍କାରକରି ସରୋଜିନୀ କହିଉଠିଲେ—ତୋ ଘର ? ତୋ ପୁଅ ? ସେଇ ପୁଅକୁ ମୁଁ କଲ୍ୟାଣ କରିବି ? ମୋ କଟା ଘା’ରେ ନୁଣ ଛିଟା ଦଉଚୁ କିଲୋ ଟୋକି ! ଆଆରେ.... ରେ....

 

ବୋଉକୁ ଆହୁରି ଜୋର୍‌ରେ ଜାବୁଡ଼ିଧରି, ଛାତିରେ ତାର ମୁହଁଗୁଞ୍ଜି ଗଳାରେ ଅନୁନୟ କରି ମାଧବୀ କହିଲା—ମୋ ରାଣ, ମୋ ରାଣଟି ବୋଉ, କୌଣସି କାରଣରେ ବି ଆଜି ତୁ ଆଖିରୁ ଲୁହ ଗଡ଼ାନା, ମୋପାଇଁ ଆଜି ଗୋଟାଏ ଆନନ୍ଦର ଦିନ ।

 

ଦୁଇ ହାତରେ ଅନେକ ଜୋର୍‌ଦେଇ ସରୋଜିନୀ ଠେଲିଦେଲେ ଝିଅକୁ । ପଡ଼ିଯାଉ ଯାଉ ବି ନିଜକୁ ସମ୍ଭାଳି ନେଇ ଶକ୍ତ ହୋଇ ଠିଆହେଲା ମାଧବୀ । ଓଠରେ ତାର ଉକୁଟି ଉଠିଲା କ୍ଷୀଣ ହସ ଗାରେ । ଚିକ୍‌ଚିକ୍‌ ହୋଇଉଠିଲା ତା ଆଖିର ତାରା ଦୁଇଟି ।

 

ସରୋଜିନୀଙ୍କ ଆଖିରେ କିନ୍ତୁ ଜଳୁଛି କ୍ରୋଧର ବହ୍ନି । ଚିରିଲା ଚିରିଲା ଆଖିରେ ସେ ଚାହିଁରହିଛନ୍ତି ନିର୍ବୋଧ ଝିଅଟାର ହସ ହସ ମୁହଁଟାକୁ । ସର୍ବାଙ୍ଗ ଜଳିଯାଉଛି ତାଙ୍କର । କିଛି ସମୟ ପରେ ମୁହଁ ବୁଲାଇନେଇ ସେଠୁ ସିଏ ଚାଲିଗଲେ । ମାଧବୀ ଜାଣେ, ବୋଉ କେବେହେଲେ ଆଜି ଆଉ କାନ୍ଦିବନି । ପରମ ଶାନ୍ତିରେ ଦୁଇ ଆଖିପତା ମୁଦି ହୋଇ ଆସିଲା ତାର । ଏସବୁ କଥା ହେଲାଣି କାହିଁ କେତେ ଦିନ ତଳର । ତଥାପି କାଆଲି ପରି ଲାଗୁଛି ।

 

ତା’ପରେ ଚୌଧୁରୀ ପରିବାରକୁ ଆସିଛି ଆହୁରି ଗୋଟିଏ ପୁଅ, ଆହୁରି ଗୋଟିଏ ଝିଅ-। ସେ ଘରକୁ ସୁନ୍ଦର କରି ଦେଇଛି ସୁଚରିତା ନାମର ଗୋଟିଏ ଅଜଣା ଝିଅ । କରିଦେଇଛି ସମସ୍ତିଙ୍କ ଜୀବନକୁ ଧନ୍ୟ ।

 

ଆଉ ତା ବୋଉ ? ସେ କିନ୍ତୁ ତିଳତିଳହୋଇ ନିଃଶେଷ ହୋଇଯାଇଛି । ଶେଷ ତିନି ବର୍ଷ । ସିଏ ନିଜେ ବି କଣ କମ୍‌ କଷ୍ଟ ପାଇଛି ? କକାଠୁ ବୋଉ ଭିନ୍ନେ ହୋଇଗଲା, ଝିଅର ଭଲଚାହିଁଲା । ସେଇ ରାଗରେ ଲଳିତା ଖୁଡ଼ୀ ବାଡ଼ପକାଇଦେଲା ଅଗଣା ମଝିରେ । ଏ ଘରକୁ ଆଉ ଆସିବାକୁ ଦେଲାନି କୁନାକୁ । ମାଧବୀ ପାଖକୁ ଆସିବାପାଇଁ କୁନା ଅଝଟ ହେଲେ ନିର୍ଘାତିଆ କରି ଖୁଡ଼ୀ ତାକୁ ବାଡ଼େଇଛି । ଗଳାରେ ବିଷଗୋଳି କହିଛି—ନାନୀ ? କି ନାନୀରେ ? ନାନୀ ତୋର କୁଆଡ଼ୁ ଆସିଲା, ତୁଇ ତ ମୋର ବଡ଼ ।

 

ଛାତିରେ ଛୁରୀ ଚାଲିଯାଇଛି ମାଧବୀର । ଆଖିଫାଟି ଝରିଆସିଛି ଲୁଣିପାଣିର ଧାରା । ସେଇ ଭାଇଟା ଯେ ତାର କଣ ଥିଲା, ସେକଥା କିଏ ଆଉ ଜାଣିବ ? ତା ଭିତରର ସବୁ ଶୋକର ସାନ୍ତ୍ୱନା ଥିଲା ସେଇ କୁନା । ଦୁନିଆଁ ଭୁଲୁଥିଲା ସିଏ କୁନାକୁ ଛାତିରେ ଜାକି ।

 

ମନ ଦିନେ ଦିନେ ସମ୍ଭାଳେନି । ବାଡ଼ସନ୍ଧିରୁ ମୁହଁ ଗଳାଇ କରୁଣ କରି ଡାକେ–ଖୁଡ଼ି..... ‘ଓ’ କରେନି ଲଳିତା ।

 

ଧାଇଁଆସେ କିନ୍ତୁ କୁନା । ଛଳଛଳ ଆଖିରେ କହେ—ବୋଉ ଦୁଆର ଖୋଲୁନି ନାନୀ, ମୁଁ ତୋ ପାଖକୁ ଯିବି ।

 

ଆକୁଳ ହୋଇଉଠେ ମାଧବୀର ଅନ୍ତରାତ୍ମା ।

 

ଧାଇଁଆସେ ଲଳିତା । ପୁଅର ହାତଧରି ଶୁଖିଲା ଗଳାରେ କହେ—କେତେ ବେଳ ହେଲାଣି ଦେଖିଲୁ ? ଭୋକ କରିବଣି, ଗାଧୋଇବୁ ଆ, ତା’ପରେ ହଠାତ୍‌ ମାଧବୀକୁ ଦେଖିପକାଇଲାପରି କହନ୍ତି—ଖାଇଲାଣି ?

 

ଖୁଡ଼ି ଅଦ୍‌ଭୁତ । ମୁହଁ ଲୁଚାଇ ଲୁଚାଇ କହିଯାଆନ୍ତି ଅନେକ କଥା, ଆଉ ଆଖିରେ ଆଖି ପଡ଼ିଗଲେ ବଦଳିଯାଆନ୍ତି ସିଏ । ସ୍ୱର ଲମ୍ବାଇ କୁଶଳ ପ୍ରଶ୍ନ କରନ୍ତି ।

 

ମାଧବୀ କରୁଣ ଗଳାରେ କହେ—କୁନାକୁ କାହିଁକି ଭିଡ଼ି ଭିଡ଼ି ନେଇଯାଉଛ କହିଲ ? ବୋଉ ଭିନ୍ନେ ହେଲା, ଦୋଷ କଲା । ଯାହା କହିବାର ତାକୁ କୁହ, ତାକୁ କର । ହେଲେ ମୁଁ କି ଦୋଷ ତୁମର କଲି ଯେ, ତୁମେ ଅଗଣା ମଝିରେ ବାଡ଼ଦେଇ ମୋ’ଠୁ ଅଲଗା କରିଦେଲ କୁନାକୁ ?

 

ଓଠ ଲମ୍ୱେଇ ହସେ ଲଳିତା । ସ୍ୱର ଲମ୍ଭେଇ କହେ—ଦେଖ, କୋଉ କଥାରୁ କୋଉ କଥା । ଦୁଆର ମୁହଁରେ ପୋଖରୀଟା ବୋଲି ମୁଁ ପରା କୁନାକୁ ଦୁଆର କିଳି ରଖୁଛି । ଆଉ ଯୋଉ କହିଲ ଯେ ବୋଉ ଦୋଷ କରିଛି—କି ଦୋଷ ? ଯୁଗଧରି ତ ଭାଇ ଭାଇ, ଠାଇଁ ଠାଇଁ—ଯାହା କରିବା କଥା ସେଇଆ କଲେ । ଦୋଷ କରିବେ କାହିଁକି ?

 

ଭ୍ରୂକୁଞ୍ଚିତକରି ମାଧବୀ ରୁଦ୍ଧ ଗଳାରେ ପଚାରିଲା–—ତୁମେ ତେବେ ବାଡ଼ଦେଲ କାହିଁକି-? କୁନାକୁ ମୋ ପାଖକୁ ଛାଡ଼ୁନ କାହିଁକି ଶୁଣେ ?

 

ଓଠ ପ୍ରସାରି ହସିଲେ ଲଳିତା । କହିଲେ—କାମଟାକୁ ପୂରା ତୁଟାଇ ଦେବାପାଇଁ ବାଡ଼ ଦେଇଦେଲେ । ଜାଣିକରି ସବୁ ହେଉଛି ତ, ହେଇଯାଉ ଆଉ କଣ ? ଫେରେ ଗୋଟେ ଅଡ଼ୁଆ ରହିବ କାହିଁକି !! ଆଲୋ ମା, ଅଗଣାରେ ବାଡ଼ ପଡ଼ିଲେ କଣ ମନରେ କିଏ ବାଡ଼ ପକାଇପାରିବ-? ହେଇ ପରା—ମାସକ ତଳେ କୁଆଁର ପୂନିଅଁ ଗଲା ଯେ କକା କଣ ତୋ ପାଇଁ ଶାଢ଼ି ଆଣିବାକୁ ଭୁଲିଲେ ? ଆଉ କୁନା କଥା । ହେଇଟି ମାଆ ମ, ଗେଲବସର ହୋଇ ଅତି ମୁହଁବଢ଼ା ହୋଇଯାଉଛି । ତାକୁ ଟିକିଏ କଡ଼ା ଶାସନ ଦରକାର । ଦେଖୁ ଦେଖୁ ଛଅବରଷର ହେଲା–ଅଥଚ ଅକ୍ଷର ଛଅଟି ବି ଚିହ୍ନିଲା ନାହିଁ । ସେଇଥିପାଇଁ; ନହେଲେ ଆଉ କଣ କଥା ଅଛି କହ-?

 

ଖୁଡ଼ୀ ସାଥିରେ ଯୁକ୍ତିକରି କେହି ଲାଭ ପାଇନାହାନ୍ତି, କି ସେ ବି ପାଇବନି । ବାଡ଼ ଛାଡ଼ି ତଳକୁ ମୁହଁ ପୋତି ଠିଆହେଲା ମାଧବୀ । ସରୋଜିନୀ ମୁହଁ ଥମ୍‌ଥମ୍‌ କରି ଓହ୍ଲାଇ ଆସିଲେ ଅଗଣାକୁ । ମାଧବୀର ଡେଣା ଧରି ଟାଣିନେଇଗଲେ ଘରଭିତରକୁ । ଫିସ୍‌ ଫିସ୍‌ ଗଳାରେ କହିଲେ–ଆଲୋ ହେ, ସେ କଅଁଳକହୀ ପାଖରେ ତୁ କିଆଁ ଯାଇ ନିଉନ ହୋଇ ଠିଆହୋଇଥିଲୁ-? ଜମିବାଣ୍ଟକରି ନେଇଆସିଲି ବୋଲି ତାର ଜୀବନ ଛାଡ଼ିଯାଉଛି । ଆଉ ସେ....’’

 

ଖିଙ୍କାରି ଉଠିଲା ମାଧବୀ । ଗଳାରେ କ୍ରୋଧଭରି କହିଲା—ତତେ କିଏ କହିଲା ଲୋ ଜମି ବାଣ୍ଟ କରିବାକୁ ? କାହିଁକି ତୁ ସେ କାମ କରୁଥିଲୁ ? ଆଜି ଅଛୁ, କାଲିକି ନାହୁଁ—ତୋର କାହିଁକି ଏତେ ଚିନ୍ତା ? ତୁ ମଲେ ତ ମୋର ଗୋଟେ ପେଟ । ସେଇ କୁନା ମୁନାଙ୍କର ସେବାକରି ଚଳିଯାଇ ନଥାଆନ୍ତି କି ? କଣ ହବ ଜମିବାଡ଼ି ମୋର ? ସତରେ କେଡ଼େ କୁଟୁକୁଟିଆ ମନଲୋ ତୋର–ଛିଃ ।’’

 

ବ୍ରହ୍ମତାଳୁରେ ନିଆଁ ଲାଗିଲା ସରୋଜିନୀଙ୍କର । ଦାନ୍ତ ଭିଡ଼ି ଧୀରେ ଧୀରେ କହିଲେ–‘‘ମରିଯାଉଥାଏ, ମରିଯାଉଥାଏ । କେଡ଼େ ସୁନ୍ଦର ଓସାରିଆ ମନଲୋ, ମୋ ଝିଅର-! ମୁଁ ମଲାପରେ ଇଏ ସେବା କରିବ କୁନା-ମୁନାର; ପୋଇଲୀ ପଣିଆ କରିବ ଝିଅ ମୋର ! ଏଇଥିପାଇଁ ମୁଁ ଜନ୍ମଦେଇଥିଲି ? ଏଇଥିପାଇଁ ମୁଁ କ୍ଷୀର ସର ଖୋଇ ବଢ଼େଇଥିଲି ? ତୋ ମୁହଁକୁ ଲାଜ ନାଇଁଲୋ ? ଭଗାରି ଘରେ ଦାସୀ ହୋଇ ରହିବାକୁ ମନ କରୁଚୁ ? କାହିଁକି ବା–ଯେତିକି ଅଛି, ସେତିକିରେ ତୁ ତ ହୁହାକରି ଖାଇ ଚଳିଯିବୁ ଭଲରେ ମନହେଲେ ଫୁଟାଇବୁ; ନ ହେଲେ ନାହିଁ, ପଖାଳ ତୋରାଣି ଖାଇ ବସିବୁ–ଆରାମରେ ଗୋଡ଼ ଲମ୍ୱାଇ । ଇଆ ହାତକୁ ତା’ ହାତକୁ କିଆଁ ଚାହିଁଥିବୁ ତୋରାଣି ଢୋକକ ପାଇଁ ? ମଲାମୋର କି ତୋ ବୁଦ୍ଧି; କହିଲା କଣନା ମୋର ପୁଣି କୁଟୁକୁଟିଆ ମନ ! ଆଲୋ ହେ—ତୋରିପରି ଉଦାରି ହେଲେ ଭିକ ମାଗିଯିବି ସାଇ ସାଇ-।’’

 

କଥା ସାରି ଶେଷ ଆଡ଼କୁ କାନ୍ଦି ତୁନି ତୁନି ବାହୁନି କହିଲେ—ହା’ରେ ବିଧାତା, ଏଇଟାକୁ କୁଆଡ଼ୁ ଆଣି ଥୋଇଲୁ ମୋରି କୋଳରେ । ବୁଦ୍ଧି ବୋଲି ପାହୁଲାକର ନାହିଁ । କେମିତି ଏଇଟା ଚଳିବ ଏ ସଂସାରରେ !! ନାହିଁ ନାହିଁ ବୋଲି ତ ଦେଇଥିଲି ଦଶ ଭରି ସୁନା । ଗାଡ଼ିରେ ଗାଡ଼ିଏ କଂସା ବାସନ । ସେ ଗୁଡ଼ାକ ତ ତୋର, ତୁ ଆସିଲାବେଳେ ଜବରକରି ନେଇ ଆସନ୍ତୁନି ? ସେଇଆକୁ ବିକି ଭାଙ୍ଗି ଖାଇଲେ ତୋର ତ ଚଳିଯାଆନ୍ତା କେତେ ଦିନ । ସେମାନେ ତ କେଡ଼େ ସୁନ୍ଦର କହୁଥିଲେ—ଚାଲ ଗାଡ଼ିରେ ନେଇ ଛାଡ଼ିଆସିବୁ । ତୁ ବି ସାଙ୍ଗେ ସାଙ୍ଗେ କହିଥାଆନ୍ତୁ—ହଉ, ତେବେ ଦେଇଦିଅ ମୋ ଜିନିଷତକ । ସେକଥା ନାହିଁ, ମିଜାଜ ଦେଖେଇ ଝିଅ ଆସିଲେ ଢଙ୍ଗଢ଼ଙ୍ଗ ହୋଇ । ଏଇନେ ପୁଣି ମନ କଲେଣି ଭଗାରି ଘରେ ପୋଇଲୀ ହେବାକୁ । କି କପାଳରେ ମୋର ଏ..........

 

ସତରେ କପାଳରେ ହାତ ଚାପୁଡ଼ିଲେ ସରୋଜିନୀ । ଏହା ଦେଖି ଆଖି ଦୁଇଟା ଛୋଟ ହୋଇଗଲା ମାଧବୀର । ସେଇ ଆଖିରେ ଜଳିଉଠିଲା ଛୋଟ ଦୁଇଟି ଅଗ୍ନି କଣିକା । କୁଞ୍ଚିତ ହୋଇଗଲା ତାର ନାକର ଚମଡ଼ା । ତକ୍ତପୋଷ ଉପରୁ ଓହ୍ଲାଇପଡ଼ି ପାଦ କଚାଡ଼ି କଚାଡ଼ି ଘରୁ ବାହାରି ଯାଉ ଯାଉ କହିଲା—ମଲା ମୋର କାନ୍ଦ ! ଅଲାଜୁକୀଟା, ଲୋଭୀଟା ୟାକୁ ସରମ ଲାଗୁନି ଯେ, ,ଇଏ ସୁନା କଥା, ବାସନ କଥା ମନେ ପକାଉଛି ବସି, ଛିଃ ।

 

ଚଟ୍‌କିନା ଆଖିରୁ ନାକରୁ ଲୁହ ସିଂଘାଣୀ ପୋଛି ସରୋଜିନୀ ଚୋବେଇ ଚୋବେଇ କହିଉଠିଲେ—ଆଲୋ ହେ ଝିଅ, ମୁଁ ମଲା ବାସୀଦିନ ଲାଜ-ସରମକୁ ଧୋଇ ପାଣି ପିଉ....ଉ....ଉ....ଥିବୁ । ଦେଖିବୁ ରହ । ଏଇ ଦାସୀ କଥା ଯେତେବେଳେ ବାସୀ ହୋଇଯିବ, ସେତେବେଳେ କେଡ଼େ ମିଠା ଲାଗିବ । ମନେପକଉଥିବୁ ଲୋ ଝିଅ, ମନେ ପକଉଥିବୁ । ମୁଁ ଯେ ପର୍ଯ୍ୟନ୍ତ ଅଛି ସେ ପର୍ଯ୍ୟନ୍ତ ଆଣ୍ଟକରି ଭିଡ଼ିଧରିଥା ଲାଜର ଲାଙ୍ଗୁଡ଼କୁ । ହୁଃ, କଂସା କଥା, ସୁନା କଥା, ଯେମିତି ମୋରି ପାଇଁ ମୁଁ କହୁଚି.......

 

ତାଙ୍କ କଥାର ଉତ୍ତର ଦେବାକୁ ମାଧବୀ ସେଠି ତ ଆଉ ନଥିଲା । ତେଣୁ ଗାରୁଗାରୁ ହୋଇ ସେଠୁ ଉଠିପଡ଼ିଲେ ସରୋଜିନୀ । ଘରର ଟୁକ୍‌ଟାକ୍‌ କାମ ସାରିଲେ । ତା’ରି ଭିତରେ ମନେପଡ଼ିଲା ଝିଅର ମାୟାମୟ ମୁହଁଟା । ମନଟା ଘାଣ୍ଟି ହୋଇଗଲା, ଆହା—ଗାଳିଦେଲେ ! କୋଉଠି ଯାଇ ମୁହଁ ଶୁଖାଇ ଠିଆହୋଇଥିବଟି ଝିଅଟା । ହାତର କାମ ଫୋପାଡ଼ି ଦେଇ ଦାଣ୍ଡଦୁଆରକୁ ବାହାରିଆସିଲେ ସିଏ । ମଲା ଯାଆ..... ଝିଅ କୁଆଡ଼େ ମୁହଁ ଶୁଖାଉଛି ! କୁନାଟାକୁ ଛାତିରେ ଜାକି ହସହସ ମୁହଁ ନେଇ କଣ ସବୁ ପଚାରିଯାଉଛି । କାହାଣେ କି ପଣେ । ଆଖି ଦୁଇଟାକୁ ଏଣେତେଣେ ବୁଲାଉ ବୁଲାଉ ସେ ଟୋକା ବି କେତେ କଣ କହିଯାଉଛି ବଜର-ବଜର ହୋଇ ।

 

ବୋଉକୁ ଦେଖିଲାମାତ୍ରେ ଗଳାରେ ଉଲ୍ଲାସଭରି ମାଧବୀ କହିଉଠିଲା—ଶୁଣିଲୁଣି ବୋଉ, କେତେ ବୁଦ୍ଧି ମୋର ଏଇ କୁନାର ! ଆଲୋ ଦାଣ୍ଡଦୁଆର ମୁହଁରେ ଟୋକେଇଟେ ଉବାଡ଼ି ତାରି ଉପରେ ଚଢ଼ି ଶିକୁଳି ଖୋଲି ପଳାଇଆସିଛି । ପଚାରିଲି—ଏମିତି କରି କାହିଁକି ଆସିଲୁ ? କହୁଛୁ କଣ ଜାଣିଚୁ ? କହୁଛି ତତେ ଦେଖିବାକୁ ମନହେଲା । ବୋଉ ଛାଡ଼ୁନି । କହୁଛି ସେଠିକି ଯାଆନ୍ତିନି, ସିଏ ଆମର ଶତ୍ରୁ । ତୁ କୁଆଡ଼େ ଆମର ଶତ୍ରୁ ? ଶତ୍ରୁ କଣ ଲୋ ନାନୀ ? ଦେଖିଚୁ ବୋଉ, ଶତ୍ରୁ କଣ ମୁଁ ତାକୁ କେମିତି ବୁଝାଇବି—କହିଲୁ ? ଖୁଡ଼ୀଟା ସତେ କଣ ମ !!

 

ନାକପୁଡ଼ା ଫୁଲିଉଠିଲା ସରୋଜିନୀଙ୍କର । କହିଲେ—କାହିଁକି ? ତାକୁ କିଛି ଗୋଟାଏ ବୁଝାଇବାକୁ ତୁ କଣ ବାଧ୍ୟ ? ତାକୁ ପିଣ୍ଡା ତଳକୁ ଓହ୍ଲାଇ ଦେଇ ଘରେ ପଶି କବାଟ କିଳିଦେଉନୁ ।

 

ବୋଉ.... ଉ.... ଉ.... ଗୋଟିଏ କ୍ଷୀଣ ଆର୍ତ୍ତନାଦ ବାହାରିଆସିଲା ମାଧବୀ କଣ୍ଠରୁ । ବୋଉ ଆଖିରେ ଆଖି ରଖିଲା ସିଏ । ବିବର୍ଣ୍ଣ ହୋଇଗଲା ତାର ସାରାମୁହଁ, ଭିଜା ଭିଜା ଗଳାରେ କହିଲା—ତୁ କେଡ଼େ ନିଷ୍ଠୁର ହୋଇଯାଉଚୁ ବୋଉ ? କୁନାକୁ ନେଇ ଏମିତି କଥା ବାହାରୁଚି ତୋ ପାଟିରୁ ?

 

ପୁଣି ଦାନ୍ତରେ ଦାନ୍ତ ଚାପିଲେ ସରୋଜିନୀ । ଗଳାରେ ବିଷ ଗୋଳି କହିଲେ—ଆଲୋ ହେ ଭାଇସୁଆଗୀ, ମୁଁ ତାଙ୍କର କଣ କରିଥିଲି ? କଣ କରିଥିଲି ମ ? ସବୁ ମା’ ସବୁ ଛୁଆର ଭଲ ଦେଖନ୍ତି । ମୁଁ ବି ମୋ ଛୁଆର ଭଲଦେଖିଲି । ମୁଁ ବଞ୍ଚିଥାଉ ଥାଉ ମୋ ଛୁଆ ପାଇଁ ମୁଁ କାଢ଼ିନେଲି ମୋ ଗଣ୍ଡାକ, ହେଲେ ତାଙ୍କ ଭାଗରେ ତ ହାତ ଦେଇନି ? ଆଉ ତା ପୁଅକୁ ସେ ଆମ ସାଥିରେ ଚିହ୍ନା କରାଇଦେଇଛି ଆମେ ତାର ଶତ୍ରୁ ବୋଲି । କାହିଁକି ବା, କି ଶତ୍ରୁତା ଆମେ କଲୁ ତା ସାଥିରେ-?

 

ଭାଇକୁ କୋଳରୁ ଓହ୍ଲେଇଦେଇ ମୁଣ୍ଡପୋତି ବସିରହିଲା ମାଧବୀ । ବୋଉର ଜ୍ୱାଳାକୁ ଅସ୍ୱୀକାର କଲାନି ମନ ତାର ।

 

ଆଜି ଆଉ ନାହିଁ ତାର ସେଇ ବୋଉ । ନାହିଁ ସେଇ ଛୁଆ-ଆଗୋଳି ବାଘୁଣୀ, ସେଇଥିପାଇଁ ତାକୁ କଲବଲ କଲେ ସମସ୍ତେ । ଆହା, ଦଶବର୍ଷ ଧରି ଭିତରେ ଭିତରେ ଯମ ଯନ୍ତ୍ରଣା ପାଇଛି ସିଏ, ଦିନକୁ ଦିନ ଶୁଖିଯାଇଛି ତାର ପଳପଳ ରକ୍ତ । ଶୁଖିଯାଇଛି ତାର ମାଉଁସ । ନୋଚାକୋଚା ହୋଇଯାଇଛି ତାର ଦେହର ଚମଡ଼ା । ତା ଜୀବନ—ଦୀପର ତେଲ କେତେବେଳ ଯେ ଧୀରେ ଧୀରେ ନିଃଶେଷ ହୋଇଯାଉଛି ସେ କଥା ଆଉ ଜାଣିପାରିନି ମାଧବୀ । ଅନେକ ସହି ସହି ଶେଷରେ ଶେଷ ତିନିମାସ ବିଛଣା ଧଇଲା । ଖୁଡ଼ୀ ଆସି କଅଁଳେଇ କହିଲେ—ବୋଉ ଆଗ, ନା ଜମି ଆଗ, ସବୁ ବିକିଭାଙ୍ଗି ବୋଉକୁ ଡାକ୍ତର ଦେଖା ମାଧୁ !

 

ମୁଣ୍ଡରେ ବୁଦ୍ଧି ପଶିଥିଲା ମାଧବୀର । ଆଖିରେ କୃତଜ୍ଞତାଭରି ସେ ଚାହିଁରହିଥିଲା ଖୁଡ଼ୀର ବୁଦ୍ଧିଦୀପ୍ତ ଉଜ୍ଜ୍ୱଳ ସୁନ୍ଦର ମୁହଁଟିକି । ପରେ ଅସହାୟ ଗଳାରେ କହିଥିଲା—ହେଲେ ଖୁଡ଼ୀ, କାହାକୁ ଜମି ବିକିବ ? କିଏ ଜମି ନବ ? ଏ ସବୁ କୁଆଡ଼େ ଯାଇ ମୁଁ ବୁଝିବି କହିଲି ।

 

ସ୍ମିତ ହସି ଲଳିତା ସେଦିନ କହିଥିଲେ—କଥାଟିଏ କହିବି ମାଧୁ, କିଛି ମନେକରନା । ଜମିକଥା କହିବାକୁ କୁଆଡ଼େ କାହିଁକି ଯିବୁ—ସବୁ ଲେଖିଦେ ତୋ କୁନା ମୁନା ନାଁରେ । ଯେତେ ଟଙ୍କା ଲାଗିବ ବୋଉପାଇଁ ସବୁ ମୁଁ ଦେବି, ତା’ପରେ ଗଲାକଥା ଯାଉ । ଆଉ ଆମେ ଭିନ୍ନେ ହେବାନି । ଏଇ ତ ଯୋଉ ବୋଉ ପଡ଼ିଲା, ସେଥିରେ ତୋର ଆଦାୟ ଅସୁଲ କିଏ କଲା—ସେଇ କକା ତ ? ସେ କଥା କିଛି ବଡ଼ କଥା ନୁହେଁ । ତାଙ୍କର କରିବା କଥା ସେ କଲେ । ହେଲେ—ବୋଉ ଥାଉ କି ଯାଉ, ମାଇକିନିଆ ଝିଅଟେ ତୁ, କଣ ଦାଣ୍ଡକୁ ଯିବୁ ? ସବୁ କରିବେ କକା । ତୋର କାମ ହେଲା, ଖାଇବା ପିନ୍ଧିବା; ତେଣୁ ତୋ ନାଆଁରେ ଜମିବାଡ଼ି ରହିବାରେ କୌଣସି ମାନେ ନାହିଁ-

 

ଖୁଡ଼ୀର ଏତେ କଥାକୁ ମାଧବୀ ବୁଝେନି । ବୋଉର ଚିକିତ୍ସାପାଇଁ ଟଙ୍କା ମିଳିବ ଏବଂ ସେ ଟଙ୍କା ଖୁଡ଼ୀ ଦେବ—ଏଇ କଥାପଦକ ମାଧବୀ ପାଖରେ ଲକ୍ଷେଟଙ୍କା । ଜମି ତା ନାଆଁରେ ରହିଲା କି କୁନା ନାଆଁରେ ରହିଲା, ସେଥିରେ କିଛି ହେଲେ ତାର ଯାଏଆସେନି । ଗୋଟିଏ ନିଶ୍ଚିନ୍ତତାରେ ଉଜ୍ଜ୍ୱଳିଉଠିଲା ମାଧବୀର ମୁହଁଟି । ଅଲରା ମଥାରେ ହାତ ବୁଲାଉ ବୁଲାଉ ବୋଉ ପାଖକୁ ଫେରିଆସୁଥିଲା ସିଏ ।

 

ସ୍ୱର ଲମ୍ୱେଇ ଖୁଡ଼ୀ ଡାକିଉଠିଲେ—ମାଧୁ....ଉ.... । ଫେରି ଚାହିଁଲା ମାଧବୀ । ଖୁଡ଼ୀ ପାଖେଇଆସି ଫିସ୍‌ଫିସ୍‌ କରି କହିଲେ—ମାଧୁ, ଗୋଟିଏ କଥା । ଏଇ ଜମିକଥା ଶୁଭ ଯେମିତି ମୋଟେ ନ ଜାଣେ । ମାନେ, ମାନେ ସିଏ ଯେତେହେଲେ ପର । ସେ କାହିଁକି ଜାଣିବ ଆମ ଘର କଥା ?

 

ବୋଉ ବିକଳ ହୋଇ କୁନ୍ଥଉଛି । ତରତର କଣ୍ଠରେ ମାଧବୀ କହିଉଠିଲା—ନାହିଁମ, କିଏ କାହିଁକି ଜାଣିବ ? କିଏ ଦବ ନା ନବ ?

 

ଖୁଡ଼ୀ ପ୍ରଶାନ୍ତ ହସ ହସି କହିଲେ–ସେଇ କଥା ଲୋ ଝିଅ, ଘର ଭାଙ୍ଗିବାକୁ ସମସ୍ତେ—ଯୋଡ଼ିବାକୁ କିଏ କହ ?

 

ସତକୁ ସତ ଶୁଭଭାଇ ଦିନେ ଧୀରେ ପଚାରିଥିଲେ—ଏଇ ଯେଉଁ ସବୁ ଡାକ୍ତର ବୈଦ୍ୟ ଆଣୁଚୁ, ତାର ଫିସ୍‌ ଆଉ ଔଷଧର ଦାମ୍‌ ଏସବୁ କୁଆଡ଼ୁ କରୁଚୁ କହିଲୁ ?

 

ଛୋଟକରି ହସିଥିଲା ମାଧବୀ—କହିଥିଲା, ଏଇ ବୋଉଟିକୁ ମୋର ଊଣା ଭାବିଛ କି ଶୁଭଭାଇ ? ଚାରି—ପାଞ୍ଚଟା ସରା ଗାତ କରି ବେଶ୍‌ କିଛି ଟଙ୍କା ଜମାଇଥିଲା ସିଏ, ଆଉ ବାକି ଖୁଡ଼ୀ ବି କିଛି କମ୍‌ ସାହାଯ୍ୟ କରୁନାହାନ୍ତି ।

 

ଖୁଡ଼ୀ ! ସାହାଯ୍ୟ ! —କଥା ଦୁଇପଦ ଶୁଭେନ୍ଦୁର ବିସ୍ମୟ ବିମୂଢ଼ ଗଳାରୁ ବାହାରି ଆସିଥିଲା । ଭ୍ରୂକୁଞ୍ଚିତ କରି ମାଧବୀର ମୁହଁକୁ କ୍ଷଣେ ଚାହିଁଥିଲା ଶୁଭେନ୍ଦୁ । ଔଷଧ ଗୋଳିବାର ବାହାନାକରି ତଳକୁ ମୁହଁ ପୋତିଥିଲା ମାଧବୀ ।

 

ତାରି ଭିତରେ ଆସିଲେ ଦିନେ ଖୁଡ଼ୀର ମୋହରୀର ଭାଇ । ଖଣ୍ଡିଏ କାଗଜ ତା ଆଡ଼କୁ ବଢ଼ାଇ ଦେଇ କହିଲେ—ଏଥିରେ ଗୋଟାଏ ଦସ୍ତଖତ ମାରିଦେ ତ ମା !

 

ମାଧବୀ ମୂର୍ଖ ନୁହେଁ । ଖୁଡ଼ୀ ଜାଣନ୍ତି ଏକଥା ତେଣୁ ପୋଖରୀ, ଘରଡ଼ିହ, ନଡ଼ିଆ ଗଛ ଏ ସବୁକଥା ବାଦ୍‌ଦେଇ କେବଳ ସେ ଲେଖାଇଛନ୍ତି ଜମି ତିନିମାଣ କଥା । ମନେ ମନେ ନିଶ୍ଚୟ ସେଦିନ ସିଏ ଠିକ୍‌କରି ନେଇଥିବେ—ହଁ ମ, ଚକେଗଲେ ବାରହାତ । ଘର ଆଉ ପୋଖରୀ କଣ କୁଆଡ଼େ ପଳାଉଛି । ନା, ଉପୁଡ଼ି ପଡ଼ୁଛି ଏଇନେ ନଡ଼ିଆଗଛଗୁଡ଼ାକ ?

 

କାଗଜରେ ସେଦିନ ଆଖି ବୁଲାଇନେଇଥିଲା ମାଧବୀ । ମନଟା ଟାଣି ହୋଇଥିଲା ତାର । ଜମା ଶହେଟଙ୍କା ଖୁଡ଼ୀ ଦେଇଛନ୍ତି, ଅଥଚ ଏକାଥରେ ଲେଖାଇ ନେଉଛନ୍ତି ତିନିମାଣ ଯାକ ଜମି ! ମୁହୂର୍ତ୍ତକ ଲାଗି ହାତଟା ଥମକି ଯାଇଥିଲା ମାଧବୀର । ଛାତି ତଳୁ ଉଠିଆସୁଥିଲା ଲମ୍ୱା ଗୋଟିଏ ନିଃଶ୍ୱାସ । ସେଇ ନିଃଶ୍ୱାସକୁ ଚାପି ଚାପି ପଦାକୁ ଛାଡ଼ିଥିଲା ସିଏ । କାଗଜଟାରେ ଦସ୍ତଖତ କଲା ପରେ ଆଖିକୋଣରେ ତାର ପାଣି ଜମିଆସିଥିଲା ଓ ନିମିଷକେ ମୁହଁ ବୁଲାଇ ସେଠୁ ପଳାଇଆସିଥିଲା ।

 

ସେଇଦିନ ପୁଣି ଔଷଧପାଇଁ ପଚାଶଟଙ୍କା ଦେଇଥିଲେ ଖୁଡ଼ୀ । ତାଙ୍କରି ହାଣ୍ଡିଶାଳରୁ ଭାତ ତରକାରି ଆଣି ତାକୁ ଖୁଆଉଛନ୍ତି ବୋଉ ବିଛଣା ଧରିଲା ଦିନଠୁ । ହୁଏତ ଚିରଦିନ ଧରି ସେଇ ହାଣ୍ଡିଶାଳରୁ ସିଏ ଭାତ ଖାଇବ; ହଉ ନିଅନ୍ତୁ ଖୁଡ଼ୀ ଜମି—ସିଏ ନିଅନ୍ତୁ । ନହେଲେ କୁନା ମୁନା ନେବେ । ଏଇ ଘରର ପୁଅ ତ ସେମାନେ । କିଛି ପର ତ ନୁହନ୍ତି, ତେବେ ?

 

ତଥାପି ଆଖିରୁ ପାଣି ଗଡ଼ପଡ଼ିଲା ମାଧବୀର । ଉଃ, ଏଇ ଜମି ପାଇଁ ଦିନେ ବୋଉ କଣ କରି ନ ଥିଲାଟି ? କାଳେ ତା ଝିଅ ଖାଇବାକୁ ନ ପାଇ ଦାଣ୍ଡରେ ବସିବ, ତେଣୁ ଭିନ୍ନେ ହୋଇଗଲା ତରତର ହୋଇ । ସବୁ କରିଦେଲା ତା’ରି ନାଆଁରେ—ସେ ମଲାପରେ କାଳେ ଖାଇଯିବେ କକା ଖୁଡ଼ୀ ! ଆହା, ଭଲ ହୋଇ ସେ ଯଦି ଜାଣେ, ତା ଜମିକଥା ତେବେ କଣ ନ ହେବଟି ? କଣ ହେବ ? ହସିଲା ମାଧବୀ । ବାଘୁଣୀ ସିଏ, ନିଶ୍ଚେ ତାଙ୍କ ଟଙ୍କା ସୁଝି ଜମିତକ ଫେରାଇ ଆଣିବ । ହେଲେ ସର୍ବପ୍ରଥମେ ତାକୁଇ ପିଟି ପିଟି ଆଗ ଦରମରା କରିଦେବ । ବେଳେବେଳେ ତାର ଏଇ ଜମିକଥା ମନେପଡ଼ିଯାଏ ଖୁଡ଼ୀର ଜାଲିଆତି କଥା କହିବାର ଢଙ୍ଗ ଦେଖି । ବେଳେବେଳେ ଖୁଡ଼ୀ ଆସି କହେ—ହସିଲା କଣ୍ଠରେ—ଜମିଯାକ ତ ସବୁ ବିକିଦେଲ—ବୋଉ ଭଲହେଇ ଉଠିଲେ, କଣ କହିବେ ? ଆଉ ମୁଁ ସିନା ଡରିକରି ଡାକ୍ତର ବୈଦ୍ୟ କଥା କହିଲି–ହେଲେ ଏଇ ବୁଢ଼ା-ହଡ଼ା ମଣିଷଙ୍କ ପରି ପଇସା ସାରି ଏତେ ଡାକ୍ତର ବଇଦ କେହି କରନ୍ତିନି-। ପାଚନ ପାଣି ଟିକିଏ ହେଲେ ଢେର୍‌ । ନିଷ୍ପଲକ ଆଖିମେଲି ମାଧବୀ ଚାହେଁ ଖୁଡ଼ୀ ମୁହଁକୁ-। ଦାନ୍ତରେ ଚାପିଧରେ ତଳ ଓଠ କୋଣଟାକୁ । ମନରେ ଘୃଣା ଆସେ ।

 

ଖୁଡ଼ୀ ଏ କଥା କହିବାର ମାସକ ପରେ ବୋଉ ତାକୁ ଛାଡ଼ି ଚାଲିଗଲା ତା’ ଲାଗି ଏତେ ଟିକିଏ ବି ଲୋଭ ନକରି । ଲୋଭ କରିନି ?? ନା ନା, କରିଛି । ନହେଲେ ମରିବା ଆଗଦିନ ରାତିରେ ସେ ସେମିତି ଆଉଟି-ପାଉଟି ହେଉ ହେଉ ଆକୁଳକଣ୍ଠରେ କାହିଁକି ତୁହାଇ ତୁହାଇ କହୁଥିଲା ଯେ—ହେ ହେ ଶ୍ୟାମ, ମୁଁ ବଞ୍ଚିବିରେ । ମୋର ମୋଟେ ମରିବାକୁ ମନହେଉନି-। ମୋ ମାଧୁ—ତାକୁ ଛାଡ଼ି ମୁଁ ଯିବିନି କୁଆଡ଼େ । ହେ ଶୁଭ, ମତେ ବଞ୍ଚା । ମୋ ମାଧୁ । ତାର କଣ ହେବ ମୁଁ ନଥିଲେ ? ହେ ମାଧୁ, ତୁ ମତେ ଭିଡ଼ିଧରେ—ନ ହେଲେ ଭାସିଯିବୁ ଲୋ ! ହେ ଲଳିତା, ଡାକ୍ତର ଡାକି ମତେ ବଞ୍ଚେଇ ଦେ । ମୁଁ ବଞ୍ଚିବି, ମୁଁ ବଞ୍ଚିବି ଲୋ ! ମତେ ମରିବାକୁ ଭାରି ଡରମାଡ଼ୁଛି-

 

ବୋଉର ସେଇ ଆକୁଳ ଆବେଦନ କେହି ରକ୍ଷାକରି ପାରି ନଥିଲେ । ମୋ ଦୁଃଖିନୀ ବୋଉ ବଞ୍ଚିନଥିଲା । ମରିବାକୁ ସେ ବାଧ୍ୟ ହୋଇଥିଲା ବିଧାତାର ନିର୍ମ୍ମମ ନିର୍ଦ୍ଦେଶରେ ।

 

ଦୁଇମାସ ଧରି ତକିଆରେ ମୁହଁମାଡ଼ି ପଡ଼ିଥିଲା ସିଏ । ଚମ୍ପାପୁର ଚୌଧୁରୀ ଘରୁ ଭାର ବେଭାର ଆସିଥିଲା ବୋଉର ଶୁଦ୍ଧଘରଲାଗି; ସେ ସବୁ ଫେରାଇଦେଇଥିଲା ମାଧବୀ । ଖୁଡ଼ୀ ଧୀର ଗଳାରେ କହିଥିଲେ—କାହିଁକି ଫେରାହେବ ମ ? ସେମାନଙ୍କର ହକ୍ ପଠାଇବା କଥା ।

 

ଭାରଆଡ଼େ ଖୁଡ଼ୀ ଚାହିଁଥିଲେ । ଲୋଭରେ ଜଳଜଳ ଦିଶୁଥିଲା ତାଙ୍କର ଆଖି । ଅସହାୟ ଆଖିରେ ମାଧବୀ ଚାହିଁଲା କକାଙ୍କ ମୁହଁକୁ । କକାଙ୍କ ଆଖିରେ ଫେରାଇ ଦେବାର ଅସ୍ପଷ୍ଟ ଇଙ୍ଗିତ । ସେଇ ଇଙ୍ଗିତ ବୁଝିପାରି ମାଧବୀ ମନରେ ବଳ ପାଇଥିଲା ଓ ଟାଣ ଗଳାରେ ଭାରିଆଙ୍କୁ କହିଥିଲା—ଏ ସବୁରେ ଆମର ପ୍ରୟୋଜନ ନାହିଁ—ନେଇଯାଅ ଏସବୁ । ହେଲେ ସେମାନଙ୍କୁ ଖୁଆଇଥିଲା ପେଟେ ପେଟେ ।

 

ମୁହଁ ମୋଡ଼ିଥିଲେ ଖୁଡ଼ୀ । ଗାରୁ—ଗାରୁ ହୋଇଥିଲେ । ଶୁଦ୍ଧଶ୍ରାଦ୍ଧ ସରିବା ପରେ ମାଧବୀ ଦୁଇମାସ ଧରି ପଡ଼ିରହିଥିଲା ବିଛଣାରେ । ତା ଆଖିପାଣିରେ ସଦାବେଳେ ତିନ୍ତି ରହିଲା ମୁଣ୍ଡତଳ ତକିଆ । ପିଲା, ମାଇପ, ଘର–ସଂସାର ସବୁ ପାଶୋରି ଶୁଭ ବସିରହିଲା ମାଧବୀ ପାଖରେ । ରାତି ବାରଟାରେ ଘରକୁ ଫେରେ । ଦିନେ ଦିନେ ଗୋଟେ ବି ହୁଏ । ମାଧବୀ ଶୋଇ ନ ପଡ଼ିଲେ ସେ ଉଠେନି ମାଧବୀ ପାଖରୁ ।

 

ସେମିତି ସେମାନେ ଦିନେ କଥା ହେଉଥିଲେ—ଅନାବନା । କାନରେ ବାଜିଲା କକା ଖୁଡ଼ୀଙ୍କ କଥା । ଖୁଡ଼ୀ ଗଳାରେ ବିଷଭରି କହୁଛନ୍ତି–କଣ ହେଲା ଜମି ନେଲି ଯେ । କଣ ମାଗଣା ନେଇଛି କି ? ହକ୍‌ ଗଣିଦେଇଛି ମୁଠା ମୁଠା ଟଙ୍କା । ଡାକ୍ତର, ବଇଦ, ଓଷଧ, ଏତେ ସବୁ ଖର୍ଚ୍ଚ କୁଆଡ଼ୁ କଲା ସିଏ ? ଯାହାପାରି ତା ହେଉ, ଆଉ ମୁଁ ତାକୁ ରାନ୍ଧିବାଢ଼ି ଦେଇପାରିବିନି, କି ମୋ ପିଲାଙ୍କ ଧନରେ ମୁଁ ଆଉ କାହାରିକି ଭାଗ ବସାଇ ପାରିବିନି । ଟଙ୍କା ଦେଇ ମୁଁ ଯେତେବେଳେ ଜମି କିଣିଛି, ସେ ଜମି ମୋର । ତେବେ, ତା ବୋଉ ଏ ବର୍ଷ—ହାତଚାଷ କରାଇଥିଲେ ବଡ଼ କଷ୍ଟରେ । ମୁଁ ଅମଣିଷ ନୁହେଁ । ଏ ବର୍ଷର ଫସଲତକ ସିଏ ନଉ । ଆଉ ତ ଦୁଇମାସର କଥା, ଘରେ ତ ତାଙ୍କର ଫସଲ ଭରିଯିବ । ହେଲେ—ଏ ଦୁଇମାସ ସେ ଯେମିତି ପାରେ ସେମିତି ନିଜକୁ ଚଳାଉ ସିନା, ମୁଁ କିନ୍ତୁ ଦି’ଓଳିରେ ଚାରିଥର ବାଢ଼ିଦେଇ ପାରିବିନି କାଲିଠୁ ତା ବ୍ୟବସ୍ଥା ତା’ର ।

 

କକା ମିଁ–ମିଆଁ ଗଳାରେ କହିଲେ—ଦବନି ତାକୁ କାଲିଠୁ ଖାଇବାକୁ ? ଅଲବତ୍‌ ଦବ-। ଫସଲ ସିନା ଦି’ମାସ ପରେ ଉଠିବ, ହେଲେ ଏଇନେ କଣ ଅଛି ସେ ଘରେ ଯେ ସେ ଖାଇବ-? ତମେ ରାନ୍ଧି ନ ଦେଲନାହିଁ, ହେଲେ ତାକୁ ଡାଲି ଚାଉଳ ଦେବାକୁ ବାଧ୍ୟ । ଆଉ ଯୋଉ କହିଲେ, ଏଇ ବର୍ଷକ ସେ ତା’ ଜମିର ଫସଲ ପାଇବ, ସେ କଥା କେଭେ ହେବନି—ସେ ବଞ୍ଚିଥିଲାତକ ତା ଜମିର ଫସଲ ତାରି ।

 

ରଣକାହାଳୀ ବାଜିଉଠିଲା ଖୁଡ଼ୀଙ୍କ ଗଳାରେ । ଚିର୍‌ଚିରା ରଡ଼ି ଛାଡ଼ି କହିଉଠିଲେ—ତାଆରି ? ଦେଖିବା ତ କେମିତି ହେବ ତାଆରି ? ନାଟ ଲଗେଇଛ ନା ? ଦେଖାଇ ହେଉଛ ଝିଆରୀ ସୁଆଗ । ମୁଁ ତ ଅନନ୍ତ ଦାସର ଝିଅ, ତୁମେ ତ ମିଶ୍ରଘର ପୁଅ, ଦେଖିବା ତ ଦେଖି, କିଏ ଜିଣୁଛି ।

 

କକାଙ୍କର ସେଇ ମିଁ-ମିଆଁ ଗଳାରୁ ଏଥର ପୂରା ଲିଭିଗଲା କ୍ରୋଧ ବା ପ୍ରତିବାଦ ଟିକକ-। ସେ ଚିଁ-ଚିଁ କରି କହିଲେ—ହେଲା । ବୁଝିଲି, ହେଲେ ସେ ପିଲାଟା ଏଇନେ ଖାଇବ କଣ-?

 

ଛିଗୁଲେଇ ହୋଇ ଖୁଡ଼ୀ କହିଲେ—ଏଁ ଏଁ, ପିଲାଟା ? ମଲା, ସିଏ ତା ବାସନକୁସନ ଯାକ ବିକି ଖାଉନି ।

 

ତା’ପରେ ବୋଧହୁଏ ପୂରା ନୀରବ ହୋଇଗଲେ କକା । କାରଣ ଖୁଡ଼ୀଙ୍କ ଗଳାରୁ ଶୁଭିଲାନି ଆଉ କିଛି କଥା । କାଠ ପାଲଟି ବସିରହିଥିଲେ ମାଧବୀ ଆଉ ଶୁଭେନ୍ଦୁ । ପଲକହୀନ ଆଖି ମେଲି ମାଧବୀ ଚାହିଁରହିଥିଲା ଶୁଭେନ୍ଦୁର ବିମୂଢ଼ ମୁହଁଟିକି । ଅନେକ ସମୟ ପରେ ଶୁଭେନ୍ଦୁ ବିସ୍ମୟାହତ କଣ୍ଠରେ ପଚାରିଲା–ତୋ ଜମି ସେମାନେ କେବେ କିଣିଲେ ?

 

ମାଧବୀ ନୀରବ, ନିଶ୍ଚଳ ।

 

ସେଇ ଗୋଟିଏ ପ୍ରଶ୍ନ ଶୁଭେନ୍ଦୁକୁ ବାରବାର ପଚାରିବାକୁ ପଡ଼ିଲା–ଶେଷରେ ନିଜର ବଳିଷ୍ଠ ହାତ ଦୁଇଟିରେ ମାଧବୀର ଦୁଇକାନ୍ଧକୁ ଝାଙ୍କିଦେଲା ଖୁବ୍‌ ଜୋର୍‌ରେ । ରକ୍ତ ଉକୁଟି ଉଠିଲା ମାଧବୀର ଶେତାଳିଆ ମୁହଁରେ । ଧୀରେ ଧୀରେ ଥରିଉଠିଲା ତାର ଦୁଇ ଆଖିର ପତା । ଶୁଭେନ୍ଦୁର ମୁହଁ ଉପରୁ ଆଖି ଫେରାଇନେଲେ ତଳକୁ ଚାହିଁଲା ମାଧବୀ ।

 

ପୁଣି ସେଇ ପ୍ରଶ୍ନର ପୁନରାବୃତ୍ତି କଲା ଶୁଭେନ୍ଦୁ । ମାଧବୀ ଧୀରେ ଧୀରେ କମ୍ପିତ କଣ୍ଠରେ କହିଲା—ହଁ, ସେ ଜମି ମୁଁ ଖୁଡ଼ୀଙ୍କୁ ବିକିଦେଇଛି—ବୋଉର ଦେହଦୁଃଖ ପାଇଁ ।

 

ଅସହିଷ୍ଣୁ କଣ୍ଠରେ ଶୁଭେନ୍ଦୁ ପୁଣି ପଚାରିଲା—କେତେ ଟଙ୍କା ଆଣିଚୁ ?

 

ମାଧବୀ ଶୁଖିଲା ଓଠରେ ଜିଭ ବୁଲାଇ ନେଉ ନେଉ କହିଲା—ଡାକ୍ତର ବଇଦ ପାଇଁ ଖୁଡ଼ୀ ନଗଦ ଦୁଇଶହ ଦେଇଥିଲେ ଆଉ ଶୁଦ୍ଧଘର ପାଇଁ ଯାହା ଖର୍ଚ୍ଚ କରିଥିବେ; ସେ ହିସାବ ମୁଁ ଜାଣିନି ।

 

ଶୁଭେନ୍ଦୁ ଅସ୍ଥିର ଗଳାରେ ପଚାରିଲା—ଏଇ ଜମିବିକା କଥା ତୁ ତ ମତେ କହିନୁ ? ଓଲଟି ସେଦିନ କହିଲୁ କଣନା—ସରାଗାତରେ ବୋଉ ଅନେକ ପଇସା ରଖିଛି ।

 

କଥା ସାରି ତୀର୍ଯ୍ୟକ୍‌ ଦୃଷ୍ଟିରେ ଶୁଭେନ୍ଦୁ ଚାହିଁଲା ମାଧବୀର ମୁହଁକୁ । ଲାଜରେ ଲାଲ ପଡ଼ିଗଲା ମିଥ୍ୟାବାଦିନୀ ମାଧବୀର ସୁନ୍ଦର ମ୍ଳାନ ମୁହଁଟି । ମଥା ନୁଆଇଁ ନୀରବରେ ବସିରହିଲା ସିଏ ।

 

ଶୁଭେନ୍ଦୁ କିନ୍ତୁ ଛାଡ଼ିଲାନି । ପୁଣି ସେ ପଚାରିଲା–କହ, କାହିଁକି ସେଦିନ ମତେ କଥା ଲୁଚାଇଥିଲୁ ? କି ଦରକାର ଥିଲା ତୋର ସେମିତି କଥା କହିବାରେ ? କହ ।

 

କିଛି ସମୟ ପରେ ରହି ରହି ମାଧବୀ ସ୍ତିମିତ କଣ୍ଠରେ କହିଲା—ଖୁଡ଼ୀ ମତେ ମନା କରିଥିଲେ ତୁମକୁ କିଛି କହିବାକୁ ।

 

ଏଥର ହୋ-ହୋ କରି ହସିଉଠିଲା ଶୁଭେନ୍ଦୁ । ହସୁ ହସୁ ଆଖିରେ ତାର ପାଣି ଜମିଆସିଲା । ଭିଜା ଭିଜା ଗଳାରେ କହିଲା—ମତେ କହିବାକୁ ନାହିଁ କରିଥିଲା, ନା ? ଆଉ ତୁ ବି ବଶମ୍ୱଦା ପରି ସେଇକଥା ମାନି ମତେ ମିଛ କହିଲୁ । ଧନ୍ୟ ଧନ୍ୟ ତୋ ବୁଦ୍ଧି ଲୋ ମାଧବୀ ! କି ଅଦ୍‌ଭୁତ ଝିଅ ତୁ !! ଶେଷରେ ମୋରି ପାଖରେ ତତେ କଥା ଲୁଚାଇବାକୁ ଥିଲା ! ଆସି ବତିଶ ବର୍ଷ ବୟସ ହେଲା ତୋର–ଦରବୁଢ଼ୀ ହେଲୁ–ତେବେ ବି ଗଲାନି ତୋର ପିଲାଳିଆ ଢଙ୍ଗ ? କାଲିଠୁ କଣ ଖାଇବୁ ଶୁଣେ ?

 

କଥା ସାରି ଝଡ଼ ପରି ଘରୁ ବାହାରିଗଲା ଶୁଭେନ୍ଦୁ । ଚୁପ୍‌ଚାପ୍‌ ବସିରହିଲା ମାଧବୀ । ପ୍ରଚଣ୍ଡ ଅଭିମାନ ଛାତିରେ ବହି ଚାଲିଗଲା ଶୁଭଭାଇ । ମାଧବୀ ଜାଣେ ଏଇ ଅଭିମାନ ବେଶି ସମୟ ତିଷ୍ଠିପାରିବନି ଶୁଭଭାଇ ମନରେ । ତିଷ୍ଠିବାକୁ ଦେବନି ଆତ୍ମା ତାର । ମାଧବୀ କଥା ମନେକରି ଅସ୍ଥିର ହୋଇଉଠିବ ତାର ଆତ୍ମା—ମନ ବାହୁନିଉଠିବ ।

 

ମଳିନ ହସିଲା ମାଧବୀ, ଆଖିରେ ପଡ଼ିଲା ତାର ଥାକେ ବହି । ବାଁହାତ ବଢ଼ାଇ ବହି ଥାକଟା ପାଖକୁ ଟାଣିଆଣିଲା । ତା’ରି ପାଇଁ ଏଗୁଡ଼ାକ ଆଣିଛି ଶୁଭଭାଇ । ସତରେ—ସେ ବି ଆପଣାକୁ ଭୁଲିଛି ବହି ପଢ଼ି । ଠିକ୍‌, ବହିପରି ବନ୍ଧୁ ନାହିଁ । ଅଛି, ଶୁଭଭାଇ ଅଛି । କ୍ଷୀଣ ହସିଲା ମାଧବୀ । ଲଣ୍ଠନର ଆଲୁଅଟାକୁ ଆସ୍ତେ ତେଜିଲା; ପଢ଼ିବ । ପଢ଼ିବା ଆଗରୁ କିନ୍ତୁ ଆଖିରେ ପଡ଼ିଲା ତାର ଘରକୋଣ ପଟା ଉପରେ ସଜାହୋଇ ରଖାହୋଇଥିବା ବାସନ ଉପରେ । ଚକ୍‌ଚକ୍‌ ଦିଶୁଛି ବାସନଗୁଡ଼ାକ । ସେପଟକୁ ସେଇ ଯେଉଁ କଂସା ଆଉ ଛୋଟ ଥାଳିଆଟି ଅଛି, ସେଇ କଂସା ଆଉ ଥାଳିଆରେ ଖାଇବାକୁ ବୋଉ ଭାରି ଭଲପାଏ । ବହି ରଖି ଉଠିଲେ ମାଧବୀ । ସେଇ କଂସାଥାଳି ସହ ଆଉ କେତେଗୁଡ଼ିଏ ବାସନକୁ ବାସନ ଟ୍ରଙ୍କରେ ସଜାଡ଼ି ରଖୁ ରଖୁ ଲୁହ ଜମିଆସିଲା ମାଧବୀ ଆଖିରେ । ସେଇ ଟ୍ରଙ୍କ ପାଖରେ ବସିପଡ଼ି ଦୁଇହାତରେ ମୁହଁ ଢାଙ୍କିଲା ମାଧବୀ ।

 

କେତେ ସମୟ ଧରି ସେ ଯେ ସେଇପରି ବସିରହିଥିଲା ସେ କଥା ସେ ବୁଝିପାରିନି । ଆଖିରୁ ହାତ କାଢ଼ିଲା ସିଏ ଖୁଡ଼ୀଙ୍କ ଡାକରେ । ବଲବଲ କରି ଚାହିଁଲା ଖୁଡ଼ୀର ନିର୍ଲିପ୍ତ ନିର୍ବିକାର ମୁହଁଟାକୁ । ଶୁଖିଲା ଗଳାରେ ଲଳିତା କହିଲେ—ଦେ ଆସିବୁଟି । ଖଟି ଖଟି ହାଲିଆ ଲାଗିଲାଣି ମତେ । ସମସ୍ତେ ଖାଇସାରିଲେଣି । ତତେ ଗଣ୍ଡେ ବାଢ଼ିଦେଲେ ମତେ ଟିକିଏ ଛୁଟି ମିଳିବ ।

 

ସ୍ଥିର ଆଖି ମେଲି ଖୁଡ଼ୀ ମୁହଁକୁ ଚାହିଁରହିଲା ମାଧବୀ । ମନରେ ତାର ଜମିଗଲା ଦୁନିଆର ବିତୃଷ୍ଣା । କଠିନ ହୋଇଗଲା ତାର ସେଇ ସୁନ୍ଦର ମୁହଁଟା । ତାର ଡେରି ଦେଖି ଅସହିଷ୍ଣୁ ଗଳାରେ ଖୁଡ଼ୀ ପୁଣି କହିଉଠିଲେ—କଣ ହେଲା ? ମୋ ଡାକ ଶୁଭୁନିକି ? ଠିଆହୋଇଥିବି କି ମୁଁ-?

 

ସ୍ଥିର ଗଳାରେ ମାଧବୀ କହିଲା—ତମେ ଯାଅ, ମୁଁ କିଛି ଖାଇବିନି ।

 

ଖୁଡ଼ୀ ବି ତିକ୍ତ ଗଳାରେ କହିଲେ—କଣ ଆଜି ଏଇବେଳା ପାଇଁ ନା ସବୁଦିନ ପାଇଁ ?

 

ମାଧବୀ କାନ୍ଥରେ ଆଖିରଖି କହିଲା—ସବୁଦିନ ପାଇଁ । ମୋ କଥା ମୁଁ ବୁଝିବି କାଲିଠୁ-। ତମକୁ ଆଉ ମୋପାଇଁ ଭାବିବାକୁ ପଡ଼ିବନି ।

 

ଖୁଡ଼ୀ ଚାଲି ଯାଉ ଯାଉ ତିକ୍ତ ଗଳାରେ କହିଲେ—ଭଲହେଲା, ଯାହାର ଯେମିତି ଇଚ୍ଛା-

 

ବ୍ୟଥାତୁର ଆଖି ମେଲି ମାଧବୀ ଚାହିଁରହିଲା ଖୁଡ଼ୀଙ୍କ ଚଲାବାଟକୁ । ତା’ପରେ ଆଖି ନୁଆଇଁ ନଖ ଖୁଣ୍ଟୁ ଖୁଣ୍ଟୁ ମାଧବୀ ଭାବିଲା ମଣିଷର ସ୍ୱରୂପ କଣ ମଣିଷ ଦେଖିପାରେ !! ମନେହୁଏ ସ୍ୱରୂପର ପୁଣି ଆଉ ଗୋଟାଏ ସ୍ୱରୂପ ଅଛି ।

 

ଉପାସୀ ମାଧବୀ ଲାଗି ଏତେ ଟିକିଏ ବି ମନ ତଟିଲାନି ଖୁଡ଼ୀଙ୍କର । ଗଳାରେ କୋହ ଜମିଆସିଲା ମାଧବୀର । ଆହୁରି ଟିକିଏ ପରେ ଆଖିରେ ପଥର ଫାଟି ଝରିଆସିଲା ଲୁଣିପାଣିର ଝର । ଦୁଇ ଆଣ୍ଠୁ ସନ୍ଧିରେ ମୁହଁ ଗୁଞ୍ଜିଲା ମାଧବୀ ।

 

—ମାଧୁ.... ମାଧବୀ.... ଶୋଇଲୁ କି ?

 

ଗଳାରେ ମହୁ ଗୋଳି ଝରକା ପାଖରେ ଠିଆହୋଇ ଡାକଦେଉଛି ଶୁଭଭାଇ । ଧୀରେ ଧୀରେ ନିଜକୁ ସମ୍ଭାଳି ନେଇ ଆଖିରୁ ଲୁହ ପୋଛି ଠିଆହେଲା ମାଧବୀ । ତା’ପରେ ଧୀର ପାଦରେ ଯାଇ ଦୁଆର ଖୋଲିଦେଇ କହିଲା—ଏତେ ରାତିରେ କଣ ପାଇଁ ପୁଣି ଧାଇଁଆସିଲ ଶୁଣେ ?

 

ଘର ମଝିରେ ସିଲ୍‌ଭରର ବଡ଼ ଡବାଟା ରଖି ଦେଉ ଦେଉ ଶୁଭେନ୍ଦୁ ସହଜ ଗଳାରେ କହିଲା—ସେ ଘରୁ ଆଜି କିଛି ଆସିଲେ ତୁ ଖାଇବୁନି । ସେଇକଥା ମୋ ମନ କହିଲା ସେଇଥିପାଇଁ ତୋ ଲାଗି ଟିକିଏ ଜଳଖିଆ ନେଇ ଆସିଲି । ହେଇଟି, ରାତି ଅନେକ ହେଲାଣି, ମୁଁ ଯାଉଛି । ଭାଉଜ ତୋର ବ୍ୟସ୍ତ ହେବ । ହେଲେ ତତେ ମୋ ରାଣ ରହିଲା ଏତକ ଖାଇନେବୁ ।

 

ଯେମିତି ଝଡ଼ପରି ଶୁଭ ଆସିଥିଲା, ସେମିତି ଚାଲି ବି ଗଲା । ସିଲ୍‌ଭର ଡବା ଉପରେ ଆଖି ରଖି ପଥରମୂର୍ତ୍ତିପରି କ୍ଷଣେ ଠିଆ ହୋଇ ରହିଲା ମାଧବୀ । ଶୁଭଭାଇର ରାଣ–ତାର ପ୍ରିୟଜନର ମମତାବୋଳା ଅନୁନୟ । ଶାନ୍ତମନ ନେଇ ଖାଇ ବସିଲା ମାଧବୀ ।

 

ତା’ ପରେ ଗଡ଼ିଚାଲିଲା ଦିନ ପରେ ଦିନ—ରାତି ପରେ ରାତି ।

 

ଆଠ ଦଶ ଦିନ କଟିଗଲା ସେଇ କଥା ପରେ । ସେଇ କେତୋଟି ଦିନ ନିୟମିତ ଭାବରେ ଡାଲି, ଚାଉଳ, ପରିବା, ତେଲ ଲୁଣ ସବୁ ଯୋଗାଇଯାଇଛି ଶୁଭେନ୍ଦୁ । ଦ୍ୱିଧାହୀନ ଚିତରେ ସବୁକିଛି ଗ୍ରହଣ ମଧ୍ୟ କରିଛି ମାଧବୀ । ହେଲେ—ଦିନେ କାନରେ ପଡ଼ିଲା ତାର କେତେ ଟୁପ୍‌ଟାପ୍‌, କେତେ ଫୁସ୍‌ଫାସ୍‌ । ସ୍ତବ୍‌ଧ ମନ ନେଇ ସେଇ କଥା ଶୁଣିଗଲା ସିଏ । ଲଜ୍ଜା-ଅପମାନରେ ବିମୂଢ଼ ହୋଇଗଲା ତାର ସାରା ସତ୍ତା ।

 

ସେଦିନ ଶୁଭେନ୍ଦୁ ହାତରେ ଡାଲି ଚାଉଳ ଦେଖି ନାଗୁଣୀ ପରି ଫାଇଁ କରି ଉଠିଲା ସିଏ-। ଅଗଣାର ମାଟି ଉପରେ ସବୁ ସେ ସେଦିନ କଚାଡ଼ିଦେଇ କହିଲା—କାହିଁକି, ତୁମେ କାହିଁକି ଏତେ ସବୁ କରିବ ମୋ ପାଇଁ କିଏ ? କିଏ ତୁମେ ମୋର ? କକା ଖୁଡ଼ୀ ଯେତେ ଯାହା ମୋତେ କହିଲେ କେତେ ଦିନ ସେମାନେ ସହିପାରିବେ ମୋର ଭୋକିଲାଶୋଷିଲା ମୁହଁଟାକୁ-?

 

ଏଇ କଥା ଶୁଣି ଖୁଡ଼ୀ ସେଦିନ ଧାଇଁଆସିଥିଲେ ବାଡ଼ ପାଖକୁ । ଧୀରେ ଧୀରେ ସରୁକଥା ତାଙ୍କର ମୋଟା ହୋଇଥିଲା । ମାଧବୀ ଛାତିର କଟାଘା’ରେ ଲୁଣଛିଟା ଦେଇଥିଲେ ଖୁଡ଼ୀ-। ଘର ଭିତରେ ପଶିଯାଇ ମୁହଁ ମାଡ଼ି ଶୋଇପଡ଼ି ତୁହାଇ ତୁହାଇ କାନ୍ଦିଥିଲା ମାଧବୀ ।

 

ହେଲେ କଣ ହେବ—ସେଇ ସବୁ କଥାରେ ତା-ବୋଲି ଘରଛାଡ଼ି ପଳାଇଆସିବା କଥା କିନ୍ତୁ ଆଦୌ ସେ ଭାବିନ । ଭାବିନି ଯେ ଏହାଠୁ ବି ଅଧିକ ଲଜ୍ଜାଜନକ ପରିସ୍ଥିତିରେ ତାକୁ ପଡ଼ିବାକୁ ହେବ । ପ୍ରଥମ, ଦ୍ୱିତୀୟ, ତୃତୀୟ—ତିନି ଦିନ ଧରି ସେ ଫୋପାଡ଼ି ଦେଇଛି ଶୁଭେନ୍ଦୁ ଆଣିଦେବା ଚାଉଳ ପରିବା ।

 

ହାଡ଼ରେ ନିଆଁ ଲାଗିଛି ଶୁଭେନ୍ଦୁର । ଜଳିଛି ବିରକ୍ତିରେ । ନାକପୁଡ଼ା ଫୁଲାଇ କହିଛି—ଦେଖିବା ତ, ତୁ କେତେଦିନ ଫୋପାଡ଼ିବୁ ? ମୁଁ ରୋଜ ଆଣିବି । ହଇଲୋ, କିଏ କାହାର ଭଲ ଦେଖେ ? ଲୋକଙ୍କର ଅସହଣୀପଣକୁ ଆମେ ଏତେ ଖାତିର କରିବା କାହିଁକି ଶୁଣେ ?

 

ମୁହଁ ଛିଞ୍ଚାଡ଼ି କ୍ରୁଦ୍ଧଗଳାରେ ମାଧବୀ କହିଛି—ତୁମେ ପୁଅପିଲା, ପୁଣି ବଡ଼ଲୋକ, ତୁମେ କାହାକୁ ଖାତିର କରିପାର ପୁଣି ନପାର ମଧ୍ୟ, ହେଲେ—ମୁଁ ! ମୁଁ କାହାକୁ ବେଖାତିର କରି କଣ ଚଳିପାରିବି ?

 

ମାଧବୀଠୁ ବି ଅଧିକା ରାଗି ଶୁଭେନ୍ଦୁ କହିଲା—ତୁ ଚଳିପାରେ କି ନପାରେ, କି ମର, ସେସବୁ ମୁଁ ଜାଣେନି । ମୁଁ ଖାଲି କହିଦେଉଛି କି ତୋର ସବୁ ଦାୟିତ୍ୱ ମୋର ।

 

କଥା ସାରି ଘରୁ ବାହାରିଆସିଥିଲା ଶୁଭେନ୍ଦୁ । ପରଦିନ ସତକୁ ସତ ପୁଣି ଚାଉଳ ପରିବା ଧରି ସେଇ ଘରେ ପାଦ ଦେଇଥିଲା ସିଏ । ମାଧବୀ ରାଗିବାକୁ ଯାଇ ହସିପକାଇଥିଲା ଓ ଗଳାରେ ମୃଦୁ ଅନୁଯୋଗ ଭରି କହିଥିଲା—ତମେ ଭାରି ଇଏ । ଦେଖ ତୁମ ଆଣିଥିବା ଚାଉଳ ପରିବା ଫୋପାଡ଼ି ଦେଇଥିଲେ ମଧ୍ୟ ମୁଁ ଉପାସ ରହିନି । ଦୁଇବେଳା ଯାକ ରାନ୍ଧୁଛି ଆଉ ଖାଉଛି । ଯେତେଦିନ ପାରେ ନିଜକୁ ଚଳାଇନିଏ । ତୁମେ କାହିଁକି ସାତପରଟା ପାଇଁ ବ୍ୟସ୍ତ ହେଉଛ କହିଲ-?

 

‘‘ତୁ ସାତପରଟା ?’’ ହସିଲା ଶୁଭେନ୍ଦୁ । ପୁଣି କହିଲା—ତୁ ମୋର ସାତପର । ଏକଥା ଯେବେ ମନରେ ମୋର ପଶନ୍ତା ତେବେ ସତରେ ମୋର ବ୍ୟସ୍ତ ହେବାର କିଛି ନଥିଲା । ହେଲେ ତାହା ଯେତେବେଳେ ସତ ନୁହେଁ, ବ୍ୟସ୍ତ ନହୋଇ ରହିପାରିବି କେମିତି କହ ତ ? ତୁ ମୋର କେତେ ଆପଣାଠୁ ବଳି ଆପଣାର, ସେ କଥା ମୋ ପରି କିଏ ଆଉ ବୁଝିବ କହ ? ଧାରାର ଯାହା ଯାହା ମୋ ଲାଗି କରିବା କଥା ତା’ଠୁ ତୁ କଣ କିଛି ମାତ୍ର କମ୍‌ କରିଛୁ ମତେ ?

 

କଥା କହୁ କହୁ ଉଦାସ ହୋଇଗଲା ଶୁଭେନ୍ଦୁର ଗଳା ।

 

ସହଜ ଆଉ ଶାନ୍ତ ଗଳାରେ ମାଧବୀ କହିଲା—ମୁଁ କହୁଥିଲି କି ଯେତେଟା ପାରେ ନିଜକୁ ଚଳାଇନିଏ—ନ ପାରିଲେ ତୁମେ ତ ଅଛ । ସେଇ ଭରସା କଣ ମନରେ ମୋର ନାହିଁ ?

 

ଏଥର ଚିଡ଼ିଉଠିଲା ଶୁଭେନ୍ଦୁ । କହିଲା—ଆହା ! ଯୋଉ ଚଳାଇନେବା ତୋର, ଛାଡ଼ । ସେଇଥିପାଇଁ ପଅରିଦିନ ସୁମବୋଉ ହାତରେ ଥାଳି ପଟେ ପଠାଇ ବଣିଆଘରେ ବନ୍ଧାପକାଇଲୁ; ସରିଲାଣି ନା ସେ ଦଶଟା ଟଙ୍କା ?

 

ଗମ୍ଭୀର ହୋଇଗଲା ମାଧବୀ । ଭାରି ଗଳାରେ କହିଲା—ଏଇକଥା ସୁମବୋଉ କହିଛି ତୁମକୁ ?

 

ମାଧବୀ ଆଖିରେ ଆଖି ରଖି ଶୁଭେନ୍ଦୁ କହିଲା—ଗରିବ ଦୁଃଖୀଟିଏ ସିନା, ହେଲେ ଭାରି ଭଲ ମଣିଷଟିଏ, ତତେ ଭାରି ଭଲପାଏ; ତେଣୁ ମତେ ନ କହି ସେ କଣ ରହିପାରିବ ?

 

କଥା ସାରି ପକେଟରୁ ଟଙ୍କା ଦଶଟା କାଢ଼ି ମାଧବୀ ହାତକୁ ବଢ଼ାଇ ଦେଉ ଦେଉ କହିଲା-ନେ, ଏ ଟଙ୍କା । ନେଇଆ ଥାଳିଟା ।

 

ଭାରି ଗଳାରେ ମାଧବୀ କହିଲା—ନା ।

 

—ନା !! ଦୁଃଖିତହେଲା ଶୁଭେନ୍ଦୁ । ହେଲେ ଜିଦ୍‌ କଲାନି ।

 

ଶୁଭେନ୍ଦୁ ବାହାରକୁ ବାହାରିଆସିବା ଆଗରୁ ମାଧବୀ ଠିଆହେଲା ଆସି ସାମନାରେ । ଗଳାରେ ଅନୁନୟ ଭରି କହିଲା—ଆଜିକା ଚାଉଳ ପରିବା ସବୁ ରଖିଲି ଶୁଭଭାଇ । ହେଲେ ଆଉ ତୁମେ ମତେ କିଛି ଦିଅନି । ତୁମକୁ ନେଇ ଅକଥା ! ସେ କଥା ମୁଁ କେଭେ ହେଲେ ସହିପାରିବିନି । ତୁମେ ଥାଅ ମୋର ଦୁର୍ଦ୍ଦିନର ସାଥୀ ହୋଇ ।

 

ଶୁଭେନ୍ଦୁର ଆଖିଡ଼ୋଳା ଦୁଇଟି ଚିକ୍‌ଚିକ୍‌ କରିଉଠିଲା । ଭିଜା ଭିଜା ଗଳାରେ କହିଲା—ଆଉ, ଏଇନେ ତୋର ଗୋଟାଏ ଖୁବ୍‌ ସୁଦିନ ଚାଲିଛି ନୁହେଁ ?

 

ଶୁଭେନ୍ଦୁ ମନର ଭାବ ବୁଝିପାରିଲା ମାଧବୀ । ପରିବେଶକୁ ହାଲୁକା କରିଦେବାର ମନ ନେଇ କହିଲା—ଉଃ, ତମେ ଭାରି ଜଣେ । କାହିଁକି କହିଛି ପାଠୁଆ ମୂର୍ଖ ? ତୁମେ ହେଲ ବିଦ୍ୟାସାଗର । ଆଉ ତୁମରି ପାଖରେ ମୁଁ ମୂର୍ଖ ହେଲି ଏକ ଆଣ୍ଠୁଏ ଖାଲର ଗୋଳିଆପାଣି । ଯାଅ, ତୁମେ ଗଲ, ମୁଁ ଗାଧୋଇଯାଏ ।

 

ମାଧବୀର ଥଣ୍ଡାଗଳାର ମିନତିକୁ କାଟିଦେଇ ପାରି ନଥିଲା ଶୁଭେନ୍ଦୁ । ସତରେ ସେଇ ଦିନଠୁ କିଛି ଆଉ ହାତରେ ଧରି ଆସୁନଥିଲା ସିଏ । ପଚାରୁ ବି ନଥିଲା—ମାଧବୀ ତୁ କଣ ଖାଉଛୁ କି ନାହିଁ ବୋଲି । ଆସେ କିନ୍ତୁ ଦୁଇବେଳା । ସକାଳଟାରେ ସମୟ ନାହିଁ—କଲେଜ ଅଛି । ହେଲେ ସନ୍ଧ୍ୟାରେ ଆସିଲେ ଗପ କରି କରି ଫେରେ ରାତି ଦଶଟାରେ । କେବେ କେବେ ପୁଣି ଆହୁରି ଟିକିଏ ରାତି ହୋଇଯାଏ । କଥାର ମୁଣ୍ଡ ନାହିଁ କି ଗଣ୍ଡିନାହିଁ । କଥା—ଖାଲି କଥା ।

 

ଶୁଭେନ୍ଦୁର ଆସିଲା ବାଟକୁ ଆଗ୍ରହରେ ଚାହିଁ ବସିଥାଏ ମାଧବୀ । ଶୁଭେନ୍ଦୁ ଆସେ । ଝଲସିଉଠେ ମାଧବୀର ମଉଳା ମୁହଁ, ମୁକ୍ତାଝରା ହସ ହସି ସଉପ ବିଛାଇ ଦିଏ ମାଧବୀ । ତାର ନିରାନନ୍ଦ, ନିଃସଙ୍ଗ ଜୀବନବେଳାରେ ଶୁଭେନ୍ଦୁ ଆଙ୍କିଦେଇଯାଏ କେତୋଟି ଆନନ୍ଦର ପାଦଚିହ୍ନ । ଶୁଭେନ୍ଦୁର କଥାର ବନ୍ୟାରେ ଫୁଲ ହୋଇ ଭାସିଯାଏ ମାଧବୀର ମୂକ ଜଡ଼ ମନଟା । ଖୁସିହୁଏ ମାଧବୀ ।

 

ମାଧବୀ ଖୁସିରେ ନିଜ ଖୁସି ମିଶାଇଦେଇ ଉଠିପଡ଼େ ଶୁଭେନ୍ଦୁ । ରାତି ହୁଏ ଅନେକ । ତା ଲାଗି ଚିନ୍ତା ନାହିଁ କାହାରି ମନରେ । ମାଧବୀକୁ ସଙ୍ଗ ଦେଇ ଉତ୍‌ଫୁଲ୍ଲ ହୋଇଉଠେ ଶୁଭେନ୍ଦୁ । ହେଲେ ଶୁଭେନ୍ଦୁର ସଂସାରରେ ଶୁଭେନ୍ଦୁ ତ ଏକା ନୁହେଁ—ତାକୁ ଘେରି ତାର ଅଛନ୍ତି ଆଉ ପାଞ୍ଚ ଜଣ । ସେଇ ପାଞ୍ଚ ଜଣ କଣ ଉତ୍‌ଫୁଲ୍ଲ ହୋଇଉଠିବେ ଶୁଭେନ୍ଦୁ ଉତ୍‌ଫୁଲ୍ଲ ହେଲା ବୋଲି !! ସ୍ତ୍ରୀ ନବନୀତା—ସେ କଣ ଚାହିଁବ ସ୍ୱାମୀ ତାର ଅନ୍ୟ କାହାକୁ ନେଇ ଉତ୍‌ଫୁଲ୍ଲ ହେଉଥାଉ ବୋଲି !

ରାତି ବାରଟାରେ ନିଜର ଶୋଇଲାଘରେ ପାଦଦେଇ ଶଙ୍କିଯାଏ ଶୁଭେନ୍ଦୁ । ଆଖି ବଙ୍କାକରି ମୁହଁକୁ ତାର ଚାହେଁ ନୀତା । କହେ—ଆରେ, ଆସିଲ କି ? ଭାବିଥିଲି ସିଆଡ଼େ ରହିଯିବ ବୋଲି ।

ଅପରାଧୀ ମୁହଁଟା ଧୀରେ ଧୀରେ କଠିଣ ହୋଇଯାଏ ଶୁଭେନ୍ଦୁର । ପଦେହେଲେ କଥା ନକହି ଖାଇବସେ ସିଏ । ଶୁଭେନ୍ଦୁର ଏଇ ତାଚ୍ଛଲ୍ୟଭରା ନୀରବତାରେ ଭିତରେ ଭିତରେ ଗର୍ଜିଉଠେ ନବନୀତା । ଗଳାରେ ବିଷଗୋଳି କହେ—ଝିଅଟା ତମ କୋଳରେ ନ ଶୋଇଲେ ଶୁଏନି । କେତେ ରାତି ପର୍ଯ୍ୟନ୍ତ ସିଏ କୁନ୍ଥ କୁନ୍ଥ ହୋଇ ଚେଇଁରହେ । ଚାହିଁଥାଏ ସେଇ ବାପସୁଆଗୀ ତୁମରି ଆସିବା ବାଟକୁ । ତା ପରେ ବାଧ୍ୟ ହୋଇ ଯେତେବେଳେ ଶୁଏ ସେତେବେଳେ ତାର କେତେ ଅଶାନ୍ତି । ଆଉ ତୁମେ ? ଛିଃ, ଦୁଇଟା ଛୁଆର ବାପ ହୋଇ ଯାଉଛ ପୁରୁଣା ପ୍ରେମକୁ ଝଳେଇ ନୂଆ କରିବାକୁ । ଲାଜ ଲାଗୁନି ତୁମକୁ !

ନୀତା ଆଡ଼କୁ ମୁହଁ ଫେରାଏ ଶୁଭେନ୍ଦୁ । କ୍ରୋଧରେ ଜଳିଉଠେ ତାର ଆଖି ଓ ଘୃଣାରେ କଣ୍ଠରୋଧ ହୁଏ । କେଇଟି ମୁହୂର୍ତ୍ତ ସ୍ତବ୍‌ଧ ରହେ ଶୁଭେନ୍ଦୁ । ତାପରେ.... ଧୀରେ ଧୀରେ ଶାନ୍ତ ହୋଇଯାଏ ତା ଭିତରଟା । ମୁହଁ ଫେରାଏ ପଲଙ୍କ ଆଡ଼କୁ । ଶୋଇଛି ସୁନାକଣ୍ଢେଇ ମାମିନା । ଆଖିରେ ଅପାର ସ୍ନେହଭରି ଖଟ ପାଖକୁ ଆଗେଇଯାଏ ଶୁଭେନ୍ଦୁ । ଶୋଇପଡ଼େ ଝିଅ ପାଖରେ । ଶିଶୁର ଛୋଟ ଦେହଟାକୁ ଉଠାଇ ନେଇ ଛାତିରେ ଜାକେ ନିବିଡ଼ କରି । ଆନନ୍ଦର ଅମୃତ ଧାରାରେ ନରମ ଆଉ ଉଜ୍ଜ୍ୱଳ ହୋଇଯାଏ ଶୁଭେନ୍ଦୁର କ୍ଷଣପୂର୍ବର ଘୃଣାନୀଳ ମୁହଁଟା ।

 

ମନଶ୍ଚକ୍ଷୁରେ ଆଜି ଏଇସବୁ ଘଟଣା ଦେଖିପାରୁଛି ମାଧବୀ । ଆଖିରେ ତାର ଆଙ୍ଗୁଠି ଗେଞ୍ଜି କାଲି ତାକୁ ଦେଖାଇ ଦେଇଯାଇଥିଲେ ନୀତା ଭାଉଜ ଆଉ ଧାରାଶ୍ରୀ । ଶୁଭଭାଇର ବି.ଏ. ପଢ଼ୁଆ ଭଉଣୀର ଡାକ ଶୁଣି କାଲି ସନ୍ଧ୍ୟାରେ ଆନନ୍ଦରେ ଅସ୍ଥିର ହୋଇ ଘରୁ ବାହାରିଆସିଥିଲା ମାଧବୀ । ଧାରାଶ୍ରୀର ହାତଧରି କହିଥିଲା—ଏତେ ଦିନରେ ମୋ କଥା ତୋର ମନେପଡ଼ିଲା ଧାରା ? ଆସ ଆସ, ଭାଉଜ । କି ଭାଗ୍ୟ ମୋର ! ଆଜି ଆମ ଦୁଆରେ ପାଦ ପଡ଼ିଲା ତୁମର ।

 

ମୁହଁ ଓଳାଇ ଦିହେଁ ଆସି ବସିଥିଲେ । ନୀତା ଭାଉଜ ମୁଣ୍ଡରୁ ଓଢ଼ଣା ଟେକି କ୍ଷଣେ ଚାହିଁଲେ ମାଧବୀର ହସିଲା ମୁହଁକୁ । ତାପରେ ପରିହାସ କରି କହିଲେ—ତୁମର ତାଙ୍କୁ ଟିକିଏ ପିଲାଙ୍କ ପାଖରେ ବସାଇ ଦେଇ ଚାଲିଆସିଲି ତୁମକୁ ଦେଖିବାକୁ । ଭାବିଲି, ଦେଖେ, ଶୋକ–ସନ୍ତାପରେ କେତେଟା ଝାଉଁଳିଯାଇଛି ମାଧୁନାନୀ । ହେଲେ ଏବେ ଦେଖୁଛି, ଶୋକ କହ ସନ୍ତାପ କହ କେହି ତମ ପାଖ ମାଡ଼ିଛନ୍ତି—ଏମିତି ତ ମନେହେଉନି ।

 

ସଉପରୁ ଖଣ୍ଡେ କାଠିଭାଙ୍ଗି ଦାନ୍ତରେ ଚାପି ଚୁପ୍‌ହୋଇ ବସିରହିଥିଲା ଧାରାଶ୍ରୀ । ନିରେଖି ନିରେଖି ଦେଖୁଥିଲା ମାଧବୀକୁ । ଶେଷକୁ ଲହରେଇ ଲହରେଇ କହିଲା—ଇସ୍‌, କେଡ଼େ ଝଟକୁଛୁ ମ ତୁ ମାଧବୀନାନୀ । କିଏ କହିବ ତତେ ବତିଶ ବର୍ଷ ହେଲାଣି ବୋଲି !!

 

ଭାଉଜ ଆଉ ଭଉଣୀମାନଙ୍କର କାମ ହେଲା ଥଟ୍ଟା କରିବା; ତେଣୁ ଦୁହିଁଙ୍କ ମୁହଁରେ ଆଖି ରଖି ମିଟିମିଟି ହୋଇ ହସୁଛି ମାଧବୀ । ଧାରାଶ୍ରୀ ବଡ଼ ହସିଲାଆଖିରେ ଚାହିଁ କହିଲା—ଦେଖ ତ ଭାଉଜ, କି ସୁନ୍ଦର ସୌଢ଼ଲ ଛାତି ମାଧୁନାନୀର; ସତେ ଯେମିତି ଷୋଳବରଷୀ ।

 

ଅଦ୍‌ଭୁତ ହସି ବିଷାକ୍ତ ଗଳାରେ ନୀତା କହିଲା—ମଲା ଯା, ଏଇଟା ଆଉ ବଡ଼ କଥା କଣ ? ପିଲା ଯାହାକୁ ନ ଖାଇଲେ, ନ ଛୁଇଁଲେ, ସେ କାହିଁକି ନଇଁବ ମ ? ଏଇଥିପାଇଁ ତ ସିଏ ଟେକିଲା ଛାଡ଼ିନେଇ ଦୁନିଆଁ ମୋହିପକାଉଛନ୍ତି—ଆଉ କଣ କି ?

 

ଧୀରେ ଧୀରେ କୁଞ୍ଚିତ ହୋଇ ଆସିଲା ମାଧବୀର ଆଖି ।

 

ଧାରାଶ୍ରୀ ପୁଣି କହିଲା—ଯେତେହେଲେ ସିଏ ଝିଅପିଲା, ମିଛ ଅପବାଦ ଦିଅନି ତ ଭାଉଜ ! ଦୁନିଆକୁ ମୋହୁନି ସିଏ, ମୋହିଲେ ମୋହୁଥିବ ଜଣକୁ ।

 

ଆଖିରେ ନିଆଁ ଜାଳି ନୀତା କହିଲା—ଆଉ ସେଇ ଜଣକ ହେଲେ ତୁମର ଗୁଣମନ୍ତ ଭାଇ ।

 

ସ୍ତବ୍‌ଧଭାବଟା କଟିଗଲା ମାଧବୀ ମନରୁ । ସ୍ଥିର ଗଳାରେ କହିଲା—ମତେ ଦେଖିବା ଆଉ କିଛି ଶୁଣାଇବା ତୁମର ସରିଛି ତ ଭାଉଜ ?

 

ଛାତିରୁ କୋହ ଉଠିଆସିଲା ନୀତାର । ଅଶ୍ରୁରୁଦ୍ଧ କଣ୍ଠରେ କହିଲା—ନା, କେବେ ବି ସରିବନି ମୋର ତୁମକୁ କିଛି ଶୁଣାଇବା । ତୁମେ ଯେତେବେଳେ କାଢ଼ିନେଇଛ ମୋ ମନରୁ ସୁଖ ଆଉ ଆଖିରୁ ନିଦ, ସେତେବେଳେ ମୁଁ କିମିତି ଚୁପ୍‌ହୋଇ ରହିବି କୁହ ତ ?

 

ଆହୁରି ଶାନ୍ତଗଳାରେ ମାଧବୀ କହିଲା—ଅନେକ ରାତି ହେଲାଣି । ମାମିନା, ବାବୁନି ହୁଏତ ତୁମକୁ ଖୋଜି କାନ୍ଦୁଥିବେ । ଯାଅ, ଘରକୁ ଯାଅ ।

 

ନାକପୁଡ଼ା ଫୁଲାଇ ନବନୀତା କହିଲା—ଏହାଠୁ ଆହୁରି ଅଧିକ ରାତି ତୁମେ ତାଙ୍କୁ ଅଟକାଇଥାଅ, ସେ କଣ ଖାଲି ଗପ କରିବାପାଇଁ ? ତେବେ ମୋର ଉପସ୍ଥିତ ତୁମକୁ ଅସହ୍ୟ ଲାଗୁଛି କାହିଁକି ?

 

ମୃଦୁ ଗଳାରେ ମାଧବୀ କହିଲା—ତୁମେ ମତେ ଠିକ୍‌ ଏଇକ୍ଷଣି ଭଲଲାଗୁନ ବୋଲି ।

 

ଉଠିପଡ଼ିଲେ ନବନୀତା ଆଉ ଧାରାଶ୍ରୀ । ପଦାକୁ ପାଦ ବଢ଼ାଉ ବଢ଼ାଉ ଧାରାଶ୍ରୀ କହିଲା—ସୌନ୍ଦର୍ଯ୍ୟର ଯେ ଗୋଟାଏ ନୀରବ ଅହଙ୍କାର ଥାଏ, ସେକଥା ତତେ ଦେଖି ବୁଝିପାରିଲି ମାଧୁନାନୀ !

 

କ୍ଳାନ୍ତ କଣ୍ଠରେ ମାଧବୀ କହିଲା—ବେଶ୍‌ କଲୁ । ଭଲ କଲୁ । ପାଠପଢ଼ା ତୋର ସାର୍ଥକ ହେଲା ।

 

ସେମାନେ ଚାଲିଗଲେ ।

 

କବାଟରେ ପିଠି ଆଉଜାଇ ଅନିର୍ଦ୍ଧିଷ୍ଟ ଭାବରେ ଉପରକୁ ଚାହିଁ ଠିଆହେଲା ମାଧବୀ ଗୋଟିଏ ପ୍ରାଣହୀନ ପିତୁଳାପରି । ଧୀରେ ଧୀରେ ମୁଦିହୋଇଆସିଲା ତାର ଆଖିଦୁଇଟି ।

 

ଅଦ୍‌ଭୁତ ଗୋଟାଏ ଆକ୍ରୋଶରେ ଫାଟିପଡ଼ୁଛି ଧାରାଶ୍ରୀ । ଶୁଭଭାଇଙ୍କ ବୋଉଙ୍କ ମନରେ ବି ଦୁନିଆର ଅସନ୍ତୋଷ । ସେଇ ଅସନ୍ତୋଷ ମଧ୍ୟ ସେ ପ୍ରକାଶ କରୁଛନ୍ତି ଦେଖାହେଉଥିବା ପ୍ରତିଟି ଲୋକ ଆଗରେ । ନୀତାଭାଉଜ ଆଖିର ନିଦ ଓ ମନର ସୁଖ ହଜାଇ ଆଉଟିପାଉଟି ହେଉଛନ୍ତି ଅଶାନ୍ତି ନିଆଁରେ । ଖୁଡ଼ୀ କାନଡ଼େରି ରହିଛନ୍ତି ସେମାନଙ୍କର ପ୍ରତିଟି କଥାକୁ । ଏ ଘରକୁ ଆସିବାକୁ ଯଦି ଶୁଭଭାଇଙ୍କୁ ମନାକରିବ ତେବେ ସେ ଏଡ଼େ ଏଡ଼େ ଆଖିରେ ମୁହଁକୁ ଚାହିଁ ଅରଣା ମଇଁଷି ପରି ଫଁ—ଫଁ କରି ଥୋଡ଼ା ନିଃଶ୍ୱାସ ଛାଡ଼ି ମୁଣ୍ଡଝାଙ୍କି କହିବେ—ଆସିବିନି ? ଜରୁର୍‌ ଆସିବି । ଶହେବାର ଆସିବି, ଦେଖିବା ତ ମୋର କିଏ କଣ କରୁଛି । ଉଃ, ବଡ଼ ଅବୁଝା, ବଡ଼ ଅବାଧ୍ୟ, ବଡ଼ ଅଝଟିଆ ।

 

ଛାତି ଠେଲି ଏକ ଦୀର୍ଘ ନିଃଶ୍ୱାସ ବାହାରିଆସିଲା ମାଧବୀର । ନାଁ, ଆଉ ମୁହୂର୍ତ୍ତେ ବି ରହିହେବନି ଏ ଗାଆଁରେ ।

 

ସେଇ ଦୁଆରକୁ ଆଉଜି ଠିଆହେବା ଭିତରେ ବିତିଗଲା ଅନେକ ସମୟ । କେତେ ରାତି ହେଲା ?

 

ଧୀରେ ଧୀରେ ଆଖି ମେଲିଲା ମାଧବୀ । ଠିଆହେଲା ସିଧାହୋଇ । ଅନୁଭବ କଲା ତାକୁ ଶୋଷ ହେଉଛି ଭୀଷଣ । ଗରାରୁ ପାଣି ଗିଲାସେ ଗଡ଼ାଇ ପିଇଲା । ଆସ୍ତେକରି ଖୋଲିଲା ଅଗଣାପଟ କବାଟ, ଧୀର ପାଦରେ ଚାଲିଆସିଲା ଅଗଣାକୁ, ଆଖିପଡ଼ିଲା ତୁଳସୀ ଚଉରା ଉପରେ-। ଚଉରାତଳ ସେଇ ଟିକକ ଜାଗା ଥିଲା ବୋଉର ତୀର୍ଥଭୂଇଁ । ମରିବା ପର୍ଯ୍ୟନ୍ତ ଦୁଇବେଳା ଆଖିବୁଜି ଏଇଠି ବସିରହୁଥିଲା ବୋଉ । ସେ କହେ–ଏ ବୋଉ, ପିତ୍ତ ପଡ଼ିଯିବ ଲୋ, ଏତେବେଳଯାଏ ସେଠି ଗୋଟେ ଆଖି ବୁଜି ବସିରହିଚୁ କାହିଁକି ମ ?

 

ସେଇ ମୁହୂର୍ତ୍ତରେ କଥାର ଉତ୍ତର ଦିଏନି ବୋଉ ! ପରେ ସେଠୁ ଉଠିଆସି ଦାନ୍ତରଗଡ଼ି ଗାଳିଦିଏ—ଆଲୋ ହେ ଉଲୀ, ଠାକୁରଙ୍କ କଥାରେ ଏମିତି କଣ କହୁ କି ଲୋ ?

 

ମୁହଁ ଛିଞ୍ଚାଡ଼େ ମାଧବୀ, କହେ—ମଲାମୋର ତୋ ଠାକୁର । ଯେତେବେଳେ ପାରୁଥିଲୁ, କରୁଥିଲୁ । ଏବେତ ଦେହଦୁଃଖ ଭୋଗି ଭୋଗି କଣ୍ଟାସାର ହେଲୁଣି; ଆଉ ସେ ଗଛପତର, କାଠପଥର ଏଙ୍କୁ ସବୁ ନପୂଜିଲେ କଣ ଚଳୁନି ? କଣ କରିବେ ସେମାନେ ତୋର ? ତତେ ଭଲକରିଦେବେ ।

 

ଭୀଷଣ ବିରକ୍ତ ହୋଇ ବୋଉ କହେ—ଆଲୋ ହେ ଅଲାଜୁକୀ, ଭଲ କାହିଁକି ହେବି ? କାହିଁକି ଭଲ ହେବି ମ ? ତତେ ଆଗୁଳି ବସିବାକୁ ?

 

ଜାମୁକୋଳିରେ ଭଲକରି ଲୁଣ ଗୋଳୁ ଗୋଳୁ ମାଧବୀ କହେ—ମଲା ଲୋ, ତୁ ମତେ କଣ ଆଗୁଳୁଚୁ ମ ? ମୋ ବାପ ତ ଘର ରଖିଦେଇ ଯାଇଛି ଯେ ମୁଁ ଖେଳୁଛି, ବୁଲୁଛି, ଶୋଉଛି । ଆଉ ଭାତ ରଖିଯାଇଛି ଯେ ଖାଉଛି । ଆଉ ତୁ କଣ ମତେ ମୁଣ୍ଡେଇଧରିଚୁ ଶୁଣେ ?

 

ଭାତକଂସାରେ ହାତ ପୂରାଉ ପୂରାଉ ବୋଉ ମୁହଁଛାଟି କହେ—ହଉଲୋ ହେଲା, ବୁଝିବୁ ଯେ ଦିନେ ।

 

ବୁଝିଲା—ହାଡ଼େ ହାଡ଼େ ସବୁ ବୁଝିଗଲା ମାଧବୀ ଆଜି । ଏଇ ଦଶ ବର୍ଷ ଧରି ବୋଉ ଥିଲା, ସେଥିପାଇଁ ଥିଲା ସିଏ ବି । ଆଜି ବୋଉ ନାହିଁ, ତେଣୁ ସେ ବି ରହିପାରେନା, ଆଖିତଟ ବାହି ଝରିଆସିଲା ଲୁହଧାର । ଛାତି ତଳେ ବି ସେଇ ଲୁହର ଅଶାନ୍ତ ଅସ୍ଥିର ଜୁଆର । ତାର ଅଗଣିତ ଢେଉ କୋହ ହୋଇ ମଥାପିଟୁଛି ଛାତିତଳର ନିଭୃତ କନ୍ଦରରେ । ବୋଉ ମରିଯିବାର ଦୁଇଦିନ ଆଗରୁ ପାଖକୁ ଡାକିଲା, ଗଳାରେ ମିନତିଭରି କହିଲା—ହେଇଟି, ମୋ ମାଆ ପରା, ଦେଖ, ଚଉରାରେ ପାଣି ନଦେଇ କେବେ କିଛି ପାଟିରେ ଦେବୁନିଟି । ବୁଝିଲୁ ମୋ କଥା ।

 

ସେଦିନ କଥା କହିପାରିନଥିଲା ମାଧବୀ । ଜଡ଼ଭଳି ଚାହିଁରହିଥିଲା ବୋଉ ମୁହଁକୁ । ତାର ନୀରବତାରୁ ବୋଉ ତାର ସମ୍ମତି ସେଦିନ ଆଦାୟ କରିନେଇଥିଲା ଓ ଆଖି ବୁଜିଥିଲା ପରମ ନିଶ୍ଚିନ୍ତରେ ।

 

ପରେ କିନ୍ତୁ ବୋଉ କଥା ରଖିଥିଲା ମାଧବୀ । ଚଉରାରେ ପାଣି ନ ଦେଇ ନିଜ ପାଟିରେ ପାଣି ଦିଏନି ସେ ।

 

ଆକାଶରେ ଆଖି ରଖିଲା ମାଧବୀ । ତାରାଫୁଲଖଚିତ ଶାଢ଼ି ପିନ୍ଧି ବି ମ୍ଳାନ ଦିଶୁଛି ଆକାଶ—ଦିନେ ସିଏ ଯେମିତି ଦିଶୁଥିଲା ଚୌଧୁରୀଙ୍କର ମହଲବାସିନୀ ହୋଇ । ଆଖି ନୁଆଁଇଲା ମାଧବୀ । ଚଉରାମୂଳେ ମୁଣ୍ଡ ଲଗାଇଲା । ଗୁଣୁଗୁଣୁ ହୋଇ କହିଗଲା କେତେ କଣ; ତାପରେ... ଘର ଦୁଆରେ ତାଲା ଦେଇ ବାହାରିପଡ଼ିଲା ପଦାକୁ । ଏକମୁହାଁହୋଇ ପାରିହେଲା ଗାଆଁ ଗୋହରି-। ବାଁପଟେ ଆମ୍ୱ, ଜାମୁ, ପଣସର ତୋଟା । ଡାହାଣରେ ନଦୀର ଘୁମନ୍ତ କ୍ଷୀଣ ଦେହ-। ଗାଢ଼ ଅନ୍ଧାରରେ କି ଭୟଙ୍କର ଦିଶୁଛି ଚତୁର୍ଦ୍ଦିଗ । ହୁକେ ହୁକେ ରଡ଼ି ଛାଡ଼ିଛନ୍ତି ବିଲୁଆପଲ-

 

ଏ ଘରୁ ସେ ଘରକୁ ରାତିରେ ଯିବାକୁ ଯେଉଁ ମାଧବୀ ଡାକ ଛାଡ଼େ ଆଲୁଅ ଦେଖା ବୋଲି, ସେ ମାଧବୀ ତ ଏ ମାଧବୀ ନୁହେଁ । ସେ ମାଧବୀ ତା’ ବୋଉର ଲହୁଣୀପିତୁଳା, ନୟନମଣି ! ଆଉ ଏ ମାଧବୀ ? ଏ ମାଧବୀ ଝଡ଼ମୁହଁରେ ଭାସିଯିବା ଅସହାୟ କାଠି ଟୁକୁରାଏ । ସେ ତ ଭାସିଯିବା କଥା, ଉଡ଼ିଯିବା କଥା । ସେ ଭାସିଯିବ, ଉଡ଼ିଯିବ । ବାସ୍‌, ଏତେ ଇଆଡ଼େସିଆଡ଼େ ଅନାଇଁବାର କଣ ଅଛି ?

 

ଏକମୁହାଁ ହୋଇ ଆଗେଇଚାଲିଛି ମାଧବୀ । ଗହୀର ବିଲର ହିଡ଼ରେ ପାଦ ଦେବାକ୍ଷଣି ଚମକିପଡ଼ି ଚିତ୍କାର କରି ଉଠିଲା ମାଧବୀ । ପଛରୁ କିଏ ଆସି କାନ୍ଧରେ ତାର ହାତ ରଖିଛି ମାଧବୀର ସର୍ବାଙ୍ଗ ଥରିଉଠିଲା । ଭୟରେ ଶିହରି ଉଠୁଛି ମାଧବୀ—ଆଖି ଯେପରି ଖୋଲୁନି ତାର-

 

ମାଧବୀ.... ଇ.... ମାଧୁ.... ଉ.....

 

ଆହୁରି ଦୁଇ ଚାରିଥର ସେଇ ଡାକ ଶୁଣିବା ପରେ ଆନନ୍ଦରେ ଆକୁଳ ହୋଇଉଠିଲା ତାର ପଞ୍ଚଆତ୍ମା । ଆଖିରେ ଆବେଗଭରି ସେ ଚାହିଁଲା ପଛକୁ ।

 

କକା.... ଆ....

 

ଦୀର୍ଘ ନିଃଶ୍ୱାସ ନେଉ ନେଉ ଘନଶ୍ୟାମ କହିଲେ—ହଁରେ ମା, ମୁଁ ତୋର କକା । ମୁଁ ଥାଉ ଥାଉ ତତେ ଏଇମିତି ଅନାଥିନୀ ପରି ଦାଣ୍ଡରେ ପାଦ ଦେବାକୁ ପଡ଼ିଲା ? ମୁଁ ଗୋଟେ ମଲା ସାପ ମା’ ! ମତେ କ୍ଷମାକରିଦେବୁ । ମୁଁ ବୁଝିପାରୁଥିଲି ତୁ ଆଉ ରହିପାରିବୁନି ସେ ଘରେ । ହେଲେ ଆଶ୍ରୟଶୂନ୍ୟ ହୋଇ ଆକାଶରେ ଉଡ଼ିବୁଲିବାକୁ କେତେ ବଳ ପାଇବୁ ତୁ ତୋର ଦୁର୍ବଳ ଡେଣାରେ ? ଆଜି ସାମନ୍ତଘରର ବୋହୂ ଝିଏ ଆସିଲା ପରେ ମନ ମୋର କହିଲା—ନା, ନିଶ୍ଚୟ ଆଉ ଦଣ୍ଡେ ବି ତୁ ରହିବୁନି ଏଇ ଗାଁରେ ଏଇ ଘରେ, ମୁଁ ବି ଶୋଇନି । ମାଆରେ, ହେଇଟି ତୋ ଜମିକିଣା ଦଲିଲ ଇଏ । ଛିଣ୍ଡେଇଦଉଛି ତୋରି ସାମନାରେ, ସଞ୍ଜରୁ ବହୁତ ଚେଷ୍ଟା କରି ଏ ଖଣ୍ଡକ ପାଇଗଲି-। ଯେତେବେଳେ ତୋର ଖୁସି ଫେରିଆସିବୁ । ଦେଖିବୁ ସବୁ ତୋର ଠିକ୍‌ ଅଛି । ତୁ କାନ୍ଦୁଥିଲୁ ଚଉରାଧରି ହେଲେ ଶୁଣିଯା, ତୋ ବୋଉର ଚଉରାରେ ନିତି ମୁଁ ଫୁଲ–ପାଣି ଦେବି । ହେଲେ ମା’, ତୁ ଫେରିଆସିବୁ କି ମୋ ସାଥିରେ ?

 

ଆଖିରେ ସମୁଦ୍ରରେ ଜୁଆର ଜାଗିଲା । ରୁଦ୍ଧଗଳାରେ ମାଧବୀ ଥିରି ଥିରି କହିଲା—ଆସିଛି ଯେତେବେଳେ ଆଉ ଫେରିବିନି କକା ! ତେବେ ତୁମେ ମତେ ଫେରାଇନେବାକୁ ମନେକରି ଧାଇଁଆସିଲ ମୋ ପଛରେ, ଏଇ କଥାଟି ମୂଲ୍ୟବାନ୍‌ ଦରବ ହୋଇ ରହିଯିବ ମୋରି ମନର ସିନ୍ଦୁକରେ । ଦଲିଲଟା କାହିଁକି ଚିରିଦେଲ ? ଖୁଡ଼ୀ ମତେ ଟଙ୍କା ତ ଦେଇଥିଲେ ?

 

କଣ୍ଠରେ ତିକ୍ତତା ଭରି ଘନଶ୍ୟାମ କହିଲେ—ଟଙ୍କା ? କାହା ଟଙ୍କା ? ତା ବାପାଘରୁ ଆଣିବା ଟଙ୍କା ? ମୋ ଟଙ୍କା, ମୋ ଭାଉଜ କାମରେ ଲାଗିଛି—ଯାହା ଯଥେଷ୍ଟ ହେଲାନି—ମନ ପୂରିଲାନି । ଯାହାହେଉ, ମୁଁ ମୋର ମନୋବେଦନା ତତେ ବୁଝାଇ କହିପାରିନି ମା ! ତା’ଛଡ଼ା ଆଉ କହି କଣ ଲାଭ ? ମୋରି ଆଖିସାମନା ଦେଇ ତୁ ଯେତେବେଳେ ଘରୁ ଗୋଡ଼ କାଢ଼ିଲୁ, ଆଉ ସେଇ ଦୃଶ୍ୟକୁ ମୁଁ ଯେତେବେଳେ ଜଳକା ଆଖିରେ ଖାଲି ଚାହିଁ ରହିଲି, ସେତେବେଳେ ଏମିତି ଗୁଡ଼ାଏ କଥା କହିବାରେ କିଛି ମୂଲ୍ୟ ନାହିଁ । ଖାଲି ମତେ ଟିକିଏ କହ, କୁଆଡ଼େ ତୁ ଯାଉଚୁ ? କହ ମା.... କହ ?

 

ତାରା ଝିଲିମିଲି ଆକାଶରେ ଆଖିରଖିଲା ମାଧବୀ । ସତରେ, କୁଆଡ଼େ ସେ ଯାଉଛି ? ସେ ତ ଭାବିନି ସେଇ କଥା ?

 

ପୁଣି ପ୍ରଶ୍ନର ପୁନରାବୃତ୍ତି କଲେ ଘନଶ୍ୟାମ । ଏଥର ଆନମନା ଗଳାରେ ମାଧବୀ କହିଲା—ଜାଣେନି ତ କକା !!

 

ଜାଣୁନି ! ବିସ୍ମୟରେ ଚିରିହୋଇଗଲା ଘନଶ୍ୟାମଙ୍କର ଆକୁଳିତ କଣ୍ଠସ୍ୱର । ତା’ପରେ... ରହି ରହି କହିଲେ—ତେବେ ତୁ ଘରକୁ ଫେରିଚାଲେ ମା, ଫେରିଚାଲେ । କେଜାଣି କେମିତି ମନରେ ମୋର ଆସୁଛି ସିଂହର ବଳ । ନିଶ୍ଚୟ ଏଥର ମୁଁ ମୋର ଦୁଇ ଡେଣାରେ ହଟାଇଦେବି ତୋରି ଚାରିପଟେ ଘେରିଆସୁଥିବା ଦୁଃଖ ଅଶାନ୍ତିର ସେଇ ବହଳିଆ କଳା ଛାଇଟାକୁ ? ଯିବୁ ମା-? ଫେରିଯିବୁ ମୋ ସାଙ୍ଗରେ ??

 

ମ୍ଳାନ ହସିଲା ମାଧବୀ, ଲୁଚାଇପାରିଲାନି ନିଜ ଭିତରର ଦୁରନ୍ତ ଅଭିମାନକୁ । ରୁଦ୍ଧଗଳାରେ କହିଲା—ନା, କକା ନା । ଆଉ ମୁଁ ଫେରିବିନି, ଘରୁ ପାଦ କାଢ଼ିବା ଆଗରୁ ଯଦି ଏଇ ପଦକ....

 

ଚିତେଇଲା ଡେଣା ଦୁଇଟା ସାମନାକୁ ଓହଳି ଆସିଲା ଘନଶ୍ୟାମଙ୍କର । ଧନୁପରି ବଙ୍କା ହୋଇଗଲା ଆପାଦମସ୍ତକ । ଶୁଖିଲା ଓଠରେ ଜିଭ ବୁଲାଇ ନେଇ ରହି ରହି କହିଲେ—ମୋର ଝିଆରୀ ହେବ । ଆଗରୁ ତୁ ହେଲୁ ତୋର ବୋଉର ଝିଅ । ଏଇ ଶୁଖିଲା କଥା ଯେ ମୂଲ୍ୟହୀନ, ଏକଥା ଅନେକ ବେଶି ବୁଝୁ ତୁ । ମୋ କଥାଟା ମତେ ବି କଣ ଶୁଖିଲା ଶୁଖିଲା ଲାଗୁନି ? ଲାଗୁଛି, ତେବେ ଏତିକି କହିବି ଯେ ଏଇ ମୁହୂର୍ତ୍ତରେ ତତେ ଘରକୁ ଫେରାଇ ନେବାକୁ ମୋର ବଡ଼ ଇଚ୍ଛା ହେଉଛି । ବଡ଼ ଲୋଭ ହେଉଛି ମୋର ତୋ ଉପରେ ।

 

ମଧୁର ହସିଲା ମାଧବୀ । ଛଳଛଳ କଣ୍ଠରେ କହିଲା—ଏମିତି ହୁଏ କକା ! ମଣିଷର ମନଟାଇ ଏମିତି । ସେଇ ଯେଉଁ କଥା ‘ଥିଲେ ଚିରାକନା ଆଉ ହଜିଗଲେ ମାଠ’—ଠିକ୍‌ ସେୟା । ତୁମେ ଦଲିଲଟା ଯେତେବେଳେ ଚିରିଦେଇଛ—ତୁମ ଭିତରର ସବୁ ଅକୁହା କଥା ମୋ ଭିତରେ ତୋଳୁଛି ନୀରବ ପ୍ରତିଧ୍ୱନି । ସବୁ ମୁଁ ଅନୁଭବ କରିପାରୁଛି । ସେଇ ମୋର ସୁଖ, ସେଇ ମୋର ଆନନ୍ଦ । ସେଇ ଆନନ୍ଦଟିକକ ହେବ ମୋର ଯାତ୍ରାପଥର ଅମୂଲ୍ୟ ପାଥେୟ । ରାତି ସରିଆସୁଛି କକା ! ଗାଁଲୋକଙ୍କ ଆଖିରେ ପଡ଼ିଲେ ଲାଜ ରଖିବାକୁ ଜାଗା ପାଇବିନି । ତୁମେ ଯାଅ—ମୁଁ ବି ଯାଏ ଏଥର ।

 

କଥାସାରି ଘନଶ୍ୟାମଙ୍କର ଦୁଇ ପାଦରେ ମଥା ଲଗାଇଲା ମାଧବୀ । ଆଖିରୁ ତାର ନିଗିଡ଼ି ଆସିଲା ଧାର ଧାର ଅଶ୍ରୁ । ଉଠିପଡ଼ି ଦୁଇପାଦ ଆଗେଇଯାଇଥିଲା ମାଧବୀ । କମ୍ପିତ ଗଳାରେ ଘନଶ୍ୟାମ ପୁଣି କହିଲେ—ଶୁଣୁ ମା’, ଗୋଟିଏ କଥା, ଆତ୍ମହତ୍ୟା ମହାପାପ ।

 

କଥା ତାଙ୍କର ଛଡ଼ାଇ ନେଇ ମାଧବୀ ବିକୃତ ଗଳାରେ କହିଲା—ଆତ୍ମହତ୍ୟା ! ଛି, ମତେ ଭାରି ଘୃଣା ଲାଗେ ସେଇକଥା ।

 

କଥା ସାରି ପୁଣି ଆଗେଇଯାଉଥିଲା ମାଧବୀ । ଘନଶ୍ୟାମ ପୁଣି ଡାକି କହିଲେ—ଆମର ଗରିବ ଘର । ହେଲେ, କେହି କେବେ ଆମ ବଂଶରେ ନାଆଁ ପକାଇନାହାନ୍ତି । ସେଇ ନାଆଁରେ ଆଞ୍ଚ ଆସିଲା ବୋଲି ତୁ ଘର ଛାଡ଼ିଲୁ । ଘର ଛାଡ଼ିବା ପରେ ବି ଯଦି ସେଇମିତି ବିପର୍ଯ୍ୟୟ ଭିତର ଦେଇ ଜୀବନ ଗତିକଲା ବୋଲି ତୋର ମନେହୁଏ.... ତେବେ... ତେବେ.... ତେବେ ନଈ ହେଉ ପୋଖରୀ ହେଉ ଯାହା ବି ହେଉ, ଓହ୍ଲାଇଯିବୁ ତୁ ତାଆରି ଭିତରକୁ—ଡରିବୁନି, ମୋଟେ ଡରିବୁନି ।

 

ଏହି କଥା ବାରମ୍ୱାର କହି କହି ପ୍ରଥମେ ନିଜେ ଗାଁ ଆଡ଼କୁ ପାଦ ବଢ଼ାଇଲେ ଘନଶ୍ୟାମ ।

 

ପଥର ପାଲଟି ଠିଆହୋଇ ରହିଲା ମାଧବୀ । ପାଗଳଙ୍କ ପରି ଗୋଟାଏ ଅସ୍ୱାଭାବିକ ଗତିରେ ଆଗେଇଯାଉଛନ୍ତି କକା । ବିଲୁଆର ବୀଭତ୍ସ ରଡ଼ିରେ ସଂବିତ୍‌ ଫେରିଲା ମାଧବୀର । ଗାଁର ବିପରୀତ ଦିଗକୁ ମୁହଁ ଫେରାଇଲା ମାଧବୀ ।

 

ଲୁହରେ ଅନ୍ଧହୋଇଯାଉଛି ତାର ଦୁଇ ଆଖି । ଧୀରେ ଧୀରେ ମନ ତାର ଛାଇ ହୋଇଗଲା ଅନନ୍ତ ଭାବନାରେ । ନିଜର ଅଜାଣତରେ ହାତ ବୁଲାଇଲା ସିଏ ନିଜ ମୁହଁରେ, ତା’ପରେ ଛାତିରେ । ଭାବନା ତୁଟିଗଲା । ଦାରୁଣଭାବରେ ଚମକି ଉଠିଲା ସିଏ । କାନରେ ବାଜିଲା ତାର ଧାରାଶ୍ରୀର କଥା—ସୌନ୍ଦର୍ଯ୍ୟର ଅଛି ଗୋଟାଏ ନୀରବ ଅହଙ୍କାର । ଅହଙ୍କାର !! ଏତେ ସୁନ୍ଦର ସିଏ ! ଏଇ ବତିଶ ବର୍ଷ ବୟସରେ ବି ଦେହରେ ତାର ସୌନ୍ଦର୍ଯ୍ୟ ଅଛି ! ଛି, ଛି, ଛି, ପୋଡ଼ିଜଳି ଯାଉନି କାହିଁକି ରୂପ ତାର ? ଏଇ ବୟସରେ ବି କି ଉଚ୍ଚ ଦିଶୁଛି ତାର ଛାତି । ଏତେ ନିଟୋଳ କେମିତି ଅଛି ତାର ମୁହଁ ଆଉ ଗାଲ !! କୋଉଠୁ ଆସି ଏତେ ରଙ୍ଗ ଲାଗିଛି ଏଇ ଗାଲ ଆଉ ମୁହଁରେ ! ଇଏ କି ଅଭିଶାପ ଭଗବାନଙ୍କର !! ଆଖିରେ ନୀରବ ଆକ୍ରୋଶରେ ବହ୍ନି ଜାଳି ମାଧବୀ ଚାହିଁଲା ଆକାଶକୁ, ଯେଉଁଠି ତା’ରି ସ୍ରଷ୍ଟା ଘୁମାଇଥିବେ ଏବେ ହୁଏତ ପରମ ନିଶ୍ଚିନ୍ତରେ–ଆଉ ନହେଲେ ତା’ରି କପାଳ ତଳେ ତାଙ୍କରି ହାତରେ ଅଢ଼େଇ ଗାରର ଲେଖାକୁ ଚାହିଁ ହସୁଥିବା ଏଇନେ ମିଟିମିଟି କରି ।

 

ଖଣ୍ଡେ ମାଟି ଡେଣୁଆ ଝୁଣ୍ଟିଲା ମାଧବୀ । ପାଦରେ ପାଦଚାପି ଠିଆହେଲା ମୁହୂର୍ତ୍ତେ । ତାପରେ ପୁଣି ଚାଲିଲା, ଚାଲିଲା..... ଚାଲିଲା....

 

ତାପରେ ?

 

ପାହାନ୍ତି ପବନ ଆସି ହାତ ଛୁଲାଇଦେଲା ତାର ଉତ୍ତପ୍ତ ଦେହମନରେ । ଆରାମରେ ଆଖି ବୁଜିଲା ମାଧବୀ । ସକଳ ଭାବନା ଚିନ୍ତାରୁ ମନ ତାର ମୁକ୍ତିନେଲା । ମୁଗ୍‌ଧ ଆଖି ମେଲି ଚାରି ଆଡ଼କୁ ଚାହିଁଲା ସିଏ । ଚତୁର୍ଦ୍ଦିଗରେ ବିଛାଇ ହୋଇ ରହିଛି ସବୁଜ ଆସ୍ତରଣ ।

 

ଆଖି ଦୁଇଟା ହଠାତ୍‌ ଚଞ୍ଚଳ ହୋଇଗଲା ମାଧବୀର । ଧାନକ୍ଷେତର ସବୁଜ ଛାତି ଚିରି ଆଗେଇଆସୁଛି ମଣିଷଟିଏ—ବୋହୂଟିଏ । ମଥା ଉପରେ ତାରି ଦୁଧ ଅବା ଦହିର ବୋଝ । ତାଙ୍କରି ଗାଁକୁ ଆସୁଛି ହୁଏତ । ମଥାର ଓଢ଼ଣାକୁ ବେଶ୍‌କରି ତଳକୁ ଟାଣିଆଣି ମୁହଁ ଲୁଚାଇଲା ସିଏ-। ପାଖକୁ ଆସିବା ପରେ ଓଢ଼ଣା ଭିତର ଦେଇ ମାଧବୀ ଦେଖିଲା ଗେହ୍ଲୀ ଗୌଡ଼ୁଣୀ—ଯିଏ ତାକୁ ଭାରି ଭଲପାଏ—ପ୍ରାୟ ଦିଏ ଆସି ଚୌଧୁରୀଙ୍କ ଘରର ଖବର—ଯିଏ ବେଳେବେଳେ ଲୁହଗଡ଼ାଏ ତା ଜୀବନର ବ୍ୟର୍ଥତା କଥା ଭାବି । ଅବଶ୍ୟ ତାର ସେଇ ଲୁହ ସବୁବେଳେ ଆଘାତ ହାଣିଛି ମାଧବୀର ଆତ୍ମଗର୍ବରେ । ତଥାପି କେବେ କିଛି ସେ କହିପାରିନି ଗେହ୍ଲୀ ଗୌଡ଼ୁଣୀ ମନ ଭିତରର ସରଳ ସ୍ୱଚ୍ଛତାକୁ ଅନୁଭବ କରି । ତା’ ବୋଲି ତା’ରି ପାଖରେ ଠିଆହୋଇ ରହିନି ସିଏ ବେକଭାଙ୍ଗି-। ମୁହଁ ଫଣ ଫଣ କରି ଚାଲିଯାଏ ଅନ୍ୟଆଡ଼କୁ ।

 

ସେଇ ଗେହ୍ଲୀ ଗୌଡ଼ୁଣୀ—ତା ଉପରେ ଆଖିରଖି ଠିଆହୋଇପଡ଼ିଲା ସେ ହିଡ଼ ଉପରେ । ପ୍ରମାଦ ଗଣିଲା ମାଧବୀ । ତାକୁ ବାଟ ଛାଡ଼ିଦେବାକୁ ଗଡ଼ିଗଲା ବିଲ ଭିତରକୁ । ଅନୁଭବ କଲା କିନ୍ତୁ ଗେହ୍ଲୀର ଧାରୁଆ ଚାହାଁଣିକୁ । ଟାଣକରି ମାଧବୀ ଭିଡ଼ିଧରିଲା ଚିବୁକ ପାଖକର ଲୁଗାକାନିକୁ । ବିଲ ଭିତରୁ ଉଠିଆସି ପୁଣି ପାଦଦେଲା ଗେହ୍ଲୀ ଠିଆହୋଇଥିବା ବିପରୀତ ହିଡ଼ରେ ।

 

ଛାଡ଼ିଲିନି ଗେହ୍ଲୀ । ଥଙ୍ଗଥଙ୍ଗ ହୋଇ ପଚାରିଲା—କିଏ ମ ? ଆମର ବଡ଼ବୋହୂ ସାଆନ୍ତାଣୀଟି—ନା କଣ ମ !

 

ଏ କଥାର ଉତ୍ତର ନ ଦେଇ ଖୁବ୍‌ ଚଞ୍ଚଳ ପାଦରେ ଆଗେଇଗଲା ମାଧବୀ । ତଥାପି ପାଦରେ ତାର ସୃଷ୍ଟି ହୋଇଛି ମୃଦୁ କମ୍ପନ । ଅନେକ ଦୂରକୁ ଚାଲିଗଲାପରେ ପଛକୁ ମୁହଁ ବୁଲାଇ ଚାହିଁଲା ମାଧବୀ । ତା’ରି ପରି ଯାଉ ଯାଉ ତା’ରିଆଡ଼େ ଫେରି ଚାହୁଁଛି ଗେହ୍ଲୀ । ସେ ବି ମୁହଁ ବୁଲାଇ ନେଲା ।

 

ପୂର୍ବ ଆକାଶଟା ଲାଲ ହୋଇଆସୁଛି । ଆଉ ଟିକକୁ ଖରା ବିଛାଇ ହୋଇଯିବ । ମଥାରୁ ଅଳ୍ପ ଓଢ଼ଣା ଖସାଇ ଆଗକୁ ଚାହିଁଲା ମାଧବୀ । ଆଖିରେ ପଡ଼ିଲା ତାର ଚୌଧୁରୀଘରର ତ୍ରିତଳର ଗମ୍ୱୁଜଟା । ଆନନ୍ଦରେ ଝଲମଲ ହୋଇଉଠିଲା ମାଧବୀର ଆଖିତାରା ଦୁଇଟି । ଖୁବ୍‌ ଚଞ୍ଚଳ ପାଦରେ ଚାଲିବାକୁ ଆରମ୍ଭକଲା ସିଏ । ଗଡ଼ିଗଲା ବାଁପଟରେ ଥିବା କେନାଲ ଆଡ଼କୁ । ଚୌଧୁରୀଘରର ଚଉହଦି ଭିତରେ ଅଛି ଯେଉଁ ମାଟି, ସେଇ ମାଟି ଟିକକହିଁ ତାର ରକ୍ଷାକବଚ । ସେଠି ରହିଲେ ତା ଉପରେ ଆଉ ପଡ଼ିବନି କେଉଁ ଅପଦେବତାର ଦୃଷ୍ଟି । କକାଙ୍କ ମୁହଁଟି ମନେପଡ଼ିଲା ତାର । ଏକ ପରମ ଶାନ୍ତିରେ ମୁହୂର୍ତ୍ତକ ଲାଗି ଆଖି ଦୁଇଟି ତାର ମୁଦିହୋଇଆସିଲା-। କାଲି ସକାଳେ ଗେହ୍ଲୀ ଗୌଡ଼ୁଣୀ ପୁଣି ଯାଇ କକାଙ୍କୁ କହିବ–ମନ ଦୁଃଖ କରନି ସାଆନ୍ତେ, ବୋହୂସାଆନ୍ତାଣୀ ଯାଇ ଚୌଧୁରୀଙ୍କ ଘରେ ଘରକରଣା କରୁଛନ୍ତି । ଆନନ୍ଦରେ ଉଜଳି ଉଠିବ କକାଙ୍କର କାନ୍ଦୁରାମୁହଁଟା ।

 

ଚୌଧୁରୀଘର ବାଡ଼ିପଟ ପାହାଚରେ ପାଦଦେଲା ମାଧବୀ । ଦୁଆରେ ଠିଆହୋଇଛି ମିଣିପିଟିଏ; ଘରର ଚାକରଟିଏ ପରି ଦିଶୁଛି । ତାକୁ ନଚାହିଁ ଘର ଭିତରକୁ ପଶିଗଲା ମାଧବୀ ।

 

ପାଟିକରିଉଠିଲା ସେ ମଣିଷଟି—ଆଲୋ, କିଏ ଲୋ ମା’ ତମେ ? ମଲା ମଲା, ମିଣିପଟେ ମୁଁ ଠିଆହୋଇଛି, ତମେ ପଚରାଉଚରା ନକରି ପଶିଯାଉଛି ସିଧାସଳଖ !! ମଲା କିଏମ ତମେ ?

 

ଅସ୍ୱାଭାବିକ କଣ୍ଠସ୍ୱର । ପୁରୁଷର ତ ନୁହେଁ—ପୂରାପୂରି ସ୍ତ୍ରୀଲୋକର ବି ନୁହେଁ ! ତେବେ କିଏ ଏଇଟା ? ପାହାଚରେ ପାଦଦେବା ଆଗରୁ ମନେହୋଇଥିଲା ପୁରୁଷଟେ ବୋଲି ଯେ-! ଲୁଙ୍ଗିଟେ ପିନ୍ଧିଥିଲା ତ । ସାମାନ୍ୟ ଓଢ଼ଣା ଉଠାଇ ଫେରିଚାହିଁଲା ମାଧବୀ । ଠିକ୍‌ । ପିନ୍ଧିଛି ତ ଲୁଙ୍ଗିଟେ । ହେଲେ ଡାହାଣପଟ ଅଣ୍ଟାରୁ ଖୋଷା ହୋଇ ଗାମୁଛାଟେ ଚାଲିଯାଇଛି ବାଁ କାନ୍ଧଦେଇ ପଛପଟକୁ । ବାବୁରି ବାଳରେ ମଝିସୁନ୍ଥା । ଦୁଇପଟେ ଦୁଇଟା ରଙ୍ଗିନ କ୍ଳୀପ୍‌, ଆଖିରେ କଳା-ଆହୁରି କେଉଁଠି କଣ ଅଛି ଦେଖିବାଆଗରୁ ଏ ବେଶ ଦେଖି ହସ ମାଡ଼ିଲା ତାକୁ । ହେଲେ, ସେଇ ହସକୁ ଚାପିରଖି ଭ୍ରୂକୁଞ୍ଚିତ କରି ମୁହୂର୍ତ୍ତେ ଚାହିଁଲା ମାଧବୀ । ସେଇ ଆଖି ଦେଖି ଦୁଇ ହାତ ପଛାଇଗଲା ମଣିଷଟି ଓ ମୁହଁ ବୁଲାଇନେଇ ଚିହ୍ନା ରାସ୍ତାରେ ଆଗେଇଗଲା ମାଧବୀ । ପଛପଟେ କଣ ଗଣଗଣ ହୋଇଉଠିଲା ପୁଣି ସେଇ ମଣିଷଟା । ବାଧ୍ୟ ହେଲା ସେ ବି ମାଧବୀ ପଛେ ପଛେ ଆଗେଇଯିବାକୁ ।

 

ଦୋତାଲାକୁ ଉଠିଯାଇ ଗୋଟିଏ ଦୁଆରେ ଠିଆହୋଇ ପଡ଼ିଲା ମାଧବୀ । ତା’ପରେ ମୁହଁ ବୁଲାଇ ଚାହିଁଲା ପଛରେ ଆସୁଥିବା ସେ ଲୋକଟି ଆଡ଼େ । ମୁହଁ ଘୁଂଗୁରା କରି ଠିଆହୋଇଛି ମଣିଷଟି । ଗଳାରେ ଅସ୍ୱସ୍ତି ଭରି ମାଧବୀ ପଚାରିଲା—ଏ ଘରେ କିଏ ଶୋଉଛନ୍ତି କୁହ ତ ?

 

ଛାତି ଉପରେ ଗାମୁଛା ଧଡ଼ିଟା ସଜାଡ଼ୁ ସଜାଡ଼ୁ ଲୋକଟି କହିଲା—ମଲାମୋର, କାହିଁକି ଯେ—ମୁଁ ଉଁଉଁ କହିବିନି । ତମେ ଆଗ କହୁନା ତମେ କିଏ ?

 

ବେକ ଭାଙ୍ଗି ମାଧବୀ ସ୍ଥିରଦୃଷ୍ଟିରେ ଚାହିଁଲା ମଣିଷଟାର ମୁହଁଟାକୁ । ତଳ ଓଠଟା ବଙ୍କେଇଗଲା ତାର । ମାଧବୀର ଭାବଭଙ୍ଗୀ ଦେଖି ଘାବରେଇଗଲା ମଣିଷଟା । ଢୋକ ଗିଳି କହିଲା—ଏ ଘରଟା ଆଗର କିଏ ବଡ଼ସାଆନ୍ତାଣୀ ଥିଲେ, ତାଙ୍କରି । ସେଇଥିପାଇଁ ଏ ଘରଟା ଏମାନେ କାରବାର କରନ୍ତିନି—କୋଉ ଗୋଟିଏ ବଡ଼ ବୋହୂସାନ୍ତାଣୀଙ୍କ ନାଆଁରେ ଉଛୁରୁଗ କରିଦେଇଛନ୍ତି ଘରଟାକୁ ।

 

କଥା ସାରି ପାନରଙ୍ଗା କଦର୍ଯ୍ୟ ଦାନ୍ତ ଦେଖାଇ ହସିଲା ଲୋକଟା । ସେମିତି ହସୁ ହସୁ ଟିକିଏ ପରେ ସେ ଫିସ୍‌ଫିସ୍‌ କଣ୍ଠରେ କହିଲା—ନାଇଁମ ମା, ସେ କଥା ସତ ନୁହେଁ ଯେ, ଅସଲ କଥା ହେଲା ବୁଢ଼ୀସାନ୍ତାଣୀ କହନ୍ତି—ଏ ଘରଟାରେ ଅଲକ୍ଷଣୀଟେ ଶୋଉଥିଲା । ତା ନାଁ ଧଇଲେ ବରକତ ନାହିଁ । ସେଇଥିପାଇଁ ପୁଅ ବୋହୂଙ୍କୁ ଆଉ ଏ ଘରେ ଶୁଆଇ ଦେଲେ ନାହିଁ, କି କିଛି କାମରେ ଲଗାନ୍ତି ନାହିଁ ଏ ଘରଟାକୁ । ହେଲେ—ତମେ କିଏ କହୁନା କାହିଁକି ମ ? ମୋ ନାଁ ମହନା ।

 

ଆଉଜା ଦୁଆରକୁ ହାତରେ ଅନୁଭବ କରି ଶୀତଳ ଆଖିମେଲି ମାଧବୀ ଟିକିଏ ଚାହିଁଲା ମହନା ମୁହଁକୁ । ତାପରେ ଧୀରେ ଧୀରେ ଘର ଭିତରକୁ ପଶିଯାଇ କବାଟକୁ ବନ୍ଦ କରିଦେଲା ଭିତରୁ ।

 

ବୋକା ଆଖିରେ କବାଟ ଆଡ଼େ ଚାହିଁରହିଲା ମହନା । ଦଶ ବର୍ଷ ତଳେ ଯେଉଁ ଘରକୁ ଯେଉଁ ଭାବରେ ଛାଡ଼ିଯାଇଥିଲା ମାଧବୀ, ସେ ଘର ଅଛି ଠିକ୍‌ ସେଇମିତି । ସେଇମିତି ଦାମୀ ଦାମୀ ଆସବାବରେ ସୁନ୍ଦର ଆଉ ଗମ୍ଭୀର ଦିଶୁଛି ତାର ଏଇ ଶୋଇଲାଘର । ଝଡ଼ାପୋଛା ହୁଏ ବୋଧହୁଏ—ତେଣୁ ଭିତରେ ଜମିନି ଏତେ ଟିକିଏ ବି ଧୂଳିମଳି ।

 

ଚାରିଆଡ଼କୁ ନିରେଖି ନିରେଖି ଚାହିଁଲା ମାଧବୀ । ବଡ଼ ଦର୍ପଣରେ ଫୁଟିଉଠିଲା ତାର ପ୍ରତିବିମ୍ୱ । ଆଖି ପଡ଼ିଲା ତା ନିଜର ରକ୍ତିମ ଗଣ୍ଡ ଉପରେ । ଧୀରେ ଧୀରେ ତାର ଦୃଷ୍ଟି ଓହ୍ଲାଇଆସିଲା ତାର ଉଚ୍ଚ ଛାତି ଉପରକୁ । ମୁହୂର୍ତ୍ତକେ ପାଣ୍ଡୁର ହୋଇଗଲା ମାଧବୀର ସୁନ୍ଦର ମୁହଁଟି ଲଜ୍ଜା ଆଉ ଘୃଣାରେ । ଖଟର ଚାଦରଟାକୁ ଟିକିଏ ଝାଡ଼ିଦେଇ ସେ ଚୁପ୍‌ କରି ଶୋଇପଡ଼ିଲା-। ସାରା ରାତିର କ୍ଳାନ୍ତି ଆସି ଆଖିରେ ତାର ଭରିଦେଲା ନିଦ ।

Unknown

 

 

ଏ ଘରେ ଆଠଟା ଆଗରୁ କେହି ବିଛଣା ଛାଡ଼ନ୍ତିନି । ଏମିତିକି ବାବୁଙ୍କର ଛୋଟପିଲା ଦୁଇଟା ମଧ୍ୟ । ସକାଳ ଜଳଖିଆଟା ଖାଉ ଖାଉ ଏ ଘରେ ଦଶ ବାଜେ । ହେଲେ ଘରର କର୍ତ୍ତା ଉଠନ୍ତି ବଡ଼ିସକାଳୁ । ଶୀତ ନାହିଁ, ବର୍ଷା ନାହିଁ—ବାଧ୍ୟ ହୁଅନ୍ତି ଉଠିବାକୁ । କାରଣ ଘରର ନିୟମ ହେଲା ଠାକୁରଘରର ଯେତେ କାମ ସବୁ କରିବାକୁ ପଡ଼େ ଘରର ବୋହୂମାନଙ୍କୁ । ଏ ନୀତିକି ବଡ଼ ମାନି ଚଳନ୍ତି ତମାଳର ବୃଦ୍ଧା ଜନନୀ । ଫୁଲ ଦୁଇଟା—ତାକୁ ବି ତୋଳିବେ ସିଏ ଆପଣା ହାତରେ-। ସେଇ ନିୟମକୁ ମନେ ପ୍ରାଣେ ଧରିରଖିଛନ୍ତି ବୁଢ଼ୀ । ଅବଶ୍ୟ ଦଶବର୍ଷ ତଳେ ମାଧବୀ ଯେତେବେଳେ ଥିଲା, ଏ ଘରେ ସେତେବେଳେ ରାଧାମୋହନଙ୍କର ସବୁ ସେବା ନିଜ ହାତରେ କରୁଥିଲା ସେ । ନିଶ୍ଚିନ୍ତ ମନରେ ବୁଢ଼ୀ ଦେହରେ ଆଉ ଟିକିଏ କମ୍ୱଳ ଟାଣି ଆଖିବୁଜି ପଡ଼ିରହୁଥିଲେ । ସେଇ ଆଠଟି ବର୍ଷର ନିଶ୍ଚିନ୍ତତାକୁ ସିଏ ଆଜି ବି ଝୁରିହୁଅନ୍ତି ମନେ ମନେ-। ଝୁରିହୁଅନ୍ତି ଗୋଟିଏ ଶାନ୍ତ ଶୀତଳ ମୁହଁଟି ଦୁଇଟି ଭୀରୁ ଆଖିକୁ । ଝୁରି ହେବାଲାଗି ଅନେକ କାରଣ ଘଟେ ଏ ଘରେ—ଆଉ ନ ଝରିବେ କେମିତି ? ଯେଉଁଦିନ ମଟରରୁ ଓହ୍ଲାଇ ଏ ଘରେ ପାଦ ଦେଲା ସୁଚରିତା, ସେଦିନ ଶାଶୁ ତାର ହାତଧରି ନେଇଯାଇଥିଲେ ଠାକୁରଘରକୁ—ମୁଣ୍ଡିଆ ମାରିବାକୁ କହିଥିଲେ । ମାତ୍ର ଠିଆ ହୋଇ ହାତଯୋଡ଼ି ପ୍ରଣାମ ଜଣାଇଥିଲା ନବବଧୂ ସୁଚରିତା-। ଏହା ଦେଖି କୁଞ୍ଚିତ ହୋଇଯାଇଥିଲା ବୁଢ଼ୀଙ୍କର ଆଖି । ଗଳାରେ ସାମାନ୍ୟ ବିରକ୍ତି ଭରି କହିଥିଲେ–ଇଏ କି ମୁଣ୍ଡିଆ ଲୋ ବୋହୂ !! ତଳେ ମୁଣ୍ଡ ଲଗା ।

 

ଶାଶୁଙ୍କୁ ସମ୍ମାନ ଦେବାକୁ ଯାଇ ଫିସ୍‌ଫିସ୍‌ ଗଳାରେ ସୁଚରିତା କହିଥିଲା—ଘରଟାରେ ପାଣି ଜମିରହିଛି । ବନାରସୀଟା ନଷ୍ଟ ହୋଇଯିବ ଯେ !

 

ଏକଥା ଶୁଣି ଚମକିପଡ଼ି ବୁଢ଼ୀ ପଦାକୁ ଚାହିଁଥିଲେ—ଆଉ କିଏ ଶୁଣିଲାକି ଏକଥା ? ତାଙ୍କରି ମନୋନୀତା ବୋହୂ ତାଙ୍କୁ ଶୁଣାଉଛି ଶାଢ଼ିର ମହିମା ! ସବୁଠୁ ବେଶି ଡର ସେଇ ପରାଗକୁ–ଯେଉଁ ପରାଗ ମାଧବୀ ନାମର ବୋହୂଟା ଏଘରୁ ଚାଲିଗଲାଦିନୁ ଦିନକ ଲାଗି ବି ଆସିନି ଏ ଅଗଣାକୁ । ଦେବୀ ପୂଜା ବି ହୁଅନ୍ତି ଏଇପଟର ବଡ଼ ଅଂଶର ବଡ଼ ଅଗଣାରେ । ସେଇ ଦେବୀ ଦେଖିବାକୁ ବି ଆସିଲାନି ପିଲାଟା । ବୁଢ଼ୀ ଯାଇ କୁଣ୍ଢାଇ ପକାଇଥିଲେ ବାର ବର୍ଷର ପରାଗଟାକୁ ଓ ମଥାରେ ତାର ଓଠ ଛୁଆଉଁ ଛୁଆଉଁ କହିଥିଲେ–ଆରେ ପାଗଳା, ଗଲା ତ ସିଏ ଯାଉ–ଆମର ଆଣିବାନି କି ଆଉ ଗୋଟେ ଭଲ ବୋହୂ ? ଆ, ଦେଖିବୁ ଆ, କେମିତି ସବୁ ଜମାହୋଇଗଲେଣି ଦେବୀ ମେଲାରେ ।

 

ବୁଢ଼ୀଙ୍କୁ ଟିକିଏ ଠେଲିଦେଇ ରାଗ ଓ ଅଭିମାନରେ କହିଥିଲା ପରାଗ—ଆଉ, ଏ ନୂଆ ବୋହୂଟା ଯଦି ଭଲ ନ ହୁଏ ? ପୁଣି ପିଲା ବି ତାଙ୍କର ଯଦି ନ ହୁଏ ? ତାହେଲେ କଣ କରିବ ?

 

ଆଖିରୁ ନିଆଁ ଝରିଥିଲା ବୁଢ଼ୀଙ୍କର । ଦେଖ ତ, ଏଡ଼ିକି ଟିକିଏ ପିଲା କେମିତି କଥା କହୁଛି ସବୁ ? ମଝିଆଣୀ କେଡ଼େ ମୁହଁବଢ଼ା କରିଛି ମ ଏଇ ପିଲାଟାକୁ ! ବୋହୂ କଣ ପାଇଁ ଗଲା, କାହିଁକି ଗଲା, ସବୁ ଏ ଟୋକାକୁ ଜଣା । ନିଆଁଲଗା ଯେତେହେଲେ ଭଗାରି ପିଲାଟି ! ମୋ ବଅଁଶ ନିଅଁଶ ହେଲେ ସବୁ ଖାଇବେ ଯେ । ମଲା ମୋର ପୁତୁରା । ପୁତୁରା ନା ନିଆଁଚୁଲି । ପାଦ କଚାଡ଼ି ମଝିଅଗଣାରୁ ସେଦିନ ଲେଉଟି ଆସିଥିଲେ ବୁଢ଼ୀ । ହେଲେ କଣ ହେବ—ସେଇ ଯେ ବଡ଼ ଅଗଣାକୁ ଆସିବା ବନ୍ଦକଲା ପରାଗ, ଆଉ ଆସିଲାନି । ତମାଳର ବାହାଘରକୁ ବି ଆଉ ଆସିଲାନି ସେ ।

 

ନୂଆବୋହୂଟାର କଥା ଶୁଣି ବୁଢ଼ୀ ସେଦିନ ଡରିଲାଆଖିରେ ଚାହିଁପକାଇଥିଲେ ଚାରିଆଡ଼କୁ । ନାଁ, ପରାଗ ନାହିଁ କେଉଁଠି—ବୋହୂର କଥାଗୁଡ଼ାକ ତା କାନରେ ପଡ଼ିନି—ରକ୍ଷାହୋଇଛି ।

 

ଏ ଘଟଣାର ପନ୍ଦର ଦିନ ପରେ ଦିନେ ସନ୍ଧ୍ୟାରେ ବୁଢ଼ୀ ସୁଚରିତାର ଶୋଇଲାଘରେ ପଶିଲେ । ନଭେଲ କି କଣ ଗୋଟାଏ ପଢ଼ୁଥିଲା ଶୋଇ ଶୋଇ । ଶାଶୁଙ୍କୁ ଦେଖି ଉଠିପଡ଼ିଲା ସୁଚରିତା । ଖୋଷା ଉପରେ ଓଢ଼ଣାଟାକୁ ଲଟକାଇ ତଳେ ଆସି ଠିଆହେଲା । ଆଖିରେ ପ୍ରଶ୍ନ ଭରି ଚାହିଁଲା ଶାଶୁଙ୍କ ମୁହଁକୁ ।

 

ଏ ଘରର ନିୟମ ହେଲା ବୋହୂ ଯେତେ ପିଲାଛୁଆର ମା ହେଉନା କାହିଁକି ଓଢ଼ଣାରେ କପାଳ ଢାଙ୍କି ମଥାନୁଆଁଇ ଶାଶୁ ସାମନାରେ ଠିଆହେବ, କଥା କହିବ ଫିସ୍‌ଫିସ୍‌ କରି । ସେଇ ଧାରାରେ, ସେଇ ନିୟମ ମାନି ଏ ଘରେ ଆଠ ବର୍ଷ କଟାଇଯାଇଛି ମାଧବୀ ନାମର ଛୋଟକପାଳୀ ବୋହୂଟିଏ । ଯେଉଁ ବୋହୂର ଆବାହନରେ ତାଙ୍କର ଖୁସିଭରା ସମ୍ମତି ନଥିଲା କି ବିସର୍ଜନରେ ଦୁଃଖ ନଥିଲା । ଅସମାନ ଘରର ଝିଅଟାକୁ କେବେହେଲେ ମନରେ ଗ୍ରହଣ କରି ନଥିଲେ ସିଏ । ଆଉ, ଏଇ ବୋହୂ ? ଏ ତାଙ୍କର ସମାସ୍କନ୍ଧ ଘରର ଝିଅ ! ହେଲେ ରୂପ-ଗୁଣରେ କଣ ଏଇ ବୋହୂ ତାଙ୍କର ମନୋମତ ହୋଇଛି ? ଆଖି ଦୁଇଟି ତଳତଳ ହୋଇ ଯାହା ଟିକିଏ ସୁନ୍ଦର ଦେଖିବାକୁ । ମଇଳାରଙ୍ଗ—ଯାହାକୁ ଶ୍ୟାମଳୀ କହନ୍ତି । ତଥାପି ଦେଖିବାକୁ ମନ୍ଦ ନୁହେଁ ସୁଚରିତା । ଆଉ ଗୁଣ-? ହଅ....ଅ ପନ୍ଦରଟା ଦିନର ବୋହୂ—ବଦଳିବନିକି ଦିନେ ମନଟା ! ଆଉ ସବୁ ଚୁଲିକି ଯାଉ, ଯେଉଁ ଆଶାରେ ସେ ଏ ବୋହୂକୁ ଆଣିଛନ୍ତି ସେଇ ଆଶା ପୂର୍ଣ୍ଣହେଲେ ଜୀବନ ତାଙ୍କର ଧନ୍ୟ ହେବ । କଣ ହେବ ରୂପ ? ରୂପ କଣ ଜୀବନକୁ ସାର୍ଥକ କରେ ? କରିଥିଲା କି ମାଧବୀ ନାମର ସେଇ ରୂପବତୀ ବୋହୂଟା ! ତେବେ ?

 

ଶାଶୁଙ୍କର ଏଇ ନୀରବ ପର୍ଯ୍ୟବେକ୍ଷଣରେ ମନଟା ବିରକ୍ତିରେ ଭରିଗଲା ସୁଚରିତାର । ତଥାପି ଗଳାରେ ସଂଯମଭରି କହିଲା—ମତେ କିଛି କହୁଥିଲ କି ବୋଉ ?

 

ବୁଢ଼ୀ ନରମ ଗଳାରେ କହିଲେ—ହଁ, କହୁଥିଲି କି ଏ ଘରର ନୂଆବୋହୂ ତୁ । ତତେ ମାନୁନି ମା’ ଏତେ ଡେରିରେ; ବିଛଣା ଛାଡ଼ିବା । ତାଛଡ଼ା ଏ ଘରର ନିୟମ ହେଲା, ଠାକୁର ଘର ଧୋଇବା, ତାଙ୍କ ବାସନ ମାଜିବା; ଫୁଲ ତୋଳିବା, ଭୋଗ ସଜାଡ଼ିବା—ଏସବୁ କରିବେ ଏ ଘରର ବୋହୂ । ବାସ୍‌, ସେତିକି ତାଙ୍କର କାମ । ତେଣୁ କହୁଥିଲି କାଲିଠୁ ଉଠିବୁ ତୁ ଭୋରରୁ । ନିଜ ହାତରେ ଠାକୁରଘରର ସବୁକାମ କରିବୁ ।

 

ଶାଶୁଙ୍କ କଥା ଶୁଣି ପଥୁରିଆ ହୋଇଗଲା ସୁଚରିତାର ମୁହଁଟା । ହାତରେ ଧରିଥିବା ବହିରେ ଆଖିରଖି ଶୁଖିଲା ଗଳାରେ ସୁଚରିତା କହିଲା—ଆମ ଘରେ ବି ଠାକୁର ଅଛନ୍ତି; ଆଉ ବାରମାସରେ ତେର ନୀତି ତାଙ୍କର ବି ଅଛି । ହେଲେ ସେଇ କାମଗୁଡ଼ାକ ଆମ ଘରେ କୋଉ ବୋହୂ ଝିଅ-କରନ୍ତିନି—ଚାକର ଚାକରାଣୀ ହିଁ କରନ୍ତି ।

 

ବୋହୂର କଥା ଶୁଣି ମଉନ କ୍ରୋଧରେ ସ୍ତବ୍‌ଧ ହୋଇଗଲେ ବୁଢ଼ୀ । କିଛି ସମୟପରେ କ୍ରୋଧକମ୍ପିତ କଣ୍ଠରେ କହିଲେ—ତମ ଘର ନୀତି ତମ ଘରେ । ଆଉ ମୋର ଘର ନୀତି ମୋ ଘରେ—ବୁଝିଲୁ ! ଏଘରର ପ୍ରତିଟି ନିୟମ ଏ ଘରର ବୋହୂକୁ ମାନି ଚଳିବାକୁ ପଡ଼ିବ ।

 

ସୁଚରିତା ବି ମୋଟା ଗଳାରେ ସଙ୍ଗେ ସଙ୍ଗେ କହିଉଠିଲା—ମୋର ତ ସକାଳୁ ଉଠିବାର ଆଦୌ ଅଭ୍ୟାସ ନାହିଁ । ଆଉ ଆଜି ଏଇ ମଇଳା ଦେହବର୍ଣ୍ଣ ଯୋଗୁ ମୁଁ ଆସି ଏଠି ପଡ଼ିଲି ବୋଲି ଏ ଚାକରାଣୀ କାମ କରିପାରିବିନି ।

 

ଦାନ୍ତରେ ଦାନ୍ତ ଚାପି ବୁଢ଼ୀ କହିଲେ—ଠାକୁରଙ୍କ କାମ କଣ ଚାକରାଣୀର କାମ ?

 

ସେମିତି ଟାଣ ଗଳାରେ ସୁଚରିତା କହିଲା—ଠାକୁରବାସନ ମାଜିବା ନାଁରେ ମୁଁ କଦାପି ଚାକର–ଚାକରାଣୀଙ୍କ ସାମନାରେ କିଛି କାମ କରିପାରିବିନି ।

 

ଅପଲକ ଆଖିମେଲି ବୁଢ଼ୀ ଚାହିଁ ରହିଲେ ବୋହୂର ମୁହଁକୁ । ଅନେକ ସମୟ ଲାଗି କେବଳ ଥରିବାକୁ ଲାଗିଲା ତାଙ୍କର ତଳ ଓଠଟା । ତାପରେ ଧୀରେ ଧୀରେ ଚାଲି ଯାଇଥିଲେ ସେଘରୁ । ଆଉ କେବେ କହିନଥିଲେ ସୁଚରିତାକୁ ଠାକୁରଘର କଥା । ସେଇଦିନୁ ଶୀତ ହେଉ, ବର୍ଷା ହେଉ ସକାଳୁ ଉଠି ବୁଢ଼ୀ ନିଜେ ଠାକୁରଘର କାମ କରିଆସୁଛନ୍ତି ଆଜି ପର୍ଯ୍ୟନ୍ତ ।

 

ପୁଅକୁ ଦିନେ କହିବାକୁ ଯାଇଥିଲେ ବୋହୂର ଏଇ ଠାକୁରସେବା-ବିମୁଖ କଥା । ପୁଅ ହସିଦେଇ କହିଥିଲା—ତୁ ଆଚ୍ଛା କଥା କହୁଚୁ ବୋଉ ! ଯିଏ ଯୋଉ ଢଙ୍ଗରେ ବଢ଼ିଛି ନା ! ଗରୀବ ଘରକଥା ଅଲଗା, ପୁଣି ବଡ଼ଲୋକ ଘରକଥା ଅଲଗା । ତା’ଛଡ଼ା ସମସ୍ତଙ୍କ ହାତରେ କଣ ସବୁ କାମ ହୁଏ ? ଅଭ୍ୟାସ ନେଇ କଥା । ସେ ତ ଯାହା କହୁଛି ଠିକ୍‌ କହୁଛି । ତାର ଯାହା ଅଭ୍ୟାସ ନାହିଁ ସେ କଥା କଣ ସେ କରିପାରିବ ?

 

ସେଠୁ ବି ନୀରବରେ ସେଦିନ ଫେରିଆସିଥିଲେ ବୁଢ଼ୀ ।

 

ଯାହା ବି ହେଉ, ତଥାପି ସୁଚରିତା ଭରିଦେଇଛି ତାଙ୍କର ଶୂନ୍ୟ ମନକୁ, ଭରିଦେଇଛି ଏ ଘରର ବିଶାଳ ଅଙ୍ଗନଟାକୁ । ତାର ତିନୋଟି ଛୁଆର କଳରବରେ ଉଛୁଳି ଉଠୁଛି ଏ ଘର । ଆଜି ଆଉ ସୁଚରିତା ବିରୁଦ୍ଧରେ କୌଣସି ନାଲିସ ନାହିଁ ତାଙ୍କ ମନରେ । ରୋଗବହରାଗ ହେଲେ ସୁଲ୍ୟ ଗୌଡ଼ୁଣୀ ଝିଅ ଚାନ୍ଦ କରେ ଠାକୁରଘର କାମ ।

 

ଏତେ କାଳପରେ ଭିନ୍ନ ମଣିଷଟାଏ ପଶିଲା ଠାକୁରଘରେ ! ଦୁଇଟି ନିଷ୍ପ୍ରଭ ଆଖିକୋଣରୁ ଲୁହ ଝରିଆସେ ବୁଢ଼ୀଙ୍କର ।

 

ବୋହୂର ସବୁ କଥାକୁ ସମର୍ଥନ କରେ ତମାଳ । ବୋଉଙ୍କୁ କହେ—ତୁ ଆଚ୍ଛା କଥା କହୁଚୁ ! ଗରିବ ଘରକଥା ଅଲଗା, ବଡ଼ଲୋକଙ୍କ କଥା ଅଲଗା ।

 

ଏଇ ଉଲୁଗୁଣାଟା କାହିଁକି ଦିଏ ତମାଳ !! ଗରିବ ବଡ଼ଲୋକ ନେଇ କ’ଣ ସେ କହିବାକୁ ଚାହେଁ !! ଗରିବ ଘରର ଝିଅକୁ ମନରେ ଅନେକ ଶରଧାଭରି ଆଣିଥିଲା ତମାଳ । ଦିନରାତି ଖିଟିଖିଟି କରି କରି ଦିନେ ସେଇ ଝିଅକୁ ଏଘରୁ ଚାଲିଯିବା ପାଇଁ ସେ ବାଧ୍ୟ କରିଥିଲେ । ହେଲେ, ଏଇ କଥା କଣ ସତ !! ତାଙ୍କରି ଅବହେଳା, ତାଙ୍କର କଟୂକ୍ତି ଯୋଗୁ କଣ ମାଧବୀ ଚାଲିଗଲା ? କି ଆଶ୍ଚର୍ଯ୍ୟ—ଏମିତି କଣ ହୁଏ !! ତା ସ୍ୱାମୀର ପ୍ରେମର ଶାନ୍ତିସରୋବରରେ ସେ କଣ ଆକଣ୍ଠ ବୁଡ଼ି ବସିନଥିଲା ଯେ ମୋରି କଥାର ନିଆଁ ତା’ ଦେହରେ ଚିଆଁ ହୋଇ ଲାଗିଲା !! ଯେତେ କଟର-କଟର ହୁଏ, ଯେତେ ଅଶାନ୍ତି କରେ—ହେଲେ ଚିଆଁ ହୋଇ ଲାଗିଲା !! ଯେତେ କଟର–କଟର ହୁଏ, ସେତେ ଅଶାନ୍ତି କରେ—ହେଲେ ସେ ନଯାଇଥିଲେ ତାକୁ କଣ ମୁଁ ତଣ୍ଟିଆ ଦେଇ ବାହାର କରି ଦେଇଥାନ୍ତି ! ସ୍ୱାମୀ-ସୋହାଗରେ ଜୀବନ ଯଦି ତାର ଭରପୂର ହୋଇ ରହିଥିଲା, ତେବେ ସେ କାହିଁକି ମୋର କଥାକୁ ଏତେ ମୂଲ୍ୟ ଦେଉଥିଲା !

 

ଏଇ କଥା ସବୁ ମନରେ ଆସିବା ସଙ୍ଗେ ସଙ୍ଗେ ସେ ଧାଇଁଯାଇଥିଲେ ପୁଅର ଷ୍ଟଡି ରୁମ୍‌କୁ । ଦେଖିଲେ–ପୁଅର ପଛପଟେ ଠିଆହୋଇଛି ନୂଆବୋହୂଟା, ମୁଣ୍ଡରେ ଲୁଗା ନାହିଁ । ଦୁଇ ହାତରେ ଜଡ଼ାଇ ଧରିଚି ତମାଳର ବେକଟାକୁ, ହସୁଛି । ହସରେ ଘର କମ୍ପୁଛି ।

 

ଚୌଧୁରୀଘରର ବୋହୂ ଆସି ଦାଣ୍ଡଘରେ କଚେରି କରୁଛି !! ଚାରିଆଡ଼କୁ ଡରିଲା ଆଖିରେ ଚାହିଁଲେ ବୁଢ଼ୀ—ଉଃ, ପରାଗ ଯଦି ଆସି ଦେଖିପକାଏ ଏଇ କଥା !

 

ଢୋକ ଗିଳୁ ଗିଳୁ ସେଠୁ ପଳାଇଲେ ବୁଢ଼ୀ । ନା, ପରାଗ ଆସେନି ଏପଟ ଖଞ୍ଜାକୁ । ଏ ବୋହୂକୁ ଆକଟିବାର ସାହସ ବି ତାଙ୍କର ନାହିଁ । କହିଲେ କହିବ ଏଇନେ ହୁଏତ ଯେ, ଆମ ଘରର ବୋହୂମାନଙ୍କ ପାଇଁ ତ ଏମିତି କଟକଣା ଜାରି ହୁଏନି । ଥାଉ ବାବା ଥାଉ, ଯାହା ସେ କରୁଛି କରୁ-। ଏଇ ବିଷ–ଚାରାଟି ତ ସେ ନିଜେ ଲଗାଇଛନ୍ତି । ତେବେ ତାର ବିଷଫଳକୁ ସେ ନିଜେ ନଖାଇ କାହାକୁ ଆଉ ବାଣ୍ଟିବାକୁ ଯିବେ ?

 

ଠାକୁରଘରେ ବସି କେଇଘଣ୍ଟା କବାଟ କିଳିଥିଲେ ବୁଢ଼ୀ । ହେଲେ ସେଇ ଯେଉଁ ପ୍ରଶ୍ନ, ତାହା ମନରୁ ଯାଉନି ତାଙ୍କର । ଖତେଇ ହେଲାପରି ପୁଅ କାହିଁକି ସେମିତି କଥାଟିଏ କହେ ଯେ—ମଲା, ଗରିବ ଘରକଥା ଅଲଗା—ପୁଣି ବଡ଼ଲୋକ ଘରକଥା ଅଲଗା । ତେବେ ଗରିବ ଘରର ଝିଅଟା କଣ ଖାଲି ତାଙ୍କରି କଥା ଉପରେ ଚାଲିଗଲା ?

 

ତମାଳ ଖାଇସାରି ରାତିରେ ଯେତେବେଳେ ଦୋତାଲାର ପୋର୍ଟିକୋରେ ବସି ବିଶ୍ରାମ ନିଏ, ସେତିକିବେଳେ ବୁଢ଼ୀ ନୀରବରେ ଯାଇ ତା ପାଖରେ ପହଞ୍ଚିଲେ । ଏଣୁ ତେଣୁ କିଛି ପଚାରିବା ପରେ ବୁଢ଼ୀ ପଚାରିଲେ—ହଇରେ, ଗୋଟେ କଥା କହିବି ?

 

ବୋଉ ମୁହଁକୁ ତୀର୍ଯ୍ୟକ ଦୃଷ୍ଟିରେ ଚାହିଁଲା ତମାଳ, ମନେ ମନେ ପ୍ରସ୍ତୁତ ହେଲା ସୁଚରିତା ନାଆଁରେ କିଛି ନାଲିସ ଶୁଣିବା ପାଇଁ । ତା’ପରେ ଭାରି ଗଳାରେ କହିଲା—କହ ।

 

ବୁଢ଼ୀ ପୁଣି ଟିକିଏ କଣ ଭାବିସାରିବା ପରେ କହିଲେ—ଆଚ୍ଛା କହିଲୁ, ମାଧବୀ ଗଲା ପର୍ଯ୍ୟନ୍ତ ତୁ କଣ ତାକୁ ଭଲପାଉଥିଲୁ ?

 

ଅପ୍ରତ୍ୟାଶିତ ପ୍ରଶ୍ନ । ସଜାଗ ହେଲା ତମାଳ । କଣ ଶୁଣିଲେ ବୋଉ ଖୁସି ହେବ ? ପକ୍‌କା ଓକିଲାତି ଆଖିନେଇ ତମାଳକାନ୍ତ ଚାହିଁଲା ବୋଉର ଆଶା ଆକୁଳ ମୁହଁଟିକୁ । ଟିକିଏ ପରେ ରହି ରହି କହିଲା—ନାଁ, ମୁଁ ଆଦୌ ତାକୁ ସହିପାରୁ ନଥିଲି ବୋଉ ! ରାଗ ବଦଳରେ ରାଗ, କଥା ବଦଳରେ କଥା, ଏ ସବୁ କିଛି ମିଳେନି ତା’ଠାରୁ । ତା’ ପରେ ଅନେକ ତ ଡାକ୍ତର ଦେଖାଇଲି-। ସମସ୍ତେ ତ ଏକାସ୍ୱରରେ କହିଲେ ଯେ ସେ ସନ୍ତାନର ମା’ ହୋଇପାରିବନି । ତେଣୁ ତା ଉପରେ ମୋର କାଣିଚାଏ ବି ଲୋଭ ନଥିଲା । ସତରେ ମୁଁ ପାଞ୍ଚପ୍ରାଣ ଦେଇ ଚାହୁଁଥିଲି ଯେ ସେ ଯାଉ ବାହାରି ଏ ଘରୁ ।

 

ବୁଢ଼ୀ ତର ତର ହୋଇ ପଚାରିଦେଲେ—ତେବେ ସେ କାହା କଥାରେ ଗଲା କହିଲୁ ?

 

ବିସ୍ମୟରେ କେତୋଟି ରେଖା ସଞ୍ଚରିଲା ତମାଳର ମସୃଣ କପାଳରେ । ଏଇ କଥା ଭିତରଦେଇ କି ସାନ୍ତ୍ୱନା ଖୋଜୁଛି ବୋଉ ! ମାଧବୀ ଚାଲିଯିବା ସମ୍ପର୍କରେ ନିଜକୁ ସେ କଣ ଅପରାଧୀ ମଣୁଛନ୍ତି ? ବୋଉଙ୍କ ଆଖିରେ ଆଖି ରହିଲା ତମାଳ । କହିଲା—ମୋରି ପାଖରୁ ବାର ବାର ଆଘାତ ପାଇ ସେ ପଳାଇଛି ବୋଉ, ତୋର ଭାବିବାର କିଛି ନାହିଁ ।

 

ସ୍ୱସ୍ତିର ଗୋଟିଏ ଲମ୍ୱା ନିଃଶ୍ୱାସ ଧୀରେ ଧୀରେ ଉଠିଆସିଲା ବୁଢ଼ୀଙ୍କର ଛାତିତଳୁ । ଧୀରେ ଧୀରେ ଚେୟାରରୁ ଉଠି ସେ ଚାଲିଗଲେ ।

 

ଏସବୁ କଥା କାହିଁ କେତେ ଦିନ ତଳର । ସେତେବେଳକୁ ମାସେ ଦୁଇମାସର ବୋହୂ ହୋଇ ଚଳପ୍ରଚଳ ହେଉଥାଏ ସୁଚରିତା । ଆଜି ଏଇ ଦଶବର୍ଷ ଭିତରେ କେତେ ବଦଳିଗଲାଣି ଏ ଘରର ନିୟମକାନୁନ୍‌ । ଇଚ୍ଛା ମାଫିକ୍‌ ସକାଳର ଶେଯ ଛାଡ଼ନ୍ତି ବୋହୂ ଓ ଚାକର ପୂଝାରୀ । ଯେଉଁ ଘରଦ୍ୱାର ସୂର୍ଯ୍ୟୋଦୟ ଆଗରୁ ସଫାସୁତୁରା ନହେଲେ ବୁଢ଼ୀ ପାଟିକରି କମ୍ପାଇ ଦେଉଥିଲେ, ସେ ଘର ଏବେ ବାସି ହୋଇ ପଡ଼ିଥାଏ ଦିନ ଆଠଟା ପର୍ଯ୍ୟନ୍ତ । ପଥରପରି ସବୁ କିଛି ଦେଖି ସହନ୍ତି ବୃଦ୍ଧ ଚାରୁଲତା । ତାଙ୍କ ଭିତରର ସେଇ ଟାଣପଣ ବି ଉଭାଇଯାଇଛି । ତାଙ୍କର ସେଇ ଲୋଳଚର୍ମର ଛିଦ୍ରପଥଦେଇ, ମୂକ ମନନେଇ ସେ କଟାଇଯାଉଛନ୍ତି ଦିନ ପରେ ଦିନ, ରାତି ପରେ ରାତି । ସାରା ମୁହଁରେ ତାଙ୍କର ବିଛାଇ ହୋଇ ରହିଛି ଗୋଟିଏ ନିର୍ବେଦ ଭାବ ।

 

ଯେତେବେଳେ ଠାକୁରଙ୍କର ପ୍ରସାଦଟିକକ ନେଇ ଖାଇବସନ୍ତି ଦିନ ବାରଟା ଗୋଟାକରେ, ସେତିକିବେଳେ ପାଖରେ ବସନ୍ତି ଆସି ନାତି ନାତୁଣୀ । ହାତ ପୂରାଇ ଦିଅନ୍ତି ଜେଜୀଙ୍କ ଖାଇବା ଥାଳିରେ । ହସ ଉକୁଟେ ଚାରୁଲତାଙ୍କର ଦନ୍ତହୀନ ଓଠରେ । ସେଇ ମୁହୂର୍ତ୍ତରେ ନିଜର ଜୀବନଟାକୁ ପରିପୂର୍ଣ୍ଣ ମଣନ୍ତି ସେ । ବଡ଼ନାତି, ତା’ପରେ ନାତୁଣୀ, ତା’ପରେ ପୁଣି ନାତି । ଛୋଟଟାକୁ ବର୍ଷେ ହେଲାଣି । ଆସନ୍ତା ବର୍ଷକୁ ସେ ଯଦି ବଞ୍ଚିଥାଆନ୍ତି ତେବେ ସେଇ କୁନିଟା ବି ଆସି ହାତ ବଢ଼ାଇବ ତାଙ୍କରି ଏଇ ଭାତଥାଳିକୁ । ଆଖିରେ ସ୍ୱପ୍ନ ଓହ୍ଲାଇଆସେ ଚାରୁଲତାଙ୍କର ।

 

ହେଲେ—ପୁଣି ଯେତେବେଳେ ସେ ଅସୁସ୍ଥ ହୋଇପଡ଼ନ୍ତି, ଆଉ ଚାନ୍ଦ କରେ ଠାକୁରଘରର କାମ । ସେତିକିବେଳେ ପୁଣି ବାହୁନିଉଠେ ତାଙ୍କର ଅନ୍ତର । ତୁହାଇ ତୁହାଇ ମନେପଡ଼େ ଗୋଟିଏ ମଣିଷର ଶାନ୍ତ ଚାଲି, ଆଉ ଭୀରୁ ଦୁଇଟି ଆଖି । ନିଜର ଦୁଇହାତ ପାପୁଲିରେ ମୁହଁ ଢାଙ୍କନ୍ତି ଚାରୁଲତା ।

 

 

ସବୁଦିନ ପରି ଆଜି ସକାଳୁ ବି ସିଏ ହାତରେ ନୋଟା ଧରି ବାରିଆଡ଼କୁ ପାଦ ବଢ଼ାଉଥିଲେ । ବାଟ ଓଗାଳି ଆସି ଠିଆହେଲା ମହନା । ଆଖିଦୁଇଟାକୁ ବୁଲାଇ ଲମ୍ୱା ଜିଭରେ ପାନଖିଲଟାକୁ ଆହୁରି ଭିତରକୁ ଠେଲିଦେଇ ଫିସ୍‌ଫିସ୍‌ କରି କହିଉଠିଲା—ବୁଢ଼ୀ ସାଆନ୍ତାଣୀ,, ଶୁଣିଲଣି ନା କଥାଟିଏ ?

 

ବୁଢ଼ୀସାଆନ୍ତାଣୀ କେଉଁ ଦିନ ହେଲେ ସହିପାରନ୍ତିନି ଏଇ ମହନା ନାମକ ମାଇଚିଆଟାକୁ—ଭୋର ସମୟଟାରେ ମୋଟେ ତ ନୁହେଁ । ତେଣୁ ରାଗିଲା ଆଖିରେ ସେ ଚାହିଁଲେ ସେଇ ଅଲକ୍ଷଣାଟା ଆଡ଼କୁ । ମହନା ବିଚିତ୍ରଭାବେ ହାତଗୋଡ଼ ହଲାଇ କହିଲା—କଣ କହିବି ବୁଢ଼ୀସାଆନ୍ତାଣୀ ଗୋ, ମଣିଷରୂପରେ ଆସି ହେଇ ସେ ଘରେ ପଶିଗଲେ । ସାକ୍ଷାତ୍‌ ମହାଲକ୍ଷ୍ମୀ । ନଇଲେ କଣ ଏଡ଼ିକି ସୁନ୍ଦର କିଏ ହବ !

 

ଦୋତାଲାର ଗୋଟିଏ ଘରକୁ ଆଙ୍ଗୁଠି ଦେଖାଇ ଠିଆହୋଇପଡ଼ିଲା ମହନା । ସୁଚରିତା ତା ବାପଘରୁ ଆଣିଥିଲା ଏ ଜୀବଟିକୁ । ଏକୁ ପୁଣି କିଛି କହିଲେ ବିଗିଡ଼ିଯାଆନ୍ତି ବୋହୂ ମଣିମା । ତଥାପି ରାଗ ସମ୍ଭାଳି ପାରିଲେନି ଚାରୁଲତା । ନାକପୁଡ଼ା ଫୁଲାଇ କହିଲେ—ଗୋରୁଭଳି ତ ପାନ ଖାଉ, ତା’ପରେ ପୁଣି କଣ ଗଞ୍ଜେଇ ଆରମ୍ଭ କରିଦେଲୁଣି କି ?

 

ସଙ୍ଗେ ସଙ୍ଗେ ମୁଣ୍ଡରେ ହାତଦେଇ ସେଇଠି ବସିପଡ଼ିଲା ମହନା । ସ୍ୱର ଲହରେଇ ବାହୁନା ପକାଇ ଗାଇଉଠିଲା—ଇଲୋ ମୋ ବୋଉଲୋ, ମତେ ଏ ଅପନ୍ତରାରେ ଛାଡ଼ି କୁଆଡ଼େ ଗଲୁଲୋ । ତୁ ଥିଲେ.... । ଏତିକି ବେଳେ ପାଦର ମଲ ଝମଝମ କରି ପାଖେଇଆସିଲା ଚାନ୍ଦ । ଗାଲରେ ଆଙ୍ଗୁଠି ରଖି ଚାହିଁରହିଲା ମହନା ମୁହଁକୁ । ଡରିଲା ଆଖିରେ ଚାରୁଲତା ଚାହିଁଲେ ଦୋତାଲାରେ ଥିବା କୋଣ ଘରକୁ । ମୁହଁ ଓହଳେଇ ଏଇନେ ହୁଏତ ତଳକୁ ଓହ୍ଲାଇ ଆସିବେ ବୋହୂ । ତଣ୍ଟି ଶୁଖି ଅଠା ହୋଇଗଲା ତାଙ୍କର ।

 

ଓଠ ନେଫେଡ଼ି ଚାନ୍ଦ ଗଳା ଲହରେଇ କହିଲା–ହଇରେ, ତୁ ପରା ମରଦଟେ.... ବାହୁନା ପକଉଛୁ କଣ ମାଇପିଙ୍କ ପରି । ନାଜମାଡ଼ୁନାହିଁ କିରେ ତତେ ? ସକାଳ ପହରଟାରେ କାନ୍ଦୁଚୁ ବସି ।

 

ଚକ୍‌କରି ଶୁଖିଲା ଆଖିରୁ ହାତ ଉଠାଇଆଣି ମିଞ୍ଜି ମିଞ୍ଜି ଆଖିରେ ଚାନ୍ଦ ମୁହଁକୁ ଚାହିଁଲା ମହନା । ମୁହଁଛାଟି କହିଲା—ବୁଢ଼ୀସାଆନ୍ତାଣୀ ଯୋଉ କଥା କହୁଛନ୍ତି, ତତେ କହିଲେ ତୁ ଜାଣନ୍ତୁ; ଦେଖନ୍ତି କାନ୍ଦନ୍ତୁ କି ନାହିଁ । ଆଲୋ—ମରଦ କଣବା, ପଥର ଯିଏ ସିଏ କାନ୍ଦିବଟି । ଦୋତାଲା ଘରେ ମାଇପିଟିଏ ପଶିଲା; ଅବେଇଶ ଏତେବେଳକୁ ମିଳେଇଯିବଣି । ସାକ୍ଷାତ୍‌ ମହାଲକ୍ଷ୍ମୀ । ମୋ ନିଜ ଆଖିରେ ଦେଖିଛି । ତାଙ୍କ ପଛେ ପଛେ ଯାଇ ଠିଆହୋଇଛି ସେ ଦୁଆରମୁହଁରେ । ସେ ଘରକୁ ପଶିଲେ, ମୁଁ ତଳକୁ ଆଇଲି । ମୋ ରୀତାନାନୀର ପଇରାରେ ଘରକୁ ମହାଲକ୍ଷ୍ମୀ ଆସିଲେ ମନଖୁସିରେ । ସେଇ କଥା କହିଲାରୁ କହୁଛନ୍ତି କଣନା ଗୋରୁ ପରି ପାନ ଖାଉଚି—ଏବେ ପୁଣି କଣ ଗଞ୍ଜେଇ ଭିଡ଼ିଲିଣି ? ଶୁଣୁଚୁଟି ତାଙ୍କ କଥା ? ମୋ ଭଳିଆ ମରଦ ଲୋକ ଏକଥା ସହିବ ଭଲା ?

 

ଓଠରେ ଲୁଗାଚାପି ଫିକ୍‌କରି ହସିଦେଲା ଚାନ୍ଦ । କହିଲା—ଆରେ ହେ ମରଦ ! ହାତ ପାପୁଲିକୁ ମୁହଁରେ ମାଡ଼ିଦେଲୁ ଯେ ପୋଛିହୋଇଗଲା ତୋ ସିନ୍ଦୂର ଟୋପାଟା ବା । ଯା, ମୁହଁଟାକୁ ପୋଛାପୋଛି କରି ଆଉଥରେ ଟୋପାଟାଏ ଘିନ୍‌ ଯା ।

 

ଦାନ୍ତ ନେପେଡ଼ି ପାଖକୁ ଚାଲିଆସିଲା ମହନା । ଆଖି ବଙ୍କେଇ ଟିକିଏ ଚାହିଁଲା ଚାରିଆଡ଼କୁ । ନା, ବୁଢ଼ୀସାଆନ୍ତାଣୀ ଚାଲିଗଲେଣି ବାରିଆଡ଼କୁ । ଚାନ୍ଦ ଦେହରେ ଦେହ ଲଗାଇ ଠିଆହେଲା ମହନା । ମୁଡ଼ୁକି ହସି କହିଲା—ମୋ ମୁହଁକୁ ଟିପାଟା ଭାରି ମାନେ, ନାଇଁଲୋ ଚାନ୍ଦ ?

 

ଚାନ୍ଦ ଓଠ ଗୋଜାକରି କହିଲା—କିଆଁ ନ କହୁଚୁ ? ତୋରି ମୁହଁକୁ ଖାସ୍‌ପରା ଚାହିଁରହିଥାଏ ରେ ।

 

ଓଠ ନେଫେଡ଼େଇ ହସିଲା ମହନା । ବାରିଆଡ଼କୁ ବୁଢ଼ୀ ଫେରିବା ପର୍ଯ୍ୟନ୍ତ ସେମାନେ ଠିଆହୋଇଥିଲେ ସେଇଠି । ବିରକ୍ତ ହୋଇ ଚାରୁଲତା ଚାହିଁଲେ ଚାନ୍ଦର ମୁହଁକୁ । ମଥା ନୁଆଁଇଲା ଚାନ୍ଦ । ଏକାଡ଼ିଆଁକେ ପଳାଇଗଲା ସେଠୁ ।

 

ଏଘରେ ଚାରୁଲତାଙ୍କୁ ଏକମାତ୍ର ଭୟ କରେ, ଭକ୍ତିକରେ, ଭଲପାଏ ସେଇ ଚାନ୍ଦ । ସେ ଅନେକ କଥା । ଚାନ୍ଦ ସେତେବେଳେ ପାଞ୍ଚବରଷର । ବାପ ମରିଗଲାରୁ ମା’ କାହାକୁ ଗୋଟେ ଦୁତୀୟ ହୋଇ ଚାଲିଗଲା କୁଆଡ଼ିକି । ପାଞ୍ଚ ବର୍ଷର ଝିଅଟାକୁ ଆଣି ଏଘରର ଦାଣ୍ଡ ଦୁଆରେ ଠିଆହେଲେ ଗାଁଲୋକ । ଚାରୁଲତାଙ୍କ ଅନୁନୟ କରି କରି କହିଲେ ଚାନ୍ଦକୁ ଆଶ୍ରୟ ଦେବାକୁ । ନିଜ ହାତରେ ଝିଅଟାର ହାତଧରି ଘର ଭିତରକୁ ନେଇଆସିଥିଲେ ଚାରୁଲତା ।

 

ଚାନ୍ଦ ଏଇ ଘରେ ଆଶ୍ରୟ ନେବାର ଦୁଇବର୍ଷ ପରେ ମାଧବୀ ବିଦାୟ ନେଇଥିଲା ଏ ଘରୁ । ମାଧବୀ ପାଇଁ ଲୁଚେଇ ଲୁଚେଇ ଅନେକ ବାହୁନିଥିଲା ସାତବରଷର ଚାନ୍ଦ । ଗୋଡ଼ରେ ତାର କେତେ ଆଦରରେ ମଲ ପିନ୍ଧାଇଦେଇଥିଲା ମାଧବୀ । ସେଇ ମଲକୁ ଚାହିଁ ଚାନ୍ଦ ଆଖିରୁ ଲୁହ ଗଡ଼ାଏ । ଏବେ ଆଉ ମାଧବୀର ମୁହଁ ତାର ମନେପଡ଼େନି । ଭୁଲିଯାଇଛି ସିଏ ଏ ଘରର ମାଧବୀ ନାମର ବୋହୂଟିକି । କିନ୍ତୁ ମାତୃସ୍ନେହରେ ଜୀବନକୁ ତାର ମଣ୍ଡିଦେଇଛନ୍ତି ଚାରୁଲତା । ସେଇ ଚାରୁଲତାଙ୍କ କଥା ଚାନ୍ଦ ପାଖରେ ତଳେ ପଡ଼ିବାର ନୁହେଁ । ହେଲେ—ମିଛରେ ବୁଢ଼ୀସାଆନ୍ତାଣୀ ଚିଡ଼ନ୍ତି ସେ ମହନା ସାଥିରେ କଥା କହିଲେ ।

 

ଟିକିଏ ମଜାକରେ ସିଏ ସେଇ ମାଇଚିଆ ମହନାଟା ସାଥିରେ । ଏତେ ଚିଡ଼ିବାର କଣ ଅଛି ! ଗୁହାଳ ସଫା କରୁ କରୁ ଏଇ କଥା ହିଁ ଭାବେ ଚାନ୍ଦ । ବିରକ୍ତ ଲାଗେ ତାକୁ । ସେଇ ବିରକ୍ତି ପୁଣି କେତେବେଳେ ଚପିଯାଏ ଗୁଣୁଗୁଣୁ ଗୀତ ତଳେ । ଚିକ୍‌ଚିକ୍‌ ଗୋଟାଏ ନୋଟା ଧରି ଗୁହାଳରେ ପଶେ ନବଘନ । ନବଘନ ଜାତିରେ ଗୌଡ଼ । ଦୁଧ ଦୁହିଁବ । କଳା ମିଚି-ମିଚି ଦେହରେ ତାର ଆଖି ରଖେ ଚାନ୍ଦ । ଆଖି ତାର ପିଚ୍ଛିଳି ପିଚ୍ଛିଳି ଯାଏ । ଭଲ ଲାଗିବାର ଆବେଶରେ ଆଖି ତାର ହୁଏ ନିମୀଳିତ । ତାକୁ ଦେଖି ପିଚ୍ଛିଳି ଯାଏ । ଭଲ ଲାଗିବାର ଆବେଶରେ ଆଖି ତାର ହୁଏ ନିମୀଳିତ । ତାକୁ ଦେଖି ନବଘନ ବି ହସେ ମିଟିମିଟି କରି ।

 

ବୁଢ଼ୀସାଆନ୍ତାଣୀ ଗୋଡ଼େ ଗୋଡ଼େ ଜଗନ୍ତି ଚାନ୍ଦକୁ । ଚାନ୍ଦ କିନ୍ତୁ ନଜରରୁ ତାଙ୍କର ପିଚ୍ଛିଳିଯାଏ ଠିକ୍‌ ଗୋଟାଏ ପଙ୍କୁଆ ମାଛପରି । ନୋଟାରେ ଦୁଧ ପଡ଼ିଲେ କେମିତି ଗୋଟାଏ ସର୍‌ସର୍‌ ଶବ୍‌ଦ ହୁଏ । ଠାକୁରଘର ପଛପଟେ ବସି ବାସନ ମାଜୁଥାଆନ୍ତି । ଚାରୁଲତା । ନବଘନର ଉପସ୍ଥିତିକୁ ଉପଲବ୍‌ଧି କରି ଚଞ୍ଚଳ ହୋଇଉଠନ୍ତି । ଅସ୍ଥିର ଗଳାରେ ଡାକ ପକାନ୍ତି—ଚାନ୍ଦ...

ମଲରେ ଝମ୍‌ଝମ୍‌ ଶବ୍‌ଦ ତୋଳି ମୁହଁ ମୋଡ଼ି ଚାନ୍ଦ ଆସି ଠିଆହୁଏ ପାଖରେ । ଭାରୀଗଳାରେ ପଚାରେ—କଣ ?

ଚାରୁଲତା ଗମ୍ଭୀର ଗଳାରେ କହନ୍ତି—ରୋଷେଇଘର ସଫାକରି ସେ ଅନାଦିଆଟାକୁ ଦେଖ ଯା, ଉଠିଲାଣି କି ନାହିଁ ।

ଦାନ୍ତରେ ଦାନ୍ତ ଚାପି ଗୋଡ଼ ବାଡ଼େଇ ବାଡ଼େଇ ସେଠୁ ଚାଲିଯାଏ ଚାନ୍ଦ । ସତର ବର୍ଷର ସବୁଜ ଯୌବନ ତଳେ ଅବୁଝା ତାର ମନ । ନହେଲେ ସେ ବୁଝୁନି କାହିଁକି ଯେ ଏକା କଣ ବୁଢ଼ୀସାଆନ୍ତାଣୀ ଖାଲି ଜଗୁଛନ୍ତି ଗୋଡ଼କୁ ତାର ? ଜଗୁନି କଣ ସେଇ ମହନା । ଦିନ ଭିତରେ ଶହେ ଥର କଣ ସେ ଦେଖାଉନି ଚାନ୍ଦକୁ ତା ଅଣ୍ଟାର ଗୋଲମୁହାଁ ବଡ଼ ଚନ୍ଦ୍ରହାରଟା ଆଉ କାନର ମଗରମୁହାଁ ପଥରବସା ନୋଳୀ । କହୁନେଇ କି ଯେ—ବୁଝିଲୁ ଚାନ୍ଦ, ମୁଁ ବାହାହେଲା ପରେ ଏଗୁରାକ ଆଉ କଣ ନାଇଁବି ! ଯିଏ ମୋର ଭାରିଯା ହୋଇ ଆସିବ ସେ ପିନ୍ଧିବ ।

ଚାନ୍ଦ ତାର ସବୁଜ ଅଞ୍ଚଳରେ ଢେଉ ତୋଳି ଉଠି ଯାଉ ଯାଉ ମୁହଁମୋଡ଼ି କହେ—ହେ, ତୁ ଆଉ କଂସାରୀ ଘର ପାରାକୁ କୁଲା ଢାଉଁ ଢାଉଁ ଶୁଣାନା—ବୁଝିଲୁ । ତା’ପରେ ସ୍ୱଗତୋକ୍ତି କଲାପରି କହେ—ମଲା ମୋର କିଏ ଆଉ ଥେଲାବା ଏଇଟାର ହାତ ଧରିବାକୁ ।

ରାଗ ଗରଗର ଓଠ ନେଫେଡ଼ି ମହନା କହେ—କିଲୋ କିଲୋ ! ମତେ ତୁ କଣ ବୋଲି ପାଇଲୁକି ? ମୁଁ ଛୋଟା ନା କେମ୍ପା, ନା କଣ ? ଆଲୋ, ତୋର ତ ଭାରି ବହପ । ଏ ଘରର ମାଲିକିଆଣୀ କଥା କଣ ତଳେ ପଡ଼ିବ ? ସେ ତ ମୋ ମନକଥା ଜାଣିଛିନି । ତୋ ସାଥିରେ ମୋ ବାହାଘର ଜରୁର ସେ କରାଇଦେବେ । ସେତେବେଳେ ??

 

ଥମକି ଠିଆ ହୋଇପଡ଼େ ଚାନ୍ଦ । ଡରିଲା ଆଖିରେ ଚାହେଁ ମହନାର ବିଜୟଦୀପ୍ତ ମୁହଁ ଆଡ଼କୁ । ଢୋକ ଗିଳେ, ଘୃଣାରେ ନାକ ଟେକେ, ଦାନ୍ତରେ ଦାନ୍ତ ଚାପେ । ବୁଢ଼ୀସାଆନ୍ତାଣୀଙ୍କର କଡ଼ା ଚାହାଁଣିରେ ଧାଇଁ ପଳାଇଗଲା ଚାନ୍ଦ । ମନଦେଲା ଗୁହାଳ କାମରେ । ତା’ପରେ ତଳ ମହଲା ଓଳେଇବ । ଦି’ପିଲାଙ୍କର କାମ ସେଇ ମହନାର । ବାକି ଉପର ଦି’ମହଲାର ଓଳା ପକା କାମ ସରନାନୀର ।

 

ମନେ ମନେ ଚିଡ଼ିଉଠିଲା ମହନା । କେଡ଼େ ସୁନ୍ଦର ହସି ହସି କଥା ହଉଥିଲା ଚାନ୍ଦଟା । ଆଉ ଏତିକିବେଳକୁ କୁଆଡ଼ୁ ଆଇଲା ଏ ମାଙ୍କଡ଼ୀ ବୁଢ଼ୀଟା ।

 

ମହନା......

 

ଡାକ ଶୁଣି, ଜିଭ କାମୁଡ଼ି, ଛାତିର ଗାମୁଛାକୁ ସଜାଡ଼ୁ ସଜାଡ଼ୁ ଉପରକୁ ଚାହିଁଲା ମହନା । ମନେ ମନେ କହିଲା—ଏଲୋ, ମୋ ବୋଉ ଲୋ ! ଏଡ଼ିକି ସକାଳୁ ଆଜି କାହିଁକି ଉଠିପଡ଼ିଲେ ଜୋଇଁସାଆନ୍ତ ମ ! ପିଣ୍ଡାରୁ ଓହ୍ଲାଇ ଯାଇ ଅଗଣାରେ ଠିଆହୋଇ ପଚାରିଲା ଆଖିରେ ଉପରକୁ ଚାହିଁଲା ମହନା ।

 

ହାତ ଠାରି ମହନାକୁ ପାଖକୁ ଡାକିଲା ତମାଳ । ନିମିଷକେ ମହନା ଫୁର୍‌ ଫୁର୍‌ ହୋଇ ଉଡ଼ିଚାଲିଥିଲା ଉପରକୁ । ହାତ ହଲାଇ ହଲାଇ ପାଞ୍ଚ ମିନିଟଧରି ତାକୁ କଣ ବୁଝାଇଲା ତମାଳ । ତା’ପରେ ତଳକୁ ଚାଲିଆସିଲା ମହନା ଓ ମୁହଁ ଘୁଙ୍ଗୁରାକରି ବସିରହିଲା ତଳ ପିଣ୍ଡାରେ ।

 

ଠାକୁରଘରୁ ବୁଢ଼ୀ ସାଆନ୍ତାଣୀଙ୍କର ଥରିଲା କଣ୍ଠରୁ ବାହାରି ଆସିଲା ଶ୍ରୀକୃଷ୍ଣଙ୍କର ଅଷ୍ଟୋତ୍ତରଶତନାମର ସୁଧା ଲହରୀ । ଏଥର ହସି ହସି ବସିବା ଥାନରୁ ଉଠିପଡ଼ିଲା ମହନା । ଦିନମାନ ଭିତରେ ଏଇ ବେଳଟିରେ ଟିକିଏ ମଉକା ମିଳେ । ଏଇନେ ଦି’ ଘଣ୍ଟା ଲାଗି ଠାକୁରଘରୁ ବୁଢ଼ୀ ସାଆନ୍ତାଣୀ ଆଉ ନ ବାହାରନ୍ତି !

 

ଅଣ୍ଟା ଦୋହଲାଇ ଦୋହଲାଇ ବାରିଆଡ଼କୁ ଚାଲିଗଲା ମହନା । ଗୋଟାଏ ପଥର ଉପରେ ବସି ମୁଣ୍ଡର ବେଣୀ ଫିଟାଉଥିଲା ଚାନ୍ଦ । ମହନା ଉପରେ ଥରେ ନଜର ପକାଇ ନିଜ କାମରେ ମନଦେଲା ସିଏ ।

 

ପାଖର ଆଉ ଖଣ୍ଡେ ପଥର ଉପରେ ବସିପଡ଼ିଲା ମହନା । ମୁଣ୍ଡରେ ହାତ ପାପୁଲି ଥାପି ଚାନ୍ଦକୁ ଶୁଣାଇ ଶୁଣାଇ କହିଲା—ଯୋଇଁ ସାଆନ୍ତଙ୍କ ପାଖରୁ ଏମିତି କଡ଼ା କଥା ଶୁଣିବ ବୋଲି କେବେ ମୁଁ ଆଶା କରିନଥିଲି ଲୋ ଚାନ୍ଦ !

 

ମଜାର କଥାଟିଏ ତ !! ବେଣିଫିଟା ଭୁଲିଯାଇ ପଚାରିଲା ଆଖିରେ ମହନା ମୁହଁକୁ ଚାହିଁଲା ଚାନ୍ଦ । କିଛି ସମୟଧରି ଚାହିଁବା ପରେ ବି ମହନା ଯେତେବେଳେ ଆଉ କିଛି ନ କହିଲା ସେତେବେଳେ ମୁହଁଟାକୁ ବୁଲାଇ ନେଉ ନେଉ ଗରଗର ଗଳାରେ ଚାନ୍ଦ କହିଲା—ମଲା ମୋର ଛୋପରା । କଥାଟେ କହୁ କହୁ ପୁଣି ଗିଳିପକାଇଲୁ କାହିଁକି ବା ?

 

ଓଠକରରୁ ବୋହିପଡ଼ୁଥିବା ପାନପିକକୁ ହାତରେ ପୋଛି ନେଉ ନେଉ ମହନା ବଡ଼କରି ଗୋଟିଏ ନିଃଶ୍ୱାସ ଛାଡ଼ି କହିଲା—କିବା ଛାର କଥାଟାକୁ କହିଲେ କଣ ନା, ସେ ବକ-ବକିଆ ଗୁଣ ଛାଡ଼େ । ଯିଏ ସେଘରେ ପଶିଲା, ସିଏ ନିଜେ ନ ବାହାରିବା ପର୍ଯ୍ୟନ୍ତ ସେ ଦୁଆରକୁ ଯିଏ ଯିବ କି ସେଇକଥା ନେଇ ଆଉ ପଦେ ଏ ଘରେ କଥା ଉଠିବ, ତେବେ ମୁଁ ତା’ କଥା ବୁଝିବି, ଜାଣିଥା । ମଲା ମୋର । ଯାହା ଦେଖିଲି ସେଇୟା ତ କହିଲି । ଆଉ ବକବକ କଣ ହେଲି ମ ! ମୁଁ ତାଙ୍କ ଶଶୁରଘର ଗାଆଁର ଲୋକ । ଆଉ ସେ ପୁଣି ମତେ ଚଦୁଛନ୍ତି ? ଏହି ସମୟରେ ପିଲା ଦୁଇଟି ଡାକିଲେ–ହେ ମହନା, ଆ’ ଦାନ୍ତ ଘଷି ଦେବୁ ଆ । ମହନା ଦେଖିଲା ରିତାନାନୀର ପୁଅ ଝିଅ–ଟୁଟୁ ଆଉ ନୀନା, ଠିଆ ହୋଇଛନ୍ତି ପାଖରେ । ମହନା ଉଠି ଆସୁ ଆସୁ ମହୁଝରା କଣ୍ଠରେ କହିଲା–ଚାଲ ଲୋ ମୋ ସୁନା, ଚାଲ ।

 

ହେଲେ କଣ ହେବ, ପିଲା ଦୁଇଟାଙ୍କୁ ଜଳଖିଆ ମିଳିଲା ଆହୁରି ଘଣ୍ଟାକ ପରେ । ସବୁ ଦିନର ଏଇ ଅବ୍ୟବସ୍ଥାକୁ ପିଲାଏ କେଉଁଦିନ ହେଲେ ବି ମାନିନିଅନ୍ତିନି । ଦାନ୍ତ ଘଷିବା ସାଙ୍ଗେ ସାଙ୍ଗେ ଜଳଖିଆ ପାଇଁ ସ୍ୱର ଲମ୍ୱେଇ କାନ୍ଦିବସନ୍ତି ସେମାନେ । ବିସ୍‌କୁଟ ଚାରିଟା ଆଣି ହାତରେ ତାଙ୍କର ଧରେଇ ଦେଇ ମହନା କହେ—ମୋ ସୁନା ପରା, ମୋ ଧନ । ଏକୁ ଏଇନେ ଖାଇଦିଅ । ଏବେ ଅନାଦି କରିଦେବ ମହନଭୋଗ, ଅଣ୍ଡାଭଜା.... ଏଁ ?

 

ପିଲାଦୁଇଟା ବିସ୍‌କୁଟ୍‌ ଚାରିଟା ଫୋପାଡ଼ି ଦିଅନ୍ତି ପୁଣି ତାରି ଉପରକୁ । କାନ୍ଦଣାର ସ୍ୱର ତାଙ୍କର ଉଠେ ଆହୁରି ପଞ୍ଚମକୁ । ତାଙ୍କ ପାଖରୁ ମୁହଁମୋଡ଼ି ଉଠିପଡ଼େ ମହନା । କହେ—ମଲା ମୋର, ନ ଖାଇଲେ ନାହିଁ; ବସିଥା ସେମିତି ଉପାସରେ । ସେଇ କାନ୍ଦ ଶୁଣି ନିଦ ମଳମଳ ଆଖି ନେଇ ବାରଣ୍ଡାକୁ ଉଠିଆସେ ସୁଚରିତା । ରାଗରେ ଦାନ୍ତ ରଗଡ଼ି କହେ—ହେ ମହନା, କାହିଁକି ସେ ପିଲାଯୋଡ଼ାକ ସେମିତି ହେଉଛନ୍ତିରେ ? ତାଙ୍କ ତଣ୍ଟିଚିପି ଫୋପାଡ଼ି ଦେ ସେଣିକି । ମଣିଷକୁ ଟିକିଏ ଶୁଆଇ ବସାଇ ଦେଉନାହାନ୍ତି ।

 

ମଝି ଅଗଣାର କୋଠା ବାରଣ୍ଡାରୁ ଉଙ୍କିମାରେ ପରାଗ । ଗଳାରେ ବିଦ୍ରୂପଭରି କହେ–ଆହେ ଭାଉଜ, ତମେ କଣ ସାରା ରାତି ଶୋଉନ ନା କଣ ? ପିଲା ପାଇଁ ଯେଉଁମାନେ ଆତୁର ହେଉଥିଲେ ସେଇମାନଙ୍କ କୋଳରେ ରାତିରେ ପିଲାଙ୍କୁ ଫୋପାଡ଼ି ଦେଇ ତମେ କାହିଁକି ଆରାମରେ ଶୋଉନ ?

 

ଏଇ ଅଳ୍ପଭାଷୀ ଡାକ୍ତର ଦିଅରଟିକୁ ମନେ ମନେ ଟିକିଏ ଡରେ ସୁଚରିତା । କଥାର ଛୁରିରେ ଖୁବ୍‌ ଦାଢ଼ ଅଛି ଡାକ୍ତର ସାହେବଙ୍କର, ଯେଉଁ କଥାକୁ କାଟିଦେବା ପାଇଁ ଏତେ ଟିକିଏ ବି ଉତ୍ତର ଖୋଜି ପାଏନି ସୁଚରିତା । ପରାଗର ବ୍ୟକ୍ତିତ୍ୱ ପାଖରେ ହାରମାନେ ସିଏ । ତାର ସକଳ ଔଦ୍ଧତ୍ୟ ଛପିଯାଏ ତା’ରି ମଥାର ଓଢ଼ଣା ତଳେ । ଆଜି ବି କ୍ଷଣକ ଲାଗି ପରାଗର ମୁହଁରେ ଆଖି ରଖି ବାରଣ୍ଡାରୁ ଅନ୍ତର୍ଦ୍ଧାନ ହୋଇଗଲା ସୁଚରିତା ।

 

ବୁଢ଼ୀ ବି ଦିନେ ଦିନେ ସହିପାରନ୍ତିନି ପିଲାଙ୍କର ଏଇ କାନ୍ଦ । ଧମକାନ୍ତି ଅନାଦିକୁ । ଅନାଦି ବି କମ୍‌ ଯାଏନି । ଲୁଗାପଟା ଦି’ଖଣ୍ଡକୁ ଗଣ୍ଠିଲିବାନ୍ଧି କାନ୍ଧରେ ପକାଇ କହେ—ନା, ଆଉ ସହିବାର ନୁହେଁ ଏକଥା । ମଣିଷ ଚାକିରି କଲା ବୋଲି କଣ ଶୋଇବନି, ବସିବନି ! ଟଙ୍କା କେତେଟାପେଇଁ ମୁଣ୍ଡ ବିକିଦେଲି ? ଥାଉ ତମର ଚାକିରି—ମୁଁ ଚାଲିଲି ।

 

ଏହା ଦେଖି ଧାଇଁଆସେ ସୁଚରିତା, ଗଳାରେ ଅନୁନୟ ଭରି କହେ—ରାଗନି ଅନାଦି, ରାଗନି । ଏଙ୍କ ଘରର ରାକ୍ଷସପିଲା ଦୁଇଟା ପାଇଁ ଏମାନେ କାହାରି ମୁହଁକୁ ଚାହିଁବାକୁ ରାଜି ନୁହନ୍ତି-। ସେ ବୁଢ଼ୀମଣିଷଙ୍କ କଥା ତମେ ମନରେ ଧରନି ତ—ଆସ । ନା ନା, ହଁ, ହଁ ହୋଇ ରୋଷେଇ ଘରଆଡ଼କୁ ପାଦବଢ଼ାଏ ଅନାଦି । ବିରକ୍ତିରେ ଜଳିଉଠେ ଚାରୁଲତାଙ୍କର ନିଷ୍ପ୍ରଭ ଆଖିଦୁଇଟି-। ମନରେ କ୍ରୋଧଭରି ଭାବନ୍ତି—ଅଳସପଣିଆ ମଣିଷକୁ ଏତେ ତଳକୁ ଓହ୍ଲାଇଦିଏ !! ଏଇଟା କୁଆଡ଼େ ବଡ଼ଘରର ଝିଅ !!

 

ମୁହୂର୍ତ୍ତକେ ସବୁ ଭାବନା ଭୁଲି ଚାହାଁନ୍ତି ଚାରୁଲତା ମଝିଅଗଣାର କୋଠାବରଣ୍ଡାକୁ । ଅନ୍ୟାନ୍ୟ ଅନେକ ଥର ପରି ନିଜର ବିଦ୍ରୂପଭରା ଆଖି ଦୁଇଟାକୁ ନେଇ ବାରଣ୍ଡା କୋଣରୁ ନିମିଷକେ ଅପସରିଯାଏ ପରାଗ । କି ଆଖିରେ ପିଲାଟା ଦିନେ ଦେଖିଥିଲା ତାର ମାଧବୀ ଭାଉଜକୁ ଯେ, ତାରି ଚାଲିଯିବା କଥାଟାକୁ ଆଜି ବି ସିଏ ସହିନେଲାନି । ସେ କଟକ ମେଡ଼ିକାଲ କଲେଜରେ ପଢ଼ିଲାଦିନୁ ମନରେ ଟିକିଏ ସ୍ୱସ୍ତି ଅନୁଭବ କରନ୍ତି ଚାରୁଲତା, ଆଉ ଯେଉଁଦିନ ଆସି ମଝିଆଁଜାଆ ନିରୁପମା କହନ୍ତି ଯେ—କାଲିଠୁ ଛୁଟି ହୋଇଯିବ ପରାଗର କଲେଜ—ରାତିକୁ ନିଶ୍ଚୟ ସିଏ ପଳେଇଆସିବ । ଏଇ କଥାଟା ଶୁଣୁଶୁଣୁ ଦବିଯାଏ ଚାରୁଲତାଙ୍କର ଛାତିଟା । ରିତାର ଯେଉଁ ଚାଲିଚଳନ, ଯେଉଁ ଢଙ୍ଗଢ଼ାଙ୍ଗ, କଥା କହିବାର ଯେଉଁ ବାଗ ସେସବୁ ପରାଗ ଆଖିରେ ପଡ଼ୁ ବା କାନରେ ପଡ଼ୁ ଏକଥା ଆଦୌ ଚାହାନ୍ତିନି ଚାରୁଲତା । କିଛି ତ କହେନି ପିଲାଟା—କେବଳ ଦୁଇ ଆଖିରେ ବିଦ୍ରୂପଭରି ଚାହେଁ । ତାର ସେଇ ଚାହାଁଣିକି ସହିପାରନ୍ତିନି ଚାରୁଲତା । ଏମିତି ସବୁ କେତେ ଘଟଣା ଯେ ଦଶବର୍ଷ ଧରି ଘଟିଯାଇଛି ଏ ଘରେ, ତାର କଣ ଠିକ୍‌ଠିକଣା ଅଛି ? ହେଲେ ସେଇ ସବୁ କଥା ଗାରହୋଇ ଛାତି ଭିତରେ ଜିଇଁରହିଛି ଚାରୁଲତାଙ୍କର ।

 

ସେଦିନ.... ଯେଉଁଦିନ ମାଧବୀ ଆସି ପୁଣି ପାଦଦେଲା ସେଇ ଘରେ । ଦିନ ବାରଟା ହେଲା । ସୁଚରିତା ଗାଧୁଆ-ପାଧୁଆ ସାରି ଜଳଖିଆ ଖାଇ ପୁଣି ଉଠିଆସିଛି ଦୋତାଲା ଉପରକୁ । ଭାତ ଖାଉ ଖାଉ ସେମାନଙ୍କର ଦୁଇଟା ବାଜେ । ଏଇ ଦୁଇଘଣ୍ଟା ଧରି ସୁଚରିତା ଉପନ୍ୟାସ ପଢ଼ାରେ ମନଦିଏ, ଇଏ ଗୋଟା ତା ଝିଅଦିନର ପୁରୁଣା ଅଭ୍ୟାସ । ଏ ଘରଲାଗି କୌଣସି କର୍ତ୍ତବ୍ୟ ତାର ନାହିଁ । ଖାଇବା ପଢ଼ିବା ଆଉ ନିଜକୁ ସଜେଇବା ଛଡ଼ା ଆଉ କିଛି ସିଏ ବୁଝେନି । ବୁଝିବାକୁ ଯେ ହୁଏ, ସେଇ କଥାଟା ବି ମଥାରେ ତାର ପଶେନି । ତମାଳର ପ୍ରଚୁର ରୋଜଗାର ହୁଏ । କେଉଁବାଟେ ପୁଣି ସେ ଟଙ୍କା ଚାଲିଯାଏ କିଛି ତାକୁ ଜଣାନାହିଁ । ଜାଣିବାର କୌଣସି ଆଗ୍ରହ ବି ନାହିଁ ତା’ ଭିତରେ । ସ୍ୱାମୀର ଲୁଗା ଧୋବା ନେବ—ସେ ହିସାବ ରଖିବେ ସ୍ୱାମୀ । ସ୍ୱାମୀ ଖାଇବେ, ସେ କଥା ବୁଝିବ ପୂଜାରୀ । ସୁଚରିତା ସେକଥା ମୁଣ୍ଡରେ ପୂରାଏନା । ପିଲାଙ୍କ କଥା ଯିଏ ବୁଝେନି, ସେ ପୁଣି ବୁଝିବ ଆଉ କାହା କଥା ? ସବୁରେ ନିର୍ବିକାର ସୁଚରିତା । ନୀରବରେ ସବୁ ସହିଯାଏ ତମାଳ ।

 

କ୍ଳାନ୍ତ ମନତଳେ ତାର କେତେଦିନ ଉଙ୍କିମାରିଯାଇଛି ଦୁଇଟା ଭୀରୁ ଆଖି । ଦୁଇଟି ରୁଗ୍‌ଣ ସେବାପରାୟଣ ହାତ । ହେଲେ ସେସବୁ ପୁଣି ଭୁଲିଯାଏ ବିରାଟ ଅଙ୍ଗନରେ କ୍ରୀଡ଼ାରତ ଟୁଟୁକୁ ଦେଖିଦେଲେ । ତା’ପରେ ଆସିଛି ନୀନା । ତା’ପରେ ପୁଣି ଆସିଛି ବୁଟୁ ନାମକ ପୁଅ । ହୁଏତ ପୁଣି ବି ଆସିବେ । ସେଇମାନଙ୍କର କଳକାକଳୀରେ ମୁଖର ହୋଇଉଠିବ ବଡ଼ ଅଂଶର ବିରାଟ ଅଙ୍ଗନଟା । ଅନେକ ଦେଇଛି ସୁଚରିତା । ସଭିଙ୍କ ଜୀବନକୁ ଧନ୍ୟ କରିଦେଇଛି ସେ । ଆଉ କିଛି ନଦେଲେ ନ ଦେଉ । ତେଣୁ ସଂସାରଜୀବନରେ ଯେତେ ନଗଣ୍ୟ ହେଉନା କାହିଁକି, ତାକୁ କେବେ ଦୁର୍ବିସହ ଲାଗେନି ।

 

ସତେ କଣ ତମାଳ ପାଖରେ ଦୁର୍ବିସହ ହୋଇଉଠିନି ସୁଚରିତା ? ଯାଉ ତ ଥରେ ତଳେଇ ନିଜର ଅତଳ ମନତଳେ ।

 

ଆଚ୍ଛା ବେଶ୍‌, ନ ଗଲା ନାହିଁ ଏତେ ଭିତରକୁ—ସେଇ ଉପର କଥାଇ ଧର । ଗାଧୋଇ ସାରି ସୁଚରିତା ଫିଟ୍‌ଫାଟ୍‌ ହୋଇପଡ଼େ । ଛିଣ୍ଡା ଛିଣ୍ଡା ଖଣ୍ଡିଆ ବାଳକୁ ବିଛାଇଦେଇଥାଏ କାନ୍ଧ ଉପରେ । ଗହୀରିଆ ଆଖିର କଜଳ ଟାଣି ହୋଇଯାଇଥାଏ କାନମୂଳ ପର୍ଯ୍ୟନ୍ତ । ଶ୍ୟାମଳ ରଙ୍ଗଦେହରେ ଗାଢ଼ରଙ୍ଗର ସବୁ ପ୍ରିଣ୍ଟେଡ଼୍‌ ଶାଢ଼ି । ମାଉଁସହୀନ ହାଡ଼ୁଆ ହାତରେ ଗୋଛା ଗୋଛା ସୁନାଚୁଡ଼ୀ । ଓଠରେ ଲିପ୍‌ଷ୍ଟିକ୍‌ର ମୃଦୁ ପରଶ । କେଜାଣି କାହିଁକି ଭୀଷଣ ଉଗ୍ର ଲାଗେ ସୁଚରିତା ।

 

ଆଖି ଦୁଇଟା କ୍ଳାନ୍ତ ହୋଇପଡ଼େ ତମାଳର । ଅବଶ୍ୟ ଏଇସବୁ ସାଜସଜ୍ଜା ଦିନେ ମାନୁଥିଲା ସୁଚରିତାକୁ । ଅପୂର୍ବ ଥିଲା ତାର ସ୍ୱାସ୍ଥ୍ୟ । ତିନୋଟି ଛୁଆର ମା’ ହୋଇ ଏବେ ଭାଙ୍ଗରୁଜି ଗଲାଣି ସେଇ ସୁଠାମ ସୁନ୍ଦର ଦେହବଲ୍ଲରୀ । ମାଧବୀ ବି ଦିନେ ଭାଙ୍ଗିଭୁଙ୍ଗି ଗୁଣ୍ଡା ହୋଇଯାଇଥିଲା ଏମିତି । ତାର ସାଜସଜ୍ଜା ଯଦିଓ ଦୃଷ୍ଟିକଟୁ ନଥିଲା, ତେବେ ବି ତାକୁ ସହି ପାରିନି ତମାଳ । ସହିପାରିନି କଣ ସିଏ ଅସୁନ୍ଦର ହୋଇଯାଇଥିଲା ବୋଲି ? ନା....

 

ଅକାରଣ ଭୟ ଆଉ ଲଜ୍ଜାରେ ଶିର ଶିର ହୋଇଉଠେ ତମାଳର ମନ । ସୁଚରିତା ଉପରୁ ଆଖି ଫେରାଇନେଇ ଖୁବ୍ ଚଞ୍ଚଳପାଦରେ ସେଠୁ ଅନ୍ତର୍ଦ୍ଧାନ ହୋଇଯାଏ ସିଏ । ଯେତେଟା ପାରେ ସେ ଦୂରେଇରହେ ସୁଚରିତା ପାଖରୁ । ସେ ମୋଟେ ଚାହେଁନି ମାଧବୀ ପରି ସୁଚରିତା ବି ଜାଣୁ ଯେ ଅସୁନ୍ଦର ରୂପକୁ ତମାଳ ସହିପାରେନି ବୋଲି । ଯେତେ ଶୀଘ୍ର ପାରେ କଚେରିକୁ ପଳାଇଲେ ଯାଇ ତମାଳର ଶାନ୍ତି । ସେଇଆ ହିଁ କରେ ତମାଳ ।

 

ଆଜି କିନ୍ତୁ ଅନ୍ୟକଥା । ବାରଟା ବାଜିଲାଣି । ତଥାପି ବିଛଣା ଛାଡ଼ି ଉଠୁନି ତମାଳ । କାନଡ଼େରି ରହିଛି ଗୋଟିଏ ନୂଆ କଣ୍ଠର ନରମ ସୁମଧୁର ସ୍ୱରଆଡ଼େ । ପୁରୁଣା ଶୋଇବା ଘରଟାରେ ଯିଏ ପଶି ଦରଜା ବନ୍ଦକଲା । ତାକୁ ନିମିଷକ ଲାଗି ଦେଖିନେଇଛି ସିଏ । ତାର ମୁହଁରେ ସେଇ ଅଠର ବର୍ଷ ତଳର ପହିଲି ଝଲକ । ମୁହୂର୍ତ୍ତକ ଲାଗି ହେଲେ ବି ସେଇ ଚିହ୍ନା ରୂପଟି ଛାପିହୋଇଯାଇଛି ତମାଳର ଆଖିରେ ।

 

ଆଖି ବୁଜି ଶୋଇରହିବାର ଛଳନା କରୁଛି ତମାଳ । ଘର ଭିତରେ ପାଦଦେଇ ଅବାକ୍‌ ହେଲା ସୁଚରିତା; ହେଲେ ଡାକିଲାନି । ଶୋଇପଡ଼ିଲା ତମାଳ ପିଠିରେ ପିଠି ଲଗାଇ । ମନଲଗାଥ ଓଲଟାଇଗଲା ଉପନ୍ୟାସର ପୃଷ୍ଠା ପରେ ପୃଷ୍ଠା । ତା’ପରେ ଶୋଇପଡ଼ିଲା ଆହୁରି ଅନେକ ଦିନପରି । କିଏ ଗୋଟାଏ ତାକୁ କହିଦେଇଛି ଶୋଇଲେ ମଣିଷ ମୋଟା ହୁଏ ।

 

ନିଜର ଶାଗୁଣା ବେକପରି ହାତଗୋଡ଼କୁ ଚାହିଁ ବେଳେବେଳେ ନିଜେଇ ବିରକ୍ତି ବୋଧକରେ ସୁଚରିତା । ଦର୍ପଣ ପାଖରେ ଠିଆହେଲେ ଅସନ୍ତୋଷରେ ଭରିଯାଏ ତାର ସାରା ଅନ୍ତର । ଶୋଇବା କଥାରେ ତେଣୁ ତାର ଭାରି ଲୋଭ । ଆଖିପତାକୁ ଟିକିଏ ନିଦ ଛୁଇଁଲେ ଶୋଇପଡ଼ିବାର ଚେଷ୍ଟା କରେ ସିଏ ।

 

ପିଲା ତିନିଟାଙ୍କୁ ନେଇ ସାଇଯାକ ବୁଲୁଥାଏ ମହନା । ପିଲାଙ୍କ ଜଞ୍ଜାଳ ନାହିଁ; ତେଣୁ ଆରାମ୍‌ରେ ଶୋଇପଡ଼େ ସୁଚରିତା ।

 

ତା’ରି ଗାଢ଼ନିଃଶ୍ୱାସକୁ ଅନୁଭବ କରୁ କରୁ ପୁଣି ଅନ୍ୟମନସ୍କ ହୋଇପଡ଼ିଲା ତମାଳ ।

 

‘‘ଚାନ୍ଦ..... !’’

 

ଚାରୁଲତାଙ୍କ ପାଇଁ ଲୁଣ ଚୁରୁଥିଲା ଚାନ୍ଦ । ତଳ ଅଗଣାର ଠାକୁରପିଣ୍ଡାରେ ଖାଇବସିଛନ୍ତି ଚାରୁଲତା । ଏ ଡାକ ତାଙ୍କ କାନରେ ପହଞ୍ଚିବାର କଥା ନୁହେଁ । ଏ ଡାକ ପଡ଼ିଲା ଯାଇ ଠିକ୍‌ ଚାନ୍ଦ କାନରେ । ଉପରକୁ ଚାହିଁଲା ଚାନ୍ଦ ।

 

କାହାର ଏ ଡାକ ! କାହା କଣ୍ଠର ସ୍ୱର ଇଏ ! ନିଦରେ ଶୋଇ ସ୍ୱପ୍ନରେ ଶୁଣିଲାପରି ତ ଲାଗୁଛି ! କାହିଁ କେତେଦିନ ତଳର କଣ୍ଠସ୍ୱର ଇଏ । ଏ ସ୍ୱର କାହାର !!

 

‘‘ଚାନ୍ଦଅ.... !’’ ପୁଣି ଥରେ ସେହି ଡାକ ।

 

ବିଛଣା ଛାଡ଼ି ଧଡ଼ପଡ଼ ହୋଇ ଉଠିପଡ଼ୁଥିଲା ତମାଳ—ହେଲେ ମୁହୂର୍ତ୍ତକେ ମନକୁ ତାର ଗ୍ରାସକଲା ଦାରୁଣ ଲଜ୍ଜା । ତକିଆରେ ମୁହଁ ଗୁଞ୍ଜି ଧୀରେ ଆଖି ବୁଜିଲା ସିଏ । ତା’ ଦେହର ପ୍ରତିଟି ଲୋମକୂପରେ ଜାତହେଲା କଦମ୍ୱର ରୋମାଞ୍ଚ । ମନରେ ଲାଗିଲା ଆସି ବସନ୍ତର ପ୍ରଥମ ପରଶ; କିନ୍ତୁ ଲଜ୍ଜା, ଭୟ, ସଙ୍କୋଚର ବହଳିଆ ଆସ୍ତରଣ ତଳେ ଚାପି ହୋଇଗଲା ଏଇ ସବୁ ସୂକ୍ଷ୍ମ ସଙ୍କେତ । ନିଝୁମ୍‌ ହୋଇ ପଡ଼ିରହିଲା ସେଇ ପିପାସିତ ମଣିଷଟି ।

 

ମଝି ଅଗଣାକୁ ଚାଲିଆସି ଡାହାଣ ପଟ ଛାତକୁ ଚାହିଁଲା ଚାନ୍ଦ । ଉପରର ଲୁହାରେଲିଂରେ ଦୁଇ ହାତ ରଖି ଠିଆହୋଇଛି ମାଧବୀ । ପ୍ରବାଳ ରଙ୍ଗ ଓଠରେ ତାର ମିଠା ମିଠା ହସ । ବିମୂଢ଼ ଆଖିରେ କ୍ଷଣେ ମୁହଁକୁ ତାର ଚାହିଁରହିଲା ଚାନ୍ଦ । ଧୀରେ ଧୀରେ ଆଖିରୁ ତାର କଟିଗଲା ବିସ୍ମୟର ଗାଢ଼ ପରଦାଟା । ଲିଭିଲା ପ୍ରାୟ ସ୍ମୃତିର ରେଖା ହେଲା ଗାଢ଼ରୁ ଗାଢ଼ତର ।

 

ଧୀରେ ଧୀରେ ଉଜ୍ଜ୍ୱଳ ହୋଇଉଠିଲା ଚାନ୍ଦର ଦୁଇ ଆଖିର ତାରା । ଗଳାରେ ଆନନ୍ଦ ଓ ଆବେଗ ଭରି ଚାନ୍ଦ ଡାକିଉଠିଲା—ମାଆ... ଓ ଏକାଡ଼ିଆଁରେ ଉଠିଲା ଯାଇ ଦୋମହଲାରେ । ଲୋଟିପଡ଼ିଲା ମାଧବୀର ପାଦତଳେ ।

 

ତାକୁ ତଳୁ ଉଠାଇବାକୁ ଯାଇ ମାଧବୀ ଆଖିରୁ ଝରିଗଲା ଧାରଧାର ଲୁହ । ତଳୁ ଉଠାଇ ଚାନ୍ଦକୁ ଛାତିରେ ଜାକିଲା ମାଧବୀ ।

 

ଶୋଇବା କୋଠରିର ଝରକା ଫାଙ୍କରେ ଆଖି ରଖି ବିସ୍ମୟରେ ବିମୂଢ଼ ହୋଇ ଠିଆହୋଇ ରହିଥିଲା ତମାଳ । ମାଧବୀ ଛାତିରେ ମଥା ରଖି, କୋହ ଉଠାଇ ଫୁଲିଫୁଲି କାନ୍ଦୁଛି ଚାନ୍ଦ । ଅଭିମାନଭରା ଦୁଇଟି ସ୍ଫୀତ ଓଠରେ ତାର ଅନେକ ଅକୁହା କଥା ।

 

କଟିଗଲା ବେଶ୍‌ କେଇଟି ମୁହୂର୍ତ୍ତ । ଶୁଖି ଶୁଖି ଆସିଲା ଚାରୋଟି ଆଖିର ଲୁହ । ଓଠରେ ସ୍ମିତହସ ଆଙ୍କି ଚାନ୍ଦର ଚିବୁକଟିକୁ ତୋଳିଧରି ମାଧବୀ ମୁଗ୍‌ଧ ଆଖି ମେଲି ଚାହିଁଲା କ୍ଷଣେ-। ତାପରେ.... କଣ୍ଠରେ ଉଚ୍ଛ୍ୱାସ ଭରି କହିଉଠିଲା—ଏ ମାଆ.... ତୁ ଏଡ଼େ ବଡ଼ଟିଏ ହୋଇଗଲୁଣି-!! ଏଥର ତୋର ଘରୁ ବିଦାୟ ହୋଇଯିବା କଥା ଲୋ ଚାନ୍ଦ ! ଆଉ ମୋ ଡାକରେ ଧାଇଁଆସିବ କିଏ ? ଏଁ ?

 

କାନ୍ଦୁ କାନ୍ଦୁ ଫିକ୍‌କରି ହସିପକାଇଲା ଚାନ୍ଦ । ଲଜ୍ଜାଜଡ଼ିତ କଣ୍ଠରେ କହିଲା—କଣ ଯେ ତୁମେ କୁହ ମା’, କିଛି ବୁଝିପାରୁନି । ତୁମେ ଯଦି ମତେ ଛାଡ଼ି କୁଆଡ଼େ ଆଉ ନଯାଅ, ତେବେ ମୁଁ ବି ତୁମକୁ ଛାଡ଼ି କୁଆଡ଼େ ହେଲେ ଯିବିନି । ଯାଇ ତ ରହିପାରିବିନି—ଆଉ ଯିବି କାହିଁକି ? ଉଃ, କେତେଦିନ ପରେ ତୁମକୁ ପାଇଲି କୁହ ତ ? କେମିତି ଥିଲ ମତେ ଛାଡ଼ି ?

 

ମାଧବୀ କୋହ ଗିଳି କହିଲା—ଆଉ ତୁ ? ତୁ କଣ ମତେ ମନେରଖିଥିଲୁ ଚାନ୍ଦ ?

 

ତଳକୁ ଆଖି ନୁଆଁଇଲା ଚାନ୍ଦ । ସତରେ ସେ ଭୁଲିଯାଇଥିଲା ଏଇ ସ୍ନେହମୟୀ ମା’ଟିକୁ-। କେମିତି ଭୁଲିଗଲା ! ତେବେ ସେ ଯେ ଭୁଲିଯାଇଥିଲା, ଏଇ କଥାଟା କଣ ଏଇନେ ଶୁଣାଇବ-? ଛି, ଛି—କେଭେ ସିଏ ସେ କଥା କହିପାରିବନି—ମିଛେଲି ହେଲେ ହେବ ପଛେ ।

 

କଣ ଲୋ ଏତେ ଭାବୁଚୁ ? ଭୁଲିଯାଇଥିଲୁ, ନା ? —ମାଧବୀ ଗଳାରେ କପଟ ଅଭିମାନ ।

 

ମାଧବୀର କଟିକୁ ଜଡ଼ାଇଧରି ଓହଳିପଡ଼ି ଚାନ୍ଦ, ହସିଲା ଗଳାରେ କହିଲା—ନାଇଁ ମା’ ନାଇଁ । ତୁମେ ବିଶ୍ୱାସ କର, ମୁଁ ମୋଟେ ଭୁଲିନି ତୁମକୁ ।

 

ଖିଲ୍‌ ଖିଲ୍‌ କରି ହସିଉଠିଲା ମାଧବୀ । କଣ୍ଠରେ ତାର କିଶୋରୀର ଜଳତରଙ୍ଗ । କହିଲା—ହଉ ଛାଡ଼, ପଡ଼ିଯିବି ଯେ । ବୁଢ଼ୀ ହେଲିଣି ପରା ।

 

ତୁମେ ବୁଢ଼ୀ ହେଲଣି—କହି ଆଉ ଟିକିଏ ଅଧିକ ଓହଳିପଡ଼ିଲା ଚାନ୍ଦ । ଆଖିରେ ତାର ଆଖି ରଖି ହସମିଶା ଗମ୍ଭୀରତାରେ ମାଧବୀ କହିଲା—ତୁ ବରଘରକୁ ଯିବାପରି ହେଲୁଣି, ଆଉ ମୁଁ ବୁଢ଼ୀ ହୋଇନି, ନା ? ଚାଲେ, ମତେ ପାଣି ଦବୁ, ମୁଁ ଗାଧୋଇବି ।

 

ନିଦଭଙ୍ଗା ଫୁଲାଫୁଲା ଆଖିରେ ମାଧବୀର ଅଭ୍ୟସ୍ତ ଜୀବନର ଦ୍ୱିଧାହୀନ ଛାୟା ।

 

ଆସ, ଆସ—କହି ତାର ହାତ ଧରି ତଳକୁ ଟାଣିନେଇ ଗାଧୁଆଘରେ ଛାଡ଼ିଦେଲା ଚାନ୍ଦ ।

 

ସାଓ୍ୱାର ତଳେ ବୋଧହୁଏ ମୁଣ୍ଡରଖିଛି ମାଧବୀ । ପାଣିର ଗୋଟାଏ ସିପ୍‌ସିପ୍‌ ସୁମଧୁର ଆଓ୍ୱାଜ ଆସୁଛି ବାହାରକୁ । ପାଣିର ଯେ ଏତେ ସୁନ୍ଦର ଗୋଟାଏ ଶବ୍ଦ ଅଛି, ଏକଥା କେଉଁଦିନ ହେଲେ ଅନୁଭବ କରିନଥିଲା ଚାନ୍ଦ । ଭଲଲାଗୁଛି ଆଜି ତାକୁ ଏଇ ଶବ୍ଦ ।

 

ମୁହଁ ବୁଲାଇ ଅଗଣାଯାକ ଚାହିଁଲା ଚାନ୍ଦ । ମନେପଡ଼ିଗଲା ଯେ ବୁଢ଼ୀସାଆନ୍ତାଣୀଙ୍କୁ ଲୁଣ ଟିକିଏ ଦେବାକୁ ସେ ଏତେ ବେଳ ହେଲା ପାଶୋରିଯାଇଛି । ମନରେ ବହୁତ ଦୁଃଖ ଆସିଲା-। ଖାଇଲାବେଳେ ବୁଢ଼ୀମା’ କାହାକୁ କଥା କହନ୍ତିନି । ତେଣୁ ତାର ଅନୁପସ୍ଥିତିରେ ତାକୁ ସେ ଡାକିପାରିବେନି । ରୋଷେଇଘରେ ମାଛ, ମାଉଁସ, ଅଣ୍ଡା ପଶିଲା ଦିନୁ ସେ ଖାଉଛନ୍ତି ସେଇ ଠାକୁରଘରେ । ତେଣୁ ପୋଡ଼ା ଟିକିଏ କି ଭଜାଟିକିଏ ଭାଗ୍ୟରେ ତାଙ୍କର ଆଉ ଜୁଟେନି । ସେଇ ଅନ୍ନ ଯୋଡ଼ିଏ ସାଙ୍ଗକୁ ପରିବାପକା ଡାଲମା ଟିକିଏ । ସେଇ ଏକା ରକମର ଖାଦ୍ୟ ଖାଇଆସୁଛନ୍ତି ଆଜିକି ନଅବର୍ଷ ଧରି । କାହା ପାଖରେ ଅଭିଯୋଗ କରିବେ—ଏମିତି ବାଟ ନାହିଁ । ସେ ବାଟେ ସେ ନିଜେ ବନ୍ଦ କରିଦେଇଛନ୍ତି । ତେଣୁ ପାଟିରେ ତାଙ୍କର ତାଲା ।

 

ମନେ ମନେ ବ୍ୟସ୍ତ ହୋଇପଡ଼ିଲା ଚାନ୍ଦ । ଚୁରା ଲୁଣ ଟିକିଏ ହାତରେ ଧରି ଧାଇଁ ଚାଲିଗଲା ତଳ ଅଗଣାକୁ । ଖାଇବସିଛନ୍ତି ବୁଢ଼ୀ ସାଆନ୍ତାଣୀ । ଖାଇବା ସରିଆସିଲାଣି, ଆଖିରେ ଭୀତିଭରି ବୁଢ଼ୀଙ୍କ ମୁହଁକୁ ଚାହିଁଲା ଚାନ୍ଦ । ବୁଢ଼ୀ ମଧ୍ୟ ବିରକ୍ତିରେ ଚାହିଁଲେ ତାର ମୁହଁକୁ । ମନ ଖରାପ ହୋଇଗଲା ଚାନ୍ଦର; ତଥାପି କଦଳୀ ପତରଟିକକରେ ଲୁଣତକ ନେଇ ରଖିଦେଲା ଚଉକାଠ ଉପରେ । ନିମିଷକେ ସେଇ ଲୁଣକୁ ବାଁ ହାତରେ ଉଠାଇନେଇ ଚାନ୍ଦର ମୁହଁ ଉପରକୁ ଛାଟିଦେଇ ବୁଢ଼ୀ ମୁଣ୍ଡ ପୋତିଲେ ।

 

ରାଗିଲାନି ଚାନ୍ଦ, ମୁହଁରୁ ଲୁଣ ଝାଡ଼ୁ ଝାଡ଼ୁ ନରମ ଗଳାରେ କହିଲା—ମୋ ଉପରେ ରାଗନି ସାଆନ୍ତାଣୀ ! ଲୁଣ ଦରଚୁରା କରିଛି, ଉପରୁ ଡାକରା ଆସିଲା ।

 

ଉପରୁ ଡାକରା ଆସିଲା ! ପାଣି ଗିଲାସକ ତକ୍‌ତକ୍‌ କରି ପିଇଦେଇ ଗିଲାସଟା ତଳେ ରଖି ଦେଉଦେଉ ଭ୍ରୂକୁଞ୍ଚିତ କରି ଚାନ୍ଦର ମୁହଁକୁ ଚାହିଁଲେ ବୁଢ଼ୀ । ଚାନ୍ଦ ଫିସ୍‌ଫିସ୍‌ ଗଳାରେ କହିଲା–ସକାଳେ ମହନା ଯାହା କହୁଥିଲା ସତ ଗୋ ସାଆନ୍ତାଣୀ ! ମଲ୍ଲିପୁରରୁ ବଡ଼ମା’ ଆସିଛନ୍ତି, ଏବେ ଉଠି ମତେ ଡାକିଲେ । ତାଙ୍କୁ ଦେଖି ମୁଁ ତ ସବୁ ଭୁଲିଗଲି । କେତେ ଗେଲକଲେ ମତେ, କେତେ ପୁଣି କାନ୍ଦିଲେ । ତାଙ୍କୁ ଗାଧୋଇବାଘରେ ଛାଡ଼ିଦେଇ ଆସିଛି, ସେ ଗାଧୋଉଛନ୍ତି-। ଲୁଣକଥା ମନେପଡ଼ିବାରୁ ଛାନିଆ ହୋଇ ମୁଁ ପଳାଇଆସିଛି । ଖାଇବାକୁ ବଡ଼ ହଇରାଣ ହେଲ, ନାଇଁ ? ଛି ଛି, କେଡ଼େ ଭୁଲ କଲି ।

 

ଚାନ୍ଦର ବ୍ୟସ୍ତତାରେ ବୁଢ଼ୀଙ୍କର ମନଟା ଟିକିଏ ହାଲୁକା ହେଲା; ହେଲେ ପରମୁହୂର୍ତ୍ତରେ ଜଡ଼ ହୋଇଗଲା ତାଙ୍କର ଭିତରର ସବୁ ଅନୁଭୂତି ।

 

ମଲ୍ଲିପୁରିଆଣୀ ଆସିଛି !!

 

କିଛି ସମୟ ପରେ ରହି ରହି ପୁଣି ବୁଢ଼ୀ ପଚାରିଲେ—କଣ କହିଲୁଟି ? କିଏ ଆସିଛି-?

 

ଚାନ୍ଦ ଆହୁରି ଧୀରେ ଧୀରେ କହିଲା—ମଲାମୋର, ବୁଝିପାରୁନା କଣ ମ !! ମଲ୍ଲିପୁରରୁ ବଡ଼ମା’ ଆସିଛନ୍ତି, ଆସିଲେଣି ସେଇ କୋଉ ପାହାନ୍ତାରୁ, କହୁନଥିଲା ମହନା ? ଶୁଣିନ ତୁମେ !

 

ଏତିକିବେଳେ ମାଧବୀ ଗାଧୁଆଘରୁ ଆସି ପାଦଦେଲା ଠାକୁରଘରେ । ଚମକିପଡ଼ି ପାଖେଇଗଲା ଚାନ୍ଦ; ଚମକିଉଠିଲେ ଚାରୁଲତା ।

 

ମାଧବୀ କିନ୍ତୁ କୁଆଡ଼କୁ ନ ଚାହିଁ ଠାକୁରଘରେ ପଶି ଲୋଟିପଡ଼ିଲା ଠାକୁରଙ୍କ ସିଂହାସନ ତଳେ ।

 

ପଲକ ପଡ଼ୁନି ଚାରୁଲତାଙ୍କ ଆଖିରେ ।

 

ମାଧବୀ ଦେହରେ ତାଙ୍କରି ଛେଦା ଲୁଗାଟି, ଶୁଖୁଥିଲା ଉପରେ ଅଗଣା ତାରରେ । ଶାଢ଼ିଖଣ୍ଡକୁ ଅପେକ୍ଷା କରି କଣ ଓଦାଲୁଗାରେ ଠିଆହୋଇଥାନ୍ତା ? ସାମନାରେ ଯାହା ପାଇଛି ଟାଣି ନେଇ ଗୁଡ଼ାଇ ହୋଇପଡ଼ିଛି । ହେଲେ ସୁଚରିତାର ଲୁଗା ତ ସେଇଠି ଶୁଖୁଥିବ ! ଦେଖ ତ, କେଡ଼େ ବହପ, ଛେଦାପିନ୍ଧି ଆଗକୁ ଆସୁଛି ! ଚଞ୍ଚଳ ହୋଇଉଠିଲେ ବୁଢ଼ୀ । ଚାନ୍ଦର ଡେଣା ଧରି ଚଞ୍ଜଳପାଦରେ ଚାଲିଗଲେ ଉପର ଘରକୁ । ସଯତ୍ନରେ ସେ ଆଜିଯାଏ ସାଇତି ରଖିଛନ୍ତି ମାଧବୀର ସବୁ ଲୁଗା । ସବୁ ଅଛି ସେଇ ମାଧବୀ ଘରେ । ସୁଚରିତାକୁ ମାନିବନି ମାଧବୀର ଖଣ୍ଡିଏ ହେଲେ ବି ଶାଢ଼ି—ତେଣୁ ତାକୁ ଦେଇନଥିଲେ । ଦେଇନଥିଲେ ବି ମାଧବୀର ଗହଣାଗୁଡ଼ାକ । ତା’ପରେ, କେତେବେଳେ ଦେଇଥାଆନ୍ତେ କି ନାହିଁ, ତା ଆଗରୁ ସେଇ ବୋହୂଠୁ ମନ ଛାଡ଼ିଯାଇଥିଲା ତାଙ୍କର । ତେଣୁ ମାଧବୀର ଯାହା ଯୋଉଠି ଥିଲା, ସବୁ ସେ ସାଇତି ରଖିଛନ୍ତି । ଶାଢ଼ି, ଗହଣା ସବୁ ଧରି ଉପର ବାରଣ୍ଡାରେ ଠିଆହୋଇ ରହିଲେ ବୁଢ଼ୀ ।

 

ପିଲା ତିନିଟା ବୁଢ଼ୀଙ୍କ ପତରରେ ଖାଇବସି ବୋକା ଆଖିମେଲି ଚାହିଁରହିଛନ୍ତି ଭୂଇଁରେ ଲୋଟିପଡ଼ିଥିବା ମଣିଷଟି ଆଡ଼େ । ଏଡ଼େବଡ଼ ଆଁ କରି ମହନା ବି ଚାହିଁରହିଛି ସେଇ ଭୁଲୁଣ୍ଠିତା ଆଡ଼େ । କିନ୍ତୁ କେହି ବୁଝିପାରୁନାହାନ୍ତି ଯେ ଦୁଇଧାର ଅଶ୍ରୁ ଜଳରେ ଭିଜିଯାଉଛି ଠାକୁରଘରର ମୋଜାଇକକରା ଚଟାଣଟା । ମା’ ଶୋଇଛି ଭାବି ସାନପିଲାଟା ହାମୁଡ଼େଇ ହାମୁଡ଼େଇ ଆସି ମୁହଁ ଗୁଞ୍ଜିଲା ମାଧବୀର ପିଠିରେ ।

 

ସଂବିତ୍‌ ଫେରିଲା ମାଧବୀର । ଧୀରେ ଉଠିପଡ଼ି ପିଲାଟିକୁ ଛାତିରେ ଜାକିଲା । ପରମ ନିଶ୍ଚିନ୍ତରେ ପିଲାଟା ବି ମୁହଁ ଲୁଚାଇଲା ମାଧବୀର ଛାତିରେ ।

 

ମାଧବୀର ପରମ ଆନନ୍ଦରେ ତେରେଛେଇ ଚାହିଁଲା ବଡ଼ପିଲା ଦୁଇଟିଙ୍କ ମୁହଁକୁ । ମିଠା ମିଠା ହସରେ ସୁନ୍ଦର ହୋଇଉଠିଲା ପିଲା ଦୁଇଟାଙ୍କର ମୁହଁ । ପାଟିଏ ଭାତ ପୂରାଇ ଟୁଟୁ ହସିଲାକଣ୍ଠରେ ଖନେଇ ଖନେଇ କହିଲା—ତୁମେ କିଏ ?

 

ମାଧବୀ ସେମାନଙ୍କ ପାଖରେ ବସିପଡ଼ି ଅନ୍ନରେ ଡାଲି ଗୋଳେଇ ସେମାନଙ୍କୁ ଖୁଆଇ ଦେଉ ଦେଉ କହିଲା—ମୁଁ କିଏ ? ମୁଁ ପରା ତୁମମାନଙ୍କର ବଡ଼ବୋଉ । ତମେ ସବୁ ଖୁସି ହେଲନା-?

 

ନୀନା ଆଉ ଟୁଟୁ ଏକାସ୍ୱରରେ କହିଉଠିଲେ—ହଁଅଅ….

ମାଧବୀ ହସି କହିଲା–ଆ-ଆଚ୍ଛା, ମୋର ସୁନା ପିଲାମାନେ ଏଥର ଡାକ ତ ମତେ ବଡ଼ବୋଉ ବୋଲି ।

ଦୁଇଟିଯାକ ପିଲା ଏକସ୍ୱରରେ ଡାକିଉଠିଲେ—ବଡ଼ବୋଉ....

ପ୍ରଶାନ୍ତ ହସି ମାଧବୀ ଚୁମା ଖାଇଲା ଦୁଇ ପିଲାଙ୍କ ମଥାରେ । ତା’ପରେ ପଚାରିଲା ଆରେ, ତମେ ତ ଏଇ ବାରଟାରେ ଏକୁ ଖାଇଲ, ଆଉ ପୁଣି ଭାତ ଖାଇବ କେତେବେଳେ ?

ମହନା ଶୁଖିଲା ଗଳାକୁ ଲହରେଇ କହିଲା—ସବୁଦିନେ ତ ବାରେଟାରେ ଏମିତି ଖାଆନ୍ତି, ଫେଣେ ଯାଇ ଦି’ଟାରେ ଭାତ ଖାଇବେ । କଥା ସାରି ମୁଡ଼ୁକି ହସି ମହନା ନରମ ଗଳାରେ ପଚାରିଲା—ତେମେ କିଏ ମ ମା’ ? କଣ ହବ ଏଙ୍କର ?

ମହନା ମୁହଁରୁ ତୀକ୍ଷ୍‌ଣ ତିର୍ଯ୍ୟକ୍‌ ଦୃଷ୍ଟିହାଣିଲା ମାଧବୀ । ନୂଆ ମଣିଷ, ନୂଆ ରୂପ, ନୂଆ ତାର ଚାହାଣି । ଏମିତି ଗୋଟିଏ ମଣିଷ ବା ଏମିତି ଗୋଟାଏ ଚାହାଁଣି ସାଥିରେ ପରିଚୟ ନଥିଲା ମହନାର । ରୂପ ଯାହାର ଆଖିରେ ଆନନ୍ଦ ଭରିଦିଏ, ତାରି ଚାହାଁଣି ପୁଣି ଛାତିରେ ଭୟ ଉପୁଯାଏ-!! ଛାତି ଭିତରଟା ଅକାରଣ ଭୟରେ ଶିରିଶିରି ହୋଇ ଉଠିଲା ମହନାର । ବସିବା ଜାଗାରୁ ଉଠିପଡ଼ି ଚାଲି ଯାଉଯାଉ ମହନା କହିଲା—ଯାଏଁ ଲୋ ମା, ଗାଧୋଇପଡ଼େ ଏଥର ।

ପିଲାମାନଙ୍କୁ ଖାଇବା ଜାଗାରୁ ଉଠାଇ ନେଇ ମୁହଁ ଧୁଆଇଦେଲା ମାଧବୀ । ବାହାରେ ଠିଆହୋଇ ପିଲାମାନେ କେତେ ଅନାବନା ପ୍ରଶ୍ନ କରିଚାଲିଛନ୍ତି ମାଧବୀକୁ । ଠାକୁରଘରଟି ସଯତ୍ନରେ ପରିଷ୍କାର କରୁ କରୁ ମାଧବୀ ଉତ୍ତରଦେଉଛି ସେମାନଙ୍କର ସବୁ ପ୍ରଶ୍ନର ।

 

ସବୁକାମ ସାରି ମାଧବୀ ପିଲା ତିନିଜଣଙ୍କୁ ସାଥିରେ ଧରି ଚାଲିଆସିଲା ଉପର ଅଗଣାକୁ । ପିଲାଙ୍କୁ କହିଲା—ତୁମେ ସବୁ ଯାଇ ଉପରେ ବସ, ମୁଁ ଗଲେ ସଫାସୁନ୍ଦର କରିଦେବି; ଆସେ ଟିକିଏ ରୋଷେଇଘରୁ ।

 

ପିଲା ଦୁଇଜଣ କଥା ମାନି ଦୌଡ଼ିଲେ ଉପର ଘରଆଡ଼େ । ମାଧବୀ ସାନପିଲାଟାକୁ କାଖରେ ଧରି ରୋଷେଇ ଘରଆଡ଼େ ପାଦ ବଢ଼ାଇଲା ।

 

ପୁଣି ଖଟରୁ ଆସି ଉଠିଆସି ତମାଳ ଆଖିରଖିଛି ଝରକା ଫାଙ୍କରେ । ନିଘୋଡ଼ ନିଦରେ ଶୋଇରହିଛି ସୁଚରିତା । ଡରିଲା ଆଖିରେ ସେଆଡ଼କୁ ଥରେ ଥରେ ଚାହୁଁଛି ତମାଳ । ହଠାତ୍‌ ଆଖିରେ ପଡ଼ିଲା ତାର ମାଧବୀ; ଦେହରେ ତାର ଶୁଭ୍ର ଥାନଲୁଗା । ଭ୍ରୂଦୁଇଟା କୁଞ୍ଚିତ ହୋଇଗଲା ତମାଳର । ମାଧବୀର ସଧବା ମନ ଡରିଲାନି କାହିଁକି ଏଇ ଥାନଲୁଗା ଦେଖି ? ଓଲଟି ପରମ ଖୁସିରେ ସିଏ ପିନ୍ଧିଛି ସେଇ ଲୁଗାଟା । ସ୍ୱାମୀଲାଗି ସବୁ ଅନୁଭୂତିଗୁଡ଼ାକ କଣ ଜଡ଼ ହୋଇଯାଇଛି ତା ଭିତରେ ? ଛାତିତଳୁ ଗୋଟାଏ ଦୀର୍ଘଶ୍ୱାସ ବାହାରି ଆସିଲା ତମାଳର । ତଥାପି ସବୁ ଭୁଲି ସେ ଚାହିଁରହିଲା ମାଧବୀର ଅନିନ୍ଦ୍ୟ ସୁନ୍ଦର ମୁହଁଟିକି । ଆଗପରି କପାଳଟା ଆଉ ଚଉଡ଼ା ଦିଶୁନି; ଓଲଟି ଆଖିଯାକ ବିଛାଇ ହୋଇଆସିଛି ଚୂନାଚୂନା ବାଳ, ଢାଙ୍କି ହୋଇଯାଇଛି ଭ୍ରୂଲତା ଦୁଇଟି । ଲମ୍ୱିଲା ଆଖିପତାରେ ନିବିଡ଼ ଘନତା ଚିକ୍‌ଚିକ୍‌ କରୁଛି । ମାଧବୀର ଗୋଲାପୀ ଗାଲଦୁଇଟି । ଅପୂର୍ବ ଦେଖାଯାଉଛି ସେ । ଦେଖାଯାଉଛି ଠିକ୍‌ ସେଇ ଅଠର ବର୍ଷ ତଳର ମାଧବୀ ପରି । ଇଚ୍ଛାହେଉଛି ଧାଇଁଯାଇ ଦୁଇ ହାତରେ ତାକୁ ଜଡ଼ାଇ ଧରିବାକୁ; କିନ୍ତୁ ନା, ତା ଆଉ ହୋଇପାରିବାର ନୁହେଁ । ମାଧବୀ ଗଲାପରେ ସେ ତ କାନ୍ଦି କାନ୍ଦି ଚାନ୍ଦପରି ଭୂଇଁ ତିନ୍ତାଇ ଦେଇନି–ତେବେ ! ତେବେ ସେ କିପରି ଚାନ୍ଦପରି ଧାଇଁଯାଇ ଜଡ଼ାଇ ଧରିବ ମାଧବୀକୁ ?

 

କର ଲେଉଟାଇଲା ସୁଚରିତା । ଭୟ ଓ ଲଜ୍ଜାରେ ଝରକା ପାଖରୁ ଅପସରିଗଲା ତମାଳ । ସୁଚରିତା ଯଦି ଜାଣିବ ଯେ ମାଧବୀକୁ ଚୋରାପରି ଲୁଚିଲୁଚି ସେ ଦେଖୁଥିଲା, ତେବେ ପରିସ୍ଥିତି ଖରାପ ହେବ । ଉପର ରେଲିଂରେ ଭରାଦେଇ ଚାରୁଲତା ତଳକୁ ଚାହିଁ ଡାକିଲେ—ଏ ମଲ୍ଲିପୁରିଆଣୀ ! ସେଆଡ଼େ ଯିବା ଆଗରୁ ଥରେ ଇଆଡ଼େ ଆସେ ।

 

ଉପରକୁ ଚାହିଁଲା ମାଧବୀ । ତାପରେ ରୋଷେଇଘର ଆଡ଼ୁ ମୁହଁ ଫେରାଇ ଚାଲିଆସିଲା ଉପର ବାରଣ୍ଡାକୁ । ଭୟ ଓ ଭାବନାରେ ବିବ୍ରତ ହୋଇଯାଉଛି ମନ ତାର । ଶାଶୁଙ୍କ ପାଦରେ ମଥା ଲଗାଇ ପ୍ରଣାମ କଲା ମାଧବୀ । ହାତରେ ଆଶୀର୍ବାଦର ଭଙ୍ଗି ଫୁଟାଇ ବୁଢ଼ୀ କେବଳ ହାତ ଟେକିଲେ । ତା’ପରେ ରହି ରହି କହିଲେ—ମୋରି ସାମନାରେ ଥାନଲୁଗା ପିନ୍ଧି ଠିଆହେବାର ସାହସ ତୋର ହେଲା କେମିତି କହ ତ ? ନେ, ଆଗ ଏଗୁଡ଼ାକ ନେଇ ପିନ୍ଧିପକା; ତାପରେ ଯାଇ ଯେଉଁ କଥା ।

 

ଗହଣାଗୁଡ଼ାକ ଉପରେ ଗୋଟାଏ ହେୟ ଦୃଷ୍ଟି ପକାଇ ଶାଶୁଙ୍କ ହାତରୁ ଶାଢ଼ିଟା ନେଲା ମାଧବୀ; ଘର ଭିତରକୁ ଯାଇ ଲୁଗା ପାଲଟି ଶାଶୁଙ୍କ ପାଖରେ ଠିଆହେଲା ଆସି ।

 

ଚାରୁଲତା କହିଲେ—ନେ, ଏ ଗହଣାଗୁଡ଼ାକ ବି ପିନ୍ଧିପକା ।

 

ନିରାସକ୍ତ କଣ୍ଠରେ ମାଧବୀ କହିଲା—ଶାଢ଼ିଟାହିଁ ତ ଯଥେଷ୍ଟ; ଆଉ ସେ ଗୁଡ଼ାକ ପିନ୍ଧି କଣ ହେବ ?

 

ନରମ ଆଉ ଶାନ୍ତ ଗଳାରେ ଚାରୁଲତା କହିଲେ—ଏଗୁଡ଼ାକ କିଛି ନୁହେଁ । କିଛି ମାତ୍ର ମୂଲ୍ୟ ନାହିଁ ଏଇ ଦରବଗୁଡ଼ାକର । ତଥାପି ଦାଣ୍ଡଘାଟର ନିର୍ବୋଧ ମୂର୍ଖ ଲୋକଙ୍କ ପାଖରେ ଏଇ ଗୁଡ଼ିକ ତୋର ସମ୍ମାନ । ସେଥିପାଇଁ କହୁଛି ।

 

ତଳ ଓଠର କୋଣଟାକୁ ଦାନ୍ତରେ ଚାପି ବୁଢ଼ୀଙ୍କ ମୁହଁକୁ କ୍ଷଣେ ଚାହିଁଲା ମାଧବୀ । ତା’ପରେ, ତାଙ୍କ ହାତରୁ ସେଗୁଡ଼ିକ ନେଇ ପିନ୍ଧିଲା ଗୋଟି ଗୋଟିକରି । ନିଟୋଳ ବାହୁ ଦୁଇଟିକୁ ତାର ଅପରୂପ କରି ତୋଳିଲା ସୁନାର ଅନନ୍ତ ଦୁଇଟି । ପାଞ୍ଚଲହରି ହାରରେ ଝଲସି ଉଠିଲା ମାଧବୀର ସୁଡ଼ୌଲ ଛାତିଟି । କାନଝୁମୁକାର ଜ୍ୟୋତି ବିଛାଇ ହୋଇଗଲା ମାଧବୀର ଗୋଲାପି ମସୃଣ ଗଣ୍ଡରେ । ନିମିଷକ ଭିତରେ ତପସ୍ୱିନୀ ମାଧବୀ ହୋଇଗଲା ରାଜେନ୍ଦ୍ରାଣୀ ।

 

ମୁଗ୍‌ଧ ଆଖିରେ ବୋହୂକୁ ଦେଖିଲେ ଚାରୁଲତା । ସୁନାଚୁଡ଼ୀ ସୁନାବଳା ପିନ୍ଧି ଅପୂର୍ବ ସୁନ୍ଦର ଦିଶୁଛି ତାର ନିଟୋଳ ହାତ ଦୁଇଟି । ଆନମନା ଗଳାରେ ଚାରୁଲତା ପଚାରିଲେ—ତୁ କଣ ଏକା ଆସିଚୁ ?

 

ଶାଶୁଙ୍କ ମୁହଁରେ ବଙ୍କିମ ଦୃଷ୍ଟି ପକାଇ ମାଧବୀ ଚୋବେଇ ଚୋବେଇ କହିଲା–କାହିଁକି ? ସେଇଥିପାଇଁ କଣ ଅଗ୍ନି—ପରୀକ୍ଷା ଦେବାକୁ ପଡ଼ିବ ମତେ !

 

ସକଳ ସ୍ୱପ୍ନ ଯେପରି କାଚପରି ଭାଙ୍ଗି ଗୁଣ୍ଡ ହୋଇଗଲା ଚାରୁଲତାଙ୍କର । ଚମକି ପଡ଼ି ବୋହୂ ମୁହଁକୁ ଚାହିଁଲେ ସିଏ । ପଲକ ପଡ଼ୁନି ଆଖିରେ ତାଙ୍କର । ଇଏ କି କଥା ! ଇଏ କି ସ୍ୱର ! ଇଏ କି ଉତ୍ତର ! ଚାରୁଲତା ନିସ୍ତେଜ ଗଳାରେ କହିଲେ—ମୁଁ କଣ ତତେ ସେଇ ଉଦ୍ଦେଶ୍ୟରେ ପଚାରିଲି ? କହୁଥିଲି କି—ଖବର ପଠାଇଥିଲେ କିଏ ଯାଇ ତ ସେଠୁ ନେଇଆସିଥାନ୍ତା ।

 

ଖିଲିଖିଲି ହୋଇ ହସି ଉଠିଲା ମାଧବୀ । କହିଲା—ନେଇ ଆସିବ ? କାହାକୁ ମତେ ? କାହିଁକି ? ଯାଇଥିଲି ଯେମିତି ଝଡ଼ପରି, ଫେରିଆସିଲି ପୁଣି ସେମିତି । ହୁଏତ ଫେର୍‌ ଦିନେ ଚାଲିଯିବି ସେମିତି ସେମିତି । ମୁଁ ଗୋଟାଏ ମଣିଷ—ମୋ ପାଇଁ ପୁଣି ଚିନ୍ତା ? ଥାଉ, ଏସବୁ କଥା ଏଇନେ । ତୁମେ ଯାଅ ବୋଉ, ଟିକିଏ ଶୋଇପଡ଼ । ଯାଏ ଦେଖେ, ରୋଷେିଘରେ କି ରାଜସୂୟ ଯଜ୍ଞ ଚାଲୁଚି ଯେ ଦିନ ଦୁଇ ନ ବାଜିଲେ ପୁଣି ଖିଆପିଆ ହେବନି ।

 

 

ରୋଷେଇଘର ଚଉକାଠରେ ହାତଭରା ଦେଇ ଠିଆହେଲା ମାଧବୀ । ବିସ୍ମୟରେ ଚାହିଁଲା ଚାରିକୋଣକୁ—କଣ ହେଇଛି ଏ ରୋଷେଇଘର ? ବାସନକୁସନ, ଡଙ୍ଗା, ଚଟୁ, କାଠ, ଲୁଣ, ତେଲ, ମସଲା ଡବା ସବୁ ଯେମିତି ଏକାଠି ଗଦାହୋଇଛି । ସବୁ କିଛିରେ ଫୁଟିଉଠିଛି ଗୋଟାଏ ଲକ୍ଷ୍ମୀ ଛଡ଼ା ଦୟନୀୟ ଭାବ । ମାଧବୀ ହାଣ୍ଡିଶାଳରେ ପଶିଥିବାର ଦେଖି ପୂଜାରୀ ଅନାଦି କହିଲା—ତମେ କିଏ ମା’ ? କୋଉଠୁ ଆସିଲ ?

 

ପୁଝାରୀର ପ୍ରଶ୍ନଟାକୁ ପୂରା ଏଡ଼େଇ ଯାଇ ସେ ଶକ୍ତଗଳାରେ କହିଲା—ସେଇଟା କଣ ବସିଛି ଚୁଲିରେ ?

 

ମାଧବୀର ବ୍ୟକ୍ତିତ୍ୱପୂର୍ଣ୍ଣ ଚେହେରା ଦେଖି ସମ୍ଭ୍ରମରେ ବିମୂଢ଼ ହୋଇଯାଇଥିଲା ଅନାଦି । ପ୍ରଶ୍ନକର୍ତ୍ତ୍ରୀର କଣ୍ଠସ୍ୱର ଶୁଣି କେଜାଣି କାହିଁକି ମନଟା ଦବିଗଲା ତାର । ପାନଛେପ ଗିଳିବା ବାହାନାରେ ଢୋକ ଗିଳିଲା ସିଏ । କହିଲା—ମାଛଝୋଳଟା ବସିଛି । ଆଉ ଆଳୁଭଜା, ବାଇଗଣଭଜା ହୋଇଗଲେ ସରିଯିବ ରୋଷେଇ । ଆଉ ଆଗରୁ ତ ଭାତ ଡାଲି ହୋଇ ଯାଇଛି । ମତେ କଣ ମରିବାକୁ ତର ଅଛି ମା ? ଇଆ ଆଗରୁ ମହନଭୋଗ, ଅଣ୍ଡାଭଜା ଏସବୁ କରି ଦବାକୁ ପଡ଼େ । ଆଜି ପୁଣି କଣ ହେଲା କେଜାଣି, ବାବୁ ଏଯାଏ ତଳକୁ ଆସିଲେନି କି ଖାଇଲେନି । ପିଲାମାନେ ବି ଖାଇଆସିଲେନି । ଯାହା ଖାଇଲେ ଆସି ବୋହୂ ସାଆନ୍ତାଣୀ । ସବୁ ଥଣ୍ଡା ହୋଇଗଲା, ଏ ଘରେ ପୁଣି ସବୁ ଥଣ୍ଡା ହୋଇଗଲେ କେହି ଆଉ ଖାଆନ୍ତିନି । ଶେଷକୁ ମୋରି କପାଳରେ ଥାଏ ସବୁ ।

 

ମାଧବୀ ଆଖିକୋଣରେ ଦେଖୁଥିଲା ଅସୁର ପ୍ରମାଣର ବଳିଷ୍ଠ ଲୋକଟାକୁ । ତା’ପରେ କହିଲା—ସେଠି ସେ ପଖାଳ କିଏ ଖାଇଛି ?

 

କୁଣ୍ଠିତ ଗଳାରେ ଅନାଦି କହିଲା—ମୁଁ ଖାଇଥିଲି ।

 

କଂସା ପାଖରେ ଗଦାହୋଇଛି ଅଧସେର ହେମ ମାଛର କଣ୍ଟା । ଏଇ ଘରେ ଆଠଟି ବର୍ଷ ସଂସାର କରିଛି ସିଏ । ଏଇ ରୋଷେଇଘରେ କଟିଛି ତାର ଦିନରାତିର ଅଧେ ସମୟ । ଏ ଘର ପ୍ରତି ତାର ଅନେକ ଲୋଭ । ଏ ଘରର ଏତେ ଟିକିଏ ବିନିର୍ବୟ ସେ ପାରେନି କେଉଁଦିନ ହେଲେ । ସ୍ୱାମୀ ଶାଶୁଙ୍କ ପାଖରୁ ଅନେକ ନିର୍ଯ୍ୟାତନା ସେ ସହ୍ୟ କରିଛି, ତଥାପି ସେ ଲୋଭ କରିଛି ଏଇ ଘରର ପ୍ରତିଟି ଦରବକୁ ।

 

କାହିଁକି ଥିଲା ତାର ଏତେ ଲୋଭ ? ସେ ଗରିବ ବୋଲି କି ? ହେଲେ ହୋଇଥିବ । ସତରେ କିନ୍ତୁ ସେ ଭାରି ଲୋଭୀ ଥିଲା । ଆଜି ବି ଆପଣାକୁ ଭୁଲି ମାଧବୀ ଜଳିଉଠିଲା ମନେ ମନେ । ନାକପୁଡ଼ା ଫୁଲାଇ କହିଲା—ପଖାଳ ଖାଇସାରି ତା’ ପରେ ସୁଜି ଅଣ୍ଡାଭାଜି ଖାଇଲ ନୁହେଁ ?

 

କଥାରେ ଉତ୍ତର ଦେଇପାରିଲାନି ଅନାଦି । ଜଳୁଜଳୁ ଆଖିରେ ସେ କେବଳ ଚାହିଁରହିଲା ମାଧବୀର ଶକ୍ତ ଶୀତଳ ମୁହଁଟିକି । ମାଧବୀ ବି ତାର ଉତ୍ତରକୁ ଅପେକ୍ଷା ନ କରି ପୁଣି ପଚାରିଲା—କେତେଦିନ ହେଲା ଲିପା ହୋଇନି ଏ ଘର ? ଆଉ ସେ ହାଣ୍ଡି ? କେତେଦିନ ହେଲା ଧୁଆହୋଇନି ? କାହା ଉପରେ ଅଛି ଏଇସବୁ କାମ ?

 

ଏଥର ବିଗିଡ଼ିଗଲା ଅନାଦିର ମିଜାଜଟା । ମନେ ମନେ ଭାବିଲା—ମ, କୋଉଠୁ ଆସିଛନ୍ତି ଏ ଦି’ଦିନର କୁଣିଆ । ଏଇଁନେ ଅଛନ୍ତି, ସେଇନେ ନାହିଁ । ଏଙ୍କର କାହିଁକି ଏତେ ଜେରା ମ ! ଶେଷକୁ ମୁହଁ ଘୁଙ୍ଗୁରାଇ କହିଲା—ମଲା, ଇଏ ପରା ବ୍ରାହ୍ମଣଘର—ଏଘରେ ପଶି କିଏ ଆଉ କଣ କରିବ ?

 

ମାଧବୀ ଫେରି ପଡ଼ୁ ପଡ଼ୁ କହିଲା—କାଲି ବଡ଼ି ଭୋର୍‌ରୁ ଉଠି ଏ ଘର ଖାଲିକରିଦିଅ ରନ୍ଧା ହେବନି । ଆଗ ଲିପାପୋଛା ସରିଲେ ଯାଇ ଯେଉଁ କଥା ।

 

ପିଣ୍ଡାଧାରରେ ଠିଆହୋଇଥିଲା ଚାନ୍ଦ । ମୁହଁ ବୁଲାଇ ତାକୁ ଚାହିଁଲା ମାଧବୀ । କହିଲା–ଏ ଗଲୁ; ସୁଲୀ ଆଉ ପଦୀକୁ କହି ଆସିବୁ କାଲି ସକାଳେ ଆମର ରୋଷେଇଘର ଲିପା ହେବ-। ଯା ।

 

ଚାନ୍ଦ ପାଦେ ବି ନଘୁଞ୍ଚି କହିଲା—ମା, ଗାଧୋଇସାରି ତମେ ସେତିକିବେଳୁ ବୁଲୁଛ । କିଛି ଖାଇନ, ଭାତ ଦୁଇଟା ବାଢ଼ି ଦେବାକୁ କହିବି, ଖାଇବ ?

 

ମାଧବୀ ଆଖି ତରାଟି କହିଲା—ଆଲୋ, କେହି ଖାଇନାହାନ୍ତି, ମୁଁ ଖାଇଦେବି !! ଆଉ–ଶୁଣ, ମୋର ଜୀବନ ଛାଡ଼ିଗଲେ ବି ତମର ଏଇ ରୋଷେଇଘରର ଭାତ ମୁଁ ମୋଟେ ଖାଇପାରିବିନି । ମା’ ଲୋ, ଧନ୍ୟ କହିବ ତମମାନଙ୍କର ଭୋକକୁ ।

 

ଅଗଣା ପାରିହୋଇ ପିଣ୍ଡାରେ ପାଦଦେଲା ମାଧବୀ । ଠାକୁରଘର ପଟୁ ଆସୁଛନ୍ତି ଶାଶୁ, ଉପର ପାହାଚ ଭାଙ୍ଗି ଓହ୍ଲାଇ ଆସୁଛି ତମାଳ । ମୁଣ୍ଡରେ ଓଢ଼ଣା ଟାଣିଦେଇ ଖମ୍ୱ ଉହାଡ଼କୁ ଚାଲିଗଲା ମାଧବୀ, ହଜିଗଲା ନିୟମର କାଣିଚାଏ ରୂପ । ଆଖିରେ ପ୍ରଶାନ୍ତି ଭରି ଚାରୁଲତା ଚାହିଁଲେ ମାଧବୀର ଲଜ୍ଜାବିଜଡ଼ିତ ସ୍ନିଗ୍‌ଧ ଭଙ୍ଗିଆଡ଼େ ।

 

ମାଧବୀ ଉପରେ ଗୋଟିଏ ସକରୁଣ ଦୃଷ୍ଟି ବୁଲାଇ ନେଇ ବାଥ୍‌ରୁମ୍‌ ଭିତରେ ପଶିଗଲା ତମାଳ । କହି କହି ଗଲା—

 

ବୋଉଲୋ ! ଅନାଦିକୁ କହ ମୋ ପାଇଁ ଭାତ ବାଢ଼ିବ ।

 

ଚାରୁଲତା ଭ୍ରୂକୁଞ୍ଚିତ କରି ଚାହିଁଲେ ପୁଅର ଚାଲିଯିବା ଆଡ଼େ । ଆଉ ସ୍ୱଗତୋକ୍ତି କଲାପରି କହିଲେ—ମଅ, ଇଏ ଏଯାଏ ଶୋଇଥିଲା କି ଆଜି !! କୋଟ ନାଇଁନା କଣ ?

 

ମାଧବୀ ସେତେବେଳକୁ ଟେକିଦେଇଥିଲା ମଥାର ଓଢ଼ଣା । ଶାଶୁଙ୍କ ଆଡ଼େ ଚାହିଁ କହିଲା—ଏପର୍ଯ୍ୟନ୍ତ ତମେ ଶୋଇନ ବୋଉ ? ଚାଲ ଶୋଇବ । ମୁଁ ଗୋଡ଼ ଘଷିଦେବି ।

 

ମାଧବୀର ଗଳାରେ ନାହିଁ ଏତେଟିକିଏ ବି ଜଡ଼ତା । କଥାର ପ୍ରତିଟି ଶବ୍ଦରେ ପୁରୁଣା ଘରଣୀର ଦୃଢ଼ତା । ଶାଶୁ ନଥିବା ଘରର ବୋହୂମାନେ ଏମିତି ଗଳାରେ କଥା କୁହନ୍ତି । ସୁଚରିତା କଥା ଅଲଗା । ତାର ଅଗ ମୂଳ ସବୁଦିନେ ସମାନ । ତା ପାଇଁ ଭାବିବାର କିଛି ଆଉ ନାହିଁ । ହେଲେ—ମାଧବୀ ? ଆଠବର୍ଷ ଧରି ବୋହୂ ପଣିଆ କରିବା ପରେ ବି କଣ୍ଠରେ ଯାହାର ଥିଲା ଫିସ୍‌ଫିସ୍‌ ଶବ୍‌ଦ, ସେଇ ମାଧବୀ ଆଜି କଥା କହୁଛି ସତେକି ସେ ତାଙ୍କରି ଶାଶୁ ।

 

ହଉ ପଛକେ—ତାଙ୍କୁ କିନ୍ତୁ ଆଜି ଭାରି ଭଲଲାଗୁଛି ମାଧବୀ । ଗୋଟିଏ ମାଧବୀ ଶହେ ହୋଇ ବିଛାଇ ହୋଇ ପଡ଼ୁଛି ଚାରିଆଡ଼େ । ଏବେ ଯାଇ ଦେଖିଆସିଲେ ଠାକୁରଘର । ଆଃ, ଲକ୍ଷ୍ମୀହାତର ପରଶରେ ଉଜଳି ଉଠୁଛି ଆଜି ସେଇ ଠାକୁରଘର । ତାଙ୍କରି ଅନେକ କାମ । ଯାହା ସିଏ କରିଯାଉଥିଲେ ଅଭ୍ୟାସବଶରେ; ଶକ୍ତିରେ କିନ୍ତୁ କୁଳାଉ ନଥିଲା । ପୁଅ ଥିଲେ କୁଆଡ଼େ ଦୁଃଖ ଯାଏ । ସେହି ପୁଅ ଭଗବାନ ଦେଇଥିଲେ ତାଙ୍କୁ । ହେଲେ ତାଙ୍କ ପାଇଁ ପୁଅର ପଥୁରିଆ ମନରେ ଏତେ ଟିକିଏ ବି ଗାର ପଡ଼େନି । ଆଉ, ଏଇ ମାଧବୀ । ଏଇ ପରଝିଅଟା । ଯାହାକୁ ବରଣ କଲାଦିନୁ ଖାଲି ଦୁଃଖ-ଯନ୍ତ୍ରଣା ଦେଇଛନ୍ତି, ଆଜି ସେଇ ଅଲୋଡ଼ା ଅଖୋଜା ଝିଅଟା ଆସି ବ୍ୟସ୍ତ ହେଉଛି ତାଙ୍କର ଶୋଇବା କଥା ଭାବି । ଆଖିରେ ପାଣି ଜମିଆସିଲା ଚାରୁଲତାଙ୍କର । ଆଖି ପୋଛି ଚାରିଆଡ଼କୁ ଚାହିଁଲେ । ମାଧବୀ ନାହିଁ ଆଉ ପାଖରେ । ଉପରୁ ପିଲା ଦୁଇଟିକୁ ଧରି ଓହ୍ଲାଇ ଆସୁଛି ମହନା । ଆଣୁଛି ଖୁଆଇଦେବାପାଇଁ । ଚାନ୍ଦ ଆସୁଛି ବାରିପଟୁ । ବୁଢ଼ୀ ମହନାକୁ ପଚାରିଲେ—ମୋ ବୋହୂ କୁଆଡ଼େ ଗଲା ଦେଖିଚୁକିରେ ?

 

ସାନପୁଅକୁ କ୍ଷୀର ଦେଉଛନ୍ତି—ଏବେ ତ ନିଦରୁ ଉଠିଲେ....

 

ଗଳାରେ ବିରକ୍ତି ଭରି ଚାରୁଲତା କହିଲେ—ଧ୍ୟାତ୍‌, ମୁଁ କଣ ତୋ କଥା ପଚାରୁଛି ? ମୁଁ ମୋ ବଡ଼ବୋହୂ କଥା ପଚାରୁଛି । ଦେଖିଚୁକି ତାକୁ ?

 

ଗଳାରେ ବିସ୍ମୟ ଭରି ମହନା କହିଲା—ବଡ଼ବୋହୂ.... ବଡ଼ବୋହୂ କିଏ ମ ! ଯିଏ ଆଇଚିନି ? ଏଁ, ଆଲୋ ହେଏ.... ଆଗୋ ବୁଢ଼ୀସାଆନ୍ତାଣୀ, ସିଏ ଆମ ରୀତା ନାନୀର ସଉତୁଣୀ କି ?

ବୁଢ଼ୀ ଚିଡ଼ିଲା କଣ୍ଠରେ କହିଲେ—ଆରେ ତମ ରୀତା ନାନୀ ସଉତୁଣୀ ସିଏ ନୁହେଁ—ତା’ ସଉତୁଣୀ ହେଲେ ତମ ରୀତାନାନୀ ।

ମୁହଁମୋଡ଼ି ମହନା କହିଲା—ମଲାମୋର, ସେଇ ଏକା କଥା ହେଲାନିକି ଯେ ମତେ ଖେଙ୍କୁଚ !

ବୁଢ଼ୀ ଚଟ୍‌କରି ମୁହଁ ଫେରାଇ ଚାହିଁଲେ ଚାନ୍ଦକୁ । କହିଲେ—ଆଲୋ ରହ ଟୋକୀ, ଗଲୁ ତୋ ବଡ଼ମା’ ଉପରେ ଅଛି କି ଡାକିଆଣିଲୁ ।

ଚାନ୍ଦ ଅଳ୍ପ ହସି ମୁଣ୍ଡ ବଙ୍କେଇ କହିଲା—ହେଇ ପରା, ତମ ଘରୁ ବାହାରି ଆସୁଛନ୍ତି । ବଡ଼ମା’ ଆଉ ଗଲେ କୁଆଡ଼େ ।

ପଛକୁ ମୁହଁ ଫେରାଇ ଚାହିଁଲେ ଚାରୁଲତା, କହିଲେ—ତତେ ମୁଁ ଚାହିଁ ଏଇଠି ଠିଆହୋଇରହିଛି, ଆଉ ତୁ ସେ ଘରେ କଣ କରୁଥିଲୁ ?

ଶାଢ଼ିର ଅଞ୍ଚଳରେ କପାଳର ଝାଳ ପୋଛୁ ପୋଛୁ ମାଧବୀ କହିଲା—ତମ ଘରଟା ପରା ଟିକିଏ ସଫା କରି ଦେଉଥିଲି । ବିଛଣା କରିଦେଇ ଆସିଲି । ଚାଲ ଶୋଇବ ଚାଲ ।

ତା କଥାରେ କାନ ନ ଦେଇ ବୁଢ଼ୀ ମାଧବୀର ଗୋଟାଏ ହାତକୁ ଧରି ଟାଣିନେଇ ଗଲେ ଠାକୁରଘରଆଡ଼େ । ଗଳାରେ ମମତାର ପରାଗ ବୋଳି କହିଲେ—ହଇଲୋ ଝିଅ, ଆଗକାପରି ପ୍ରସାଦ ପଖାଳ ଭଲ ପାଉନା ?

ଲାଜରେ ଲାଲପଡ଼ିଗଲା ମାଧବୀର ମୁହଁଟା । ଶାଶୁ କଣ ଗୋଟାଏ ଜାଣିବେମ ବୋହୂର ଖାଇବା କଥା । ଅତୀତ ଆସି କାୟା ବିସ୍ତାର କଲା ମାଧବୀ ମନରେ । ତଥାପି ସରମ ଜଡ଼ା କଣ୍ଠରେ କହିଲା—ହଅଁ....

ଉଲ୍ଲସିତ ଗଳାରେ ଚାରୁଲତା କହିଲେ—ଆ ତେବେ ଆ, ପ୍ରସାଦ ପଖାଳ ଗଣ୍ଡିଏ ବାଢ଼ିରଖିଚି । ଖାଇଦେବୁ ଆ ।

ଠାକୁରଘର କୋଣରେ ବଢ଼ାହୋଇରହିଛି ସବୁ । ସେଇ ବଢ଼ାହେବା ଦରବ ସବୁକୁ ନିରେଖି ଚାହିଁଲା ମାଧବୀ । ଧୀର ଗଳାରେ ପଚାରିଲା—କାହାପାଇଁ ଏସବୁ ଥୁଆହୋଇଥିଲା କି ?

ଆନନ୍ଦରେ ହସିଲେ ଚାରୁଲତା । କହିଲେ—ଆଲୋ ଝିଅ, କାହା ପାଇଁ ଆଉ ବଢ଼ାହେବ ? ତୁ ଯେତେବେଳେ ସେ ସରବଖିଆ ଅନାଦି ସାଥିରେ କୁସ୍ତି କରୁଥିଲୁ ସେତିକିବେଳୁ ମୁଁ ଜାଣିଛି, ସେଇ ଘରର ଭାତ ତୁ ଖାଇବୁନି । ସେଇଠୁ ଆସି ବଢ଼ାବଢ଼ି କଲି ପରା ତୋପାଇଁ । ଜାଣିଚି ତ ପ୍ରସାଦ ପଖାଳ ତୁ କେତେ ଭଲପାଉ ।

ମାଧବୀ ଶାଶୁଙ୍କ ଆଡ଼ୁ ଆଖି ଫେରାଇ ଚାହିଁଲା ପ୍ରସାଦ ଆଡ଼କୁ । ପଖାଳରେ ଭାସୁଛି ଜିରାଲଙ୍କାଗୁଣ୍ଡ, ଅଦାଚୁନା, ଲାଲ ସବୁଜ ଦୁଇଟା ଚିରାଲଙ୍କା । ଲେମ୍ୱୁ ଫାଳେ । ଚିରଦିନଧରି ଯାହା ସିଏ ଭଲପାଏ, ଯେମିତି ସେ ଖାଏ, ଅବିକଳ ସେମିତି ବଢ଼ାହୋଇଛି ପ୍ରସାଦ । ଥରିଉଠିଲା ତାର ସର୍ବାଙ୍ଗ । ଦୁଇ ଆଖିର ସମୁଦ୍ରରେ ଉଠିଲା ଜୁଆର । ପଲକହୀନ ଆଖିମେଲି ମାଧବୀ ଚାହିଁରହିଲା ଶାଶୁଙ୍କର ଆନନ୍ଦ—ଉଜ୍ଜ୍ୱଳ ମୁହଁଟିକି ।

 

ଆଗେଇଯାଇ ଚାରୁଲତା ଜଡ଼ାଇଧରିଲେ ମାଧବୀର କମ୍ପିତ ଦେହକୁ । ଶାଶୁ କାନ୍ଧରେ ମଥା ରଖି ଢଳିପଡ଼ିଲା ମାଧବୀ । କାନ୍ଦିଉଠିଲା ସିଏ ଫୁଲିଫୁଲି ।

 

ଚାରୁଲତାଙ୍କ ଆଖିରେ ବି ଶ୍ରାବଣର ଧାରା ।

 

ନିଜକୁ ନିଗାଡ଼ି ନିଗାଡ଼ି ମାଧବୀ କାନ୍ଦୁଛି । ଛାତିତଳର ସମସ୍ତ ଅବ୍ୟକ୍ତ ବେଦନା ଲୁହ ହୋଇ ଝରିଯାଉଛି ମାଧବୀର ଆଖିରନ୍ଧ୍ର ଦେଇ ।

 

ଅନୁଭବୀର ସୁତୀକ୍ଷ୍‌ଣ ଅନୁଭୂତିରେ ବିଦାରି ହୋଇଯାଉଛି ଚାରୁଲତାଙ୍କର ବ୍ୟଥା-ବିଦଗ୍‌ଧ ଛାତିରେ ।

 

ଆକୁଳ କଣ୍ଠରେ ମାଧବୀ ପଚାରିଲା ପରି କହିଉଠିଲା—ମୋ ବୋଉ ? ମୋ ବୋଉ କୁଆଡ଼େ ଗଲା ବୋଉ ? କେମିତି ସିଏ ମତେ ଛାଡ଼ି ଚାଲିଗଲା ?

 

କୋହ ସମ୍ଭାଳି ନେଇ ଅଶ୍ରୁବିଜଡ଼ିତ କଣ୍ଠରେ ଚାରୁଲତା କହିଲେ—କୁଆଡ଼େ ଯାଇନାଇଲୋ, କୁଆଡ଼େ ଯାଇନାଇ । ଏଇ ପରା ମୁଁ ତୋ ପାଖରେ ଠିଆହୋଇରହିଛି । କୁଆଡ଼େ ଆଉ ଗଲି—ଏଁ ?

 

ଆହୁରି ଜୋର୍‌ରେ ସେ ଶାଶୁଙ୍କ ଗଳାଟାକୁ ଜଡ଼ାଇଧରିଲା । ନୀରବରେ କେବଳ ଝରାଇଗଲା ଅଶ୍ରୁ ।

 

ତା’ପରେ... ଆହୁରି ଅନେକ ସମୟ ପରେ... ଧୀରେ ଧୀରେ ସ୍ତିମିତ ହୋଇ ଆସିଲ ମାଧବୀ କଣ୍ଠର ଆକୁଳ ଆବେଗ । ନିଜ ହାତରେ ଆଜି ପ୍ରଥମକରି ମାଧବୀକୁ ଖୁଆଇଦେଲେ ଚାରୁଲତା । ପରିବେଶ ବଦଳାଇବା ପାଇଁ କହିଲେ—ଆଲୋ, ଏ ଶାଢ଼ିଟା ଟାଣ ଅଛି ନା ନାହିଁ ମ-?

 

ବାଁ ହାତରେ ଶାଢ଼ିଟା ଟାଣୁ ଟାଣୁ ମାଧବୀ ଭିଜା ଭିଜା ଗଳାରେ କହିଲା—ଭଲ ଅଛି ତ ଶାଢ଼ିଟା ।

 

ଏଇ କଥା ସାରି ମାଧବୀ ହସିଲା ସହଜିଆ ହସ । କହିଲା—ହେଲେ ବୋଉ, ଏ ଶାଢ଼ିଗୁଡ଼ାକ ଏଇ ଦଶବର୍ଷ ଧରି ସାଇତି ରଖିଥିଲ କାହିଁକି । ମୋର ତ ଫେରିବାର କଥା ନୁହେଁ କିମ୍ୱା ନଥିଲା ! ନିହାତି ବିପାକରେ ପଡ଼ି ସିନା ଆସିବାକୁ ବାଧ୍ୟ ହେଲି; ନହେଲେ ତ ନୁହେଁ । ତେବେ ଏଗୁଡ଼ାକ କାହିଁକି ସାଇତି ରଖିଥିଲ ତୁମେ ? କଣ ହୁଅନ୍ତା ଏଗୁଡ଼ାକ ?

 

ଚାରୁଲତା କହିଲେ—ନରଖି କଣ ଆଉ କରନ୍ତି କହ ? କାହାକୁ ସିନା ମାନିଲେ କିଏ ପିନ୍ଧିବ । ଆଉ ବେଢ଼େଇ ହୋଇପଡ଼ିଲେ କଣ ହୋଇଯିବ ?

 

ଏହି ସମୟରେ ଧୁପ୍‌ଧାପ୍‌ ପାଦରେ ଆଗେଇ ଆସିଲେ ଟୁଟୁ ଆଉ ନୀନା; କଳକଳ କଣ୍ଠରେ କହିଉଠିଲେ—ଦେଖିଲୁ; ଆମେ ବଡ଼ବୋଉ ପାଖରେ ଶୋଇବୁ ବୋଲି କହିଲାରୁ ବୋଉ କେମିତି ଆମକୁ ବାଡ଼େଇବାକୁ ଆସୁଛି । ଜେଜୀ, ତୁ ବୋଉକୁ କହିଦେ, ଆମେ ବଡ଼ବୋଉ ପାଖରେ ଶୋଇବୁ ।

 

ଦପ୍‌ କରି ଜଳିଉଠିଲା ଚାରୁଲତାଙ୍କର ଆଖି । ଅପ୍ରତିଭ ମାଧବୀ ଆଖି ନୁଆଇଁ କଂସାରେ ହାତ ବୁଡ଼ାଇଲା । ପରେ ପରେ ନିଜକୁ ସଂଯତ କରିନେଇ ଚାରୁଲତା କହିଲେ—ଯା, ମୋରି ଘରେ ଏଇନେ ବଡ଼ବୋଉ ଶୋଇବ । ତମେ ସବୁ ଯାଇ ମୋରି ଖଟରେ ଶୋଇପଡ଼ ।

ଖାଇସାରି ପିଲା ଦୁଇଜଣଙ୍କ ହାତ ଧରି ଶାଶୁଙ୍କ ଶୋଇଲାଘରକୁ ଚାଲିଲା ମାଧବୀ । ପଛରେ ଆସିଲେ ଚାରୁଲତା । ପିଲା ଦୁଇଟାଙ୍କୁ ଖଟରେ ଶୁଆଇଦେଇ ମଥାରେ ତାଙ୍କର ହାତ ଥାପୁଡ଼େଇ ଦେଉଦେଉ ଗୁଣୁଗୁଣୁ କରି ନିଦ–ମାଉସୀ ଗୀତ ଗାଇଲା ମାଧବୀ । ଆନନ୍ଦରେ ଶୋଇପଡ଼ିଲେ ପିଲାଦୁଇଟି । ଧୀରେ ମାଧବୀ ଉଠିଗଲା ଶାଶୁଙ୍କ ପାଖକୁ । ପାଦଦୁଇଟି ନିଜ କୋଳ ଉପରକୁ ଟାଣିଆଣି ଆସ୍ତେକରିର ଘସିଦେଲା ସିଏ ଓ ଆଖିମୁଦି ଅତୀତରେ ହଜିଗଲେ ଚାରୁଲତା–ସୁଆରିରୁ ଓହ୍ଲାଇ ସିଂହଦୁଆରେ ପାଦଦେଲା ମାଧବୀ । ନିରାନନ୍ଦ ମନରେ ସେଇ ମାଧବୀକୁ ବରଣକଲେ ସେ । ନିରୋଳା ବେଳ ଦେଖି ଘୃଣାଭରା କଣ୍ଠରେ କହିଲେ–ରୂପର ଜାଲ ବିଚ୍ଛାଇ ପୁଅଟାକୁ ମୋର ଛନ୍ଦିଦେଲୁ ଲୋ ! ତୁ କେମିତି ପଡ଼ିଲୁମ ମୋ ପୁଅ ଆଖିରେ ? ବୁଲୁଥାଉ ପରା ଗାଁଦାଣ୍ଡଯାକ ? ଆଲୋ ଛୋଟଲୋକ ଘରର ଝିଅ, ଗରିବ ହେଲ ବୋଲି କ’ଣ ମାନ ମହତ ବି ପୋଡ଼ିଖାଇଲ ?? ଆଲୋ ଲାଜ ଲାଗିଲାନି କି ପରର ଯବାନ ପୁଅଟା ସାମନାକୁ ଆସିବାକୁ ? ଆଲୋ କେମିତି ମ ମା’ ତୋର ?

ଆଜି ମନେପଡ଼ୁଛି, ନୀଳ ପଡ଼ିଯାଇଥିଲା ମାଧବୀର ପ୍ରବାଳ ରଙ୍ଗର ଓଠ ଦୁଇଟି । ନିଷ୍ପଲକ ହୋଇଯାଇଥିଲା ତା ଆଖି । ତା ପରେ ପୂରା ଆଠୋଟି ବର୍ଷଧରି ବିଭିନ୍ନ ଧରଣର ବାକ୍ୟବାଣରେ କ୍ଷତ-ବିକ୍ଷତ କରିଦେଇଛନ୍ତି ସିଏ ମାଧବୀର ଛୋଟ ନରମ କଲିଜାଟିକି । ଭଗବାନ ବି ବାଦ ସାଧିଲେ ମାଧବୀ ସାଥିରେ । ଗୋଟିଏ ପରେ ଗୋଟିଏ ସନ୍ତାନ ଦେଇ କୋଳରୁ ତାର ସବୁଗୁଡ଼ିକ ଛଡ଼ାଇନେଲେ । ନିରିମାଖୀ ମାଧବୀ ମୁହଁ ଲୁଚାଇ ଲୁଚାଇ ବୁଲିଲା ଏ ଘରରୁ ସେ ଘର, ଏ କୋଣରୁ ସେ କୋଣ ହୋଇ । ବ୍ରହ୍ମତାଳୁ ଆହୁରି ଜଳିଲା ଚାରୁଲତାଙ୍କର ମାଧବୀ ହରିଣୀ ହୋଇ ଲୁଚିବୁଲିଲେ ସେ ବାଧ୍ୟହୋଇ ଖୋଜିଲେ ତାକୁ ! କଥା ତାଙ୍କର ଗର୍ଜିଉଠିଲା ବାଣହୋଇ । କହିଲେ–ବିଷଖାଉନୁ କାହିଁକି ? କୋଳରେ ପିଲା ଧରିଲୁନି, ବଞ୍ଚିରହି କଣ କରିବୁ ? ମର୍‌, ମର୍‌, ମର୍‌ ତୁ-

ମାଧବୀର ଭିରୁ ଆଖିରେ ଲୁହର ଝର । ଭୀତ କମ୍ପିତ ମାଧବୀ ଚିବୁକ ଆଣି ଛାତିରେ ଛୁଆଏଁ ।

ମୁଦିଲା ଆଖିପତାରୁ ଚାରୁଲତାଙ୍କର ଝରୁଛି ଲୁହର ଅବାରିତ ଧାରା । ମୁହଁରେ ଲୁଗା ଘୋଡ଼େଇ ଦେଇଛନ୍ତି ସେ । ଘର ଛାତରେ ଆଖି ରଖି ମାଧବୀ ନୀରବରେ ଗୋଡ଼ ଘସି ଦେଉଛି । ହୁଏତ କିଛି ଭାବୁଛି, ତାର ନୀରବତାକୁ ଭୟ କରୁଛନ୍ତି ଚାରୁଲତା । କାରଣ ସେ ଜାଣନ୍ତି ଯେ ମଣିଷଜୀବନର ଏପରି ମୁହୂର୍ତ୍ତରେ ଅତୀତ ଆସି ଦେଖାଦିଏ । ମନକୁ ହସାଏ, ମନକୁ କନ୍ଦାଏ, ମନକୁ ତତାଏ । ଏଇ ମୁହୂର୍ତ୍ତରେ ମାଧବୀ ଯଦି ତାଙ୍କର ଏଇ ଶୋଇଲା ଦେହତଳେ ଅତୀତର ତାଙ୍କୁଇ ଦେଖୁଥାଏ ତେବେ..... ! ତେବେ ଘୃଣାରେ କଣ ମୁହଁ ତାର ବିକୃତ ହୋଇ ଯାଉନଥିବ ?

ତରବର ହୋଇ କର ଲେଉଟାଇଲେ ଚାରୁଲତା । ମାଧବୀର ହାତକୁ ମୁଠାଇଧରି ନରମ ଗଳାରେ କହିଲେ–ଆ ମା, ତୁ ବି ଟିକିଏ ଶୋଇପଡ଼ିବୁ ଆ ।

କ୍ଳାନ୍ତ ଦେହ ମନ ଏଇ ଆଦେଶକୁ ଯେପରି ଆକୁଳଭାବରେ ଚାହିଁରହିଥିଲା ମାଧବୀ । ନାନୀ ପାଖରେ ଗଡ଼ି ପଡ଼ୁ ପଡ଼ୁ ପଚାରିଲା—ବୋଉ, ପରାଗ କଣ ଏଠି ନାହାନ୍ତି ? କେଡ଼ୁଟିଏ ହେଲେଣି ସିଏ ?

 

ଓଠଚିପି ହସିଲେ ଚାରୁଲତା । କହିଲେ—ମୁଁ ଭାବିଲି କି ତୁ ବୋଧେ ଭୁଲିଯାଇଚୁ ତା କଥା । ଆଲୋ ସେ ପରା ଡାକ୍ତରୀ ପଢ଼ୁଛି । ଏଇଟା ତାର ଶେଷବର୍ଷ । ଆଉ ତାକୁ ଆସି ବାଇଶି ତେଇଶି ହେଲାଣି । ବୟସକୁ ଚାହିଁ ଆହୁରି ବଢ଼ିଯାଇଛି ଲମ୍ୱା ଚଉଡ଼ା ହୋଇ । ଜାଣିଚୁନା, ତୁ ଗଲାଦିନଠୁ ଏପଟ ଅଗଣା ମାଡ଼େନି ସିଏ । ଦେବୀପୂଜା ଦେଖିବାକୁ ବି ଆସେନି । କାବା ହୁଏ ମୁଁ, ତତେ ତାର ଭଲପାଇବା ଦେଖି ।

 

ଶାଶୁଙ୍କ କଥା ଶୁଣି ଅତୀତ ଆସି ମୁଦିଲା ଆଖିତଳେ ଚକାଭଉଁରି ଖେଳେ—

 

ଭାଉଜଅ.... ଆଖିବୁଜ ।

 

ଆଖି ବୁଜେ ମାଧବୀ ।

 

ପାଟିରେ ତାର ଲେବେନଚୁସ୍‌, ନହେଲେ ସେମିତି ଗୋଟେ ଅନ୍ୟ କିଛି ଗୁଞ୍ଜି ଦେଇ ତାଳି ବଜାଇ ହସେ ପରାଗ—ଭାଉଜ, ଦେଖ ତ ଏଇ ପୋଷାକଟା ମତେ କେମିତି ମାନୁଛି ? ଭାଉଜ ! ତୁମେ କାନ୍ଦନି । ମୁଁ ବଡ଼ହୋଇ ଦିନେ ନିଶ୍ଚୟ ତମକୁ ବଡ଼ମା’ଙ୍କ ପାଖରୁ ନେଇଯିବି । ଭାଉଜ, ତୁମେ ସେଇ ପୁଅଟି କଥା ଭାବୁଛ କି ? ଦେଖ, ତୁମେ ଯଦି ମତେ ପୁଅ ବୋଲି ମନେକର, ତେବେ ନିଶ୍ଚୟ ମୁଁ ତୁମ ପୁଅ ହୋଇଯିବି ।

 

ମାଧବୀ କେତେଦିନ ତାର କାନ୍ଦୁରା ମୁହଁକୁ ପରାଗର ଗହଳିଆ କେଶରେ ବୁଡ଼ାଇଦେଇ ଦୁଃଖ ଭୁଲିଛି; ଆଖିରୁ ଲୁହ ଶୁଖାଇଛି । ସେଇ ପରାଗ କେଡ଼େବଡ଼ ହୋଇଗଲାଣି । ତା’ରି କଥା ମନେରଖି ଏ ଘରର ଅଗଣା ମାଡ଼େନି ସିଏ ! ଗୋଟାଏ ଅଜଣା ପୁଲକରେ ଚଞ୍ଚଳ ହୋଇଉଠିଲା ମାଧବୀର ମନ । ଯୁବକ ପରାଗକୁ ମନେକରିବାକୁ ଯାଇ ମାଧବୀ ଦିଶା ହରାଇଲା । ବାରବାର ଆଖିରେ ତାର ନାଚିଗଲା ବାରବରଷର ସରଳ ସୁନ୍ଦର ପରାଗ । ଆଖିରେ ନିଦ ଘୋଟିଆସିଲା ମାଧବୀର । ମାଧବୀ ଶୋଇବାର ଅନେକ ଆଗରୁ ଶୋଇପଡ଼ିଥିଲେ ଚାରୁଲତା ।

 

 

ମାଧବୀର ନିଦଭାଙ୍ଗିଲାବେଳକୁ ବେଳ ନୋଇଁପଡ଼ିଥିଲା । ଉଠିବସି ଖଟର ଚାରିକଡ଼କୁ ଚାହିଁଲା ମାଧବୀ । ନାଁ, କେହି ନାହାନ୍ତି—ସମସ୍ତେ ଉଠି ଚାଲିଗଲେଣି । ଦୁଆରଟା ଆଉଜା ହୋଇଥିବାରୁ ଘରଟା ଟିକିଏ ବେଶି ଅନ୍ଧାରୁଆ ଦିଶୁଛି । ବାହାର ପିଣ୍ଡାରେ କେତୋଟି ନାରୀକଣ୍ଠର ଗୁଞ୍ଜନ ଶୁଣାଯାଉଛି । ବନ୍ଦ ଦୁଆରରେ କାନରଖି ଠିଆହେଲା ମାଧବୀ । ମଝିଆଁ ଖୁଡ଼ୀଙ୍କ ସ୍ୱର ସେ ଚିହ୍ନିଲା । ଭାରୀଗଳାରେ ସେ କାହାକୁ ପଚାରିଲେ–ଆଲୋ, କରବୀ ଆସିଲା, ଦେଖିଲୁ ?

ସାନଖୁଡ଼ୀ ବୋଧହୁଏ ପୂର୍ବ କଥାର ଖିଅଧରି କହିଉଠିଲେ—ଯାହା କହ ପଛକେ ନାନୀ, ଇଆର ଏ ପଳେଇଯିବା ପଳେଇଆସିବା କଥାଟା ମୋଟେ ମନକୁ ମୋର ପାଉନି । ଯବାନ ବୋହୂ, ଏମିତି ଗୋଟେ କ’ଣବା ? ଛାତିରେ ଟିକିଏ ଡରଭୟ ନାହିଁ ? ମା’ଟା ସିନା ମରିଗଲା । ହେଲେ ତା’ରି ସାଥିରେ କଣ କକା ଖୁଡ଼ୀ ବି ମରିଗଲେ ? ମୁଁ ବାପଘରକୁ ଗଲେ ସୁଚରିତାବୋଉ ମତେ କଣ କହିବ କହିଲ ? ମୁଁ ତ ତାଙ୍କୁ କହିଥିଲି, ଆଉ କେବେହେଲେ ତମେ ସେ ବୋହୂକୁ ଆଣିବନି—ତମେ ନିର୍ଭୟରେ ସୁଚରିତାକୁ ତମର ଦେଇଦିଅ । ଆଉ, ଏଇନେ କଥାଟା କେମିତି ହେଲା କହିଲ ? ତମର ମୋଟେ ଉଚିତ ହୋଇନି ତାକୁ ଆଶ୍ରା ଦେବା ।

ଦାନ୍ତରେ ଦାନ୍ତ ଚାପି ଟାଣ ହୋଇ ଠିଆହୋଇ ରହିଲା ମାଧବୀ । ଚାରୁଲତା ଗଳାରେ ବିରକ୍ତି ଭରି କହିଲେ—ସେମିତି ଗୁଡ଼େ ତୁ କହନା ତ ସାନବୋହୂ ! ବୋହୂଟା ମୋର ତାତି ପୋଡ଼ି ଆସିଲା । ମୁଁ କଣ ତାକୁ ଧକ୍‌କାମାରି ବାହାର କରିଦେଇଥାନ୍ତି ? ଆଉ ତୋ ସୁଚରିତା ତ ଏ ଘରର ରାଜମାତା ହେବ । ମାଧବୀ ଯଦି କେତେବେଳେ ଗୋଟାଏ ରାଣୀ ହୋଇପଡ଼େ, ତେବେ ସୁଚରିତା ପାଖରେ ସେ କ’ଣ ଖୁବ୍ ଗୁଡ଼ାଏ ହୋଇଲା !!

 

ମୁହଁ ଛିଞ୍ଚାଡ଼ୀ ସାନବୋହୂ ସୁରମା କହିଲା—ମଲା, ତମ ମାଧବୀ ଯଦି ସେଇ ରାଣୀ ପଦରୁ ରାଜମାତା ପଦକୁ ଉଠିଯାଏ, ତେବେ କଣ ତୁମେ ହାତ ଦେଇ ଅଟକେଇଦେବ ?

 

ମଝିଆ ବୋହୂ ନିରୁପମା ଶାନ୍ତ କଣ୍ଠରେ କହିଲେ—ତୁ ଏତେ ରାଗିଯାଉଚୁ କହିଲୁ ? ଯେ ସାନବୋହୂ ? ଭଗବାନ ଏ ଘରେ କଣ ଅଭାବ ରଖିଛନ୍ତି କି ? କେତେ ଭାଗୁଆଳି ଆସୁଛନ୍ତି ଆସନ୍ତୁନା । ଆଉ, ନଈ ନ ଦେଖି ଲଙ୍ଗଳା ହବା ତୋର ଗୋଟାଏ ବଦ୍‌ଖୋଇ । ତମାଳ, ସୁଚରିତା, ମାଧବୀ ସେମାନଙ୍କ ବିଚାର ସେଇମାନେ ହିଁ କରିବେ—ଆମର ଏତେ ମୁଣ୍ଡ ଘୂରାଇବା ଦର୍କାର ନାହିଁ । ସତେ ତ, ଘରର ବୋହୂଟା ଘରକୁ ଆସିଲା; ଏଥିରେ କାହାରବା କଣ କହିବାକୁ ଅଛି ?

 

‘‘ବୋଉ, ତୁ ଏଇଠି ବସିଚୁ—ମୁଁ କେତେ ଖୋଜିଲିଣି ।’’

 

ଦଶବର୍ଷ ତଳର ଶୁଣା ସ୍ୱର, ତଥାପି ମାଧବୀ ଚିହ୍ନିଲା—ସାନଖୁଡ଼ୀଙ୍କର ଗେହ୍ଲାଝିଅ କରବୀ—ଯାହାକୁ ଟିକିଏ ଆଗରୁ ଖୋଜୁଥିଲେ ମଝିଆଁ ଖୁଡ଼ୀ । ଏବେ ପୁଣି ଶୁଭିଲା କରବୀର ବଡ଼ମା’ ସେଇ ମଝିଆଁ ଖୁଡ଼ୀଙ୍କ କଣ୍ଠସ୍ୱର । ଗଳାରୁ ସ୍ନେହ ଝରାଇ ସେ କହିଉଠିଲେ—ଆଲୋ ମା’ କରବୀ ! ତତେ ମୁଁ କେତେବେଳୁ ଖୋଜୁଚି । କଲେଜରୁ ଆସିବାକୁ ଆଜି ତୋର ଏତେ ଡେରିହେଲା କାହିଁକି ? ତୋ ବଡ଼ବାପା ଆଜି ବଡ଼ ମାଛଟାଏ ଆଣିଥିଲେ । ବାରବାର ତାଗଦା କରିଦେଇଥିଲ, ତୋ ପାଇଁ ବେଶି କରି ତାଟିଆଏ ତର୍କାରି ରଖିଦେବାକୁ ।

 

ମାଧବୀ ଜାଣେ, ଏ ଅଗଣାରେ ତାର ସ୍ୱାମୀ ଯେମିତି ଗୋଟିଏ ପୁଅ, ମଝି ଅଗଣାରେ ସେମିତି ପରାଗ ବି ଗୋଟିଏ, ଆଉ ସାନଖୁଡ଼ୀଙ୍କ କପାଳରେ ଥିଲେ–ଦୁଇଟି । ବଡ଼ ସେଇ କରବୀ-। କରବୀ ହେବାର ଏଗାର ବର୍ଷ ପରେ ଖୁଡ଼ୀଙ୍କର ପୁଅ ହୋଇଥିଲା—ସେ ମଲ୍ଲିପୁର ଯିବାର ଠିକ୍‌ ବର୍ଷକ ଆଗରୁ । ପରାଗ ଆଉ କରବୀ ପ୍ରାୟ ଏକାସାଙ୍ଗର । ପାଠରେ କରବୀଟା ସବୁଦିନେ ଟିକିଏ ଦୁର୍ବଳ । ଏତେବେଳକୁ ଏମ୍‌.ଏ. ପଢ଼ିବା କଥା । ତେବେ ଯାହାବି ହେଉ, ତିନି ଅଗଣାର ଭାରି ଆଦରର ସେଇ କରବୀ; ଗୋଟିଏ ବୋଲି ଝିଅକିନା !

 

ନିଜ ନାଆଁଟା ଶୁଣି ଭଲକରି କାନ ଡେରିଲା ମାଧବୀ । ନାଟକୀୟ ଗଳାରେ କରବୀ କହିଲା—ମଲ୍ଲିପୁରିଆଣୀ ସେଇ ମାଧବୀ କଥା ଶୁଣୁ ଶୁଣୁ କଲେଜରୁ ଆଜି ଏତେ ଡେରି ହେଲା ଫେରିବାକୁ । ମୁହୂର୍ତ୍ତକେ ନିଝୁମ ହୋଇଗଲା ଅଗଣାଟା ।

 

ମଝିଆଁ ଖୁଡ଼ୀ କ୍ଷୀଣ ସ୍ୱରରେ କହିଆସୁଥିଲେ—ସେ ତ....

 

ନିଜ କଣ୍ଠକୁ ଆହୁରି ଉଚ୍ଚକୁ ଉଠାଇ ତାଙ୍କ କଥାକୁ ଚାପିଦେଲା କରବୀ । ଭାରି ଗୋଟେ ମଜାଦାର କଥା କହିଲା ପରି ଗଳାରେ ବିପୁଳ ଉଚ୍ଛ୍ୱାସ ଭରି ସେ କହିଲା—ତାଙ୍କ ଗାଁର ଶୁଭେନ୍ଦୁ ସାମନ୍ତରାୟ ନାଁ ଶୁଣିଚୁଟି ମଝିଆ ମା, ସେଇ ତା’ରି ସାଥିରେ କଣ ନଟଘଟ କରି ଧରାପଡ଼ିଛି ମାଧବୀ ନାଆଁର ସେଇ କଳଙ୍କିନୀଟା । ସେଇ ଶୁଭେନ୍ଦୁର ସ୍ତ୍ରୀ ଆଉ ଭଉଣୀ ଯାଇ ତାକୁ ଏମିତି ସବୁ କଥା ଶୁଣେଇଲେ ଯେ ଡରିମରି ରାତାରାତି କୁଆଡ଼େ ପଳାଇଛି ଛତରଖାଈଟା ।

 

ନାଁ ପକାଇ ବୋହୂ ପଳାଇଆସିଛି—ଏଇ କଥାଟି ଶୁଣି ଅନ୍ୟ କେତେ ଜଣଙ୍କ ସହିତ ସ୍ତବ୍‌ଧ ହୋଇଯାଇଛନ୍ତି ତିନି ଜା; କେତୋଟି ଯୋଡ଼ା ବିମୂଢ଼ ଆଖିକୁ ମୁଡ଼କି ହସି ଘୂରି ଘୂରି ଚାହୁଁଛି କରବୀ । ସିଡ଼ିର ଶେଷ ପାହାଚରେ ପାଦ ଦେଇ ଏକଥା ଶୁଣି ସ୍ତବ୍‌ଧ ହୋଇ ଠିଆହୋଇପଡ଼ିଛି ସୁଚରିତା ।

 

ଆଉ ମାଧବୀ ? ଘର ଭିତରେ କଣ କରୁଛି ମାଧବୀ ? ତଳ ଓଠର କୋଣଟାକୁ ଦାନ୍ତରେ ଏତେ ଜୋର୍‌ରେ ଚାପିଧରିଛି ଯେ ସେ ଓଠର କୋଣ ଦେଇ ରକ୍ତ ଝରିଆସିଲାଣି । ସେ କଥା ଆଉ ଜାଣିପାରୁନି ମାଧବୀ । ଲଜ୍ଜା, ଭୟ, ଘୃଣାରେ ସର୍ବାଙ୍ଗ ଥରୁଛି ତାର । ମଥାର କେଶ ଫିଟି ବିଛାଇହୋଇ ଯାଇଛି ସାରା ପିଠିରେ । ଶକ୍ତ ହୋଇଯାଇଛି ଦୁଇ ହାତର ମୁଠା । କ୍ରୋଧରେ ନୀଳପଡ଼ିଯାଇଛି ମାଧବୀର ଗୋରା ମୁହଁଟା । ସତେ ଅବା ଶାନ୍ତ ସୁନ୍ଦର ପାର୍ବତୀ ହଠାତ୍‌ କରି ମା’ କାଳୀ ହୋଇଗଲେ ।

 

କରବୀର କଥା ଶେଷ ହେବା ସଙ୍ଗେ ସଙ୍ଗେ ଘରୁ ବାହାରି ଅଗଣାକୁ ଗଲା ମାଧବୀ । ତାର ଆଖି ଦୁଇଟି ଯେପରି ଜଳୁଛି । ମାଧବୀ ଯାଇ ଠିଆହେଲା ସେମାନଙ୍କର ଅତି ନିକଟରେ । ଆଖି ତାର ବୁଲିଗଲା ଥରେ ସମସ୍ତିଙ୍କ ମୁହଁ ଉପରେ । ସମସ୍ତେ ମଧ୍ୟ ବିସ୍ମୟରେ ଚାହିଁଲେ ତାରି ମୁହଁକୁ । କମ୍ ବିସ୍ମିତ ହୋଇନି ସେଇ କରବୀ ମଧ୍ୟ । କରବୀକୁ ଚିହ୍ନିବାରେ ଏତେ ଟିକିଏ ବି ଡେରିହେଲାନି ମାଧବୀର । ଜଣେ ଦୁଇ ଜଣଙ୍କୁ ଠେଲି ସେ ଯାଇ ଠିଆହେଲା କରବୀ ସାମନାରେ ଓ ଠାଏକରି ବଜାଇଦେଲା ଗାଲରେ ତାର ଏକ ଶକ୍ତ ଚାପୁଡ଼ା ।

 

ଗାଲ ଧରି ଭୂଇଁ ଉପରେ ବସିପଡ଼ିଲା କରବୀ । ଗର୍ଜିଉଠି ମାଧବୀ କହିଲା—ଏଇ ନେତୀ, ସର, ବୁଲିମା’—ଏଇ ଏମାନଙ୍କ ସାମନାର ଘରର ବୋହୂ କଥା କହିବାକୁ ଲଜ୍ଜା ଲାଗିଲାନି-?

 

ପୁଣି ମୁହଁ ବୁଲାଇଲା ଶାଶୁ ଓ ଖୁଡ଼ୀଶାଶୁଙ୍କ ଆଡ଼େ । ସେମିତି ବିଷଗୋଳା କଣ୍ଠରେ କହିଉଠିଲା—ବଡ଼ଘରର ବୋହୂ ହୋଇଛ ତମେମାନେ ? ଲଜ୍ଜା ନାହିଁ ତୁମ ମୁହଁକୁ । ଝିଅମୁହଁରୁ ଖୁସିରେ ଶୁଣୁଛ ନଶୁଣା କଥା ? ସେଥିରେ ପୁଣି ଦାସୀ ପୋଇଲୀଙ୍କୁ ପାଖରେ ବସାଇ । ଛିଃ....

 

କଥା ସାରି ଝଡ଼ପରି ପୁଣି ଶାଶୁଙ୍କ ଘରକୁ ପଶିଗଲା ମାଧବୀ ଓ ଲୋଟିପଡ଼ିଲା ଯାଇ ବିଛଣାରେ । ଧାଇଁଆସିଲା ତା’ର ପଛେ ପଛେ ଚାନ୍ଦ । ଘରର ଲାଇଟ୍‌ ଜଳାଇଦେଇ ଠିଆ ହୋଇରହିଲା ଭୀତତ୍ରସ୍ତ ଭାବରେ । କଣ ବା ସେ କରିପାରିବ ? ମୂର୍ଚ୍ଛା ହୋଇଗଲା ପରି ଲାଗୁଛି ମାଧବୀକୁ । ମନେହେଉଛି ସତେ ଯେମିତି ଅନ୍ଧକାରର କେଉଁ ଅତଳ ଗହରରେ ତଳେଇଯାଉଛି ସେ । ତା’ରି ଭିତରେ ସେ ଶୁଣିଲା ସାନଖୁଡ଼ୀ ଗର୍ଜିଉଠି କହୁଛନ୍ତି—ଇଆର ବିଚାର କର ନାନୀ, ନଇଲେ ମୁଁ କେବେ ସହିବିନାହିଁ । ମୋ ଝିଅର ସୁନାଦେହରେ ସେ ହାତ ଦେଇଛି–ଘର–ସଂସାରରେ ନିଆଁ ଲଗାଇଦେବି ମୁଁ । କୋହ ଉଠାଇ କାନ୍ଦୁଛି କରବୀ । ଫୁଲିଫୁଲି ଗର୍ଜୁଛନ୍ତି ସାନଖୁଡ଼ୀ । କହୁଛନ୍ତି—ଲେଉଟିପଡ଼ି ମୋର କରବୀ ଯଦି ତା ଗାଲରେ ସେମିତି ଗୋଟାଏ ଚାପୁଡ଼ା ମାରିଥାଆନ୍ତା ତେବେ କେମିତି ହୁଅନ୍ତା ?

 

ଏଥର ପାଟିଖୋଲିଲେ ଚାରୁଲତା । ବିରକ୍ତିରେ କହିଲେ—କଣ କହିଲୁ ! ସାତସାନର ସାନ ହୋଇ କରବୀ ମାରିବ ତାର ବଡ଼ଭାଉଜକୁ ?? ଦାସୀ ପୋଇଲୀଙ୍କ ସାମନାରେ ଯେତେବେଳେ ଝିଅ କହୁଥିଲା ଏ ଘରର ବଡ଼ଭାଉଜକୁ ?? ଦାସୀ ପୋଇଲୀଙ୍କ ସାମନାରେ ଯେତେବେଳେ ଝିଅ କହୁଥିଲା ଏ ଘରର ବୋହୂକଥା, ସେତେବେଳେ ଶୁଣୁଥିଲୁ କେମିତି କାନଡ଼େରି ! ମୁଁ ବୁଢ଼ୀ ମଣିଷ । ମୁଁ ପାଷାଣ ପାଲଟିଗଲି ବୋଉ ତୁମେ ଦୁହେଁ ବି କ’ଣ ବିଚାରିଲ ନାହିଁ ? ମାଧବୀ ଯୋଉ ଚୁଲିରେ ଯୋଉ ଗାତର ଥିଲେ ବି ସେ ଏ ଘରର ବୋହୂ । ତାକୁ ନେଇ ତମେମାନେ ଆସର ଜମେଇବ ! ଏଡ଼େ ସାହସ ତମମାନଙ୍କର ?

 

ମାଧବୀର ମୁଣ୍ଡଟା ଘୂରାଉଛି । ଚତୁର୍ଦ୍ଦିଗ ଅନ୍ଧାର ହୋଇଆସୁଛି ତାର ଆଖିରେ । ତା’ରି ଭିତରେ କାନରେ ପଡ଼ୁଛି ଶାଶୁଙ୍କ କଥା । ଏତେ ବ୍ୟଥା, ଏତେ ଯନ୍ତ୍ରଣା ଭିତରେ ବି ମନରେ ଲାଗିଲା ତାର ଆଶ୍ୱାସନାର ଅମୃତ ପରଶ । ଧୀରେ ଧୀରେ ଦୁଇଆଖି ବନ୍ଦ ହୋଇଗଲା ମାଧବୀର-। ସାନଖୁଡ଼ୀ ଏଥର ଖିଙ୍କାରି ହୋଇ କହିଉଠିଲେ–ଗୋଟେ ଦିନରେ ତ ମାଧବୀ ଉପରେ ତମର ଅନେକ ଲୋଭ ଆସିଯାଇଛି ନାନୀ ? ସେଇ ବୋହୂଟା ପରା ଦିନେ ତମରି ଜାଳାରେ ପଳାଇଥିଲା ଘର ଛାଡ଼ି–ଭୁଲିଗଲକି ସବୁ ? ନା, ପାରୁନା ଆଉ ବାସୀପାଇଟିଗୁଡ଼ାକୁ ? ବିସ୍ମୟରେ ଚାରୁଲତା ଚାହିଁରହିଲେ ସାନବୋହୂର ବିଷାକ୍ତ ମୁହଁଟାକୁ । ପଲକହୀନ ଆଖିରେ ମଝିଆଣୀ ବି ଚାହିଁରହିଛନ୍ତି ସାନର ମୁହଁକୁ । ମୁହଁରେ ବିରକ୍ତିର ଭାବ ।

 

ଠିଆହୋଇ କ୍ରୋଧରେ କମ୍ପୁଛନ୍ତି ସାନବୋହୂ ସୁରମା, ଓଠ ଦୁଇକଡ଼କୁ ଫେଣ ବାହାରୁଛି-। ପୁଣି ସିଏ ଚାଲିଗଲା ଆଗରୁ କହିକହି ଗଲେ—ସୁଚରିତା ଆସି ତମ ଶୁଖିଲା ଜୀବନଭୂଇଁରେ ଫୁଲ ଫୁଟାଇ ଦେଇଛି; ପରିପୂର୍ଣ୍ଣ କରିଦେଇଛି ତୁମର ସକାଳ ଆଶା; ତେଣୁ ଏଡ଼େ ଉଦାର ତୁମେ ହୋଇପଡ଼ିଛି ଆଜି । ନହେଲେ ମୁଁ ମୋ ନିଜ ହାତରେ ସେଇ ଅଲକ୍ଷଣୀଟାର ଆଖିରୁ କେତେଦିନ ଲୁହ ପୋଛିଚି । କେତେଦିନ ମୋରି ହାତର ଭାତରେ ଥଣ୍ଡା ହୋଇଛି ତାର ଉପାସୀ ପେଟଟା-। ଆଉ ଆଜି ତମର ଦରଦ ବୋହିପଡ଼ୁଛି ସେଇ ଚରିତ୍ରହୀନଟା ପାଇଁ ?

 

ସାନ ଅ.... ଅ....

 

ଏକାସାଥିରେ ଗର୍ଜିଉଠିଲେ ଚାରୁଲତା ଆଉ ମଝିଆଣୀ । ମଝିଆଣୀ ଏଥର ଅଗ୍ନିଝରା କଣ୍ଠରେ କହିଉଠିଲେ—ନକହି ନକହି ଖୁବ୍‌ ତ କହିଲୁ ଲୋ ସାନ ! ଛାର ଗୋଟାଏ କଥା ଲାଗି ବଡ଼ଙ୍କୁ ତୁ ଏମିତି ସବୁ କଥା କହିପାରିଲୁ ? ତୋର କଣ ମଥା ଖରାପ ହୋଇଯାଇଛି !

 

ଛାରକଥା ! କୋଉଟା ଛାରକଥା ? –ଛିଗୁଲାଇଁ ପଚାରିଲେ ସୁରମା ।

 

ଗଳାରେ ସମାନ ଜୋରଦେଇ ନିରୁପମା କହିଲେ—ବଡ଼ଭାଉଜ ମା’ ସମାନ । ସାନନଣନ୍ଦର ଧୃଷ୍ଟତା ଦେଖି ବାଡ଼େଇଛି—ଏଇ କଥାଟାଇ ହେଲା ଛାରକଥା ।

 

ବଡ଼ଭାଉଜ ? ମା’ ସମାନ ? ସେଇ ନାଁ–ପକେଇ କୁଳକଳଙ୍କିନୀ କେହି ନୁହେଁ କରବୀର ।

 

କଥାସାରି ଝିଅର ହାତକୁ ଟାଣିନେଇ ଦୁମଦାମ୍‌ ପାଦରେ ଚାଲିଗଲେ ସୁରମା ।

 

ସ୍ତବ୍‌ଧ ଦେହମନ ନେଇଁ ବସିରହିଲେ ଚାରୁଲତା ଆଉ ମଝିଆଣୀ । ଉପର ରେଲିଂ ଫାଙ୍କରେ ଆଖିରଖି ଅନେକ କିଛି ଦେଖିଛି ତମାଳ । ଶୁଣିଛି ବି ଅନେକ କିଛି ।

 

ମନର ସକଳ ଅପରାଧ ତାର ମିଳାଇଗଲା ଅବଚେତନ ମନର ଉଲ୍ଲାସଭରା ଧୂଆଁ ଭିତରେ । ଗୋଟିଏ ହାଲୁକା ମନ ନେଇ ଘର ଭିତରେ ପଶିଗଲା ତମାଳ । ପାହାଚରେ ପାଦଦେଇ ଠିଆହୋଇଛି ସ୍ତବ୍‌ଧା ସୁଚରିତା ।

 

ସାରାଦିନର ଦିଶାହରା ଆଖିତଳୁ ତାର ଫୁଟିଉଠିଲା ଉଦାର ଗୋଟାଏ ଚାହାଣି । ହାଲୁକା ମନ ନେଇ ସେ ଆଗେଇଆସିଲା ଶାଶୁମାନଙ୍କ ପାଖକୁ । କହିଲା—ଏତେ ରୂପ ଯୌବନ ଆଜିଯାଏ ବି ଯାହା ଦେହରେ ଭରିରହିଛି; ତାର ନାଁପକାଇବାଟା କିଛି ବିଚିତ୍ର କଥା ନୁହେଁ । ହେଲେ ଭୁଲ୍‌ଟାକୁ ଭୁଲ ବୋଲି ଜାଣି ସେ ଯେତେବେଳେ ପଳାଇଆସିଛନ୍ତି ସେତେବେଳେ ଆଉ ତାଙ୍କୁ କିଛି କହିବା ଠିକ୍‌ ନୁହେଁ । ଆଶ୍ରା ବୋଲି ତ ଗୋଟାଏ କଥା ! କେତେଲୋକ ଏ ଘରେ ଖାଇପିଇ ଚଳିଯାଉଛନ୍ତି । ଆଉ ସେଥିରେ କଣ ଆମର ସରିଯିବ ? ଥାଆନ୍ତୁ ସିଏ । ତାଙ୍କ ଚରିତ୍ର ନେଇ ଆମ ମନରେ ଯେତେ ବାରଣ ଥାଉନା କାହିଁକି ସବୁକଥା ଆମକୁ ଅଣ୍ଟିରେ ପୂରାଇ ଚଳିବାକୁ ପଡ଼ିବ ।

 

ଚାରୁଲତା ଆଖି ଫେରାଇ ଚାହିଁଲେ ସୁଚରିତାର ଉଦାର ମୁହଁଟାକୁ । ପୁଣି ଧିକ୍‌ଧିକ୍‌ ହୋଇ ଜଳିଉଠିଲା ତାଙ୍କର ଆଖି ଦୁଇଟା । ସାରା ମୁହଁରେ ତାଙ୍କର ବିଛାଇ ହୋଇଯାଉଛି ଘୃଣାର କାଳିମା । ଥରିଥରି ଉଠିପଡ଼ିଲେ ସିଏ । ଚୁପ୍‌ଚାପ୍‌ ବସିରହିଛନ୍ତି ମଝିଆଣୀ । ଭଲଲାଗିଲାନି ତାଙ୍କୁ ସୁଚରିତାର କଥା ।

 

କ୍ଳାନ୍ତ ପାଦ ଦୁଇଟିକୁ ଘୋଷାରି ଘୋଷାରି ବୁଢ଼ୀ ଚାଲିଗଲେ ନିଜର ଶୋଇବାଘରକୁ । ଖଟ ଉପରେ ଲୋଟିପଡ଼ିଥିବା ମାଧବୀ ଉପରେ ଆଖିରଖି ହାଉଳି ଖାଇ ବୁଢ଼ୀ ଡାକି ଉଠିଲେ ନିରୁପମାକୁ—ଏ ମଝିଆଣୀ, ଦୌଡ଼ିଆସି ଦେଖମ, କଣ ହେଲା ମୋ ବୋହୂର; ଏମିତି ସିଏ କାହିଁକି ଶୋଇଚି ମ ? ଆଲୋ ଏ ଅଲକ୍ଷଣୀ ଚାନ୍ଦ, ତୁ ଏମିତି କାଠଟିଏ ପରି ଏଠି ଠିଆହୋଇଚୁ; ଆଉ ଡାକୁନୁ ଆମକୁ ? ଏ ମଝିଆଣୀ, ଧାଇଁଆ ମ....

 

ଧାଇଁଆସିଲେ ନିରୁପମା, ଝୁଙ୍କିପଡ଼ି ଚାହିଁଲେ ମାଧବୀର ମୂର୍ଚ୍ଛାହତ ମୁହଁ, ଆଉ ଅସହାୟ ଦେହଟାକୁ । ବ୍ୟସ୍ତ ବିବ୍ରତ କଣ୍ଠରେ କହିଉଠିଲେ–ବୋହୂଟା ତ ମୂର୍ଚ୍ଛା ହୋଇଯାଇଛି ଗୋ ନାନୀ ! ଏ ଚାନ୍ଦଟା କେଡ଼େ ଓଲୀ ମ—ଡାକୁନେଇ ଆମକୁ ।

 

କୋଉକଥା କାନରେ ପଶୁନେଇ ଚାନ୍ଦର । ବୋକୀ ଭଳି ସେ ଖାଲି ଚାହୁଁଚି ଇଆମୁହଁକୁ ତା ମୁହଁକୁ । ସତେ ଯେମିତି ଛୁଆ ଚଢ଼େଇଟା ପଡ଼ିଯାଇଛି ବାଣୁଆ ଜାଲରେ, ଆଉ ମା’ ଚଢ଼େଇଟା ବିକଳ ହୋଇ ଉଡ଼ିବୁଲୁଛି ଏ ଡାଳରୁ ସେ ଡାଳକୁ—ଠିକ୍‌ ସେଇମିତି ହୋଇଛି ଚାନ୍ଦର ଅବସ୍ଥା ।

 

ଦୁଆରବନ୍ଧରେ ଫ୍ରେମ ଭିତରେ ଛବି ହୋଇ ଠିଆହୋଇଛି ସୁଚରିତା । ଆଖିରେ ତାର ନିର୍ଲିପ୍ତ ଦୃଷ୍ଟି । ସେଇ ଦୃଷ୍ଟିରେ ବେଳେବେଳେ ଛୁଞ୍ଚି ହୋଇ ଫୁଟୁଛି ମାଧବୀର ରୂପ ଯୌବନ । କଠିନ ହୋଇଯାଉଛି ସୁଚରିତାର ମୁହଁଟା । ଚରିତ୍ରହୀନା ସ୍ତ୍ରୀମାନଙ୍କୁ ଭୀଷଣ ଘୃଣାକରନ୍ତି ତାଙ୍କ ସ୍ୱାମୀ । ହେଲେ ଏମିତି ଋଷିଭୁଲା ରୂପ ଦେଖିଲେ କେଉଁ ସ୍ୱାମୀର ମନରେ ଦୃଢ଼ତା ରହିବ ? କେତେଦିନ ମନରେ ତିଷ୍ଠିରହିବ ସେଇ ଘୃଣା ଭାବଟା ? କ୍ଷଣକ ଆଗରେ ଉଦାର ଭାବଟା ମନରୁ ଉଭାଇଯାଉଛି ସୁଚରିତାର । ସେ ତାର ସର୍ବାଙ୍ଗରେ, ତା ମନରେ ଗୋଟାଏ ଦୁର୍ବଳତା ଅନୁଭବ କରୁଛି । ଶେଷରେ ନୀରବରେ ସେଠୁ ଚାଲିଗଲା ସୁଚରିତା ।

 

ଅନେକ ପାଣିଛିଞ୍ଚା ଆଉ ବିଞ୍ଛା ପରେ ମାଧବୀ ଧୀରେ ଧୀରେ ଆଖି ଖୋଲିଲା । କର ଲେଉଟାଇବାକୁ ଯାଇ ମାଧବୀ କ୍ଷୀଣ କଣ୍ଠରେ କହିଉଠିଲା—ବୋଉ... ଉ.... କୁଆଡ଼େ ଗଲୁ ତୁ ବୋଉ... ଉ.... । ଚାରୁଲତାଙ୍କର ଛାତି ବ୍ୟଥିତ ହୋଇଉଠିଲା, ଅଶ୍ରୁବିଜଡ଼ିତ କଣ୍ଠରେ ସେ କହି ଉଠିଲେ—ଏଇରେ ମୁଁ ଏଇଠି ଅଛି । ମା’ ଲୋ ! ଯୋଉ ବୋଉ ତୋର ନାହିଁ, ସେ ଥିଲା ସିନା ବାଘୁଣୀ, ହେଲେ ଏଇ ଯୋଉ ବୋଉ ମୁଁ ବଞ୍ଚିରହିଛି, ମୁଁ ହେଲି ସିଂହୀ । ତୁ କିଛି ଭାବେନା ମା’, ମୁଁ ଥାଉ ଥାଉ କେହି ତୋର କିଛି କରିପାରିବେନି ।

 

ଚିତ୍‌ ହୋଇ ପଡ଼ିରହି ମୂକଆଖିରେ ମାଧବୀ ଚାହିଁରହିଲା ଶାଶୁଙ୍କ ମୁହଁକୁ । ଆତ୍ମପ୍ରତ୍ୟୟରେ ଉଜଳି ଉଠିଲା ଚାରୁଲତାଙ୍କର ମୁହଁ । ଗଳାରେ ଦରଦ ଭରି ପୁଣି କହିଉଠିଲେ—ହଁ ମା’ ! ମୁଁ ଥାଉ ଥାଉ କାହାକୁ ତୁ ଡରନା । ବୁଝିଲି ଲୋ ବୁଝିଲି, ବାଘୁଣୀ ଚାଲିଗଲା ବୋଲି ଛୁଆବାଘ ଉପରେ ନାଚିଗଲେ ମିରିଗପଲ । ଚିନ୍ତା କରନା ତୁ ।

 

କଣ ହେଲା ମଝିଆଣୀଙ୍କର କେଜାଣି, ଖଟରୁ ଓହ୍ଲାଇ ଆସି ବଡ଼ ଯାଆଙ୍କର ଦୁଇପାଦରେ ମଥା ଛୁଆଁଇ ବସିପଡ଼ିଲେ ସିଏ । ତାଙ୍କର ମୁଣ୍ଡକୁ ହାତରେ ଉଠାଇ ଚାରୁଲତା ବିସ୍ମୟ କଣ୍ଠରେ କହିଉଠିଲେ—ଇଏ କଣ ଲୋ !!

 

କରୁଣ ହସି ନିରୁପମା କହିଲେ—କଣ ପାଇଁ ଏଡ଼େକଥାଟାଏ ଉଠିଲା, ସେ କଥାକୁ ଯେ ତମେ ଏଡ଼େ ଶୀଘ୍ର ଧରିପକାଇଲ । ଏଇ କଥାଟା ମଲାଯାଏ ମୁଁ ଭୁଲିପାରିବିନାହିଁ । ଏମିତି କରି ଯେ ତମେ ବୁଝିବ ଏକଥା...

 

କଥା ତାଙ୍କର ସରିଲାନି । ଚିଡ଼ିଉଠି ବୁଢ଼ୀ କହିଲେ—ତୁ ଆଶାକରିନଥିଲୁ ଏଇଆ ନା ? ଆଲୋ, ମୁଁ କଣ ଏଡ଼େ ଅମଣିଷ ? ଆଲୋ ସାନବୋହୂ ମରମ କହିଯାଇଛି, ହେଲେ ସେ କଥାଟି ସତ । ବଅଁଶ ବୁଡ଼ିଯାଉଛି । ଦେଖି ମୁଁ ବାୟାଣୀ ହୋଇଯାଇଥିଲି, ନଇଲେ ମୋର ଘର ଆଲୁଅକରା ଚନ୍ଦ୍ରଉଦିଆ ବୋହୂପାଇଁ ମୁଁ ଯେ କେତେ ଦିନ, କେତେ ରାତି ଝୁରି ହୋଇଛି ଏ କଥା କାହାକୁ ବୁଝାଇବି ? କିଏ ସତ ମଣିବ ?

 

ମୁଣ୍ଡ ହଲାଇ ହଲାଇ ଚାଲି ଯାଉ ଯାଉ କଥା ପଛରେ କଥା ଯୋଡ଼ି ବୁଢ଼ୀ କହିଗଲେ—ଯାଏଁ ଲୋ ମା, ୟେ ତ ସେ ରୋଷେଇଘରର କିଛି ଖାଇବନି । ଦେଖେ ଚୁଡ଼ାଫୁଡ଼ା ଅଛି କି ନାହିଁ ।

 

ମାଧବୀ ମଥାରେ ଓଢ଼ଣା ଦେଇ ଓହ୍ଲାଇ ଆସିଲା ଖଟରୁ । ମଝିଆ ଖୁଡ଼ିଙ୍କ ପାଦରେ ମଥା ଲଗାଇ ପ୍ରଣାମ କଲା । ମଝିଆଣୀ ମଥାକୁ ତାର ଆଉଁସି ଦେଉ ଦେଉ ଶୁଣିଲେ ବୁଢ଼ୀଙ୍କର ଶେଷକଥା କେଇପଦ । ତରତର ହୋଇ ଉଠିପଡ଼ିଲେ ସିଏ । ଧାଇଁଯାଇ ବୁଢ଼ୀଙ୍କୁ କହିଲେ—ମାଧବୀ କଥା ତୁମେ ଭାବନି ନାନୀ ! ରନ୍ଧା ସରିଲେ ତାକୁ ଆସି ମୁଁ ନେଇଯିବି, ମୋ ସାଥିରେ ଖାଇବ ସିଏ ।

 

 

ଇଆରି ଭିତରେ ବିତିଗଲାଣି କେତୋଟି ଦିନ । ଉପର ମହଲାରେ ଥିବା ମାଧବୀର ପାଖ କୋଠରିକୁ ଚାଲିଗଲେଣି ଚାରୁଲତା । ସେଇଠି ଶୁଅନ୍ତି, ପ୍ରଥମେ ନାହିଁ କରି କହିଥିଲେ—ନାଇଲୋ, କିଏ ମୋର ଏତେ ତଳ ଉପର ହେବ—ଏଇଠି ମୁଁ ବେଶ୍‌ ଅଛି । ଚାନ୍ଦ ତ ଶୋଉଛି ମୋ ଘରେ, ଡାକିଲେ ବି ଶୁଣେ । ମୋ ପାଇଁ ଭାବୁଚୁ କାହିଁକି ?

 

ହେଲେ କଥା ଶୁଣିନି ମାଧବୀ ଜୋର୍‌କରି ତାଙ୍କୁ ନେଇ ଉପରେ ଶୁଆଇଛି । କହିଛି—ସାତସକାଳୁ ତ ଉଠିବାର ଦରକାର ନାହିଁ, ଖରା ଆସିଲେ ମନକୁ ଗୋଡ଼ହାତରେ ବଳ ଆସିବ. ତେଣିକି ସକାଳୁ ଥରେ ଉଠି ତଳକୁ ଚାଲିଗଲେ ପୁଣି ଆସିବ ଯାଇ ରାତିରେ । ଡରୁଚ କାହିଁକି ?

 

ତା’ ସତ ।

 

ସକାଳୁ ଆଉ ଚାରୁଲତାଙ୍କୁ ଉଠିବାକୁ ପଡ଼ୁନି । ଉଠିବା କଥା ହେଲା ଠାକୁରଘର ପାଇଁ । ସେଇ ଠାକୁରଘରର ସବୁ କାମ ମୁଣ୍ଡାଇନେଇଛି ମାଧବୀ । ଉଠେ କେଉଁ ରାତିପାହାନ୍ତାରୁ । ଗୋଟିଗୋଟିକରି କରିଯାଏ କେତେ କାମ । ଏବେ ଜକଜକ ଦିଶୁଛି ରୋଷେଇଘର । ନିଜେ ରାନ୍ଧେ ମାଧବୀ–ଅଣ୍ଡା, ମାଛ, ମାଉଁସ—ବାକି ସବୁ ଜଳଖିଆପତ୍ର କରେ ଅନାଦି । ସେଥିପାଇଁ ପିଣ୍ଡା କୋଣରେ ଅଲଗା ଗୋଟାଏ ଚୁଲି କରାଇନେଇଛି ମାଧବୀ । ପାଞ୍ଚଟା କରି ଶାଶୁଙ୍କୁ ପରଷେ ସିଏ-। ପରମତୃପ୍ତିରେ ରନ୍ଧାଘରେ ପଶି ଆସନରେ ବସନ୍ତି ଚାରୁଲତା । ମାଧବୀ ମୁହଁକୁ ଚାହିଁ ତୁଚ୍ଛାରେ ହସନ୍ତି ସିଏ । ସେଇ ହସରୁ ମାଧବୀ କଣ ବୁଝେ କେଜାଣି ନିଜର ସରମରଙ୍ଗା ମୁହଁକୁ ତଳକୁ ନୁଆଁଇ ସେ ବି ହସେ ଛୋଟକରି ।

 

ତିନି ଅଗଣାଯାକ ବୁଲି ଅନାଦି କହେ—ପେଟକୁ ଖାଦି ହଉନି; ଆଉ ଏଣିକି ଏଠି ରହିବା କଥା ନୁହେଁ । ତେଇଁକି ଗୋଟେ କାଉ ନ ରାବୁଣୁ ଆସି ଡାକପକାଉଛନ୍ତି—କଣନା, ପିଲେ ଉଠିଲେ ଯେମିତି ନ କାନ୍ଦନ୍ତି । ସରନାନୀ–ବୁଢ଼ୀଟା । ତା’ ଉପରେ ବି ହୁକୁମ ଜାରି ହୋଇଛି, ଖରା ଉଠିବା ଆଗରୁ ଯେମିତି ଓଳାଓଳି କାମ ସରିଥାଏ । କିଇଇ... ଘର କୁଆଡ଼େ ପଳାଉଛି କି ? ଚାନ୍ଦ ଛଟକୀ ଅବଶ୍ୟ ଭାରି ଚଳୁଛି ତାଙ୍କ ମନଜାଣି । ଆଉ ମହନା, ସିଏ ସାନମା’ଙ୍କର ବାପଘରର ଲୋକ ବୋଲିକି କଣ, ତାକୁ କେବେ କିଛି କହନ୍ତିନି ବଡ଼ମା’ । ସେଇ ଏକା ହେଣ୍ଡିମାରି ବୁଲୁଛି ।

 

ସବୁ ଶୁଣିଲା ପରେ ନିରୁପମା କହନ୍ତି–ସେଇଟା ବଡ଼ କାମିକା ବୋହୂନା, ତେଣୁ ସହିପାରେନି ସିଏ କାହାରି ଅଳସପଣିଆ । ତେବେ, ଯାହାର ରହିବାକୁ ଇଚ୍ଛାହେବ ସେ ରହିବ, ଯାହାର ଇଚ୍ଛା ନହେବ ସେ ଚାଲିଯିବ । ଭାତ ବୁଣିଲେ କଣ କାଉର ଅଭାବ କିଲୋ ବାପ ? ନା, ନିଜ ହାତଗୋଡ଼ରେ ବଳ ଥିଲେ ଖାଉନ୍ଦ ଘର ଅଭାବ ହେବ ।

 

ମଝିଆଁ ଖୁଡ଼ୀଙ୍କ କଥା ଭଲ ଲାଗେନି ଅନାଦିକୁ । ସେ ଚାଲିଯାଏ ତଳ ଅଗଣାକୁ । କାନପାରି ସବୁ ଶୁଣନ୍ତି ସାନଖୁଡ଼ୀ । କହନ୍ତି—ଆରେ, ତୋର ସାନମା’ ହେଲା ବହୁତ ବଡ଼ଘରର ଝିଅ । ଆଉ ଏଇଟା—ଛତରଖାଈ ଗୋବର–ଗୋଟେଇ । ତା’ ପାସଙ୍ଗରେ ପଡ଼ିବନା ? ଯୋଉ ଘରର ଝିଅ, ତାର କାରବାର ହବ ସେମିତି । କୋଉଠୁ ପାଇବ ସିଏ ତୋ ସାନମା’ର ମନ ମିଜାଜ୍‌-! ନିଜେ ତ ଖାଇବାକୁ ପାଉନଥିଲା—ତତେ ପୁଣି କଣ ଖାଇବାକୁ ଦବ ମ ? ହେଇଟି, ବୁଝିଲୁ ନା-? ତୋ ସାନମା’ ହେଲା ମୋର ପିଉସୀର ଝିଅର ଝିଅ, ଭାରି ବଡ଼ଘରର । ମୁଁ ବି ତ ସେମିତି-। ମୋ ବାପଘରର ଯେ ଚାରିମହଲା କୋଠା ! କାହାକୁ କେମିତି ଚଳାଇବାକୁ ହୁଏ ସେକଥା ସିନା ଆମେ ଜାଣିବୁ; ଆଉ ସେଇଟା କେମିତି ଜାଣିବ ? ତେବେ, ସକାଳୁ ଡାକଡ଼କି କଲେ ସଫା କହିଦେ—ମୋର ଅଭ୍ୟାସ ନାହିଁ, ମୁଁ ଉଠିପାରିବିନି ଏଇନେ—ସବୁଦିନେ ମୁଁ ଯେତିକି ବେଳକୁ ଦେଉଥିଲି ସେତିକି ବେଳକୁ ମୋର ମୁଁ ଛାଆଁକୁ ପିଲାଙ୍କୁ ଖାଇବାକୁ ଦେବିନାହିଁ ଯେ, ମତେ ଡକାପାରୁଚ ?

 

ଖରାବେଳର ବୁଲାସାରି ଅନାଦି ଲେଉଟିଆସେ ।

 

ଆଜିଯାଏ ମାଧବୀକୁ କଥା କୁହେନି ସୁଚରିତା, ପରମତୃପ୍ତିରେ ଖାଇଦିଏ କିନ୍ତୁ ତା’ ହାତର ରନ୍ଧା ।

 

ତଥାପି ମାଧବୀ ଦିନେ ଯାଚିହୋଇ କଥା କହିଥିଲା ସୁଚରିତାକୁ । କହିଥିଲା—ମତେ କାହିଁକି କଥା କହୁନୁ ରିତା ? ଚିହ୍ନିପାରୁନୁ କି ? ମୁଁ ପରା ତୋର ନାନୀ ।

 

ଏକଥା ଶୁଣି ହସିଉଠିଥିଲା ସୁଚରିତା, କହିଥିଲା—ଦୁନିଆ ଲୋକ ତ ତୁମକୁ ଚିହ୍ନିଚନ୍ତି; ମୁଁ ନ ଚିହ୍ନିଲେ କଣ ତମର ଭାସିଯାଉଛି କି ? ଦାଣ୍ଡରେ ପଡ଼ି ହାଟରେ ଗଡ଼ଗଡ଼ଉଛି ତୁମ ନାଁ; ସମସ୍ତେ ଚିହ୍ନନ୍ତି ତୁମକୁ ।

 

ଲଜ୍ଜା ଓ ଅପମାନରେ ଲାଲପଡ଼ିଗଲା ମାଧବୀର ମୁହଁଟି । କଥାଛଳରେ କ’ଣ ତାକୁ ଶୁଣାଇବାକୁ ଚାହୁଁଛି ରିତା, ସେକଥା ବୁଝିପାରିଛି ମାଧବୀ । ଆଖିରେ ଭାସିଯାଇଛି ଶୁଭେନ୍ଦୁର ସ୍ନେହ ଢଳଢ଼ଳ ମୁହଁଟି । ଦୁଇ ଡୋଳାରେ ପାଣି ଜମିଆସିଛି ତା’ର । ସୁଚରିତାର କଥାର ଉତ୍ତରରେ ସେ କହିପାରନ୍ତା ଯେ—ସୁନ୍ଦର ଲାଗି ଅସୁନ୍ଦର ମନରେ ତୋର ଇଏ ଏକ ସୁନ୍ଦର ସାନ୍ତ୍ୱନା ତୁ ପାଇଯାଇଚୁ ଲୋ ! ତତେ ମୋର କହିବାର କିଛି ଆଉ ନାହିଁ । ହେଲେ କିଛି କହିବାକୁ ଇଚ୍ଛା ତାର ହେଲାନି, ଘୃଣାରେ ସର୍ବାଙ୍ଗ ତାର ଶିରିଶିରି କରି ଉଠୁଥିଲା । ତେଣୁ ମୁହଁ ବୁଲାଇ ନେଇ ଚଞ୍ଚଳ ପାଦରେ ଚାଲିଯାଇଥିଲା ମାଧବୀ । ସେଇ ଦିନଠୁ ସେ ଆଉ କେବେ କଥା କହିବାର ଚେଷ୍ଟା କରିନି ସୁଚରିତା ସାଥିରେ ।

 

ଆଉ ସ୍ୱାମୀ ? ତମାଳ ।

 

ତା’ ସାଥିରେ ଆଜିଯାଏଁ ତାର ଦେଖାହୋଇନି । ଖୁବ୍‌ ସାବଧାନରେ ଚଳେ ମାଧବୀ । ସେ ଆଦୌ ଚହେଁନି ତା’ର ଦେଖାହେଉ ସେଇ ମଣିଷଟି ସାଥିରେ । ତମାଳର ଅବଚେତନ ମନ କିନ୍ତୁ ଭାରି ଖୋଜେ ମାଧବୀକୁ ଟିକିଏ ପାଖରେ ପାଇବା ପାଇଁ; ଅଥଚ ସଚେତନ ମନ ତାର ଘୃଣାରେ ନାକ ଫୁଲାଏ । କହେ—ଛି ଛି—ଏଇ ବୟସରେ ଗଲା ଶୁଭେନ୍ଦୁ ସାଥିରେ ପ୍ରେମ କରିବାକୁ !! ସେଥିପାଇଁ ପୁଣି ବାରକଥା ଉଠିଲାରୁ ପଳେଇଆସିଛି ଏଠିକି ! ଆଉ କୁଆଡ଼େ ଜାଗା ପାଇଲାନି ! ସତେ ତ, ଏତେ ରୂପ ଯୌବନ ଯାହା ଭିତରେ ଠୁଳହୋଇ ରହିଛି ସେ କଣ କେବେ ଭଲ ହୋଇପାରେ !

 

ରାତିରେ କିନ୍ତୁ ଚିନ୍ତାଧାରା ବଦଳିଯାଏ ତମାଳର, କାନଡ଼େରେ ବାହାର ବାରଣ୍ଡା ଆଡ଼େ-। ଦୁଇଟି ଛୋଟ ଛୋଟ ପାଦର ଚିହ୍ନ । ମୃଦୁ ଶବଦକୁ ଆକୁଳ ଆଗ୍ରହରେ ଅପେକ୍ଷା କରେ-। ମନ କହେ—ନା, କଦାପି ଖରାପ ହୋଇପାରେନା ମାଧବୀ । ଚରିତ୍ର ଠିକ୍‌ ନଥିଲେ ମଣିଷ ଦୁର୍ବଳ ହୋଇପଡ଼େ । ନିର୍ମାଲ୍ୟ ପରି ପବିତ୍ର ମାଧବୀ । ସେଇ ପବିତ୍ରତାର କୁତ୍ସା ସହିନପାରି ସେଦିନ ଏତେ ଦମ୍ଭରେ ସେ ହାତ ଉଠାଇପାରିଲା କରବୀର ଗାଲକୁ ।

 

ମାଧବୀ ଲାଗି ଆକୁଳ ହୋଇଉଠେ ତମାଳର ମନଟା, ଖାପଖାଏନି ଦିନର ଭାବନା ସାଥିରେ ରାତିର ଭାବନା । ମୁଣ୍ଡର ବାଳକୁ ଦୁଇ ହାତରେ ଟାଣୁ ଟାଣୁ ଆଖିବୁଜେ ଅଶାନ୍ତ ତମାଳ ।

 

ପୁଣି ଯେତେବେଳେ ତାର ମନେହୁଏ ଯେ ଜାଣି ଜାଣି ମାଧବୀ ତାକୁ ଆଡ଼େଇଯାଇଛି, ପୁଣି କ୍ରୋଧ ଜମିଯାଏ ତାର ଛାତିତଳେ । ସେ ନିଜେ ବି ଥରେଅଧେ ଦେଖିଲାଣି ଯେ ମାଧବୀ ଆଖିରେ ତା ଆଖି ଦୈବାତ୍‌ ପଡ଼ିଗଲେ, ମାଧବୀ ଦୃଷ୍ଟିରେ ଫୁଟିଉଠେ ଗୋଟିଏ ନୀରବ ତାଚ୍ଛଲ୍ୟ ଭାବ ।

 

ତମାଳର ମନବନରେ ସୃଷ୍ଟିହୁଏ ଅବ୍ୟକ୍ତ ଦହନ ।

 

ଆଉ ମାଧବୀ ?

 

ସାରା ଦିନର କର୍ମକ୍ଳାନ୍ତ ଅବଶ ଦେହ ତାର ବିଛଣା ଛୁଇଁବା ମାତ୍ରେ ନିଝୁମ୍‌ ହୋଇଯାଏ-। ଭାବନା ଚିନ୍ତା ତାର ନାହିଁ । ତେଣୁ ଆଖିର ନିଦ ତାର ହୁଏ ଗାଢ଼ରୁ ଗାଢ଼ତର । ପରମ ନିଶ୍ଚିନ୍ତରେ ଘୁମାଇପଡ଼େ ସିଏ ।

 

କିନ୍ତୁ, ନିଶ୍ଚିନ୍ତରେ ତାକୁ ଘୁମାଇବାକୁ ଦେଲାନି ତମାଳ । ମାଧବୀର ନିବୁଜ କବାଟରେ ଦିନେ ତୋଳିଲା ଆସି ଠୁକ୍‌ ଠୁକ୍‌ ସବ୍‌ଦ । ସେଇ ଶବ୍‌ଦରେ ଧୀରେ ଧୀରେ ଜାଗିଉଠିଲା ମାଧବୀ । କୁଞ୍ଚନ ସୃଷ୍ଟି ହେଲା ତା’ର କପାଳରେ । ନିଜର, ଅଜାଣତରେ ତଳ ଓଠଟାକୁ କାମୁଡ଼ି ଧରିଲା ସିଏ । ସେଇ ତାର ଗୋଟାଏ ମୁଦ୍ରାଦୋଷ । ତା ମନର ସକଳ ବିରକ୍ତି, ସକଳ କ୍ରୋଧ ଓ ଅଶାନ୍ତି ପରିସ୍ଫୁଟ ହୁଏ ସେଇ ଗୋଟାଏ ଭଙ୍ଗିରେ ।

 

ମାଧବୀ ଝରକା ଖୋଲି ଚାହିଁଲା ବାହାରକୁ । ଦୁଆର ପାଖରୁ ଆସି ଝରକା ପାଖରେ ଠିଆହେଲା ତମାଳ । ମଝି ଛାତିରେ ଜଳୁଛି ଗୋଟାଏ ନୀଳ ବାର୍‌ଲାଇଟ । ଝରକା ରଡ଼୍‌କୁ ଧରି ମାଧବୀ ଠିଆହୋଇ ରହିଲା । ଫିସ୍‌ ଫିସ୍‌ ଗଳାରେ ଅନେକ ମିନତି ଭରି ତମାଳ କହିଲା—ଦୁଆର ଖୋଲ ମାଧବୀ ! ମୁଁ କଣ ଏଇଠି ଠିଆହୋଇଥିବି ?

 

କଥା କହୁ କହୁ ମାଧବୀର ଆଙ୍ଗୁଳିରେ ହାତ ବୁଲାଇନେଲା ତମାଳ ।

 

ହସିଲା ମାଧବୀ ଓ ଧୀରେ ଧୀରେ ଆଙ୍ଗୁଳିଗୁଡ଼ାକ ଖସାଇ ନେଲା ରଡ଼୍‌ରୁ । ସେଇ ଆଲୋକବିଜଡ଼ିତ ଅନ୍ଧାର ଭିତରେ ହୀରାକଣି ପରି ଉଜଳି ଉଠିଲା ମାଧବୀର ସଜେଇଲା ପରି ସୁନ୍ଦର ଦାନ୍ତଗୁଡ଼ିକ । ସେ ବି ଫିସ୍‌ ଫିସ୍‌ କରି ହତାଶାଭରା ସ୍ୱରରେ କହିଲା—ଗୋଟିଏ ଜଡ଼ମନ ନେଇ ମୁଁ ତିନୋଟି ଛୁଆର ମା’ ହୋଇଥିଲି । ଏ ଘରେ ପାଦ ଦେଇ ଭୟରେ ମୁଁ ପଥର ପାଲଟିଯାଇଥିଲି । ଅନୁଭବ କରିନି ମୁଁ ମଧୁରାତିର ମାଧୁର୍ଯ୍ୟକୁ—ଖାଲି ପଢ଼ିଛି ଯାହା ବହିରେ । ତୁମେ ବି ସେଇ ମଧୁରାତି ଦିନ ଫେରିଥିଲି ଆକଣ୍ଠ ମଦ ପିଇ । ସେ ତୁମ ବଡ଼ଲୋକଙ୍କର କି ଧରଣର ଗୋଟାଏ ଶିଷ୍ଟାଚାର, ଯାହାକୁ କେଉଁଦିନ ହେଲେ ମୁଁ ବୁଝିପାରିନି କି ବୁଝିବାର ଆଗ୍ରହ ବି ମୋ ଭିତରେ ଜନ୍ମନେଇନି କେବେ । ସେମିତି ରାତି ମୋ ଜୀବନରେ ଆସିଲା ସବୁଦିନ । ତେଣୁ ମୁଁ କେଉଁଦିନ ହେଲେ ବୁଝିପାରିନି ମଧୁରାତି—କାହାକୁ କହନ୍ତି । ଷୋଳବର୍ଷର ମଫସଲି ଅଶିକ୍ଷିତା ଝିଅ ମୁଁ ଭୟରେ ଦରମରା ହୋଇଯାଉଥିଲି ତୁମର ସେଇ ଭୟଙ୍କର ନିଶାଜର୍ଜରିତ ରୂପକୁ ରାତିଅଧରେ ଦେଖି । ତଣ୍ଟି ମୋର ଶୁଖି ଅଠା ଅଠା ହୋଇଯାଉଥିଲା । ଯାହାହେଉ ମୋର ସେଇ ହତ ଚେତନ ଦେହ ଭିତରେ ଘଟିଥିଲା ଗୋଟିଏ ପରେ ଗୋଟିଏ ନୂଆ ମଣିଷର ପଦସଞ୍ଚାର; କିନ୍ତୁ କେହି ରହିନାହାନ୍ତି । କ୍ଷୀଣ ପରମାୟୁ ନେଇ ଆସିଥିବା ପିଲାଗୁଡ଼ିକ ବାହୁଡ଼ିଯାଇଛନ୍ତି ଗୋଟିକ ପରେ ଗୋଟିଏ । ତା’ପରେ ତୁମର ବୋଉ, ତାଙ୍କ ସାମନାରେ ବି ଦିନେ ମୁଁ ଠିଆହୋଇପାରିନି ବୋହୂର ମର୍ଯ୍ୟାଦା ନେଇ । ଦିନେ ଥିଲି ଗରିବଘରର ଝିଅ—ସେଥିପାଇଁ ତାଙ୍କ ପାଖରେ ଥିଲି ଅବାଞ୍ଛିତା । ପରେ ପୁଣି ହେଲି ଛୁଆଖାଈ ଡାହାଣୀ । ଗର୍ଜିଉଠନ୍ତି ସିଏ ତାଙ୍କ ଆଖିରେ ପଡ଼ିଗଲେ ମୁଁ । ଜୀବନ ମୋର ହୋଇଗଲା ଧୂସର । ତିଳ ତିଳ ହୋଇ ନିଶ୍ଚିହ୍ନ ହୋଇଗଲା ମୋ ଭିତରର ସକଳ କାମନା, ସକଳ ବାସନା ।

 

ଆଜି ଆଉ ଲୋଭନାହିଁ ମୋର କୌଣସି ବିଷୟରେ । ଆଉ ତୁମେ—ନିଶ୍ଚୟ ତୁମେ ଦୁଃଖ ଦେବନି ସୁଚରିତାକୁ । ସେ ଉଦାସ ହୋଇଯାଇଛି ମତେ ଦେଖି । ମୁଁ କିନ୍ତୁ, ମତେ ଚିହ୍ନେ ବୋଲି ହସିଦେଇଛି ତାର ଉଦାସପଣିଆ ଦେଖି । ଶୁଭଭାଇର ସ୍ତ୍ରୀ ମନରେ ଦୁଃଖ ପାଇଲା ବୋଲି ଏଠିକି ପଳାଇଆସିଛି । ଏଠି ପୁଣି ଯଦି ସୁଚରିତା ଦୁଃଖ ପାଏ, ତେବେ ଆଉ କୁଆଡ଼େ ପଳାଇବି; କିନ୍ତୁ ମୁଁ ଆଦୌ ଚାହେଁନି ଏଠୁ ପଳାଇଯିବାକୁ ।

 

ଅତୀତଟା ଏ ପର୍ଯ୍ୟନ୍ତ ଛବିହୋଇ ତମାଳ ଆଖିରେ ଭାସିଯାଉଥିଲା । ଅବ୍ୟକ୍ତ ଯନ୍ତ୍ରଣାରେ ବିମଥିତ ହୋଇଯାଉଥିଲା ତାର ଛାତିତଳ । ଚମକି ପଡ଼ିଲା ସିଏ ମାଧବୀର କଥା ଶୁଣି-। ସୁଚରିତା ଦୁଃଖପାଇଲା ଜାଣିଲେ ମାଧବୀ ପୁଣି ଏଠା ଛାଡ଼ି ପଳାଇବ ! ମନରେ ଇଏ କି ସଂକଳ୍ପ ନେଇ ଏଠି ବିଚରଣ କରୁଛି ମାଧବୀ ! ଶୁଭେନ୍ଦୁର ସ୍ତ୍ରୀ ଆଉ ସୁଚରିତା ଏକ ହେଲେ ! ଏକ ହେଲା ସିଏ ଆଉ ଶୁଭେନ୍ଦୁ ! ସୁଚରିତାର ରାଗରୋଷ ତ ମାଧବୀ ଜୀବନରେ ଆଙ୍କିଦେବନି କଳଙ୍କର ଟୀକା ! ଶୁଭେନ୍ଦୁ ପରି ତ ଚୋରହୋଇ ସେ ପଶିବାକୁ ଚାହୁଁନି ମାଧବୀ ମନର କୋଠରିରେ ! ସେମାନଙ୍କ କଥାକୁ ସେ କାହିଁକି ଏଠିକା କଥା ସହିତ ସମାନ କଲା !

 

ଭୁଲ ବୁଝି ଅକାରଣରେ ତେଜିଉଠିଲା ତମାଳ, କହିଲା—ମନଟା ତୁମର ଯଦି ଏତେ ଜଡ଼, ତେବେ ସେଇ ମନରେ ଶୁଭେନ୍ଦୁ କେମିତି ଆସନ ବିଛାଇଲା—ଯାହା ଦେଖି ଶୁଭେନ୍ଦୁର ସ୍ତ୍ରୀ ଗାଁ—ଛଡ଼ା କଲା ତମକୁ ? ତୁମେ ବି ଲାଜ ସରମ ଭୁଲି ଧାଇଁଆସିଲ ଛାଡ଼ିଚାଲିଯାଇଥିବା ଚମ୍ପାପୁରକୁ ?

 

ତୀକ୍ଷ୍‌ଣ ହୋଇଉଠିଲା ମାଧବୀର ଦୁଇଆଖିତାରା । ସେ ବୁଝିଲା ଆଖିରେ ନିଶାଭରି ତମାଳ ଆସିଥିଲା ଏଠାକୁ, ତାର ଉଦାସୀନତା ଦେଖି ସେ ଅସହିଷ୍ଣୁ ହୋଇପଡ଼ୁଛି । ଶାନ୍ତ ଗଳାରେ ମାଧବୀ କହିଲା—ମନ ନଖାଇ ବି ଯିଏ ମାତାଲ ହୁଏ, ସେ ଭାରି ସାଙ୍ଘାତିକ । ତୁମ କଥାର ଉତ୍ତରଦେବାକୁ ମୁଁ ଘୃଣା ବୋଧକରୁଛି ।

 

କଥା ସାରି ଭିତରପଟୁ ଝରକା ବନ୍ଦ କରିଦେଲା ମାଧବୀ; ସ୍ଥାଣୁ ପାଲଟି ଠିଆହୋଇ ରହିଲା ତମାଳ । ତାପର... ଧୀରେ ଯାଇ ଶୋଇପଡ଼ିଲା ସୁଚରିତା ପାଖରେ । ଉତ୍ତ୍ୟକ୍ତ ମଥାରେ ତାର ଭାବନାର ବୁଢ଼ିଆଣୀ ଜାଲ ଅନେକ ରାତି ପର୍ଯ୍ୟନ୍ତ ଛଟପଟ କରିଥିଲା ତମାଳକୁ ।

 

 

ଦିନ ତ ବସିରହେନି—ଗଡ଼ିଯାଇଛି ଆହୁରି କେତୋଟି ଦିନ । ନିଜକୁ ଆହୁରି କୋଣେଇ ନେଇଛି ମାଧବୀ । ଅନେକ ରାତିରେ ଝରକାରେ ହେଉଥିବା ଠୁକ୍‌ ଠୁକ୍‌ ଶବଦକୁ ଶୁଣି ବି ନଶୁଣିବାର ବାହାନା କରେ ସେ । ନ ଶୁଣିବା ଲାଗି ମନରେ ତାର ଜନ୍ମନିଏନି ଏତେ ଟିକିଏ ବି କ୍ଷୋଭ । ତମାଳ ସମ୍ପର୍କରେ ସମ୍ପୂର୍ଣ୍ଣ ନିର୍ବିକାର ତାର ମନ । ଭିତରେ ଭିତରେ ଜଳି ମନଟା ତମାଳର କିନ୍ତୁ ନିଃଶେଷ ହୋଇଯାଉଛି; ନିଜର କର୍ତ୍ତବ୍ୟ, ନିଜର କର୍ମ ଭିତରେ ହିଁ ବୁଡ଼ିରହିଛି ମାଧବୀ । କାହା ମନଗହନରେ ଦୃଷ୍ଟି ପକେଇବାକୁ ତାକୁ ବେଳ ନାହିଁ, ନାହିଁ ତାର ପ୍ରବୃତ୍ତି ।

 

ହଠାତ୍‌ କିନ୍ତୁ ବଦଳିଗଲା ମାଧବୀର ଜୀବନଧାରା । ତାରି ନିସ୍ତରଙ୍ଗ ମନସରୋବରରେ ଦିନେ ତରଙ୍ଗ ସୃଷ୍ଟିକଲା ଆସି ପରାଗ । ସକାଳ ଆଠଟାରେ ପିଲାଙ୍କୁ ଜଳଖିଆ ଖୁଆଇଦେଉଛି ମହନା । ପିଲାଙ୍କୁ ଜଗିକରି ଠିଆହୋଇ ରହିଛି ମାଧବୀ, ଇଆଡ଼ୁ ସିଆଡ଼ୁ କଥା କହି ଅନ୍ୟମନସ୍କ କରାଇଦେଉଛି ପିଲାଙ୍କୁ । ଆଖି ମିଟିମିଟି କରି କଥା ଶୁଣୁ ଶୁଣୁ ଖାଇଯାଉଚନ୍ତି ପିଲାମାନେ । ନହେଲେ ଏଥିରୁ ଚିମୁଟାଏ ସେଥିରୁ ଟିପେ ମୁହଁରେ ଗୁଞ୍ଜିଦେଇ ଉଠିପଡ଼ୁଥିଲେ ସେମାନେ । ଜୋର୍‌କରି ତାଙ୍କୁ ଖୁଆଇବା କଥା କାହାରି ମନକୁ ଆସୁନଥିଲା । ବଳିଲାତକ ପାଟିରେ ପୂରାଇ ରସେଇ ରସେଇ ଚାକୁଳେଇ ଚାକୁଳେଇ ଖାଇନେଉଥିଲା ମହନା । ସେଇଥିପାଇଁ ପିଲାଏ ଏଡ଼େ ଘରର ପିଲାପରି ଦିଶୁନଥିଲେ । ଏବେ ଏଇ କେଇଟା ଦିନ ଭିତରେ ଚେହେରା ବଦଳିଗଲାଣି ତାଙ୍କର, ଝଟକିଉଠିଲାଣି ଦେହର ରଙ୍ଗ । ଆଶ୍ଚର୍ଯ୍ୟ, ସବୁ ପିଲାଗୁଡ଼ିକ ତମାଳପରି ସୁନ୍ଦର । କେହି ମାନନ୍ତିନି ସୁଚରିତା କୋଳରେ ।

 

ଯାହାବି ହେଉ, ମାଆ ମନ ତ ପିଲାଙ୍କ ସ୍ୱାସ୍ଥ୍ୟ ଆଖିରେ ପଡ଼ିଛି ସୁଚରିତାର । ଦିନେ ଦେଖିବନି ଆଉ ପିଲାଙ୍କ ଦେହରେ ମଇଳା ଜାମା ବା ତାଙ୍କର ଅଲରା ମଥା । ଘରସାରା ଚରକୀପରି ଘୂରିବୁଲୁଛି ମାଧବୀ ।

 

ସୁଚରିତାର ନିଦର ସୁଯୋଗ ନେଇ ତମାଳ ବହୁ ସମୟ ବସିରହେ ବାରଣ୍ଡା ଜାଫ୍ରିରେ ଆଖିରଖି ମାଧବୀକୁ ଲୁଚେ ଦେଖିବା ପାଇଁ । ମାଧବୀର ରୂପୋଜ୍ଜ୍ୱଳ ମୁହଁ ସ୍ୱପ୍ନ ଜଗାଏ ତମାଳର ଆବେଗଭରା ମନରେ । ମାଧବୀ ରହିଯାଇଛି ଜଳର କଇଁ ହୋଇ । ଆଉ ସେ ? ବି ରହିଗଲା ଆକାଶର ଚାନ୍ଦ ହୋଇ, ପିଲାଙ୍କର ନିଟୋଳ ହୋଇଆସୁଥିବା ଦେହରେ ହାତ ବୁଲାଇ ମାଧବୀକୁ ସେ ଅନୁଭବ କରେ ।

 

ଅନୁଭବ କରେ ସୁଚରିତା ମଧ୍ୟ । ଦିନେ ଗେହ୍ଲାଳିଆ ସ୍ୱରରେ କହିଉଠିଲା—ଯାହା କହ, ମାଧବୀ ତୁମର ଦେଖିଲା ପରି, ଅନୁଭବ କଲା ପରି । ଲକ୍ଷରେ ଗୋଟିଏ ତୁମର ମାଧବୀ । ତା’ପରେ କହିଲା—ମୋ ପିଲେ ଯେତେହେଲେ ତାର ଶତ୍ରୁ । ସେ କାହିଁକି ଏତେ କରୁଛି ମୋ ପିଲାଙ୍କ ପାଇଁ ? ପରେ ପୁଣି କିଛି ଅନିଷ୍ଟ କରିବ ନାଇଁ ତ ? ତୁମେ ଭଲକରି ଜାଣ ତ ତୁମର ମାଧବୀକୁ ? ଏଁ ।

 

ଖଟରେ ଶୋଇ ଗୋଟିଏ ବହିରେ ଆଖି ବୁଲାଉଥିଲା ତମାଳ । ରିତା ଅନ୍ୟ କିଛି କଥା କହିଥିଲେ ସେ କାନଦିଅନ୍ତାନି; କିନ୍ତୁ ଯେ ଏ ମାଧବୀ କଥା । ତେଣୁ ସୁଚରିତାର ପ୍ରତିଟି କଥା ଯାଇଛି ତା କାନକୁ । ଘୃଣା ଆଉ କ୍ରୋଧରେ ସର୍ବାଙ୍ଗ ଶିର ଶିର ହୋଇଉଠିଲା ତାର । ସେ ଗମ୍ଭୀର ଗଳାରେ କହିଲା—ପିଲାଙ୍କ ପାଇଁ ଯାହା ଯେତେ କରୁଛି ମାଧବୀ, ସେ କଣ ତୁମ ପିଲା ଭାବି କରୁଛି ? ନା ମୋ ପିଲା ଭାବି କରୁଛି ? ସେ କରୁଛି ଏ ଘରର ବଂଶଧରମାନଙ୍କର । ତେବେ ତମ ମନରେ ଯଦି ସନ୍ଦେହ ଆସୁଛି, ତମେ ଛାଡ଼ୁଚ କାହିଁକି ପିଲାଙ୍କୁ ତା ପାଖକୁ ! ସଫା ସଫା ମନା କରିଦେଉନ—ନା ତୁମେ କିଛି କରନି ମୋ ପିଲାଙ୍କର । ତାକୁ ଗୋଟିଏ କଥା ଥରେ କହିଲେ ଯଥେଷ୍ଟ ହେବ ଯେ !

 

ଆଖିକୋଣରେ ସୁଚରିତା ଚାହିଁଲା ତମାଳର ମୁହଁକୁ । କହିଲା—ଏକାଘରେ ରହି ଏମିତି କଣ ଅଲଗା କରି ରଖିହୁଏ ? ସେଥିରେ ହୁଏତ ମନରେ ତାର ସତସତକା ଆସିବ । ଗୋଟାଏ ଅନିଷ୍ଟ ଚିନ୍ତା—ନା କଣ କହୁଚ ? ଆଚ୍ଛା, ତୁମ ସହିତ ତାର ଦେଖାହେଲାଣି ନା ? କେମିତି ବ୍ୟବହାର କରେ ?

 

ତମାଳର ଏଥର ଛାତି ଉପରେ ବହିଟା ରଖି ସିଧା ଚାହିଁଲା ସୁଚରିତାର ମୁହଁକୁ । ସୁଚରିତାର ଓଠ କୋଣରେ ଝଲକି ଉଠିଛି ବିଦ୍ରୂପମିଶା କ୍ଷୀଣ ଗୋଟିଏ ହାସ୍ୟରେଖା । କାହିଁକି ଏ ହସ ! ଦେଖିଛିକି ସିଏ ତାକୁ ଯାଇ ମାଧବୀ ଦୁଆରେ ଧାରଣା ଦେବାର ! ନା ତ ! ଗଲାବେଳେ ଓ ଫେରିଆସି ସେ ଦେଖେ ନିଦରେ ଅଚେତ ସୁଚରିତାକୁ, ତେବେ ! ନା—ଅସମ୍ଭବ, ଅନ୍ଧାରରେ ବାଡ଼ିବୁଲାଉଛି ସୁଚରିତା ।

 

ତେଣୁ ଗମ୍ଭୀର ଗଳାରେ କହିଲା—ତା ସାଥିରେ ମୋର ଦେଖାହୁଏ କି ନ ହୁଏ ସେ କଥା ଚିନ୍ତା କରି ଯେଉଁ କଥାକୁ ଡରିମରୁଚ, ସେଇ କଥାର ସମାଧାନ ଖୋଜି ମର, ମର !

 

ସର୍ବାଙ୍ଗରେ ନିଆଁ ଧରିଗଲା ସୁଚରିତାର । ରାଗ ଅଭିମାନରେ ଫୁଲିଉଠି କହିଲା—ତମ ଛୁଆ ମଲେ କି ଗଲେ ସେଥିରେ ମୋର କିଛି ଯାଏ-ଆସେନି । ତମେ ଯେ ମୋ ମନକୁ ତଉଲିବାକୁ ଯାଇ ଭାବୁଛ ମୋ ମନର ଡରଲାଗି ମୁଁ ପିଲାଙ୍କୁ ଧରି ବାପଘର ପଳାଇବି, ଆଉ ମାଧବୀକି ନେଇ ତମେ ରାସ ରଚିବ, ସେ କଥା କଦାପି ହେଲେ ହେବନି । ଚୁଲିକି ଯାନ୍ତୁ ତମ ପିଲେ । ଗୋଟେ ପାଦ ବି ଏ ଘରୁ ମୁଁ କୁଆଡ଼ିକି ଯିବିନି ।

 

ରାଗିବାକୁ ଯାଇ ବି ହସିପକାଇଲା ତମାଳ । ତଥାପି କଣ୍ଠରେ ବିଦ୍ରୂପ ଭରି କହିଲା—ଆହା କି ଆଦର୍ଶ ମାଆଗୋ ତମେ । ଜଣେ ଆସି ପିଲାଙ୍କୁ ବିଷ ଖୋଇବାକୁ ବସିଲାଣି, ଆଉ ତୁମେ ବସିଥାଅ ଗଇଁଠାଳ ବାନ୍ଧି ।

 

ଦାନ୍ତରେ ଦାନ୍ତ ଚାପି ସୁଚରିତା କହିଲା—ମୁଁ କହିଲି ପିଲାଙ୍କୁ ବିଷ ଦିଆହେଉଛି ବୋଲି-?

 

ବହିରେ ପୁଣି ଆଖି ରଖୁ ରଖୁ ତମାଳ କହିଲା—ତମେ କଣ କହିଲ ନକହିଲ ସେ କଥା ତମେଇ ଜାଣ ମୋର କିନ୍ତୁ କିଛି ମାତ୍ର ଆଗ୍ରହ ନାହିଁ ତୁମ କଥା ଜାଣିବାକୁ ।

 

କ୍ରୋଧ କମ୍ପିତ ଗଳାରେ ସୁଚରିତା କହିଉଠିଲା—କେବେ ମୋର କଣ ଜାଣିବାକୁ ଚାହିଁଛ ଯେ ଆଜି ଜାଣିବ ! ଆଜି ତ ସହଜେ ପିତାଲାଗୁଛି ମୁଁ ।

 

ବହିଟାକୁ ଟିପୟ ଉପରେ ଫୋପାଡ଼ିଦେଇ ଶୋଇବାର ଚେଷ୍ଟାକରିଥିଲା ତମାଳ । ଆହତ ନାଗୁଣୀ ପରି ଅନେକ ସମୟଧରି ସଁ ସଁ ହୋଇଥିଲା ସୁଚରିତା; ତା’ପରେ ନୀରବରେ କାନ୍ଦିଥିଲା ଫୁଲି ଫୁଲି ।

 

ସୁଚରିତା ଲାଗି ମନ ଗୋଳେଇ ହୋଇଥିଲା ତମାଳର । କଡ଼ ଲେଉଟାଇ ଅନେକ ସମୟପରେ ଅନେକ ଚେଷ୍ଟାକରି ଶାନ୍ତକରିଥିଲା ସୁଚରିତାକୁ ।

 

ସେଇ ଘଟଣାର ପରଦିନ ସକାଳେ ମାଧବୀ ଠିଆହୋଇଛି ପିଲାଙ୍କ ଖାଇବା ପାଖରେ-। ସବୁଦିନ ପରି ଜାଫ୍ରିରେ ଆଖିରଖି ବସିରହିଛି ଆନମନା ତମାଳ । ବଡ଼ ଆଉ ମଝି ଅଗଣାରେ ମଝିରେ ଥିବା ଦୁଆର ଠେଲି ଝଡ଼ପରି ମାଡ଼ିଆସିଲା ପରାଗ । ପରାଗ ଅବିକଳ ତମାଳର କାର୍ବନ କପି । ଅବାକ୍‌ ଆଖିରେ ମାଧବୀ ଚାହିଁରହିଲା ପରାଗ ଆଡ଼କୁ । ମଝି ଦୁଆରେ ଠିଆହୋଇଛନ୍ତି ମଝିଆଁ ଖୁଡ଼ୀ । ମୁହଁରେ ଲୁଗା ଚାପି ରଖିଥିଲେ ବି ସେ ଯେ ହସୁଛନ୍ତି, ଏକଥା ଜଣାଯାଉଛି ତାଙ୍କର ମୁହଁ ଦେଖି ।

 

ଚାରୁଲତା ଦାନ୍ତ ଘଷୁଥିଲେ ଅଗଣାରେ ଥିବା କଳପାଖରେ । ସେଇ ଆଡ଼କୁ ଆଖି ପଡ଼ିଲା ପରାଗର—ଧାଇଁଯାଇ ବୁଢ଼ୀଙ୍କର ପାଦତଳେ ମଥା ଛୁଆଇଁଲା ସିଏ ।

 

ଆହତ ଗଳାରେ ଚାରୁଲତା କହିଲେ—

 

ଏ ଅଗଣାକୁ ଆସିଲୁ ତୁ ପରାଗ !! ଭାଉଜକୁ ପାଇ ଏତେ ଦିନରେ ବଡ଼ମା’କୁ ତୋର ତୁ କ୍ଷମାକଲୁ ?

 

ଅପରାଧୀ ଗଳାରେ ପରାଗ କହିଉଠିଲା—ଏମିତି କୁହନି ବଡ଼ମା ! ଖାଲି ଭାଉଜଙ୍କ ଲାଗି ମନଟା ଗୋଳେଇହୁଏ ବୋଲି....

 

ମୁଦିଲା ଓଠଧାରରେ ହସ ଆଉ ଆଖିରେ ବିସ୍ମୟ ନେଇଁ ଠିଆହୋଇ ରହିଛି ମାଧବୀ । ଛାତିର ସମୁଦ୍ରପନ୍ତାରେ ଗଡ଼ିଗଡ଼ି ଘୂରି ବୁଲୁଛି କେତୋଟି ସ୍ମୃତିର ବାଲିଗରଡ଼ା । କେଡ଼ୁଟିଏ ହୋଇଗଲେଣି ପରାଗ ! ଆଖି ନ ଟେକିଲେ, ମୁହଁ ଦିଶୁନି ତାର ।

 

ଓଠରେ ହସର ଫୁଲଝରି ଜାଳି ପାଖକୁ ଆଗେଇ ଆସିଲା ପରାଗ । ମାଧବୀ ଆଖିରେ ଆଖି ରଖି କ୍ଷଣେ ଠିଆହେଲା ସିଏ । ଆଖିରେ ପଲକ ପଡ଼ୁନି ମାଧବୀର । ଦେହ ନୁଆଁଇ ପରାଗ ନିଜର ମଥାଟି ଲୋଟାଇଦେଲା ମାଧବୀର ପାଦତଳେ ।

 

ଦୁଇ ପାଦ ପଛାଇଯାଇ ମାଧବୀ ଝୁଙ୍କିପଡ଼ିଲା ପରାଗର ମଥା ଉପରକୁ । ତାର ବହଳିଆ କେଶରେ ମୁହଁ ଲଗାଇ ସଜଳ ହେଲା ମାଧବୀର ଆଖିପତା । ହାତ ଧରି ପରାଗକୁ ଉଠାଇଦେଲା ତଳୁ । ଏ ଦୃଶ୍ୟ ଦେଖି ଆଖିରୁ ଲୁହ ପୋଛିଲେ ଚାରୁଲତା ଓ ନିରୁପମା ।

 

ଉଠି ଠିଆହେଲା ପରାଗ । ଗଳାରେ ଅଭିମାନ ଭରି କହିଲା—ତୁମେ ଏମିତି ଭାବରେ କାହିଁକି ଆସିଲ ଭାଉଜ ? କାହିଁକି ତୁମେ ଜାଣିପାରିଲନି ଯେ ମୁଁ ତୁମକୁ କେତେ ମନେରଖିଛି ବୋଲି । ଏଇତ ଦେଇଆସିଲି ଫାଇନାଲ ପରୀକ୍ଷା । ଆସନ୍ତା ବର୍ଷକୁ ନିଜେ ଯାଇ ତୁମକୁ ସାଥିରେ ନେଇଆସିଥାଆନ୍ତି । କେତେ ଥିଲା ମୋର କଳ୍ପନାଜଳ୍ପନା—ସବୁ ତୁମେ ଭାଙ୍ଗିଦେଲ ।

 

ଆଖିର ଲୁହ ଶାଢ଼ିର ଅଞ୍ଚଳରେ ପୋଛି ନେଉନେଉ ମାଧବୀ ରୁଦ୍ଧଗଳାରେ କହିଲା—ଆସିବାକୁ ବାଧ୍ୟ ହେଲି ଯେ, କଣ ଆଉ କରିଥାଆନ୍ତି କୁହ ?

 

ବାଧ୍ୟ ହେଲ ! ଏଇ କଥାଟି ପଚାରିବାକୁ ଯାଇ ବି ପଚାରିଲାନି ପରାଗ, ଏଇ ମୁହୂର୍ତ୍ତରେ କଥା ବଢ଼ାଇବାକୁ ଇଚ୍ଛା ତାର ନାହିଁ । କହିଲା—ଭାଉଜ, ମତେ ଆଜି ଡାକୁଛ ତ ସାଥିରେ ଖାଇବାକୁ ?

 

ତା କଥାର ଉତ୍ତର ଦେଲେ ଚାରୁଲତା, କହିଲେ—ଡାକିବରେ, ଡାକିବ । ଘରେ ତୁ ଅଛୁ, ଆଉ ତତେ ସିଏ ସାଥିରେ ଖୁଆଇବନି ? ଯା, ଲୁଗାପଟା ପାଲଟିପକା ।

 

ଯିବାକୁ ପାଦବଢ଼ାଇ ବି ଥମକି ଠିଆହେଲା ପରାଗ । ମୁଣ୍ଡଟେକି ଚାହିଁଲା ଉପରକୁ । ଡକାପକାଇଲା—ହେ ସାନଭାଉଜ... ଉଠିଲେଣି ନା ନାହିଁ ଯେ ?

 

ସତରେ ଉଠିନି ସୁଚରିତା । ପାଟିକରୁଛି ପରାଗ । ଏଇଥର ହୁଏତ ଉଠିପଡ଼ିପାରେ ସୁଚରିତା । ଚଞ୍ଚଳ ପାଦରେ ଘର ଭିତରକୁ ପଳାଇଗଲା ତମାଳ ।

 

ପରାଗ ଲାଗି ମନରେ ତାର ହିଂସା ଜନ୍ମୁଛି । ସମସ୍ତେ ପାଉଛନ୍ତି ମାଧବୀର ସାନ୍ନିଧ୍ୟ—ଏକମାତ୍ର ତାକୁଇ ଛାଡ଼ି । ସମସ୍ତଙ୍କୁ ବି ମାଧବୀ ଗ୍ରହଣକରୁଛି, ଅନ୍ତରରେ ଆବେଗ ଭରି—ଖାଲି ତାକୁଇ ଛାଡ଼ି । ହଁ, ଏହାହିଁ ତ ସ୍ୱାଭାବିକ କଥା । ରାଗ ଅଭିମାନ କରିହୁଏ କେବଳ ଗୋଟିଏ ଲୋକ ଉପରେ । ମାଧବୀର ସେଇ ଲୋକ ସିଏ ।

 

ନିଜ ଭିତରକୁ ନିରେଖି ଚାହିଁଲା ତମାଳ । ତାର ହଠାତ୍‌ ମନେହେଲା—ନା ନା, ସେ ଲୋକ ସେ ନୁହେଁ । ସେ ଲୋକ ହେଲାପରି ତାର କୌଣସି ଯୋଗ୍ୟତା ନାହିଁ । ତା’ ଭିତରେ ଆଜିକାର ବ୍ୟାକୁଳତା ଦେଖି ମାଧବୀ ବଡ଼ ଜୋର୍‌ ଟିକିଏ କରୁଣାମିଶା ଆଖିରେ ଚାହିଁପାରେ । ନ ହେଲେ ମୁହୂର୍ତ୍ତକଲାଗି ଟିକିଏ ଉଦାସ ଆଖିମେଲି ତା’ ଆଡ଼େ ଚାହିଁ ମୁହଁଟା ଫେରାଇନେଇପାରେ-। ଆଉ, ଆଉ କିଛି ନୁହେଁ । ମାଧବୀ ମନରେ ସେ ଏତେ ଟିକିଏ ବି ଗାର ପକାଇପାରିନି-। ସେଇ କଥାଟା ସେଦିନ ରାତିରେ ଜଣାଇଦେଇଛି ମାଧବୀ, ନିଷ୍ଠୁର ମାଧବୀ, କାମନାଶୂନ୍ୟ ଜଡ଼ ମାଧବୀ ।

 

ଦୁଇହାତ ପାପୁଲିରେ ମୁହଁ ଢାଙ୍କିଲା ତମାଳ । ସୁଚରିତା ଭଲ, ଅନେକ ଭଲ, ତାକୁ ଭଲପାଏ । ତା ଭିତର ଭଲପାଇବାକୁ ବି ଆଦାୟ କରିନିଏ ସୁଚରିତା । ରାଗ ଅଭିମାନ କରି ତାର ମଦଖାଇବା ଛଡ଼ାଇ ନେଇଛି ସୁଚରିତା । ମାଧବୀପରି ଭୟ ବିହ୍ୱଳ ଆଖିକୁ ଦରମୁକୁଳିତ କରି ସହିଯାଇନି ତାର ଅମନୋତୀତ ପୁରୁଷକୁ । ସହିଯାଇ ମନ ଭିତରେ ପୋଷିରଖିନି ଅଭିମାନ । ସୁଚରିତାର ଘୁମନ୍ତ ଓଠରେ ଓଠ ଛୁଆଁଇଲା ତମାଳ । ଧୀରେ ଧୀରେ ଆଖିମେଲି ସୁଚରିତା ଚାହିଁଲା ସ୍ୱାମୀର ଆବେଗଭରା ମୁହଁଟିକି । ମିଠା ହସି, ଦୁଇ ଆଖିପତାରେ ଆବେଗଭରି ପୁଣି ଆଖି ମୁଦିଦେଲା ସୁଚରିତା ।

 

 

ମନଟା ଭଲଲାଗୁନି ଏବେ ମହନାର । ତାର ସବୁବେଳେ ମନେହେଉଛି ଚାନ୍ଦଟା କେମିତି ଯେମିତି ବଦଳିଯାଉଛି । ଆଗେ ଯାହା ହେଲେ ଟିକିଏ ପାଖରେ ବସି ସୁଖ–ଦୁଃଖ ହେଉଥିଲା । ଏବେ କେମିତି ଗୋଟାଏ ବେଖାତିରିଆ ଭାବ ଫୁଟିଦିଶୁଛି ତା ଭିତରୁ । ବଡ଼ମା’ ଟିକିଏ ବେଶି ଭଲପାଉଛନ୍ତି ବୋଲି ବେଶି ଉତୁରୁଛି । ସେଇ ସବୁ କଥା ଭାବୁ ଭାବୁ ମହନା ବ୍ୟସ୍ତ ହୋଇପଡ଼ିଲା । ଶେଷକୁ ଗୋଟାଏ ସିଦ୍ଧାନ୍ତରେ ପହଞ୍ଚି ପାଦ ପାଦ କରି ଆଗେଇ ଗଲା ରୋଷେଇଘର ଆଡ଼କୁ । ବସିପଡ଼ିଲା ବାହାରପଟ ପିଣ୍ଡାରେ । ତାକୁ ଥରେ ଚାହିଁଦେଇ ପଚାରିଲା ମାଧବୀ–ମତେ କିଛି କହିବ କି ମହନା ? ମୁଣ୍ଡକୁ ଥରେ ପଛକୁ ଥରେ ଆଗକୁ ଆଣି ଲହରେଇ ହସିଲା ମହନା ।

 

ତା’ପରେ ଉଚ୍ଛ୍ୱସିତ କଣ୍ଠରେ କହିଉଠିଲା—ସାକ୍ଷାତ୍‌ ଲକ୍ଷ୍ମୀ ଠାକୁରାଣୀ । ଉଡ଼ିଗଲା ଚଢ଼େଇର ତ ପର ଗଣିଦେବେ । ମୁହଁ ଦେଖି ପେଟକଥା ତ ବୁଝିବେ । ତା’ପରେ ଫିସ୍‌ ଫିସ୍‌ ଗଳାରେ କହିଲା—ବଡ଼ ନାନୀଗୋ, ମୁଁ ସଫା ଜାଣିପାରୁଛି ଚାନ୍ଦଟି ତମ ପାଖରେ ରହିପାରିଲେ ତମେ ଭାରି ଖୁସିହେବ, ନାଇଁ ?

 

ମାଧବୀ ମୁଣ୍ଡ ବଙ୍କେଇ ଚାହିଁଲା ମହନା ମୁହଁକୁ । ଛାତିର ଗାମୁଛାଟିକୁ ସଜାଡ଼ୁ ସଜାଡ଼ୁ ତଳକୁ ଆଖି ନୁଆଇ ପୁଣି କଥା ଆରମ୍ଭ କଲା ମହନା । ରହି ରହି କହିଲା—ମୁଁ ଯାହା କହିଲି ସତ ନା ବଡ଼ନାନୀ ? ମସଲାରେ ଆଳୁ କଷୁ କଷୁ ମାଧବୀ କହିଲା—ହଁ, ଏକଥା ସତ । ପିଲାଦିନୁ ସେ ଏଇ ଘରେ ଅଛି ନା, ତେଣୁ ତା ଉପରେ ଆମର ସମସ୍ତିଙ୍କର ଭାରି ଲୋଭ ।

 

ମହନା ଧୀର ସ୍ୱରରେ କହିଲା—ନାନୀ ମ, ଦୁନିଆରେ ମୋର କେହି ନାହିଁ । ବାଡ଼ି ଗୋବରେ ଗୋବେ ମାଟି ନାହିଁ ଯେ କେବେ ରାଗିରୁଷି ପଳେଇବି । ଏଇଠି ବିତିଯିବ ମୋର ଜୀବନକାଳଟା । କୁଆଡ଼େ ଆଉ ଯିବି ? ମୁଁ ଗୌଡ଼ପିଲା । ଚାନ୍ଦର ଜାତି ଯାହା ମୋ ଜାତି ବି ସେଇୟା । ସେଇଥିପାଇଁ କଉଥିଲିକି.... ଚାନ୍ଦକୁ ବି ଆଉ କୁଆଡ଼କୁ ଯିବାକୁ ପଡ଼ିବନି ।

 

ମାଧବୀ ଚାହିଁଲା ମହନାର ସ୍ୱପ୍ନଭରା ମୁହଁଟିକୁ । ଇଏ କି ଆଶା ମନରେ ପୋଷିରଖିଛି ଲୋକଟା ! ଇଏ ଆଉ ଚାନ୍ଦ !! ୟା ହାତରେ ଚାନ୍ଦକୁ ଦେଇ ତାକୁ ନଈପାଣିକୁ କିଏ ଫୋପାଡ଼ି ଦେଇ ପାରିବ ? ନିଜର ଭଲମନ୍ଦ କେଉଁଦିନ ହେଲେ ମଣିଷ ବୁଝିପାରେନି । ତେଣୁ ନିଜକୁ ବୁଝି ପାରୁନି ମହନା । ସବୁ ମଣିଷ ଭିତରେ ଥାଏ ଆଶା—ସ୍ୱପ୍ନ, ଘର ବାନ୍ଧିବାର ନିଶା, ସେଥିରୁ ବାଦ୍‌ଯିବ କେମିତି ମହନା ?

 

ସଜଳ ହୋଇଉଠିଲା ମାଧବୀର ମନଟା, ଅନ୍ୟଆଡ଼େ ମୁହଁ ବୁଲେଇନେଇ ମାଧବୀ ଉଦାସ ଗଳାରେ କହିଲା—ବେଶ୍‌ତ, ଏଥିରେ ଆଉ ଭାବିବାର କଣ ଅଛି ? ଭଲହେବ । ତେବେ ମୋରି କଥା ତ ଶେଷକଥା ନୁହେଁ । ବାବୁ ଅଛନ୍ତି, ବୁଢ଼ୀ ସାଆନ୍ତାଣୀ ଅଛନ୍ତି । ସେମାନଙ୍କୁ ପଚାରିବାକୁ ହେବ ।

 

ଭାରି ଆଉ ଲାଲ ହୋଇଗଲା ମହନାର ମୁହଁଟା, କହିଲା—ବଡ଼ନାନୀ, ମୁଁ ମୂରୁଖଟେ ସତ; ହେଲେ ଏତିକି ବୁଝିଛି ଯେ ଏ ଘରେ ତୁମ କଥା ତଳେ ପଡ଼ିବାର ନୁହେଁ । ତୁମ ମୁହଁର ପଦେ କଥାରେ ଜୋଇଁବାବୁ ମୁଣ୍ଡ ଟୁଙ୍ଗାରିବେ । ଆଉ ବୁଢ଼ୀସାଆନ୍ତାଣୀ ତ ସହଜେ....

 

ଜୋଇଁବାବୁ ତା’ କଥାରେ ସାଙ୍ଗେ ସାଙ୍ଗେ ମୁଣ୍ଡ ଟୁଙ୍ଗାରିବେ ! ବିସ୍ମୟରେ ମହନା ମୁହଁକୁ କ୍ଷଣେ ଚାହିଁଲା ମାଧବୀ । ଲାଜରେ ଲାଜ ହୋଇଗଲା ତାର ମୁହଁଟି । ମୁହୂର୍ତ୍ତକେ ମଥାକୁ ତଳକୁ ନୁଆଁଇ ନେଲା ସିଏ ।

 

ଏହି ସମୟରେ ଚାରୁଲତା ଆସି ଦେଖାଦେଲେ ଦୁଆରମୁହଁରେ । ତାକୁ ଦେଖିକରି ପିଣ୍ଡାରୁ ଉଠିଆସିଲା ଅନାଦି । ହାତଯୋଡ଼ି ଗୋଟିଏ ନାଟକୀୟ ଭଙ୍ଗିରେ କହିଲା—ଦିହଟା ମୋରଭାରି ଖରାପେ ହେଇଯାଇଛି ସାଆନ୍ତାଣୀ ! ଏ ପାହାନ୍ତିଆରୁ ଉଠିବା ମତେ ଆଉ ଆରଉନି-। ଆଉ ବୋହୁ ସାଆନ୍ତାଣୀ ତ ଦିନରାତି ରୋଷେଇଘରେ ପଶିଲେ—ମୁଁ ଆଉ କାହିଁକି ଏଠି ରହିବି-? ଏଥର ମତେ ବିଦା କରିଦିଅନ୍ତୁ ।

 

ଚାରୁଲତା ଥରେ ଚାହିଁଲେ ମାଧବୀ ମୁହଁକୁ । ଆଉ ଥରେ ଚାହିଁଲେ ଅନାଦି ମୁହଁକୁ । ଘର ଭିତରୁ ଶାନ୍ତପାଦରେ ବାହାରିଆସି ମାଧବୀ ଠିଆହେଲା ଦୁଆରବନ୍ଧ ଧରି । ନିର୍ଲିପ୍ତ ଗଳାରେ ଧୀରେ ଧୀରେ କହିଲା—

 

ବାରଟା ବାଜିଲା । ଯାଅ, ଗାଧୋଇ ଆସି ଭାତଗଣ୍ଡାଏ ଖାଇଦେଇ ବାହାରିପଡ଼ । ପାଞ୍ଚ ମିନିଟରେ ତମର ଟଙ୍କା ପଇସା ମୁଁ ହିସାବ କରି କାଢ଼ି ରଖୁଛି, ଯାଅ !

 

ଦବିଗଲା ଅନାଦିର ଛାତିଟା । ଏ ଘରେ କାମର ସୀମା ନାହିଁ; ଅଥଚ କେଡ଼େ ନିର୍ଭୟରେ ବୋହୂ ସାଆନ୍ତାଣୀ ତାକୁ ଅନୁମତି ଦେଇଦେଲେ ଚାଲିଯିବା ପାଇଁ । ହଁ, ଦଶଠା କରି ଯିଏ ବାରଟା ଆଗରୁ ବାଢ଼ିଦେଉଛନ୍ତି, ସେ କଣ ଆଉ ଟିକକୁ ହଟିଯିବେ !!

 

ଏଠିକା ପରି ଖାଇବା, ଦରମା, ଆଉ ଅନ୍ୟାନ୍ୟ ସୁବିଧା କୋଉଠି ସିଏ ପାଇବ ? ଏ ଘର ଛାଡ଼ିଗଲେ, ସେ ଚଳିବ କେମିତି ? କିଛି ସମୟ ଚୁପ୍‌ ରହିବା ପରେ ଜଡ଼ିତ କଣ୍ଠରେ ଅନାଦି କହିଲା—ମୁଁ ତା’ହେଲେ ଚାଲିଯିବି ?

 

ମାଧବୀ ଅଗଣାରେ ଆଖି ରଖି ସେମିତି ଶାନ୍ତଗଳାରେ କହିଲା—ହଁ, ତୁମକୁ ଯିବାକୁ ହେବ ଅନାଦି, ତୁମ କାମ ମୋର ମନକୁ ପାଉନି । ଭଲ ହେଲା, ତୁମେ ନିଜେ ବାହାରିଛ ।

 

ମୁଣ୍ଡ ନୁଆଇଁ ସେଠୁ ଚାଲିଗଲା ଅନାଦି । ନିଶ୍ଚିନ୍ତ ମନରେ ମାଧବୀ ବସିଲା ଶାଶୁଙ୍କର ଭାତ ବାଢ଼ିବାକୁ ।

 

ଚାରୁଲତା ଖାଇବସି କହିଲେ—ତାକୁ ତୁ ଏମିତି କହିଲୁ କାହିଁକି ? ସବୁ ତୁ ସମ୍ଭାଳିବୁ ? ରାତି ନ ପାହୁଣୁ ଉଠୁଚୁ ଯେ ଖଟୁଚୁ ଦିନ ଦୁଇଯାଏ । ପୁଣି ସେ ଜଳଖିଆପତ୍ର କରିବାକୁ ହେଲେ, ଆଉ ତୁ ବଞ୍ଚିବୁଟି ?

 

ମାଧବୀ ଶାନ୍ତଭାବରେ କହିଲା—ମୁଁ କଣ ତାକୁ ଯା’ ବୋଲି କହିଥିଲି ? ତାର ଅସୁବିଧା ହେଉଛି—ସେ ଚାଲିଯିବାକୁ ଚାହୁଁଛି । ଆଉ କଣ ତାର ଗୋଡ଼ତଳେ ପଡ଼ିବ ?

 

ଗରଗର ହୋଇ ଚାରୁଲତା କହିଲେ—ମନେ ରଖିଥାଆଲୋ ଝିଅ, ସାନ ତ ଦିନକ ପାଇଁ ବି ଓହ୍ଲାଇ ଆସି କୁଟାଖଣ୍ଡିକୁ ଦିଖଣ୍ଡ କରିବନି; ସବୁ ତତେ କରିବାକୁ ହେବ । କାମ କରୁଥିବୁ, ମଜା ବୁଝୁଥିବୁ ।

 

ଏଥର ଫିକ୍‌କରି ହସିଦେଲା ମାଧବୀ । କହିଲା—ସିଏ ପିଲାଲୋକ, ରୋଷେଇଘରେ ଆସି ଘାଣ୍ଟିହେଉ—ଏ କଥା ମୁଁ କରାଇଦେବି ତାକୁ ? ନା ମ ବୋଉ, ଚାନ୍ଦ ଅଛି ପରା । ସେ ଅନାଦିଠାରୁ ଜଳଖିଆ ତିଆରି, ଅଣ୍ଡାରନ୍ଧା ଶିଖିନେଇଛି । ସେ ମିଶିଗଲେ ମୋର କିଛି ଅସୁବିଧା ହେବନି ।

 

ମାଧବୀର ମନର ଜୋର୍‌, ତାର କାର୍ଯ୍ୟଧାରାକୁ ନିରେଖି ଦେଖୁଥିଲେ ସୁଚରିତା ଆଉ ତମାଳ । ବିସ୍ମୟରେ କୁଞ୍ଚିତ ହୋଇଯାଉଥିଲା ସୁଚରିତାର ଦୁଇ ଆଖିପତା । ତମାଳ ଆଖିରେ ଫୁଟିଉଠୁଛି ଭଲଲାଗିବାର ଏକ ଅବ୍ୟକ୍ତ ଭାବ । ପ୍ରଥମଥର ପାଇଁ ସେମାନେ ଦୁହେଁ ଏକାଠି ହୋଇ ଦେଖୁଥିଲେ ମାଧବୀକୁ ।

 

ଜଣକ ଆଖିରେ ହିଂସାମିଶା ବିସ୍ମୟ । ଅନ୍ୟ ଜଣକର ଆଖିରେ ଭଲଲାଗିବାର ମାୟାଞ୍ଜନ ।

 

 

ସମସ୍ତିଙ୍କ ସାଥିରେ, ସବୁକିଛି ସାଥିରେ ମାଧବୀ ଜଡ଼ାଇଗଲାଣି ଅଚ୍ଛେଦ୍ୟ ବନ୍ଧନରେ । ତଳ ଅଗଣାରୁ ଖୁଡ଼ୀ କିମ୍ୱା କରବୀ କେହି ଆସନ୍ତିନି ଏଇ ଉପର ଅଗଣାକୁ । ସେଇ ଯେ ଘଟଣାଟିଏ ଘଟିଯାଇଥିଲା, ତାକୁଇ ମନରେ ଗଣ୍ଠିକରି ଆଜିଯାଏ ବି ସେମାନେ ମୁହଁ ଆଡ଼େଇ ରହିଛନ୍ତି । ଚାରୁଲତା ବି ଗଲେନି ଖୋସାମତ କରି ଡାକିଆଣିବାକୁ । ମାଧବୀ କିନ୍ତୁ ବ୍ୟସ୍ତ ହୋଇ ପଡ଼ିଥିଲା ସେମାନଙ୍କ ପାଇଁ । ଗଳାରେ ଅନୁନୟ ଭରି ଶାଶୁଙ୍କୁ କହିଥିଲା—ତମେ ନଗଲ ନାହିଁ, ମୁଁ ଟିକିଏ ଯାଉ ବୋଉ ? ରାଗ ଅଭିମାନ କରି ସେମାନେ ଏ ଘରୁ ଦୂରେଇରହିଲେ ନିଜକୁ ବଡ଼ ଅପରାଧୀ ମନେହେଉଛି ମୋର । ଯେତେହେଲେ ସେମାନେ ଆମର ନିଜ ଲୋକ ।

 

ଭ୍ରୂକୁଞ୍ଚିତ କରି ଚାରୁଲତା ଚାହିଁଲେ, ମାଧବୀର ମୁହଁକୁ । କହିଲେ—ତୁ ଦୋଷ କରିଚୁ ?

 

ଚମକିଉଠିଲା ମାଧବୀ, ଟିକିଏ ରହି ଦୃପ୍ତଗଳାରେ କହିଲା— ‘‘ନାଆଁ...’’

 

‘‘ନାଆଁ ! ତେବେ ବଳେ ପଶିଯିବୁ କାହିଁକି ?’’

 

ମାଧବୀ ଧୀରଗଳାରେ କହିଲା—ସେଇଟାଇ ତ ବୋହୂମାନଙ୍କର କର୍ତ୍ତବ୍ୟ । ମଥା ନୁଆଇଁ ଅକାରଣରେ କ୍ଷମାମାଗିବା ସେ ହେଲା କାଳ—କାଳର ବିଧି । ସେଇ ବିଧି ତ ମତେ ବି ରକ୍ଷା କରିବାକୁ ପଡ଼ିବ ବୋଉ ! ଦେଖୁ ଦେଖୁ ଦୁଇ ମାସ ହୋଇଗଲା । ଆଉ ଡେରି କଣ ଭଲ ହେବ ?

 

ଚିନ୍ତିତ ଗଳାରେ ଚାରୁଲତା କହିଲେ—କହୁଚୁ ତ ସବୁ ଠିକ୍‌ କଥା । ହେଲେ, ମତେ ଡର ଲାଗୁଛି । ସାନବୋହୂଟା ବଡ଼ ରାଗୀ । ତା ଅଗଣାରେ ପାଇ ସେ ଯଦି ତତେ ଅପମାନ କରେ-?

 

ମାଧବୀ ଓଠରେ ହସି ଆଙ୍କି କହିଲା—ଖୁଡ଼ୀ, ସେ ତ ମାଆ ସମାନ । ମା’ ଗାଳି ଦାଣ୍ଡ ଧୂଳି । ସେଇ ଗାଳି କଣ ଦେହରେ ମୋର ଲାଗିବ ? ସିଏ ଯାହ କହୁଛନ୍ତି କୁହନ୍ତୁ । ମୁଁ ନିଜେ ନ ଡାକିଲେ ପରା ନିଜକୁ ମତେ ଅପରାଧୀ ପରି ଲାଗୁଛି ।

 

ବୁଢ଼ୀ ଏଥର ଶୁଖିଲା ଗଳାରେ କହିଲେ—ହଉ ଯାଆ....

 

ମାଧବୀ ପାଦ ବଢ଼େଇଲାବେଳକୁ ଚାନ୍ଦ ଆସି କହିଲା—ମା’ ଅନାଦି ମଉସା ପଚାରିଲା, ସେ ସାନ ମାଛଗୁଡ଼ାକରେ କଣ ଆମ୍ୱୁଲ ପଡ଼ିବ ?

 

ମାଧବୀ ତା କଥାରେ ଉତ୍ତର ନଦେଇ ସିଧା ଚାଲିଲା ରୋଷେଇଘରକୁ । ଅନାଦି ମୁହଁକୁ ଚାହିଁ କହିଲା—ଛୋଟମାଛରେ ଆମ୍ୱୁଲ ପଡ଼ିବ କି ନାଇଁ ସେ କଥାବି ପଚାରୁଛ ?

 

ଶଙ୍କିତଗଳାର ଅନାଦି କହିଲା—ନାଇଁ ମା’, ଠିକ୍ ଶୁଣିଲିକି ଭୁଲ ଶୁଣିଲି, ସେଇ ଡରରେ ଥରେ ପଚାରିଦେଲି ।

 

ସତରେ ମାଧବୀକୁ ଏବେ ଡରୁଚି ଅନାଦି । ଯେଉଁଦିନ ଦିନ–ବାରଟାରେ ତାକୁ ବାହାରି ଯିବାପାଇଁ ଆଦେଶ ଦେଲା ମାଧବୀ ସେ ଦିନ ତିନିଟା ପର୍ଯ୍ୟନ୍ତ କୁଆଡ଼େ ଯାଇ ଲୁଚିଲା ଯେ, କେହି ଆଉ ତାର ପତ୍ତା ପାଇଲେନି । ତାର ଭାତ ବାଢ଼ି ମାଧବୀ ଥୋଇଦେଇଥିଲା ରୋଷେଇ ଘରର ଗୋଟାଏ କୋଣକୁ । ତିନିଟାବେଳେ ପାଦ ଚିପି ଚିପି ଆସି ସେଇ ଭାତକୁ ଖାଉଥିଲା ଅନାଦି ।

 

ନିଦରୁ ଉଠି ତାକୁ କଣେଇ ଟିକିଏ ଚାହିଁଥିଲା ମାଧବୀ । ହେଲେ ଠିକ୍‌ ସେଇଦିନ କିଛି ଆଉ ତାକୁ କହିବା ପାଇଁ ଇଚ୍ଛା କରିନି ।

 

ପରଦିନ ସକାଳୁ ଠାକୁରଘରର ସବୁକାମ ସାରି ରୋଷେଇଘରକୁ ଗଲାବେଳେ ଚାହିଁଲା ଆଇଁଷରନ୍ଧା ଜାଗା ଆଡ଼କୁ ।

 

କାନ୍ଥ, ପିଣ୍ଡା, ଚୁଲି ସବୁ ଲିପାପୋଛା ହୋଇ ଦିଶୁଛି ଜକ୍‌ଜକ୍‌ । ଜକ୍‌ଜକ୍‌ ଦିଶୁଚି ରନ୍ଧା ବାସନକୁସନ ମଧ୍ୟ ।

 

ମନେ ମନେ ଖୁସି ହେଲା ମାଧବୀ ।

 

ଅନାଦି ବୁଲିପଡ଼ି ଚାହିଁଲା ମାଧବୀ ମୁହଁକୁ । ହସିଲା ଓଠରେ କହିଲା—

 

ହେଲା ନା ବଡ଼ମା’ ? କାଲି ରାତିରେ ଏ ସବୁ କାମ ସାରି ଶୋଇଲାବେଳକୁ ରାତି ଦୁଇ ବାଜିଗଲା । ଗାଳିଦେଲି । ଭାବିଲି—ସତେ ତ । ନିଜେ ସିଏ ଏ ଘରର ପାଟମହାରାଣୀ ହୋଇ ଖଟୁଛନ୍ତି, ଉଦୟରୁ ଯେ ଅସ୍ତଯାଏ—ଆଉ ଆମେ କି ଛାର ? ସେଉଠୁ ତ ଲାଗି ପଡ଼ିଲି କାମରେ.....

 

ସେଇ ଯେ ଅନାଦି ରହିଗଲା—ରହିଗଲା ସବୁଦିନ ପାଇଁ । ସକାଳୁ ଉଠି ତାକୁ ଦେଖି ଅବଶ୍ୟ ବିସ୍ମୟବୋଧ କରିଥିଲେ ତମାଳ ଆଉ ସୁଚରିତା । ମନେ ମନେ ମାଧବୀର ବ୍ୟକ୍ତିତ୍ୱକୁ ପ୍ରଶଂସା ନକରି ରହିପାରିନି ସୁଚରିତା । ଏସବୁ ଗଲାକଥା ।

 

ଅନାଦିକୁ ମାଛରନ୍ଧା ବିଷୟ କହିସାରି ମାଧବୀ ମଥାରେ ଲୁଗା ଟାଣି ଆଗେଇଗଲା ତଳ ଅଗଣା ଆଡ଼େ । ଥରେ ଭାବିଲା—ଚାନ୍ଦକୁ ନେବକି ସାଥିରେ । ନା ଥାଉ, ଖୁଡ଼ୀ ଯଦି ଶତ ଶତ ଅପମାନ କରନ୍ତି, କହନ୍ତି ଯଦି ତାର ଚରିତ୍ର ନେଇ କିଛି କଥା ! ନା ଥାଉ ଚାନ୍ଦ, ପୁଣି ତାରି ଆଖି କାନ ଆଗରେ କିଛି ଅଘଟଣ ଘଟିବା ଅସୁନ୍ଦର କଥା ।

 

ଏକା ଏକା ଦୁଆର ଖୋଲି ଆର ଅଗଣାକୁ ଚାଲିଗଲା ମାଧବୀ । ଦେଖିଲା ବରଣ୍ଡାରେ ସତରଞ୍ଜି ବିଛାଇ ବସିଛନ୍ତି ଖୁଡ଼ୀ । ପାଖରେ ବସିଛି କରବୀ । କି ଗୋଟାଏ କଥାରେ ହସି ହସି ଲୋଟିପଡ଼ୁଛି ସିଏ । ଆହୁରି ପାଖେଇଗଲା ମାଧବୀ । ଦେଖିଲା ଗୋଟିଏ କୋଣକୁ ଆଉଜି ବସିରହିଛି ସୁଚରିତା । ଅକାରଣରେ ଛାତିଟା ଦବିଗଲା ମାଧବୀର ।

 

ଲେଉଟିଯିବାକୁ ବାଟ ନାହିଁ । ମରଣଠୁ ବଳି ଲଜ୍ଜାର ହେବ ସେଇ କଥାଟା ।

 

ସମସ୍ତେ ମୁହଁରେ ତାର ବୁଲାଇନେଲେ ଆଖି—ମାତ୍ର କେହି କହିଲେନି ବସିବାକୁ ।

 

ପଥରର ମୂର୍ତ୍ତିପରି ଠିଆହୋଇ ରହିଲା ମାଧବୀ । ମୁହଁ ଛାଟି ଗୋଟାଏ ବିଚିତ୍ର ଭଙ୍ଗି କରି ସେଠୁ ଚାଲି ଯାଉ ଯାଉ କରବୀ କହିଲା—ଗାଲକୁ ପଜେଇ ରଖିଥାଆ ଲୋ ବୋଉ !

 

ଲାଲପଡ଼ିଗଲା ମାଧବୀର ଗୋଲାପି ମୁହଁଟା । ତଥାପି ଠିଆହୋଇରହିଲା ସିଏ ଗୋଟାଏ ଅବିଚଳିତ ମନନେଇ । ଶେଷକୁ ରହି ରହି ସୁରମା ଘୁଙ୍ଗୁରା ଗଳାରେ କହିଲେ–କିଲୋ, ବଡ଼ଲୋକର ଝିଅ, ମନେପଡ଼ିଲା କି ଆମ ଦୁଃଖୀ ଗରିବମାନଙ୍କ କଥା ?

 

ମାଧବୀ ସହଜଗଳାରେ କହିଲା—ରାଗ କରନି ଖୁଡ଼ୀ, ତମେ ସବୁ ଯାଉନ ସେପଟକୁ ବୋଲି ମନ ମୋର ଭାରି ଗୋଳେଇଘାଣ୍ଟି ହେଉଛି । ମୁଁ ମୋର ସବୁ ଦୋଷ ମାନିନେଇ ନେହୁରା ହେଉଛି ଖୁଡ଼ୀ ତମେ ଚାଲ ସେପଟ ଅଗଣାକୁ ।

 

ଖୁଡ଼ୀ ଶୁଖିଲାଗଳାରେ କହିଲେ—ସେ ଘର ଅଗଣାର ମାଲିକ ତୁ ହୋଇଗଲୁଣି କି ? ଭାରି ତ ସେ ଅଗଣାକୁ ଡାକୁଚୁ ଆସି ?

 

ଦୁଃଖିତ ଗଳାରେ ମାଧବୀ କହିଲା—ସେ କଥା କହୁଚ କାହିଁକି ଖୁଡ଼ୀ ? ମାଲିକାନି ଦେଖାଇବାର କି ଅଧିକାର ଅଛି ମୋର ? ଅସଲ କଥା, ଦୋଷ ମୁଁ କରିଛି । ତେଣୁ କ୍ଷମା ବି ମୁଁ ମାଗିବାକୁ ଆସିଛି । ମୋରି ଉପରେ ଦୁଃଖ କରି ତମେ ସେ ଅଗଣାକୁ ଯାଉନ । ତେଣୁ ମୁଁ ଆସିଲି ଡାକିବାକୁ ।

 

ସୁରମା ଉଷୁମଗଳାରେ କହିଲେ—ହଁ ମା’ ବୁଝିଲି । କଥା କହିବାର ଢଙ୍ଗ ତତେ ଜଣା, ଏଇ କଥାରେ ତ ତୁ ମୋହିନେଲୁ ବୁଢ଼ୀଙ୍କର ମନ । ନହେଲେ—ଯୋଉ....

 

ପୁଣି ଲାଲପଡ଼ିଗଲା ମାଧବୀର ମୁହଁଟି । ସେ ସ୍ପଷ୍ଟ ବୁଝିପାରିଲା କେଉଁ କଥାଟି ଉହ୍ୟ ରହିଗଲା ଖୁଡ଼ୀଙ୍କ ଗଳା ଭିତରେ । ଆଖିରେ ତାର ପାଣି ଜମିଆସିଲା; କହିଲା—

 

ତୁମେ ତେବେ ଯିବନି ଖୁଡ଼ୀ ?

 

ସୁରମା ଓଜନିଆ ଗଳାରେ କହିଲେ—ମଲା, ଆଜି ଯାଉନି ବୋଲି କଣ କେବେ ଯିବନି ! ସେ ମୋର ଝିଆରୀଘରଟି !

 

ଆଖିକୋଣରେ ମାଧବୀ ଚାହିଁଲା ସୁଚରିତାର ମୁହଁକୁ । ପରିସ୍ଥିତିକୁ ଭାରି ମନଦେଇ ଉପଭୋଗ କରୁଛି ସୁଚରିତା । ମୁହଁରେ ତାର ଫୁଟିଉଠୁଛି ଚାପା ଆନନ୍ଦର ଗୋଟିଏ ବିଚିତ୍ର ଭାବ । ମନେ ମନେ ବ୍ୟଥିତ ହେଲା ମାଧବୀ । ପାଖଘରେ ଅଛି କରବୀ । ସେଇ ଘରେ ଯାଇ ଠିଆହେଲା ମାଧବୀ । କରୁଣ ହସି ଚାହିଁଲା କରବୀର ମୁହଁକୁ । ନୋଇଁଲା ମୁହଁଟା ଥମ୍‌ଥମ୍‌ ହୋଇଗଲା କରବୀର ।

 

ମାଧବୀ ମୃଦୁଗଳାରେ କହିଲା—ମୋ ଉପରେ ରାଗିଛ କରବୀ ? ଚାହଁ, ମୋ ମୁହଁକୁ ଚାହଁ, ଦେଖ ତମମାନଙ୍କୁ ପାଖରେ ନପାଇ କେତେ ମୁଁ ଦୁଃଖ କରୁଛି ।

 

ନାଗୁଣୀ ପରି ବୁଲିପଡ଼ିଲା କରବୀ । ଦାନ୍ତରେ ଦାନ୍ତ ଚିପି କହିଲା—ତମେ ଏମିତି କଥାବାର୍ତ୍ତା କରୁଚ ସତେ କି ତମେ ଏ ଘରର ସବୁକିଛି । ତମର ଦୁଃଖ, ତମର ମନ—ତୁମକୁ କିଛିମାତ୍ର ମୂଲ୍ୟ ଦେଉନୁ ଆମେ । ଓଲଟି ଏଇନେ ବଡ଼ ଲୋଭ ହେଉଛି ଯେ ତମ....

 

କରବୀର ଅସମାପ୍ତ କଥାକୁ ପୂରଣ କରି ମାଧବୀ କହିଲା—ମୋ ଗାଲରେ ଠାଏକରି ଗୋଟାଏ ଚଟ୍‌କିଣି କଷିବାକୁ—ନାଁ ?

 

ଯାଚି ଯାଚି ଅପମାନତମ ଗୋଟେଇଲୁ ମାଧବୀ ? —ଚାରୁଲତାଙ୍କର କଣ୍ଠସ୍ୱରରେ ସନ୍ତ୍ରସ୍ତ ହୋଇଉଠିଲେ ସମସ୍ତେ ।

 

ମେରୁଦଣ୍ଡ ବାହି ଗୋଟାଏ କମ୍ପନ ସୃଷ୍ଟି ହେଲା ସୁରମାଙ୍କର । ମନେପଡ଼ିଲା ପଛକଥା । ତେର ଚଉଦ ବର୍ଷର ଝିଅଟିଏ ଦିନେ ବୋହୂ ହୋଇ ଆସିଥିଲେ ଏ ଘରକୁ । ସଞ୍ଜହେଲେ ତୁଳାଉଥିଲେ । ଦିନେ ରାଗ କରିନାହାନ୍ତି ଏଇ ନାନୀ । ଶୋଇପଡ଼ିଲାବେଳେ ଉଠାଇ ଖୁଆଇ ଦେଇଛନ୍ତି ନିଜ ହାତରେ । ବାପଘରର ଝିଅପରି ବାଇଶ ବର୍ଷ ପର୍ଯ୍ୟନ୍ତ ନାଚିକୁଦି ବୁଲିଛନ୍ତି ସିଏ ସେଇ ଉପର ଅଗଣାରେ । ସେ ମା’ର ସ୍ନେହ ପାଇଥିଲେ ଚାରୁଲତାଙ୍କଠାରୁ ।

 

ଅଣ୍ଟାରେ ହାତଦେଇ ଠିଆହୋଇଛନ୍ତି ଚାରୁଲତା । ଆଖିରେ କ୍ରୋଧ । ସେ ଆଖି ଘୂରିବୁଲୁଛି ସଭିଙ୍କ ମୁହଁ ଉପରେ ।

 

ତଣ୍ଟି ଶୁଖି ଅଠା ଅଠା ହୋଇଯାଉଛି ସୁରମାଙ୍କର ।

 

ଭୟରେ ନୀଳପଡ଼ିଯାଇଛି ମାଧବୀ ।

 

ଥରକୁ ଥର ଢୋକ ଗିଳୁଛି ସୁଚରିତା । ଶାଶୁଙ୍କର ଏ ଏକ ନୂଆ ରୂପ । ଏମିତି ସିଏ କେବେ ଦେଖିନି ।

 

ତା’ରି ମୁହଁରେ ଆଖି ରଖି ଚାରୁଲତା କହିଲେ–କିଲୋ ସାନବୋହୂ, କେମିତି ଦେଖିଲୁ ତୋର ପିଉସୀର କରାମତି ? ଭାରି ଭଲଲାଗିଲା, ନା ! ତାପରେ ମାଧବୀର ଗୋଟାଏ ହାତଧରି କହିଲେ—କ୍ଷମା ପ୍ରାର୍ଥନା ତ ସରିଲା—ଚାଲ, ଏଥର ଘରକୁ ଚାଲ । ଆଲୋ, ଏଡ଼ିକି ଅଲାଜୁକୀ ତୁ-! ମୁଁ ନାହିଁକରୁଛି, ତୁ ଧାଇଁଆସିଛୁ । ତୁ ଆସିବା ପଛେ ପଛେ ମୁଁ ପରା ଧାଇଁଆସିଛି । କାଳେ ତତେ ଏମାନେ ହାତ ଉଠାଇବେ କି କଣ କରିବେ, ଏ ଡରରେ ପରା ମୁଁ ଛାନିଆ । ହେଲେ—ମାଡ଼ଠୁ ଦେଇଛନ୍ତି ଅଧିକା—ଦେ ଚାଲ, ଚାଲ ।

 

ଫେରି ଯାଉ ଯାଉ ବି ମୁହଁ ଫେରାଇ ଠିଆହୋଇପଡ଼ିଲେ ଚାରୁଲତା । କହିଲେ—ଯାଉଚିଲୋ, ହେଲେ, କାହାକୁ ଅଭିଶାପ ଦଉନି । ମାଧବୀ ମୋର ଯେମିତି, ତମେ ସମସ୍ତେ ବି ମୋର ସେମିତି । କେହି ମୋର ପର ନୁହଁ ତୁମେମାନେ ।

 

କଥାସାରି ମାଧବୀକୁ ଭିଡ଼ିନେଇ ଚାଲିଗଲେ ଚାରୁଲତା । ଏଇ ଶେଷକଥା ପଦକରେ ଥରିଉଠିଲା ଦୁଇଟି ପ୍ରାଣ । ଏକମାତ୍ର କରବୀ, ସେଇ ଏକମାତ୍ର ନିର୍ଭୟରେ ଦାନ୍ତରେ ଦାନ୍ତ ଚାପି ଚାହିଁରହିଲା ସେମାନଙ୍କ ଚାଲିଯିବା ବାଟକୁ ।

 

ପରଦିନ.....

 

ଅଗଣାରେ ବସି ବଡ଼ି ପାରୁଥିଲା ମାଧବୀ । କାଲି ରାତିଠୁ ଶାଶୁ ଏତେ ରାଗିଛନ୍ତି ଯେ, କହିବାର ଆଉ ନୁହେଁ । ଖାଇନାହାନ୍ତି କାଲି ରାତିରେ । କଥା ବି କହୁନାହାନ୍ତି । ମାଧବୀ ଅନୁନୟ କରି କହିଥିଲା—ତମେ ନ ଖାଇଲେ ମୁଁ ଖାଇବିନି କହିଦେଉଛି । ତେଜିଉଠିଥିଲା ଚାରୁଲତାଙ୍କର ଆଖି । ହେଲେ କିଛି ନ କହି ଶୋଇପଡ଼ିଥିଲେ ।

 

ଚାରୁଲତା ଯେ ଖାଲି ଗରଗର ହେଉଛନ୍ତି ସେତିକି ନୁହେଁ, ଆଉ ଜଣେ ବି କ୍ରୁଦ୍ଧ ଅଭିମାନରେ ଫାଟିପଡ଼ୁଛି ଶତଖଣ୍ଡ ହୋଇ । ସେ ହେଲା ତମାଳ । ତା କଥା ମାଧବୀର ଜାଣିପାରିବାର ନୁହେଁ; ତେଣୁ ଜାଣିନି । କାଲି ରାତିରେ ନିଜ ଶୋଇଲାଘରେ ଝଡ଼ବୁହାଇ ଦେଇଛି ତମାଳ । ସୁଚରିତାକୁ କହିଛି—ତୁମେ ଆଉ ଯାଇପାରିବନି ସେଇ ତଳ ଅଗଣାକୁ ।

 

ଗଳାରେ ସମାନ ତେଜଭରି ରିତା କହିଥିଲା—କାହିଁକି !! ତୁମ ମାଧବୀକୁ ସେମାନେ ଅପମାନ କରେ ବୋଲି ?

 

—ମୋ ମାଧବୀକୁ ନୁହେଁ କି, ବୋଉର ମାଧବୀକୁ ନୁହେଁ—ଏ ଘରର ଲକ୍ଷ୍ମୀ ବୋହୂ ମାଧବୀକୁ ସେମାନେ ଅପମାନ କରିଛନ୍ତି । ତେଣୁ ତାଙ୍କ ସାଥିରେ ଆମର କୌଣସି ସମ୍ପର୍କ ନାହିଁ ।

 

—ନାହିଁ ? ଆଉ ମାଧବୀ ଯେତେବେଳେ ତାଙ୍କ ଝିଅକୁ ମାରି ଅପମାନ ଦେଇ ତଡ଼ିଦେଇଥିଲା ଏ ଘରୁ, ସେତେବେଳେ କି ପ୍ରତିକାର ତୁମେ କରିଥିଲ ସେଇ କଥାର, ଶୁଣେ ?

 

ତାତିଉଠିଲା ତମାଳ । କହିଲା—କରବୀକୁ ତାର ଉପଯୁକ୍ତ ଶାସ୍ତି ଦେଇଥିଲା ମାଧବୀ । ମାଧବୀ କାମରେ ଅନ୍ତର ଆମର ସମର୍ଥନ ଜଣାଇଥିଲା । ତେଣୁ ପ୍ରତିକାର କଥା ଉଠେନି ।

 

ସୁଚରିତା ବି ଦାନ୍ତରେ ଦାନ୍ତ ଚାପି କହିଥିଲା—ତେବେ ତୁମେ ଏ କଥାର ବି ବିଚାର କରିପାରିବନି ।

 

ଅସହ୍ୟ କ୍ରୋଧରେ କମ୍ପି ଉଠି ତମାଳ କହିଥିଲା—କଣ ତମ ହୁକୁମ୍‌ରେ ?

 

ଏଇ କଥାପଦକ ପୂରା ନସରୁଣୁ ସୁଚରିତା ଗାଲରେ ପାଞ୍ଚ ଆଙ୍ଗୁଠି ବସିଯାଇଥିଲା ତମାଳର । ସୁଚରିତା ଗାଲରେ ହାତରଖି ତୀକ୍ଷ୍‌ଣ ଦୃଷ୍ଟି ମେଲି ଚାହିଁଲା ତମାଳର ଜ୍ଞାନହଜା ମୁହଁକୁ-। ମାଧବୀ ଲାଗି ତମାଳ ଭିତରେ ପ୍ରଚଣ୍ଡ ଲୋଭ ଦେଖି ଘୃଣାରୁଦ୍ଧ କଣ୍ଠରେ ସୁଚରିତା କହିଉଠିଲା–ଦୁଶ୍ଚରିତ୍ର....

 

ମୁହୂର୍ତ୍ତକେ ପାଂଶୁଳ ହୋଇଗଲା ତମାଳର ସାରା ମୁହଁ । ଦୁଶ୍ଚରିତ୍ର ! ଦୁଶ୍ଚରିତ୍ର ତାର କଣ ଦେଖିଲା ସୁଚରିତା ତା ଭିତରେ ! ଆଶ୍ଚର୍ଯ୍ୟ !

 

ଅନ୍ୟଆଡ଼େ ମୁହଁ ଫେରାଇଥିଲା ରିତା । ଅଭିମାନର ତୀବ୍ର ଆବେଗ ଲୁହ ହୋଇ ଝରିପଡ଼ୁଥିଲା ତାର ଦୁଇଗଣ୍ଡବାହି । ଫୁଲି ଫୁଲି କାନ୍ଦୁଥିଲା ସୁଚରିତା ।

 

ତାକୁ ବୁଝାଇବାକୁ କିଛିମାତ୍ର ଚେଷ୍ଟା କଲାନି ତମାଳ । ଟିକିଏ ପରେ ସେ ବୁଝିପାରିଥିଲା ଯେ ମାଧବୀର ପକ୍ଷନେଇ କଥା କହିଥିବାରୁ ସେ ଦୁଶ୍ଚରିତ୍ର ହୋଇଯାଇଛି ରିତାର ବିଚାରରେ ଅଦ୍‌ଭୁତ ! ଭାଗ୍ୟର ବିଡ଼ମ୍ୱନାରେ ମାଧବୀ ଆଜି ହୋଇଯାଇଛି ତାର ପର । ସେଇ ମାଧବୀ ଲାଗି ଟିକିଏ ମମତା ଦେଖାଇବାକୁ ଗଲେ ସ୍ୱାମୀ ହୋଇ ବି ସେ ହେବ ଦୁଶ୍ଚରିତ୍ର ? ଆପଣା ସୃଷ୍ଟି କର୍ମ—କହିବାର କିଛି ନାହିଁ ।

 

ପାଗଳଙ୍କ ପରି ଉଚ୍ଚସ୍ୱରରେ ହସିଉଠିଥିଲା ତମାଳ । ସେଇ ହସ ଶୁଣି କମ୍ପିଉଠିଥିଲା, ସୁଚରିତାର ଦେହ ଓ ମନ । ଜୀବନର ଗୋଟାଏ ନୂତନ ଆଘାତକୁ ନିମିଷକେ ପାଶୋରି ଦେଇ ତଟସ୍ଥ ହୋଇପଡ଼ିଥିଲା ସୁଚରିତା । ଅବିଳମ୍ୱେ ମୁହଁ ଫେରାଇ ନେଇ ସେ ଚାହିଁଥିଲା ମୁହଁମାଡ଼ି ପଡ଼ିଥିବା ସ୍ୱାମୀ ଆଡ଼େ ।

 

ହସର ପ୍ରଚଣ୍ଡତାରେ ଥରିଉଠୁଥିଲା ତମାଳର ଦେହ ।

 

ଏସବୁ କଥାର ବିନ୍ଦୁବିସର୍ଗ କିଛି ଜାଣିଲାନି ମାଧବୀ । ଆଜି ସକାଳୁ ଖାଲି ସେ ଭାବୁଛି ଉପାସୀ ଶାଶୁଙ୍କ କଥା । ନାହିଁ କରୁଥିଲେ ତ—ଜୋର୍‌କରି ଯିବା କି ଦରକାର ଥିଲା ତାର ? ଦୁଇଟି ଛୋଟ ହାତର ପରଶରେ ସଜାଗ ହୋଇ ଉଠିଲା ମାଧବୀ । ଅନ୍ୟାନ୍ୟ ଅନେକ ଦିନପରି ଆଜି ଦୁଇ ବାହୁରେ ବେକକୁ ତାର ଜଡ଼ାଇ ଧରିଛି କରବୀର ବାରବର୍ଷର ଭାଇ ପ୍ରବାଳ । କରକୁ ମୁହଁ ଫେରାଇ ପ୍ରବାଳର ହସିଲା ଆଖିରେ ଆଖି ରଖିଲା ମାଧବୀ । ଆଖିର ଶ୍ରାବଣୀ ଡୋଳାରେ ତାର ଉଜଳି ଉଠିଲା ଆନନ୍ଦର ସୂର୍ଯ୍ୟ । ଗଳାରେ କପଟ ଧମକ ଭରି ସେ କହିଲା–କଣ ? ଛାଡ଼୍‌ ମତେ, କାମ କରୁଚି ପରା !

 

ଗଳାରେ ଅଳିଭରି ପ୍ରବାଳ କହିଲା—ମତେ ଗୋଟେ ଟଙ୍କାଦିଅ ଭାଉଜ !

 

Unknown

ପୂର୍ବର କଣ୍ଠସ୍ୱର ବଜାୟ ରଖି ମାଧବୀ କହିଲା—କାହିଁକି ?

 

ବେକଟାକୁ ତାର ଛାଡ଼ିଦେଇ ପ୍ରବାଳ ଆସି ସାମନରେ ବସିପଡ଼ିଲା । ଅଳିକରି କହିଲା–କଣ କାହିଁକି ? ଗଲା ରବିବାର ଦିନ ଯାଇ ଟଙ୍କାଟେ ଦେଇଥିଲ, ପୁଣି ଆଜି ରବିବାର ହେଲା–ଇଆ ଭିତରେ ଆଉ ତମେ ମତେ କିଛି ଦେଇଛ ?

 

ମାଧବୀ କାମରେ ଆଖିରଖି କହିଲା—ସବୁବେଳେ ଯେ ତତେ ପଇସା ଦିଆହେଉଥିବ ଇଆର କିଛି ମାନେ ଅଛି ? ଯା ପଳାଯା, ଆଉ କିଛି ତତେ ଦିଆହେବନି ।

 

ପ୍ରବାଳ କହିଲା—ଇସ୍‌ରେ ଦିଆହେବନି ନା ଆଉ କିଛି । ବୋଉ ଦେବନି, ଇଏ ପୁଣି ଦେବେନି, ଭାରିତଅ.... ଆଜି ମୋର କର୍କ କିଣିବା ପାଳି । କୋଉଠୁ କିଣିବି ଶୁଣେ ? ପିଲାମାନଙ୍କ ପାଖକୁ ଯିବାକୁ ମତେ ଲାଜ ଲାଗିବନି ?

 

ଏଇ ମାଧୁର୍ଯ୍ୟଭରା ଦାବିର ଓଜନ ସହିପାରିଲାନି ମାଧବୀ । ସ୍ନେହରେ ଆଖିରେ ତାର ପାଣି ଜମିଆସିଲା । ମୁହଁ ବୁଲାଇନେଇ ସେ କହିଲା–ଆଚ୍ଛା ବାବା ଆଚ୍ଛା, ନେଇଯା କାନିରୁ ଖୋଲି, ବଡ଼ ଦୁଷ୍ଟ ।

 

କାନି ଖୋଲି ଟଙ୍କାଟିଏ ନେଇ ନାଚି ନାଚି ଚାଲିଯାଉଥିଲା ପ୍ରବାଳ । କଣ ଭାବି ପଛରୁ ତାକୁ ଡାକିଲା ମାଧବୀ । ପାଖର ଆସି ଠିଆହେଲା ପ୍ରବାଳ । ମୁହଁରେ ତା’ର ଆଖିରଖି ମାଧବୀ ପଚାରିଲା—ହଇରେ, କାଲି ସନ୍ଧ୍ୟାରେ କୁଆଡ଼େ ତୁ ଯାଇଥିଲୁ ? ଖୁବ୍‌ ବୁଲୁଚୁ ନା ?

 

ପୁଣି ଗଳାରେ ବିରକ୍ତି ଜମିଗଲା ପ୍ରବାଳର । କହିଲା—ବୁଲୁଛି ? କୁଆଡ଼େ ବୁଲୁଥିଲି ତୁମେ ଦେଖିଚ ? ସନ୍ଧ୍ୟାଠୁ ଟିଉସନ ଯାଏ, ଫେରେ ପୁଣି ରାତି ନଅଟାରେ । ଆଉ ବୁଲିଲି କେତେବେଳେ ?

 

ଆଶ୍ୱସ୍ତ ହେଲା ମାଧବୀ । କହିଲା—ହେଲା ବାବା, ମୋର ଭୁଲ୍‌ ହୋଇଛି—ଯା, ତୁ ପଳା ଯା ।

 

ନାଚି ନାଚି ଚାଲିଗଲା ପ୍ରବାଳ ।

 

ହାତରେ ତମ୍ୱାପାତ୍ର ଧରି ଖମ୍ୱ ଉହାଡ଼ରୁ ବାହାରି ଆସିଲେ ଚାରୁଲତା । ଗୋପାଳଙ୍କର ଅଷ୍ଟୋତ୍ତରଶତନାମକୁ ତଣ୍ଟି ତଳେ ଅଟକାଇ ରଖି କହିଲେ—ହୁଃ । ବୋଲେ, ଯେତେ କହିବ ଭାଗବତ, ତୋଷନୋହିବ ମୋର ଚିତ୍ତ । ରାଧାକୁ ତ କୋଉ କଥାରେ ବାଧାନାହିଁ । ଚଟ୍‌କରି ବଢ଼ାଇଦେଲା ଟଙ୍କାଟେ ! ଧନ୍ୟ !

 

ମାଧବୀ ଆଖିଟେକି ଚାହିଁଲା ଶାଶୁଙ୍କ ମୁହଁକୁ । ପୁଣି ମୁଣ୍ଡ ନୁଆଁଇ ମନଦେଲା ବଡ଼ି ପରାରେ ।

 

ଧୀରେ ଧୀରେ ଠାକୁରଘର ଆଡ଼େ ଚାଲିଗଲେ ଚାରୁଲତା ।

 

ଉପର ବାରଣ୍ଡାର ଜାଫ୍ରିରେ ଆଖିରଖି ମାଧବୀ ଆଉ ପ୍ରବାଳକୁ ସ୍ତବ୍‌ଧ ବିସ୍ମୟରେ ଚାହିଁରହିଛି ତମାଳ, ଆଖି ଆଗର ମାଧବୀ ଆଜି ପହଞ୍ଚିଛି ଯାଇ କାହିଁ କେତେ ଦୂରରେ !! ସେ ଦୂରସ୍ଥ ମାଧବୀର ସ୍ପର୍ଶ କଥା ତେଣେ ଥାଉ, ସାନ୍ନିଧ୍ୟ ଟିକକ ବି ଲାଗୁଛି ଦୁର୍ଲ୍ଲଭ । ତେବେ ବି ସେ ତାରି ପାଇଁ ହେଲା ଦୁଶ୍ଚରିତ୍ର !

 

ଇଜିଚେୟାର୍‌ରେ ମୁଣ୍ଡ ଢାଳି ଆଖିବୁଜିଲା ତମାଳ ।

 

୧୦

 

ଇଆରି ଭିତରେ କଟିଗଲାଣି ଛଅଟି ମାସ । ଛଅମାସ ହେଲା ଏ ଘରକୁ ଆସିଲାଣି ମାଧବୀ । ସମାନ ସୁଅରେ ବହିଯାଉଛି ଏ ଘରର ଦିନଗୁଡ଼ିକ । ବହୁବାର ତମାଳ ଫେରିଲାଣି ମାଧବୀର ରୁଦ୍ଧଦ୍ୱାର ପାଖରୁ । ବିକ୍ଷୁବ୍‌ଧ ଆତ୍ମା ତାର ବାହୁନି ମରୁଛି ନୀରବରେ । ତା ଛାତିତଳୁ ଦୀର୍ଘନିଃଶ୍ୱାସ ଉଠେ । ସେଇ ଶବ୍ଦରେ ଆଖିମେଲେ ସୁଚରିତା । ସେ କଣେଇ ଚାହେଁ ତମାଳର ମୁହଁକୁ । ପୁଣି ଧୀରେ ଆଖିମୁଦି କଡ଼ ଲେଉଟାଏ । ହିଂସାରେ, କି ଘୃଣାରେ, ଅବା ବ୍ୟଥାରେ ଫୁଲିଉଠେ ତାର ନାକପୁଡ଼ା ଦୁଇଟି । ଲୁହର ଝର ଫିଟେ ତାର ଆଖିରୁ । କେତେବେଳେ କ୍ରୋଧ, କେତେବେଳେ ବା ଅଭିମାନରେ ଫୁଲିଉଠେ ତମାଳର ଓସାରିଆ ଛାତିଟା ।

 

ଆଉ ଯାହାଲାଗି ଏତେକଥା—ସେ ? ସେ କିନ୍ତୁ ସମ୍ପୂର୍ଣ୍ଣ ନିର୍ବିକାର । କାହାରି କୌଣସି ମନୋଭାବ ମନରେ ତାର ସୃଷ୍ଟି କରେନି ଏତେ ଟିକିଏବି ଆଲୋଡ଼ନ । ସାରାଦିନର ଶ୍ରମ, ନିଦର ପୁରସ୍କାର ହୋଇ ଓହ୍ଲାଇଆସେ ତାର ଦୁଇ ଆଖିପତାରେ । ବିଛଣା ଧରୁ ଧରୁ ମାଧବୀ ଗାଢ଼ ନିଦରେ ଶୋଇଯାଏ । ତା’ରି ଭିତରେ ସେ ଯେ ଶୁଣେନି ତାର ଦ୍ୱାରରେ ହେଉଥିବା ଠୁକ୍‌ଠୁକ୍‌ ଶବ୍ଦଟାକୁ, ତା ନୁହେଁ—ଶୁଣେ ସିଏ ଠିକ୍‌—ହେଲେ ଉତ୍ତର ଦେବାର ସାର୍ଥକତା ବୁଝେନି ସେ ।

 

ସେ ଦିନ... ଠାକୁରଘରର ସବୁକାମ ସାରି ଗାଧୋଇପାଧୋଇ ରୋଷେଇଘର ଆଡ଼କୁ ପାଦ ବଢ଼ାଉଥିଲା ମାଧବୀ । କୁଆଡ଼ୁ ଧାଇଁଆସି ମହନା ଧରିପକାଇଲା ତାର ଗୋଟିଏ ହାତକୁ । ଘାବରେଇଗଲା ମାଧବୀ । ମୁହୂର୍ତ୍ତକ ପରେ ରକ୍ତ ଉକୁଟି ଉଠିଲା ତାର ସାରା ମୁହଁରେ । ହାତଟା ଟାଣିନେଇ କହିଲା—କଣ ?

 

ମହନା ଆଖିରେ କ୍ରୋଧ ଆଉ ଘୃଣାର ସଙ୍କେତ । କମ୍ପିତ କଣ୍ଠରେ ମହନା କହିଲା—ଆସ ବଡ଼ନାନୀ, ଦେଖିବ ଆସ । କି ଅଘଟଣ ଘଟୁଛି ଏ ଘରେ । ବାଘ ଛେଳିଙ୍କି ତମେ ଏକାଘାଟରେ ପାଣି ପିଆଇବା ଲୋକ—ସିଏ ତମକୁ ତ ଡରୁନି, ଆଉ କାହାକୁ ଡରିବ ?

 

ନିଶ୍ଚୟ ଚାନ୍ଦକଥା । ନଇଲେ ଆଉ କୌଣସି କଥାରେ ଏତେ ଉତ୍ତ୍ୟକ୍ତ ହୁଏନି ମହନା । ତେବେ କଣ କଲା ଚାନ୍ଦ !

 

ଧୀର ପଦରେ ମହନା ପଛରେ ଆଗେଇଗଲା ମାଧବୀ । ଯାଇ ଠିଆହେଲା ଗୁହାଳଘର ଦୁଆରେ । ନବଘନର ଛାତିରେ ମୁହଁ ଗୁଞ୍ଜି ଦେଇଛି ଚାନ୍ଦ । ଦୁଇହାତରେ ନବଘନ ଚାନ୍ଦକୁ ଜଡ଼ାଇ ଧରିଛି ଓ ମୁହଁଟା ଗୁଞ୍ଜିଦେଇଛି ଚାନ୍ଦର ବେକ ପାଖରେ ।

 

ମାଧବୀର ସାରା ମୁହଁରେ ବୋଳି ହୋଇଗଲା ଲଜ୍ଜାର ରେଣୁ । ପଳାଇ ଆସିବା ପାଇଁ ବୁଲିପଡ଼ିଲା ମାଧବୀ ।

 

ଏଡ଼େପାଟିରେ ମହନା କହିଉଠିଲା—ମୁଁ ପରା କାନ୍ଥ ଫାଟରେ ଆଖିରଖି ଦେଖିଲି ଏଇମିତି ଠିଆହୋଇ ରହିଛନ୍ତି ସେମାନେ । ଆଲୋ.... ଇଏ କି କଥା ?

 

ମହନାର ପାଟିରେ ଚମକିଉଠି ପ୍ରଣୟୀଯୁଗଳ ବିଚ୍ଛିନ୍ନ ହୋଇଗଲେ । ଅଲରା କେଶ, ରକ୍ତିମ ଦୁଇଟି ଗାଲ, ଆଉ ବିହ୍ୱଳ ଆଖି ନେଇ ପଦାକୁ ଛିଟିକିଆସିଲା ଚାନ୍ଦ । ଦେଖିଲା ବଡ଼ମା’ ଚାଲିଯାଉଛନ୍ତି ।

 

ଆଖିରୁ ସ୍ୱପ୍ନ ତୁଟିଗଲା ଚାନ୍ଦର । ବିସ୍ଫାରିତ ହୋଇଗଲା ତାର ଭୟବିହ୍ୱଳ ଆଖିଦୁଇଟି ଓ କମ୍ପି ଉଠିଲା ତାର ଭୟବିବର୍ଣ୍ଣ ଓଠଦୁଇଟି । ଧୀରେ ଧୀରେ ତଳେ ବସିପଡ଼ି ଆଣ୍ଠୁ ସନ୍ଧିରେ ମୁହଁ ଲୁଚାଇଲା ଚାନ୍ଦ; ଆଉ ଜଣେ କଟା–କୁକଡ଼ା ପରି ଥରୁଛି ତେଣେ ଗୁହାଳଘର ଭିତରେ । କେଇଟି ମୁହୂର୍ତ୍ତ ପରେ ଫୁଲି ଫୁଲି ନିଃଶବ୍‌ଦରେ କାନ୍ଦିଉଠିଲା ଚାନ୍ଦ ।

 

ଅଣ୍ଟାରେ ଦୁଇହାତ ଦେଇ ଆଗକୁ ମାଡ଼ିଆସିଲା ମହନା । ଖତେଇ ହେଲାପରି କହିଲା–ଛିଆଲୋ ଛତୁ ! ଆଲୋ ଅଲାଜୁକୀ, ଲାଜ ନାହିଁ ତୋ ମୁହଁକୁ ? କା.... ନ୍ଦୁ.... ଚୁଉ..... । ତୁ ପରା ଜଣଙ୍କର ଅସହୁଣୀଆ, ଆଉ ସେ ଟୋକାଟା ଛାତିରେ ଢଳିପଡ଼ୁଥିଲୁ କାହିଁକି ଲୋ ରାଧା ଗୌଡ଼ୁଣୀ-! ଏଁ । ଆଲୋ, ମୁଁ ସିନା ଦେଖିଦେଲି ଯେ କିଛି ମନେ ନକରି ତୋ ହାତ ପୁଣି ଧରିବି, ହେଲେ ଆଉ ଯଦି କିଏ ଦେଖିପକାଇଥାଆନ୍ତା । ଏ ? କାଲିଠୁ ଆଉ ତୁ ଆ’ତ ଏ ଗୁହାଳକୁ ? ଗୋବରମୂତ ଘାଣ୍ଟିବି ପଛେ, ମୁଇଁ ଯିବି ସେ ଗୁହାଳଘରକୁ ।

 

କଥାସାରି ଗୁହାଳଘରେ ଯାଇ ପଶିଲା ମହନା । ସେ ପର୍ଯ୍ୟନ୍ତ ଠିଆହାଇ ଭୟରେ ଥରୁଛି ନବଘନ । ଧକ୍‌କାଏ ତାକୁ ଦେଲା ମହନା, କହିଲା—ଆରେ ଏ ରସିକ ନାଗର ! ବଡ଼ମା’କୁ ଆଣି ଦେଖେଇଦେଇଛି ଯେ ତମ ରାସନୀଳା । ମଜା ବୁଝିବୁ, ଜାଣିବୁ କେମିତି ଶକତ ନୋକ ଆଖିରେ ପଡ଼ିଛ ତମେ । ନାଟ ନଗେଇଛ ଏଠି, ନାହିଁ ? ଏଇ ମଗୁଶିର ମାସରେ ତାକୁ ମୁଁ ବାହାହୋଇସାରେ କି, ପଛେ ବୁଝିବି ତୋ କଥା । ଦେଖିବି କେଡ଼େ ବଢ଼ିଆ ତୁ ହେଇଛୁ !

 

ଲାଜରେ ଗୁହାଳ ଛାଡ଼ି ଚାଲିଗଲା ନବଘନ । ତା’ପରେ ମୁହଁ ଛାଟି ଅଣ୍ଟା ହଲାଇ ମହନା ମାଡ଼ିଆସିଲା ଚାନ୍ଦ ପାଖକୁ । ଲୁହ ସିଙ୍ଘାଣୀରେ ଗୋଳିହୋଇଯାଇଛି ଚାନ୍ଦର ମୁହଁ । କୋଠିଘର ଝରକାସନ୍ଧିରେ ଆଖି ରଖି ଠିଆହୋଇଛି ମାଧବୀ । ଚାନ୍ଦର ପାଦ ପାଖରେ ବସି ପଡ଼ିଲା ମହନା । ଗଳାରେ ଅନେକ ମମତାଭରି କହିଲା—କାନ୍ଦନାଲୋ, କାନ୍ଦନା । ମୁଁ କଣ ମନରେ ଧରୁଛି ତୋର କୋଉ କଥା ? ସମେତ ସହିବା ସମିତିଙ୍କର କଥା, ଗେରସ୍ତ ଭାରିଯା ହୋଇ ଯେବେ କିଏ କାହାକୁ ନ ସହିବା, ତେବେ ଚଳିବ କେମେତେ ? ଏଁ ।

 

ଲୁଗାକାନିରେ ଲୁହ ସିଙ୍ଗାଣୀ ପୋଛିଠିଆହୋଇ ପଡ଼ିଲା ଚାନ୍ଦ । ଆଖିରେ ନିଆଁ ଜାଳି, ଗଳାରେ ବିଷ ଗୋଳି କହିଲା–ଆରେ ଏ ବାଡ଼ିଖିଆ ଚନ୍ଦ୍ରସେଣା, ଯାଉଚୁନା ଏଠୁ, ଫେର୍‌ ଦେଖିବୁ-? ଯୋଗିନୀଖିଆ ଗେରସ୍ତ ହବ । ହେଇଟି ଦେଖୁଚୁନା ଏ ପଥରକୁ, ମୁଣ୍ଡ ଫଟେଇ ଦେବି ଜାଣିଥା-। ଆରେ ଏ ନିଲଜ୍ଜା, କଣ ଲାଭ ପାଇଲୁ ବଡ଼ମା’ଙ୍କୁ ଡାକିଆଣି ? ତତେ ଲାଜ ଲାଗିଲାନି-?

 

ମହନା କିନ୍ତୁ ରାଗିଲାନି । ମଧୁର ହସ ବସିବା ଜାଗାରୁ ଉଠି ପଡ଼ୁ ପଡ଼ୁ କହିଲା—ରଣଚଣ୍ଡୀ ରାଗିଛି ଲୋ ମା’ ! ମୁଁ ଯାଏ, ଭୋଦୁଅ ତ ଆସି ସଇଲା, ଆଉ କେତେଦିନକି ମଗୁଶିର ।

 

ମୁହଁ ଛିଞ୍ଚାଡ଼ି ଚାନ୍ଦ ଚାଲିଗଲା ଗୁହାଳଘର ଭିତରକୁ । ମହନା ବି ମୁହଁମୋଡ଼ି ଚାଲିଆସିଲା ବଡ଼ ଅଗଣାକୁ । ମହନା ବଡ଼ ଅଗଣାରେ ପାଦଦେବାର ଅନେକ ଆଗରୁ ମାଧବୀ ପଳାଇଯାଇଥିଲା ରୋଷେଇଘରକୁ ।

 

ସେଇ ରୋଷେଇଘର ଦୁଆରେ ଯାଇ ବସିପଡ଼ିଲା ମହନା । ଉଦାସ ଗଳାରେ କହିଲା–ସିଏ ରାଗିଯାଇଛି ଗୋ ବଡ଼ନାନୀ ! ଆଜି ଆଉ ସିଏ ଖାଇବନି କି ଗାଧୋଇବନି । ବସିଲାଣି ଯାଇ ଗୁହାଳରେ ।

 

ତା କଥାରେ ଉତ୍ତର ନଦେଇ ନିଜ କାମରେ ମନଦେଲା ମାଧବୀ । ହଠାତ୍‌ ଚମକିପଡ଼ିଲା ସିଏ । କୋଉଠି ବାଜୁଛି ଗୋଟାଏ ମୋଟର ଗାଡ଼ିର ହର୍ଣ୍ଣ । ମହନାକୁ ଚାହିଁ ମାଧବୀ ପଚାରିଲା—ଏ ମୋଟର କାହା ଦୁଆରକୁ ଆସିଛିମ ମହନା ? ମୁଁ ତ ଏଇ ଦୁଇମାସ ଭିତରେ ଅନେକ ଥର ଶୁଣିଲିଣି ଏଇ ଗାଡ଼ିର ଶବ୍ଦ । କୋଉଠିକି ଆସେ ଏ ଗାଡ଼ି ?

 

ମହନା କହିଲା—କଟକର କୋଉ ଦୀପକବାବୁ, ତାଙ୍କରି ଗାଡ଼ି ଇଏ । ଆସେ କରବୀ ନାନୀଙ୍କି ନବାପାଇଁ । ସିଏ କଣ ଏକା ? ଆହୁରି କେତେ ସବୁ ଝିଅପୁଅ ଆସନ୍ତି । କଣ ସବୁ ପିକିନିକି କରିବାକୁ ସେମାନେ ଯାଆନ୍ତି । ଆଜି ସବୁ ଯାଉଚନ୍ତି ନରାଜ, କଟକର କୋଉ ଜଣେ ବଡ଼ ଡାକ୍ତରର ପୁଅ ସେଇ ଦୀପୁବାବୁ । ଚେହେରା ଖଣ୍ଡିକ ତ ରାଜାପରି । ଦେଖିନ ତମେ ତାଙ୍କୁ ?

 

‘ନାଁ’ କହି ପୁଣି ନିଜ କାମରେ ମନଦେଲା ମାଧବୀ ।

 

ଜଣ ଜଣ କରି ସମସ୍ତେ ଆସିଲେ, ଗାଧୋଇଲେ, ଖାଇଲେ, ପିଇଲେ, ଚାଲିଗଲେ । ଉପାସୀ ରହିଲା ମାଧବୀ, ଚାନ୍ଦ ଖାଇନି ଯେ !

 

ପାଦପାଦକରି ମାଧବୀ, ଆଗେଇଗଲା ଗୁହାଳ ଘର ଆଡ଼କୁ । ଡାକିଲା–ଚାନ୍ଦଅ...

 

ଏଇ ଗଳାର ଡାକଟିକୁ କାନପାରି ବସିରହିଥିଲା ଚାନ୍ଦ । ଛାତିଫାଟି କୋହ ଆସିଲା ତାର । ତଥାପି ସେ ମଥା ନୁଆଇଁ ଚାଲିଆସିଲା ଦୁଆର ଆଡ଼କୁ । ଠିଆହେଲା ମାଧବୀ ପାଖରେ । ଦୁଇଟି ନୋଇଲା ଆଖିରୁ ଝରିଗଲା ଧାର ଧାର ଲୁହ ।

 

ମୁହଁକୁ ତାର ଚାହିଁଲା ମାଧବୀ । ଶେଷରେ ତାର ଗୋଟିଏ ହାତ ଧରି କହିଲା— ଆସେ-

 

୧୧

 

ଦଶହରା ଆସୁଛି । କାମର ଅନ୍ତନାହିଁ । ଆରମ୍ଭ ହୋଇଗଲାଣି ମୂର୍ତ୍ତିଗଢ଼ା । ତା’ରି ସାଙ୍ଗେ ସାଙ୍ଗେ ଚାଲିଛି ଘରର ଚୂନାଧଉଳା କାମ । ଏତେ ଟିକିଏ ବି ବିଶ୍ରାମ ନାହିଁ କାହାରି । ଚାରୁଲତା ବି ଅଳ୍ପ ଅଳ୍ପ କରି କରୁଚନ୍ତି ଅନେକ କାମ । ମାଧବୀର ପାଖାପାଖି ହେଲେ କହନ୍ତି—ଆରବର୍ଷ ଏଇଦିନରେ ତୋ’ରି କରୁଥିବା କାମଗୁଡ଼ାକ ସବୁ ମୁଁ ଏକା କରିଚିଲୋ ମା’ ! ଦିନେହେଲେ ସେ ରାଜଦୁଲାଳୀ ଓହ୍ଲେଇଆସିଲାନି ତଳକୁ । ଉଃ, କି କଷ୍ଟର ଦିନ ଯେ ଯାଇଛି ଆଉ କଣ କହିବି ?

 

ସୁଚରିତାକୁ ନେଇ କୌଣସି କଥା କହିଲେ ନୀରବ ହୋଇଯାଏ ମାଧବୀ । ଆଜିବି ନୀରବରେ ଶୁଣିଗଲା ସିଏ ଶାଶୁଙ୍କର ଦୁଃଖ ।

 

ଗୋଛାଏ ହେବ ଡାଲା ବାଉଁଶିଆ ଆଣି ଚାନ୍ଦ ଥୋଇଦେଲା ପିଣ୍ଡାରେ । ହସି ହସି କହିଲା—ଧାଇଁଆସ ବଡ଼ମା, ଧାଇଁଆସ । ଦେଖ, କିଏ ଆସିଛନ୍ତି ଆମ ଘରକୁ ।

 

ମାଧବୀର ମସୃଣ ଲଲାଟରେ ସୃଷ୍ଟିହେଲା କେତେଗୋଟି ସୂକ୍ଷ୍ମରେଖା । ଆଖିରେ ପ୍ରଶ୍ନଭରି ଚାହିଁଲା ସିଏ ଚାନ୍ଦର ହସଭରା ଉଜ୍ଜ୍ୱଳ ମୁହଁକୁ । ଗଳାରେ କୌତୁକ ଭରି ଚାନ୍ଦ କହିଲା—ମୁଁ କହିବିନି ତ, ତମେ ଆସି ଦେଖନା ଆଗ କିଏ ଆସିଛନ୍ତି ।

 

ପାଦପାଦକରି ବାହାରଆଡ଼କୁ ଆଗେଇଗଲା ମାଧବୀ । କେଇପାଦ ଯାଇ ଠିଆହୋଇ ପଡ଼ିଲା । ସାମନାରେ ଠିଆହୋଇଛନ୍ତି କକା—ଘନଶ୍ୟାମ ।

 

ବିସ୍ମୟବିଜଡ଼ିତ କଣ୍ଠରୁ ତାର ବାହାରିଆସିଲା—କକାଆ....

 

ଘନଶ୍ୟାମ ସ୍ନେହସିକ୍ତ କଣ୍ଠରେ କହିଲେ—ହଁରେ ମା, ଏତେ ଦିନରେ ମତେ ଛୁଟି ମିଳିଲା ସେ ଘରୁ ।

 

ଲଜ୍ଜିତ ହୋଇପଡ଼ିଲା ମାଧବୀ । ନୋଇଁଲା କଣ୍ଠରେ କହିଲା—କଣ କରିବି କକା ! କେତେଥର ଯେ ମନ କରିଛି ଥରେ ଯାଇ ବୁଲିଆସିବି, ତା ଆଉ କେଭେବି ହୋଇପାରୁନି । ଘର ଛାଡ଼ି ଗଲେ ଶାଶୁ ଆଉ ପିଲାମାନେ ହଇରାଣ ହୋଇଯିବେ । ସେଇଥିପାଇଁ ଯିବାକଥା ମନରେ ଧରେନି ।

 

ସିଢ଼ି ପାହାଚରେ ଆସି ଠିଆହୋଇଥିଲା ସୁଚରିତା । ଘରଗୋଟାକର ସବୁ ଦାୟିତ୍ୱ ଯେ ମାଧବୀର, ଏ କଥାକୁ ଅସ୍ୱୀକାର କରିବାର ସାହସ ସୁଚରିତାର ନାହିଁ । ପିଲାଙ୍କ ଦାୟିତ୍ୱ—ହଁ, ପିଲାଙ୍କର ବି ସବୁ ଦାୟିତ୍ୱ ମୁଣ୍ଡରେ ମୁଣ୍ଡାଇନେଇଛି ମାଧବୀ । ରାତିଟାଛଡ଼ା ସେଇ ସାନପିଲାଟାବି ଆଉ ଚିହ୍ନେନି ତାକୁ; ସାରାଦିନଟାଯାକ ଥାଏ ସେଇ ମାଧବୀ କୋଳରେ । ହାତ ବଢ଼ାଇଲେ ରାହା ଛାଡ଼େ । ପିଲାର ମା’ ପରି ମାଧବୀ କହୁଛି—ପିଲାମାନେ ହଇରାଣ ହେବେ । କଥାଟା ଅନେକ ବେଶି ମାନୁଛି ଗଳାକୁ ତାର । ପାହାଚ ଉପରେ ନିଶ୍ଚଳ ଭାବେ ଠିଆହୋଇ ଆଖି ନୁଆଇଁନେଲା ରିତା, ତା’ପରେ ଧୀର ପାଦରେ ଆଗେଇଆସି କକାଙ୍କ ପାଦରେ ମଥା ଛୁଆଇଁଲା ।

 

ଆଶୀର୍ବାଦର ଭଙ୍ଗିରେ ହାତଟେକିଲେ ଘନଶ୍ୟାମ । ମୁହୂର୍ତ୍ତକେ ଚିହ୍ନିନେଲେ ମାଧବୀର ସଉତୁଣୀକୁ । ହାତଟିଏ ଧରିନେଲେ ସୁଚରିତାର । ପାଖରେ ବସାଇଦେଇ ପଚାରିଲେ—

 

କିଲୋ ମା’ କେମିତି ଅଛୁ ?

 

ଛୋଟକରି ହସିଲା ସୁଚରିତା । କହିଲା—ଭଲ....

 

ଘନଶ୍ୟାମ ତା’ ମଥାରେ ହାତ ବୁଲାଉ ବୁଲାଉ ଡାକଛାଡ଼ିଲେ ହଳିଆ ନବୀନାକୁ । ବଡ଼ ବଡ଼ ବୋଝ ଦୁଇଟା ଧରି ସେଇଠି ଉଭାହେଲେ—ନଟିଆ ଆଉ ନବୀନା । ଘନଶ୍ୟାମ ସରଳ ହସି ମାଧବୀକୁ କହିଲେ—ନେଏ, ଏଇଟା ତୋର ବୋଝ, ଆଉ ଏଇଟା ସୁଚରିତାର ।

 

ଉଖୁଡ଼ା, ମିଠେଇ, ଖଜା, ଗଜା ଇତ୍ୟାଦି ଉପରେ ଥୁଆହୋଇଛି ଏକାରକମର ଶାଢ଼ି ଦୁଇଖଣ୍ଡ । କୁଣ୍ଠିତ ଆଖିରେ ସୁଚରିତା ଚାହିଁଲା ନିଜ ନାମରେ ଆସିଥିବା ବୋଝ ଆଡ଼କୁ । ଖାଲି ମାଧବୀ ପାଖରେ ତାର ହାର୍‌ ନୁହେଁ, ମାଧବୀର ବାପଘର ପାଖରେ ବି ତାର ହାର୍‌ ହେଉଛି ।

 

ଭିତରେ ଭିତରେ କେମିତି ଗୋଟାଏ ଅସ୍ଥିର ହୋଇପଡ଼ୁଛି ସିଏ । ସେଇ ଅସ୍ଥିରତାକୁ ଗୋପନ ରଖିବାକୁ ଯାଇ ହସିଲା ସୁଚରିତା, କହିଲା—ଏତେ କଷ୍ଟକରି ଦୁଇଟା ବୋଝ କାହିଁକି ଆଣିଲ କକା ? ଗୋଟେ ଆଣିଥିଲେ କଣ ଚଳନ୍ତାନି ?

 

ହସିହସି ଘନଶ୍ୟାମ କହିଲେ—ଗୋଟେ ବୋଝ !! କେମିତି ? ଫାଳେ ଲୁଗା ତୁ ପିନ୍ଧନ୍ତୁ ଆଉ ଫାଳେ ଲୁଗା ମାଧବୀ ପିନ୍ଧନ୍ତା ? ନା ନା, କେମିତି ହବ ! କଳି ଲଗାଇବ ଦୁହେଁ । ଆଚ୍ଛା, ଏଥର ତା’ହେଲେ ମୁଁ ଯାଏ ?

 

କକା ଘନଶ୍ୟାମଙ୍କ ଭିତରେ ଦ୍ୱିଧାହୀନ ଆତ୍ମୀୟତା—ସବୁ ଲଜ୍ଜା ସବୁ ସଂକୋଚ ଦୂରେଇ ଗଲା ସୁଚରିତା ମନରୁ । ସିଏ ଧରିଲା ଘନଶ୍ୟାମଙ୍କର ଗୋଟିଏ ହାତ; ଗଳାରେ ଅଳି ଭରି କହିଲା—ବାଆରେ, ବେଳ ଆସି ମୁଣ୍ଡ ଉପରେ ହେଲାଣି, ଆଉ ତୁମେ ନ ଖାଇ ଚାଲିଯିବ ଏଠୁ ? ଆସ, ଖାଇବ ଆସ ।

 

ନିର୍ଲିପ୍ତ ଆଖିରେ ସବୁ ଦେଖୁଥିଲା ମାଧବୀ । କାହାରି କୌଣସି କଥା ପଶୁନି ତାର କାନରେ କି ମନରେ । ଶାଶୁ ଆଉ ସୁଚରିତା କକାଙ୍କୁ ନେଇ ଚାଲିଗଲେଣି ରୋଷେଇ ଘରକୁ । ତା’ ମନ କିନ୍ତୁ ବିକଳ ହୋଇଉଠୁଛି ଗୋଟିଏ କଥା ଭାବି । ସେ ଠିକ୍‌ ଜାଣେ କେତେ କଷ୍ଟରେ କକା ଏଇ ବୋଝ ଦୁଇଟି ସଜାଡ଼ିଥିବେ । ସଜାଡ଼ିଥିବେ ଖୁଡ଼ିଙ୍କର ସମ୍ପୂର୍ଣ୍ଣ ଅଜାଣତରେ ବଜାରରେ ବସି ବସି । ଖର୍ଚ୍ଚ ହୋଇଯାଇଥିବ କେତେଗୁଡ଼ିଏ ଟଙ୍କା ତାଙ୍କର ।

 

ପ୍ରାଣଟା କେମିତି ଆକୁଳ ହୋଇଉଠିଲା ମାଧବୀର । ଝରଝର କରି ଲୁହ ଝରିଆସିଲା ତାର ଦୁଇ ଆଖିର ତଟବାହି । ଟିକିଏ ପରେ ସେହି ଲୁହକୁ ରୋକିନେଇ କକାଙ୍କୁ ବିଦାୟ ଦେଇଥିଲା ମାଧବୀ । ଘରକାମ ଭିତରେ ବସି ଆଖିରେ ଭାସିଯାଉଥିଲା କକାଙ୍କର ସ୍ନେହସିକ୍ତ ହସିଲା ମୁହଁଟା । ଲୁହରେ ଅନ୍ଧ ହୋଇଯାଉଥିଲା ତାର ଆଖି ଦୁଇଟା ।

 

ମାଧବୀର ଛାତିତଳ ବ୍ୟଥାକୁ ପ୍ରାଣେ ପ୍ରାଣେ ଅନୁଭବ କରୁଥିଲେ ଚାରୁଲତା । ନାନା କଥା କହି କହି ତାର ମନଟାକୁ ଭୁଲାଇ ଦେବାକୁ ସେ ଚେଷ୍ଟା କରୁଥିଲେ ।

 

ସେଇ କଥା ବି ବୁଝିପାରିଥିଲା ମାଧବୀ । ମନରେ ଅନେକ କୃତଜ୍ଞତାଭରି ଶାଶୁଙ୍କ କଥାରେ ହସୁଥିଲା, ପ୍ରଶ୍ନ କରୁଥିଲା । କରୁଥିଲା ହଁ-ନାହିଁ ।

 

ସେମିତି ସେମିତି କରି କଟିଗଲା ଆହୁରି ଆଠଟିଦିନ । କାଲି ସକାଳେ ମହାସପ୍ତମୀ । ଏବେ ବାଁରେଇ ବାଁରେଇ ତା ସାଥିରେ କଥା କହୁଛି ସୁଚରିତା । ଉପରେ ପଡ଼ି କରିଦେଉଛି କିଛି କିଛି ଛୋଟ କାମ ।

 

ମାଧବୀ କିନ୍ତୁ ନିଜ ଇଚ୍ଛାରେ ଅଟଳ । କୌଣସି ମୁହୂର୍ତ୍ତରେ ହେଲେ ସିଏ ଚିହ୍ନୁନି ସୁଚରିତାକୁ; ଚାହୁଁନି ଫେରି ମୁଁହକୁ ତାର । ସାନଖୁଡ଼ୀ ସୁରମା ବି କାଲିଠୁ ଆସି ଅଛନ୍ତି ଏଇପଟେ । ମାଧବୀ ମୁଣ୍ଡିଆ ମାରିଥିଲା ତାଙ୍କୁ; ସେ କିନ୍ତୁ ଚାଲିଯାଇଥିଲେ ମୁହଁ ବୁଲାଇ । ଦୁଃଖ ପାଇନି ମାଧବୀ; ଛଳ କରିନି—ଆଡ଼େଇ ଯାଇ ସମାନ ଦୂରତ୍ୱ ବଜାୟ ରଖିଛି ସିଏ । ଅନେକ କିଛି ଲକ୍ଷ୍ୟକରି ମନ ଭାରୀ କରୁଛନ୍ତି ଚାରୁଲତା ।

 

ଅଦଭୁତ ଗୋଟାଏ ମନ ତାଙ୍କ ଭିତରେ ଜନ୍ମନେଇଛି ବୋହୂ ମାଧବୀ ଲାଗି ।

 

ମାଧବୀ ତାଙ୍କ ପାଦ ଆଉଁସୁ ଆଉଁସୁ ଆପଣା ହଜାସ୍ୱରରେ କହିଯାଇଛି ତାର ମଲ୍ଲିପୁରରେ ଥିବା ଦଶଟି ବର୍ଷର କାହାଣୀ । କିନ୍ତୁ ଆଶ୍ଚର୍ଯ୍ୟ ! ସ୍ୱାମୀଙ୍କ ସହ ବିଚ୍ଛେଦ ଘଟିବାର ଏତେ ଟିକିଏ ବି ସନ୍ତାପ ନାହିଁ ସେଇ କାହାଣୀରେ । ଶୁଭ ସହିତ ତାର ବନ୍ଧୁତା–ସେଇ ବନ୍ଧୁତାର ରୂପରେଖ ବର୍ଣ୍ଣିବାକୁ ଯାଇ ଏକ ସୁନାଗୋଳା ଆନନ୍ଦରେ ଝଲମଲ ହୋଇଉଠିଛି ତାର ସାରା ମୁହଁ-। ପାପର ଏତେ ଟିକିଏ ସ୍ପର୍ଶରେ ସେ ମୁହଁ ମଳିନ ଦିଶିନି, କି ଛଳନାର ମଳିନତାରେ ଏତେ ଟିକିଏ ବି ଝାଉଳିପଡ଼ିନି । ଏତେ ବୟସ ହେଲା, କେତେ ସେ ଦେଖିଲେ, କେତେ ଜାଣିଲେ–ଆଉ ଜାଣିପାରିବେନି ମାଧବୀକୁ ? ମାଧବୀ ଫୁଲପରି ସୁନ୍ଦର, କୋମଳ ଆଉ ପବିତ୍ର ।

 

କଣେଇ କଣେଇ ମାଧବୀକୁ ଦେଖନ୍ତି ଚାରୁଲତା । ଜରିଧଡ଼ିର ଚମ୍ପାରଙ୍ଗର ଶାଢ଼ିଟି ପିନ୍ଧି କି ଅପୂର୍ବ ଦିଶୁଛି ମାଧବୀ । ସାରା ଘରେ ଘୂରିବୁଲୁଛି ସେ ନିର୍ଭୟରେ । କାହାରି ଆଦର ଅନାଦରକୁ ତାର ଅପେକ୍ଷା ନାହିଁ ।

 

ବରଣଡ଼ାଲା ଧରି ଚାରୁଲତା ଚାଲିଗଲେ ଠାକୁରାଣୀ ମେଲାକୁ । ଭଣ୍ଡାରଘରୁ କାମ ସାରି ବାହାରିଲା ମାଧବୀ । ଦେଖିଲା କଳା ମେଘର ଢାଙ୍କିହୋଇଯାଇଛି ଆକାଶଟା । ବର୍ଷା ଝରୁଛି ମୂଷଳଧାରାରେ । ଆକାଶକୁ ଚାହିଁଲା ମାଧବୀ । ଧୀରେ ଧୀରେ ସାରା ମୁହଁରେ ତାର ବିଛାଇ ହୋଇଗଲା ନିବିଡ଼ ପ୍ରଶାନ୍ତି । କି ଏକ ଆନନ୍ଦରେ ଚକିତ ହୋଇଉଠିଲା ତାର ଦୁଇ ଆଖି ।

 

ବଡ଼ନାନୀ.....

 

ସ୍ୱପ୍ନଭଙ୍ଗ ହେଲା ମାଧବୀର । ଚାହିଁଲା କଡ଼କୁ । ସାନ ପୁଅକୁ କୋଳରେ ଧରି ଠିଆହୋଇଛି ମହନା । ନରମ ସ୍ୱରରେ ପଚାରିଲା—କଣ କିରେ ?

 

ମହନା କହିଲା—ମଲ୍ଲିପୁରର କିଏ ଜଣେ ବାବୁ ଆସି ତମକୁ ଖୋଜୁଛନ୍ତି କହିଲେ—ମଲ୍ଲିପୁର ମା’ଙ୍କୁ ଟିକିଏ ଡାକିଦେ ।

 

ଧକ୍‌କରି ହେଲା ମାଧବୀର ଛାତିଟା । ଶୁଭଭାଇ ! ଶୁଭଭାଇଛଡ଼ା କିଏ ଆଉ ଏମିତି ପରିଚୟ ଦେଇ ଖୋଜିବ ତାକୁ !

 

ଖୁବ୍‌ ଶୀଘ୍ର ସେଠୁ ଅପସରିଗଲା ମାଧବୀ—ପାଦରେ ତାର କିଶୋରୀର ଚଞ୍ଚଳତା । ଡ୍ରଇଂ ରୁମ୍‌ରେ ପାଦଦେଇ ଥମକି ଠିଆହେଲା ମାଧବୀ । ପ୍ରବଳ ବର୍ଷା ଯୋଗୁଁ ନିବୁଜ କରି ବନ୍ଦକରାହୋଇଛି ଏ ଘରର ସବୁ ଝରକାଗୁଡ଼ାକ । ବେଶ୍‌ ଅନ୍ଧାର ହୋଇଛି ଘରଟା । ଭିତରର କିଛି ଦିଶୁନି ପରିଷ୍କାର । ଦୁଆର ବନ୍ଧଟାକୁ ଦୁଇହାତରେ ଧରି ଠିଆହୋଇପଡ଼ିଲା ମାଧବୀ । ଧୀରେ ଧୀରେ ଅନ୍ଧାରଟା ସହିଗଲା ଆଖିରେ ତାର । ସେ ଦେଖିଲା ଧୋତି ପଞ୍ଜାବି ପିନ୍ଧି ହସିଲା ମୁହଁ ନେଇ ବସିରହିଛି ଶୁଭଭାଇ ।

 

ଆନନ୍ଦରେ ଫୁଟିଉଠିଲା ମାଧବୀର ଦୁଇ ଆଖିତାରା । ସେ ଆଗେଇଯାଇ ଶୁଭେନ୍ଦୁର ପାଦରେ ମଥା ନୁଆଁଇଲା । ତାପରେ ଉଠି ଠିଆହେଲା । ମୁହଁକୁ ତାର ନୀରବରେ ଚାହିଁରହି ମିଟିମିଟି ହସୁଛି ଶୁଭେନ୍ଦୁ ।

 

ଅଭିମାନରେ ଓଠ ଫୁଲାଇ, ଗଳା ଭାରୀକରି ମାଧବୀ କହିଲା—ବାବାରେ, ବାବା, ମୁଁ ମୁଣ୍ଡିଆ ମାରିଲି । ଆଉ ତୁମେ ପାଟିରେ ଟିକିଏ ହେଲେବି ଉଚ୍ଚାରଣ କଲନି ଆଶୀର୍ବାଦ ।

 

ତଥାପି କଥା କହୁନି ଶୁଭେନ୍ଦୁ ।

 

ବିରକ୍ତ ହେଲା ମାଧବୀ । କହିଲା—ଇଏ କଣମ, ଗୋଟେ ପହିଲିଥର ଦେଖିଲାପରି ଚାହିଁ ରହିଚ ?

 

ଏଥର ମୁହଁ ଖୋଲିଲା ଶୁଭେନ୍ଦୁ । କହିଲା—ତତେ ଦେଖୁଥିଲି ଲୋ, ମାଧବୀ !

 

ଓଠକୋଣରେ ହସିଲା ମାଧବୀ । କହିଲା—ମତେ ଦେଖୁଥିଲ ! କଣ ଦେଖୁଥିଲ ! ଦେଖିନ ମୋତେ ?

 

ଗଭୀରଗଳାରେ ଶୁଭେନ୍ଦୁ କହିଲା—ଦେଖିନି, ପୁଣି ଅନେକ ଦେଖିଛି । ତଥାପି ତୃପ୍ତି ଆସେନା ।

 

ଗଭୀର ଆବେଗରେ କଣ୍ଠରୁଦ୍ଧ ହୋଇଆସିଲା ମାଧବୀର ।

 

ହେଲେ, ସେ ଦୁହେଁ ଜାଣିପାରିଲେନି ଯେ ସେଇ ଘରର ଅନ୍ଧାରିଆ କୋଣରେ ଥିବା ଆଉ ଗୋଟିଏ ସୋଫାର ବହଳିଆ ଗଦି ଭିତରେ ବୁଡ଼ିଯାଇ ଜଣେ ରୁଦ୍ଧ ନିଶ୍ୱାସରେ କାନପାରିରହିଛି ଏଇମାନଙ୍କ କଥା ଆଡ଼େ ।

 

ଟିକିଏ ରହି କରୁଣ କରି ହସିଲା ମାଧବୀ, କହିଲା—ଏଇପରି କଥା ପୁଣି ତୁମେ କହିଲ ଶୁଭଭାଇ ? କେଡ଼େ ଅସାର କଥା ଯେ ଇଏ, ଏକୁ କିଏ ବୁଝିବ । ତୁମର ଏଇ ଗୁଣ ଯୋଗୁ ତ ନୋହିଲା କଥାକୁ ହୋଇଲା କଲେ ସମସ୍ତେ । ତଥାପି ତୁମେ ବଦଳାଇପାରିଲନି ନିଜର ସ୍ୱଭାବ ।

 

ଚଟ୍‌କରି ଶୁଭେନ୍ଦୁ କହିଉଠିଲା—ତୁ ଯେମିତି ନିଜକୁ ମୁହୂର୍ତ୍ତକେ ବଦଳାଇ ଦେଇ ପଳାଇଆସିଲୁ ରାତିଅଧରେ ଚୋରଣୀ ପରି, ଯେମିତି ବରିନେଲୁ ଅପମାନର ବରଣମାଳା । ଯେଉଁ ଘରୁ ଶତ ଦୁଃଖ ପାଇ ଦିନେ ପଳାଯାଇଥିଲୁ, ପୁଣି ପଳାଇଆସି ପଶିଲୁ ସେଇ ଘରେ । ଆଉ କଉଠି ତତେ ଜାଗା ମିଳିଲାନି ? ମଲ୍ଲିପୁର ଗାଁରେ କଣ କହିଲେ ସବୁ ? କହିଲେ—ଧରାପଡ଼ିଯାଇ ଲାଜରେ ପଳାଇଗଲା ମାଧବୀ, ଜାଣୁ ? ନହିଲା କଥାକୁ ହୋଇଲା କଲୁ ତୁ ଏମିତିଭାବରେ ପଳାଇଆସି । ମିଛ କଥାଗୁଡ଼ାକ ପାଇଁ ଏମିତି ପୁଣି କିଏ ଡରେ ? ତିନି ଛୁଆର ମା’ ତୁ । ତତେ ଲାଜ ଲାଗିଲାନି ଏଇ ଅଲଣା କଥା ଶୁଣି ପଳାଇଆସିବାକୁ ?

 

କୋଣରେ ଲୁଚିବସିଥିବା ଲୋକଟିର ଛାତି ଧଡ଼ପଡ଼ ହେଉଛି; କଥାଗୁଡ଼ାକ ଶୁଭେନ୍ଦୁର ତଉଲୁଛି ମନେ ମନେ ।

 

ମାଧବୀ ଯଦି ତାର ପ୍ରେମିକା ହୋଇଥାଆନ୍ତା ତେବେ ଶୁଭେନ୍ଦୁ କଣ ତାର ଛୁଆକଥା ଉଠାଇ କହିପାରନ୍ତା ?

 

ଅଥଚ କି ସୁନ୍ଦର, କି ମଧୁର ଏଇ ଦୁଇଟିଙ୍କର ସମ୍ପର୍କ । କି ନିବିଡ଼ ଭାବରେ ଛନ୍ଦି ହୋଇ ରହିଛି ଏଇ ଦୁଇଟି ଅପାର୍ଥିବ ମନ ।

 

ଏତେବେଳଯାଏ ଲୁଚି କରି ବସି ରହିଥବାରୁ ଆଉ ପଦାକୁ ବାହାରିଆସିବାକୁ ସାହସ କଲାନି ତମାଳ । ନିଜକୁ ଭୀଷଣ ହୀନ ମନେକରୁଛି ସିଏ । ନିଜକୁ ଲୁଚାଇ ବସିରହିବାକୁ ବାଧ୍ୟ ହେଲା ।

 

ରାଜ ଓ ଅଭିମାନରେ ଥମ୍‌ ଥମ୍‌ ଦିଶୁଛି ଶୁଭେନ୍ଦୁର ମୁହଁଟା । ତାର ସେହି ମୁହଁ ଦେଖି ବିଚଳିତ ହେଲା ମାଧବୀ । ତରଳ କଣ୍ଠରେ କହିଉଠିଲା—ରାଗନି ଶୁଭଭାଇ, ରାଗନି । କାହାରି କଥାର ମୂଲ୍ୟ କଣ ମୁଁ ଦେଇଛି ? ଦେଇନି । ହେଲେ ଭାଉଜଙ୍କୁ ବୁଝାଇ କହିବାର ତ କିଛି ନାହିଁ; ତେଣୁ ତାଙ୍କର ଦୁଃଖ ଦେଖି ପଳାଇଆସିଲି । ଆଉ, ଏଇଠିକା କଥା ନ ଭାବି ଆଉ କଣ କରିଥାନ୍ତି କହିଲ ?

 

ଶୁଭେନ୍ଦୁର ଉତ୍ତରକୁ ଅପେକ୍ଷା ନକରି ପୁଣି ସେ କଣ କହିଚାଲିଲା—ତେବେ ଏତିକି କରିପାରିଥାଆନ୍ତି ଯେ, ଚୁପ୍‌କରି ଯାଇ ତୁମ ଶୋଇଲାଘର ଝରକାରେ ଠୁକ୍‌ ଠୁକ୍‌ କରି ଶବ୍ଦ କରି ତୁମକୁ ଉଠାଇଆଣି ତୁମରି ସାଥିରେ ପଳାଇ ଯାଇଥାଆନ୍ତି କେଉଁଆଡ଼େ, ସେଇ ଗୋଟାକ କରିପାରିନି ।

 

ଏଥର ସବୁ ରାଗ ପାଶୋରି କଣ୍ଠରେ ଶବ୍ଦ ତୋଳି ହସିଉଠିଲା ଶୁଭେନ୍ଦୁ । କହିଲା—ଆଉ, ମୋ ବଦଳରେ ଯଦି ଭାଉଜ ଉଠିପଡ଼ି ଝରକା ଖୋଲିଥାଆନ୍ତା ?

 

ମାଧବୀର ଗମ୍ଭୀର ଗଳାରେ କହିଲା—ତୁମେ ସମ୍ଭାଳିଥାନ୍ତ ।

 

ମୁହୂର୍ତ୍ତେ ଚୁପ୍‌ ହୋଇ ଠିଆହେଲା ମାଧବୀ, ଶୁଭେନ୍ଦୁର ଆଖିରେ ବି ଓହ୍ଲାଇ ଆସିଲା ଏକ ଉଦାସ ଛାୟା । ନିଜକୁ ସମ୍ଭାଳିନେଲା ଆନମନା ମାଧବୀ । ସେହିପରି ଉଦାସ କଣ୍ଠରେ ପୁଣି ପଚାରିଲା—ତୁମେ ଯେ ଏଠିକି ଆସିଛ, ଏକଥା କଣ ଜାଣେ ଭାଉଜ ?

 

ସଂବିତ୍‌ ଫେରିଲା ଶୁଭେନ୍ଦୁର । ବ୍ୟଥିତ ଆଖି ତୋଳି ଚାହିଁଲା ମାଧବୀର ହସିଲା ମୁହଁକୁ-। ପାଖରେ ଥୁଆହୋଇଥିବା ବ୍ୟାଗ୍‌ଟାକୁ ଉଠାଇ ନେଇ ଚେନ୍‌ ଖୋଲିଲା ଶୁଭେନ୍ଦୁ । ତା’ରି ଭିତରୁ କାଢ଼ିଆଣିଲା ଗୋଟାଏ ମୋଟା ପ୍ୟାକେଟ୍‌ । ନିଜ ଓଠରେ କ୍ଷୀଣ ହସଗାରେ ଟାଣିଦେଇ ପ୍ୟାକେଟ୍‌ଟା ବଢ଼ାଇଦେଲା ମାଧବୀ ହାତକୁ ।

 

ମନରେ ଅନେକ ଆଗ୍ରହ ନେଇ ପ୍ୟାକେଟ୍‌ଟା ଖୋଲି ପକାଇଲା ମାଧବୀ । ଦାମି ଶାଢ଼ି ସାୟା ବ୍ଲାଉଜ୍‌ ଉପରେ ଛୋଟ ଗୋଟିଏ ଚିଠି । ଆଖିରେ ପ୍ରଶ୍ନଭରି ମାଧବୀ ଚାହିଁଲା ଶୁଭେନ୍ଦୁର ମୁହଁକୁ । କଥା କହିଲାନି ଶୁଭେନ୍ଦୁ ।

 

ଚିଠି ଖୋଲି ଆଖି ବୁଲାଇଲା ମାଧବୀ ଓ ବେଶ୍‌ ପାଟିକରି ପଢ଼ିଲା—

 

କଲ୍ୟାଣୀୟା ଆଦରର ମାଧବୀ !

 

କଣ ଲେଖିବି କୁହ ତ ? କେଉଁ ଭାଷାରେ ଲେଖିଲେ ତୁମେ ଜାଣିବ ଯେ ତୁମକୁ ଗାଁଛଡ଼ା କରି କି ଭାବରେ ଦଗ୍‌ଧୀ ମରୁଛି ମୁଁ । ଯନ୍ତ୍ରଣାକାତର ମନ ନେଇ ଯେଉଁ ଶାଶୁଘରୁ ତୁମେ ପଳାଇଆସିଥିଲ, ସେଇ ଘରକୁ ଲେଉଟିଗଲ ଖାଲି ବାଧ୍ୟ ହୋଇ । ଲେଉଟିଗଲ ମୋରି ପଦଟିଏ ଅବାକ୍ୟ ଶୁଣି ! ତୁମ ମୁଣ୍ଡରେ ପଶିନି ଆଉ କେଉଁ କଥା, ତୁମ ଆଖିରେ ଭାସିନି ଆଉ କେଉଁ ଜାଗା କଥା । ବାପଘର ନୋହିଲେ ଶାଶୁଘର—ଯେଉଁ କଥାଟି କେବଳ ସୁନାଝିଅଙ୍କ ମଥାରେ ହିଁ ପଶେ । କେତେ ମୁଁ ଭାବିଛି ମାଧବୀ, ତୁମରି କଥା—ଭାବୁଛି ଏଇ ଆଜିଯାଏ ବି । ଲୁହରେ ଅନ୍ଧ ହୋଇଯାଏ ମୋର ଦୁଇ ଆଖି, ସେଇ ଆଖିର ଡୋଳା ତଳେ ଭାସିବୁଲେ ତୁମର ସେ ରାତିର ସେଇ ନିଥର ନିର୍ବାକ୍‌ ମୁହଁଟି—ଯେଉଁ ମୁହଁଟି ଆମରି କଥାର ବିଷରେ ନୀଳ ପଡ଼ିଯାଇଥିଲା । ତମ ଘରର କରବୀ ପାଟିରେ ଅକଥା ଶୁଣି ତୁମେ ତାକୁ ମାରିଚ । ସେଇ କଥା ଶୁଣି ଝାଉଁଳିପଡ଼ିଚି ଧାରାଶ୍ରୀ । ହାତରେ ମୁହଁ ଲୁଚାଇ ଏବେ ବି କାନ୍ଦେ ସିଏ । କହେ—ପାପର ତ ଶକ୍ତି ନାଇଁ ଭାଉଜ, ପାପ ବଡ଼ ଦୁର୍ବଳ । ମାଧବୀ ନାନୀ କରବୀକୁ ମାରିବାପାଇଁ କେଉଁଠୁ ଶକ୍ତି ପାଇଲା ! ଘର ଛାଡ଼ି, ମାନ ଅପମାନ ଭୁଲି ରାତିକ ଭିତରେ ଗାଁ ଛାଡ଼ି ପଳାଇଗଲା ସିଏ । ନଯାଇଥିଲେ ଆମେ ତାର କଣ କରିପାରିଥାନ୍ତୁ ? ଭାଇଙ୍କୁ ତା’ ଘରେ ସିଲ ପୂରାପୂରି ବାନ୍ଧିରଖି ଯଦି ଆମ କଥାକ ଫୁଙ୍କି ଉଡ଼ାଇଦିଅନ୍ତା, ତେବେ କିଏ କଣ କରନ୍ତା ତା’ର ? ନାଇଁ ଗୋ ଭାଉଜ, କଥାଟା ପୂରାପୂରି ଅକଥା ବୋଲି ଗାଁ ଛାଡ଼ି ପଳାଇଲା ସିଏ । ଆମେ ଆମର ଭୁଲ ପାଇଁ ସାରା ଜୀବନ ସନ୍ତୁଳି ହେବୁ; ଆଉ ସିଏ ଯେଉଁଠି ପଡ଼ିଥିଲେ ବି ଝଟକୁଥିବ ହୀରାଖଣ୍ଡ ପରି ।

 

ମାଧବୀ, ଅନୁତାପର ନିଆଁରେ ଦଗ୍‌ଧ ହେଉଛି ଆମରି ଏଇ ନିର୍ବୋଧ ଜୀବନଗୁଡ଼ାକ । କାହିଁରେ ଶାନ୍ତିପାଉନୁ ଆମେ । ଭାଇ ତୁମର କିନ୍ତୁ ନିର୍ବିକାର ସଦାନନ୍ଦ । ଦିନେ ଖାଲି ପଦଟିଏ କଥା କହିଥିଲେ ଯେ, ଯାହାହେଉ, ଝିଅଟା ବଞ୍ଚିଛି ଆଉ ନିରାପଦରେ ଅଛି, ଏଇ ମୋର ଯଥେଷ୍ଟ । ତା’ପରେ କେଉଁଦିନ ହେଲେ ତାଙ୍କୁ ଦୁଃଖ କରିବାର ଦେଖିନି କି ନୀରବରେ ବସି କିଛି ଗୋଟାଏ ଭାବିବାର ଦେଖିନି । ପଚାରେ—ମନେପଡ଼େନି ତୁମର ମାଧବୀକୁ ? କହନ୍ତି—ମନେପଡ଼ିବନି ? ବହୁତ ମନେପଡ଼େ । ସେ ଆଉ ମୁଁ ଥିଲୁ ଅଭିନ୍ନ ହୃଦୟ ବନ୍ଧୁ; କେମିତି ମନ ନ ପଡ଼ିବ କୁହ ତ ? ହେଲେ ବ୍ୟସ୍ତ ହୁଏନି । ଖାଇପିଇ ନିରାପଦରେ ଅଛି ସିଏ—ସେଇ ମୋର ଢେର୍‌ । ଭାତଗଣ୍ଡାକ ପାଇଁ ତ ତାକୁ ଆଉ ବାରକଥା ଶୁଣିବାକୁ ପଡ଼ିବନି । ଜାଣେ, ସୁଖରେ ନଥାଉ—ଶାନ୍ତିରେ ଥିବ—ଯାହା ମଣିଷଜୀବନରେ ବଡ଼ କାମନା । ଆଉ କଣ ଲୋଡ଼ା ?

 

ମାଧବୀ, ତାଙ୍କର ଏମିତି ସ୍ପଷ୍ଟ ଆଉ ପ୍ରାଞ୍ଜଳ ଉତ୍ତର । ସେଇ ଉତ୍ତର ପାଖରେ ମଥା ନୁଆଇଁ ମୁଁ ଠିଆହୋଇଥାଏ । ନିଜକୁ ଖୁବ୍‌ ଛୋଟ ମନେହୁଏ । ମନେହୁଏ ନିଜକୁ ବଡ଼ ଅପରାଧୀ ତୁମ ପାଖରେ ଓ ତୁମ ଭାଇଙ୍କ ପାଖରେ । ମୋର ଅନୁତାପଦଗ୍‌ଧ ମନ ଶାନ୍ତି ପାଇବ ଯଦି ତୁମେ ଆଜିକା ପରି ଦିନରେ ଏଇ ଲୁଗା ଖଣ୍ଡି ପିନ୍ଧି ତୁମ ଭାଇଙ୍କୁ ମୁଣ୍ଡିଆ ମାର । ବଡ଼ ମନକରରି ନିଜ ହାତରେ ମୁଁ କିଣିଆଣିଛି ଏଇ ଲୁଗା, ଅନେକ ସାଧ୍ୟସାଧନାକରି ଭାଇଙ୍କୁ ତୁମର ପଠାଇଛି ତୁମ ପାଖକୁ । ତୁମ ଦୁହିଁଙ୍କୁ ଏକାଠି ବସି ଗପ କରିବା ଦେଖିଲେ ଏ ଘରର ସମସ୍ତେ ଶାନ୍ତିପାଇବେ । ମନରେ ଅନେକ ଆଶା ନେଇ ଚାହିଁରହିଲି ତୁମରି ଭାଇଙ୍କର ଆସିବା ବାଟକୁ ।

 

ଆଉ କଣ ଲେଖିବି ?

 

ଇତି ତୁମର ଭାଉଜ

 

ଅବିଚଳିତ ସ୍ୱରରେ ଚିଠିଟି ପଢ଼ିସାରି ମାଧବୀ ଗମ୍ଭୀରଗଳାରେ କହିଲା—ତୁମେ ଦୁଃଖ କରନି ଶୁଭଭାଇ ! ଏସବୁ ଜିନିଷ ତୁମେ ଫେରାଇ ନେଇଯାଅ । ମନହେଲେ କିଏ ମତେ ପାଖକୁ ଟାଣିବ ପୁଣି ମନହେଲେ ଦୂରକୁ ଠେଲିଦେବ—ସେ ମନମର୍ଜି ଜଗି ଚଳିବାର ଝିଅ ମୁଁ ନୁହେଁ ଶୁଭଭାଇ ! କଥା ହେଲା ସୁନାଗାର; କେବେହେଲେ ଲିଭିବାର ନୁହେଁ । ସେମାନଙ୍କ ସାମନାରେ ମୁଁ ହସିବି—କେମିତି ? ମୋର ତ ତୁହାଇ ତୁହାଇ ମନେପଡ଼ିବ ସେଇ ସେମାନଙ୍କର ମନର ଧାରଣା-। ଲଜ୍ଜାରେ ତ ଜଡ଼ ପାଲଟିଯିବି ମୁଁ । ଆଉ ତୁମ ସାଥିରେ ବସି ଗପ କରିବି କେମିତି-? ନା ଶୁଭଭାଇ ନା, ଯେଉଁମାନେ ମତେ ଅକଥା କହି ମୋର ସବୁ ଦମ୍ଭକୁ ମାଟିରେ ମିଶାଇଦେଲେ ତାଙ୍କ ପାଇଁ ମନରେ ମୋର ରାଗ ଘୃଣା ନଥାଇପାରେ; ୟାବୋଲି ସେମାନଙ୍କ ହାସ୍ୟକର ଅନୁତାପକୁ ମୂଲ୍ୟଦେବାକୁ ଯାଇ ଆତ୍ମାକୁ ମୋର କେବେହେଲେ ମୁଁ ଛୋଟ କରିପାରିବିନି । ଆଉ ତୁମେ–ତୁମ କଥା ଅଲଗା–ତୁମେ ମୋର ବନ୍ଧୁ, ତୁମେ ମୋର ଆନନ୍ଦ, ତୁମେ ମୋର ଦୁର୍ଦିନର ସାଥୀ-। ତୁମେ ଯଦି ଏଇ ସବୁ ଆଣିଥାନ୍ତ ତେବେ ମୁଣ୍ଡରେ ମୁଣ୍ଡାଇ ନେଇଥାଆନ୍ତି । ତା’ ଯେତେବେଳେ ଆଣିନ ସେତେବେଳେ ଏସବୁ ତୁମକୁ ଫେରାଇ ନେବାକୁ ପଡ଼ିବ, ଶୁଭଭାଇ !

 

ଦୁଇ ଆଖିରେ ଆନନ୍ଦ ଭରି ଚାହିଁରହିଲା ମାଧବୀର ମୁହଁକୁ ବିମୁଗ୍‌ଧ ଶୁଭେନ୍ଦୁ । ଆଉ ଜଣେ ବି ମନପ୍ରାଣ ଦେଇ ଶୁଣିଗଲା ଚିଠିଟି—ମାଧବୀର କଥା, ମାଧବୀର ଉପେକ୍ଷା । ଖୁବ୍‌ ରୁକ୍ଷ ମନେହେଲା ତାକୁ; କାରଣ ଚିଠିର ପ୍ରତ୍ୟେକଟି ଶବ୍ଦ ମନରୁ ତାର ପୋଛିଦେଉଥିଲା, ସାତପରସ୍ତ ମଳି । ମନର କାମନାରେ ଦଗ୍‌ଧ ହୋଇ ସେ ସିନା ରାତିରେ ଅଭିସାର ରଚେ; ହେଲେ ଦିନର ଆଲୁଅରେ ମାଧବୀ ଲାଗି ଅଶୁଦ୍ଧ ଚିନ୍ତାକରି ଆତ୍ମା ତାର ସଙ୍କୁଚିତ ହୋଇଯାଏ । ସେମିତି ଗୋଟାଏ ଯନ୍ତ୍ରଣାଦାୟକ ଚିନ୍ତାରୁ ମୁକ୍ତି ପାଇବାକୁ ବି ସେ କମ୍‌ ଚେଷ୍ଟା କରିନି; କିନ୍ତୁ ସବୁ ବିଫଳ ହୁଏ । ଆଜି କିନ୍ତୁ ଭୀଷଣ ହାଲୁକା ଲାଗିଛି ମନଟା ତାର । ସତେ ଯେମିତି କେତେ କାଳରୁ ବୋହିଥିବା ବୋଝଟା ଆଜି ଓହ୍ଲାଇଗଲା ତାର ମୁଣ୍ଡରୁ ।

 

ପରମ ନିଶ୍ଚିନ୍ତରେ ଚାପି ଚାପି ଗୋଟାଏ ଦୀର୍ଘ ନିଃଶ୍ୱାସ ତ୍ୟାଗ କଲା ତମାଳ । ଚିଠିର ଲେଖିକା ଲାଗି ମନରେ ତାର ଅନେକ କୃତଜ୍ଞତା । ସେହି କୃତଜ୍ଞତାଜନିତ ଆନନ୍ଦରେ ସେ ତେଣୁ ବୁଝିପାରୁନି ମାଧବୀର ଅଭିମାନହତ ବ୍ୟଥିତ ହୃଦୟଟାକୁ । ତାକୁ ଭୀଷଣ ନିଷ୍ଠୁର ମନେହେଉଛି ମାଧବୀ ।

 

କିଛି ସମୟ ନୀରବରେ ରହିବା ପରେ ଶୁଭେନ୍ଦୁ କହିଉଠିଲା–ଆଜି ଖାଲି କଥାର ସୁଅରେ ମତେ ଭସାଇଦେବୁନା କଣ ? ତୋ ଘରେ ଏଡ଼େବଡ଼ ପର୍ବ—ଆଉ ଏ ପର୍ଯ୍ୟନ୍ତ ତୁ ମତେ ଜଳଖିଆ ଟିକିଏ ବି ଖୁଆଇନୁ ? ଯାଉଚି ଚାଲିଯିବି ତେବେ ମୁଁ ।

 

କାଗଜର ପ୍ୟାକେଟ୍‌ଟା ବ୍ୟାଗ୍‌ ଭିତରେ ଭରି ଉଠି ଠିଆହେଲା ଶୁଭେନ୍ଦୁ । ଆଖିତଟରେ ଜମିଆସୁଥିବା ଲୁହକୁ ଅଞ୍ଚଳରେ ଛାପିନେଇ ସଜାଗ ହେଲା ମାଧବୀ । ଚଟ୍‌କରି ଶୁଭେନ୍ଦୁର ଗୋଟାଏ ହାତ ଧରିପକାଇ ମାଧବୀ କହିଲା—ଏତେବେଳ ହେଲାଣି । ଆଉ ଜଳଖିଆ ନୁହେଁ, ଆସ ଭାତ ଖାଇନେବ, ଆସ ।

 

‘‘ନାଇଁ ଶୁଭଭାଇ, ସେ ଯଦି ସେ ଲୁଗା ନପିନ୍ଧନ୍ତି ତେବେ ମୋଟେ ତୁମେ ତାଙ୍କ ଘରେ ଖାଅନି ।’’

 

ମୁହଁ ଫେରାଇ ମାଧବୀ ଆଉ ଶୁଭେନ୍ଦୁ ଚାହିଁଲେ ଦ୍ୱାରଆଡ଼କୁ । ଓଠରେ ହସ ଆଙ୍କି ଠିଆହୋଇ ରହିଛି ପରାଗ । କ୍ରୋଧରେ ଭ୍ରୂକୁଞ୍ଚିତ ହୋଇଗଲା ମାଧବୀର । କହିଲା—ଲୁଚି ଲୁଚି କାହିଁକି ତୁମେ ଆମର କଥା ସବୁ ଶୁଣୁଥିଲ ?

 

ମାଧବୀ—ଭାଉଜ ଗଳାରେ ନୂଆ ସ୍ୱର, ଆଖିରେ ନୂଆ ଚାହାଣି—ଶଙ୍କିଗଲା ପରାଗ-। ଢୋକଗିଳି କହିଲା—କାହାରି ବ୍ୟକ୍ତିଗତ କଥା ମଝିରେ ପଶିଯିବା କଣ ଭଲ ?

 

ବିଷାକ୍ତ ଗଳାରେ ମାଧବୀ କହିଲା—

 

କଥା ମଝିରେ ସହଜ ଭାବରେ ପଶିଆସିବା ଭଲ ନୁହେଁ; କିନ୍ତୁ ଚୋରପରି ସବୁ କଥାରେ କାନ ପାରିବା ଖୁବ୍‌ ଭଲ ଆଉ ଭଦ୍ରାମି ନୁହେଁ ? ଡାକ୍ତର ତ ହୋଇଚ, ହେଲେ ଓକିଲାତି ଗୁଣଗୁଡ଼ାକ କେବେଠୁ ଆୟତ୍ତ କଲା ଶୁଣେ ? ଭାବିଛ କି ତୁମ ମନର ଭାବ ମୁଁ ବୁଝିପାରିନି ବୋଲି-? ଛୋଟଲୋକ କୋଉଠିକାର୍‌ ! ଖବରଦାର, ଭାଉଜ ବୋଲି ଡାକି ପାଖକୁ ଆଉ ଆସିବନି-

 

ପରାଗର ବିମୂଢ଼ ମୁହଁରେ ଜଳନ୍ତା ଆଖି ବୁଲାଇନେଇ ଶୁଭେନ୍ଦୁର ହାତଧରି ପଦାକୁ ବାହାରିଗଲା ମାଧବୀ । ମଝି ପିଣ୍ଡାରେ ଠିଆହୋଇପଡ଼ି କହିଲାଭାଇ, ତମେ ଯାଅ ଠାକୁରଦର୍ଶନ କରିଆସ । ମୁଁ ଭାତ ବାଢ଼ୁଚି ।

 

ଶୁଭେନ୍ଦୁ ଢୋକ ଗିଳି କହିଲା—ପରାଗକୁ ତୁ ସେମିତି କହିଲୁ କାହିଁକି ? ତୁ ଭାତ ଫାତ ବାଢ଼ନା—ବରଂ ମୁଁ ଠାକୁର ଦର୍ଶନ ସାରି, ଯାଉଚି ପଳାଇବି । ଛି ଛି, ତୁ ବଡ଼ ଅସହିଷ୍ଣୁ ହୋଇପଡ଼ୁଚୁ ଦିନକୁ ଦିନ ।

 

ଶୁଭେନ୍ଦୁ ଆଖିରେ ଆଖି ରଖି ମାଧବୀ ଶକ୍ତଗଳାରେ କହିଲା—ଯାହା ବୁଝନି, ସେ କଥା ନେଇ କଥା କୁହନି । ଆଉ ନ ଖାଇ ଯେବେ ଆଉ ଥରେ ଚାଲିଯିବା କଥା କହିବ, ତେବେ ମଜା ଛଡ଼ାଇଦେବି ତୁମର । ବୁଝିବ ମାଧବୀ କେମିତି ଝିଅ ।

 

ଡରିଲା ଆଖିରେ ଶୁଭେନ୍ଦୁ ଚାହିଁଲା ମାଧବୀର ମୁହଁକୁ । ଗଳାରେ ବିରକ୍ତି ଭରି କହିଲା–ଯା’ ତୁ ଯା ଭାତ ବାଢ଼ୁଥା, ମୁଁ ଟିକିଏ ଠାକୁର ଦେଖିଆସେ ।

 

ରୋଷେଇଘରେ ପଶି ଭାତ ବାଢ଼ିବାକୁ ବସିଲା ମାଧବୀ । ଦୁଆରର ଦୁଇପଟ ବନ୍ଧରେ ହାତ ଦେଇ ଠିଆହେଲା ପରାଗ । ମୁହଁକୁ ତାର କୋଣେଇ ଚାହିଁଲା ମାଧବୀ । କ୍ରୋଧ ଆଉ ଘୃଣାରେ ଫୁଲିଉଠିଲା ତାର ନାକପୁଡ଼ା ଦୁଇଟି । ଅଶ୍ରୁରୁଦ୍ଧ ଅସ୍ଥିରଗଳାରେ ପରାଗ କହିଉଠିଲା—ମତେ ଆଦର କରି ଖାଇବାକୁ ଡାକ ଭାଉଜ, ନହେଲେ ଦେଖୁଚ ଏଇ ଶୀଳପୁଆକୁ ନା ? ଏଇଥିରେ ଫଟାଇଦେବି ନିଜ ମୁଣ୍ଡକୁ ନିଜେ ମୁଁ । ରକ୍ତ–ଗଙ୍ଗା ବୁହାଇ ଦେବି ଆଜି ସପ୍ତମୀ ପରା ଦିନେ ।

 

ଅଧିକ କ୍ରୋଧରେ ଓଠପାଖୁଡ଼ା ଦୁଇଟି ଥରୁଥିଲା ମାଧବୀର, ପରାଗ କଥାର କୌଣସି ଉତ୍ତର ନଦେଇ ନୀରବରେ ବାଢ଼ୁଥିଲା ସିଏ । ଆଉ ଜଣେ—ସେ ହେଲା ତମାଳ । ଭୟ-ବିଭ୍ରାନ୍ତ ମନନେଇ ସେ ଆସି ଠିଆହୋଇଛି ସ୍ତମ୍ଭ ଉହାଡ଼ରେ । ପରାଗ ଉପରେ ମାଧବୀର କ୍ରୋଧ !! ଝଡ଼ ବହିଯିବ ଆଜି ଏ ଘରେ—ଖଣ୍ଡପ୍ରଳୟ ହେବ ।

 

ପରାଗର ରୂପ ଦେଖି ଭୟରେ ଝାଉଁଳିପଡ଼ିଛି ତମାଳ । ପୁଣି ଚିତ୍କାର କରି ପରାଗ ଡାକିଲା—ଭାଉଜ ଅ....

 

ଭିତରୁ ଆସିଲାନି ଏତେ ଟିକିଏ ବି ଶବ୍ଦ । ହାତରେ ଶିଳପୁଆଟା ଧରି ଥରୁଛି ପରାଗ । ସେ ପୁଣି ଡାକିଲା—ଭାଉଜ ଅ.... ତଥାପି ନୀରବରେ ଅଛି ତାର ସେଇ ପାଷାଣୀ ମାଧବୀ ଭାଉଜ-। ଏଥର ଶିଳପୁଆଟା ଜୋର୍‌ରେ ନିଜ କପାଳରେ ପିଟିଦେଲା ପରାଗ । ତା ଭିତରର ସବୁ ଲୁହ ରକ୍ତ ହୋଇ ଝରିଆସିଲା । ଭୂଇଁ ଉପରେ ବସିପଡ଼ିଲା ସେ ।

 

ଅଗଣାରେ ଆସି ଠିଆହେଲା ତମାଳ । ସମସ୍ତ ଯାଇ ସେଇ ଠାକୁରାଣୀଙ୍କ ଅଗଣାରେ-। ନିଝୁମ ହୋଇ ରହିଚି ଏ ପଟଟା । କି କାଣ୍ଡ ଦେଖ ତ ! ମୁଣ୍ଡଟାକୁ ଜାଣି ଜାଣି ଫଟାଇ ଦେଇଛି ଟୋକାଟା !! କିଏ ଆସି ଦେଖିଦେଲେ କଣ ଭାବିବ !!

 

ପରାଗର ଅବଚେତନ ମନରେ ସନ୍ଦେହ ବସା ବାନ୍ଧିଥିଲା—ନ ହେଲେ ସେ କାହିଁକି ଏତେ ସମୟ ଧରି କାନପାରୁଥିଲା ଏମାନଙ୍କ କଥାରେ !! ବୁଦ୍ଧିମତୀ ମାଧବୀ ଠିକ୍‌ ବୁଝିଛି । ବୁଝିଛି ବୋଲି ତ କଲିଜାରେ ତାର ଆଘାତ ଲାଗିଛି । ନ ହେଲେ ତାର ପ୍ରାଣର ପ୍ରାଣ ପରାଗ; ସେଇ ପରାଗଲାଗି ମାଧବୀ ଆଖିରୁ ଘୃଣା ବରଷନ୍ତା କାହିଁକି ? ଭାବନା ଭାଙ୍ଗିଲା ତମାଳର ମାଧବୀ କଣ୍ଠସ୍ୱର ଶୁଣି । ଚକିତ ଆଖି ମେଲି ପୁଣି ସିଏ ଚାହିଁଲା ରୋଷେଇଘର ଭିତରକୁ । ମାଧବୀ ଆସି ନିଜ କୋଳରେ ତୋଳିନେଲା ପରାଗର ମଥାଟିକୁ । ଦାନ୍ତରେ ଦାନ୍ତ ଚାପି ପଚାରିଲା—ମତେ ସନ୍ଦେହ କରି ସେଇଠି କାନପାରିଥିଲ ନା ?

 

ଦୁଇ ହାତ ପାପୁଲିରେ ମୁହଁ ଢାଙ୍କି ପରାଗ କ୍ଷୀଣ ସ୍ୱରରେ କହିଲା—ହଁ.... ଅଁ.... ଅଁ । ଆଖି ଦୁଇଟା ଜାଳିଉଠିଲା ମାଧବୀର । ଠାଏ କରି ଚଟକଣିଟେ ମାରି ଦେଲା ପରାଗର ରକ୍ତବୋଳା ଗାଲରେ । ମୁହଁ ଢାଙ୍କି ଶିଶୁପରି କ୍ଷୀଣସ୍ୱର ତୋଳି କାନ୍ଦିଉଠିଲେ ପରାଗ ।

 

ଜଳିଲା ଆଖିରେ ମୁହଁକୁ ତାର ଚାହିଁ ରହିଲା ମାଧବୀ । କ୍ରୋଧରେ ଥରୁଥିଲା ତାର ନାମ ପୁଡ଼ା ଦୁଇଟି । ପରାଗର ପାପୁଲି ଫାଙ୍କଦେଇ ଉପୁଚି ଆସୁଛି ରକ୍ତର ଲାଲ ରେଖା ଧୀରେ ଧୀରେ ଶାନ୍ତ ହୋଇଆସିଲା ମାଧବୀର ଆଖି ଦୁଇଟା । କୋଳରୁ ଠେଲି ବସାଇଦେଲା ପରାଗକୁ । ଧାଇଁଯାଇ ନିମିଷକେ ନେଇଆସିଲା ଧଳା ପତଳା କନା ଖଣ୍ଡେ । ସଯତ୍ନରେ ଧୋଇଦେଲା ପରାଗର କପାଳଟି ଓ ବ୍ୟାଣ୍ଡେଜ ବାନ୍ଧିଦେଲା ମୁଣ୍ଡରେ । ତଳକୁ ଆଖି ନୁଆଇଁ ନୀରବରେ ବସି ରହିଛି ପରାଗ । ବିମୁଗ୍‌ଧ ଆଖିରେ ମାଧବୀର ମୁହଁକୁ ଚାହିଁରହିଛି ତମାଳ । ଲମ୍ୱା ପିଣ୍ଡାରେ ଶୁଭୁଛି ମଲ ଆଉ ଘୋଡ଼ାର ଶବ୍ଦ ।

 

ସଜାଗ ହୋଇଗଲା ମାଧବୀର । ଦୁଇପାଦ କଡ଼କୁ ଘୁଞ୍ଚିଗଲା ତମାଳ । ମୁଣ୍ଡ ପୋତି ବସିରହିଛି ପରାଗ । ହସିଲା ମୁହଁ ନେଇ ଶୁଭେନ୍ଦୁ ଆଗେଇ ଆସିଲା ତମାଳ ପାଖକୁ । କାନ୍ଧରେ ତାର ଦୁଇହାତ ରଖି କହିଲା—କିରେ ଚୌଧୁରୀ ସାବ୍‌, ଥିଲୁ କୋଉଠି ? ମୁଁ ତ କେତେବେଳୁ ଆସିଲିଣି । ଭାବିଥିଲି ମେଲାରେ ଥିବୁ, ସେଠିକି ଯାଇ ବି ତତେ ପାଇଲିନି । କୋଉଠି ଥିଲୁ କହ ତ-?

 

ତା’ କଥାର ଉତ୍ତର ନ ଦେଇ ତମାଳ ଅଭିମାନଭରା ଗଳାରେ କହିଲା–କେତେଦିନ ପରେ ତୁ ଏଠିକୁ ଆସିଲୁ କହ ତ ? ମାଧବୀ ଏଠୁ ଚାଲିଯିବାର ଠିକ୍‌ ଦୁଇମାସ ଆଗରୁ ଥରେ ତୁ ଆସିଥିଲୁ । ସେ ଖୁବ୍‌ ଅସୁସ୍ଥ ହୋଇପଡ଼ିଥିଲା–ତାକୁ ଦେଖିବାକୁ ଆସିଥିଲୁ । ମନେଅଛି ନା ତୋର ସେଇ କଥା ? ତା ପରେ.... ଏଇ ଦଶ ବର୍ଷ ଭିତରେ ଆଉ ଦିନକ ଲାଗି ହେଲେ ତୁ ମତେ ମନେପକାଇନୁ । ପକାଇଚୁ ?

 

ଶୁଭେନ୍ଦୁ ବି ଭିଜା ଭିଜା ଗଳାରେ କହିଲା–ମୁଁ ତତେ ମନପକାଇନି ବୋଲି–ତୁ ବି କଣ ମତେ ମନେପକାଇଚୁ ? ମନେଥିଲା ତୋର ମୋ କଥା ?

 

ଓଦା ହୋଇଆସିଲା ତମାଳର ଦୁଇଆଖି ଡୋଳା । କହିଲା ବିଶ୍ୱାସ କର ଶୁଭେନ୍ଦୁ, ତୁ ମୋର ଅନେକ ମନେପଡ଼ୁ । ହେଲେ ନିଜର ଅମଣିଷପଣିଆଁ ଆଉ ଅସହାୟତା ଯୋଗୁ ତତେ ମୁହଁ ଦେଖାଇବାର ସାହସ ମୋର ଆଉ ହୋଇନି, କି ହେବନି ।

 

ଶୁଭେନ୍ଦୁ ସ୍ନେହବିଜଡ଼ିତ କଣ୍ଠରେ କହିଲା—ଏଇ ତ ତୁ ତୋର ମୁହଁଟା ନେଇ ଗୋଟା ସାରା ଠିଆହୋଇଚୁ ମୋ ସାମନାରେ—ଆଉ ପୁଣି କଣ ?

 

ତମାଳ ମଥା ନୁଆଇଁ କହିଲା– ସେ ତ ତୋର ମହାନୁଭବତା ! ତୁଇ ତ ଧାଇଁଆସିଚୁ ମୋର ଏଇ ପୋଡ଼ାମୁହଁଟା ପାଖକୁ । ମୁଁ ଆଉ ତୋ ପାଖକୁ ଯାଇପାରିଲି କୁଆଡ଼େ ?

 

ମଲ୍‌ ଝମ୍‌ଝମ୍‌ କରି ରୋଷେଇ ଘରକଆଡ଼କୁ ଆଗେଇ ଆସିଲା ଚାନ୍ଦ । ପରାଗ ମୁଣ୍ଡରେ ଆଖି ରଖି ଅବାକ୍‌ ହେଲା ସିଏ । ମାଧବୀ ମୁହଁକୁ ଚାହିଁ ପଚାରିଲା—କକା ବାବୁଙ୍କର କଣ ହେଲା ବଡ଼ମା’ ?

 

ତା’ରି କଥାରେ ଶୁଭେନ୍ଦୁ ଫେରି ଚାହିଁଲା, ରୋଷେଇଘର ଆଡ଼କୁ । ଅବାକ୍‌ ହେଲା ପରାଗର ମୁଣ୍ଡ ଦେଖି । ଚାନ୍ଦ କଥାର ଉତ୍ତର ଦେବାକୁ ଯାଇ ମାଧବୀ କହିଲା—ଚଉକାଠରେ ବାଡ଼େଇ ହୋଇଗଲା ମୁଣ୍ଡଟା—ହେଲେ ତୁ କୁଆଡ଼େ ଏତେବେଳଯାଏ ଥିଲୁ ଶୁଣେ ? ଯେତେବେଳେ ଦେଖ ସେଇ ଦାଣ୍ଡପଟେ । ଖୁବ୍‌ ବୁଲାହେଉଚି, ନା ? ଏପଟେ କଣ କିଛି କାମ ନାହିଁ ?

 

ମୁହୂର୍ତ୍ତକେ ଶଙ୍କିଗଲା ଚାନ୍ଦ, ମଥା ନୁଆଇଁ ଭୂଇଁରେ ଆଖି ରଖିଲା ସିଏ । ଆହୁରି ଜୋର୍‌ରେ ତାକୁ ଧମକାଇ ମାଧବୀ କହିଲା—ଠିଆହେଲୁ ନା, ଯାଇ ଡାଇନିଂ ଟେବୁଲଟା ଝାଡ଼ି ଗ୍ଲାସ ତିନିଟା ରଖିଦେଇ ଆସୁଚୁ ନା ?

 

ମଥା ନୁଆଁଇ ସେଠୁ ଧୀରପାଦରେ ଚାଲିଗଲା ଚାନ୍ଦ । ମାଧବୀର ମୁହଁରେ ଆଖି ରଖି ଠିଆହୋଇଥିଲା ଶୁଭେନ୍ଦୁ । ଚାନ୍ଦ ଚାଲିଗଲା ପରେ ହସିଉଠିଲା ସିଏ । କହିଲା—ତୋର ମିଜାଜ୍‌ ଏବେ ଏମିତି ତାତିରହିଛି କାହିଁକି କହିଲୁ ? ଖୁବ୍‌ ବଦଳିଯାଉଚୁ । କାହିଁକି ପିଲା ଲୋକଟାକୁ ଆଜି ପରା ଦିନରେ ଗାଳିଦେଲୁ କହିଲୁ ? ଛୁଆଲୋକ, ସେମାନେ ଟିକିଏ ବୁଲିବେନି, ଖେଳିବେନି ?

 

ଚିଡ଼ିଉଠିଲା ମାଧବୀ । ଗଳାରେ ବିରକ୍ତିଭରି କହିଲା—ଥାଉ, କହିଲି ପରା ଯାହା ବୁଝେନି ତା ନେଇ କଥା କୁହନି, ଯାଅ ସବୁ ସେ ଘରକୁ—ମୁଁ ଭାତ ନେଇ ଯାଉଛି ।

 

କ୍ଷୀଣ କଣ୍ଠରେ ପରାଗ କହିଲା—ମୁଁ ଖାଇବିନି ଭାଉଜ ! ମତେ ଭୋକ ନାଇଁ ।

 

ଫାଇଁକରି ଜଳିଉଠିଲା ମାଧବୀ, କହିଲା—ଭୋକ ନାହିଁ ? ଖାଇବନି ? ଅଲବତ ଖାଇବ ।

 

କଥା ସାରି ହାଣ୍ଡି ପାଖକୁ ଚାଲିଗଲା ମାଧବୀ । ଏଥର ଟିକିଏ ଶଙ୍କିତ ଆଖିମେଲି ଶୁଭେନ୍ଦୁ ଚାହିଁଲା ରୋଷେଇଘର ଆଡ଼କୁ । ତା’ପରେ ଆଖିରେ ପ୍ରଶ୍ନଭରି ଚାହିଁଲା ତମାଳ ଆଉ ପରାଗ ମୁହଁକୁ । ସେମାନେ କେହି ଦେଇପାରିଲେନି ତା ପ୍ରଶ୍ନର ଉତ୍ତର । ତିନିହେଁ ଆଗେଇଗଲେ ଡାଇନିଂ ହଲ୍‌ ଆଡ଼କୁ ।

 

ସେଦିନ ଅନେକ ରାତିରେ ବିଦାୟ ନେଇଥିଲା ଶୁଭେନ୍ଦୁ । ଅନେକ ଦିନ ଲାଗି ଉଦାସ ହୋଇଯାଇଥିଲା ମାଧବୀ । ପରାଗ ଉପରେ କିନ୍ତୁ ବେଶି ଦିନଧରି ରାଗ ରଖିପାରିନି ସିଏ । ନିଜ ଗୁଣରେ, ନିଜ ବ୍ୟବହାରରେ ମାଧବୀର ମନକୁ ତରଳାଇ ଦେଇଛି ପରାଗ । ପୁଣି ମାଧବୀର ମେଘୁଆ ଜୀବନ—ଆକାଶରେ ଚାନ୍ଦ ହୋଇ ଫୁଟିଉଠିଛି ପରାଗ । ଅସଲରେ ଏଠିକାର ଏଇ କ୍ଳାନ୍ତିକର ଜୀବନଯାତ୍ରାପଥରେ ପରାଗହିଁ ତ ତାର ଏକମାତ୍ର ଅବଲମ୍ୱନ । ପରାଗ ନଥିଲେ ତ ଜୀବନ ତାର ମରୁପରି ଶୂନ୍ୟ ।

 

୧୨

 

ଦଶହରା ଯିବାର ଦୁଇମାସ ହୋଇଗଲାଣି । ମାର୍ଗଶିର ମାସ, ବେଶ୍‌ ଶୀତ ପଡ଼ିଲାଣି । ଚାରୁଲତାଙ୍କ ପକ୍ଷରେ ଏଇ ଶୀତମାସଗୁଡ଼ାକ ଭାରି କଷ୍ଟଦାୟକ । ଆଣ୍ଠୁଗଣ୍ଠିରେ ବାତ ଧରେ । ବଡ଼ କଷ୍ଟ ପାଆନ୍ତି । ପ୍ରତିଦିନ ସକାଳେ ଆଉ ସନ୍ଧ୍ୟାରେ ଔଷଧ ମାଲିସ କରିବାକୁ ପଡ଼େ । କରେ ସେଇ ମାଧବୀ । ଗେହ୍ଲୀ ଗୌଡ଼ୁଣୀ ପାଖରୁ ମଲ୍ଲିପୁର ଖବର ପାଇ ଚଞ୍ଚଳ ହୋଇଉଠିଛି ମାଧବୀର ମନ । ପୁଣି ଇଆଡ଼େ ଆଉ ଆଠଦିନ ରହିଲା ଚାନ୍ଦର ବାହାଘର । ଭୀଷଣ ବିବ୍ରତ ବୋଧକରୁଛି ମାଧବୀ । ସବୁଠୁ ବେଶି ଚିନ୍ତାର କାରଣ ହୋଇଛି ମଲ୍ଲିପୁର କଥା । ତା ପାଖରୁ ଲେଖେଇ ନେଇଥିବା ଦଲିଲଟା ଖୁଡ଼ୀ କୁଆଡ଼େ ପାଉନାହାନ୍ତି; ନପାଇବାରୁ ଘରଟାକୁ କୁଆଡ଼େ ଉଠାଉଛନ୍ତି ପକାଉଛନ୍ତି । କକା କୁଆଡ଼େ ତେଜିଲା ଗଳାରେ କହିଛନ୍ତି ଯେ—କାହିଁକି ଖୋଜୁଚ ସେ ଦଲିଲ ଶୁଣେ ? ତାର ଅସହାୟତାର ସୁଯୋଗ ନେଇ ତମେ ନେଇନେଇଚ ତାର ସର୍ବସ୍ୱ ! ଏଡ଼େ ଚାଲାକ୍‌ ତମେ ? ଏଡ଼େ ଖାଇଲାବାଲୀ ? ମାଧବୀ ଚାଲିଗଲା ଦିନ ତାରି ସାମନାରେ ମୁଁ ଚିରିଦେଇଛି ସେ ଦଲିଲ । ମଥାରେ କରାଘାତ କରି କୁଆଡ଼େ ବସିପଡ଼ିଥିଲେ ଖୁଡ଼ୀ, ସ୍ୱର ଲମ୍ୱେଇ କାନ୍ଦୁରା ଗଳାରେ କହିଉଠିଥିଲେ–ଆଲୋ ମୋ ବୋଉ ଲୋ.... ଦଲିଲ ତମେ ଚିରିଦେଇଚ ? ଆଉ ମୋ ଟଙ୍କା ? ମୁଁ ଯେ ମୁଠା ମୁଠା ଟଙ୍କା ଦେଇଛି ମାଧବୀକୁ ।

 

‘‘ଟଅଁଙ୍କା’’... ଖତେଇ ହୋଇ ଉଠିଥିଲେ କକା, ସ୍ୱରକୁ ପଞ୍ଚମରେ ତୋଳି କହିଥିଲେ— ‘‘ମୁଠା ମୁଠା ଟଙ୍କା ତମେ ଦେଇଛ ତାକୁ ? କେଡ଼େ ଦାନୀ ମ !! ତାକୁ ଟଙ୍କା ଦୁଇଶଟା ଦେଇ ତାଠୁ ଲେଖେଇ ନେଇଛ ପାଞ୍ଚସାତ ହଜାର ଟଙ୍କା ସମ୍ପତ୍ତି.... କଣନା ଟଙ୍କା ଦେଇଛି । ସତେକି କିଏ ଇଆ ବାପଘରୁ ଟଙ୍କା ଆଣି ଦେଇପକାଇଥିଲା ।’’

 

‘‘ବାପଘରୁ ଟଙ୍କା ଆଣିଥିଲେ ମୋର ହୁଅନ୍ତା, ନ ହେଲେ ନାଇଁ’’ ତେଜିଉଠିଥିଲେ ଖୁଡ଼ୀ ତା’ ପରେ... ।

 

କୋଳରେ ପିଲାଟାକୁ କାଖରେ ଜାକି, ବାକି ତିନିଟାକୁ ଛାଡ଼ିଦେଇ ଖୁଡ଼ୀ କୁଆଡ଼େ ସେଇ ଦିନବେଳାଟାରେ ଚାଲି ଚାଲି ବାପଘରକୁ ଚାଲିଯାଇଛନ୍ତି । କକା କୁଆଡ଼େ ବାରିଦୁଆରଯାଏ ପଛରେ ଗୋଡ଼ାଇ ଯାଇ କହିଛନ୍ତି—‘‘ହେଇଟି ରୁକୁଣା ରଥ ଯେମିତି ଅଣଲେଉଟା ହୁଏ । ମୋଟେ ଭାବିନି ଯେ, ତୁମକୁ ଆଣିବାକୁ ଯିବି, ସେଇ କଥାକୁ ବୁଝିବିଚାରି ଯାଉଥା ତମେ ।’’

 

ଖୁଡ଼ୀ ବି କୁଆଡ଼େ ମୁହଁ ଛାଟି କହିଥିଲେ—‘‘ମୁଁ ଯଦି ମନକୁ ଆଉ ଆସେ ଏ ଘରକୁ ତେବେ ମୁଁ ଅନ୍ତଦାସର ଝିଅ ନୁହେଁ, ହାଡ଼ୀଝିଅ ।’’

 

ତା’ପରେ କୁଆଡ଼େ ଡବଡବ ପାଦରେ ଚାଲିଯାଇଛନ୍ତି, ଖୁଡ଼ୀ । ଦହି ବିକିବାକୁ ଯାଇ ସବୁ କଥା ଶୁଣି ଆସିଛି ଗେହ୍ଲୀ । ଦେଖିଆସିଛି ସବୁ, ନିଭୃତରେ ସବୁ କହିଛି ମାଧବୀକୁ ।

 

ଏସବୁ କଥା ହେଲାଣି ପନ୍ଦର ଦିନ ତଳର । କାଲି ପୁଣି ଗେହ୍ଲୀ ଆସିଥିଲା । ମାଧବୀ ପୁଣି ପଚାରିଥିଲା ତାକୁ ମଲ୍ଲିପୁର କଥା । ଗେହ୍ଲୀ ଭୂଇଁରେ ଆଖିରଖି ଧୀର ସ୍ୱରରେ କହିଥିଲା—ନାଇଁଗୋ ବୋହୂ ସାନ୍ତାଣୀ ! ଘରକୁ ଫେରିନାହାନ୍ତି ଖୁଡ଼ୀ ତୁମର । କେମିତି ମାଆ ସିଏ କେଜାଣି-? ପିଲାଗୁଡ଼ାକ ଯୋଉ ହନ୍ତସନ୍ତ ଯେ, ତା ଆଉ କହିବାର ନୁହେଁ । ନିଜ ହାତରେ ରାନ୍ଧୁଛନ୍ତି କକା ତୁମର । ଦୁଲୀ ବାଉରାଣୀ ଜିମାରେ ସାନ ମଝିଆଁ ପୁଅକୁ ଛାଡ଼ି ବାକି ଦି’ପୁଅଙ୍କୁ ସାଥିରେ ଧରି ଇସ୍‌କୁଲକୁ ଯାଉଛନ୍ତି କକା । ଦୁଲୀ କହୁଥିଲା—ବଡ଼ ହଇରାଣ ହେଉଛନ୍ତି ସେମାନେ–

 

ଛାତିତଳର ଗୋଟିଏ ଲମ୍ୱା ଦୀର୍ଘଶ୍ୱାସକୁ ଛାତିତଳେ ଚାପି ନେଲା ମାଧବୀ । ଗୋଲାପି ମସୃଣ କପାଳରେ ଖାଲି ସୃଷ୍ଟିହେଲା ଚିନ୍ତାର କେତେଗୋଟି ସୂକ୍ଷ୍ମରେଖା । ଏମିତି ବହୁତ ଭାବନାରେ ବିବ୍ରତ ହୋଇପଡ଼ୁଛି ମାଧବୀ । ମଳିନ ହୋଇଯାଉଛି ତାର ଦେହବର୍ଣ୍ଣ । ଲିଭିଯାଉଛି ଓଠଫାଙ୍କରୁ ତାର ମନଭୁଲା ହସ । ଉଃ, କେତେ ତାର ଦାୟିତ୍ୱ, ଅଥଚ ନିଜର ବୋଲି କିଛି ନାହିଁ ତାର । ରାତିର ଅନ୍ଧକାରରେ କ୍ଷଣେ ମଥା ଚିପି ବସିପଡ଼େ ମାଧବୀ । ମନକୁ ଦିନେ ସ୍ଥିରକଲା—ଆଗ ଚାନ୍ଦର ବାହାଘର, ପରେ ଯେଉଁ କଥା ।

 

X X X

 

ନିର୍ବିଘ୍ନରେ ସରିଗଲା ଚାନ୍ଦର ଶୁଭ କାମଟି । ହେଲେ—ଘରେ ରହିବ ଜାଣି ବି ଚାନ୍ଦ କାନ୍ଦୁଥିଲା ବାହୁନି ବାହୁନି । ମୋହନାର ବିଧବା ମା’ ସାଥିରେ କଥା କରିନେଇଥିଲା ମାଧବୀ ଯେ–ଦେଖ ମୋହନା ମା, ଚାନ୍ଦ ମୋର ଏ ଘରୁ ଗୋଡ଼ କାଢ଼ିବନି, ବାଡ଼ିଆଡ଼େ ତୋଳିଦେଉଛି ଦି’ବଖରା ଘର । ସେଇଠି ତମେସବୁ ଆସି ରହ । ତୋ ଘରେ ଥାଉ ଖାଲି ତୋ ଗାଈଗୁଡ଼ିକ-। ସୁନାରୂପାରେ ମଣ୍ଡିହୋଇ ଚାନ୍ଦପରା ରୂପଗୁଣର ବୋହୂ ଆସୁଛି ତା ଦୁଃଖୀଧନ ଜୀବନରେ । ତେଣୁ ଏକା କଥାକେ ରାଜିହୋଇଯାଇଛି ମୋହନା ମା’ । ସାତ ଆଠଦିନ ଲାଗି ଚାନ୍ଦ ମୋହନଭୀଲା ଛାଡ଼ି ଚାଲିଯାଇଥିଲା ଶାଶୁଘରକୁ । ହେଲେ ସେତିକି । ତା’ପରେ ଦିନେ ଓଠଫାଙ୍କରେ ଉପୁଚିଲା ହସନେଇ ଫେରିଆସିଥିଲା ମାଧବୀର ଅଞ୍ଚଳର ଛାୟାତଳକୁ । ମୋହନା ସାଥିରେ ସୁଖର ସଂସାର ପାତିଥିଲା ସିଏ ବାରିପଟେ ତୋଳା ହୋଇଥିବା ଘର ଦୁଇବଖରାରେ ।

 

ନିଶ୍ଚିନ୍ତ ମନନେଇ ମାଧବୀ ଆଖିବୁଜେ । ଗୋଟିଏ କାମ ସଇଲା; ଆଉ ଗୋଟିଏ କାମ-। ଆଖିଆଗରେ ନାଚିଯାଏ କକାଙ୍କର ଅସହାୟ ମୁହଁ । ତାକୁ ଖୁସି କରିବାକୁ ଯାଇ ହନ୍ତସନ୍ତ ହେଉଚନ୍ତି କକା । ହେଲେ କଣ ତାର ଲୋଡ଼ା ? ଏଇଠି ଦାସୀ ପାଇଟି କରି କରି ବିତିଯିବ ତ ଜୀବନଟାଯାକ । ତେବେ, ଆଖିରେ ପାଣି ଜମେ ମାଧବୀର ।

 

୧୩

 

ସେ ଦିନ ସଞ୍ଜ ଗଡ଼ିଗଲାପରେ ଗହୀର ବିଲ ଭିତରଦେଇ ମଲ୍ଲିପୁରରୁ ଚମ୍ପାପୁରକୁ ଲେଉଟି ଆସୁଥିଲା ସବାରିଟା । ନିଶ୍ଚଳ ନିର୍ବେଦ ହୋଇ ତା ଭିତରେ ବସିରହିଛି ମାଧବୀ । ମୁଦିଲା ଆଖିପତାତଳେ କ୍ଳାନ୍ତିର କାଳିମା । ଆଖି ଆଗରେ ଭାସିଯାଉଛି ଖୁଡ଼ୀଙ୍କର ସ୍ନେହ ତଳତଳ ହାସ୍ୟୋଜ୍ଜ୍ୱଳ ମୁହଁ । ନିଜର ଅଜାଣତରେ ମାଧବୀର ଓଠଫାଙ୍କରେ ଖେଳିଗଲା ଅସ୍ପଷ୍ଟ ହସ ଗାରେ-। ମଣିଷର କେତେ ରୂପ ! କେତେ ଶୀଘ୍ର ବଦଳିଗଲେ ଖୁଡ଼ୀ ! କେତେ ବାହୁନିଲେ ତାକୁ କୁଣ୍ଢାଇଧରି । ପୂର୍ବ ଆଚରଣକୁ ସ୍ମରଣ କରି କେତେ ଅନୁତାପ କଲେ । ଦଲିଲଟା କିନ୍ତୁ ଖୁଡ଼ୀ ମୁଠାଇଧରିଥିଲେ ଖୁବ୍‌ ଶକ୍ତହାତରେ ।

 

ଅଦୂରରେ ଠିଆହୋଇ କକା ଚାହିଁରହିଥିଲେ ଖୁଡ଼ୀଙ୍କ ଆଡ଼କୁ । ଆଖିରୁ ତାଙ୍କର ଝରି ପଡ଼ୁଥିଲା ମୁଠା ମୁଠା ଘୃଣା । କକାଙ୍କ ମୁହଁକୁ ଚାହିଁ ତଳକୁ ଆଖି ନୁଁଆଇ ନେଇଥିଲା ମାଧବୀ । ମାଧବୀ ଜାଣେ, ଖୁଡ଼ୀ ନଥିବାଘରେ କକା ଯଦି ଦଲିଲଟା ହାତରେ ପୁଣି ଦେଖନ୍ତି, ତେବେ ନିଶ୍ଚୟ ପୁଣି ଟାଣିନେଇ ଚିରିଦେବେ । ସବାରି ଭିତରୁ ବାହାରି ମାଧବୀ ଯେତେବେଳେ ଘର ଭିତରେ ପଶିଗଲା, ସେତେବେଳେ କଳକଳ କଣ୍ଠରେ ସାନଭାଇ ତିନିଟା ଆନନ୍ଦ ପ୍ରକାଶ କରିଥିଲେ । ବଡ଼ପୁଅ ମୁନ୍ନା ଆସି ଛନ୍ଦିପକାଇଥିଲା ମାଧବୀର ଅଣ୍ଟାକୁ । ମାଧବୀ ବି ନିବିଡ଼କରି ଜଡ଼ାଇଥିଲା ତାକୁ । ମୁହୂର୍ତ୍ତକପରେ ଭିଜା ଭିଜା ଗଳାରେ ମୁନ୍ନା କହିଥିଲା–ଆଉ ତତେ ଗାଳିଦେବାକୁ ଏ ଘରେ କେହି ନାହାନ୍ତି—ବୋଉ ଚାଲିଯାଇଛି ମାମୁଘରକୁ—ଆଉ ଆସିବନି । ତୁ ଏଥର ଏ ଘରେ ରହିବୁ ତ ରହିଯା ନାନୀ, ଆଉ ଯାଆନା ।

 

ଏଗାର ବର୍ଷର ଭାଇଟାର ମୁହଁକୁ ତୋଳିଧରି ମୁହୂର୍ତ୍ତେ ଚାହିଁଥିଲା ମାଧବୀ । ଓଦାହୋଇ ଆସୁଥିଲା ତାର ଆଖିଡ଼ୋଳା ଦୁଇଟି । ରୋଷେଇଘରୁ ଭାସିଆସୁଥିଲା ଚୁଲିଫୁଙ୍କାର ଶବ୍ଦ । ଭାଇକୁ ଛାଡ଼ି ଦାଣ୍ଡଦୁଆରକୁ ଆସିଲା ମାଧବୀ । ଗୌଡ଼ମାନଙ୍କୁ ବୁଝାଇଦେଲା ଖୁଡ଼ୀଙ୍କ ବାପଘର ଠିକଣା । ଅଳପ ବାଟ, ସବାରି ନେଇ ଚାଲିଗଲେ ଗୌଡ଼ମାନେ । ମାଧବୀ ଚଞ୍ଚଳ ପାଦରେ ଆଗେଇଯାଉଥିଲା ରୋଷେଇଘର ଆଡ଼କୁ ।

 

ତା ଆଗରୁ ପିଲାଙ୍କ ମୁହଁରୁ ଖବର ଶୁଣି ପଦାକୁ ବାହାରିଆସିଥିଲେ ଘନଶ୍ୟାମ । ମାଧବୀ ନଇଁପଡ଼ି ମୁଣ୍ଡିଆ ମାରିବା ଆଗରୁ ତାକୁ ନେଇ ସିଏ ଛାତିରେ ଜାକିଥିଲେ । କଣ୍ଠରୁ ରାଶି ରାଶି ଆନନ୍ଦ ଝରାଇ ପଚାରିଥିଲେ—ଆସିବାକୁ ମନହେଲା ? ମନେପଡ଼ିଲା ତୋର ଏଇ ପୁଅଟା କଥା ? କେତେବେଳେ ବାହାରିଥିଲୁ ମା ?

 

‘‘ଏଇ ରାତି ଚାରିଟାରୁ’’—ଛୋଟକରି ଉତ୍ତର ଦେଲା ମାଧବୀ । କକାଙ୍କ ଆଖିରେ ଆଖିରଖି ମାଧବୀ କହିଲା, ‘‘ଚୁଲି ଫୁଙ୍କି ଫୁଙ୍କି ଆଖି ଦୁଇଟା ଲାଲ ହୋଇଗଲାଣି ତୁମର । ବସ ଟିକିଏ ବାହାରେ, ମୁଁ ଏବେ ରାନ୍ଧିଦେଉଛି ।’’

 

ନିଜର ଅଞ୍ଚଳରେ କକାଙ୍କ ମୁହଁରୁ ଝାଳ ପୋଛିଦେଲା ମାଧବୀ । ପ୍ରାଣରେ ଆବେଗଭରି ମାଧବୀ ହାତର ସ୍ପର୍ଶକୁ ଅନୁଭବ କଲେ ଘନଶ୍ୟାମ । ମାଧବୀ ରୋଷେଇଘରକୁ ଚାଲି ଯାଉ ଯାଉ କହିଲା—‘‘ସବାରି ଗୌଡ଼ ପଠାଇଦେଇଛି ଖୁଡ଼ୀଙ୍କୁ ଆଣିବାପାଇଁ । ଏଇନେ ଆସିଯିବେ ସିଏ ।’’ କଥା ନ ସରୁଣ ଥମ୍‌କି ଠିଆହୋଇପଡ଼ିଲେ ସିଏ । ମାଧବୀ ସନ୍ଦିଗ୍‌ଧ କଣ୍ଠରେ କହିଲା—କକା, ଖୁଡ଼ୀ ଆସିବେ ତ ?

 

ତିକ୍ତ ହସି ହସିଲେ ଘନଶ୍ୟାମ, ଅନ୍ୟଆଡ଼େ ଚାହିଁ କହିଲେ— ‘‘ଆସିବନି, ନିଶ୍ଚୟ ଆସିବ । ଜୀବନରେ ପ୍ରଥମ ଥରକରି ସବାରିରେ ବସିବ । ଗାଁର ପାଞ୍ଚଜଣ ଅବାକ୍‌ ଆଖିରେ ଚାହିଁବେ ତାର ବସିଥିଲା ସବାରି ଆଡ଼କୁ, ଏମିତି ଗୌରବର ମୋହ ଖୁଡ଼ୀ କଣ ତୋର ତ୍ୟାଗକରି ପାରିବ ? ଆସିବ ନିଶ୍ଚୟ, ଆସିବ ।

 

ଲଜ୍ଜାରେ ଲାଲପଡ଼ିଗଲା ମାଧବୀ ମୁହଁଟା । ଖୁଡ଼ୀଙ୍କ ସମ୍ପର୍କରେ କକାଙ୍କ ମନରେ ଇଏ କି ଧାରଣା ! ଦୁଃଖିତ ହେଲା ମାଧବୀ । ଚାଲିଗଲା ରୋଷେଇଘର ଭିତରକୁ । ହାଁ–ହାଁ କରି ଉଠିଲେ ଘନଶ୍ୟାମ । ଗଳାର ଅନୁନୟ ଭରି ମାଧବୀ କହିଲା—‘‘ନିଜ ହାତରେ ରାନ୍ଧି ମୁଁ ଅନେକ ଲୋକଙ୍କୁ ଖୁଆଉଛି କକା ! ହେଲେ—ତୁମକୁ ଖୁଆଇପାରିନି । ରବିବାର ଦେଖି ଆସିଛି । ଜାଣେ ଖୁଡ଼ୀ ନାହାନ୍ତି । ଆଜି ମୁଁ ତୁମକୁ ନିଶ୍ଚୟ ରାନ୍ଧି ଖୁଆଇପାରିବି । ମତେ ବାଧା ଦିଅନି ।’’

 

ବ୍ୟଥିତ ଆଖିରେ ଘନଶ୍ୟାମ ଚାହିଁଲେ ଝିଅର ମୁହଁକୁ । କକାଙ୍କ ଆଖିରେ ଆଖି ରଖି ମିଠାହସ ହସିଲା ମାଧବୀ । ତା’ପରେ ଧୀରେ ଚାଲିଗଲା ରୋଷେଇଘରକୁ ।

 

ସ୍ତ୍ରୀଙ୍କ ସମ୍ପର୍କରେ ଘନଶ୍ୟାମଙ୍କ ଧାରଣା ମିଛ ନୁହେଁ । ଏଗାରଟା ବେଳେ ସ୍ତ୍ରୀ ଆସି ଓହ୍ଲେଇଲେ ସବାରିରୁ । ତିନି ପିଲାଯାକ ଧାଇଁଆସିଲେ ଦାଣ୍ଡଦୁଆରକୁ । ତିନିଙ୍କ ଦେହରେ ନୂଆ ଜାମା ପ୍ୟାଣ୍ଟ । ବୋଉକୁ ଦେଖି ମୁହଁ ବୁଲାଇ ଚାଲିଗଲା ମୁନ୍ନା । ମୁନ୍ନା ସେମିତି; ସହିପାରେନି ସିଏ ତାର ବୋଉକୁ । ନାନୀ ଘର ଛାଡ଼ି ଚାଲିଯିବାମୂଳରେ ଯେ ତାର ବୋଉ, ସେ କଥାକୁ ଭଲକରି ବୁଝିପାରେ ସିଏ । ମୁନ୍ନାର ମନକୁ ଅନୁଭବ କରି ମୁହଁ ମୋଡ଼ନ୍ତି ବୋଉ । ତେଣୁ ଆଜି ବି ସିଏ ତେରେଛେଇ ଚାହିଁଲେ ମୁନ୍ନାର ଚାଲିଗଲା ବାଟକୁ ତା’ପରେ ମଝିଆଁ ପୁଅକୁ ଘରର ଗୋଟାଏ କୋଣକୁ ଭିଡ଼ିଆଣି ଫିସ୍‌ ଫିସ୍‌ ଗଳାରେ ପଚାରିଲେ–‘‘ତୋ ନାନୀ ଆଉ ସବୁ କଣ ଆଣିଛି କିରେ-?’’

 

ଏଡ଼େ ପାଟିରେ କୁନା ଉତ୍ତରଦେଲା–‘‘ବଡ଼ ବଡ଼ ଦି’ଟା ହାଣ୍ଡିରେ ଦି’ହାଣ୍ଡି ରସଗୋଲା, ବସ୍ତାଏ ଅରୁଆ....’’

 

ପାଟିରେ ତାର ଆଙ୍ଗୁଠି ଦେଇ ଲଳିତା ବିବ୍ରତ କଣ୍ଠରେ କହିଲେ— ‘‘ଆରେ ଚୁପ୍‌ ଚୁପ୍‌... ଆସ୍ତେ କହ ।’’

 

‘‘କାହିଁକି ? ଆସ୍ତେ କହିବି କାହିଁକି ?’’ —ପୁଣି ପାଟିକରି ଉଠିଲା କୁନା ।

 

କକାଙ୍କ ପାଖରେ ବସି ଲେମ୍ୱୁ କାଟୁଥିଲା ମାଧବୀ । ଦାଣ୍ଡଘରୁ ଭାସିଆସୁଛି କୁନାର କଥାଗୁଡ଼ାକ । ହୋ–ହୋ କରି ହସିଉଠିଲେ ଘନଶ୍ୟାମ । ଲାଜରେ ଲାଲ ପଡ଼ିଯାଇ ମଥା ନୂଆଇଁଲା ମାଧବୀ ! ଘନଶ୍ୟାମଙ୍କର ହସରୁ ବୁଝିଲେ ଲଳିତା, କୁନାର କାନମୋଡ଼ି ଚଟ୍‌କଣେ ଦେଲେ । ଭେଁ କରି କାନ୍ଦିଉଠିଲା କୁନା । ଭ୍ରୂକୁଞ୍ଚିତ କରି ଗୁମ୍‌ ହୋଇଗଲେ ଘନଶ୍ୟାମ । ଘର ଭିତରକୁ ଧସେଇ ପଶିଆସିଲେ ଲଳିତା । ମାଧବୀ ଲେମ୍ୱୁକଟା ଅଧା ରଖି ଉଠିଆସି ଖୁଡ଼ୀଙ୍କ ପାଦରେ ମଥା ଛୁଆଁଇଲା ।

 

ନୀରବ ଗଳାରେ ଖୁଡ଼ୀ ପଚାରିଲେ–‘‘କେତେବେଳେ ଆସିଲୁ ?’’ ପଚାରିବା ଭିତରେ କଣେଇ ଚାହିଁଲା ଘର ଭିତରକୁ । ଦୁଇଟା ବସ୍ତା, ଦୁଇଟା ବଡ଼ ବଡ଼ ହାଣ୍ଡି । ଗୋଟାଏ ଦଶଗୌଣିଆ ଟୋକେଇ–ଆହୁରି କେତେ କଣ ଥୁଆ ହୋଇଛି ମନେ ମନେ ଖୁସି ହେଲେ ଲଳିତା । ସେ ଠିକ୍‌ ଜାଣନ୍ତି ବଡ଼ଘରର ବୋହୂ ମାଧବୀ ଆସିଛି ଘରକୁ । ଯେଉଁ ବଡ଼ଘର ମାଧବୀ କଥାରେ ବସୁଛି ଉଠୁଛି । ଶାଶୁଙ୍କର ନୟନମଣି ମାଧବୀ । ସେଇ ମାଧବୀ ବାପଘରକୁ ଆସୁଛି, ଶାଶୁ କଣ ଖାଲି ହାତରେ ପଠେଇବେ ! ଅନେକ କିଛି ଆଣିଥିବ ମାଧବୀ । ନଅ-ଛଅ କରି ଦେଇଥିବେ ସବୁ । ତାଙ୍କ ଛଡ଼ା କିଏ ଆଉ ଥାଇତି ପାଇତି ରଖିବ ?

 

ଅବଶ୍ୟ ଏ କଥାଗୁଡ଼ାକ ସବାରିରେ ବସିବା ପରେ ମନରେ ଆସିଥିଲା ତାଙ୍କର । ପ୍ରଥମେ ସବୁ ରାଗ-ରୋଷ ଭୁଲି ସିଏ ସବାରି ଦେଖି ବାହାରିଆସିଥିଲେ ଘରୁ । ତାଙ୍କର ଏଇ ଭିତରକୁ ଚାହିଁରହିବା ଭିତରେ ମାଧବୀକୁ ପଚାରିଥିବା ଛୋଟ ପ୍ରଶ୍ନଟିର ଉତ୍ତର ସେ ଦେଇଥିଲା କି ନାହିଁ, ସେ କଥା ଆଡ଼କୁ କାନ ସେ ଆଉ ଦେଇପାରିନାହାନ୍ତି—ହେଲେ ମାଧବୀ ଯେତେବେଳେ ଲୁଗାସନ୍ଧିରୁ ଲମ୍ୱା କାଗଜଖଣ୍ଡେ କାଢ଼ି ଖୁଡ଼ୀଙ୍କ ହାତକୁ ବଢ଼ାଉ ଦେଉ ଦେଉ କହିଲା—‘‘ଏଇଟା ରଖ ଖୁଡ଼ୀ ! ମୋର ଏଠି ଯେତେ ଯାହା ଅଛି ସବୁ ମୁଁ କରିଦେଇଛି ମୋ ମୁନ୍ନା ନାଆଁରେ । ମୋର ମରିଗଲା ଖବର ପାଇ ରାହାବୁଡ଼ଟିଏ ସିଏ ଦେଲେ, ଆତ୍ମା ମୋର ଶାନ୍ତି ପାଇବ । ପୁଅପରି ତାକୁ ଛାତିରେ ଜାକି କେତେଦିନ ବଢ଼ାଇ ଆଣିଥିଲି, ସିଏ ମୋର ସବୁ ଖାଇଲେ ମୁଁ ନିଜେ ଖାଇଲାପରି ମତେ ଲାଗିବ । କାଗଜ ପକ୍‌କା କାମ କରେଇଆଣିଛି । କେହି ଆଉ କେବେ ବାଧାଦେଇ ପାରିବନି ।’’

 

ଝାମ୍ପିଲାପରି କାଗଜଖଣ୍ଡିକ ତା ହାତରୁ ଛଡ଼ାଇନେଇ ଲଳିତା ମୁଠାଇଧରିଲେ ।

 

ତାପରେ.... ତାପରେ ହଠାତ୍‌ ତାକୁ କୁଣ୍ଢାଇପକାଇ କାନ୍ଦିବାକୁ ଆରମ୍ଭ କରିଦେଲେ । ଖୁଡ଼ୀଙ୍କ ବାହୁର ବନ୍ଧନ ଭିତରେ ରହି ଅସ୍ୱସ୍ତି ଅନୁଭବ କରୁଥିଲା । ମାଧବୀ ଚାରିଆଡ଼କୁ ଚାହୁଁଥିଲା ଅସହାୟ ଆଖିମେଲି । ଆଖିପଡ଼ିଲା ତାର କକାଙ୍କ ମୁହଁ ଉପରେ । ସ୍ତବ୍‌ଧ କଠିନ ମୁହଁନେଇ ବସିରହିଛନ୍ତି ଘନଶ୍ୟାମ । ଆଖିରୁ ତାଙ୍କର ଝରୁଛି କ୍ରୋଧର ଅଗ୍ନିକଣା; ଶେଷରେ ଚିତ୍କାର କରି କହି ଉଠିଲେ–‘‘ତମେ ନାଟକ ବନ୍ଦ କରିବନା ମୁଁ ଚାଲିଯିବି ଏ ଘରୁ.... ଝିଅ ମୋର ଖାଇନାଇଁ; ତମେ ସୁଆଙ୍ଗ କରୁଚ ?’’

 

ଲୁଗା ଅଞ୍ଚଳରେ ଶୁଖିଲା ଆଖିକୁ ରଗଡ଼ି ରଗଡ଼ି ଲାଲ କରିଦେଲେ ଲଳିତା ତା’ପରେ ସ୍ୱର ଲମ୍ୱେଇ କହିଲେ–‘‘ଝିଅର ଚନ୍ଦ୍ରମୁହଁ ଦେଖି ମୁଁ ତ କାନ୍ଦ ରୋକିପାରୁନାହିଁ ହେ ଏ.... ତମେ ସିନା ପୁରୁଷ ପୁଅ ଯେ ତମର ଛାତି କଠିଣ, ଆଉ ଆମେ ପରା.....’’

 

‘‘ଥାଉଉ’’.... ପୁଣି ଚିତ୍କାର କରିଉଠିଲେ ଘନଶ୍ୟାମ ।

 

ଲଳିତା ଉଠିପଡ଼ି କହିଲେ— ‘‘ତୁ ଖାଇନଉ ବୋଲି କକା ବ୍ୟସ୍ତ ହେଉଛନ୍ତି । ମୁଁ ଯାଏ ଭାତ ବାଢ଼ିଆଣେ ।’’

 

ଗୋଟାଏ ସ୍ୱସ୍ତିର ନିଃଶ୍ୱାସ ଛାଡ଼ି ଭାଇମାନଙ୍କ ଆଡ଼କୁ ଆଗେଇଗଲା ମାଧବୀ । ପଡ଼ିଶାଘରର ନରିଆ କକା ଆସି ପାଦଦେଲା । କକା ସିନା, ମାଧବୀଠୁ ବୟସରେ ଅନେକ ସାନ । ପି.ୟୁ. ପଢ଼ୁଛି । ମାଧବୀ ହସିଲା ମୁହଁକୁ ତାର ଚାହିଁ ସିଏ ବି ହସିଲା । ନରିଆ ଶେଷରେ ପଚାରିଲା–କୁଆଡ଼େ ଗଲେ ଭାଇନା, ପାଦ-ପାଦକରି ଆଗେଇ ଆସିଲେ ଘନଶ୍ୟାମ । ନରହରି କାନରେ ମୁହଁ ରଖି କଣ କହିଲେ ଫୁସ୍‌ଫୁସ୍‌ କରି । ମାଧବୀ ସେତେବେଳକୁ ଖେଳୁଥିଲା ଭାଇମାନଙ୍କ ସାଥିରେ ।

 

ଚାଲିଗଲା ନରହରି । ମୁହଁ ଫେରାଇ ଅଗଣାକୁ ଚାହିଁଲେ ଘନଶ୍ୟାମ । ପିଲାଙ୍କ ମଝିରେ ବସି ହସି ହସି ଲୋଟିଯାଉଛି ମାଧବୀ । କିଏ କହିବ ତା’ରି ପେଟର ପିଲାଙ୍କ ବୟସୀ ଭିତରେ ସିଏ ବସିଛି ବୋଲି !! ତଳ–ଉପର ଭାଇଭଉଣୀ ପରି ଦିଶୁଛନ୍ତି ସେମାନେ । ମାଧବୀକି ଟିକିଏ ଆଦର କରିବାକୁ ଭୀଷଣ ଇଚ୍ଛାହେଉଛି ତାଙ୍କର । ନା, ଥାଉ । ମାଧବୀ ଏଇନେ ମଗ୍ନ ଅଛି ନିର୍ମଳ ଆନନ୍ଦର ରୂପେଲି ଝରଣା ତଳେ ।

 

ସେଇଦିନ ଖରାବେଳେ...... ମୁଣ୍ଡରେ ହାତେ ଓଢ଼ଣା ଟାଣି ନୀତା ଭାଉଜ ଆସିଲେ ଧାରାଶ୍ରୀ ସାଥିରେ । କି ଏକ ଲଜ୍ଜା ଆସି ଅବରୋଧ କଲା ଧାରାଶ୍ରୀର ପଥ । ଦାଣ୍ଡଘରେ ରହିଗଲା ସିଏ । ଭିତର ବାରଣ୍ଡାରେ ପାଦଦେଇ ଥମକି ଠିଆହେଲା ନବନୀତା । ଆଗେଇ ଆସିଲା ଲଳିତା, ଗଳାରେ ଆନନ୍ଦ ପ୍ରକାଶ କରି କହିଲେ— ‘‘ଆରେରେ, କି ଅପୂର୍ବ । ଗରିବ ଘରର ରାଜରାଣୀ !!’’

 

କାନ୍ଥକଡ଼ରେ ଆସି ଠିଆହୋଇଥିଲେ ଘନଶ୍ୟାମ । ପଚାରିଲେ—କିଏ ସେ ମ ?

 

ଲଳିତା ଉଚ୍ଛ୍ୱସିତ କଣ୍ଠରେ କହିଲେ—ଏଇ ଆମ ଶୁଭ ଭାରିଯା ମ.....’’

 

ଘନଶ୍ୟାମ ଶକ୍ତଗଳାରେ କହିଲେ—ସିଏ ଥରେ ଆସି ଝିଅକୁ ମୋର ରାତିଅଧରେ ଗାଁଛଡ଼ା କରିଥିଲେ, ଆଉ ପୁଣି ଆଜି କେମିତି ବାସନା ପାଇ ଆସିଛନ୍ତି ? ତାଙ୍କୁ କହିଦିଅ ମୋ ଝିଅ ଯଦି ପୁଣି କିଛି ଅପରାଧ କରିଥାଏ, ତେବେ ତାକୁ ସିଏ ସେଇ ଚୌଧୁରୀ ଘରକୁ ଯାଇ କହିବାର କହନ୍ତୁ । ଏଠି ସିଏ କିଛି କହିପାରିବେନି । ଝିଅ ମୋ ହାଲିଆ ହୋଇ ଶୋଇଛି । ଚାଲିଯିବ ସଞ୍ଜବେଳେ । ଶୋଇଥାଉ ଟିକିଏ ।

 

ଲଜ୍ଜା ଆଉ ଅପମାନରେ ଲାଲ ପଡ଼ିଗଲା ନବନୀତାର ମୁହଁଟା । ଥୀର ଗଳାରେ କହିଲା—ମଉସାଙ୍କୁ ତୁମେ କହିଦିଅ ମାଉସୀ ଯେ—ମାଧବୀ ଚାଲିଗଲା ରାତିଠୁ ଆଜି ଏଇ ପର୍ଯ୍ୟନ୍ତ ଦିନକ ଲାଗି ମୁଁ ଶାନ୍ତି ପାଇନି । ଅପରାଧୀ ମନ ମୋର ଦିନରାତି ବାହୁନି ମରିଛି । ସନ୍ତୁଳି ହେଉଛି ଅଶାନ୍ତିର ନିଆଁ ଭିତରେ । ଚିଠିରେ ମାଧବୀକୁ କ୍ଷମା ମାଗିଥିଲି । କ୍ଷମା ସେ କରିନାହାନ୍ତି । ଆଜି ମୁଁ ପୁଣି ଧାଇଁଆସିଛି ତାଙ୍କରି ହାତଧରି ନିଜ ମୁହଁରେ କ୍ଷମା ମାଗିନେବାକୁ ।

 

କଥା ସରିବାର ବହୁତ ଆଗରୁ କାନ୍ଦିପକାଇଲା ନବନୀତା । ତାର ଦୁଇ ଆଖିର ତଟ ବାହି ଝରୁଥିଲା ଲୁଣିପାଣିର ବହଳିଆ ଧାରା । ବିଚଳିତା ହେଲେ ଲଳିତା । ପିଣ୍ଡାରେ ସପ ପକାଇ ନବନୀତାର ହାତଧରି ବସାଇଦେଲେ । ନବନୀତାର ମନେପଡ଼ିଲା ଧାରାଶ୍ରୀ କଥା । କହିଲା—ମୋ ସାଥିରେ ଧାରା ଆସିଥିଲେ; କୁଆଡ଼େ ଗଲେ ଦେଖିଆସେ ଟିକିଏ ।

 

ବ୍ୟସ୍ତ ହୋଇଉଠିଲେ ଲଳିତା, କହିଲ— ‘‘ମଅଅ..... ତମେ କାହିଁକି ଯିବମ, ମୁଁ ଯାଉଛି ତମେ ବସ ।’’ ଦାଣ୍ଡଘରୁ ଧାରାଶ୍ରୀକୁ ଟାଣି ଆଣିଲେ ଲଳିତା । ଅନାବନା ଗପରେ ମାତିଉଠିଲେ ତିନିହେଁ ।

 

ଘର ଭିତରେ କଣ ଶୋଇପଡ଼ିଥିଲା ମାଧବୀ ? ନା, ନା, ଶୋଇନି ଶୋଇବାକୁ କଣ ଏଠିକି ସେ ଆସିଛି ? ଖାଲି ବାହାନା କରିଛି ଶୋଇବାର । ତକିଆରେ ମୁହଁଗୁଞ୍ଜି ବୋଉର ସହସ୍ର ସ୍ମୃତିକୁ ମନେପକାଉଛି ସିଏ । ଆଖିଲୁହରେ ଓଦାହୋଇଯାଉଛି ତକିଆଟା । ମନର କୋଣ ଅନୁକୋଣରେ ଉଙ୍କିମାରୁଛି ବୋଉ । କେତେ ଜାତିକା କେତେ ମୁହଁ—କେଉଁଟା ଖୁସିରେ ଢଳଢ଼ଳ ଦିଶୁଛି, କେଉଁଟା କ୍ରୋଧରେ ଥମଥମ, କେଉଟା ନିର୍ବିକାର, ପୁଣି କେଉଁଟା ଉଦାସ । ଅଦୃଶ୍ୟ ହାତରେ କିଏ ଯେମିତି ମନ୍ଥିଦେଉଛି ମାଧବୀର ଛାତିତଳଟା । ଠକ୍‌ ସେଇ ମୁହୂର୍ତ୍ତରେ—ଘରେ ଆସି ପାଦଦେଇଥିଲା, ନୀତା ଭାଉଜ । କାନପାରି ଶୁଣିଥିଲା ସିଏ କକାଙ୍କର କଥାଗୁଡ଼ିକ । ଶୁଣିଥିଲା ନୀତା ଭାଉଜଙ୍କ ତୁଣ୍ଡର ପ୍ରତିଟି ଉତ୍ତରଗୁଡ଼ିକ । ହସିଥିଲା ଓଠବଙ୍କେଇ ଓ ପଡ଼ିରହିଥିଲା ଚୁପ୍‌ଚାପ୍‌ ହୋଇ । ମଝିଆଁ ଭାଇ କୁନା ବଡ଼ ଦୁଷ୍ଟ । ବଡ଼ ଚଗଲା । ଦୁଆରଟାକୁ ଅଳ୍ପ ଆଡ଼େଇ ଦେଇ ଭିତରେ ପଶି ଲଦିହୋଇପଡ଼ିଥିଲା ପିଠିରେ ତାର । ଫିସ୍‌ଫିସ୍‌ କରିକହିଥିଲା—ଆମ ଘରକୁ କେତେ ଲୋକ ଆସିଛନ୍ତି । ତୁ ଏଠି ତାଙ୍କ ସାଥିରେ କଥା କହୁନୁ କାହିଁକି ? ନନା କହନ୍ତି, ବେଶି ଶୋଇବା ଭଲ ନୁହେଁ । ଯିଏ ଶୁଏ ସିଏ କୁଆଡ଼େ ଗଧ ହୋଇଯାଏ । ତୁ ଏଡ଼େ ସୁନ୍ଦର ହୋଇ ଗଧ ହୋଇଯିବୁ ?

 

ସବୁ ଦୁଃଖ ସବୁ ଅଶାନ୍ତି ପାସୋରି ଖିଲିଖିଲି ହୋଇ ହସିଉଠିଲା ମାଧବୀ । ଉଠିବସି ଛାତିରେ ଜାକିଲା ଭାଇଟାକୁ । ମଥାରେ ତାର ବାରବାର ଓଠ ଛୁଆଁଇ କହିଲା—ଭାରି ବୁଦ୍ଧିଆ ତୁ । ପାଠପଢ଼ାରେ ଯଦି ମନଦେଉ, ତେବେ ଦିନେ ତୁ ଖୁବ୍‌ ବଡ଼ମଣିଷ ହେବୁ ।

 

ଘର ଭିତରୁ ଶୁଭୁଛି ମାଧବୀର ହସର ଶବ୍ଦ । ଉଠିଲାଣି ମାଧବୀ । କୁନା ବୋଧହୁଏ ଉଠାଇଦେଲା । ଚଞ୍ଚଳ ହୋଇ ଉଠିଛନ୍ତି ନବନୀତା ଆଉ ଧାରାଶ୍ରୀ । ଲଳିତା ସ୍ୱର ଲମ୍ୱେଇ ଡାକିଲା–ମାଧବୀ.....

 

ଉତ୍ତର ନ ଦେଇ ଗମ୍ଭୀର ମୁହଁନେଇ ବାହାରକୁ ଆସିଲା ମାଧବୀ । ହସିଲା ମୁହଁରେ ସଙ୍କୋଚ ବୋଳି ନୀତାଭାଉଜ କହିଲେ—ଆମେ ତୁମକୁ ଦେଖିବାକୁ ଆସିଛୁ ମାଧବୀ !

 

ନିସ୍ତେଜ ଗଳାରେ ମାଧବୀ କହିଲା—ମତେ ଦେଖିବାକୁ ଆସିଛ ! ଜାଣେନି ସେ ମୋର ସୌଭାଗ୍ୟ କି ଦୁର୍ଭାଗ୍ୟ ।

 

ଚା’ କରିବା ପାଇଁ ଉଠିଲେ ଲଳିତା । ମୁନ୍ନା ନାଆଁରେ ହେଉ କି ଯାହା ନାଆଁରେ ବି ହେଉ, ତାଙ୍କରି ପୁଅ ପାଇଛି ପାଞ୍ଚ ସାତ ହଜାର ଟଙ୍କାର ସମ୍ପତ୍ତି । ମନ ତାଙ୍କର ପରିପୂର୍ଣ୍ଣ ଅଛି । ତେଣୁ ହସ ଆଉ ଆନନ୍ଦ ଛଡ଼ା ଆଉ କିଛିକୁ ମନରେ ସିଏ ଗ୍ରହଣ କରୁନାହାନ୍ତି । ଆଉ ଏକ ମୁହୂର୍ତ୍ତରେ ମାଧବୀର ଘୁଙ୍ଗୁରା ମୁହଁ—ଏକେବାରେ ଅସହ୍ୟ । ମନରେ ବିରକ୍ତିଭରି ରୋଷେଇଘର ଆଡ଼କୁ ଚାଲିଗଲେ ଲଳିତା ।

 

ମାଧବୀ ମୁହଁରେ ଆଖିରଖି ନରମ କଣ୍ଠରେ ନବନୀତା କହିଲା—ଜାଣେ, କ୍ଷମାର ମୁଁ ଅଯୋଗ୍ୟ । ତେବେ ମତେ ତୁମେ କ୍ଷମାକର ମାଧବୀ ! ଅନେକ ଆଶା ନେଇ ଧାଇଁଆସିଛି ମୁଁ ତୁମ ଘରକୁ ।

 

ବିଷାକ୍ତ ହସ ହସିଲା ମାଧବୀ । କହିଲା— ‘‘ମୋ ଘର କୁଆଡ଼ୁ ଆସିଲା ଭାଉଜ ! ଯେଉଁ ରାତିରେ ମୁଁ ଘର ଛାଡ଼ି, ଗାଁ ଛାଡ଼ି ଚାଲିଯାଇଛି, ସେଇ ରାତିରୁ ସବୁ ମୁଁ ହଜାଇଛି । ହଜାଇଛି ମୁଁ ମୋର ମାନ, ସମ୍ମାନ, ଦମ୍ଭ, ଗର୍ବ ସବୁକିଛି । ମଲା-ମନ ଉପରେ ମୋର ଅଦଉତି ସାଧି ଜୀଇଁରହିଛି ଜୀବନଟା । ସେ ଜୀବନଟାକୁ ବୋହି ବୁଲିବି ନ ମଲା ଯାଏ । ତା’ ଭିତରେ ‘ମୁଁ’ର କୌଣସି ସତ୍ତା ନାହିଁ । ମୋର ଶବ୍‌ଦ ତ ‘ମୁଁ’ର ପରେ ।

 

ଆଖି ଦୁଇଟା ଛଳଛଳ ହୋଇଆସିଲା ନବନୀତାର । ଏ କେଉଁ ସୃଷ୍ଟିଛଡ଼ା ବୈରାଗିଣୀକୁ ସିଏ ହିଂସା କରୁଥିଲା । ଆଖିରେ ଭୟ ବିସ୍ମୟ ଭରି ନବନୀତା ଚାହିଁରହିଲା ମାଧବୀର ଉଦାସ ମୁଖକୁ । ଆଖିରେ ପଲକ ପଡ଼ୁନି ଧାରାଶ୍ରୀର ମଧ୍ୟ । ଗଳାରେ ଅନୁନୟ ଭରି ହଠାତ୍‌ ଧାରାଶ୍ରୀ କହିଉଠିଲା—ତୋ ଗଲା ରାତିରୁ ମରମରେ ମରିରହିଚୁ ଆମେ । ସେଇ ମଲାଦେହରେ କୁର୍‌ହାଢ଼ି ହାଣି ତୁ କି ଲାଭ ପାଇବୁ ମାଧୁନାନୀ । ଭାଇନା କହନ୍ତି, ତୋ ଭଳିଆ ଝିଅ ଦୁନିଆରେ ନାହାନ୍ତି । ସେଇ ତୁ, ତୁ କଣ ପାରୁନୁ ଆମକୁ କ୍ଷମାକରି ?

ଏଥର ବାଘୁଣୀ ପରି ଜଳିଉଠିଲା ମାଧବୀର ଆଖି ଦୁଇଟି । ମୁହୂର୍ତ୍ତେ ଚାହିଁଲା ଧାରାଶ୍ରୀର ମୁହଁକୁ । ଧୀରେ ଧୀରେ ପୁଣି ନିର୍ବାପିତ ହୋଇଗଲା ସେଇ ଆଖିରେ ନିଆଁ । ତରଳ ହସି କହିଲା—ସେଇ ରାତିରୁ ? ମୁଁ ଗଲା ରାତିରୁ ? ତେବେ ତା’ ପରଦିନ ଚୌଧୁରୀଘର କରବୀକୁ କିଏ କହିଲା ଯେ ଶୁଭ ଭାଇନା ସାଥିରେ ପ୍ରେମ କରି ଧରାପଡ଼ି ଗାଁଛାଡ଼ି ପଳାଇଯାଇଛି ମୁଁ ? ଛାଡ଼—କୌଣସି ସ୍ତ୍ରୀଲୋକର କଥାର, ଦୁଃଖର, ଅବା ଅଶ୍ରୁର କିଛି ମାତ୍ର ଆଉ ମୂଲ୍ୟ ନାହିଁ ମୋ ପାଖରେ । ମୁଁ ଜାଣେ ବିନା ସ୍ୱାର୍ଥରେ ସେମାନେ କେଉଁଠି ହେଲେ ନୋଇଁବେନି । ମୋ ପାଖରେ କି ପ୍ରୟୋଜନ ଅଛି ତୁମମାନଙ୍କର ସେଇ କଥାଟି କହିଦିଅ, ମୁଁ ନିଶ୍ଚିନ୍ତ ହୋଇଯାଏ ।

ମାଧବୀ କଥାରେ ନିର୍ବାକ୍‌ ହୋଇଗଲେ ନଣନ୍ଦ ଭାଉଜ । ମାଧବୀକୁ ଦୁଃଖଦେବାକୁ ଯାଇ ସେମାନେ ଦୁଃଖ ପାଉଛନ୍ତି, ଏ କଥା ଖୁବ୍‌ ସତ । ହେଲେ—ଶୁଭେନ୍ଦୁର ଅଜାଣତରେ ଯେ ସେମାନେ ଶାଶୁ ବୋହୂ ମାଧବୀର ଅନୁଗତ ଦିଅର ପରାଗ ସାଥିରେ ଧାରାଶ୍ରୀର ଗୋଟାଏ ସମ୍ୱନ୍ଧ କଥା ମନରେ ଭାବିରଖିଛନ୍ତି, ଯାହା ମାଧବୀ ମନେକଲେ ମୁହୂର୍ତ୍ତକେ ହୋଇଯିବ । ଆଉ ଏଇ କଥାଟି ମନରେ ଆସିବା ସଙ୍ଗେ ସଙ୍ଗେ ମାଧବୀର କ୍ଷମା ଯେ ଖୁବ୍‌ ଶୀଘ୍ର ପ୍ରୟୋଜନ ହୋଇପଡ଼ିଛି, ଏଇ କଥାଟି ଏଇ ମୁହୂର୍ତ୍ତ ଛଡ଼ା ଏମିତି କରି ମନରେ ଦାଗ କଟିନି ନବନୀତାର । ଭାଉଜ ଆଉ ବୋଉର ମନକଥାକୁ ଖୁବ୍‌ ଭଲକରି ଅନୁଭବ କରିଥିଲା ଧାରାଶ୍ରୀ । ତେଣୁ ମନ ତାର ସ୍ୱପ୍ନରେ ରଙ୍ଗୀନ୍‌ ହୋଇଉଠିଥିଲା ବେଶ୍‌ କିଛି ଦିନଧରି । ହେଲେ ମାଧବୀ ମୁହଁର କଥା; କଥା ତ ନୁହେଁ, ସତେ ଅବା ଶକ୍ତ ଗୋଟିଏ ଗୋଟିଏ ବାଟୁଳି । ସେଇ ବାଟୁଳି ଆଘାତରେ ଶତ ଖଣ୍ଡ ହୋଇ ଭାଙ୍ଗି ଚୁର୍‌ମାର ହୋଇଗଲା ନୀତା ମନର ଆଶାର ମିନାର । ତୁଟିଗଲା ଧାରାଶ୍ରୀ ଆଖିରୁ ରଙ୍ଗୀନ୍‌ ସ୍ୱପ୍ନ । ଲଜ୍ଜାରେ ମଥା ନୁଆଁଇଲେ ସେମାନେ । ଶକ୍ତ ମନନେଇ ଠିଆ ହୋଇ ରହିଲା ମାଧବୀ ।

ଅନେକ ସମୟପରେ. ମୁହଁ ତୋଳି ମାଧବୀ ମୁହଁକୁ ଚାହିଁଲା ନବନୀତା । ସ୍ତିମିତ କଣ୍ଠରେ କହିଲା–କିଛି ନାହିଁ ମାଧବୀ ! ମନରେ କିଛିମାତ୍ର ଅଭିସନ୍ଧି ନେଇ ତୁମ ପାଖକୁ ଆମେ ଆସିନୁ । ତେବେ ସନ୍ଧ୍ୟାପରେ ଆମ ଘରକୁ ଯାଇ ଆମ ସାଥିରେ ଗଣ୍ଡିଏ ଖାଇଲେ ଆମେ ଖୁସି ହୁଅନ୍ତୁ । ଏଇ କଥା ହିଁ କହିବାକୁ ଆସିଥିଲୁ ।

ମାଧବୀ ସହଜଗଳାରେ କହିଲା—ମୋ ସୌଭାଗ୍ୟରେ ମୁଁ ଆନନ୍ଦିତ ହେଉଛି ଭାଉଜ, ହେଲେ ଠିକ୍‌ ସଂଧ୍ୟାରେ ଯେ ମୁଁ ମଲ୍ଲିପୁର ଛାଡ଼ିବି । ଶାଶୁ ମୋର ବିକଳ ହୋଇ ଚାହିଁଥିବେ ମୋର ଫେରିଗଲା ବାଟକୁ । ଯେଉଁ ଘରେ ଖାଇବି, ପିନ୍ଧିବି, ସେ ଘରର ମନ ନନେଇ ଚଳିଲେ କଣ ଚଳିବ ? ଅନେକ ବଡ଼ ବଡ଼ କଥା ତ ଢାଙ୍କି ହୋଇଯାଇଛି ମୋରି ଶ୍ରମର ପାହାଡ଼ ତଳେ । ଅତଏବ କାମ ମୋର ବହୁତ । ରହିଗଲେ ଚଳିବ କେମିତି ?

କଳା ମୁହଁ ନେଇ ଫେରିଗଲେ ଧାରାଶ୍ରୀ ଆଉ ନବନୀତା । ପାଲିଙ୍କିରେ ଉଠିବାର ଅଧଘଣ୍ଟା ଆଗରୁ ଲଳିତା ଯତ୍ନକରି ଅଳତା ପିନ୍ଧାଇ ଦେଇଥିଲେ ମାଧବୀ ପାଦରେ । ସିନ୍ଦୂର ଆଙ୍କିଦେଇଥିଲେ ତାର ଗୋଲାପୀ ରଙ୍ଗର ମସୃଣ ଲଲାଟରେ । ହେଲେ—ମୁହଁ ଶୁଖିଯାଇଥିଲା ତାଙ୍କର ସେତେବେଳେ, ଯେତେବେଳେ ଘନଶ୍ୟାମ ଜରିଧଡ଼ିଆ ଖାଣ୍ଟି ସିଲ୍‌କ ଶାଢ଼ିଟିଏ ଆଣି ବଢ଼ାଦେଇଥିଲେ ମାଧବୀ ହାତରେ । ଶାଢ଼ିର ମୂଲ୍ୟ ଅନୁମାନ କରି ଅସ୍ୱସ୍ତି ବୋଧ କରିଥିଲା ମାଧବୀ । ତଥାପି କକାଙ୍କୁ ଖୁସିକରିବାକୁ ଯାଇ ସେଇ ଶାଢ଼ି ହାତରେ ଧରି ଉଚ୍ଛ୍ୱାସ ପ୍ରକାଶ କରିଥିଲା ସିଏ ।

 

ଶୁଖିଲା ଗଳାରେ ଲଳିତା ପଚାରିଥିଲେ—କେତେ ନେଲା ମ ଏ ଶାଢ଼ିର ଦାମ୍‌ ?

 

ବେପାରଓ୍ୱା କଣ୍ଠରେ ଘନଶ୍ୟାମ କହିଲେ—ଦେଢ଼ଶ....

 

ଆଖି ଦୁଇଟା ଚିରିହୋଇଗଲା ଲଳିତାଙ୍କର । ସବାରିରେ ଚଢ଼ିବା ଆଗରୁ କାନ୍ଦୁରା ଭାଇ ଚାରି ଜଣଙ୍କର ହାତରେ ଦେଇଆସିଲା ଟଙ୍କା ଶହେଟା । ସେଇ ଭାଇମାନଙ୍କ ସ୍ନେହକୁ ମନେ ପକାଇ ଲୁହ ଗଡ଼ାଉଥିଲା ମାଧବୀ । କେତେବେଳେ ଥମକି ଠିଆହୋଇପଡ଼ିଛି ସବାରିଟା, ସେ କଥା ଆଉ ବୁଝିପାରୁନୀ ମାଧବୀ । ଅଚେତନ ଦେହ ମନ ତାର ହଠାତ୍‌ ସଜାଗ ହୋଇଉଠିଲା—ଶୁଭେନ୍ଦୁ କଣ୍ଠର ମମତାର ଭରା ଡାକରେ । ଲୁହ ପୋଛି ସିଧା ହୋଇ ଉଠିବସିଲା ମାଧବୀ । ହସିଗଲା ଗଳାରେ ଶୁଭେନ୍ଦୁ କହିଲା—ଚାଲିଯାଉଚୁନା ? ରହିଲୁନି କାହିଁକି ଦିନେ ଓଳିଏ ?

 

ସବୁ ଦୁଃଖ ପାଶୋରି ଆନନ୍ଦିତ ହୋଇଉଠିଲା ମାଧବୀ । ଫିସ୍‌ଫିସ୍‌ ଗଳାରେ କହିଲା–ଯେଉଁ ଗାଁରେ ତୁମେ ଅଛ, ଆଉ ତୁମକୁ ମୁଁ ଦେଖିପାରୁନି, ସେ ଗାଁରେ କାହିଁକି ରହିବି କହିଲ-? କି ଆନନ୍ଦ ଦେବ ମତେ ଏଇ ଗାଁରେ ?

 

ମ୍ଲାନ ହସିଲା ଶୁଭେନ୍ଦୁ । ସେଇ ହସ ଦେଖିପାରିଲାନି ମାଧବୀ । ଖାଲି ଶୁଭେନ୍ଦୁର ନୀରବତାକୁ ଅନୁଭବ କଲା । ବୁଝିଲା, ତା କଥାର ଉତ୍ତର ଦେଲାଭଳି କିଛି ଟିକିଏ ଥିଲେ ବି ତା’ ଦେଇପାରିବନି ଶୁଭଭାଇ ।

 

ଶୁଭେନ୍ଦୁ ଅବସାଦଭରା କଣ୍ଠରେ କହିଉଠିଲା— ‘‘ଯା ମାଧୁ ! ରାତି ହୋଇଯିବ । ଆଉ କେବେ ଆସିବୁ ?

 

ପ୍ରଥମେ କଥା କହିପାରିଲାନି ମାଧବୀ । ଟିକିଏ ପରେ ଅଶ୍ରୁରୁଦ୍ଧ କଣ୍ଠରେ କହିଲା— ‘‘ଶୁଭଭାଇ, ଚାଲିଯାଉଛି । ଆଉ କେବେ ଏଇ ଗାଁକୁ ଆସିବା ମୋର ପ୍ରୟୋଜନ ନାହିଁ । କକାଙ୍କ ଜୀବନରେ ବିନ୍ଦୁଏ ଶାନ୍ତି ଆଣିଦେବାର ମନନେଇ ଆଜି ଧାଇଁଆସିଥିଲି ଏ ଗାଆଁକୁ । ମନେହେଉଚି ତାଙ୍କୁ ମୁଁ ସେତକ ଦେଇଛି । ଆଉ ତୁମେ–ତୁମ ଉପରେ ମୋର ଅନେକ ଲୋଭ । ହେଲେ, ମୁଁ ଜାଣେ ତୁମକୁ ଆଉ କେଉଁଦିନ ହେଲେ ମୋର ଖିଆଲର ଅଥବା ଆନନ୍ଦର ସାଥୀକରି ମୁଁ ପାଖରେ ପାଇବିନି । ତେଣୁ ମୋ ପାଖରେ ଆଉ କୌଣସି ମୂଲ୍ୟ ନାହିଁ ଏ ଗାଆଁର । ଖାଲି, ଖାଲି, କପୋତୀବାହୁନା ଖରାବେଳେ ଥରେ ଆମ୍ୱ ବଣରେ ବୁଲି ମତେ ମନେପକାଇବ । ମନେପକାଇବ ଗୋଧୂଳିବେଳାରେ; ମନେପକାଇବ ସନ୍ଧ୍ୟାତାରା ଆଖିରେ ଆଖି ରଖି । ସେଇ ବେଳରେ ତୁମକୁ ବି ମୁଁ ଅନେକ ମନୋପକାଏ ଶୁଭଭାଇ ! କାରଣ, ସେଇବେଳଗୁଡ଼ିକରେ ମୋର କାମ ନଥାଏ । ବଡ଼ ନିଃସଙ୍ଗ, ବଡ଼ ଅସହାୟ ଲାଗେ ମତେ । ଆଉ ଗୋଟିଏ କଥା । ଭାଉଜକୁ ମୁଁ କ୍ଷମା କରିପାରିଲିନି ଶୁଭଭାଇ ! ମୋର ବୋଲି କିଛି ନାହିଁ ଏ ଦୁନିଆରେ, କିଛି ବି ମୁଁ ଚାହେଁନି । କିଛି ବି ମୋର ଲୋଡ଼ାନାହିଁ । ମୋର ଖାଲି ଲୋଡ଼ାଥିଲା ତୁମେ, ତୁମର ସଙ୍ଗ, ତୁମର ବନ୍ଧୁତା, ତୁମର ସ୍ନେହ—ଏଥିରେ କାହାର କଣ ସରିଯାଉଥିଲା ? ମୋ ଭିତରେ ପାପ ଦେଖିଲେ ସେମାନେ । ମୋ ପାଖରୁ ତୁମକୁ ଛଡ଼େଇ ନେଇଗଲେ ସେମାନେ; ଗାଁଛଡ଼ା କରିଦେଲେ ମତେ ! ତାଙ୍କୁ କଦାପି କ୍ଷମା କରିବିନି ।

 

ଅନ୍ଧାର ଭିତରେ ଅଣ୍ଡାଳି ଅଣ୍ଡାଳି ଶୁଭେନ୍ଦୁ ଧରିଲା ମାଧବୀର ହାତ ଦୁଇଟି । ସେଇ ଦୁଇହାତ ଛାତିରେ ଜାକି ହଠାତ୍‌ ଫୁଲିଫୁଲି କାନ୍ଦିଉଠିଲା ଶୁଭେନ୍ଦୁ । ମାଧବୀର ଦୁଇହାତର ପାପୁଲି ଓଦା ହୋଇଯାଇଛି ଶୁଭେନ୍ଦୁର ଆଖିଲୁହରେ, ସତେ ଅବା ଶୁଭେନ୍ଦୁ ତା ଭିତରର ଅକୁହା କଥାଗୁଡ଼ିକ ଅଜାଡ଼ି ଦେଉଛି ମାଧବୀ ହାତମୁଠାରେ । ସେ କଥା ରୂପ ପାଉଛି ଟୋପା ଟୋପା ଲୁହ ହୋଇ ।

କେଇଟି ମୁହୂର୍ତ୍ତ ପରେ ଶୁଭେନ୍ଦୁ, ହାତରୁ ନିଜ ହାତ ଛଡ଼ାଇ ଆଣି ଆଖିରୁ ତାର ଲୁହ ପୋଛି ଦେଉ ଦେଉ କହିଲା—କାନ୍ଦନି ଶୁଭଭାଇ କାନ୍ଦନି । ଠାକୁରଙ୍କୁ ଡାକ, ଆର ଜନ୍ମରେ ଯେମିତି ଗୋଟିଏ ମା’ ପେଟରେ ଆସିବା ଦୁହେଁ ।

କ୍ଷୀଣ ଶବ୍‌ଦ ତୋଳି ହସିଲା ଶୁଭେନ୍ଦୁ, ମନେ ମନେ କହିଲା—ଏଇ ଜନ୍ମ ତୋର କଟିଗଲା ଗୋଟିଏ କାଙ୍ଗାଳ ମନ ନେଇ । ପୁଣି ଆଉ ଗୋଟିଏ ଜନ୍ମ !! ବଡ଼ମାନଙ୍କର ଯଦି ଆଶୀର୍ବାଦର କିଛିହେଲେ ମୂଲ୍ୟ ଥାଏ, ତେବେ ମୁଁ ତତେ ଆଶୀର୍ବାଦ କରୁଛି ମାଧବୀ ଆଉ ଯେପରି ତୋର ଜନ୍ମ ନ ହୁଏ । ଆଉ ଯେମିତି ତୁ ନ ଆସୁ ଏଇ ଧୂଳିମାଟିର ଧରଣୀକୁ । ଶେଷରେ ମୁହଁ ଖୋଲି କହିଲା—ଯାଆ । ଅନେକ ରାତି ହେଲାଣି ।

ସବାରିଟାକୁ ଶୁଭେନ୍ଦୁର ଇଙ୍ଗିତରେ ପୁଣି କାନ୍ଧେଇ ଉଠାଇ ନେଲେ ଗୌଡ଼ମାନେ ।

ଯେତେବେଳେ ଚୌଧୁରୀ ଘର ସିଂହଦୁଆରେ ପାଖରେ ଯାଇ ସବାରି ପହଞ୍ଚିଲା, ସେତେବେଳକୁ ଅନେକ ରାତି—ଚମ୍ପାପୁର ଗାଁଟା କେମିତି ଖାଁ ଖାଁ ଲାଗୁଥିଲା । ଆଶ୍ଚର୍ଯ୍ୟ କଥା କିନ୍ତୁ–ସେ ପର୍ଯ୍ୟନ୍ତ ପିଣ୍ଡା ଉପରେ ପଡ଼ିଥିବା ଆରାମଚେୟାର ଉପରେ ଶୋଇ ତମାଳ କି ଗୋଟାଏ ବହି ପଢ଼ୁଥିଲା । ପିଣ୍ଡା ଉପରକୁ ଉଠିଆସି ନିମିଷକ ଲାଗି ଥମକି ଠିଆହୋଇପଡ଼ିଥିଲା ମାଧବୀ, ତା ପରେ.... ମୁଣ୍ଡର ଲୁଗାଟା ଟାଣିଦେଇଥିଲା ଚଞ୍ଚଳ ହାତରେ । ମୃଦୁକଣ୍ଠରେ ପଚାରିଥିଲା—ଶୋଇନ ?

ମାଧବୀ ଗଳାର ଛୋଟ ଗୋଟିଏ ଉଦ୍‌ବେଗଭରା ପ୍ରଶ୍ନ–ଯାଦୁଭରା ପ୍ରଶ୍ନ । ଦେହର ପ୍ରତି ତନ୍ତ୍ରୀରେ ମୂର୍ଚ୍ଛନା ଜାଗିଲା । ତମାଳ ଗଳାରେ ଆବେଗଭରି କହିଲା—ଘରର ସମସ୍ତ ଶୋଇପଡ଼ିଲେ ତମେ ଆସି ଦୁଆରେ ଠିଆହୋଇ ରହିବ । ଗୌଡ଼ଗୁଡ଼ାକ ଡକାଡ଼କି କରିବେ, ସେ ଭାରି ଅସୁନ୍ଦର । ତେଣୁ ଭାବିଲି—ଶୁଅନ୍ତୁ ସବୁ, ଯାଉଛି ମୁଁ ଟିକିଏ ବହିଫହି ପଢ଼ି ଜାଗିଥାଏ ।

ତମାଳର କଡ଼ଦେଇ ଖୁବ୍‌ ଚଞ୍ଚଳ ପାଦରେ ଚାଲିଯାଉଥିଲା ମାଧବୀ । ତମାଳ ଶାନ୍ତ ଗଳାରେ କହିଲା—ବୋଉ ପାଦରେ ମୁଁ ଔଷଧ ମାଲିସ୍‌ କରିଦେଇଛି । ହାଲିଆ ହୋଇ ତୁମେ ଫେରିବ । ବାଧ୍ୟହେବ ସେଇ କାମ କରିବାକୁ; ତେଣୁ କରିଦେଲି । ଆଉ ତୁମେ ଖାଇବା ପାଇଁ ତୁମ ଘରେ ମୁଁ ରଖିଦେଇଛି ଜଳଖିଆ ।

ତା’ ଲାଗି ତମାଳ ମନରେ ଭାବନା ! ତା’ ପାଟିର କଥା କେଜାଣି କାହିଁକି ଆଜି ଭାରି ମାନୁଛି । ମାଧବୀକୁ ଖୁବ୍‌ ଭଲଲାଗୁଛି ତାର ସେଇ କଥା । ଆଖିରେ ପାଣି ଜମିଆସିଲା ମାଧବୀର-। ଏତେ ଭଲଲାଗିବା ଭଲ ନୁହେଁ । ଅସଲରେ—ଅନେକ ଅଶ୍ରୁ ଅନେକ ବ୍ୟଥା ଆଜି ଜମିରହିଚି ମାଧବୀର ଛାତିତଳେ । ଟିକିଏ ଆଶ୍ୱାସନା, ଟିକିଏ ମଧୁରତା ଖୋଜୁଛି ତାର ଆତ୍ମା । ଠିକ୍‌ ଏମିତି ଗୋଟିଏ ଅଶାନ୍ତ ମୁହୂର୍ତ୍ତରେ ସ୍ନିଗ୍‌ଧ କଥାର ବର୍ଷଣରେ ତାକୁ ଶାନ୍ତକରିଦେଲା ତମାଳ-। ଅଚେତନ ମନ ତାର କୃତଜ୍ଞତାରେ ପରିପୂର୍ଣ୍ଣ ହୋଇଗଲା ଆଉ ସେଇ ପୂର୍ଣ୍ଣତା ଆଖିରେ ତାର ପାଣିଭରିଦେଲା । ଦ୍ରୁତ ପାଦରେ ସେଠୁ ଅପସରି ଗଲା ମାଧବୀ । ପାଦ ଚିପି ଚିପି ଆସି ଠିଆହେଲା ଶାଶୁଙ୍କ ଶୋଇବାଘର ଦୁଆରେ । ଘର ଭିତରୁ ଚାରୁଲତା କହିଉଠିଲେ—ଆଇଲୁ କି ଲୋ ମା’ ? ଏତେ ରାତି ହେଲା କାହିଁକି ?

 

ତା’ରି ଭିତରେ ଟୁକ୍‌କରି ଖୋଲିଗଲା ଦୁଆରଟା । ନିଦହଜା ଆଖି ନେଇ ସାମନାରେ ଠିଆହେଲା ଟୁଟୁ । ଚାରୁଲତା ସ୍ୱର ଲମ୍ୱେଇ କହିଲେ–ଘରେ ନଥିଲୁ ଯେ ଘର ତ ଅନ୍ଧାର ଦିଶିଲା ଲୋ ମା’ ! ନିଦ ତ ଛାଡ଼ି ପଳାଇଲା ଆଖିରୁ । କାନେଇଚି ଯେ କାନେଇଚି ତୋ ପାଦଶବ୍ଦକୁ । ଆଉ ଏ ଟୋକା ଯେ—କହିବୁ ଏଡ଼ିକି ବଦମାସ କିଲୋ ? ଏପଟ ସେପଟ, ଖାଲି ଛଟପଟ ହେଉଛି ତତେ ଖୋଜି ଖୋଜି ।

 

ତା’ ଲାଗି ଏତେ ଆଖିରେ ଏତେ ପ୍ରତୀକ୍ଷା ? ଏ ଘରଲାଗି ଏଡ଼େ ଅପରିହାର୍ଯ୍ୟ ସିଏ ? ଏମାନଙ୍କ ପାଖରେ ଏଡ଼େ ମୂଲ୍ୟବାନ୍‌ ସିଏ ? ଆଖିରେ ମାଧବୀର ପାଣି ଜମିଆସିଲା । ଟୁଟୁକୁ ଛାତିରେ ଜାକି ଶୋଇପଡ଼ିଲା ଶାଶୁଙ୍କ ଖଟରେ । ମାଧବୀ କଣ୍ଠର ସୁମଧୁର ଗୀତରେ ନିଦ ଓହ୍ଲାଇଆସିଲା ଟୁଟୁ ଆଖିରେ । ନିମିଷକେ ଶୋଇପଡ଼ିଲା ସେ । ଚାରୁଲତାଙ୍କ ନିଃଶ୍ୱାସ ବି ଗମ୍ଭୀର ହେଲାଣି । ଶୋଇପଡ଼ିଲେଣି ସିଏ । ଧୀରେ ଧୀରେ ଖଟ ଛାଡ଼ି ଉଠି ଆସିଲା ମାଧବୀ । ବାରଣ୍ଡାରେ ପାଦ ଦେଇ ଦେଖିଲା—ଶୋଇବାଘର ବାରଣ୍ଡାରେ ଠିଆ ହୋଇଛି ତମାଳ । ଦୁଇ ଆଖିରେ ତାର ସୀମାହୀନ ଶୂନ୍ୟତା ।

 

ଅକାରଣରେ ଭ୍ରୂଲତା ଦୁଇଟା କୁଞ୍ଚିତ ହୋଇଗଲା ମାଧବୀର । ଆକାଶ ଉପରୁ ଆଖି ଫେରାଇ ମାଧବୀ ମୁହଁରେ ଆଖି ରଖି ତମାଳ କହିଲା—ରାତି ଆସି ଗୋଟେ ହେଲା, ତଥାପି ଟୁଟୁ ଶୋଇନଥିଲା ?

 

ଅବାନ୍ତର ପ୍ରଶ୍ନ । କିଛି ଗୋଟାଏ କହିବାର ମନନେଇ କହୁଛି ତମାଳ । ବିରକ୍ତି ବୋଧ କଲା ମାଧବୀ । ମୁହଁଟାକୁ ଭାରୀ କରି ଖୁବ୍‌ ଚଞ୍ଚଳ ପାଦରେ ନିଜ ଶୋଇଲା ଘରଭିତରକୁ ପଶି ଯାଉ ଯାଉ ମାଧବୀ ଅସ୍ପଷ୍ଟ କଣ୍ଠରେ କହିଲା—ଶୁଆଇ ଆସିଲି । ତା ପରେ ଘର ଭିତରେ ପଶିଯାଇ ଶକ୍ତ ହାତରେ ଦୁଆରଟାକୁ ବନ୍ଦ କରିଦେଲା ମାଧବୀ । ତା ବୋଲି ଚଟ୍‌କରି ଯାଇ ଶୋଇପଡ଼ିଲା ନା କଣ ? ନା, ନା, ଅକାରଣଟାରେ ଗୋଟାଏ ଅହେତୁକ କୌତୂହଳ ଜନ୍ମନେଲା ତା ଭିତରେ । ଝରକା ଫାଙ୍କରେ ଆଖି ରଖିଲା ମାଧବୀ । ଆଗପରି ଏକା ଜାଗାରେ ଠିଆହୋଇ ରହିଛି ତମାଳ, ମହାଶୂନ୍ୟରେ ନିବଦ୍ଧ ହୋଇ ରହିଛି ତାର ସ୍ଥିର ଆଖି ଦୁଇଟି । ସାରା ମୁହଁରେ ବିଛାଇ ହୋଇ ରହିଚି ବେଶ୍‌ ବଡ଼ କିଛି ଗୋଟାଏ ହଜାଇଦେବାର ଭାବ ।

 

କଣ ହଜାଇ ଦେଇଛି ତମାଳ ? କଣ ହଜାଇ ଦେଇଛି ଜାଣେ ମାଧବୀ । ମନ ତାକୁ ଯେତେ କହୁ ଯେ—ନା ନା, କିଛି ତୁ ଜାଣିନୁ ମାଧବୀ, ଖାଲି ପାଞ୍ଚକଥା ଆଞ୍ଚ କରି ନିଜର ମୂଲ୍ୟ ବଢ଼ାଉଚୁ । ହେଲେ ମନତଳର ମନ କହେ—ନା ଲୋ ମାଧବୀ ! ତୁ ଠିକ୍‌ ଜାଣିଚୁ । ଠିକ୍‌ ବୁଝିଚୁ । କାଚ ଭାବି ଯିଏ ଦିନେ ତତେ ମନରେ ଅବହେଳା ଭରି ଫୋପାଡ଼ି ଦେଇଥିଲା, ସେ ଏବେ ସେଇ କାଚକୁ କାଞ୍ଚନ ମଣି ଜାଣି ଖୋଜିହେଉଛନ୍ତି ତତେ ।

 

ମନତଳେ ମନ । ତା ତଳେ ମନ । ଏମିତି ହୋଇ ପାଞ୍ଚଟା ମନ ବାସକରୁଛି ଏଇ ଦେହ ତଳେ । ଗୋଟିଏ ଗୋଟିଏ ମନର ଗୋଟିଏ ଗୋଟିଏ ମତ । ତା ଭିତରୁ ଗୋଟାଏ ଅଛି ଭାରି ବଳୁଆ । ସେ କହେ—ଦେଖ ମାଧୁ ! ତୋ ବୁଝାମଣାର ଏତେ ମୂଲ୍ୟ ତୁ ଦେ’ନା, କିଛି କଣ ଦାମ୍‌ ନାହିଁ ତୋର ? ଯା କହିଲେ ଯିବୁ, ପୁଣି ଆ କହିଲା ମାତ୍ରେ ଧାଇଁଆସିବୁ ? ଆଉ ସବୁଠୁ ବଡ଼ କଥା–ଆଉ ଗୋଟାଏ ନିର୍ଦ୍ଦୋଷ ପ୍ରାଣ ଯେତେବେଳେ ତତେ ଦେଖି ଡରିମରୁଛି, ସେତେବେଳେ ତୁ ତାକୁ ଆହୁରି ଡରାଇବୁ କାହିଁକି ? ଯୋଉଁ ଲୋକଟି ଆଜି ଏତେକରି ତତେ ପାଖରେ ଚାହୁଁଛି, ସେ ଲୋକଟିର ସେଇ ଚାହିଁବା ସେଦିନ କୁଆଡ଼େ ଯାଇଥିଲା ? ଯୋଉ ଦିନ ଆଖିରେ ତୋର ଆଖି ରଖି କହିଥିଲା—ମୁଁ ତୁମଠୁ ମୁକ୍ତି ଚାହୁଁଛି ମାଧବୀ, ଦେଇପାରିବ ମତେ ମୁକ୍ତି ? ଅନେକ ତୁ ସହିଥିଲୁ । ହେଲେ ସହିପାରିଲୁନି ଏଇ ପଦକ । ସେଇ ରାତିରେ ଘର ଛାଡ଼ି ତୁ ପଳାଇଗଲୁ ମଲ୍ଲିପୁର । ଗଲାପରେ ଅବଶ୍ୟ ତୁ ବୁଝିପାରୁଥିଲୁ ଯେ ତୋ ଜୀବନଟା ବି ଆକୁଳ ହୋଇ ଖୋଜିବୁଲୁଥିଲା ସେଇ ମୁକ୍ତିକୁ । ପରମ ଆନନ୍ଦରେ ତୁ କଟାଇଦେଲୁ ଦିନପରେ ଦିନ । ତା’ ବୋଲି–କେହି ଥରେ ହେଲେ ଖୋଜିଲେନି ତତେ ? ଆଉ ଆଜି ତୁ ଯାଉଚୁ କାହାର ମନର ସୁଖ ଦୁଃଖ ବୁଝି ? ନିର୍ବୋଧ, ନିର୍ବୋଧ ତୁ ମାଧବୀ ।

 

ସଜଳ ଆଖି ଆଉ ଥରିଲା ଓଠ ନେଇ ଝରକା ପାଖରୁ ଫେରିଗଲା ମାଧବୀ । ଗଡ଼ିପଡ଼ିଲା ଖଟ ଉପରେ । ସେ ଜାଣେ ପ୍ରଥମ ଆବେଗଟା ଦିନେ ଧୀରେ ଧୀରେ କଟିଯାଇଥିଲା ତମାଳର ମନ ଭିତରୁ । ଏବେ ଝରକା ପାଖରେ ଡାକିଲେବି ଆଗପରି ଆଉ ରାତି ପାହିଯାଉ ନଥିଲା । ତା ମନର ଉତ୍ତାଳ ସମୁଦ୍ର ଧୀରେ ଧୀରେ ଶାନ୍ତହୋଇ ଆସୁଥିଲା ।

 

କିନ୍ତୁ ସେଇ ନିଜେ—ନିଜେ ଦିନେ ସିଏ ତାର ସେଇ ଶାନ୍ତସ୍ଥିର ସମୁଦ୍ରରେ ସୃଷ୍ଟିକଲା ତରଙ୍ଗ । ଡାଇନିଂ ହଲରେ ବସି ନୀରବରେ ଜଳଖିଆ ଖାଉଥିଲା ତମାଳ । ଚାନ୍ଦକୁ ଦୁଆରେ ଠିଆକରାଇ କାନ୍ଥ କଡ଼ରେ ଯାଇ ଠିଆହେଲା ମାଧବୀ । ଅନୁଚ୍ଚ ସ୍ୱରରେ କହିଲା—ଚାନ୍ଦ, ଓକିଲ ସାହେବଙ୍କୁ କହ, କଥାଟିଏ କହିବାକୁ ଆସିଛି, ରଖିବେ କି ?

 

ମୁହୂର୍ତ୍ତକେ ଖାଇବା ବନ୍ଦକରି ଚାନ୍ଦକୁ ଚାହିଁଲା ତମାଳ । ଛାତିତଳେ ତାର ଶବ୍‌ଦ ହେଲା ଦୂରୁଦୂରୁ । ସେଇ ଶବ୍‌ଦରେ ଚଞ୍ଚଳ ହୋଇଉଠିଲା ତାର ଦେହ ମନ । ମାଧବୀ ତାକୁ କହିବ କଥାପଦେ—ମଝିରେ ବାଡ଼ହୋଇ ଠିଆହେବ ଚାନ୍ଦ ! ଅସହିଷ୍ଣୁ କଣ୍ଠରେ ତମାଳ କହିଲା—ଯା ଭାର, ବଡ଼ମାଙ୍କୁ ତୋର କହ, ଏଇଠିକି ଆସି ସେ ବସନ୍ତୁ ମୋ ପାଖରେ ।

 

ଉଲ୍ଲସିତ ପ୍ରାଣ ନେଇ ନିମିଷକେ ସେଠୁ ଅନ୍ତର୍ଦ୍ଧାନ ହୋଇଗଲା ଚାନ୍ଦ । ଓଢ଼ଣାରେ କପାଳ ଢାଙ୍କି ଧୀର ପାଦରେ ଘର ଭିତରେ ପ୍ରବେଶ କଲା ମାଧବୀ । ମୁହଁରେ ତାର ବୁଣିହୋଇଗଲା ଲଜ୍ଜାର ରେଣୁ ରେଣୁ ପରାଗ । ଛାତିରେ ଚିବୁକ ଛୁଆଁଇ ଠିଆହୋଇ ରହିଲା ମାଧବୀ । ପରିସ୍ଥିତି ଭୁଲି, ପ୍ରଶ୍ନ ଭୁଲି ତମାଳ ଚାହିଁରହିଲା ମାଧବୀର ଲଜ୍ଜାରୁଣ ମୁହଁଟିକି । ଅବାକ୍ ହେଲା ଭାବି ଯେ—ଯେଉଁ ମଣିଷଟି ନେଇ ସେ କଟାଇଛି ଦୀର୍ଘ ଆଠବର୍ଷ, ଯେଉଁ ମଣିଷଟିର ରକ୍ତ ମାଂସ ସାଥିରେ ଥିଲା ନିବିଡ଼ ସମ୍ପର୍କ, ସେଇ ମଣିଷଟି ସାମନାରେ ଆଜି ଠିଆହୋଇଛି ସାତପରର ମନନେଇ !! ପରପୁରୁଷ ସାମନାକୁ ଆସିଲାପରି ସରମରେ ରଙ୍ଗାପଡ଼ିଯାଉଛି ମାଧବୀ ! ଏ ପରିବର୍ତ୍ତନ ପାଇଁ ଦାୟୀ କିଏ ? ଭଗବାନ ନା ମଣିଷ ?

 

ଏଇ ନୀରବତା ମାଧବୀକୁ ଖୁବ୍‌ ଅସହ୍ୟ ଲାଗିଲା । ସେ ଆଖିତୋଳି ସିଧାରେ ଚାହିଁଲେ ବି ଅନୁଭବ କରୁଥିଲା ତମାଳର ପଲକହୀନ ଦୃଷ୍ଟିକୁ । ତେଣୁ ଅସ୍ୱସ୍ତି ବି ଅନୁଭବ କରୁଥିଲା ମାଧବୀ । ମାଧବୀର ଅସ୍ୱସ୍ତି ଅନୁଭବ କଲା ତମାଳ । ତେଣୁ ମୁହୂର୍ତ୍ତକେ ସଚେତନ ହୋଇ ଉଠିଲା ସିଏ । କହିଲା—ମାଧବୀ, ତୁମେ ବର୍ଷେହେଲା ଆସିଲଣି ଏ ଘରକୁ, ଅଥଚ ଆଜିଯାଏ ମତେ ଗୋଟେ ମୁଣ୍ଡିଆ ମାରିଲନି ତ !

 

ତମାଳ ମୁହଁରେ ଗୋଟାଏ ବିହଙ୍ଗ ଦୃଷ୍ଟି ପକାଇ ପାଦ ପାଖରେ ତାର ନୋଇଁପଡ଼ିଲା ମାଧବୀ । ତମାଳ ତାର ବଳିଷ୍ଠ ହାତରେ ଧରିପକାଇଲା ମାଧବୀର ଗୋଟିଏ ଡେଣାକୁ । କହିଲା–ଥାଉ । ମାଗିଆଣିଲା ତିଉଣ ସୋଡ଼କାଏ । ତମାଳର ଏଇ ହାଲୁକା ପରିହାସରେ ମାଧବୀ ଯେମିତି ଯୋଗ ଦେଲାନି; ସେମିତି ମୁଣ୍ଡିଆ ମାରିବାକୁ ବିଶେଷ ଗୋଟାଏ ଆଗ୍ରହ ପ୍ରକାଶ ବି କଲାନି ଆଉ-। ସିଧାହୋଇ ଠିଆହୋଇ ବରଂ ନିଜର ପ୍ରୟୋଜନୀୟ କଥାହିଁ ଆରମ୍ଭ କରିଦେଲା-। କହିଲା–ମୋର ଇଚ୍ଛା ନାହିଁ ମଲ୍ଲିପୁର ଫେରିଯିବାକୁ । ବରଂ ଏଇଠି କାମଦାମ କରି ମୁଠାଏ ଖାଇ, ଖଣ୍ଡେ ପିନ୍ଧିବାକୁ ପାଇଲେ ମୋର ଦିନସରିଯିବ । ତେଣୁ କହୁଥିଲିକି ମଲ୍ଲିପୁରରେ ଯାହା ଯେତେ ଟିକିଏ ବି ଅଛି ସେ ଟିକକ ମୁଁ ଯଦି ମୁନ୍ନାକୁ ଦେଇଦିଏ ତେବେ ଆତ୍ମା ମୋର ଶାନ୍ତି ପାଇବ-। କାରଣ ସେଇ ପିଲାଟିକୁ ମୁଁ ଅନେକ ଦିନ ଧରି ଛାତିରେ ଧରିବାର ସୁଯୋଗ ପାଇଥିଲି । ତାକୁ କେଜାଣି କାହିଁକି ମୋର ନିଜର ପୁଅପରି ଲାଗେ । ମୋର ଖୁବ୍‌ ଇଚ୍ଛା, ମୋର ଯେତିକି ଅଛି ମୁଁ ଦେବି ସେଇ ମୁନ୍ନାକୁ । ତେବେ ତୁମେ ଯଦି ରାଜିହୁଅ.....

 

କଣ ପାଇଁ କେଜାଣି ତମାଳର ଆଖିକୋଣରେ ପାଣି ଚିକ୍‌ଚିକ୍‌ କରିଉଠିଲା । ଧୀର ଗଳାରେ କହିଲା—ତମ ଜିନିଷ, ମନ ତୁମର ଯାହାକୁ ଚାହିଁବ ତାକୁ ଦେବ, ଏଥିରେ ମତେ ପୁଣି ପଚାରିବାର କଣ ଅଛି ?

 

ନିଜର ମଥାଟିକୁ ବାଁ କଡ଼କୁ ଝୁଙ୍କାଇଲା ମାଧବୀ । କହିଲା—ପଚାରିବାର ନାହିଁ କହିଲେ ଚଳିବ କେମିତି ? ତୁମେ ସଂସାରି ମଣିଷ, ଫାଲତୁ ଲୋକଟେ ସଂସାରରେ ବୋଝ ହେଲାପରି କେଉଁଦିନ ଯଦି ତୁମକୁ ବୋଧହୁଏ, ତେବେ ହୁଏତ ଦିନେ ତୁମେ କହିବ ଯେ ମାଧବୀ, ବଡ଼ ଅସୁବିଧା ମୋର । ସଂସାରଟାକୁ ଆଉ ମୁଁ ଚଳାଇପାରୁନି । ତମେମାନେ ଯିଏ ଯାହାର ରାସ୍ତା ଦେଖି, ମତେ ମୁକ୍ତିଦିଅ । ମୋ ହାତରୁ ସବୁ ଯଦି ପରହାତକୁ ଚାଲିଯାଇଥାଏ ତେବେ ମୁଁ ସେତେବେଳେ ଯିବି କୁଆଡ଼େ, ଆଉ ଖାଇବି ବା କଣ ? ସେଇଥିପାଇଁ ପଚାରୁଥିଲି । ଯାହା ତୁମେ କହିବ ସେଇଆ ମୁଁ କରିବି ।

 

ଗୋଟାଏ ଅବ୍ୟକ୍ତ ଯନ୍ତ୍ରଣାରେ ମନ୍ଥି ହୋଇଗଲା ତମାଳର ଛାତି ଭିତରଟା । ଜଳଖିଆ ଉପରେ ଆଖିରଖି କହିଲା—ଆଜି ମୁନ୍ନା ନାଆଁରେ ସବୁ ଲେଖିଦିଅ କହି କାଲି ଯଦି ମୁଁ ପୁଣି ତୁମ ପାଖରୁ ମୁକ୍ତି ଚାହେଁ, ତେବେ ତୁମେ କଣ କରିବ ? ଭାବୁଛ ତ ଅନେକ କିଛି—ଏଇ କଥାଟିକି ନିଜେ ଭାବିଚିନ୍ତି ସ୍ଥିରକର ମାଧବୀ ! ମତେ ଆଉ ପଚାରନି । ମୋର ମତର ମୂଲ୍ୟ ଯେମିତି ତୁମ ପାଖରେ ନାହିଁ, ସେମିତି ତୁମ କଥା ଅବା ପ୍ରଶ୍ନରେ କଥାପଦେ କହିବାର ସାହସ ମୋର ନାହିଁ ।

 

ତମାଳର ସବୁକଥାକୁ ଉପେକ୍ଷା କରି ମାଧବୀ କହିଲା—ଠିକ୍‌ ଅଛି, ସବୁ ଦିନପରି ବିପଦ ଆସିଲେ ନିଜକୁ ନିଜେ ମୁଁ ସମ୍ଭାଳିଛି; ପୁଣି ବି ସମ୍ଭାଳିବି । ତୁମେ ମୋର ଯଥାସର୍ବସ୍ୱ ଲେଖିଦିଅ ମୁନ୍ନା ନାଆଁରେ । ମୁଁ ପଅରି ଦିନ ଯାଇ ଦଲିଲଟା ନିଜେ ନେଇ ଦେଇଆସିବି ମଲ୍ଲିପୁରରେ ।

 

ସେଇ ହେଲା ତମାଳ ସାଥିରେ ତାର କଥା କିଛି । ସେଇ କଥାର ସୁଯୋଗ ନେଇ ପାଦପାଦକରି ପାଖକୁ ତାର ଆଗେଇ ଆସୁଛି ତମାଳ । ଆଗେଇ ଆସୁଛି ଗୋଟିଏ କାଙ୍ଗାଳ ମନନେଇ; କିନ୍ତୁ ସେଇ ମନର ଏତେ ଟିକିଏ ବି ମୂଲ୍ୟ ଦେଇପାରିବନି ମାଧବୀ ।

 

୧୪

 

ତଳଘରର ସବୁକାମ ସାରି ମାଧବୀ ଆଗେଇଯାଉଥିଲା ଉପରମହଲା ଆଡ଼କୁ । ମାତ୍ର ପଅରି ଦିନ ସରିଚି ମହନାର ବାହାଘର । ଜିଦ୍‌କରି ବାହାହେଲା ସେଇ ଦୂତିଆମାଆକୁ । ଦିନର ଅଧିକାଂଶ ସମୟ ତାର କଟୁଛି ସେଇ ଦୂତିଆମା’ ଘରେ । ଭାରି ଖୁସି ମହନା । ଏ ଘରେ କରୁଥିବା ଟିକି ଟିକି କାମଗୁଡ଼ାକ ଏବେ ପ୍ରାୟ ଭୁଲିଯାଉଛି ସିଏ । ଚାନ୍ଦକୁ ତାର କାମ କରିବାକୁ ହେଉଛି । ସେଥିପାଇଁ ଚାନ୍ଦ ଓ ମହନାର ଅନେକ ପାଟିତୁଣ୍ଡ । ଏମିତି ସବୁ ବାର ଝାମେଲାରେ ବିବ୍ରତ ହୋଇ ପଡ଼ିଛି ମାଧବୀ ।

 

ଭୀଷଣ କ୍ଳାନ୍ତବୋଧ କରୁଛି ସିଏ । ଆଜି ଖରାବେଳେ ଟିକିଏ ଅବସର ପାଇ ପାଦ ଘୋଷାରି ଘୋଷାରି ନିଜ ଘରକୁ ଆଗେଇଯାଉଥିଲା ସିଏ । ଭାରି ମନହେଉଛି ତାର ଟିକିଏ ବିଶ୍ରାମ ନେବାପାଇଁ । ଦୋତାଲା ବାରଣ୍ଡାରେ ପାଦ ଦେଇ ବଡ଼କରି ଗୋଟାଏ ନିଃଶ୍ୱାସ ଛାଡ଼ିଲା ମାଧବୀ । କୋଣ ବାରଣ୍ଡାରେ ଠିଆହୋଇଥିଲା ସୁଚରିତା । ମାଧବୀର କ୍ଳାନ୍ତ ମୁହଁରେ ଆଖିରଖି ହଠାତ୍‌ ମନ୍ଥିହୋଇଗଲା ତାର କଲିଜା ଭିତରଟା । ଏଡ଼େ ମଳିନ, ଏଡ଼େ କ୍ଳାନ୍ତ କେଉଁଦିନ ହେଲେ ତ ଦିଶେନି ମାଧବୀ ?

 

ଖୁବ୍‌ ଚଞ୍ଚଳ ପାଦରେ ମାଧବୀ ପାଖକୁ ଆଗେଇଆସିଲା ସିଏ । ଗଳାରେ ଅନେକ ଦରଦ ଭରି ପଚାରିଲା—ଦେହ କଣ ତୁମର ଖରାପ ଲାଗୁଛି ନାନୀ ? ଚାଲ ଶୋଇବ । ମୁଁ ଟିକିଏ ଆଉଁସି ଦେବି ।

 

ନିମିଷକେ ନିଜର ସବୁ ଅବସାଦ ଭୁଲି ସତେଜ ହୋଇଉଠିଲା ମାଧବୀ । ନିଷ୍ପୃହ କଣ୍ଠରେ କହିଲା—ତମେ ବୋଧହୁଏ ଭୁଲିଯାଇଚ ତୁମର ପ୍ରଥମ ଦିନର ନିର୍ଦ୍ଦେଶ; ମୁଁ କିନ୍ତୁ ମନେରଖିଛି । ତଥାପି ତୁମେଇ ଭୁଲିଯାଇଚ ତୁମ ନିଜ ଇଚ୍ଛାର କଥା, ଆଉ ମୁହୂର୍ତ୍ତକ ଲାଗି ହେଲେ ବି ମନ ତୁମର ତଟିଥିଲା ମୋ ଲାଗି—ଏକଥାଟି ଅକ୍ଷୟ ସ୍ମୃତିହୋଇ ବିରାଜୁଥିବ ମୋ ମନରେ ।

 

କଥାସାରି ପୁଣି ଧୀରେ ଧୀରେ ନିଜର ଶୋଇଲାଘରଆଡ଼କୁ ଆଗେଇଗଲା ମାଧବୀ ।

 

ସାମାନ୍ୟ ଉପେକ୍ଷାରେ ଜଳିଉଠେ ସୁଚରିତା, କ୍ରୁଦ୍ଧହୁଏ ଆହତ । ନାଗୁଣି ପରି । ଏ ତାର ସହଜାତ ସ୍ୱଭାବ । ଆଜି କିନ୍ତୁ ସଂପୂର୍ଣ୍ଣ ବଦଳିଯାଇଛି ସିଏ । ବରଂ, ଆଖିର ଆକାଶରେ ତାର ବିଛାଇ ହୋଇଯାଇଛି ଶ୍ରାବଣର ଛାୟା । ଘରଭିତରେ ପଶି କବାଟ କିଳିଦେଲା ମାଧବୀ । ସ୍ତବ୍‌ଧ ହୋଇ ସେଇଠି ଠିଆହୋଇ ରହିଲା ସୁଚରିତା ।

 

ସେଦିନ.. ଅନେକ ସମୟପରେ ନିଦରୁ ଉଠିଲା ମାଧବୀ, ବାରଣ୍ଡାରେ ଠିଆହୋଇ ଥରେ ଚାରିଆଡ଼କୁ ଚାହିଁଲା । ନିଦଭଙ୍ଗା ଫୁଲା ଫୁଲା ଆଖିରେ ତାର ଭରିରହିଛି ଡୋଳା । ସୁନ୍ଦର କପାଳରେ ତାର ଚୂର୍ଣ୍ଣ କୁନ୍ତଳର ଜାଲିକଟା ଅଳକା । ନିଭନ୍ତ ସିନ୍ଦୂର ଟୋପାର ଅସ୍ତ ସୂର୍ଯ୍ୟର ଆଭା, ମଥାରେ ତାର ଲୁଗା ନାହିଁ ।

 

କୋଣ ବାରଣ୍ଡାରୁ ମୁଗ୍‌ଧ ଆଖିରେ ତାକୁ ଚାହିଁଛି ତମାଳ । ଲୁଚି ଲୁଚି ତାକୁ ଦେଖୁଛି ସେଇ ସୁଚରିତା ବି । ସେ ସବୁକଥା ମାଧବୀର ଦେଖିପାରିବାର ନୁହେଁ ।

 

ମାଧବୀ ରୋଷେଇଘର ପିଣ୍ଡାକୁ ଆସିବାରୁ ତାକୁ ଦେଖି ଧାଇଁଆସିଲା ଚାନ୍ଦ । ଉପରକୁ ଆସି ଦୁଇହାତରେ ଅଣ୍ଟାକୁ ମାଧବୀର ଜଡ଼ାଇ ଧରିଲା ସିଏ । ଗଳାରେ ଉଚ୍ଛ୍ୱାସ ଭରି କହି ଉଠିଲା–ଇସ୍‌, ତମେ କି ସୁନ୍ଦର ଦିଶୁଚ ବଡ଼ ମା’ ! ଏବର୍ଷ ଯେମିତି ଠାକୁରାଣୀ ଦିଶୁଥିଲେ ତମେ ଠିକ୍‌ ସେମିତି ଦିଶୁଚ ।

 

ରଙ୍ଗ ଉକୁଟି ଉଠିଲା ମାଧବୀର ସାରା ମୁହଁରେ । ନିଜ ରୂପ ସମ୍ପର୍କରେ କାହାରି ମୁହଁରୁ କିଛି ଶୁଣିଲେ ବଡ଼ ଲାଜପାଏ ସିଏ । ବେଳେବେଳେ ଭଲ ବି ଲାଗେନି ତାକୁ । ତେବେ ଶୁଭଭାଇ ବା ଚାନ୍ଦ ଅଥବା ପରାଗ ମୁହଁରୁ ତା ରୂପ ସମ୍ପର୍କରେ କିଛି ସେ ଶୁଣିଲେ ଲାଜ ହିଁ ପାଇଥାଏ ସିଏ । ତେଣୁ ଆଜି ବି ଲଜ୍ଜାଜଡ଼ିତ କଣ୍ଠରେ କହିଉଠିଲା—ଯା ଭାଗ୍‌ । ଗୁଡ଼େ ବାଜେ କଥା କହୁଛି ।

 

ତା କଥାରେ କାନ ନ ଦେଇ ହସିଲା କଣ୍ଠରେ ଚାନ୍ଦ କହିଉଠିଲା—‘‘ଯାଅ ବଡ଼ ମା’ ମୁଣ୍ଡ କୁଣ୍ଡାଇ ନିଅ । ବୁଢ଼ୀମା, ଅନାଦି ମଉସା, ମୁଁ ତିନିହେଁ ମିଶି ତୁମ ଏକାଲୋକର କାମ କରିନେଇଚୁ ।’’ କଥାସାରି ନିଜ ରସିକତାରେ ନିଜେଇ ହସିଉଠିଲା ଚାନ୍ଦ । ତାର ଗାଲ ଚିପିଦେଇ ମାଧବୀ କହିଲା—ଏଇ ବଜବଜୀ, ଆଗ କହ ତ କି ଜଳଖିଆ ଦେଲୁ ଓକିଲ ସାହେବଙ୍କୁ ?

 

ଭ୍ରୂକୁଞ୍ଚିତ କରି ଚାନ୍ଦ କହିଲା—ଫୁଲକୋବି ପକୋଡ଼ି ଆଉ ଓମ୍‌ଲେଟ । ହେଲେ ତମେ ଗୋଟେ ଓକିଲ ସାହେବ କାହିଁକି କହ, କହିଲ ? ମତେ ଭାରି ଚିଡ଼ିମାଡ଼େ ଏଇ କଥାଟା ।

 

ଓଠଚିପି ହସିଲା ମାଧବୀ । କହିଲା—ଆଉ ତେବେ କଣ କହିବି କହିଲୁ ?

 

ଚିଡ଼ିଲା ଗଳାରେ ଚାନ୍ଦ କହିଲା–ଓଃ, ତମେ ତ ଜମା ଜାଣିନ; ମୁଁ କହିଦେବି । କହିବ ତ ତୋ ବାବା କଣ ଖାଇଲେ, ନହେଲେ ତାଙ୍କୁ କଣ ଖାଇବାକୁ ଦେଲୁ । ଆଉ ଗୋଟାଏ....

 

ମାଧବୀ ମୁହଁ ବୁଲାଇ ନିଜ ଘର ଭିତରକୁ ଚାଲି ଯାଉ ଯାଉ କହିଲା—ଦୂର୍‌ ଓଲୀ, ‘ସେ’ ବା ‘ତାଙ୍କୁ’ ଶବ୍ଦଗୁଡ଼ାକ ତୋ ସାନମା’ର । ତେବେ ଏଥର କିଛି କହିବାର ହେଲେ କହିବି ତୋ ବାବା କଣ କରୁଛନ୍ତି କିମ୍ୱା ଖାଇଲେଣି କି ନାହିଁ ।

 

ଚାନ୍ଦ ଆଖିରେ ପାଣି ଜମିଆସିଲା—ଆଉ ଯେଉଁ ଦୁଇଜଣଙ୍କ କାନରେ ପଡ଼ୁଥିଲା ଏମାନଙ୍କର କଥାବାର୍ତ୍ତା, ସେମାନେ ?

 

ସୁଚରିତା କାନରେ ଅନୁରଣିତ ହେଉଛି ଗୋଟିଏ କଥା—‘ସେ’ ବା ‘ତାଙ୍କୁ’ ଶବ୍ଦଗୁଡ଼ାକ ତୋ ସାନମା’ର । ଏ କଣ ମାଧବୀର ଅଭିମାନ ନା ଉପେକ୍ଷା ? ଯାହା ବି ହେଉ ଦୋଷ ତାର କେତେଟା ? ଦିଶାହରା ଆଖିମେଲି ଆକାଶକୁ ଚାହିଁଲା ସୁଚରିତା ।

 

ଆଉ ତମାଳ ? ଅପରାଧ ଅଗ୍ନି ହୋଇ ଦହୁଛି ତାର ସମଗ୍ର ଦେହ-ମନକୁ । ମାଧବୀର କଥା ଗରମ ସୀସା ହୋଇ ଜାଳିଦେଉଚି ତାର ଦୁଇକାନର ରନ୍ଧ୍ରକୁ । ଅଥଚ ମାଧବୀ ଦିନେ ବି ବିଶ୍ୱାସ କରିବନି ଯେ ତା’ପାଇଁ କେମିତି ଆଉଟି ହେଉଛି ତମାଳର ପ୍ରାଣ ।

 

ହଠାତ୍‌ ବାଧା ପଡ଼ିଲା ତମାଳର ଭାବନାରେ । ଝଡ଼ପରି ଉପରକୁ ଉଠିଆସିଲା ପରାଗ-। ଦୁଇ ଆଖିରେ ତାର ଦିଶାହରା ଚାହାଣି । ସିଧା ପଶିଗଲା ସିଏ ମାଧବୀର ଶୋଇଲାଘର ଭିତରକୁ । ପରାଗର ଉଦ୍‌ଭ୍ରାନ୍ତ ଚେହେରା ଦେଖି ଅବାକ୍‌ ହେଲା ତମାଳ; ଅବାକ୍‌ ହେଲା ସୁଚରିତା ବି । ମୁହୂର୍ତ୍ତକପରେ ମାଧବୀକୁ ଟାଣି ଟାଣି ବାହାରକୁ ନେଇଆସିଲା ପରାଗ । ବରଣ୍ଡା ପାରିହୋଇ ସେମାନେ ପାଦଦେଲେ ଛାତର ପାହାଚରେ । ପୁଣି ଅନ୍ତର୍ଦ୍ଧାନ ବି ହୋଇଗଲେ ନିମିଷକରେ-। କ୍ଷଣକ ଭିତରେ ସ୍ୱାଭାବିକ ହୋଇଆସିଲା ତମାଳର ଚାହାଁଣି । ପୁଣି ଟିକିଏ ପରେ ଉପରକୁ ଉଠିଆସିଲା ପ୍ରବାଳ । ଚାଲିଯାଉଥିଲା ମାଧବୀର ଘର ଆଡ଼କୁ ତାକୁ ଡାକିଲା ତମାଳ-। ଭୀତ ଚକିତ ମନନେଇ ଧୀରେ ଧୀରେ ତମାଳ ପାଖକୁ ଆଗେଇଗଲା ପ୍ରବାଳ । ଠିଆହେଲା ମୁଣ୍ଡପୋତି-। ସସ୍ନେହ କଣ୍ଠରେ ତମାଳ କହିଲା—କଣରେ ? ଭାଉଜ ପାଖକୁ ଯାଉଥିଲୁ ? କଣ, କିଛି ପଇସା ଦର୍କାର କି ?

 

ଏଇ ତିନି ଅଗଣା ଭିତରେ ପ୍ରବାଳ ଏକମାତ୍ର ଡରେ ଏଇ ବଡ଼ ଭାଇନାଙ୍କୁ । ତେଣୁ ତାଙ୍କର ଗୋଟିଏ କଥାର ବି ଉତ୍ତର ଦେଇପାରିଲାନି ସିଏ । ମଥା ତାର ଆହୁରି ଝୁଙ୍କିଗଲା ଛାତି ପାଖକୁ । ତମାଳ ଜାଣେ ଏଠି ନ ପାଇଲେ ଭାଉଜକୁ, ପ୍ରବାଳ ଠିକ୍‌ ଉଠିଯିବ ଉପରକୁ । ଅଥଚ ନିଶ୍ଚୟ କିଛି ଗୋଟେ ଜରୁରୀ ଅଥଚ ଗୋପନ କଥା ପାଇଁ ବିଚଳିତ ପରାଗ ଟାଣିନେଇଛି ଭାଉଜକୁ ଟିକିଏ ନିର୍ଜନକୁ । ଏଇ ମୁହୂର୍ତ୍ତରେ ଯଦି ସେଠି ଯାଇ ପ୍ରବାଳ କଟାଳ କରେ ତେବେ ନିଶ୍ଚୟ ଏକୁ ପିଟିବ ପରାଗ ।

 

ପକେଟ୍‌ରୁ ଗୋଟିଏ ଟଙ୍କା କାଢ଼ି ତମାଳ ଦେଇଦେଲା ପ୍ରବାଳ ହାତରେ । ଏକାନିଃଶ୍ୱାସକେ ସେଠୁ ଅନ୍ତର୍ଦ୍ଧାନ ହୋଇଗଲା ପ୍ରବାଳ । ଗୋଟାଏ ବହିରେ ମନ ନିବେଶ କଲା ତମାଳ । ପାଖରେ ପଡ଼ିଥିବା ଆଉ ଗୋଟାଏ ଚେୟାର୍‌ରେ ବସିପଡ଼ି ଖଣ୍ଡେ ଉପନ୍ୟାସର ପୃଷ୍ଠା ଲେଉଟାଇଲା ସୁଚରିତା ବେଶ୍‌ କିଛି ସମୟ ପରେ ।

 

ତେତାଲା ସିଡ଼ିରେ ଶୁଭିଲା ପାଦର ଶବ୍‌ଦ । ଦରମୁକୁଳା ଲମ୍ୱା ବେଣୀଟାକୁ ପିଠି ଉପରକୁ ଛାଟିଦେଇ ଦୁମ୍‌ଦାମ୍‌ ପାଦରେ ଓହ୍ଲେଇ ଆସୁଛି ମାଧବୀ । କେଉଁ କାରଣରୁ କେଜାଣି ଲାଲଦିଶୁଚି ତାର ଗୋଲାପିରଙ୍ଗର ମୁହଁଟା । ଦିଶୁଛି ଥମ୍‌ଥମ୍‌, ଆଉ ଗଳାରେ ଅନେକ ବ୍ୟାକୁଳତା ଭରି ପରାଗ କହି କହି ଓହ୍ଲାଇ ଆସୁଛି–ଏଇ କଥା ତୁମେ ରଖି ନ ପାରିଲେ ଆଉ କେହି ରଖିପାରିବେନି ଭାଉଜ । ଚାଲିଯାଅନି, ଶୁଣ, ଶୁଣ ଭାଉଜ ମୋ କଥା....

 

ମାଧବୀ ଆହୁରି ଚଞ୍ଚଳ ପାଦଚାଲି କହିଲା—ନା ନା ନା, ମୁଁ କିଛି ଶୁଣିବିନି କି କୌଣସି କଥା ମୁଁ ତୁମର ରଖିପାରିବିନି ।

 

ତାପରେ, ନିଜ ଘରେ ପଶିଯାଇ ଧଡ଼୍‌ କରି କବାଟ ବନ୍ଦକଲା ମାଧବୀ ।

 

ଅନେକ ସମୟ ଧରି ଦୁଆରକୁ ତାର ପିଟିଲା ପରାଗ । ବ୍ୟର୍ଥହେଲା ତାର ସବୁ ପ୍ରୟାସ-। ଦୁଆର ଖୋଲିଲାନି ମାଧବୀ । ଧୀରେ ଧୀରେ ଲେଉଟି ଆସି ବରଣ୍ଡା ପାରିହେଲା ପରାଗ-

 

‘‘କଣରେ ? କଣ ଶୁଣୁନି ଭାଉଜ ତୋର ?’’ –ତମାଳର ସ୍ୱରରେ ଚମକିପଡ଼ିଲା ପରାଗ । ଠିଆହୋଇ ପଡ଼ିଲା ଦୁଇ ବରଣ୍ଡାର ମଝିକୋଣରେ । ଦୁଇ ଆଖିରେ ତାର ଉଦ୍‌ଭ୍ରାନ୍ତ ଚାହାଣି ।

 

ପ୍ରଶ୍ନର ପୁନରାବୃତ୍ତି କଲା ତମାଳ । ପୁଣି ଚମକି ପଡ଼ିଲା ପରାଗ । ଢୋକ ଗିଳି କହିଲା–ନା, ସେମିତି କିଛି ନୁହେଁ ।

 

କଥା ସାରି ଚଞ୍ଚଳ ପାଦରେ ତଳକୁ ଓହ୍ଲାଇଗଲା ପରାଗ । ମୃଦୁ ହସି ମଥା ହଲାଇଲା ତମାଳ । ଅନୁଚ୍ଚ ସ୍ୱରରେ କହିଲା—ପାଗଳାଟା ।

 

ପୁଣି, ପୁଣି ସେଇଦିନ ସନ୍ଧ୍ୟା ଉତ୍ତୀର୍ଣ୍ଣହେବା ପରେ ଧୀର ପାଦରେ ଆଗେଇଆସି ରୋଷେଇଘର ଭିତରେ ପଶିଲା ପରାଗ । ବସିଲା ମାଧବୀ ପାଖରେ । ବସିଲା ତିନି ଘଣ୍ଟାଧରି । ସେମାନଙ୍କର କଥାବାର୍ତ୍ତା କେବଳ ସେମାନେ ହିଁ ଶୁଣିଲେ । ତା’ପରେ ମାଧବୀ ଉଠିଗଲା ସମସ୍ତଙ୍କୁ ଖାଇବାକୁ ଦେବାପାଇଁ । ପରାଗ ବି ବସିବସି ଖାଇଲା ସେଇଠି ।

 

କଟିଗଲା ଆହୁରି ଦୁଇଦିନ......

 

ଆହୁରି ଗମ୍ଭୀର ହୋଇଗଲା ମାଧବୀର ଗମ୍ଭୀର ମୁହଁ । ଭାରୀ ହୋଇଗଲା ତା ଆଖିର ନିଘଞ୍ଚ ପାଖୁଡ଼ା ଦୁଇଟି । ଅଚଞ୍ଚଳ ପାଦ ଦୁଇଟିରେ ତାର ଫୁଟିଉଠିଲା ଅନେକ କ୍ଳାନ୍ତି । ଅବଶ ହୋଇ ଆସିଲା ତାର କର୍ମପରାୟଣ ଦୁଇଟି ନିଟେଳ ହାତ । ମ୍ଲାନ ହୋଇଗଲ ମାଧବୀ ।

 

କୋଣେଇ କୋଣେଇ ମାଧବୀକୁ ଦେଖନ୍ତି ସମସ୍ତେ । ଦେଖନ୍ତି ଚାରୁଲତା, ଦେଖନ୍ତି ଶଙ୍କିତ ଆଖି ମେଲି । ଉଦ୍‌ବିଗ୍ନ ହୁଏ ତମାଳ ।

 

ମାଧବୀର ପିଠିରେ ଦିନେ ହାତ ରଖିଲେ ଚାରୁଲତା । ସ୍ନେହସିକ୍ତ କୋମଳ କଣ୍ଠରେ ପଚାରିଲେ—ତୋ ଦେହ କଣ ଭଲ ନାହିଁ ମା’ ? ତୁ ଏମିତି ଝାଉଁଳିଗଲୁ କାହିଁକି କହ ତ ? କଣ ହଉଛି ତୋର କହିଲୁ ମା ?

 

କଣ କହିବ ମାଧବୀ ? କି ଉତ୍ତର ଦେବ ସିଏ ଶାଶୁଙ୍କ କଥାର । ହଠାତ୍ କ୍ଷୀଣ ଶବ୍ଦ ତୋଳି କାନ୍ଧିଉଠିଲା ମାଧବୀ ।

 

ମନ୍ଥି ହୋଇଗଲା ଚାରୁଲତାଙ୍କର ମାତୃହୃଦୟ । ଚୋରପରି ପିଣ୍ଡା କଡ଼ରେ ଠିଆହୋଇଛି ତମାଳ । ତା ମନରେ ଆକୁଳ ପ୍ରଶ୍ନକୁ ତା’ରି ପ୍ରତିନିଧି ହୋଇ ବୋଉ ପଚାରୁଛି ମାଧବୀକୁ । କାନପାରି ଠିଆ ହୋଇଛି ତମାଳ । କିଛିମାତ୍ର ଉତ୍ତର ନଦେଇ ମାଧବୀ କାନ୍ଦିଉଠିଲା ।

 

ବୁଝିପାରିଲା ତମାଳ—ମାଧବୀ ଯେତେବେଳେ ଉତ୍ତର ନ ଦେଇ କାନ୍ଦିଲାଣି—ସେତେବେଳେ ଆଉ କେଉଁ ଦିନ ହେଲେ ଉତ୍ତର ଦେବନି ସିଏ । ଆସ୍ତେ ସେଠୁ ଅପସରି ଗଲା ତମାଳ ।

 

ଆହୁରି ଚାରିଦିନ ପରେ.... ମଝି ଅଗଣାର କବାଟ ଖୋଲି ପୂରା ଡାକ୍ତରୀ ବେଶରେ ବାହାରି ଆସିଲା ପରାଗ । ସାଥିରେ ଚାରୁଲତା । ଚାରୁଲତା କହି କହି ଆସୁଥିଲେ–ତା ଦେହ ଖରାପ ହେଲେ କାହାର କିଛି ନାଇଁ ଯେ, ମୁଁ ମରିବି । ଠାକୁରଘରର ଦୁନିଆର, ପାଇଟି । ମୋର କଣ ବଳ–ବଅସ ଆସୁଛି କିରେ ପୁଅ ଯେ ସେଗୁଡ଼ାକ ମୁଁ କରିବି ? ତୁ ଯାଇ ଦେଖ କଣ ତାର ହେଉଛି । କାହିଁକି ସିଏ କଳାକାଠ ପଡ଼ି ଏମିତି ହଠାତ୍‌ ଶୁଖିଗଲା । କଣ ହେଲା ତାର ?

 

ବୁଢ଼ୀଙ୍କୁ କିଛିମାତ୍ର ସାନ୍ତ୍ୱନା ନଦେଇ ଧୀର ଗମ୍ଭୀର ପାଦରେ ଆଗେଇ ଆସୁଛି ପରାଗ । ସେମାନଙ୍କ ପଛରେ ଅନୁସରଣ କରୁଛନ୍ତି ନିରୁପମା ଆଉ ସୁରମା । ସବୁରି ମୁହଁରେ ଉଦ୍‌ବେଗର ନିବିଡ଼ ଛାୟା ।

 

ଉପର ବାରଣ୍ଡାରେ ଆକୁଳ ମନନେଇ ବସିରହିଛି ତମାଳ । ଚାହିଁରହିଛି ଜାଫ୍ରିକଟା ରେଲିଂ ଭିତରୁ ।

 

ଚାରୁଲତା ଡାକ ଛାଡ଼ିଲେ ମାଧବୀକୁ । ଆଖିରେ ବିସ୍ମୟ ଭରି ମାଧବୀ ବାହାରି ଆସିଲା ରୋଷେଇଘରୁ । ଚାରୁଲତା କୋମଳ କଣ୍ଠରେ କହିଲେ—‘‘ଆଇଲୁ ମା, ଆସେ । ତତେ ଟିକିଏ ପରୀକ୍ଷା କରୁ ପରାଗ । କଣ ତୋର ହେଉଛି କହିଦେବ ଯେ ସିଏ ଆସେ ।’’

 

ନାକପୁଡ଼ା ଦୁଇଟା ଫୁଲିଉଠିଲା ମାଧବୀର । ତୀର୍ଯ୍ୟକ ଦୃଷ୍ଟି ହାଣି ଚାହିଁଲା କ୍ଷଣେ ପରାଗର ମୁହଁକୁ । ସେ ଚାହାଣିକୁ ଆଜି ଆଉ ସହିପାରିଲାନି ପରାଗ । ଦୁଇଆଖି ଡୋଳାରେ ତାର ବିଛାଇ ହୋଇଗଲା ଅପରାଧର ଛାୟା, ସେଇ ଛାୟାକୁ ଆଉ କିଏ ଲକ୍ଷ୍ୟ କଲା କି ନ କଲା, ହେଲେ ସେହି ଛାୟା ଅନ୍ଧାର କରିଦେଲା ତମାଳର ସାରା ମନକୁ–ଯଦିଓ ସିଏ ବୁଝିଲାନି ପରାଗ ଆଖିରେ ସେଇ ଛାୟାର କାରଣ କଣ । ନବୁଝି ତଥାପି ଶିର୍‌ ଶିର୍‌ ହୋଇ ଉଠିଥିଲା ତା ଦେହର ପ୍ରତିଟି ଶିରା ଉପଶିରା ।

 

ମାଧବୀର କଠିନ ମୁହଁରେ ଆଖିରଖି ଶଙ୍କିଯାଇଥିଲେ ଚାରୁଲତା ମଧ୍ୟ । ସ୍ତିମିତ କଣ୍ଠରେ କହିଥିଲେ—ଚାଲେମା, ଚାଲେ । ଭଲ ହେଲେ ତୁ ଖାଲି ମୋରି ଲାଭ, ବୁଢ଼ୀ ମଣିଷଟା, ଜାଣିଚୁ ତ ମା’ ପାରୁନେଇ କୋଉ କଥାକୁ ।

 

ଓଠ କୋଣକୁ ଦାନ୍ତରେ ଚାପି ତଳେଥିବା ଶାଶୁଙ୍କର ଶୋଇଲାଘରକୁ ଆଗେଇଗଲା ମାଧବୀ । ସମସ୍ତଙ୍କ ନିର୍ଦ୍ଦେଶରେ ଶୋଇଲା ଯାଇ ଖଟରେ । ସେ ପର୍ଯ୍ୟନ୍ତ ପଥର–କଠିଣ ମୁହଁରେ ତାର କ୍ରୋଧବହ୍ନିର ରକ୍ତଆଭା । କିଛି ସମୟ ଧରି ପରୀକ୍ଷା କଲାପରେ ଧୀରଗଳାରେ ପରାଗ କହିଲା—‘‘ଭାଉଜଙ୍କର ପିଲାପିଲି ହେବ । ଚିନ୍ତା କରିବାର କିଛି ନାହିଁ ।’’

 

କଥାସାରି ମଥାନୁଆଁଇଁ ଘରୁ ବାହାରିଆସୁଥିଲା ପରାଗ । କଣେଇ ଥରେ ଚାହିଁଲା ମାଧବୀର ମୁହଁକୁ । ସେତେବେଳକୁ ସ୍ଥିର ଆଖିମେଲି ମାଧବୀ ଚାହିଁଥିଲା ପରାଗର ମୁହଁକୁ । ଧିକି ଧିକି ହୋଇ ଜଳୁଥିଲା ତାର ଆଖି ଦୁଇଟି ।

 

ଖପ୍‌କରି ଚାରୁଲତା ଧରିପକାଇଲେ ପରାଗର ହାତଟି । ବ୍ୟାକୁଳ ବ୍ୟଗ୍ର କଣ୍ଠରେ ପଚାରିଲେ—କହି ପାରିବୁ ବାପ, କେତେମାସ ହେଲାଣି ତାର ?

 

ହାତର ଓଲଟା ପିଠିରେ କପାଳର ଝାଳ ପୋଛୁ ପୋଛୁ କ୍ଷୀଣ କଣ୍ଠରେ ପରାଗ କହିଲା–ୟ

 

ଏଇ ପ୍ରାୟ ଆଠମାସ ହୋଇଗଲାଣି ।

 

ଚାରୁଲତା, ନିରୁପମା, ସୁରମା ସମସ୍ତଙ୍କ ଆଖିରୁ ଝରିଲା ମୁଠା ମୁଠା ଆନନ୍ଦ । ହେଲେ ସେଇ ମୁହୂର୍ତ୍ତରେ ସୁରମା ପରାଗର ଗୋଟିଏ ହାତ ଧରି ପକାଇ କହିଲେ—‘‘ବାପ, କରବୀଟାକୁ ଟିକେ ଦେଖନ୍ତୁନି ? କଣ ଯେ ତାର ହୋଇଛି, ସେ ପିଲାଟାବି କଳାକାଠ ପଡ଼ି ଶୁଖିଯାଉଛି । ଖାଉନେଇ, ପିଉନେଇ, କେମିତି ଗୋଟେ ଗୁମ୍‌ ମାରିଯାଉଛି ଦିନକୁ ଦିନ । ଚାଲିଲୁ ବାପ ତାକୁ ଟିକିଏ ଦେଖି ଆସିବୁ ।’’ ପରାଗର ହାତ ଧରି ତଳ ଅଗଣା ଆଡ଼କୁ ପାଦ ବଢ଼ାଇଲେ ସୁରମା ।

 

ପାଦ ଘୋସାରି ଘୋସାରି ତାଙ୍କ ସାଥିରେ ଚାଲିଗଲା ପରାଗ । କାହାକୁ କିଛି ପଚାରିପାରୁନି ତମାଳ । ବୋଉକୁ ଟିକେ ନିରୋଳାରେ ପାଇବାପାଇଁ ଭାରି ଇଚ୍ଛା ହେଉଛି ତାର । ବୋଉ କିନ୍ତୁ ଗପ ଯୋଡ଼ିଦେଇଛନ୍ତି ନିରୁପମାଙ୍କ ସାଥିରେ । ଗଳାରେ ବିସ୍ମୟଭରି କହୁଛନ୍ତି—ହଁ, ଏମିତି ହବାଟା ମୁଁ ଜାଣିଛି । ହେଲେ ମାଧବୀର ଧାତୁ ତ ଏମିତି ନୁହେଁ ! ମାସକୁ ମାସ ଧୋବାଘରକୁ ଲୁଗା ଯାଉଛି, ଆଉ ଲକ୍ଷଣ ବି ସେମିତି ଗୋଟେ କିଛି ଦିଶୁନି । କେଜାଣି ହେଲେ ହୋଇଥିବ, ପରାଗ ଯେତେବେଳେ ଡାକ୍ତର । ଦେହର ଧାରା ହୁଏତ ବଦଳିଲା । ଠାକୁର, ଏଥର ହୁଏତ ପିଲାକୁ ତା ବଞ୍ଚାଇ ରଖିବେ । କାଠ ହୋଇ ଶୋଇରହିଛି ମାଧବୀ; ପଲକ ପଡ଼ୁନି ତାର ବିସ୍ଫାରିତ ଆଖି ଦୁଇଟିରେ ।

 

ତଳ ଅଗଣାରୁ ଭାସିଆସିଲା ସୁରମାଙ୍କ କାନ୍ଦଣାର କରୁଣ ସ୍ୱର, ବଡ଼ ଅଗଣାରୁ ସମସ୍ତେ ଧାଇଁଗଲେ ତଳ ଅଗଣାକୁ; ଏପରିକି ତମାଳ ସୁଦ୍ଧା । ଏକମାତ୍ର ନିଷ୍କମ୍ପ ଦେହ ମନ ନେଇ ସେଇ ଖଟରେ ଶୋଇରହିଲା ମାଧବୀ । ଏଇ ମୁହୂର୍ତ୍ତରେ ସାରା ମୁହଁରେ ତାର ବିଛାଇ ହୋଇ ରହିଛି ଅସହାୟତାର ଏକ ମ୍ଳାନଛାୟା ।

 

ଅନେକ ସମୟ ପରେ ଦୁଇଟି ଲୁହ ଟଳଟଳ ଆଖି ନେଇ ସେ ଘରେ ପାଦେଦଲେ ଚାରୁଲତା । ସଜଳ କଣ୍ଠରେ କହିଲେ—ଶୁଣିଲୁଣି ନା, ମା, କରବୀଟାର ପ୍ଲୁରିସୀ ବୋଲି କି ଗୋଟାଏ ରୋଗ ହୋଇଯାଇଚି ଲୋ । ଭାରି ଖରାପ ରୋଗ । ପ୍ରାୟ ମଣିଷ ବଞ୍ଚନ୍ତିନି ଏମିତି ରୋଗ ହେଲେ ! ଆହା, କେତେ ପାଠ ପଢ଼ିଲା, କି ସୁନ୍ଦର, କେଡ଼େ ବଡ଼ ଝିଅ । ଦେଖ ତ କଣ ହେଲା ତାର ?

 

ଶାଶୁଙ୍କ ମୁହଁରେ ଗୋଟିଏ ନିର୍ଲିପ୍ତ ଚାହାଣି ପକାଇ ମୁହଁ ବୁଲାଇନେଲା ମାଧବୀ । ତାର ସେଇ ଭାବ ଦେଖି କ୍ଷୁର୍ଣ୍ଣ ହେଲେ ଚାରୁଲତା । ପଛେ ଭାବିଲେ–ଦଶବର୍ଷ ପରେ ଗୋଟେ ପିଲା ପେଟକୁ ଆସିଛି । କେହି ହସାଇ ନାହାନ୍ତି, ସୁଖ ଦେଇନାହାନ୍ତି ଗର୍ଭଧାରଣୀକୁ । ଆଉ ଏଇଟା ଯେ ଜୀବନକୁ ତାର ଧନ୍ୟ କରିଦେବ ଏମିତି କଥା କଣ ତାର ଭାବିବା କଥା ? ନୁହେଁ ତ, ତେଣୁ ମନମରା ହୋଇଯାଇଛି ମାଧବୀ ।

 

ଚାରୁଲତା ଜଡ଼ାଇ ଧରିଲେ ମାଧବୀକୁ । କହିଲେ—ମନଦୁଃଖ କରନା ମା’ ଡରେନା । ରାଧାମୋହନଙ୍କୁ ଡାକେ । ଡାକେ ଜଗନ୍ନାଥଙ୍କୁ ।

 

ଏଥର ଖିଲିଖିଲି ହୋଇ କେମିତି ଗୋଟାଏ ହସିଉଠିଲା ମାଧବୀ । କହିଲା—ଜଗନ୍ନାଥ-? ତମେ ତ ପଢ଼ିନା ବୋଉ ସୁରେନ୍ଦ୍ରବାବୁଙ୍କର ‘‘ନୀଳଶୈଳ’’ ଜାଣିନ ତ କିଛିମାତ୍ର କରାମତି ନାହିଁ ସେଇ କାଠମୂର୍ତ୍ତିର, ତେଣୁ କହୁଚ । ସେ ପରା କେତେ ଇତିହାସ ପଢ଼ି, କେତେ ମାଦଳାପାଞ୍ଜି ଘାଣ୍ଟି ଆବିଷ୍କାର କରିଛନ୍ତି ଯେ କିଛି ହେଲେ ବଳ କଳ ନାହିଁ ସେଇ କାଠର ଠାକୁରଙ୍କର । ତାଙ୍କୁ ପତିତପାବନ ସଜେଇଛି ମଣିଷ । ତାଙ୍କୁ ଘୋଷାରି ଘୋଷାରି ନେଇ ଚିଲିକା ଭିତରେ ଲୁଚାଇରଖି ମଣିଷ ଧାରଣା ଦେଇଛି ମଣିଷକୁ ଯେ ଭକ୍ତର ଅବମାନନାରେ ଦୁଃଖ ପାଇ ଅଭିମାନ କରି ଦେଉଳ ଭିତରୁ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି ଜଗନ୍ନାଥେ । ବୁଝିଲ ବୋଉ, କାଣିଚାଏ ବି ଶକ୍ତି ନାହିଁ ତୁମର ସେହି ଜଗନ୍ନାଥଙ୍କର । ସେ ଆହୁରି ଲେଖିଛନ୍ତି ଯେ ରଥଯାତ୍ରାବେଳେ ଲୋକମାନେ ସେଇ ତିନିଠାକୁରଙ୍କ ସାମନାରେ ଯୁଆନ ବୋହୂ—ଝିଅଙ୍କ ଛାତିରେ ହାତଦେଇ ମନର ଅରମାନ ମେଣ୍ଟାଉ ମେଣ୍ଟାଉ ବଖାଣି ହେଉଥାନ୍ତି ଜଗନ୍ନାଥଙ୍କର ଗୁଣ ଗାରିମା; କିନ୍ତୁ କାହିଁ ଛାଆଁକୁ ଛାଆଁ ତ ମୋଡ଼ିହୋଇ ଭାଙ୍ଗିଯାଏନି ସେଇ ପଣ୍ଡା—ପଢ଼ିହାରୀଙ୍କ ହାତ ? ତେବେ କଣ ପାଇଁ କିଏ ଆଉ ଡାକିବ ଜଗନ୍ନାଥଙ୍କୁ ?

 

ଚାରୁଲତା ଅବାକ୍‌ ଗଳାରେ ପଚାରିଲେ—ସତେକି ଲୋ !! ଏମିତି କଥାଗୁଡ଼ାକ ପୁଣି କିଏ ଲେଖିଛି ! ଶାଶୁଙ୍କ କଥାର ଉତ୍ତର ନ ଦେଇ ଆଖି ମୁଦିଲା ମାଧବୀ । ଚାରୁଲତା ମାଧବୀର ମନର ଅବସ୍ଥା ଭୁଲିଗଲେ । ଭାବୁଥିଲେ, ସେଇ ବହିଟା କଥା !! ମଲା ମୋର, ଜଗନ୍ନାଥଙ୍କୁ ନେଇ ଏମିତି ଗୋଟାଏ କିଏ କଣ ଲେଖିଲା ମ ! କିଛି କରାମତି ନାହିଁ ମୋ ମହାବାହୁର !! ଦୂଉଉ... ର-। ବାଜେ କଥା, ଅସଲରେ ମନଟା ବିକ୍ଷିପ୍ତ ହୋଇଯାଇଛି କି ନା ମାଧବୀର ସେଇଥି ପାଇଁ ! ଗପିଯାଉଚି କଣ ଗୁଡ଼େ ଅଡ଼ୁଆ—ତଡ଼ୁଆ ।

 

ମଧୁର ହସି ଚାରୁଲତା ହାତ ବୁଲାଇଲେ ମାଧବୀର କପାଳରେ । ସ୍ନେହସିକ୍ତ କଣ୍ଠରେ କହିଲେ-ତୁ ଏମିତି ମନମରା ହୋଇଗଲୁ କାହିଁକି ମା’ କହିଲୁ ? ଡରୁଚୁ କି ? ଡରେନା ମା’ ଡରେନା, ମୁଉଁ ତ ଅଛି ।

 

ମୁଉଁ ତ ଅଛି ! ସତେ ତ, ତାର ଅସହାୟ ଦେହମନ ଚାରିପଟେ ଲୁହାର ବାଡ଼ ହୋଇ ଘେରିରହିଛନ୍ତି ଶାଶୁ, କି ଭୟ ତାର ? କିଏ ତାର କଣ କରିବ ? ତେବେ କେତେଦିନ ରହିବେ ତାର ଏଇ ଶାଶୁ ? କେତେଦିନ ନିର୍ଭୀକ ହରିଣୀ–ଶିଶୁପରି ସେ ଡିଆଁମାରି ବୁଲି ପାରିବ ଏଇ ଘରେ ? ଆଉ ଭାବିପାରିଲାନି ମାଧବୀ, ଭୟ ପାଇଲା ଭାବିବାକୁ । ଓଲଟି ଦୁଇ ହାତରେ ନିବିଡ଼ କରି ଜଡ଼ାଇଧରିଲା ଚାରୁଲତାଙ୍କୁ । ଦୁଇଟି ଡବଡ଼ବ ଆଖିରେ ଲୁହଭରି ସେ ଚାହିଁଲା ଶାଶୁଙ୍କ ମୁହଁକୁ ।

 

ତାର ଭାବ ଦେଖି, ଆଖି ଦେଖି ମୃଦୁ ହସିଲେ ଚାରୁଲତା । ସାରା ମୁହଁରେ ତାଙ୍କର ବିଛାଇ ହୋଇଗଲା ଆଶ୍ୱାସନାର ଆବେଗଭରା ଛାୟା । ଧୀରେ ଧୀରେ ଶାନ୍ତ ହେଲା ମାଧବୀ, ହେଲା ନିଶ୍ଚିନ୍ତ । ଦୁଇ ଆଖିରୁ ଲୁହ ପୋଛି ନେଉ ନେଉ ଖଟ ଉପରେ ଉଠିବସିଲା ମାଧବୀ । ମୃଦୁ ଗଳାରେ କହିଲା—ମୁଁ ଯାଏ । ରୋଷେଇଘରେ କେତେ ଯେ କାମ ବାକି ପଡ଼ିଛି ତାର ଠିକଣା ନାହିଁ ।

 

ଫିସ୍‌ ଫିସ୍‌ କରି ଚାରୁଲତା କହିଲେ—ମାଧବୀ, ଦିନେ ତୁ ନିଶ୍ଚିହ୍ନ ହୋଇଯିବୁ ଏଘରୁ; ତୋର କିଛି ମାତ୍ର ସତ୍ତା ରହିବନି ଏଇ ଚୌଧୁରୀ ଘରେ । ଏଇକଥା କେତେ ଯେ ମୋତେ ବ୍ୟଥା ଦେଇଛି ସେ କଥା ମୁଇଁ ଜାଣେ । କେତେ ଡାକିଛି ରାଧାମୋହନଙ୍କୁ । କେତେ ଗୁହାର କରିଛି ଜଗନ୍ନାଥଙ୍କ ପାଖରେ । ଏତେ ଦିନ ପରେ ମୋ ଡାକ ଶୁଣିଲେ । ଏତେ ଦିନ ପରେ ରଖିଲେ ମୋ କଥା । ତୋର ସ୍ମୃତି ଯଦି ଏ ଘରେ ନ ରହିବ ତେବେ କଣ ପାଇଁ ତତେ ଏ ଘରକୁ ପୁଣି ଟାଣିଆଣିଲେ ରାଧାମୋହନ ! ଜାଣିଚୁନା, ମୋ ସେବାର ମୋ ନିଷ୍ଠାର ପୁରସ୍କାର ଦେବା ପାଇଁ ତତେ ସେ ଏଠିକୁ ଆଣିଛନ୍ତି । ଆଉ, ଏଥରକ ଯିଏ ତୋ ପେଟକୁ ଆସିଛି ସିଏ ନିଶ୍ଚୟ ଜୀବନକୁ ତୋର ଧନ୍ୟ କରିବ । ମୁଁ ଯେତେବେଳେ ତୋ ପାଖରେ ନଥିବି ସେତେବେଳେ ତୋର ସାନ୍ତ୍ୱନା ହୋଇ ପାଖରେ ଥିବ ତୋର ପେଟର ପିଲା । ସୁଖୀ ହେବୁ ମା, ସୁଖୀ ହେବୁ ତୁ । ମୋର ଅମାପ କଲ୍ୟାଣ, ତୋର ସବୁ ଦୁଃଖ ହରିନେବ ।

 

ଠିଆହୋଇ ଶାଶୁଙ୍କ କଥାରେ କାନ ପାରିଥିଲା ମାଧବୀ । କଥା ସରିଲା ଚାରୁଲତାଙ୍କର-। ମାଧବୀର ଭୀଷଣ ଇଚ୍ଛା ହେଲା ଛାତି ଫଟାଇ ଥରେ ହସିବାକୁ । ହେଲେ ସବୁ ଦିନର ସଂଯତ ସ୍ୱଭାବ ତାର ତାକୁ ସ୍ଥିର କରିଦେଲା । ବିଷାକ୍ତ ହସଗୁଡ଼ାକୁ ପୁଣି ଢୋକିନେଲା ସିଏ-। ତା ପରେ ପାଦ ଘୋଷାରି ଘୋଷାରି ସେ ଚାଲିଗଲା ରୋଷେଇଘର ଭିତରକୁ ।

 

୧୫

 

ପରଦିନ ସକାଳେ । ଜଳଖିଆ ଖାଇବା ସମୟର ଅନେକ ଆଗରୁ ତଳକୁ ଓହ୍ଲାଇ ଆସିଛି ତମାଳ, ଭୁଲିଯାଇଛି ମୁଣ୍ଡ କୁଣ୍ଡାଇବାକୁ । କୋର୍ଟ ତଳେ ସାର୍ଟଟା ପିନ୍ଧିବାକୁ । କି ଗୋଟାଏ ଉତ୍ତେଜନାରେ ଥରୁଛି ତାର ସର୍ବାଙ୍ଗ । ରକ୍ତ ଉକୁଟି ଉଠୁଛି ତା ମୁହଁର ଚମଡ଼ା ଭେଦି । ଲାଲ ଦିଶୁଛି ମୁହଁ, ସାରା ରାତି ଶୋଇନି ନା କଣ ଯେ ଆଖିତଳେ ଜମିରହିଛି କଳାଦାଗ । ଟେବୁଲ ଉପରେ ଚିତ୍‌ ହୋଇ ପଡ଼ିଛି ମଲା ଝିଟିପିଟିଟାଏ । କ୍ରୋଧରେ ଫାଟି ପଡ଼ିଲା ତମାଳ । ଶ୍ରୁତିକଟୁ ସ୍ୱରରେ ଡାକ ପକାଇଲା ଚାନ୍ଦକୁ । ଥରିଲା ଗୋଡ଼ ବିଚଳିତ ମନ ନେଇ ପାଖକୁ ଧାଇଁଆସିଲା ଚାନ୍ଦ । ସ୍ୱର ଫଟାଇ ତମାଳ କହିଉଠିଲା—କାହିଁକି ପଲ ପଲ ପଶି ଖାଉଛି, ରହିଛ ଏ ଘରେ ଏଁ ଏତେବେଳ ହେଲାଣି... କାହିଁକି ସଫାସୁତୁରା ହୋଇନି ଏ ଘର ?

 

ଖୁବ୍‌ ଚଞ୍ଚଳ ହାତରେ ଝିଟିପିଟିଟାକୁ ଫୋପାଡ଼ି ଆସି ଟେବୁଲଟା ସଫା କରିଦେଲା ଚାନ୍ଦ-। ରୋଷେଇଘରର ଦୁଆରବନ୍ଧଟାକୁ ଧରି ଠିଆହୋଇଥିଲା ମାଧବୀକୁ । ଦେହ ମନରେ ତାର ଫୁଟିଉଠୁଥିଲା ଗୋଟିଏ ସ୍ତବ୍‌ଧ ଭାବ । ଶୁଖିଲା ଓଠରେ ଜିଭ ବୁଲାଇ ନେଇ ଚାନ୍ଦ ମାଧବୀକୁ ଆଉ ଥରେ ଡାକିଲା—ମା’....

 

ମାଧବୀର କଣ୍ଠରୁ ବାହାରିଆସିଲା କ୍ଷୀଣ ଗୋଟିଏ ସ୍ୱର—ଉଁଉଁ...

 

ସେମିତି ବିହ୍ୱଳକଣ୍ଠରେ ଚାନ୍ଦ କହିଲା—

 

ତମେ ଜଳଖିଆ ନେଇ ଯାଅ ସେ ଘରକୁ । ବାବା ଡାକୁଛନ୍ତି ।

 

ଏଥର ଓଠ କୋଣରେ ହସ ଉପୁଚି ଉଠିଲା ମାଧବୀର । କହିଲା—ଜଳଖିଆ !! ଜଳଖିଆ କଣ ହେବ ଲୋ । ଆଉ ଭୋକ ଅଛି ତୋ ବାବାଙ୍କର ।

 

କଥା କହୁ କହୁ ମାଧବୀ ଓହ୍ଲାଇ ଆସିଲା ରୋଷେଇଘର ପିଣ୍ଡାରୁ । ପାରି ହୋଇଗଲା ଅଗଣାଟା, ଉଠିଲା ଯାଇ ଡାଇନିଂ ହଲ ଭିତରେ । ଟେବୁଲ୍‌ ଧାରକୁ ଧରି ତମାଳର ଡାହାଣ ପଟେ ଠିଆହେଲା ମାଧବୀ । ଆଜି ଆଉ ସରମରେ ରଙ୍ଗ ପଡ଼ିଗଲାନି ମୁହଁ ତାର । ଝୁଙ୍କିଗଲାନି ତାର ଦେହ । ଟାଣ ଦେହ ନେଇ ସିଧା ଠିଆହୋଇଛି ମାଧବୀ, ଦୁଇଟି ମୁକୁଳିତ ଆଖିରେ ତାର ସ୍ଥିର ଚାହାଣି । ଦୃଢ଼ତାରେ କଠିଣ ଦିଶୁଛି ତାର ନିବଦ୍ଧ ଓଠ ପାଖୁଡ଼ା ଦୁଇଟି ।

 

ଓଲଟି ମାଧୀ ଆସିବାର ସଙ୍କେତ ପାଇ ନିଜେ ଆଖି ନୁଆଇଁ ନେଇଥିଲା ତମାଳ । ସେଇ ନୋଇଁଲା ଆଖିକୁ ଧୀରେ ତୋଳି ମାଧବୀ ମୁହଁକୁ ସିଧା ଚାହିଁଲା ସିଏ । ଅପରାଧିନୀର ରୂପ କଣ ଏଇମିତି ! ଏଇମିତି କଣ ଉଜ୍ଜ୍ୱଳ ଦିଶେ ଅପରାଧିନୀର ଆଖି ଦୁଇଟି ! ଠିଆ ହେବା ଭଙ୍ଗିରେ କଣ ଫୁଟିଉଠେ ଏଇମିତି ଦୃଢ଼ତା !

 

ଅପଲକ ଆଖିରେ ତମାଳ ଚାହିଁରହିଲା ମାଧବୀର ସ୍ଥିର ମୁହଁକୁ । ଅବିଚଳିତ ଶାନ୍ତ ସ୍ୱରରେ ମାଧବୀ ପଚାରିଲା—ମତେ ଡାକିଥିଲ ? କଣ କିଛି କହିବ ?

 

ମାଧବୀର ରୂପ, ସ୍ୱର, ପ୍ରଶ୍ନ ପାଖରେ ନିଜତ୍ୱ ହରାଇଲା ତମାଳ । ଦୁଇ ତିନିଥର ଢୋକ ଗିଳିବା ପରେ ରହି ରହି କହିଲା–ବୋଉ ଯାହା କହିଲାଳ ସେ ପୁଣି ଗୋଟାଏ କି କଥା ! ଏମିତି ଗୋଟେ କଥା କଣ କହିଲା ସେ ଡାକ୍ତର ପରାଗ ?

 

ମେଘପରି ଗମ୍ଭୀର ହୋଇଗଲା ମାଧବୀର ମୁହଁ । କହିଲା–କଣ କହିଲେ ସେମାନେ ?

 

ତମାଳର ଓଠରେ ଫୁଟିଉଠିଲା ଗୋଟାଏ ତାଚ୍ଛଲ୍ୟଭରା ହସ । ସେଇ ହସକୁ ଓଠରେ ବିଛାଇରଖି ସେ କହିଲା—‘‘ଡାକ୍ତର କହୁଛି ତୁମେ କୁଆଡ଼େ ପିଲାର ମା’ ହେବାକୁ ଯାଉଛ; ଆଉ ସେଇ ପିଲା କୁଆଡ଼େ ଦିନ ଦିନ କରି ପୂରା ଆଠଟି ମାସଧରି ବଢ଼ିଚାଲିଛି ତୁମରି ଦେହ ଭିତରେ । ଶୁଣି ତ ହସି ହସି ବେଦମ ହୋଇଗଲୁ । ବୋଉ ତ ସେଇ ଡାକ୍ତର କଥାକୁ ବିଶ୍ୱାସ କରି ଆନନ୍ଦରେ ଫାଟିପଡ଼ୁଛି । ଆହା, ବିଚାର ଜାଣେନି ତ ତୁମର ପିଲା ହେବାଟା ଠିକ୍‌ ଆକାଶରୁ ତାରାଟିଏ ତୋଳିଆଣିବାପରି କେତେ ଅସମ୍ଭବ । ଅଥଚ.... ସୁଚରିତା ଆଉ ମୁଁ ଦୁହେଁ ମିଶି ହସି ହସି ବେଦମ୍‌ ହୋଇଗଲୁ ।’’

 

ଏଇ କଥାତକ ଗରମ ସୀସା ହୋଇ ଜାଳିଦେଲା ମାଧବୀର କାନକୁ । ହୀରା କଣିପରି ଦପ୍‌ ଦପ୍‌ ଜଳୁଛି ମାଧବୀର ଆଖିମଣି ଦୁଇଟି । ହଠାତ୍‌ ସିଏ ବଜ୍ରକଠିଣ କଣ୍ଠରେ କହିଉଠିଲା–‘‘ତାର ତୋଳି ଆଣିବା ପରି ଅସମ୍ଭବ ମୋର ପିଲାହେବାଟା ? କାହିଁକି ? ମୁଁ କଣ ମା’ ହୋଇପାରେନି ?’’

 

ମାଧବୀର ସ୍ୱର ଆଉ ପ୍ରଶ୍ନରେ ପୁଣି ଘାବରେଇଗଲା ତମାଳ । କ୍ଳିଷ୍ଟ ହସ ହସି କହିଲା–ମାନେ... ତା ନୁହେଁ, ମାନେ.... ମା’ ହବାପାଇଁ । ମାନେ....

 

ହିସ୍‌ ହିସ୍‌ କଣ୍ଠରେ ମାଧବୀ କହିଲା—ଥାଉ, ତୁମକୁ ଏତେ ଆଉ ମାନେ ଦର୍ଶାଇବାକୁ ହେବନି । ମୁଁ ସତରେ ମା’ ହେବାକୁ ଯାଉଛି । ଭଗବାନ ଯଦି ଅନ୍ୟାନ୍ୟ ଥରକପରି ଦାଉ ନ ସାଧନ୍ତି ତେବେ ଆଉ ଦୁଇମାସ ପରେ ଜୀବନକୁ ମୋର ପରିପୂର୍ଣ୍ଣକରି କୋଳକୁ ମୋର ଆଲୋକିତ କରିବ ମୋର ମାତୃତ୍ୱ ।

 

କାଗଜପରି ଧଳା ହୋଇଗଲା ତମାଳର ମୁହଁ । କଥା କହିପାରିଲାନି ସିଏ ଆଉ । କଣ୍ଠ ସ୍ୱରରେ ଅବହେଳା ଭରି ମାଧବୀ କହିଲା—ତୁମର କଥା ବୋଧହୁଏ ସରିଲା ? ମୁଁ ଯାଏ ଜଳଖିଆ କରି ଆଣେ ।

 

ଆଉ ଏତେ ଟିକିଏ ବି ଅପେକ୍ଷା ନ କରି ଚାଲିଗଲା ମାଧବୀ ।

 

ଅଧ ଘଣ୍ଟାକ ପରେ ହାତରେ ଜଳଖିଆ ପ୍ଲେଟ୍‌ ନେଇ ପୁଣି ଲେଉଟି ଆସିଲା ମାଧବୀ । ଦୁଇ ହାତରେ ମଥାଟାକୁ ଚିପିଧରି ନିଥରହୋଇ ବସିରହିଛି ତମାଳ । ଦୁଇ ଆଖିରେ ଘୃଣା ଭରି ମାଧବୀ ଚାହିଁଲା ତମାଳର ଚିନ୍ତାକୁଳ ରୂପଆଡ଼େ । ତାର ଦୁଇକାନରେ ଏ ପର୍ଯ୍ୟନ୍ତ ଛୁଞ୍ଚିହୋଇ ବିନ୍ଧୁଛି ଗୋଟିଏ କଥାର ମାତ୍ର କେଇଟି ଶବ୍‌ଦ–ସୁଚରିତା ଆଉ ମୁଁ ହସି ହସି ବେଦମ ହୋଇଗଲୁ । ସେ ଦାନ୍ତରେ ଦାନ୍ତ ଚାପି ଟେବୁଲ ଉପରେ ଠକ୍‌କରି ରଖିଦେଲା ପ୍ଲେଟଟା । ସଜାଗ ହୋଇଉଠିଲା ତମାଳ । ମୁହଁତୋଳି ଚାହିଁଲା ମାଧବୀର ଭାବଶୂନ୍ୟ ମୁହଁଟାକୁ । ତାପରେ ରହି ରହି କହିଲା—ମାଧବୀ, ତୁମେ କଣ ଛୋଟପିଲା ?

 

ଏଥର ସାରା ମୁହଁରେ ଆନନ୍ଦ ବିଛାଇ ହୋଇଗଲା ମାଧବୀର । ମୃଦୁ ହସି କହିଲା—ନାଆଁ ତ ।

 

ତାର ସେଇ ହସ ଦେଖି, କଥା ଶୁଣି ହାଡ଼ଜଳିଲା ତମାଳର । ସେ ଅଶାନ୍ତ କଣ୍ଠରେ କହିଲା—ତେବେ !! ତୁମେ ବାୟାଶୀପରି କେମିତି ଭାବିପାରୁଚ ଯେ ତୁମର ପିଲା ହେବ ?’’

 

କଥାର ଉତ୍ତର ନଦେଇ ଘର ଛାଡ଼ି ଚାଲିଆସିଲା ମାଧବୀ । ଚାଲିଲେ ତାର ଗୋଟାଏ ବେପରୁଆ ଭଙ୍ଗି । ସେଇ ଚାଲିକୁ ନିରେଖି ନିରେଖି ଦେଖିଲା ତମାଳ । ଆଶ୍ଚର୍ଯ୍ୟ ହେଉଥିଲା ସିଏ ମାଧବୀ କଥା ଭାବି । କେମିତି ମାଧବୀ ଗଳାରେ ଏତେ ଜୋର୍‌ଦେଇ କହୁଛି ଯେ ନିଶ୍ଚୟ ସେ ଦୁଇମାସ ପରେ ମା’ ହେବ । ମୁଣ୍ଡ ଅବା ଦେହ କଣ ଠିକ୍‌ ନାହିଁ ମାଧବୀର ? ଆଜି କି ଯିଏ ବର୍ଷ ବର୍ଷଧରି କୁମାରୀପରି ଜୀବନ ଯାପନ କରୁଛି, ସେ କହୁଛି, ମୁଁ ମା’ ହେବି ! ଅସ୍ୱାଭାବିକ ଜୀବନ ଯାପନ କଣ ମାଧବୀକୁ ଧୀରେ ଧୀରେ ଉଦ୍‌ଭ୍ରାନ୍ତ କରି ଦେଉଛି ? ମାଧବୀ କଣ ଶେଷକୁ ବାୟାଣୀ ହୋଇଯିବ ?

 

ଭୟରେ ସର୍ବାଙ୍ଗ ଶିର୍‌ ଶିର୍‌ ହୋଇଉଠିଲା ତମାଳର । ମନେ ମନେ ରାଗିଉଠିଲା ସିଏ ପରାଗ ଉପରେ । କି ଆଶ୍ଚର୍ଯ୍ୟ କଥା, କି ଘୋଡ଼ାଡ଼ିମ୍ୱ ଡାକ୍ତର ହୋଇଛି ସିଏ । ମାଧବୀକୁ ଘଣ୍ଟାଏ ଧରି ପରୀକ୍ଷାକଲା ପରେ ବି କହୁଛି କଣନା ମାଧବୀ ମା’ ହେବ ! କେମିତି ମା’ ହେବ ମାଧବୀ ? କହିବ ତାକୁ ତାର ଘାସକଟା ବିଦ୍ୟା କଥା ।

 

ନା ନା, ତା କେମିତି ହେବ । କହିପାରିବକି ସିଏ ଯେ, ଆରେ ଏ ଡାକ୍ତର—ଏଇ ବର୍ଷକ ଭିତରେ ତୋ ଭାଉଜର ହାତର କାଣିଆଙ୍ଗୁଠିଟି ବି ମୁଁ ସ୍ପର୍ଶ କରିନି । ଭାଉଜ ତୋର ଏ ଘରେ ଚଳୁଛି କୁମାରୀ ଝିଅଟିଏ ହୋଇ । ଆଉ ସେ ଯେ ମା’ ହେବ, ଏମିତି ଗୋଟାଏ କଥା ତାକୁ ତୁ ଶୁଣାଇଦେଲୁ କେମିତି ?

 

ଛି ଛି ଛି । ମାଧବୀ ସାଥିରେ ତାର କୌଣସି ସମ୍ପର୍କ ନାହିଁ ଏଇ କଥାଟା ଯାଇ କହିବ ସିଏ ତାର ପୁଅପରି ସାନଭାଇଟାକୁ । ଏମିତି ଗୋଟାଏ ଲଜ୍ଜାକର ଚିନ୍ତାକରି ଲାଲ ପଡ଼ିଗଲା ତମାଳର ମୁହଁଟା । ଧୀରେ ଧୀରେ ନିଜକୁ ଶେଷରେ ସମ୍ଭାଳିନେଲା ତମାଳ । ମନକୁ ସାନ୍ତ୍ୱନା ଦେଇ କହିଲା—ଠିକ୍‌ ଅଛି, ଯେତେବେଳେ ଆଉ ଦୁଇ ମାସ ପରେ ମାଧବୀର ପିଲା ନହେବ ସେତେବେଳେ ଡାକ୍ତରବାବୁ ବୁଝିପାରିବେନି କି ତାଙ୍କର ବିଦ୍ୟାର ଦୌଡ଼ କେତେ । ଆଉ ମାଧବୀ ! ମାଧବୀ ଯଦି ସତରେ ମା’ ହେବ ଭାବି ଆହ୍ଲାଦରେ ଆଲିଙ୍ଗନ ଆଙ୍କୁଥାଏ ନିଜର ମନ ଅଙ୍ଗନରେ, ତେବେ.... ତେବେ କଣ ହେବ ମାଧବୀର । ଯିଏ ଏଡ଼େ ବଡ଼ ଅସମ୍ଭବ କଥାଟାକୁ ମନରେ ଏଡ଼େ ଆଗ୍ରହ ଭରି ଲାଳନ କରୁଛି, ସେ ଯେତେବେଳେ ଜାଣିବ ଯେ ସବୁ ଆଶା ସବୁ କଳ୍ପନା ତାର ମିଥ୍ୟା ସେତେବେଳେ କଣ ସେଇ କଥାଟା ସହିପାରିବ ମାଧବୀ !! ନ ସହିପାରିଲେ କଣ ସେ ପାଗଳୀ ହୋଇଯିବ !!...

 

ଦାରୁଣ ଏକ ଚିତ୍କାରକରି ଦୁଇ ହାତ ପାପୁଲିରେ ମୁହଁ ଲୁଚାଇଲା ସିଏ । ସେଇ ନିଃସଙ୍ଗ ମଣିଷଟିର ଚିତ୍କାର ବାଜିଲା ଯାଇ ମାଧବୀର କାନରେ । ପରିବା କଟା ଛାଡ଼ି ହସି ହସି ଲୋଟି ପଡ଼ିଲା ସିଏ । ପିଣ୍ଡାରେ ବସି ମସଲା ବାଟୁଥିଲା ଚାନ୍ଦ । ଚମକିପଡ଼ି ଠିଆହୋଇ ପଡ଼ିଲା । ସେଇ ଚିତ୍କାର ଆଉ ଏଇ ଅକାରଣ ହସ ! ବିସ୍ମୟରେ ଚାନ୍ଦ ଚାହିଁରହିଲା ରୋଷେଇଘର ଭିତରକୁ ।

 

ମାଧବୀ ହସର ଅସ୍ୱାଭାବିକ ଶବ୍ଦରେ ଭାବନା ଭୁଲିଲା ତମାଳ । ମୁଣ୍ଡ ଝୁଙ୍କାଇ ଚାହିଁଲା ରୋଷେଇଘର ଆଡ଼କୁ । କିଛି ଦିଶିଲାନି ତାକୁ । ଗୋଟାଏ ଚିନ୍ତାକୁଳ ମନନେଇ ଉପର ଘରକୁ ଚାଲିଗଲା ସିଏ ।

 

ମାଧବୀର ହସ କିନ୍ତୁ ବନ୍ଦ ହେଉନି । ଲହରେଇ ଲହରେଇ ହସୁଛି ସିଏ । ଶେଷରେ ହସ ରୋକୁ ରୋକୁ ଚାନ୍ଦକୁ ପଚରିଲା—ଆଲୋ ଏଇ, ଏଇ ପୋଡ଼ାମୁହୀଁ । ଓକିଲ ସାହାବ ଏ ଯେଉଁ ନା ନା କରି ପିଲାଙ୍କ ପରି ଚିତ୍କାର କରି ଉଠିଲେ ସେ ଚିତ୍କାରରେ ତୋ ସାନମା’ ଯୋଗଦେଇଥିଲା କି ନାହିଁ ଯେ ?

 

କଥାର ଉତ୍ତର ଦେବାକୁ ମନରେ ବଳ ପାଉନି ଚାନ୍ଦର । ପୂର୍ବପରି ଆଖିରେ ତାର ଫୁଟିରହିଛି ସେଇମିତି ଗୋଟାଏ ବିସ୍ମୟଭରା ଚାହାଣି । ଅନେକ ସମୟ ପରେ ଶାନ୍ତ ହୋଇଆସିଲା ମାଧବୀ । ସହଜ ହୋଇଆସିଲା ତାର ଆଖିର ଚାହାଁଣି । ଚାନ୍ଦକୁ ଠିଆହୋଇଥିବାର ଦେଖି ଗାଳିଦେଇ କହିଉଠିଲା—ହାଁ କରି ଏମିତି କଣ ଚାହିଁ ଠିଆହୋଇ ରହିଚୁ ଶୁଣେ ? ମତେ ମସଲା ଦେବୁ ଆଉ କେତେବେଳେ ? ନା ବସିଥିବି ତୋର ପଦ୍ମହସ୍ତକୁ ଚାହିଁ... ଏଁ-

 

ଚମକିପଡ଼ିଲା ଚାନ୍ଦ । ଢୋକଗିଳି ଚଟ୍‌କରି ବସିପଡ଼ିଲା ଶିଳ ପାଖରେ । ଦୁଇ ହାତରେ ତାର ବିଦ୍ୟୁତ୍‌ର ଚଞ୍ଚଳତା ।

 

୧୬

 

ଆଠ ଦଶଦିନ ପରେ ହାଉସ ସର୍ଜନ ପରାଗ ଚୌଧୁରୀ ଫେରିଲେ କଟକରୁ । ପୋଷାକଟା ପାଲିଟିବା ସଙ୍ଗେ ସଙ୍ଗେ ପାଦଦେଲା ଆସି ଉପର ଅଗଣାରେ । ହାତରେ ଗୋଛାଏ ସଞ୍ଜ ଧରି ଦୁଆରେ ଦୁଆରେ ସଞ୍ଜଦେଉଥିଲା ମାଧବୀ ।

 

ଯନ୍ତ୍ରଚାଳିତ ପରି ଧୀରେ ଆସି ମାଧବୀର ପାଦରେ ମଥା ଛୁଆଁଇଲା ସିଏ । ଦୁଇପାଦ ଘୁଞ୍ଚିଯାଇ ମାଧବୀ ତୀର୍ଯ୍ୟକ୍‌ ଦୃଷ୍ଟିହାଣିଲା ପରାଗ ଉପରେ । ତାର ଆଖି ଦୁଇଟିରୁ ଝରିପଡ଼ିଲା ରାଶି ରାଶି ବିରକ୍ତି । ମୁହଁ ବୁଲାଇ ଅନ୍ୟଆଡ଼େ ଚାଲିଗଲା ସିଏ ।

 

ପଥର ପାଲଟି ସେଇଠି କ୍ଷଣେ ଠିଆହୋଇରହିଲା ପରାଗ । ତା’ପରେ ଧୀରେ ଉଠିଗଲା ପିଣ୍ଡା ଉପରକୁ । ଅଦୃଶ୍ୟ ହୋଇଗଲା ବଡ଼ମା’ଙ୍କ ଶୋଇବାଘର ଭିତରେ । ବଡ଼ମା’ ଖାଇସାରି ଶୋଇବାକୁ ଗଲା ପର୍ଯ୍ୟନ୍ତ ପରାଗ ଥିଲା ସେଇ ତାଙ୍କରି ଘରେ ।

 

ତା ପାଖରେ ବି ଥାଳିଏ ବାଢ଼ିଦେଇଥିଲା ମାଧବୀ । ନା ନା କରିଉଠିଥିଲା ପରାଗ । ଗଳାରେ ବିରକ୍ତି ଭରି ମାଧବୀ କହିଥିଲା—ଖାଇଲା ବେଳପର୍ଯ୍ୟନ୍ତ କାହା ଘରେ ବସିଥିଲେ ସେଠି ଖାଇବାକୁ ପଡ଼େ, ଏ କଥା କଣ ଜାଣନି ? ବହୁତ ବୁଦ୍ଧି ତ ଅଛି ମୁଣ୍ଡଟିରେ; ଆଉ ଏ କଥାଟା ଜାଣନି କେମିତି ?

 

ମଥା ନୁଆଁଇ ଥାଳି ହାତଦେଲା ପରାଗ । ମାଧବୀର କଥା ଶୁଣି ଲଜ୍ଜାରେ କିନ୍ତୁ ଝାଉଁଳି ଯାଉଥିଲେ ଚାରୁଲତା । ଏମିତି ଭାବରେ କଣ କଥାବାର୍ତ୍ତା କରୁଛି ମାଧବୀ । କି ଦୋଷ କଲା ପରାଗ ? ପରାଗ ତ ମାଧବୀର ନୟନମଣି । ତେବେ ଆଉ କଣ ହେବ ପିଲାହେବା କଥାଟା ପରୀକ୍ଷାକରି କହିଲା ବୋଲି ଦୋଷକଲା ! ମଲା... ସେ ଡାକ୍ତର. ଯାହା ସେ ଜାଣିଲା ତା କହିଲା । ତୁଚ୍ଛାକୁ ରାଗୁଛି ତା ଉପରେ ।

 

ହାତରେ ତରକାରି ଧରି ଲେଉଟି ଆସିଲା ମାଧବୀ । ଶାଶୁଙ୍କୁ ଦେବାପରେ ରୁକ୍ଷ ସ୍ୱରରେ ପରାଗକୁ ପଚାରିଲା–ତମକୁ ଦେବି ? ଚିଡ଼ିଲା କଣ୍ଠରେ ଚାରୁଲତା କହିଉଠିଲେ–ଥାଉ, ତତେ ଆଉ ଦେବାକୁ ହେବନି । ଚାନ୍ଦକୁ ପଠାଇ ଦେ ଯା ।

 

ଘଣ୍ଟାକ ପରେ.... ମାଧବୀ ଖାଇପିଇ ଲେଉଟିଆସିଲା ଶାଶୁଙ୍କୁ ଧରି ଉପରକୁ ନେଇଯିବ ବୋଲି । ସେ ପର୍ଯ୍ୟନ୍ତ ବସିରହିଛି ପରାଗ । ଭ୍ରୂଲତା ଦୁଇଟି କୁଞ୍ଚିତ ହୋଇଗଲା ମାଧବୀର । କୋଣେଇ ଚାହିଁଲା ସିଏ ପରାଗର ମୁହଁକୁ । ମିଠା ହସି ଚାରୁଲତା ଚାହିଁଲେ ମାଧବୀର ମୁହଁକୁ । କହିଲେ—ଖାଇସାରିଲୁଣି ? ଆ, ମୋ ପାଖରେ ଆସି ଟିକିଏ ବଅସେ ।

 

କିଛି କହିପାରିଲାନି ମାଧବୀ । ବସିଲା ପାଖରେ ତାଙ୍କରି । ପିଠିରେ ତାର ହାତ ବୁଲାଇ ଦେଉ ଦେଉ ଚାରୁଲତା କହିଲେ—ଭିଲାଇରେ ପରାଗର କିଏ ଜଣେ ବଡ଼ ଡାକ୍ତର ବନ୍ଧୁ ଅଛି । ପରାଗ କଟକରୁ ଠିକ୍‌ କରି ଆସିଛି ତତେ ସାଥିରେ ନେଇ ଅପରିଦିନ ଚାଲିଯିବ ଭିଲାଇ । ଆଉ ସେଇ ସାଙ୍ଗେ କରବୀକୁ ବି ନେଇଯିବ ସାଥିରେ । ବଡ଼ ଭଲ ଡାକ୍ତର । ସେଠି ତୁମର ସବୁ ସୁବିଧା କରିଦେଇ ସିଏ କଟକ ଫେରିଆସିବ, ଫେରେ ଯାଇ ଯିବ ତୁମକୁ ସବୁ ଫେରାଇଆଣିଲା ବେଳକୁ-। ଅନ୍ୟାନ୍ୟ ଥରକ ପରି ଦୁଃଖ ନ ପା’ ବୋଲି ତତେ ପଠାଇଦେଉଛି ସେତେ ଦୂରକୁ-। ଅଢ଼େଇମାସ କାଳ ତତେ ରହିବାକୁ ପଡ଼ିବ ସେଠି । ଆଖି ମୋର ଅନ୍ଧ ହୋଇଯିବ; ଛାତି ମୋର ଫାଟିଯିବ । ତଥାପି ଭଲ ଜାଗାକୁ ଯାଇ ଭଲରେ ଭଲରେ ଫେରିଆ ତୁ.... ଫେରିଆ ମନରେ ଆନନ୍ଦନେଇ ।

 

କଥା ନସରୁଣୁ ଲୁହ ଝରି ଅନ୍ଧ ହୋଇଗଲା ଚାରୁଲତାଙ୍କର ନିଷ୍ପ୍ରଭ ଆଖି ଦୁଇଟି । ମାଧବୀ ଚାହିଁରହିଛି ପରାଗର ନମିତ ଭଙ୍ଗିଆଡ଼େ । କ୍ରୋଧରେ ନୀଳ ପଡ଼ିଯାଉଛି ମାଧବୀର ସାରାମୁହଁ । ଶେଷରେ ଶାଶୁଙ୍କ ଆଖିରେ ଲୁହ ଦେଖି ନିଜକୁ ସଜାଡ଼ି ନେଲା ମାଧବୀ । ଶାଶୁଙ୍କ ପିଠିରେ ହାତ ବୁଲାଉ ବୁଲାଉ କହିଲା—ଆଚ୍ଛା, ବୋଉ ! ଭିଲାଇ ଯିବାର କଣ ଦରକାର ଅଛି ? ଏଇ ପାଖରେ କୁଆଡ଼େ... ଭିଲାଇ ଗଲେ ତ ଗୁଡ଼େ ପଇସା ଖର୍ଚ୍ଚ, ଖାଲି ଅଯଥା ଗୁଡ଼େ ହଇରାଣ; ସେଥିରେ ଠାକୁରଘର କାମ ।

 

କ୍ରୁଦ୍ଧ ହେଲେ ଚାରୁଲତା । କହିଲେ—ପଇସା ? କଣ ହେବ ଲୋ ପଇସା ? ପଇସା କଣ ମତେ ସରଗଜକୁ ନେବ ? ତୋପାଇଁ ଯଦି ପଇସା ଖର୍ଚ୍ଚ ନ କରିବି, ତେବେ କଣ ମୋ ଶ୍ରାଦ୍ଧରେ ଖର୍ଚ୍ଚ କରିବି ? ତତେ କିଏ କହୁଛି ଏତେ କଥା କରିବାକୁ ? ଆଉ ଠାକୁରଘର କଥା, ସେ ଯେମିତି ହେଉ ତାକୁ ମୁଁ ଚଳାଇବି । ତତେ ଏତେ ଭାବିବାକୁ ହେବନି ।

 

ପରାଗ ଉପରେ ଆଖି ରଖି ବିଷାକ୍ତ ହସି ମାଧବୀ କହିଲା—ଯାହା କରୁଚ କରୁଥାଅ, ମୋର ଭାସିଯାଉଚି । ଭଲହେଲା, ମୋର ଗୋଟାଏ ସହର ଦେଖାହୋଇଯିବ ।

 

ମାଧବୀର କଥା କହିବା ଢଙ୍ଗ ଦେଖି ହସିପକାଇଲେ ଚାରୁଲତା, କହିଲେ—ହଉ ହେଲା । ତୁ ଯଦି ଦେଶ ଦେଖି ଆନନ୍ଦ ପାଉ, ତେବେ ସେଥିରେ ବି ମୋର ଆନନ୍ଦ ।

 

ବଡ଼ କାନ୍ଥଘଣ୍ଟାରେ ବାଜିଲା ଏଗାରଟା । ବିରକ୍ତିବୋଧକଲା ମାଧବୀ । ସେଇ ବିରକ୍ତ ଗଳାରେ କହିଉଠିଲା—ତମେ ଉଠିଲ ବୋଉ, ଉଠ, ମତେ ନିଦ ଲାଗିଲାଣି । ଏ ଘରେ ଖଟି ଖଟି ଖାଲି ମଣିଷର ଜୀବନ ଯିବ । ବିଶ୍ରାମ ବୋଲି ଟିକିଏ ନାହିଁ । ଅପୂର୍ବ ଘରଟେ ।

 

ମାଧବୀର ହାତଧରି ଉଠି ଠିଆହେଲେ ଚାରୁଲତା । ପରାଗ ମଧ୍ୟ ଉଠିଲା । ବାହାରେ ଯିଏ ଠିଆହୋଇ କାନ ପାରିଥିଲା ଘର ଭିତରର କଥା ଆଡ଼କୁ, ସେ ମୁହୂର୍ତ୍ତକେ ଛପିଗଲା ଖମ୍ୱର ଆଢ଼ୁଆଳରେ ।

 

କବାଟରେ ତାଲାପକାଇ ଶାଶୁଙ୍କ ହାତ ଧରି ମାଧବୀ ଆଗେଇଗଲା ପାହାଚ ଆଡ଼କୁ । ପରାଗ ମୁହୂର୍ତ୍ତେ ଠିଆହୋଇ ଚାହିଁଥିଲା ମାଧବୀର ଗଲା ବାଟକୁ । ତା’ପରେ ପିଣ୍ଡାତଳକୁ ଓହ୍ଲାଇଲାବେଳେ କାନ୍ଧରେ ତାର ପଡ଼ିଲା ଗୋଟାଏ ହାତ । ଚମକି ମୁହଁ ଫେରାଇଲା ପରାଗ । ଆକୁଳ ଆଖିରେ ତମାଳ ଠିଆହୋଇଛି ମୁହଁକୁ ତାର ଚାହିଁ । ଗଳାରେ ବିସ୍ମୟଭରି ପରାଗ କହିଲା–ଭାଇନା...

 

ଫିସ୍‌ ଫିସ୍‌ ଗଳାରେ ତମାଳ କହିଲା—‘‘ଭଲକରିଚୁ ଭିଲାଇର ପ୍ରସ୍ତାବ ଆଣି । ମାଧବୀର ଦେହମନକୁ ଖୁବ୍‌ ପ୍ରୟୋଜନ ହେଉଛି ଗୋଟାଏ ପରିବର୍ତ୍ତନ । ଯାଉ, ସେ ଟିକିଏ ବୁଲିଆସୁ । ଡାକ୍ତର ଖୁବ୍‌ ନାମଜାଦା, ନା... ରେ ? ତାକୁ ଅନୁରୋଧ କରି କହିବୁ ଯେ ସେ ଯେମିତି ଟିକିଏ ଭଲକରି ପରୀକ୍ଷା କରନ୍ତି ମାଧବୀର ବ୍ରେନ୍‌ଟାକୁ । ମୋର କେମିତି ମନେହେଉଛି, ମୁଣ୍ଡଟା ତାର ଟିକିଏ ଖରାପ ହୋଇଆସୁଛି ବୋଲି ।’’ ଆଉ ସେଇ ସାଙ୍ଗରେ ତାର କହିବାକୁ ଇଚ୍ଛା ହେଲା ଯେ ତୁ ତୋ ବିଦ୍ୟାର ପରୀକ୍ଷାଟା ବି କରାଇଆସେ ଏକାଥରେ ।’’ ହେଲେ ଧରାପଡ଼ିଯିବାର ଭୟରେ ଚୁପ୍‌ ହୋଇଗଲା ତମାଳ । ପୁଣି କହିଲା–ପଇସା ପାଇଁ ଡରିବୁନି । ପଅରିଦିନ ଗଲାବେଳେ ନେଇଯିବୁ ମୋ’ଠୁ ପାଞ୍ଚ ହଜାର ଟଙ୍କା—ହେଲା ?

 

ବୋକା ଆଖିରେ ପରାଗ ଚାହିଁରହିଥିଲା ତମାଳର ଅଶାନ୍ତ ମୁହଁକୁ । ତାର ସେଇ ମୁହଁ ଦେଖି ବିରକ୍ତ ହେଲା ତମାଳ । କହିଲା—ବୋକା ପରି ମୁହଁଟାକୁ ଚାହିଁଚୁ କଣ; ଯାହା କହିଲି ବୁଝିଲୁ ତ ? ଭଲକରି ପରୀକ୍ଷା କରାଇବୁ ମାଧବୀର ବ୍ରେନ୍‌କୁ ।

 

ବ୍ରେନ୍‌କୁ ! —ପରାଗ କଣ୍ଠରେ ବିନୟଭରା ସ୍ୱର ।

 

ହଁ, ହଁ ବ୍ରେନ୍‌କୁ ! —କଥା ସାରି ଖୁବ୍‌ ଚଞ୍ଚଳ ପାଦରେ ଉପରକୁ ଉଠିଗଲା ତମାଳ ।

 

ତାରି ଗଲାବାଟକୁ ଚାହିଁ ଦୁଇତିନି ଧର ଢୋକ ଗିଳିଲା ପରାଗ । ମନେ ମନେ ଗୁଣିହେଲା –ବ୍ରେନ୍‌ ! ବ୍ରେନ୍‌ !! ବ୍ରେନ୍‌ !!! ତାପରେ, ଯନ୍ତ୍ରଚାଳିତ ପରି ଆଗେଇଗଲା ନିଜ ଘରଆଡ଼କୁ ।

 

୧୭

 

ମାଧବୀ ଆଉ କରବୀ ଦୁହେଁ ଯାଇ ତମାଳର କାରରେ ବସିବା ଆଗରୁ ସୁରମା ଆସି ନିଜ ହାତରେ ଅଳତା ପିନ୍ଧାଇଦେଲା ମାଧବୀ ପାଦରେ । ସୁଚରିତା ଆସି ସୀମନ୍ତରେ ତାର ଆଙ୍କିଦେଲା ସିନ୍ଦୂରର ରକ୍ତରେଖା । କହିଲା—ଠାକୁରଘର ଚିନ୍ତା କରିବନି ନାନୀ ! ସବୁ ମୁଁ ତୁଲାଇଦେବି । ପାଖରେ ଆସି ଠିଆହେଲା ଚାନ୍ଦ । ଠିଆହେଲା ଅନାଦୀ, ମୋହନା, ନିରୁପମା, ଘରର ଆଉ ସମସ୍ତେ । ଲୁହରେ ଢଳଢ଼ଳ ହେଉଛି ସବୁରି ଆଖି । ସମସ୍ତଙ୍କ ମୁହଁରେ ଥରେ ଆଖି ବୁଲାଇ ନେଇ ଦୋତାଲା ବାରଣ୍ଡାକୁ ଥରେ ଚାହିଁଲା ମାଧବୀ । ନିମିଷକେ ତମାଳ ଲୁଚାଇନେଲା ନିଜକୁ । ହସିଲା ଆଖି ଦୁଇଟି ତଳକୁ ନୁଆଁଇଲା ମାଧବୀ । ଦେଖିପାରିଲାନି ତମାଳର ଲୁହଭରା ଆଖି ଦୁଇଟିକୁ । କବାଟଟାକୁ ଧରି ଠିଆ ହୋଇଛନ୍ତି ଚାରୁଲତା । ଗାଡ଼ି ପାଖରୁ ଧାଇଁଯାଇଁ ମାଧବୀ ତାଙ୍କର ଛାତିରେ ମୁହଁ ଗୁଞ୍ଜିଲା । ଦୁଇ ଆଖିର ତଟବାହି ତାର ଝରିଆସିଲା ଅଶ୍ରୁର ଧାରା ।

 

ଆଖି ଦୁଇଟା ଜଳାପୋଡ଼ା କରୁଛି ଚାରୁଲତାଙ୍କର । ଲୁହ ଗଡ଼ାଇବା ଅଶୁଭ କଥା, କାନ୍ଦିପାରୁନାହାନ୍ତି ସିଏ । କୋହ ଜମି ଛାତିଟା ଫାଟିଗଲା ପରି ଲାଗୁଛି ତାଙ୍କର । ମାଧବୀର ମଥାଟି ଛାତିରେ ଚାପିଧରି ହାତ ବୁଲାଉଛନ୍ତି ସିଏ । ଫୁଲି ଫୁଲି କାନ୍ଦୁଛି ମାଧବୀ । ସୁରମା ଯାଇ ଚାରୁଲତାଙ୍କ ଛାତିରୁ ଉଠାଇ ଆଣିଲେ ମାଧବୀକୁ; ନେଇ ଆସିଲେ ଗାଡ଼ି ପାଖକୁ । ତାର ଚିବୁକ ଧରି ଅଶ୍ରୁରୁଦ୍ଧ କଣ୍ଠରେ ସୁରମା କହିଲେ— ‘‘ତୋରି ଅଭିଶାପରେ...’’ କଥା ସରିଲାନି ସୁରମାଙ୍କର-। ଶବ୍‌ଦ ତୋଳି କାନ୍ଦିଉଠିଲେ ସିଏ ।

 

‘‘ମୋରି ଅଭିଶାପରେ....’’ ଦପ୍‌ଦପ୍‌ ହୋଇ ଜଳିଉଠିଲା ମାଧବୀର ଆଖିତାରା ଦୁଇଟି । ଶେଷରେ ନିଜକୁ ସମ୍ଭାଳି ନେଇ ଖୁବ୍‌ ଚଞ୍ଚଳ ପାଦରେ ଗାଡ଼ି ଭିତରକୁ ପଶିଗଲା ମାଧବୀ । ଟ୍ରେନ୍‌ ଟାଇମ୍‌ ହୋଇଆସୁଛି । ଗାଡ଼ିଟାକୁ କ୍ଷିପ୍ରଗତିରେ ଚଳାଇ ନେଲା ଡ୍ରାଇଭର । ଷ୍ଟେସନରୁ ଫେରିଲେ ତମାଳକୁ ନେଇ ଗାଡ଼ି ପୁଣି ଯିବ କଚେରିକୁ । ସବୁରି ଆଖି ସାମନାରୁ ଅନ୍ତର୍ଦ୍ଧାନ ହୋଇଗଲା ଗାଡ଼ିଟା । ସେଇଠି ଭୂଇଁ ଉପରେ ବସିପଡ଼ି ଆଣ୍ଠୁସନ୍ଧିରେ ମୁହଁ ଲୁଚାଇଲା ଚାନ୍ଦ ।

 

୧୮

 

ଝମ୍‌ଝାମ୍‌ ଶବ୍ଦ କରି ସର୍ପିଳଗତିରେ ଆଗେଇ ଚାଲିଛି ଟ୍ରେନ୍‌ଟା । ଗୋଟିଏ ଖୋଲା ଝରକାର ଧାରରେ ଚିବୁକ ଛୁଆଇଁ ବସିରହିଛି ମାଧବୀ—ଚାହିଁ ରହିଛି ଚଳମାନ ଦୃଶ୍ୟ ଆଡ଼େ । ଆଖି ଆଗଦେଇ ଭାସିଯାଉଛି କେତେ ବଣ, କେତେ ପାହାଡ଼, ପର୍ବତ । ମାଧବୀ ଆଖିରେ କିନ୍ତୁ ଶୂନ୍ୟଦୃଷ୍ଟି । ଭିଲାଇ ବୋଲି ଗୋଟାଏ ଜାଗା । କଟକ ଜିଲାର ଚମ୍ପାପୁର । ସେଇ ଚମ୍ପାପୁରରୁ କେତେ ମାଇଲ ଦୂରରେ ଭିଲାଇ ? ଭିଲାଇରେ ରହିବ ସିଏ ଅଢ଼େଇ ମାସ । ଏତେ ଦିନଧରି କେମିତି ଚଳିବ ସେଠି !! ସୁଚରିତା କହିଛି ଠାକୁରଘର କଥା ସମ୍ଭାଳିବ—ହେଲେ ଶାଶୁ ! ତାଙ୍କ ସେବା କଣ କରିବ ସୁଚରିତା ! ତାର ଯୁଗ-ଯୁଗର ଆଳସ୍ୟ ତାକୁ କଣ ଏତେ କଥା କରାଇଦେବ । ହଠାତ୍‌ ମାଧବୀ ଆଖିରେ ଭାସିଗଲା ଶାଶୁଙ୍କର ଆସିଲାବେଳର ରୂପଟା, ଛାତିତଳୁ କୋହ ଉଠିଆସିଲା ମାଧବୀର । ବଡ଼ ଅସହାୟ ଦିଶୁଥିଲେ ସେ । ଟପ୍‌ଟପ୍‌ ହୋଇ ଆଖିରୁ ଲୁହ ଝରିଲା ମାଧବୀର ।

 

କୋଣ ବେଞ୍ଚରେ ବସି ମାଧବୀ ମୁହଁକୁ ଚାହିଁ ରହିଥିଲା ପରାଗ । ନିରେଖି ଦେଖୁଥିଲା ମାଧବୀ ମୁହଁରେ ତାର ମନର ଛାୟାଲୋକର ବିଚିତ୍ର କାରୁକାର୍ଯ୍ୟ ।

 

ହଠାତ୍ ମାଧବୀର ଆଖିରେ ପଡ଼ିଲା ଦିଗନ୍ତ ବିସ୍ତୃତ ଅଳସୀ ଫୁଲର କ୍ଷେତ । ଏ ଦୃଶ୍ୟ ଦେଖି ମନ ତାର ଚଞ୍ଚଳ ହୋଇଉଠିଲା । ମନେପଡ଼ିଲା ତାର ଗାଁ ଓ ଶୁଭଭାଇ । ଅତୀତର କେତେ ସ୍ୱପ୍ନ ଜାଗିଉଠିଲା ମାଧବୀର ମନରେ । ନନ୍ଦିତ ହୋଇଗଲା ତାର ସାରା ଅନ୍ତର । ଉଲ୍ଲସିତ କଣ୍ଠରେ କହିଉଠିଲା—‘‘ଦେଖ ପରାଜ, ଦେଖୁଚ କି ସୁନ୍ଦର ଅଳସୀ ଫୁଲର କ୍ଷେତ ? ଆଃ ! ଏଇଠି ଯଦି ମତେ ଓହ୍ଲାଇ ଦେଇ ତମେମାନେ ଚାଲିଯାଆନ୍ତ ତେବେ କେତେ ଭଲ ହୁଅନ୍ତା । ଇସ୍‌, ଏଇ କ୍ଷେତର ଶେଷ ନାହିଁ—ଆକାଶ ଛୁଇଁ ରହିଛି ।’’

 

କଥା ସାରି ପୁଣି ନିଜ ଭିତରେ ନିଜେ ହଜିଗଲେ ମାଧବୀ । ମାଧବୀ ଲାଗି ପରାଗ ମନରେ ଅପାର ମମତା–ଆଃ, କି ଅଳ୍ପରେ କେଡ଼େ ଖୁସିହୁଏ ଏଇ ମାଧବୀ ଭାଉଜ । ଆଉ, କରବୀ ? ରୁଗ୍‌ଣ ମୁହଁରେ ତାର ବଡ଼ ବଡ଼ ଦୁଇଟି ଆଖି । ସେଇ ଆଖିତଳେ ମୃତ୍ୟୁର ସୁଗଭୀର ଛାୟା । ମୁହଁକୁ ତାର ଚାହୁଁନି ମାଧବୀ ଭାଉଜ । କେତେବେଳେ କେମିତି ତା’ ଉପରେ ଆଖି ପଡ଼ିଗଲେ ସେଇ ଆଖିରୁ ତାର ଝରିପଡ଼ୁଛି ଘୃଣା, ମୁହୂର୍ତ୍ତକେ ମୁହଁ ଫେରାଇ ନେଉଛି ମାଧବୀ ଭାଉଜ । ସେ କିନ୍ତୁ ଅପଲକ ଆଖିରେ ଚାହିଁରହିଛି ମାଧବୀର ସରଳ, ସୁନ୍ଦର, ପବିତ୍ର ମୁହଁଟିକି—ଯେଉଁ ମୁହଁରେ ଫୁଟିରହିଛି କିଶୋରୀ କନ୍ୟାର ଅନାବିଳ ଭାବ ।

 

କେଇଟି ମୁହୂର୍ତ୍ତପରେ ପୁଣି ଉଲ୍ଲସିତ କଣ୍ଠରେ ମାଧବୀ କହିଉଠିଲା—ଦେଖ ପରାଗ ଦେଖ, ଦୂର ଦିଗନ୍ତରେ ସେଇ ବକମାଳାକୁ, ସତେ ଯେମିତି କିଏ ଆକାଶର ନୀଳ ଚାନ୍ଦୁଆରେ ଝୁଲାଇଦେଲା ମୋଟା ଗଜରା ଗୋଟିଏ ମଲ୍ଲିମାଳ, ଦେଖ, ଦେଖୁଚ ?

 

ପରାଗ ଜାଣେ, ଚିହ୍ନେ ମାଧବୀକୁ ଏଇ କିଶୋରୀଭାବ ଏ ସମ୍ପୂର୍ଣ୍ଣ ତାର ଅଚିହ୍ନା ନ ହେଲେ ବି ଠିକ୍‌ ଚିହ୍ନା ବି ନୁହେଁ । ତେତାଲା ଛାତିରେ କେତେ ଦିନ ସେମାନେ ପାଖାପାଖି ଠିଆହୋଇ ଚାହିଁରହିଚନ୍ତି ଦୂର ଆକାଶର ନୀଳିମା ଆଡ଼େ । କେତେଦିନ ସେଇ ନୀଳିମାରେ ହାର ହୋଇ ଝୁଲି ଝୁଲି ଚାଲିଯାଇଛନ୍ତି ଶୁଭ ବକମାଳା । ହେଲେ ଏମିତି ଭାବ କେବେହେଲେ ତ ପ୍ରକାଶ କରିନାହାନ୍ତି ମାଧବୀ ଭାଉଜ । କେବଳ ଆନମନା ଗଳାରେ ରହି ରହି କହିଛନ୍ତି–ଆଃ, କି ସୁନ୍ଦର ! ଏଇ ତେତାଲା ଛାତଟା ନଥିଲେ ମୁଁ ମରିଯାଆନ୍ତି ପରାଗ ! ତାପରେ ନିର୍ବାକ୍‌ ହୋଇଯାଆନ୍ତି ମାଧବୀ ଭାଉଜ; ଦୁଇ ଆଖିଡ଼ୋଳାରେ ତାଙ୍କର ଓହ୍ଲାଇଆସେ ସ୍ୱପ୍ନର ନିବିଡ଼ ଛାୟା । କେଉଁ ଏକ ଅଜଣା ଲୋକରେ ହଜିଯାଆନ୍ତି ସିଏ । ମାୟା ଲାଗେ ତାଙ୍କର ସ୍ୱପ୍ନଭଙ୍ଗ କରିବାକୁ । ସେଇ ସେ ମାଧବୀ ଭାଉଜକୁ ଚିହ୍ନେ ପରାଗ ।

 

ଦେହ ମୁହଁ ଢାଙ୍କି ନୀରବରେ ଶୋଇରହିଛି ପରାଗ । ମୃତ୍ୟୁର ପଦଧ୍ୱନି ଛଡ଼ା ଅନ୍ୟ ବୋଧହୁଏ କିଛି ପଶୁନି କାନରେ ତାର ।

 

ପରଦିନ ସକାଳେ ରାୟପୁର ଷ୍ଟେସନରେ ଓହ୍ଲାଇପଡ଼ିଲେ ସେମାନେ । ଏଇଠୁ ଭିଲାଇ ପନ୍ଦର ଷୋଳ ମାଇଲ ଦୂର ହେବ । ଗୋଟାଏ ଟ୍ୟାକ୍‌ସି ନେଲେ ସେମାନେ । ବିସ୍ଫାରିତ ଆଖି ମେଲି ଚାରିଆଡ଼କୁ ଚାହୁଁଛି ମଫସଲର ଝିଅ ମାଧବୀ । ରାସ୍ତାର ଦୁଇ କଡ଼ରେ ବିରାଟ ବିରାଟ ଗୁଲମୋର ଗଛ । ଗାଢ଼ ସବୁଜ ପତ୍ରସନ୍ଧିରେ ଥୋଲା ଥୋଲା ଗାଢ଼ଲାଲ ଫୁଲ । ରୂପର ନିଆଁ ଜାଳି ମାଧବୀକୁ ହାତଠାରି ଡାକୁଛି ଭିଲାଇ । ଦୁଇଟି ଭାବବିଭୋର ଆଖିରେ ମାଧବୀ ଗ୍ରହଣ କରୁଛି ଭିଲାଇର ନିମନ୍ତ୍ରଣ ।

 

ଗୋଟାଏ ବିରାଟ ଦୋତାଲା ପାଖରେ ଅଟକିଗଲା ଟ୍ୟାକ୍‌ସିଟା । ମାଧବୀ ସଚେତନ ହୋଇଉଠିଲା । ବେଶ୍‌ ଲମ୍ୱାକରି ମଥାରେ ଟିକିଏ ଲୁଗାଟା ଟାଣିଦେଲା । ଆଖିରେ ପ୍ରଶ୍ନଭରି ମାଧବୀ ଥରେ ଚାହିଁଲା ପରାଗ ଆଡ଼କୁ । ଗରଗର ଛାତିରେ ଆଉଜି ନୀରବରେ ବସିରହିଛି କରବୀ, ଦୁଇ ଆଖିର ତାରାରେ ତାର ଆକାଶର ଶୂନ୍ୟତା । ଶାନ୍ତଗଳାରେ ପରାଗ କହିଲା—ଆମକୁ ଏଇଠି ଟିକିଏ ଓହ୍ଲାଇବାକୁ ପଡ଼ିବ । ମୋର ବନ୍ଧୁ, ଡାକ୍ତର ଆର. ସି. ଶର୍ମା, ମାନେ ରାମଚନ୍ଦ୍ର ଶର୍ମାର କ୍ୱାଟର ଏଇଟା ।

 

ଦେଖାଗଲା ଘର ଆଗରେ ଥିବା ଲନ୍‌ଟା ପାରିହୋଇ ଆଗେଇଆସୁଛନ୍ତି ସେଇ ପରାଗ ବୟସର ଜଣେ ମଣିଷ, ହାଣ୍ଡିକଳାପରି ମୁହଁଟିରେ ମଲ୍ଲିଫୁଲିଆ ଦୁଇ ଧାଡ଼ି ଦାନ୍ତ । ଅଦ୍‌ଭୁତ ଦିଶୁଛି ଭଦ୍ରଲୋକଙ୍କ ମୁହଁଟି ‘‘ନମସ୍କାର, ମିସେସ ଚୌଧୁରୀ ଏଣ୍ଡ....’’

 

ମାଧବୀ ଛୋଟ ଗୋଟିଏ ପ୍ରତିନମସ୍କାର ଜଣାଇଲା । ମାଧବୀ ମୁହଁରେ ମୁଗ୍‌ଧ ଆଖିରଖି ଭଦ୍ରଲୋକ ଭୁଲିଗଲେ ତାଙ୍କର ସେଇ ଅସଂପୂର୍ଣ୍ଣ ବାକ୍ୟ ‘ଏଣ୍ଡ’ଟାକୁ । ମାଧବୀ ଲାଜରେ ଆଉ ଟିକିଏ ଟାଣିନେଲା ମୁଣ୍ଡର ଓଢ଼ଣାଟାକୁ । ପରାଗ ବନ୍ଧୁ ସହିତ ସୌଜନ୍ୟ ବିନିମୟ ସାରି କହିଉଠିଲା—ଭାଇ, ଆମର ବ୍ୟବସ୍ଥାସବୁ ଠିକ୍‌ ଅଛି ତ ?

 

‘‘ହଁ ଠିକ୍‌ ଅଛି । ସବୁ ଠିକ୍‌ ଅଛି’’ କହିସାରି ସେଇ ଟ୍ୟାକ୍‌ସିରେ ଉଠିବସିଲେ ଶର୍ମା । ଗାଡ଼ିଟା ଆଗେଇଗଲା ଆଉ ଅଧମାଇଲିଏ ଆଗକୁ ।

 

ତିନି ରୁମ୍‌ର ଛୋଟ ଗୋଟିଏ ସୁନ୍ଦର ଘର । ଘର ସାମନାରେ ଛୋଟ ଗୋଟିଏ ବଗିଚା-। ସେଇ ବଗିଚାରେ ବି ଅଛି ଦୁଇଟି ଗୁଲମୋର ଗଛ । ଘନ ସବୁଜ ମଥାରେ ତାର ରକ୍ତଲାଲ ପୁଷ୍ପଗୁଚ୍ଛ । ମାଧବୀ ଘର ଓ ବଗିଚା ଦେଖି ବଡ଼ ଆନନ୍ଦିତ ହେଲା । ତାର ଆଖିଦେଇ ଆନନ୍ଦ ଉଛୁଳିପଡ଼ିଲା ।

 

କରବୀର ମୃତ୍ୟୁ-ଶୀତଳ ମୁହଁରେ ଦୁଇଟି ଡବଡ଼ବ ଆଖି । ସେଇ ଆଖିତଳେ ବସା ବାନ୍ଧିଛି ଦୁନିଆର ହତାଶା, ବ୍ୟଥା ଓ ବ୍ୟର୍ଥତା । ଲୁହ ଟଳଟଳ ହୋଇଆସିଲା କରବୀର ଆଖି ଦୁଇଟିରେ । ହଠାତ୍ ସେ ତାର ଦୁର୍ବଳ ହାତ ଦୁଇଟିରେ ଜଡ଼ାଇଧରିଲା ମାଧବୀର ଗୋଟିଏ ହାତକୁ ଓ ଅଶ୍ରୁଳ କଣ୍ଠରେ କହିଲା—ମୁଁ ଯଦି ଆଉ ତୁମ ସାଥିରେ ନଫେରେ ଭାଉଜ, ତେବେ ମୋ ବୋଉ ପାଖରେ ମୁଁ ହୋଇ ତୁମେ ଠିଆହେବ । ଆଉ...ଆଉ ମତେ କ୍ଷମା କରିବାକୁ ଥରେ ଅନ୍ତତଃ ଚେଷ୍ଟା କରିବ ।

 

କରବୀର ଦୁଇ ଆଖିଦେଇ ଝରୁଛି ଲୁହର ଗଙ୍ଗା-ଯମୁନା । ଧୀରେ ଧୀରେ ଅନ୍ୟଆଡ଼ୁ ମୁହଁ ଫେରାଇ କରବୀ ଆଖିରେ ଆଖି ରଖିଲା ମାଧବୀ । ସେ ଆଖି ସାଗର ପରି ଗଭୀର ଓ ଆକାଶ ପରି ଉଦାର । ଦୁହେଁ ଚାହିଁରହିଛନ୍ତି ଦୁହିଁଙ୍କ ମୁହଁକୁ । ଧୀରେ ଧୀରେ ମାଧବୀର ଡାହାଣ ହାତଟି ଉଠିଗଲା କରବୀର ମଥା ଉପରକୁ ଓ ଆଖିରୁ ଝରିଆସିଲା ଲୁହର ଧାର । ଦୁଇ ହାତରେ କରବୀକୁ ଜଡ଼ାଇଧରିଲା ମାଧବୀ ଓ କାନ୍ଦିଉଠିଲା କ୍ଷୀଣ ଶବ୍‌ଦ ତୋଳି । କାନ୍ଦିଉଠିଲା କରବୀ ମଧ୍ୟ-। ମାଧବୀ ଛାତିରେ ମୁହଁ ଲୁଚାଇ ଫୁଲି ଫୁଲି କାନ୍ଦୁଛି କରବୀ । ସ୍ୱସ୍ତିର ଗୋଟିଏ ନିଶ୍ୱାସକୁ ଧୀରେ ଧୀରେ ତ୍ୟାଗକଲା ପରାଗ । ମାଧବୀ ଭାଉଜ କରବୀର ସେଇ ଏକମାତ୍ର ସାନ୍ତ୍ୱନାର ଆଶ୍ରୟସ୍ଥଳ-। ସେ ଯଦି ନ ବଦଳିବେ ତେବେ ଶୁଖି ଶୁଖି ନିଶ୍ଚୟ ଦିନେ ଝରିଯାଆନ୍ତା କରବୀ ।

 

ଗାଡ଼ିରୁ ଓହ୍ଲାଇଲେ ତିନିହେଁ । ରାସ୍ତାର ଦୁଇକଡ଼ରେ ଫୁଲର ବଗିଚା । ରଙ୍ଗବେରଙ୍ଗର ଫୁଲରେ ଅପୂର୍ବ ଦିଶୁଛି ସେଇ ବଗିଚା । ହେଲେ କଣ ହେବ, ସେ ବଗିଚାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ମନ ଆଉ ନାହିଁ ମାଧବୀର । କରବୀର ଆଖିଲୁହରେ କେଉଁଆଡ଼େ ଭାସିଗଲା । ଦୁଇଟି ସସ୍ନେହ ହାତରେ କରବୀକୁ ଜଡ଼ାଇ ଧରି ଧୀରେ ଧୀରେ ସାମନା ଲନ୍‌ଟା ପାରିହୋଇଯାଉଛି ମାଧବୀ । ପଛରେ ଶ୍ରଦ୍ଧାଆଖିରେ ପରାଗ ଚାହିଁରହିଛି ମାଧବୀର ଗତିପଥକୁ । ଖୁବ୍‌ ହାଲୁକା ଲାଗୁଛି ଛାତିଟା ତା’ର ।

 

୧୯

 

ଦିନ ଆଉ ସରୁନି ଚାରୁଲତାଙ୍କର । ଅନେକ କରୁଛି ତାଙ୍କ ପାଇଁ ସୁଚରିତା; ହେଲେ କାହିଁରେ ମନ ମାନୁନି ତାଙ୍କର । ନିୟମିତ ଚିଠି ଆସୁଛି ଭିଲାଇରୁ । ଧୀରେ ଧୀରେ ଭଲ ହୋଇଆସୁଛି କରବୀ । ଖୁବ୍‌ ସୁସ୍ଥ ଅଛି ମାଧବୀ । ମାଧବୀ ଚିଠିରେ ଉଚ୍ଛାସଭରି କେତେ କଣ ଲେଖେ । ଲେଖିଚି–‘‘ଜାଣିବ ବୋଉ, ଦୀବୁ ବାବୁଙ୍କ ବାହାଘରକୁ ଯାଇ ସେଥରକ କଟକରେ ଥରେ ସିନେମା ଦେଖିଥିଲି–ଲକ୍ଷ୍ମୀ ବିବାହ, ଉଃ ସେ ମୋର ବୋହୂକାଳର କଥା । ସେତେବେଳେ ମୋଟେ ମୁଁ ବର୍ଷକର ବୋହୂ—ସେଇ ସେତିକିବେଳେ; ହେଲେ ଆଜିଯାଏ ଭୁଲିନି ମଣିଷର ଅଦ୍‌ଭୁତ କରାମତିକୁ । ଛବିକୁ ବି କଥା କୁହାଇଦେଉଛି ମଣିଷ । ହେଲେ ସେତିକି । ଏଠି ବି ଅଛି ଅନେକ ଗୁଡ଼ାଏ ସିନେମା ହଲ । ଏଠି ଜଣେ ନର୍ସ ଅଛନ୍ତି; ଭାରି ଭଲ ମଣିଷ ସିଏ । ତାଙ୍କ ବେଳାରେ ସିଏ ବହୁତ ସେବାକରନ୍ତି କରବୀର । କହିବାକୁ ଗଲେ ତାଙ୍କରି ଲାଗି କରବୀ ବାର’ଣା ଭଲ ହୋଇଛନ୍ତି, ବାକି ଚାର’ଣାକ ଔଷଧରେ । ଏମିତି ସେଇ ମଣିଷଟି, ହେଲେ, ଭାରି ତାଙ୍କର ସିନେମା ଦେଖିବା ନିଶା । ଟିକିଏ ଅବସର ପାଇଲେ ସେ ସିନେମା ଯାଆନ୍ତି । ସେ ସୁଯୋଗରେ ମୁଁ ବି ବହୁତ ସିନେମା ଦେଖୁଛି ତାଙ୍କର ସାଥିରେ । ଖୁବ୍‌ ଖୁସିରେ ମୁଁ ଏଠି ଅଛି ବୋଉ ! ତଥାପି, ମୋର ସାରା ମନଭରି କେବଳ ତୁମରି ଚିନ୍ତା, ସୁଖ ପାଇଲେ କଣ ହେବ, ଶାନ୍ତି କିନ୍ତୁ ମୁଁ ଟିକିଏ ବି ପାଉନି । ସବୁବେଳେ ମତେ କାନ୍ଦ ଲାଗେ । ମୁଁ ଇଆ ବି ଜାଣେ ଯେ ମତେ ଛାଡ଼ି ତୁମେ ଦିନେ ବି ଶାନ୍ତି ପାଉନଥିବ ।’’

 

ଏଇଠି, କ୍ଷୀଣ ଶବ୍‌ଦ ତୋଳି କାନ୍ଦିଉଠନ୍ତି ଚାରୁଲତା । ବାହୁନି ବାହୁନି କହନ୍ତି—ତୋ’ ଲାଗି ମୁଁ ମରିବି—ଶାନ୍ତି ପାଇବିନି ଲୋ ମାଧବୀ ! ଅନ୍ୟ ଥରକ ପରି ଏଥର ଯଦି ଦଗାଦିଏ ପିଲାଟା, ତେବେ ତୁ କଣ ନେଇ ରହିବୁ ? ଏ ବୟସରେ ତୁ କଣ ସମ୍ଭାଳିପାରିବୁ ଏଇ ଶୋକ ! ସେ ବହୁତ ବାହୁନି ହୁଅନ୍ତି ମାଧବୀର ରୂପ ଗୁଣ କଥା । ଅସ୍ୱସ୍ତି, ବିରକ୍ତି, ଅନାସକ୍ତି, ଏ ସବୁର ସମ୍ମିଶ୍ରଣରେ ଗୋଟାଏ ବିଚିତ୍ର ଭାବ ସୃଷ୍ଟି ହୁଏ ସୁଚରିତାର ମନ ଭିତରେ । ଧୀରେ ଧୀରେ ସେଠୁ ସିଏ ଅପସରିଯାଏ । ପ୍ରତିଥର ଚିଠି ଆସିଲେ, ଏମିତି ବାହୁନି ହୁଅନ୍ତି ଚାରୁଲତା । ଖରାପ ଲାଗେ ସୁଚରିତାକୁ । ଅକାରଣରେ କେମିତି ଗୋଟାଏ ଅପମାନ ବୋଧକରେ ସିଏ, ଚାଲିଯାଏ । ଚାଲିଯାଇପାରିଲାନି କିନ୍ତୁ ସେଦିନ—ଯେଉଁଦିନ ଥରିଲା ହାତରେ ବଙ୍କା ବଙ୍କା ଅକ୍ଷରରେ ନିଜେ କରବୀ ଚିଠି ଲେଖିଥିଲା । ଖାମ୍‌ଟା ଅନ୍ୟାନ୍ୟ ଥର ପରି ଏଥରକ ବି ନ ଖୋଲି ସିଧା ବୋଉ ପାଖକୁ ନେଇଆସିଛି ତମାଳ । ଚିଠି କଥା ଶୁଣି ଆନନ୍ଦରେ ଧାଇଁଆସିଲେ ଚାରୁଲତା । ଚିଠି ଖୋଲି ଅବାକ୍‌ ହେଲା ତମାଳ—ଆରେ, ଇଏ ତ ମାଧବୀ ହାତର ଚିଠି ନୁହେଁ !! ସେଇ କଥାରେ ଚମକିଉଠିଲେ ସୁଚରିତା, ଆଉ ଚାରୁଲତା । ଚିଠି ଲେଉଟାଇ ତାର ସମାପ୍ତିକୁ ଚାହିଁଲା ତମାଳ—ଲେଖା ହୋଇଛି–ଇତି, ତୁମର ହତଭାଗିନୀ କରବୀ ।

 

ପ୍ରଶାନ୍ତ ହସିଲେ ଚାରୁଲତା, କହିଲେ—ଦେଖମ, କି ଅଭାଗ୍ୟ କଥା, ହତଭାଗିନୀ ତୁ କାହିଁକି ହେବୁଲୋ ! ଆରେ ଏ ମହନା, ଏ.... ଏ.... ଅନାଦି । ଚାନ୍ଦଲୋ... ଆଲୋ କିଏ ଅଛମ ଯାଅମ ଟିକିଏ ଡାକିଆଣିବ ସାନବୋହୂକୁ । କହ ଯାଇ କରବୀ ତାର ଚିଠି ଦେଇଛି—ଯାଅରେ... ଗଲ ।

 

ସେଇଆଡ଼ୁ ଚାନ୍ଦ ପାଟିକରିଉଠି କହିଲା—ଯାଉଛି ମା’ !

 

ସୁରମା ତ ଆସିଲେ; ଚାନ୍ଦ ବି ଠିଆହେଲା ଖୁଣ୍ଟକୁ ଆଉଜି । ମଥା ନୁଆଁଇ ବସିରହିଛନ୍ତି ସୁରମା । ହତାଶ ଆଖିଡ଼ୋଳାରେ ପ୍ରତୀକ୍ଷାର ନୀରବ ଭାବ । ମରିନି କରବୀ । ଓଲଟି ନିଜ ହାତରେ ଚିଠିଲେଖିପାରିଚି ସିଏ । କଣ ଲେଖିଛି ? ମୋ ପାଇଁ ଚିନ୍ତା କରନି, ମୁଁ ସୁସ୍ଥ ଅଛି—ନା ମୁଁ ଆଉ ଫେରିବିନି ଏଠୁ । ତେଣୁ ତୁମ ସମସ୍ତିଙ୍କି ଜଣାଇ ଯାଉଛି ମୋର ବିନମ୍ର ପ୍ରଣାମ ! ନା ଆଉ କିଛି ? ବାପାଙ୍କର ଗେହ୍ଲାଝିଅ କରବୀ, ସେଇ କରବୀ ମୃତ୍ୟୁଶର୍ଯ୍ୟାରେ; ତେଣୁ ବାପ ବି ଇଆଡ଼େ ବିଛଣା ଧରିଲେଣି ମାସେ ହେବ । ବସୁଣୁ ଝିଅ, ଆଉ ଉଠୁଣୁ ଝିଅ । ଚିଠି ପଢ଼ିବା ଆରମ୍ଭ କଲା ତମାଳ ।

 

ବଡ଼ମା’ !

 

ମୁଁ ଅନେକ ଭଲହୋଇ ଆସିଲିଣି । ଆଉ ମାସକ ପରେ ଏଠୁ ଆମେ ଚାଲିଯିବୁ । ଗଲା ଗୁରୁବାର ଦିନ ଭାଉଜଙ୍କର ଗୋଟିଏ ଝିଅ ହୋଇଛି । ସେମାନେ ସୁସ୍ଥ ଅଛନ୍ତି, ମା’ ଆଉ ପିଲା । ଭାଉଜ ବାରବାର କରି କହିଛନ୍ତି ତାଙ୍କ ପାଇଁ ତୁମେ ମୋଟେ ଚିନ୍ତା କରିବନି । କହିଛନ୍ତି—କାମଦାମ ତୁମେ ମୋଟେ କରିବନି ।

 

କରବୀ ଲେଖିଛି ଆହୁରି କେତେ କଣ । କାହାରି କିଛି ଆଉ ଶୁଣିବାର ଦରକାର ପଡ଼ିଲାନି । ହେ ପ୍ରଭୁ, ହେ ପ୍ରଭୁ, ହେଉ ହେଉ ସୁରମା ଚାଲିଗଲେ ତଳ ଅଗଣାକୁ । ଛାତିରେ ଯୋଡ଼ ହସ୍ତ ଥାପି ଚାରୁଲତା ଗଲେ ଠାକୁରଘର ଆଡ଼କୁ । ଚାନ୍ଦ ନାଚିନାଚି ଧାଇଁଲା ରୋଷେଇ ଘରକୁ । ବଡ଼ମା’ଙ୍କ ଝିଅହେବା ଖବରଟା ଅନାଦିକୁ ଦେଇ ଧାଇଁଲା ପୁଣି ବାରିପଟକୁ । ଏଡ଼େ ସୁଖବରରୁ କଣ ବଞ୍ଚିତ ହେବ ମୋହନା ।

 

ଏ ଖବର ଶୁଣି କଣ୍ଠରେ ନୂଆ ଗୀତ ଭରି ଆଗେଇଗଲା ମୋହନା—ନନ୍ଦଘରେ ନେଲେ ଜନମ ହରି କଳାଶିରିମୁଖ । ପାଦ ତାର ଅଟକିଗଲା ବାରଣ୍ଡା ଶେଷରେ ବସିଥିବା ପଥର ମୂର୍ତ୍ତିପ୍ରାୟ ତମାଳ ଆଉ ସୁଚରିତାଙ୍କୁ ଦେଖି । ଛାତିର ଲୁଗାକୁ ସଜାଡ଼ି ନେଉ ନେଉ ହାତେ ଜିଭ କାଢ଼ି ମୋହନା ଅସ୍ଫୁଟ ସ୍ୱରରେ କହିଲା—ଆଲୋ ମୋ ବୋଉଲୋ ! ଆଜି କିଆଁ ଜୋଇଁବାବୁ ଏଠିଆସି ବଇଁଚିନିମ !! ଖମ୍ୱ ଉହାଡ଼ରେ ମୁହଁ ଲୁଚାଉ ଲୁଚାଉ ପୁଣି ସେ କହିଲା—ବଡ଼ନାନୀଙ୍କର ଝିଅ ହୋଇଛି । ହଉ, ଝିଅ କାହାରେ, ପୁଅ କାହାରେ । ସମତେ ଆନନ୍ଦର ଦରବ । ଆମକୁ ଆନେହେଲା—ଯେମିତି ମିଠେଇ ମିଳେ ।

 

ଏଥର ପ୍ରାଣ ପାଇଲା ପଥରର ଗୋଟାଏ ମୂର୍ତ୍ତି । ପାଗଳପରି ଖୁବ୍ ଜୋରରେ ହସି ଉଠିଲା ସୁଚରିତା, କହିଲା—ମିଠେଇ କଣରେ । ଆଜି ପ୍ରାଣ ଚାହିଁଲେ, ନିଜର ପ୍ରାଣଟାକୁ ବି ତତେ ସିଏ ଆଜି ଦେଇଦେବେ ।

 

କଥା ସିନା ସରିଲା, ହେଲେ ହସ ସରିଲାନି । ସେମିତି ହସୁ ହସୁ ସିଏ ଖୁବ୍ ଚଞ୍ଚଳ ପାଦରେ ଆଗେଇଗଲା ଉପର ଘରଆଡ଼କୁ । ତମାଳ ବି ପାଦରେ ଚଞ୍ଚଳତା ଆଣି ଧାଇଁଗଲେ ତାରି ପଛରେ । ମୁହଁମୋଡ଼ିଲା ମୋହନା । ମନେ ମନେ କହିଲା—ମଲା ମୋର ହିଂସା... ପ୍ରାଣଟା ମାଗିବି କିଆଁ ମଅ.... ଉଃ । ଚାଲିଗଲା ସିଏ ରୋଷେଇଘର ଆଡ଼କୁ ।

 

ଉପର ଘରେ ପଶି କବାଟ କିଳିଦେଉଥିଲା ସୁଚରିତା । ଖୁବ୍‌ ଶକ୍ତ ହାତରେ ଦୁଆରଟାକୁ ଠେଲି ଧଇଲା ତମାଳ । ଗଛ କାଟିଲା ପରି ଖଟ ଉପରେ ଯାଇ ପଡ଼ିଲା ସୁଚରିତା । ତମାଳ ଝୁଙ୍କିପଡ଼ିଲା ପିଠିରେ ତାର । କହିଲା–ତୁମେ ବିଶ୍ୱାସ କର ରିତା ।

 

ମୁହଁଟେକି ଉଠିବସିଲା ସୁଚରିତା, କହିଲା—ମାଧବୀ ଏ ଘରର ଯିଏ-ସିଏ ନୁହେଁ । ତୁମ ବୋଉଙ୍କ ପରେ ପରେ ଏ ଘରର ସର୍ବୋଚ୍ଚ ଆସନଟି ତାର । ଏ ଘରର ବୋହୂ ମାଧବୀ । ତୁମର ବିବାହିତା ସ୍ତ୍ରୀ, ପିଲାହେବା କଣ ତାର ଅସମ୍ଭବ ନା ଅସଂଗତ ହେଲା—ତୁମେ କାହିଁକି କହିହୁଅ ଯେ—ଓଃ, କି ଆଶ୍ଚର୍ଯ୍ୟ ମନ ମାଧବୀର । କି ଅଦ୍ଭୁତ ଲାଗେ ତାର ସଂଯମ । ଦୂରରେ ଥିଲା, ଥିଲା, ହେଲେ ପାଖକୁ ଆସି ବି କେମିତି ଦୂରେଇ ରହୁଛି ମୋ ପାଖରୁ । ମନର କାମନା-ବାସନାକୁ କି ଉପାୟରେ ବିସର୍ଜନ ଦେଲା ସିଏ ! ମୁଁ ଯେମିତି ତାର ପରପୁରୁଷ । ଦିନେ ପାଖକୁ ଆସିଲାନି କି ମୁଣ୍ଡର ଓଢ଼ଣା ଖୋଲିଲାନି ।

 

ତମାଳ ଅସହାୟ ଆଖିରେ ଚାହିଁରହିଥିଲା ସୁଚରିତାର ମୁହଁକୁ । କଣ୍ଠର ବିଦ୍ରୂପ ଭାବଟାକୁ ବଦଳାଇ ଏଥର ସ୍ୱର ଗାଢ଼ କଲା ସୁଚରିତା । ଅଭିମାନାହତ କଣ୍ଠରେ କହିଲା—ମୋ ପାଖରେ ଏତେ ଛଳନା କରିବାର କଣ ଥିଲା ତୁମର ? ମୋର ତ କୌଣସି ଅଧିକାର ନାହିଁ ତୁମ ଦୁହିଁଙ୍କର ଏକ ହେବାରେ ବାଧା ଦେବାକୁ, ତେବେ ?

 

ରୁଦ୍ଧ ଆକ୍ରୋଶରେ କଣ୍ଠ ଥରାଇ ତମାଳ କହିଉଠିଲା—ସୁଚରିତା ! ତୁମେ ମତେ ଭୁଲ ବୁଝନି; ବରଂ ମତେ ଟିକିଏ ଶାନ୍ତି ଦେବାକୁ ଚେଷ୍ଟାକର । ସତରେ ମାଧବୀର ପିଲା ହେବା କଥାଟା ବିଷହୋଇ ଜାଳିଦେଉଛି ମୋର ଦେହ ମନକୁ । ମାଧବୀ ସେଇ ପିଲା ନେଇ ମାସକ ପରେ ପଶିବ ଏ ଘରେ । ବୋଉ ମୋର ସେଇ ପିଲାକୁ ତା ପୁଅର ରକ୍ତକଣିକାଟିଏ ଜାଣି ଛାତିରେ ଜାକିବ । ନା, ନା, ନା, ସୁଚରିତା । ଏକଥା ଆଦୌ ମୁଁ ସହିପାରିବିନି । ପାଗଳ ହୋଇଯିବି ମୁଁ, ପାଗଳ ହୋଇଯିବି-। ଆଶ୍ଚର୍ଯ୍ୟ ହେଉଛି ମୁଁ ସେଇ ସଇତାନୀଟା କଥା ଭାବି । ସେ ଠିକ୍‌ ଜାଣେ, ତାର ସେଇ ପିଲାକୁ ଆମେ ଅସ୍ୱୀକାର କରିବାକୁ ଯାଇ କଦାପି ହେଲେ ଚୌଧୁରୀ ଘରର ବୁନିଆଦି ତଳେ ପକାଇପାରିବୁନି । ପାରିବୁନି ଏତେ ଟିକିଏ ଉଚ୍ଚବାଚ କରି । ମୁଁ ଯେଉଁ ଛାଇତଳେ ମଥା ଗୁଞ୍ଜିଚି, ସଇତାନୀଟା ସେଇ ଛାଇତଳେ ମୁଣ୍ଡ ଗୁଞ୍ଜିନେଇ ନେଲା ଗୋଟେ ସୁଯୋଗ । ପରିପୂର୍ଣ୍ଣ କରିନେଲା ତା’ ମନର କୌଣସି ଗୋଟାଏ ଗୋପନ କାମନା; ବରଂ ତୁମେ ସ୍ତ୍ରୀ ହୋଇ ସମଦୁଃଖିନୀ ହୋଇ କୁହ, କୁହ ମୁଁ କେମିତି ମୁକ୍ତି ପାଇବି ତାର ଏଇ ଜଘନ୍ୟ ମାୟାଜାଲ ଭିତରୁ ?

 

କଥାସାରି ନିଜର ଦୁଇହାତରେ ମୁଠାଇ ଧରିଲା ନିଜର କେଶଗୁଚ୍ଛକୁ । ସର୍ବାଙ୍ଗରେ ତାର ଫୁଟିଉଠିଲା ଗୋଟିଏ ଅସହାୟ ଭାବ । ତା ଉପରେ ତିର୍ଯ୍ୟକ୍‌ ଦୃଷ୍ଟି ପକାଇ ଶକ୍ତହୋଇ ଠିଆହୋଇଛି ସୁଚରିତା । କରୁଣ ଆଖିରେ ମୁହଁକୁ ତାର ଚାହିଁଲା ତମାଳ । ଦୁଇ ଆଖିରେ ଠିଆହୋଇଛି ସୁଚରିତା । କରୁଣ ଆଖିରେ ମୁହଁକୁ ତାର ଚାହିଁଲା ତମାଳ । ଦୁଇ ଆଖିରେ ତାର ଅନେକ ପ୍ରଶ୍ନ । ସାରା ମୁହଁରେ ତାର ମୁକ୍ତିକାମନାର ଆକୁଳ ଛାୟା ।

 

ଓଠ ବଙ୍କେଇ ହସିଲା ସୁଚରିତା । କହିଲା—ମାନିଲି, ପ୍ରଥମ ଶ୍ରେଣୀର ଅଭିନେତା ତୁମେ; ହେଲେ ଗୋଟିଏ କଥା କହିବି । ମାଧବୀକୁ ମୁଁ ସହିପାରେ ବା ନପାରେ; କିନ୍ତୁ ମାଧବୀ ଅସତୀ, ଏକଥା କହିବା ଆଗରୁ ଜିଭ ଯେମିତି ମୋର ଛିଡ଼ିପଡ଼େ ।

 

ଲଜ୍ଜା, ଘୃଣା, କ୍ରୋଧରେ ସର୍ବାଙ୍ଗ କମ୍ପିଉଠିଲା ତମାଳର । ବିଦ୍ୟୁତ୍‌ବେଗରେ ବସିବା ଜାଗାରୁ ଉଠିପଡ଼ି ଠାଏକରି ଚଟ୍‌କଣିଟାଏ ବସାଇଦେଲା ସୁଚରିତା ଗାଲରେ । ରୁଦ୍ଧ ଗଳାରେ କହିଲା—ମୁଁ ଅଭିନେତା ? ମୁଁ ଚରିତ୍ରହୀନ ? ଆଉ ମହାସତୀ ସେଇ ମାଧବୀ ?

 

ଖଟ ଉପରେ ଶୋଇଥିଲା, ବଡ଼ପୁଅ ଟୁଟୁ । ତମାଳ ପାଗଳ ପରି ଧାଇଁଯାଇ ସେଇ କୁଳପ୍ରଦୀପର ମଥାରେ ହାତଦେଇ ଆକ୍ରୋଶଭରା ସ୍ୱରରେ କହିଲା— ‘‘ମାଧବୀର ସେଇ ପିଲାଟା କଥା ତେଣିକି ଥାଉ, ଏଇ ବର୍ଷକ ମଧ୍ୟରେ ମୁଁ ଯଦି ମାଧବୀକୁ ସ୍ପର୍ଶ ବି କରିଥାଏ, ତେବେ ଆରବର୍ଷ ଏ ଦିନରେ, ଟୁଟୁ ମୋର ନଥିବ ଏ ଘରେ ।’’

 

କଥାସାରି ସେଇ ଖଟ ଉପରେ ମୁହଁଗୁଞ୍ଜି ଶୋଇପଡ଼ି ହଠାତ୍‌ ଫୁଲିଫୁଲି କାନ୍ଦିଉଠିଲା ତମାଳ । ବିମୂଢ଼ ଆଖିରେ ସୁଚରିତା ଚାହିଁରହିଲା ତମାଳ ଆଡ଼େ । ଚାହିଁରହିଥିଲା ଗୋଟାଏ ପୁରୁଷ ଭିତରେ କେମିତି ଛଟପଟ ହେଉଛି ଗୋଟାଏ ଅସହାୟ ଶିଶୁ । ଅବିଶ୍ୱାସିନୀ ଭାଙ୍ଗି ଗୁଣ୍ଡ ଗୁଣ୍ଡ କରିଦେଲା ସେ ମଣିଷଟିର ପଞ୍ଜରାହାଡ଼ଗୁଡ଼ାକ । ସେଇ ବ୍ୟଥା, ଲଜ୍ଜା ଓ ଯନ୍ତ୍ରଣା ବିଭ୍ରାନ୍ତ କରିଦେଉଛି ମଣିଷଟିକୁ । ନହେଲେ ପ୍ରାଣଠୁ ପ୍ରିୟ ଯେଉଁ ପୁଅ, ଛୁଅନ୍ତେ କି ମଥା ତାର !

 

ତମାଳ ପାଖରେ ବସିପଡ଼ି ନିଜ କୋଳରେ ତୋଳିନେଲା ମଥାଟି ତାର । ଆଖିରୁ ତାର ପୋଛିଦେଲା ଲୁହ । ମଥାରେ ତାର ସ୍ନେହସିକ୍ତ ହାତ ବୁଲାଇ କହିଲା–‘‘ତୁମକୁ ଅବିଶ୍ୱାସ କରି ମୁଁ ଭଲ କରିନି, ଅପରାଧ କରିଚି । ତେବେ ତୁମେ ଶାନ୍ତ ହୁଅ । ଗୋଟିଏ କଥା, ଯାହା କହିଥିଲ ଅସ୍ୱୀକାର କରିହେବନି ପିଲାକୁ ତାର । ଘଉଡ଼ିବି ଦେଇହେବନି ଏ ଘରୁ ତାକୁ । ମଥା ତୋଳିପାରିବାନି ଆମେ ଲୋକଲଜ୍ଜାରେ । ତା ଛଡ଼ା ବୋଉ...ତାଙ୍କୁ ବି ବିଶ୍ୱାସ କରାଇହେବନି ମାଧବୀର ଏ ଅପକର୍ମ । ପୁଣି ଆଉ ଥରକ ପାଇଁ ବି ପୁଅମୁଣ୍ଡ ଛୁଇଁବାକୁ ପଡ଼ିବ । ନା, ସେ କଥା ଆଉ ମୁଁ ତୁମକୁ କରାଇଦେବିନି । ବୋଉଙ୍କର ଅନେକ ବିଶ୍ୱାସ, ଅନେକ ଭରସା ସେଇ ମାଧବୀ ଉପରେ । ଅଥଚ କେତେଦିନ ଆଉ ସେଇ ବୋଉଙ୍କ ପରମାୟୁ କୁହ ? କି ଦର୍କାର ତାଙ୍କର ପୁରୁଣା ମନକୁ ଭାଙ୍ଗିରୁଜି ଦେବା । ପରେ କିଛି ଜମି ଦେଇ ଅନ୍ୟ ଜାଗାରେ ମାଧବୀ ପାଇଁ ଛୋଟ ଘରଟିଏ ତୋଳାଇ ଏ ଘରୁ ତାକୁ ଦୂରେଇଦେଲେ ଝିଅ ପରେ ପୁଣି ପୁଅଟିଏ ଆଣିବାର ସାହସ ସେ ନିଶ୍ଚୟ କରିବନି—ଆଉ କଲେ ସେ ବୁଝିବ ତା’ କଥା ।’’

 

ଧୀରେ ଧୀରେ ସୁଚରିତା କୋଳରୁ ମୁଣ୍ଡ ଉଠାଇ ଉଠି ବସିଲା ତମାଳ । ଗଳାରେ ପରାଜୟର ଗ୍ଳାନି ଭରି କହିଲା—ସବୁ ବୁଝିଲି । ହେଲେ..... ଜାଣି ଜାଣି ମୋର ରାଧାମୋହନ ବା ମୋର ନିଷ୍ଠାପରାୟଣା ବିଧବା ବୋଉକୁ ମୁଁ କେମିତି ତା ହାତରେ ଖୁଆଇବି କହିଲ ?

 

କଣ୍ଠରେ ଦୃଢ଼ତା ଭରି ସୁଚରିତା କହିଲା–ସେ’ନେଇ ତୁମେ ଆଦୌ ଚିନ୍ତା କରନି । ଏଥର ସବୁ ସମ୍ଭାଳିନେବି ମୁଁ । ତୁମେ ନିଶ୍ଚିନ୍ତ ରୁହ । ହେଲେ...ଦେଖ, ମାଧବୀ ଆସିଲା ପରେ ତୁମେ ଯେମତି ଏତେ ଟିକିଏ ବି ଅସହିଷ୍ଣୁତା ପ୍ରକାଶ ନକର । ଲଜ୍ଜାରେ ବୁଡ଼ିଯିବ ଆମ ପରିବାର । ସର୍ବପ୍ରଥମେ ଭାବିବାକୁ ହେବ ବୋଉଙ୍କ କଥା...... ଏ ବୟସରେ କୌଣସି ଦୁଃଖ ଯେମିତି ଆଉ ସିଏ ନପାଆନ୍ତି ।

 

ଶୂନ୍ୟଦୃଷ୍ଟିରେ ତମାଳୂ ଚାହିଁରହିଛି ସୁଚରିତାର ମାତୃମୂର୍ତ୍ତି ଆଡ଼େ । ସତରେ ଆଜି ମା’ ପରି ବଳ ହୋଇ, ଭରସା ହୋଇ ପାଖରେ ତାର ଠିଆହୋଇଛି ସୁଚରିତା । ଭଲ ଲାଗୁଛି–ଖୁବ୍‌ ଭଲଲାଗୁଛି ସୁଚରିତାକୁ । ଧୀରେ ଧୀରେ ଶାନ୍ତ ହୋଇଆସିଛି ତମାଳର ମନଟା ।

 

Unknown

ବାହାରେ ମାଘ ମାସ ଶେଷରେ ଚୋରା ବସନ୍ତ । ତା’ରି ମୃଦୁ ପବନ । ତାରି ହାତର କୋମଳ ସ୍ପର୍ଶରେ ଢୁଳ ଓହ୍ଲାଇ ଆସିଲା ତମାଳର କ୍ଳାନ୍ତ ଆଖିପତାରେ । ଆସ୍ତେ ଆସ୍ତେ ସେଇ ଖଟ ଉପରେ ଟୁଟୁ ପାଖରେ ଶୋଇପଡ଼ିଲା ତମାଳ । ଗୋଟିଏ ପତଳା ଚାଦର ଆଣି ତମାଳ ଦେହରେ ଢାଙ୍କିଦେଇ ଦୂରେଇଗଲା ସୁଚରିତା । ଡ୍ରେସିଂ ଟେବୁଲ ଉପରୁ ଚିରୁଣୀଟା ଉଠାଇ ନେଇ ମୁଣ୍ଡ କୁଣ୍ଡାଇଲା ସିଏ ।

 

ଇଏ ଗୋଟାଏ ନୀରବ ନିରୋଳା ମୁହୂର୍ତ୍ତ । ମନର ପ୍ରତିଟି ସ୍ତର ଭରିଗଲା ଅସଂଖ୍ୟ ପ୍ରଶ୍ନରେ । ମାଧବୀର ସନ୍ତାନର ଜନକ ନିଶ୍ଚୟ ତମାଳ ନୁହେଁ । ତେବେ କିଏ ? ମନରେ ଆସିଲା ଶୁଭେନ୍ଦୁ କଥା । ହେଲେ ସେ ବି ତ ଅସମ୍ଭବ ! ଏଠିକି ଆସିବା ମାଧବୀର ବର୍ଷ ହେଲାଣି । ତା’ରି ଭିତରେ ମାତ୍ର ଦୁଇଥର ଶୁଭେନ୍ଦୁ ସାଥିରେ ଦେଖାହୋଇଛି ମାଧବୀର । ଥରେ ମାଧବୀ କେଇଟି ଘଣ୍ଟା ଲାଗି ଯାଇଥିଲା ଗାଁଆକୁ । ସେଥିରେ ଅନ୍ୟକଥା କିଛି ଭାବିବା ଅସମ୍ଭବ । ଆଉ ଥରେ, ଗଲା ପୂଜାରେ, ଏଠିକି ଆସିଥିଲା ଶୁଭଭାଇ । ସେ ବି ମାତ୍ର କେଇଟି ମୁହୂର୍ତ୍ତପାଇଁ । ତେବେ ?

 

ଭାବନାରେ ଭରିହୋଇଆସିଲା ସୁଚରିତାର ମନ । ସ୍ତବ୍‌ଧ ହୋଇ ବସିରହିଲା ସିଏ ଅନେକ ସମୟଲାଗି । ହଠାତ୍‌ ତାର ସେଇ ସ୍ତବ୍‌ଧତାର ଉହାଡ଼ ଭିତରୁ ଉଙ୍କିମାରିଲା ଗୋଟିଏ ମୁହଁ-। ସେ ମୁହଁ....ସେ ମୁହଁ କାହାର ! ଯାହାର ସେ ମୁହଁ, ସେ ଯେ ବଡ଼ ଆଦରର ଏ ଘରର ! ବିଶ୍ୱାସ ଅଥବା ଅବିଶ୍ୱାସର ଅନେକଦୂରରେ ଥାଏ ସେଇ ମୁହଁର ଅଧିକାରୀ ! ଏଇମିତି ଭାବରେ କାହିଁକି ଆଜି ମନେପଡ଼ିଲା ସେଇ ମୁହଁ । କାହିଁକି ମନେପଡ଼ିଲା ଏଇ ଗୋଟାଏ ଜଘନ୍ୟ ମୁହୂର୍ତ୍ତରେ-! ଏମିତି ଗୋଟାଏ ଅକଥା ମନରେ ଆଣଇ ପାପ ଅର୍ଜୁନି ତ ସିଏ ! ଡାକିଆଣୁନି ତ ସଂସାରର ଅମଙ୍ଗଳ ! ଏମିତି କଣ ହୋଇପାରେ ? ଏଇ ପରିବାରଟିର ସମସ୍ତେ ଜାଣନ୍ତି ଯେ ମାଧବୀ ତାକୁ ପୁଅ ବୋଲି ମଣେ । ତେବେ ! ତେବେ ତା ମନରେ କାହିଁକି ଆସିଲା ଏମିତି ଗୋଟାଏ ଅଶୋଭନୀୟ ଅକ୍ଷମଣୀୟ ଭାବନା ? ହଠାତ୍‌ ତାର ମନେହେଲା—ନା ନା, କେହି ନୁହେଁ, କେହି ନୁହେଁ । ନିଦ....ନିଦ ବାଉଳାରେ କେତେବେଳେ ତମାଳ ହିଁ ଉଠି ଚାଲିଯାଇଛି ମାଧବୀ ପାଖକୁ-। ହେଲେ—ସେଇ ବାଉଳା ଭାବଟା କଣ କଟି ନଥିଲା ସେ ଘରୁ ଫେରିଆସିବାବେଳେ ବି ! କଟି ତ ଥିବ ! ତେବେ ପୁଅ ମୁଣ୍ଡ......

 

ଦୁଇ କାନରେ ହାତଦେଇ ନାଆଁ ଆଁ ବୋଲି ଚିତ୍କାର କରିଉଠିଲା ସୁଚରିତା । ତା ଆଖିର ନଈରେ ସୃଷ୍ଟିହେଲା ଭଉଁରି । ସେଇ ଭଉଁରି ଭିତରେ ଦୁଇଟା ମୁହଁ ଚକ୍ରାକାରରେ ଘୂରିବୁଲିଲେ ସେ ମୁହଁ ଶୁଭେନ୍ଦୁ ଆଉ ପରାଗର ।

 

ସୁଚରିତାର ଚିତ୍କାରରେ ନିଦ ଭାଙ୍ଗିଥିଲା ତମାଳର । ବିସ୍ଫାରିତ ଆଖିମେଲି ସେ ଚାହିଁରହିଥିଲା ସୁଚରିତାର ଭୀତତ୍ରସ୍ତ ମୁହଁ ଆଡ଼କୁ । ଶରବିଦ୍ଧା ହରିଣୀ ପରି ଥ‌ରୁଥିଲା ସୁଚରିତା । ବିଭ୍ରାନ୍ତ ଆଖି ଦୁଇଟିରେ ତାର ବିଦୀର୍ଣ୍ଣ ଆତ୍ମାର ଆକୁଳତା । ଆକୁଳତା କଣ ଜାଗୁନି ତମାଳ ମନରେ—ଜାଗୁଛି, ଅନ୍ତରକୁ ତାର ହାହାକାରମୟ କରିଦେଉଛି ସୁଚରିତା ଭିତରର ସେଇ ଗୋପନ ପ୍ରଶ୍ନ । ହେଲେ ଦୁହିଁଙ୍କ ପାଖରେ ଦୁହିଁଙ୍କର ମନୋଭାବ ଅଜଣା । ତେଣୁ ବିମୂଢ଼ ସ୍ୱରରେ ତମାଳ ପଚାରିଲା—କଣ ହେଲା ତୁମର ସୁଚରିତା ? ଖୁବ୍‌ ଜୋର୍‌ରେ ଗୋଟାଏ ଚିତ୍କାର କଲ ବୋଲି ମନେହେଲା ।

 

ନିଜକୁ ଗୋପନ ରଖିବାକୁ ଯାଇ ଅଭିନୟ କରି ହସିଲା ସୁଚରିତା । ତା’ ଓଠର ସେଇ ହସ ବଡ଼ କରୁଣ ଦିଶୁ‌ଥିଲା । ମାୟା ସଞ୍ଚିଲା ତମାଳର ମନରେ । କହିଲା—ଏ ଘରର ମାନମର୍ଯ୍ୟାଦା ସହିତ ଯଦି ଅବିଶ୍ୱାସିନୀ ମାଧବୀ କଥା ଭାବି ଦୁଃଖ ଅଥବା ଯନ୍ତ୍ରଣା ପାଉଥାଅ, ତେବେ ମନରୁ ପୋଛିଦିଅ ସେଇ ସବୁ କଥା; ହାଲୁକା କରିଦିଅ ମନଟାକୁ । ଆମେ ଯେତେବେଳେ ସ୍ଥିର ସିଦ୍ଧାନ୍ତରେ ପହଞ୍ଚୁଚୁ ଯେ, ବୋଉ ଥିବା ପର୍ଯ୍ୟନ୍ତ ତାକୁ ଆମେ ସହିଯିବୁ, ସେତେବେଳେ ଅକାରଣରେ ଆଉ ବ୍ୟସ୍ତ ହୋଇ କଣ ହେବ ?

 

ସ୍ଥିର ଆଖିମେଲି ସୁଚରିତା ଚାହିଁଲା ତମାଳର ହତାଶାଭରା ମୁହଁଟାକୁ । କାହାକୁ ଏ ସାନ୍ତ୍ୱନାର ବାଣୀ ଶୁଣାଉଛି ତମାଳ—ତାକୁ ନା ନିଜକୁ ? ହଁ ନିଜକୁ । ନିଜକୁ ହିଁ ଶୁଣାଉଛି ତମାଳ; ନିଜକୁ ହିଁ ଦେଉଛି ସାନ୍ତ୍ୱନା । ମୁଣ୍ଡକୁଣ୍ଡାଇବାରେ ଏଥର ମନଦେଲା ସୁଚରିତା ।

 

୨୦

 

ତିନିଦିନ ତଳେ ଭିଲାଇରୁ ଟେଲିଗ୍ରାମ୍‌ ଆସି‌ଥିଲା—ସେମାନେ ଫେରିଆସୁଛନ୍ତି । ପରାଗ ଯାଇଛି ସେମାନଙ୍କୁ ଆଣିବାକୁ । ଆଜି ସେମାନେ ଏଠାରେ ପହଞ୍ଚିବେ । ଚାରୁଲତା ଠାକୁରଘରେ ବଢ଼ାଇଦେଇଛନ୍ତି ପୂଜାର ଆୟୋଜନ । ତାଙ୍କ ଗୋଡ଼େ ଗୋଡ଼େ ଘୁରିବୁଲୁଛି ଚାନ୍ଦ । ସର ନାନୀର ନିଶ୍ଚିନ୍ତ ବିଶ୍ରାମ ହଠାତ୍‌ ସରିଯାଇଛି । ବଡ଼ବୋହୂ ସାଆନ୍ତାଣୀଙ୍କୁ ତାର ପ୍ରାଣେ ଡର । ଲାଗିଯାଇଛି ଝଡ଼ା–ପୋଛାରେ । ଝକ୍‌ଝକ୍‌ କରିଦେଇଛି ତଳ ଉପର । ଅବହେଳିତ ରୋଷେଇଘର ପୁଣି ଦିଶିଲାଣି ଉଜ୍ଜ୍ୱଳ । ଅବଶ୍ୟ ପନ୍ଦର ଦିନ ହେଲାଣି ରୋଷେଇଘରେ ପଶିଲାଣି ସୁଚରିତା; ରନ୍ଧାବଢ଼ା କରୁଛି; ମାଧବୀକୁ ଅନୁକରଣ । ଶାଶୁଙ୍କର ନେଉଛି ଅନେକ ଯତ୍ନ । ଖୁସିଅଛନ୍ତି ତା ଉପରେ ଚାରୁଲତା । ପାଞ୍ଚଠା ରାନ୍ଧି ପାଖରେ ବସି ଶାଶୁଙ୍କୁ ଖୁଆଇଛି ସୁଚରିତା; ମାଧବୀ ହାତର ରନ୍ଧାପରି ଲାଗୁନି ସୁସ୍ୱାଦୁ; ନ ଲାଗୁ—ତଥାପି ତ କରୁଛି ସୁଚରିତା, ଭାବୁଛି ତ ତାଙ୍କ କଥା ଖାଉ ଖାଉ ହସନ୍ତି ଚାରୁଲତା, ସ୍ନେହସିକ୍ତ କଣ୍ଠରେ କହନ୍ତି—ମାଧବୀର କାମଗୁଡ଼ାକ ତୁ ଯେ ଦିନେ ଏମିତିକରି ଘର ସମ୍ଭାଳିନେବୁ, ଏ କଥା ସ୍ୱପ୍ନରେ ସୁଦ୍ଧା ମୁଁ ଭାବି ନଥିଲି । ହଁ କାହିଁକି କରିବୁନିମ । ପିଲାଳିଆ ଢଙ୍ଗ କଣ ସବୁଦିନେ ଥାଏ ? ତୋରି ତ ମା’ ସବୁ । ତୁ ନ ଦେଖିଲେ, ତୁ ନ କରିଲେ କିଏ ଆଉ କରିବ, ସବୁଦିନେ ଥାଏ ? ତୋରି ତ ମା’ ସବୁ । ତୁ ନ ଦେଖିଲେ, ତୁ ନ କରିଲେ କିଏ ଆଉ କରିବ, ଦେଖିବ କହ ? ମାଧବୀର ଝିଅ ହୋଇଚି । ସେଇ ଝିଅର ପରମାୟୁକୁ ମୁଁ ବିଶ୍ୱାସ କରେନି । ଭଲମନ୍ଦ ହେଲେ ସେ କଣ ଆଉ ଫେରି ଚାହିଁବ ଏ ଘରକୁ ! ନା ନା । ତେଣୁ କହୁଥିଲି ଏଇ ସବୁ ତୋର–ତୋରି ପିଲାଙ୍କର । ପାଞ୍ଚପଇସା ବିନର୍ବୟ ହେଲେ କାହାର ଯିବ କହ ?

 

ସବୁ ତାଆର !! ମନେ ମନେ ବିଷାକ୍ତ ହସ ହସେ ସୁଚରିତା । ଭାବେ—ଆରବର୍ଷ ଏ ଦିନକୁ ଯଦି ପୁଣି ପୁଅଟିଏ ଜନ୍ମକରେ ମାଧବୀ, ତେବେ ତ ସବୁ ହୋଇଯିବ । ତଥାପି ଭଲଲାଗେ ଶାଶୁଙ୍କର କଥା, ବ୍ୟବହାର—ସବୁକିଛି ।

 

ଆଜି ଆସୁଛି ମାଧବୀ ତାର ଝିଅକୁ ନେଇ । ଶାଶୁଙ୍କ ମନରେ ଅପାର ଉଲ୍ଲାସ । ବିରକ୍ତ ବୋଧ କରୁଛି ଶାଶୁଙ୍କର ଉଲ୍ଲାସର ଅତିଶଯ୍ୟରେ ସୁଚରିତା; ହେଲେ କିଛି କହିବାର ତ ବାଟ ନାହିଁ-। ତେଣୁ ନୀରବରେ ଅନେକ କିଛିରେ ସହଯୋଗ କରୁଛି ସିଏ । ଆଉ ତମାଳ ? ସେ ? ଆଜି ସେ ଅଫିସକୁ ଯାଇନି । ସେଇ କଥା ମନେକରାଇ ଦେବାରୁ ବିରକ୍ତ

 

ହୋଇଛି ସିଏ ସୁଚରିତା ଉପରେ । ସ୍ତବ୍‌ଧ ହୋଇ କ୍ଷଣେ ଠିଆ ହୋଇଛି ସୁଚରିତା । ଏ ଘରର ମାନମର୍ଯ୍ୟାଦା କଥା କହି ସଚେତନ କରାଇଦେଇଛି ସେ ତମାଳର ମନକୁ । ମୁହୂର୍ତ୍ତକ ଲାଗି ଶାନ୍ତ ହୋଇଯାଇଛି ତମାଳ । ସୁଚରିତା ଘର ଛାଡ଼ି ଚାଲିଯିବା ପରେ, ପୁଣି ମନର ସେଇ କ୍ଷୀଣ ଆଲୋକଟିକକ ବିଲୀନ ହୋଇଛି ନିଜ ଭିତରର ଅଶାନ୍ତିର ଅନ୍ଧକାରରେ । ଅଶାନ୍ତ, ଅସ୍ଥିର ତମାଳ-। ମନ ତାର ଘୂରିବୁଲୁଛି ଲକ୍ଷ୍ୟହୀନ ଭାବରେ । ଛାତିତଳେ ତାର ସୃଷ୍ଟି ହେଉଛି ବ୍ୟଥାର ମନ୍ଥନ-

 

ସବୁରି ମନର ସବୁ ଭାବନାକୁ ତୁଚ୍ଛକରି ଉପେକ୍ଷା କରି, ମାଧବୀ ପହଞ୍ଚିଲା ଆସି ମୋହନ ଭୀଲାରେ । କୋଳରେ ତାର ପଦ୍ମହୋଇ ଫୁଟିରହିଛି ମାସକର କନ୍ୟା । ଚାରୁଲତା, ଚାନ୍ଦ, ନିରୁପମା, ଆହୁରି କେଇଜଣଙ୍କର ଲାଗିଲା ସେଇ ଝିଅକୁ କୋଳକୁ ନେବାପାଇଁ ଟଣାଓଟରା । ମାଧବୀର ଓଠକୋଣରୁ ଝରୁଛି ହସର ମୁକ୍ତା । ତାର ସେଇ ହସକୁ ଦୂରରୁ ଚାହିଁ ଦେଖୁଛି ତମାଳ । ଦୁଇ ଆଖିରୁ ତାର ଝରୁଛି ମୁଠା ମୁଠା ଅଗ୍ନିକଣା ।

 

ସାରାଘର ଆଲୁଅ କରି ଘୂରିବୁଲୁଛି ମାଧବୀ । ବଙ୍କିମ ଆଖି ଦୁଇଟିରେ ଦୁନିଆର ଘୃଣା ଭରି ସୁଚରିତା ଚାହିଁରହିଛି ମାଧବୀର ହସିଲା ପ୍ରସ୍ଫୁଟିତ ମୁହଁକୁ । ମାଧବୀର ନିର୍ଲ୍ଲଜ୍ଜ ଆନନ୍ଦକୁ ନିରେଖି ପଥର ପାଲଟିଯାଉଛି ତାର ସାରା ଅନ୍ତର । ସ୍ତବ୍‌ଧ ହୋଇ ଠିଆହୋଇ ରହିଛି ସିଏ ରୋଷେଇଘର ପିଣ୍ଡାରେ । ମଝି ଅଗଣାରୁ ଆସି ପହଞ୍ଚିଲା ପରାଗ । ନିରୁପମାଙ୍କ ମୁହଁରେ ଆଖିରଖି କହିଲା—ଆ ବୋଉ ଯିବା, ପୁଣି ମୁହଁ ବୁଲାଇ ଚାହିଁଲା ଚାରୁଲତାଙ୍କ ଆଡ଼କୁ । କହିଲା–ଜାଣିଚ ବଡ଼ମା’, ସରକାର ମତେ ଦୁଇବର୍ଷ ପାଇ ବିଲାତ ପଠାଉଛି । ଆଉ ପନ୍ଦରଦିନ ପରେ ମତେ ଚାଲିଯିବାକୁ ହେବ । ଆଜି କିନ୍ତୁ ମୁଁ କଟକ ଚାଲିଯାଉଛି । ଆଉ ଫେରିବିନି; କାରଣ ସେଠି ମୋର ଅନେକ କାମ । ଏଇ ପନ୍ଦର ଦିନ ଭିତରେ ମତେ ସବୁ କାମ ସାରିବାକୁ ପଡ଼ିବ ।

 

କଥା ସାରି ପୁଣି ମୁହଁ ବୁଲାଇଲା ସୁରମାଙ୍କ ଆଡ଼କୁ । କହିଲା—ତୁମେ କିଛି ଚିନ୍ତା କରନି ଖୁଡ଼ୀ । ସବୁ ମୁଁ ଠିକ୍‌ କରିଦେଉଛି । ଖାଲି ସାନକକା ଯାଇ ତାଙ୍କ ଘରେ କଥା ପକାଇଲେ ହେଲା । କରବୀକୁ ଖୁବ୍‌ ମାନିବ ରାଜେଶ୍‌ । ବାପା ତାର ଏଡ଼େବଡ଼ ଜଣେ ମାନୀଲୋକ । ପୁରୁଣାକାଳିଆ ଜମିଦାର, ହେଲେ କଣ ହେବ–ଟିକିଏ ବୋଲି ଅହଙ୍କାର ନାହିଁ । ପୁଅ ଡେପୁଟି ମାଜିଷ୍ଟ୍ରେଟ । ତଥାପି ଭଦ୍ରଲୋକଙ୍କ କଥାରେ କେତେ ନମ୍ରତା । ଏଥର କକା ଯାଇ କଥାପକାଇଲେ ହେଲା ।

 

ବିହ୍ୱଳ ଦୁଇଟି ଆଖିମେଲି ସୁରମା ଚାହିଁରହିଛନ୍ତି ପରାଗର ମୁହଁକୁ । କରବୀ ବିଭାହେବ, ଶାଶୁଘର ଯିବ, ଏ କଣ ଗୋଟାଏ ବିଶ୍ୱାସ କରିବାର କଥା ! ମଲା ହଜିଲା ତାଲିକାରେ ନାଁ’ଟା ଯାହାର ଭରିଦେଇଛନ୍ତି ସେମାନେ—ସେଇ ଝିଅଟା ବାହାହେବ ! ତା ପାଇଁ ବରଘର ପୁଣି ଠିକ୍‌ ହୋଇଗଲାଣି !!!

 

ଚାରୁଲତାଙ୍କର ଅବୁଝା ମନ କିନ୍ତୁ ଗୁମୁରିଉଠିଲା ମୁହୂର୍ତ୍ତକେ । ରୁଦ୍ଧ ଅଭିମାନରେ ଗଳା ଭାରୀକରି କହିଲେ—ବାଃ, ତା କେମିତି ହବରେ । ଆଉ ଦୁଇମାସ ପରେ କରବୀର ବାହାଘର କରିଦେବା । ତାପରେ ଏକୋଇଶିଆ ହୋଇନି ମୋ ନାତୁଣୀର । ଇଆଭିତରେ ଭଲକରି କରିବି ଗୋଟାଏ ପାଲାପୂଜା । ଏତେ କଥା ହେବ ଏ ଘରେ—ଆଉ ତୁ ରହିବୁନି ଏଠି ? ସେ ସରକାରକୁ କହିଦେ, ଆଉ ତିନିମାସ ଗଲେ ତୁ ଯିବୁ ଏଠୁ ।

 

ହସିଉଠିଲା ପରାଗ । ଗଳାରେ କୌତୁକ ଭରି କହିଲା—ସେ କଣ ମୋର ଶ୍ୱଶୁର ଯେ ମୋ କଥା ଶୁଣିବ ?

 

ମାଧବୀ ନିରୁପମାଙ୍କ ଆଖିରେ ଆଖି ରଖି କହିଲା—ଜାଣିଚ ବଡ଼ଖୁଡ଼ୀ, ମତେ ରାସ୍ତାରେ ପରାଗ କହୁଥିଲେ ଯେ—ସେ ସିଆଡ଼ୁ ସିଆଡ଼ୁ ମେମ୍‌ଟେ ବାହାହୋଇ ଆସିବେ–ବାହାହେବେନି ଇଆଡ଼ିକାର କୋଉ ଝିଅକୁ । ଯେତେ ଶୀଘ୍ର କଟକ ଛାଡ଼ିଲେ ତାଙ୍କର କୁଆଡ଼େ ମଙ୍ଗଳ । ଆଉ ସେ କେମିତି ଏଇଠି ରହିବେ ସମସ୍ତିଙ୍କ ଆନନ୍ଦରେ ଆନନ୍ଦ ମିଶାଇବାକୁ ?

 

ସ୍ମିତ ହସିଲେ ନିରୁପମା, କହିଲେ—ଯାହାକୁ ବି ସିଏ ବାହାହେଉ, ସବୁ କଥାରେ ମୋର ଆନନ୍ଦ ।

 

ଚାରୁଲତା ତେଜିଲା କଣ୍ଠରେ କହିଲେ—ଆଉଉ...କିଆଁ ନ କହୁଚ ମ, ପାଠ ପଢ଼ିଛି ବୋଲି ମେଳେଛିଆଣୀଟେ ଆଣି ନାଁ ପକାଇବ ପୁଅ, କିଇ..... ଫୁଲେଇ ମାଆଲୋ ତୁ । ଛାଡ଼ ଛାଡ଼ ଅକଥାଗୁଡ଼ାକ । ହେଲେ ତତେ ମୁଁ କଦାପିହେଲେ ଏଇନେ ଗାଁ ଛଡ଼ାଇଦେବିନି ।

 

ଧୀର ପାଦରେ ତମାଳ ଆଗେଇଆସିଲା ପରାଗ ପାଖକୁ । କାନ୍ଧରେ ତାର ହାତରଖି କହିଲା—କିରେ, ସମସ୍ତେ ଖୁବ୍‌ ଆଦର କରୁଛନ୍ତି ଝିଅକୁ–କିନ୍ତୁ ତୁ ତ କରୁନୁ ?

 

ଢୋକ ଗିଳିଲା ପରାଗ, କହିଲା—ମୁଁ ? ମୁଁ ତା ବାଟରେ କାଟିଥିବା ଏଇ ତିନିଦିନଯାକ ଖୁବ୍‌ ଆଦର କରିଛି ତାକୁ । ସେ ତ ମୋରି କୋଳରେ କଟାଇ ଦେଇଛି ଏଇ ତିନିଟା ଦିନ ।

 

ଓଓ.... କହି କାନ୍ଧରୁ ତାର ହାତ ଖସାଇନେଲା ତମାଳ, କଣ୍ଠରେ କି ଗୋଟାଏ କଥା ଗୁଣୁଗୁଣୁ ହେଉ ହେଉ ଚାଲିଗଲା ଅନ୍ୟଆଡ଼କୁ ।

 

ମାଧବୀର କୁଞ୍ଚିତ ଆଖିକୋଣରେ ଚାପାହସ ଝିଲିମିଲି ହେଲା । ବଙ୍କିମ ଓଠ କୋଣରେ ବିଦ୍ରୂପର କ୍ଷୀଣ ସଙ୍କେତ । ନିରୁପମା ଚାଲିଗଲେ ପରାଗର ହାତଧରି ।

 

ସେଇ ଦିନ ରାତ୍ରି ଶେଷ ପ୍ରହରରେ ପରାଗ ବିଦାୟ ନେଲା ତାର ଅଶ୍ରୁମୁଖୀ ବୋଉ ପାଖରୁ, କହିଲା–କାନ୍ଦନା ଜମା । ଦୁଇଟା ବର୍ଷ ଦେଖୁ ଦେଖୁ ପାହିଯିବନି କି ?

 

ପରାଗ ସକାଳୁ ଚାଲିଯାଇଥିବା ଖବର ଯାଇ ଗୁମ୍‌ ମାରିଗଲେ ଚାରୁଲତା ।

 

ଠିକ୍‌ ଦୁଇଦିନ ପରେ—ଖୁବ୍‌ ସମାରୋହରେ ପାଳିତହେଲା ଝିଅପାଇଁ ପାଲାପୂଜା । ଦିନରାତି ଚାରୁଲତାଙ୍କ କୋଳରେ ବିରାଜୁଛି ମାଧବୀର ସୁନ୍ଦର ଝିଅଟି—ନାମ ଦିଆଯାଇଛି ତୃଷ୍ଣା ।

 

ଭିତରଟା ଜଳିଜଳି ନିଃଶେଷ ହୋଇଯାଉଛି ତମାଳର । ମାଧବୀକୁ ଥରେ ନିଭୃତରେ ପାଇବାକୁ ତାର ଖୁବ୍‌ ଇଚ୍ଛାହେଉଛି । ଇଚ୍ଛା ହେଉଚି ମାଧବୀର ଗୋଲାପୀ ରଙ୍ଗର କୋମଳ ଗ୍ରୀବାଟାକୁ ଖୁବ୍‌ ଶକ୍ତ ହାତରେ ଚାପିଧରିବାକୁ । ଇଚ୍ଛା ହେଉଛି ତାର ସେତିକିବେଳକାର ମୃତ୍ୟୁନୀଳ ମୁହଁରେ ଥରଥରକରି ଅନେକ ଥର ଛେପ ପକାଇବାକୁ; କିନ୍ତୁ..... କିନ୍ତୁ ସଇତାନୀଟା ଭାରି ଚାଲକ, ପୁଣି ଦୂରେଇଯାଇଛି ସିଏ । ବନ୍ଦୀସିଂହପରି ଦିନରାତି ଆକ୍ରୋଶରେ ଫୁଲୁଛି ତମାଳ ।

 

ଆହୁରି ପନ୍ଦରଦିନପରେ.......

 

ମାଧବୀ ଧୀର ପାଦରେ ଠିଆହେଲା ଯାଇ ରୋଷେଇଘର ଦୁଆରେ । ଚୁଲି ପାଖରେ ବସି ରନ୍ଧାରେ ମନୋନିବେଶ କରିଛି ସୁଚରିତା । ଆଖି କୋଣରେ ମୁଗ୍‌ଧତା ଭରି ମାଧବୀ ଚାହିଁରହିଲା ସୁଚରିତାର ମୁହଁକୁ । ଆନନ୍ଦରେ କହିଉଠିଲା ଅନାଦି—ଆସିଗଲେ ବଡ଼ମା’, ଏଥର ସାନମା’ଙ୍କର ଛୁଟି ।

 

ମୁହଁ ଫେରାଇ ସୁଚରିତା ଚାହିଁଲା ମାଧବୀର ମୁହଁକୁ । ଧୀରେ ଉଠିଆସିଲା ଦୁଆର ପାଖକୁ । ଅନାଦି ଉଦ୍ଦେଶ୍ୟରେ କହିଲା—ନାଇଁ ଅନାଦି, ମୁଁ କଣ ରୋଷେଇ ଘର ଏଇନେ ଆଉ ଛାଡ଼ୁଛି ନା ଠାକୁରଘର କାମ ଛାଡ଼ୁଚି ? ନାନୀ ଏଇନେ ଦୁର୍ବଳ ଅଛନ୍ତି; ବର୍ଷ ଧରି ଆଗ ବିଶ୍ରାମ ନିଅନ୍ତୁ, ତାପରେ ଯାଇ ଯୋଉ କଥା ।

 

ଖୁସିହେଲା ଅନାଦି, କହିଲା—ଠିକ୍‌ ତ, ଠିକ୍‌ କଥା । ବିଶ୍ରାମ ତାଙ୍କର ଅନେକ ଦରକାର-। ତାପରେ, ସାନ ଥାଉ ଥାଉ ବଡ଼ ଆସି କଣ ପାଇଁ ଏସବୁ କରିବେ ଯେ ?

 

ସମସ୍ତଙ୍କ ଗଳାରେ ତା ଲାଗି ଦରଦ । ସେ କିନ୍ତୁ ଗ୍ରହଣ କରୁନି କାହାରି ସହାନୁଭୂତି । କାରଣ, ଏ ଘରେ ମୂଲ୍ୟ ତାର କେତେ ଟିକିଏ ? କାମଦାମ କରେ ବୋଲି ତ ସଭିଙ୍କ ମନରେ ସିଏ ଆସନ ବିଛାଇ ବସିଛି । ମାଧବୀ ନହେଲେ ଯଦି ସବୁ ଅଚଳ ନ ହେଲା, ତେବେ କିଏ କାହିଁକି ସହିବ ତାକୁ ? ଆଉ ସିଏ ବା ବଞ୍ଚିବ କେମିତି ? ତାର ସେ ଅନେକ ଦୁଃଖ, ଅନେକ ଯନ୍ତ୍ରଣା । ସେସବୁକୁ ଭୁଲିଯିବାକୁ ହେଲେ ଯେ ତାର ଅନେକ ଶ୍ରମର ପ୍ରୟୋଜନ । ତେବେ......

 

ରୋଷେଇଘରର ଚଉକାଠ ଆରପଟକୁ ପାଦ ବଢ଼ାଇବା ମାଧବୀ । ବିବର୍ଣ୍ଣ ମୁହଁନେଇ ବାଟ ଓଗାଳିଲା ଆସି ସୁଚରିତା । କେମିତି ଗୋଟାଏ ଶକ୍ତ ଗଳାରେ ରହି ରହି କହିଲା—ନା, ତୁମେ କାମ କଲେ ବୋଉ ଦୁଃଖ ପାଇବେ । ବର୍ଷଟିଏ ଅନ୍ତତଃ ତୁମେ ବସ ନିଶ୍ଚିନ୍ତ ହୋଇ ।

 

ବିରକ୍ତ ହେଲା ମାଧବୀ । ଅସହିଷ୍ଣୁ କଣ୍ଠରେ କହିଲା–ବୋଉ ଗୋଟାଏ ଦୁଃଖ ପାଇବେ କଣ ମ ! ମୁଁ ତ କାମ ନ କଲେ ରହିପାରିବିନି ।

 

ସୁଚରିତା ଓଠ କଣରେ ହସି କହିଲା—ଝିଅଟାକୁ ଅଣହେଳା କରି କାମ କରିବ ତୁମେ-? କାହିଁକି ? ମୁଁ ତ ଅଛି । ଝିଅକୁ ଦେଖ, ନହେଲେ ବୋଉଙ୍କ ସାଥିରେ ଗପକର । କିଛି ନହେଲେ ବହି ପଢ଼—କାମପାଇଁ ଏତେ ବ୍ୟସ୍ତ କାହିଁକି ?

 

ମୁହଁ ଛାଟି ଗାରୁଗାରୁ ହୋଇ ମାଧବୀ କହିଲା—ବାଜେ ତର୍କ କରିବାକୁ ମତେ ଭଲଲାଗେନି । କାଲିଠୁ ଭୋରରେ ଆସି ମୋର ମୁଁ ରୋଷେଇଘରେ ପଶିବି । କି ଆଶ୍ଚର୍ଯ୍ୟ ! ମୋର ସାମାନ୍ୟ ଟିକିଏ ଶାନ୍ତିରେ ବି ଭାଗ ବସାଇବାକୁ ଏଙ୍କର ମନ !!

 

ଚାଲିରେ ଶବ୍ଦ ସୃଷ୍ଟିକରି ମାଧବୀ ଚାଲିଗଲା ସ୍ଥାନ ଛାଡ଼ି । ସ୍ତବ୍‌ଧ ଆଖି ଦୁଇଟି ଜଳିଲା ସୁଚରିତାର । ଏକ ନିଷ୍ଠୁର ପ୍ରତିଜ୍ଞାରେ ଦୃଢ଼ ହୋଇଉଠିଲା ତାର ସାରା ମୁହଁର ମାଂସପେଶି ତଳ ଓଠକୁ ଦାନ୍ତରେ ଚାପି ସୁଚରିତା ଚାହିଁରହିଲା ମାଧବୀର ଚାଲିଗଲା ବାଟକୁ ।

 

ମାଧବୀର କଥା ଆଉ କାମ ଏକ । ନିଶ୍ଚୟ ସିଏ ଏ ଘରକୁ ଆସିବ କାଲି ସକାଳେ । ଅସ୍ଥିର ହେବ ତମାଳ । ହେବ ଅସହିଷ୍ଣୁ । ଅନ୍ୟ କୌଣସି ଉପାୟ ନାହିଁ, ଯେଉଁଥିରେ ରୋକିହେବ ମାଧବୀର ଇଚ୍ଛାକୁ । ଏକମାତ୍ର ସତ କଥାର ଏକାଘ୍ନୀ ଲୋଡ଼ା ମାଧବୀ ପାଇଁ । ନହେଲେ ଆଉ କେଉଁଥିରେ ହେଲେ ଘାଏଲ ହେବନି ସେଇ ଯାଦୁକରୀ ମାଧବୀ ।

 

ନିଜକୁ ଧୀରେ ଧୀରେ ପ୍ରସ୍ତୁତ କଲା ସୁଚରିତା । ମନେ ମନେ ଆହୁରି ଗୋଟିଏ କଥା ବି ଭାବିନେଲା ସିଏ । ସତକଥା ଶୁଣିଲେ କେମିତି ଦିଶିବ ମାଧବୀ ! ନା ସ୍ୱାମୀଘରେ ରହିବାର ଆଳ ଦେଖାଇ ଗର୍ଜି ଉଠିବ କ୍ରୁଦ୍ଧ ସିଂହୀ ଭଳି ! ଯେତେ ଗର୍ଜୁ, ଉତ୍ତର ତ କିଛି ଗୋଟାଏ ଦେବ ସିଏ । ଦେବାକୁ ହିଁ ତ ପଡ଼ିବ । ହେଲେ ଉତ୍ତର ଦେବ ସିଏ ! ସ୍ୱାମୀର ଅସ୍ୱୀକାରକୁ କେଉଁ ମନରେ ଗ୍ରହଣ କରିବ ସିଏ !

 

ପୋଡ଼ା ତରକାରିର ବାସନାରେ ହଠାତ୍‌ ରୁଦ୍ଧ ହୋଇଗଲା ସୁଚରିତା । ଚଞ୍ଚଳ ପାଦରେ ଧାଇଁଯାଇ ବସିପଡ଼ିଲା ଚୁଲି ପାଖରେ ।

 

ସେଇଦିନ ଗୋଧୂଳିରେ । ସବୁଦିନପରି ନିଜକୁ ଆଉ ଝିଅକୁ ଅପରୂପ କରି ସଜାଇ ମାଧବୀ ଉଠିଯାଉଥିଲା ତେତାଲାର ଛାତ ଉପରକୁ । ରେଶମପରି ଝିଅଟାର ମୁଣ୍ଡରେ ମୁଣ୍ଡେ ହେବ ବାଳ । କାହାପରି ଦିଶୁଚି ବାରିହେଉନି, ନ ହେଉ; କିନ୍ତୁ ଅଦ୍‌ଭୁତ ସୁନ୍ଦର ହୋଇଛି ଝିଅଟା । ଦେହର କୋଟ୍‌ଟା ଉତାରିବାକୁ ଯାଇ ଠିଆହୋଇପଡ଼ିଥିଲା ତମାଳ । ମୁଗ୍‌ଧ ହୋଇଯାଉଥିଲା ଝିଅଟାର ଫୁଲା ଫୁଲା ମୁହଁରେ ଆଖି ରଖି ।

 

ହଠାତ୍‌ କାନରେ ପଡ଼ିଲା ତାର ମାଧବୀର କଥା । କେତେ ଜାତିର ସ୍ନେହଗୋଳା କଥା କହି ଉପରକୁ ଉଠିଯାଉଛି ମାଧବୀ । ସବୁ ପାସୋରି ପୁଣି ଜଳିଉଠିଲା ତମାଳର ଦୁଇ ଆଖିତାରା । ଗୋଟାଏ ଭୀଷଣ ହଂସ୍ରଭାବ ଆସି ଶକ୍ତକରିଦେଲା ତାର ସାରା ସତ୍ତାକୁ । ଦାନ୍ତରେ ଦାନ୍ତ ଚାପିଲା ତମାଳ । ଏଇ ସମୟରେ ତଳୁ ଉଠିଆସି ବାରଣ୍ଡାରେ ପାଦଦେଲା ସୁଚରିତା । ସେ ମନେ ମନେ ବିଚଳିତ ହେଲା ତମାଳର ରୂପ ଦେଖି । କିନ୍ତୁ କାରଣ କଣ; ତମାଳର ଆଖି ଦୁଇଟି ନିବଦ୍ଧ ହୋଇ ରହିଛି ତେତାଲାର ପାହାଚ ଉପରେ । କାରଣଟା ବୁଝିବାକୁ ସମୟ ଲାଗିଲାନି ସୁଚରିତାର । ଏଇକ୍ଷଣି ଏଇ ବାଟଦେଇ ଛାତି ଉପରକୁ ଯାଇଛି ମାଧବୀ । ସେଇ ମାଧବୀ ଭରିଦେଇଯାଇଛି ଅଶାନ୍ତି । ଶାନ୍ତ ହାତ ପାପୁଲିରେ ଆଉଁସି ଦେଲା ସୁଚରିତା ତମାଳର କପାଳକୁ । କହିଲା–ଜଳଖିଆ ନେଇ ଆସୁଛି ମୁଁ । ତୁମେ ମୁହଁ ହାତ ଧୋଇ ଆସ ।

 

ଶାନ୍ତହେଲା ତମାଳ । କହିଲା–ହଁ, ଅନେକଗୁଡ଼ାଏ କେଶ୍‌ ବି ମୋର ଅଛି କାଲିକି । କିଛି ମତେ ଏଇକ୍ଷଣି ଦେଖିବାକୁ ପଡ଼ିବ । କେତେଜଣଙ୍କର ଆସିବାର ବି ଅଛି । ଶୀଘ୍ର ମୁଁ ତଳକୁ ଚାଲିଯିବି । ଆଣ ଜଳଖିଆ । ଭୋକ ବି ଲାଗୁଛି ।

 

ତମାଳକୁ ଜଳଖିଆ ଖୁଆଇ ତଳକୁ ପଠାଇଦେଇ ଏଥର ଧୀରେ ସୁସ୍ଥେ ଉପରକୁ ଉଠିଗଲା ସୁଚରିତା; ଆଜି ଏ ବେଳାର ରୋଷେଇ ଦାୟିତ୍ୱଟା ଦେଇ ଆସିଛି ଅନାଦି ହାତରେ । ଚିଲକୋଠାର ଛୋଟ ଦୁଆରଟା ଧରି ଥମ୍‌କି ଠିଆହୋଇ ପଡ଼ିଲା ସୁଚରିତା । ଛାତକୋଣରେ ଚୁପ୍‌ଚାପ୍‌ ବସିରହିଛି ମାଧବୀ । ଗୋଟାଏ କଡ଼ରୁ ଦିଶୁଛି ମାଧବୀର ଆନମନା ମୁହଁଟା । ଆଖି ଦୁଇଟି ଆକାଶରେ ନିବଦ୍ଧ । ପ୍ରତିମାଟିଏ ପରି ବସିରହିଛି ମାଧବୀ । ଆଃ, କି ଅପୂର୍ବ ଦିଶୁଛି ସେ । ଦିଷୁଛି ମଧ୍ୟ କେଡ଼େ ପବିତ୍ର !

 

ସ୍ଥାଣୁ ପାଲଟି ଠିଆହୋଇ ରହିଛି ସୁଚରିତା । ମାଧବୀ ଭାବନାର ଅତଳରେ ବୁଡ଼ିଯାଇଥିଲେ ମଧ୍ୟ ତାର ହାତଟି ଖେଳୁଛି ଝିଅ ବେକ ହାରର ବଡ଼ ଲକେଟଟା ନେଇ । ଭାରି ସୁନ୍ଦର ଲକେଟଟା । ଝିଅର ପାଲାପୂଜାଦିନ ଶାଶୁ ଡକାଇପଠାଇଥିଲେ ଶୁଭଭାଇକୁ । ଦିନସାରା ବି ଝିଅଟାକୁ ଛାତିରେ ଜାକିରଖିଥିଲେ । ଏଇ ହାରଟା ଝିଅ ବେକରେ ପିନ୍ଧାଇଦେଇ ସେ କଲ୍ୟାଣ କରିଥିଲେ, କହିଥିଲେ—ମାଧବୀ, କି ନାଆଁ ଗୋଟାଏ ଦେଲୁମ ଝିଅର ? ତୃଷ୍ଣା ପୁଣି ଗୋଟାଏ କି ନା ?

 

ମୃଦୁହସି ଦୁଇ ଆଖିଡ଼ୋଳାରେ ପାଣିଭରି ମାଧବୀ କହିଥିଲା—ଶୁଭଭାଇ, ମୋ ଜୀବନର ଅନେକ ତୃଷ୍ଣାରେ ଯିଏ ଆସିଲା ବିନ୍ଦୁଟିଏ ଶିଶିରହୋଇ, ହରିନେଲା ମୋର ସକଳ ତୃଷ୍ଣା, ନାଁ ତାର ଆଉ କଣ ହୋଇପାରେ ? ତାର ଏଇ ନାଆଁଟା ମତେ ଟିକିଏ ମନେ କରାଇ ଦେବ ମୋର ବିଗତ ଜୀବନର ଭୁଲିଗଲା ଅନେକ କଥା ।

 

କିନ୍ତୁ କେହି ସେମାନେ ଜାଣିପାରିଲେନି–ତାଙ୍କରି କଥାଗୁଡ଼ାକ କାନେଇ କାନେଇ ସବୁ ଶୁଣୁଥିଲା ତମାଳ । ମାଧବୀର ନୋଇଁଲା ଚିବୁକକୁ ହାତରେ ତୋଳିଧରି ସସ୍ନେହ କଣ୍ଠରେ ଶୁଭେନ୍ଦୁ କହିଲା—ଏଇ ଦେଖ । କେଡ଼େ ବାୟାଣୀଲୋ ତୁ ! ଏତିକି କହିବାକୁ ଯାଇ କାନ୍ଧିପକାଇଲୁ ? କାହିଁକି କାନ୍ଦୁ ତୁ ଏତେ ? ଭଗବାନ ମନକୁ ତୋର ପରିପୂର୍ଣ୍ଣ କରିଦେଇଛନ୍ତି । ଦେ‌ଖିଲୁ କି ସୁନ୍ଦର ମୁହଁ ତୋର ଝିଅଟାର ? ଅବିକଳ ହୋଇଛି ତମାଳପରି ।

 

କଥାସାରି ଝିଅଟାକୁ ଆଦର କରିବାରେ ଲାଗିଗଲା ଶୁଭେନ୍ଦୁ । ତମାଳ କିନ୍ତୁ ଠିକ୍‌ ଦେଖିଛି, ଶୁଭେନ୍ଦୁର କଥାରେ ଭୀଷଣ ଭାବରେ ଚମକିଉଠିଲା ମାଧବୀ । ଭ୍ରୂକୁଞ୍ଚନ କରି ଝୁଙ୍କିପଡ଼ି ଚାହିଁଥିଲା ଝିଅଟାର ମୁହଁକୁ । ପଲକ ପଡ଼ୁନଥିଲା ତାର । କଣ ଝିଅ ମୁହଁରେ ଦେଖୁଛି ମାଧବୀର ? କାହିଁକି ଦେଖୁଛି ସେମିତି ଆଖିରେ ? ବିସ୍ମୟଭରି ଚାହିଁବାରେ କଣ ଅଛି ? ସେ କଣ ଜାଣେନି କାହାପରି ଝିଅ ତାର ଦିଶିବା ଉଚିତ । ତେବେ ଶୁଭେନ୍ଦୁ କହୁଛି ତମାଳପରି ଦିଶୁଛି । ଆଶ୍ଚର୍ଯ୍ୟ ! ମୋ’ପରି ! ମୋ’ପରି ଦିଶିବ କେମିତି ? ଦିଶୁ ବା ନଦିଶୁ ହେଲେ ଏଇ କଥାରେ ମାଧବୀ ଚମକିବାର କଣ ଥିଲା ? ମୋ ମୁହଁପରି ବୋଲି କି ? ମୋ ମୁହଁ ! ମୋ ମୁହଁ । ମୋ ମୁହଁ ଆଉ ପରାଗ ମୁହଁ ଯେ କୁଆଡ଼େ ଏକାରକମର ! ହଁ ହଁ, ସମସ୍ତେ କହନ୍ତି ଏକାରକମର ।

 

ଝାଳ ଜମିଆସିଲା ତମାଳର କପାଳରେ ।

 

ଶୁଭେନ୍ଦୁର ମୁହଁରେ ବିଛାଇ ହୋଇ ରହିଛି ପବିତ୍ରତାର ଭାବ । ନା ନା—ଶୁଭେନ୍ଦୁକୁ ନେଇ କରିହେଉନି ଏତେ ଟିକିଏ ବି ମନ୍ଦଚିନ୍ତା । ସେପରି ଭାବିଲେ ବଡ଼ ଅପରାଧୀ ଲାଗୁଛି ନିଜକୁ-। ଶୁଭେନ୍ଦୁ ନିର୍ମଳ, ତେବେ..... ତେବେ ଆଉ କିଏ ? ମନର ପ୍ରଶ୍ନ ଶେଷରେ ଉଙ୍କିମାରିଲା ଯାହାର ମୁହଁ, ସେ ମୁହଁକୁ ଚାହିଁ ସେଦିନ ଚିତ୍କାର କରିଉଠି ଘରଭିତରକୁ ଧାଇଁପଳାଇଥିଲା ତମାଳ-

 

ଶୁଭେନ୍ଦୁ ସେଦିନ ବିଦାୟ ନେଲାବେଳେ ବହୁତ କାନ୍ଦିଥିଲା ମାଧବୀ । ଆଜି ବି ଶୁଭେନ୍ଦୁର ଦେଇଥିବା ଲକେଟଟା ଧରି ହୁଏତ ସେଇ ଶୁଭେନ୍ଦୁ କଥାହିଁ ଭାବୁଥିଲା ମାଧବୀ; କାରଣ ସେଇଟିକକ ତାର ହେଲା ତାର ଏକମାତ୍ର ସୁଖ ଆଉ ଆନନ୍ଦଭରା ସ୍ମୃତି ।

 

ଦୃଢ଼ପାଦରେ ଆଗେଇଗଲା ସୁଚରିତା । ମାଧବୀକୁ ଚମକାଇ ଦେଇ ବସିପଡ଼ିଲା ମାଧବୀ ସାମନାରେ । ମାଧବୀର ଆଖି କୋଣରେ ସୃଷ୍ଟି ହେଲା କ୍ଷୀଣ କୁଞ୍ଚନ । କପାଳରେ ଆଙ୍କିହୋଇଗଲା ସୂକ୍ଷ୍ମ କେତେଗୋଟି ରେଖା । ଗମ୍ଭୀର ହୋଇଗଲା ତାର ଶାନ୍ତ ମୁହଁଟା । ତଳକୁ ନୁଆଁଇ ନେଲା ତାର ଆଖି ।

 

ସୁଚରିତା ନିରେଖି ଦେଖୁଥିଲା ମାଧବୀକୁ, ଆଉ କି ଭାବରେ କହିବାକୁ ଆସିଥିବା କଥାକୁ ଆରମ୍ଭ କରିବ, ସେଇ କଥାକୁ ବି ସଜାଡ଼ୁଥିଲା ମନେ ମନେ । ଶେଷରେ ରହି ରହି କହିଲା–ଭାବିଥିଲି ଚୈଧୁରୀଘରର ସକଳ ଦାୟିତ୍ୱ ମୁଁ ମୁଣ୍ଡରେ ମୁଣ୍ଡାଇନେବି । ଆଉ ବୋଉ ଥିଲାତକ ତୁମେ ବି ମାତିରହିବ ତୁମ ଝିଅକୁ ନେଇ । କେଉଁ ଦିନେ ହେଲେ ଆମକୁ ଅପ୍ରିୟ ଆଲୋଚନା କରିବାକୁ ପଡ଼ିବନି । ସେ କଥା ତୁମେ କିନ୍ତୁ କରାଇଦେଲନି ।

 

କେଉଁ କଥାର ଅବତରଣିକା କରୁଚି ସୁଚରିତା ! କୁଞ୍ଚିତ ଭ୍ରୂଲତାକୁ ଆହୁରି କୁଞ୍ଚିତ କରି ନୀରବରେ ସୁଚରିତା ମୁହଁକୁ ଚାହିଁରହିଲା ମାଧବୀ । ସୁଚରିତା ପୁଣି କହିଲା—ଏ ପର୍ଯ୍ୟନ୍ତ ବି କୌଣସି କାରଣ ନ ଜଣାଇ, ମାନେ ତୁମରି ଜାଣିବା କାରଣକୁ ମୁଁ ଚାହୁଁନି ମୁହଁରେ ଧରିବାକୁ । ତେଣୁ ଖାଲି ଏତିକି କହୁଚି ଯେ ତୁମେ ଠାକୁରଘରେ ପଶନି କି ରୋଷେଇଘରକୁ ଯାଅନି । ଆମେ ପରଝିଅ, ପରମାଆର ଭଲିମନ୍ଦ ଇଚ୍ଛାହେଲେ ବୁଝିବୁ, ନ ହେଲେ ନାହିଁ । ହେଲେ ପେଟର ପୁଅ ତ ଚାହିଁବନି ତାର ଶୁଦ୍ଧାଚାରିଣୀ ମା’କୁ ଯାହା ତାହା ହାତରେ ଖୁଆଇବାକୁ । କହ ?

 

ଧୀରେ ଧୀରେ ଉଜ୍ଜ୍ୱଳ ହୋଇଉଠିଲା ମାଧବୀର ନିର୍ବୋଧ ଆଖିତାରା ଦୁଇଟି । ଓଠ ଫାଙ୍କରେ କ୍ଷୀଣ ହସର ରେଖା ଦେଖାଦେଲା । ସେ ସରସ କଣ୍ଠରେ କହିଲା—ବାଃ । କହିବନି କହିବନି ବୋଲି ତ ଅନେକ କହିଗଲ !! ବେଶ୍‌ ଭଲ । ଏଥର କୁହ ତ କାରଣ ଟିକକ । ଯେଉଁ ପେଟର ପୁଅଟି ଦୀର୍ଘ ଦଶବର୍ଷଧରି ବୃଦ୍ଧା ମାଆକୁ ଖଟାଇ ମାରୁଥିଲେ, ମାଘର ଶୀତ, ବୈଶାଖର ଝାଞ୍ଜି ଆଉ ଶ୍ରାବଣର ବରଷା, ଏଇ ସବୁକୁ ଦେହରେ ସହି ଛାତିତଳୁ ଉଠିଆସୁଥିବା ଦୀର୍ଘଶ୍ୱାସକୁ ଅକଲ୍ୟାଣର ଭୟରେ ଛାତିତଳେ ଚାପିରଖି ଯେଉଁ ବୃଦ୍ଧା ମାଆଟି ଘରର ସବୁକାମ ଭିତରେ ବି ହାତରେ ଗଣ୍ଡିଏ ଫୁଟାଇ ଖାଇ ନିଜ ଗୋଡ଼ର ବାତରେ ନିଜେ ତେଲ ମାଲିସ୍‌ କରୁଥିଲେ—ଆଜି ସେଇ ମାଆଟି ଲାଗି ପୁଅ ଭିତରେ ଏତେ ଦରଦ, ଏତେ କର୍ତ୍ତବ୍ୟପରାୟଣତା ଜନ୍ମନେଲା କେମିତି-!! କେଉଁ କାରଣରୁ ! କୁହ ତ କି କାରଣ ?

 

କଥାର ବାଣରେ ମାଧବୀକୁ ଦହିବାକୁ ଆସି ନିଜେ କ୍ଷତ-ବିକ୍ଷତ ହୋଇଗଲା ସୁଚରିତା-। ଜୁଆରିଆ ସାଗରପରି ରୁଦ୍ଧ ଆକ୍ରୋଶରେ ଉତ୍ତପ୍ତ ଉତ୍ତାଳ ହୋଇଉଠିଲା ତା ଭିତର ରକ୍ତପ୍ରବାହ । ଧୀରେ ଧୀରେ ବାଇଗଣୀ ରଙ୍ଗ ଦିଶିଲା ସୁଚରିତାର ଶ୍ୟାମଳ ରଙ୍ଗର ମୁହଁଟା । ତଥାପି ସଂଯତ କଣ୍ଠରେ କହିଲା—କାରଣ ? ତୁମେ ଜାଣିନ କାରଣ କଣ ?

 

ନିର୍ଲିପ୍ତ ଗଳାରେ ମାଧବୀ କହିଲା—ଉହୁଁ ।

 

ମାଧବୀର ସେଇ ନିର୍ଲିପ୍ତ ସ୍ୱର ହାଡ଼ରେ ନିଆଁ ଲଗାଇଦେଲା ସୁଚରିତାର । ଅସହ୍ୟ କଣ୍ଠରେ କହିଲା—ଏଇ ଘରର ମାନମର୍ଯ୍ୟାଦାକୁ ଜଗିବାକୁ ଯାଇ ସମସ୍ତେ ଯେ ପାଟିରେ ତାଲା ପକାଇବେ, ଏ କଥା ଜାଣିଚ ତୁମେ । ଜାଣିଚ ବୋଲି କଣ ସାହସ କରିବ ରୋଷେଇଘରେ ପଶିବାକୁ ?

 

ମୁଣ୍ଡ ହଲାଇ ମାଧବୀ କହିଲା—ଉହୁଁ । ସ୍ପଷ୍ଟ ହେଲାନି ତୁମ କଥା । ଅର୍ଥ ବୁଝିପାରିଲିନି-। ବୁଝେଇକରି କୁହ ।

 

ଅବାକ୍‌ ହେଲା ସୁଚରିତା ମାଧବୀ ଗଳାରେ କୌତୁକ ଦେଖି । ଏତେକଥା କହିବା ପରେ ବି ଲାଜପାଉନି ମାଧବୀ ! ଆଶ୍ଚର୍ଯ୍ୟ ! ସବୁ ଚାହୁଁଛି ଖୋଲିକରି ଶୁଣିବାକୁ ! ଏ ଘରର ମାନମର୍ଯ୍ୟାଦାକୁ ହାତମୁଠାରେ ମୁଠାଇ ଧରି ରଖିଛି ବୋଲି ଖେଳ ଖେଳୁଛି ଏ ଘରର ମଣିଷକୁ ନେଇ ! ମୁହୂର୍ତ୍ତକ ଲାଗି ଦାନ୍ତରେ ଦାନ୍ତ ଚାପିଲା ସୁଚରିତା । ତା’ ପରେ କହିଲା—ତାଙ୍କ ସାମନାକୁ ଯିବାକୁ ତୁମର ଲଜ୍ଜାବୋଧ ହୁଏନି ?

 

ମାଧବୀ ଆଖିବୁଜି ମଥା ହଲାଇ କହିଲା—ଲଜ୍ଜାର ତ ପ୍ରଶ୍ନ ଉଠୁନି । ତାଙ୍କ ସାମନାକୁ ଯିବାକୁ ମତେ ଘୃଣାଲାଗେ, ଖରାପଲାଗେ ବୋଲି ମୁଁ ତ ଆଦୌ ଯାଏନି ।

 

ସୁଚରିତା ନାକପୁଡ଼ା ଫୁଲାଇ କହିଥିଲା—ତାଙ୍କ ସାମନାକୁ ଯିବାକୁ ଘୃଣାଲାଗେ ? ଖରାପ ଲାଗେ ? ତେବେ ଏଇ ପିଲାଟା ? ଏଇ ପିଲାଟା ଆସିଲା କୁଆଡ଼ୁ ? ତୁମକୁ ଲଜ୍ଜା ଲାଗିଲାନି ଏଇ ପିଲାଟାକୁ କୋଳରେ ଧରି ଏ ଘରେ ପାଦଦେବାକୁ ? ଯାହାର ପରିଚୟରେ ପରିଚିତ କରାଇବ ଏଇ ପିଲାଟାକୁ, ତାକୁ ତୁମେ ଘୃଣା କରୁଚ ? କେଉଁଠିକାର କେଉଁ ଗୋଟାଏ ଜାରଜ ସନ୍ତାନର ଜନନୀ ହୋଇ ଆହୁରି ସାହସ କରୁଚ ରୋଷେଇଘରେ ପଶିବାକୁ ? ବୋଉ ଏ ଘରେ ଆଉ ଅଳ୍ପଦିନର ମଣିଷ । କୌଣସି କଥା ସିଏ ନ ଜାଣନ୍ତୁ, ଏଇକଥା ମନରେ ଆଣି ଆମେ ତୁମକୁ ଏ ଘରେ ସ୍ଥାନ ଦେଲୁ । ତା ବୋଲି କର୍ତ୍ତୃତ୍ୱ ଫଳାଇବାକୁ ଆଦୌ ଯାଅନି ।

 

ସ୍ଥିର କଠିଣ ଆଖିମେଲି ମାଧବୀ ଚାହିଁରହିଥିଲା ସୁଚରିତାର ମୁହଁକୁ । ସୁଚରିତାର କଥା ଶେଷରେ କହିଲା—ଏ ପିଲାଟା ଜାରଜ ବୋଲି ତୁମକୁ କିଏ କହିଲା ?

 

କ୍ରୁଦ୍ଧ ଆକ୍ରୋଶରେ ଫାଟିପଡ଼ିଲା ସୁଚରିତାର ଗଳା । କହିଲା—ଯାହାର ହେବାକଥା ତାର ଯେତେବେଳେ ନୁହେଁ, ସେତେବେଳେ ଜାରଜ ନୁହେଁ ତ ଆଉ କଣ ??

 

ଶାନ୍ତଗଳାରେ ମାଧବୀ କହିଲା—ଏଇ କଥା ସିଏ କହିଛନ୍ତି ନା ?

 

ଏଥର ଗଳାରେ ବିଷଗୋଳି ସୁଚରିତା କହିଲା—ଉଃ, ଏମିତି ଭାବରେ କହୁଚ ସତେକି ସେ ମିଛ କହୁଛନ୍ତି । ଜାଣ, ସେ ଟୁଟୁ ମଥାରେ ହାତଦେଇ ଅସ୍ୱୀକାର କରିଛନ୍ତି ଏଇ ପିଲାଟାକୁ ।

 

ଏଥର କ୍ଷୀଣ ଶବ୍‌ଦତୋଳି ଆର୍ତ୍ତନାଦ କରିଉଠିଲା ମାଧବୀ । ଅସ୍ଥିର ଗଳାରେ କହିଲା–ଟୁଟୁ ମଥାରେ ହାତଦେଲେ ସିଏ କାହିଁକି ? କି ଦରକାର ଥିଲା ? ମୋର ପିଲା ହେବାରେ ତୁମେ ହିଂସାରେ ଜଳିଲ କି ? ତୁମକୁ ଶାନ୍ତ କରିବାକୁ ଯାଇ ସେ ବାଧ୍ୟ ହେଲେ କି ଟୁଟୁ ମଥାରେ ହାତଦେବାକୁ ? କଣ ପାଇଁ, କଣ ପାଇଁ ଏଡ଼େ କାମଟେ କଲେ ସିଏ ? ନିଜକୁ ପ୍ରକାଶ କରିବାର ଇଏ କି କଦର୍ଯ୍ୟ ରୀତି ।

 

ମାଧବୀର ନିର୍ବାକ୍‌ ଆଖିଡ଼ୋଳାରେ ଶ୍ରାବଣର ଧାରା । ସ୍ତବ୍‌ଧ ମୟୂରୀପରି ହଠାତ୍‌ ନିସ୍ତେଜ ହୋଇଗଲା ମାଧବୀ । ମାଧବୀ ଡରିଲାନି, ଶଙ୍କିଲାନି କି ଲାଲ ପଡ଼ିଗଲାନି ଲଜ୍ଜାରେ । ଏମିତି କ ଣ ହୁଏ ? ପାପର କଣ ଏତେ ଦମ୍ଭ ?

 

କିଛି ବୁଝିପାରେନି ସୁଚରିତା । ମୁଣ୍ଡଟା କେମିତି ଗୋଳମାଳ ହୋଇଯାଏ ତାର । ସ୍ୱାମୀଲାଗି ମନରେ ତାର ସନ୍ଦେହ ଜନ୍ମ ନିଏ । ସେଇ ସନ୍ଦେହ ପୁଣି ମନରେ ତାର ଭୀତି ଜନ୍ମାଏ । ଆକୁଳ ହୋଇଉଠେ ସୁଚରିତାର ଭିତରଟା । ଆଖିରେ ନିଆଁଜାଳି ସୁଚରିତା ଚାହେଁ ତା’ରି ଆଡ଼େ, ଯିଏ କୋଉଠୁ ଉଡ଼ିଆସି ଯୋଡ଼ିବସିଲା ଏଇ ଘରେ । ଜାଳିଦେଲା ସବୁରି ମନରେ ନିଆଁ । ଛାରଖାର କରିଦେଲା ଏ ଘରର ପୁରୁଣା ଖାନ୍ଦାନିକୁ ।

 

ଧୀରେ ଧୀରେ ସଂବିତ୍‌ ଫେରିଲା ମାଧବୀର । ଶୂନ୍ୟରୁ ଦୃଷ୍ଟି ଫେରାଇ ଆଣି ଶାନ୍ତ ଗଳାରେ କହିଲା–ଯେଉଁ ଉଦ୍ଦେଶ୍ୟରେ ଏଠାକୁ ଆସିଥିଲ, ଆଶାକରେ ସେ ଉଦ୍ଦେଶ୍ୟ ପୂରଣ ହୋଇଛି । ଏଥର ତ ଏଠୁ ଯାଇପାର ।

 

କ୍ରୋଧରେ ଥମଥମ ହୋଇଗଲା ସୁଚରିତାର ମୁହଁ । ଝଡ଼ବେଗରେ ସେଠୁ ସେ ଚାଲିଗଲା । ଝିଅ ମୁହଁରେ ଆଖି ରଖି ପଥର ପାଲଟି ବସିରହିଲା ମାଧବୀ । ସତରେ—ସତରେ କଣ ସତକଥାଟିଏ ଶୁଣି ପଥର ପାଲଟିଗଲା ସିଏ ? ନା, ନା । ସିଏ ମାତ୍ର ସେଇ କେତୋଟି ମୁହୂର୍ତ୍ତର କଥା । ନିଜକୁ ସମ୍ଭାଳି ନେବାର କ୍ଷମତା ତାର ଅନେକ ।

 

ସେଇଦିନ ରାତିରେ..... ଜ୍ୟୋତ୍ସ୍ନାର ଅମୃତ ଧାରାରେ ଧୋଇ ହୋଇଯାଉଛି ତଳ ଅଗଣାଟା । ଚେଇଁଲା ଝିଅକୁ ଛାତିରେ ଜାକି ସାରା ଅଗଣା ଘୂରିବୁଲୁଛି ମାଧବୀ । ତା’ କଥା ଆଉ ଗୀତର ଗୁଣୁଗୁଣୁ ସ୍ୱରରେ ଆଖିରେ ଢୁଳ ଓହ୍ଲାଇ ଆସୁଛି ଝିଅଟାର । ଦୋତାଲାର ଜାଫ୍ରିରେ ଆଖିରଖି ମାଧବୀ ଆଡ଼େ ମଟମଟ ଆଖିମେଲି ଚାହିଁ ରହିଚି ତମାଳ । ଭାବୁଛି—ସୁଚରିତାଠୁ ଶୁଣିଲା ଯେ ଟୁଟୁ ମଥା ଛୁଇଁ ଝିଅକୁ ତାର ମୁଁ ଅସ୍ୱୀକାର କରିଛି । ସେଇ କଥା ଶୁଣିବା ପରେ ବି ଝିଅଟାକୁ ଛାତିରେ ଜାକି ସହଜ ସ୍ୱଚ୍ଛନ୍ଦ ଗତିରେ ମାଧବୀ ଘୂରିବୁଲି ପାରୁଛି ଅଗଣାରେ ! ତାର ମନ ତାକୁ କହୁନି ବିଷ ଖାଇବାକୁ କି ବେକରେ ଦଉଡ଼ି ଦେବାକୁ ? କଣ ଭାବୁଛି ସିଏ ମତେ ! ମୋ ଭିତରର କ୍ରୋଧ କଣ ସବୁଦିନେ ଜଗି ରହିବ ଏ ଘରର ତୁଚ୍ଛ ମାନ–ମର୍ଯ୍ୟାଦାକୁ !! ବୋଉ ମଲାପରେ, ଏ ଘରେ କଣ ରହିବ ମାଧବୀ ! ରହିବନି ତ ! କି ଉପାୟ ହେବ ମାଧବୀର ! ସବୁ ତ ତାକୁ କହିଛି ସୁଚରିତା; ତେବେ କେଉଁ ଅହଂକାରରେ ମତ୍ତ ମାଧବୀ ଏ ଘରେ ଘୂରିବୁଲୁଛି ଏଡ଼େ ନିଶ୍ଚିନ୍ତରେ । କେଉଁ ଅହଂକାର ହରିନେଇଛି ତା ଭିତରର ଭୟ ଆଉ ଲଜ୍ଜା !

 

ସେଇ ଏକା ଚିନ୍ତାରେ ସ୍ତବ୍‌ଧ ସୁଚରିତା ମଧ୍ୟ ଠିଆହୋଇ ରହିଛି ରୋଷେଇଘର ପିଣ୍ଡାରେ ।

 

କଟିଗଲା ଦିନ ପରେ ଦିନ । ରାତି ପରେ ରାତି । ରୋଷେଇଘର ଅଥବା ଠାକୁରଘର କେଉଁ ଘରକୁ ପାଦ ବଢ଼ାଇବାକୁ ଗଲାନି ମାଧବୀ । ଏତେ ଟିକିଏ ବି ଦୁଃଖ କଲାନି । ସବୁ ଦୁଃଖ, ସବୁ ଅପମାନ, ସବୁ ଜ୍ୱାଳାକୁ ପାନକରି ଆହୁରି ଉଜ୍ଜ୍ୱଳ ଆହୁରି ସୁନ୍ଦର ହୋଇ ଉଠିଲା ମାଧବୀ ।

 

୨୧

 

ସେଦିନ ସନ୍ଧ୍ୟାରେ କଟକରୁ ଆସୁଛନ୍ତି କରବୀ ପାଇଁ ଲାଗିଥିବା ଶାଶୁଘରର ଲୋକେ । ଆସୁଛନ୍ତି ଶାଶୁ ଶ୍ୱଶୁର, ରାଜେଶ, ଆଉ ରାଜେଶର କେଇ ଜଣ ବନ୍ଧୁ । ନିଜ ହାତରେ କରବୀକୁ ସଜାଇ ଦେଇଛି ମାଧବୀ । ବାସ୍‌, କାମ ତାର ସେତିକି, ପୂଜାରୀମାନଙ୍କ ସାଥିରେ ମିଶିଯାଇ ତେଣେ ରନ୍ଧାବଢ଼ା କରୁଛି ସୁଚରିତା, ରୋଷେଇ ଆଡ଼ର ତ କିଛି ଛୁଇଁବନି ମାଧବୀ । ତେଣୁ ତାର ଅଖଣ୍ଡ ଅବସର । ନା ଠିକ୍‌ ଅବସର ନୁହେଁ । ସାରା ଘରକୁ ସୁନ୍ଦର କରି ସଜାଇବାର ଭାର ଥିଲା ତାରି ଉପରେ । ସାରାଦିନ ଲାଗି ଲାଗି ସେ କାମସବୁ ସିଏ ସାରି ଦେଇଛି । ନୋଇଁଆସିଲାଣି ବେଳ । ଠିକ୍‌ ଏଇ ବେଳରେ ସେମାନେ ଆସିବେ ବୋଲି କହିଥିଲେ—ଆସିନାହାନ୍ତି ତ, ହୁଏତ ଆସୁଥିବେ । ଆଷାଢ଼ ମାସ ହେଲେ ବି ଏପର୍ଯ୍ୟନ୍ତ ସେମିତି ଗୋଟେ ବରଷା ଓହ୍ଲାଇ ନାହିଁ । ଭଲ ହେଲା । ସରିଯାଉ ବାହାଘରଟା । ବରଷା ଦିନର ବାହାଘର । ଛି, ଭାରି କଦର୍ଯ୍ୟ ଲାଗେ ।

 

ଆନମନା ମାଧବୀ । କେତେ କଣ ଏମିତି ଭାବୁ ଭାବୁ ଉଠିଗଲା ତେତାଲା ଛାତ ଉପରକୁ । ଧୀରେ ଧୀରେ ଯାଇ ଠିଆହେଲା ଜାଲିକଟା ରେଲିଂ ଦେହରେ ଦେହ ଆଉଜାଇ । କୋଳରେ ତାର ତୃଷ୍ଣା । ଆକାଶର ପଶ୍ଚିମ ଲଲାଟରେ ଆଖିରଖିଲା ମାଧବୀ । ଡୁବନ୍ତପ୍ରାୟ ସୂର୍ଯ୍ୟଙ୍କର ରକ୍ତିମ ଶୋଭାରେ ଶୋଭାୟିତ ପୃଥିବୀ ଆଖିରେ ତାର ଆଙ୍କିଦେଲା ସ୍ୱପ୍ନରେ ମାୟାଞ୍ଜନ-। ଘୁମନ୍ତ ଦିଶିଲା ତାର ଲମ୍ୱିଲା ଆଖିଡ଼ୋଳା ଦୁଇଟି ।

 

ହଠାତ୍‌ ଚମକିପଡ଼ିଲା ମାଧବୀ । ଧୀରେ ଧୀରେ ଆଖିରୁ ତାର ତୁଟିଗଲା ସ୍ୱପ୍ନର ମାୟାଜାଲ । କୁଞ୍ଚିତ ହୋଇଗଲା ତାର ସୁନ୍ଦର ଭ୍ରୂଲତା ଦୁଇଟି । ଦୁଇଟି ଜଳିଲା ଆଖି ନେଇ ମୁହଁକୁ ତାର ଚାହିଁ ଠିଆହୋଇ ରହିଛି ତମାଳ । ତୃଷ୍ଣାକୁ ଶକ୍ତ ହାତରେ ଛାତିରେ ଚାପି ଧରିଲା ମାଧବୀ । ଗ୍ରୀବା ଭାଙ୍ଗି ଅପଲକ ଆଖିରେ ଚାହିଁଲା ତମାଳର ହିଂସାନୀଳ ମୁହଁଟାକୁ । ସାରା କପାଳରେ ବିନ୍ଦୁ ବିନ୍ଦୁ ଝାଳ ଜମିଆସିଲା । ମାଧବୀର ସର୍ବାଙ୍ଗ କଠିନ ହୋଇ ଆସିଲା ।

 

ପାଦପାଦକରି ପାଖକୁ ତାର ଆଗେଥଗଲଶ ତମାଳ । ଚାରୋଟି ଆଖିରେ ଦୁଇ ରକମର ଭାବ । ଦୁଇଟି ହିଂସ୍ର ଆଖିରେ ଝାମ୍ପିପଡ଼ି ଛିନ୍ନଭିନ୍ନ କରିଦେବାର ଉନ୍ନତ୍ତ ଇଚ୍ଛା; ଆଉ ଦୁଇଟି ଭୀରୁ ଆଖିରେ ଆତ୍ମରକ୍ଷାର ଆକୁଳ ପ୍ରଚେଷ୍ଟା । କମ୍ପିତ ଓଠରେ ଜିଭ ବୁଲାଇ ନେଇ ପ୍ରଥମେ ମାଧବୀ ହିଁ କଥା କହିଲା । କହିଲା—ଦେଖ, ଅସୁନ୍ଦର କିଛି କରନି । ଥରେ ସୁରୁକଲେ ତାକୁ ଆଉ ଶେଷକରି ପାରିବନି । ଆଉ ଟିକିଏ ପରେ ହୁଏତ ଆସିଯିବେ ଭଦ୍ରଲୋକମାନେ । ସେମାନଙ୍କ ପାଖରେ ତୁମର ଉପସ୍ଥିତି ଖୁବ୍‌ ବେଶି ପ୍ରୟୋଜନ । ଏଇ ମୁହୂର୍ତ୍ତରେ ତୁମର ଅଶାନ୍ତି ହେବା ଉଚିତ୍‌ ନୁହେଁ । ଯାଅ, ତଳକୁ ଚାଲିଯାଅ ତୁମେ !

 

ତମାଳ ବିଷାକ୍ତ ହସ ହସି ଆଗେଇଆସିଲା ଆହୁରି ଦୁଇ ପାଦ । କାର୍ନିଶ କୋଣକୁ ଘୁଞ୍ଚିଗଲା ଶଙ୍କିତା ମାଧବୀ । ମୁହୂର୍ତ୍ତକେ ମାଧବୀର ଛାୟାଘେରା ଆଖି ଦୁଇଟି ତଳେ ଜମିଗଲା ଭୟର କାଳିମା । ନା, ତମାଳ ତାକୁ ଛାତ ଉପରୁ ଠେଲିଦେଲାନି, କି ଶକ୍ତ ହାତରେ ଚିପିଧରିଲାନି ତାର କଣ୍ଠଦେଶ । କୋଳରୁ ତାର ଛଡ଼ାଇ ନେଇ ତଳେ କଚାଡ଼ି ଦେଲାନି ତୃଷ୍ଣା ନାମକ ପାନର ସୁନ୍ଦର ଜୀବନ୍ତ କଣ୍ଢେଇଟିକୁ । ମାଧବୀ ଉପରୁ ଆଖି ଫେରାଇ ସେ ଖାଲି ମୁହୂର୍ତ୍ତକ ଲାଗି ଚାହିଁଲା ତୃଷ୍ଣାର ନିଟୋଳ ସୁନ୍ଦର ମୁହଁଟିକି । ତାପରେ.....କଠିଣ କଣ୍ଠରେ ପଚାରିଲା—କାହାର ? କାହାର ଏଇ ପାପର ବୋଝକୁ ଲଦି ଦେଇଛ ମୁଣ୍ଡରେ ମୋର ? ଲଜ୍ଜା ଲାଗୁନି ତାକୁ କୋଳରେ ଧରି ଏ ଘରେ ବୁଲିବାକୁ ? କାହିଁକି, କାହିଁକି ତୁମେ ମୋ ଘରେ ଥିବାର ସୁଯୋଗ ନେଇ ଏତେ ବଡ଼ ଦାଉ ସାଧିଲ ମୋ ଉପରେ ? ମୋରି ପୌରୁଷର ଆଖିରେ ଆଙ୍ଗୁଠି ଗେଞ୍ଜି ଦେଖାଇ ଦେଲ ଯେ ତୁମେ ବି ଜୀବନ୍ତ ଶିଶୁ ଜନ୍ମକରି ମା’ ହେବାର ଅସତୀ ହୋଇ ଗୋଟାଏ ଚିରଗୌରବମୟ ପରିବାରକୁ ବିଷର ଧୂଆଁରେ ଅନ୍ଧକରିଦେବାରେ କି ଦରକାର ଥିଲା ? କି ଦରକାର ଥିଲା ମୋର ସରଳା ବୋଉର ବିଶ୍ୱାସରେ ବିଷ ମିଶାଇବା ? ମତେ ଥରେ ଖାଲି କୁହ ତ । କାହାର ସନ୍ତାନକୁ ଗର୍ଭରେ ଧରି ଜୀବନକୁ ତୁମେ ଧନ୍ୟ କଲ ?

 

ଓଠ ବଙ୍କେଇ ବିଷାକ୍ତ ଏକ ହସ ହସିଲା ମାଧବୀ । କହିଲା—ତୁମ ଘରେ ମୁଁ ଥିଲେ ବି ତୁମ ଉପରେ ଯେମିତି ମୋର କୌଣସି ଅଧିକାର ନାହିଁ; ସେମିତି ମୋର ଭଲ ମନ୍ଦ ଜାଣିବାର ତୁମର ବି ନାହିଁ ଏତେ ଟିକିଏ ଅଧିକାର । ମା’ ହେବାପାଇଁ ତ ନାରୀର ସୃଷ୍ଟି । ମା’ ମୁଁ ହୋଇଛି—ଏଥିଲାଗି କାହାକୁ କୌଣସି କୈଫିୟତ୍‌ ଦେବାକୁ ମୁଁ ବାଧ୍ୟ ନୁହେଁ ।

 

ଦାନ୍ତରେ ଦାନ୍ତ ଚାପିଥିଲା ତମାଳ । ହୀସ୍‌ ହୀସ୍‌ କଣ୍ଠରେ କହିଲା—ଝିଅର ପିତୃପରିଚୟ ଦେବାକୁ ଯାଇ ନିଶ୍ଚୟ ତୁମେ ମୋ ଆଡ଼କୁ ଆଙ୍ଗୁଠି ଦେଖାଇଦେବାକୁ ବାଧ୍ୟ ନୁହଁ—ଯାହା ଖୁସି ଭାବିନିଅନ୍ତୁ ପ୍ରଶ୍ନକାରୀ—ନା କଣ ?

 

ଏଥର ଓଠ ଚିପି ସୁନ୍ଦର ହସିଲା ମାଧବୀ, କହିଲା—ଉହୁଁ । ଜାଣେ, କେହି ମତେ କରିବେନି ଏପରି ଅବାନ୍ତର ପ୍ରଶ୍ନ । ତୁମରି ସ୍ତ୍ରୀ ହୋଇ ଯେତେବେଳେ ବିରାଜୁଛି ତୁମରି ଘରେ ତୁମରି ଚାରିପାଖରେ, ସେତେବେଳେ କିଏ କାହିଁକି ମତେ ପଚାରିବ ଏଇମିତି ଗୋଟିଏ ହାସ୍ୟକାର ପ୍ରଶ୍ନ !! ଆଉ, ତୁମେ, ତୁମେ ଯେତେପାର ଆଜିକା ପରି ଏମିତି ଆଢ଼ଉହାଡ଼ରେ ଗର୍ଜ । ହେଲେ—କାହାରି ସାମନାରେ କେଉଁଦିନ ହେଲେ କହିପାରିବନି ଯେ ଏଇ ଝିଅଟା ମୋର ନୁହେଁ । କାରଣ ମୋର କିଛି ହେବା ପୂର୍ବରୁ ତୁମରି ଦୁଇଗାଲରେ କଳା ବୋଳିବ ତୁମରି ସମାଜ । ତେଣୁ ମୁଁ ନିଶ୍ଚିନ୍ତ, ମୋର ଏତେ ଟିକିଏ ବି ପ୍ରୟୋଜନ ହେବନି କାହାକୁ କୈଫିୟତ ଦେବାକୁ ।

 

ଦପ୍‌ଦପ୍‌ ହୋଇ ଜଳୁଛି ତମାଳର ଆଖିତାରା ଦୁଇଟି । ମାଧବୀର ସାରା ମୁହଁରେ ଫୁଟି ଦିଶୁଛି ବିଦ୍ରୂପର ଗୋଟିଏ ଭାବ । କ୍ରୋଧ ସମ୍ଭାଳି ପାରିଲାନି ତମାଳ । ଠାଇକରି ଚାପୁଡ଼ାଏ ଲଗାଇଦେଲା ମାଧବୀର ଗାଲରେ । କଚାଡ଼ି ହୋଇ ଭୂଇଁ ଉପରେ ପଡ଼ିଗଲା ମାଧବୀ । ଆଖି ଆଗରେ ତାର ଚକାଭଉଁରି ଖେଳିଗଲେ ଅସଂଖ୍ୟ ଜୁଳୁଜୁଳିଆ । ଦୂରରେ ଛିଟିକି ପଡ଼ିଛି ତୃଷ୍ଣା । କାନ୍ଦୁଛି ଚିତ୍କାର କରି । ନିଜକୁ ମୁହୂର୍ତ୍ତକେ ସମ୍ଭାଳି ନେଇ ମାଧବୀ ଧାଇଁଆସି ତଳୁ ଉଠାଇନେଲା ଝିଅକୁ । ରାହାଧରି କାନ୍ଦୁଛି ଝିଅଟା ।

 

ଏଥରକ ମାଧବୀର ଜଳିଲା ଆଖିରୁ ବିଛୁରୀ ପଡ଼ୁଛି କ୍ରୋଧ ଓ ଘୃଣା । ଆପେଲ ରଙ୍ଗର ଗାଲରେ ତାର ପାଞ୍ଚ ଆଙ୍ଗୁଠିର ଗହୀରିଆ ଦାଗ । ଭୟଙ୍କର ଦିଶୁଛି ମାଧବୀର ମୁହଁଟା । ତମାଳର ଜଳିଲା ଆଖିରେ ନିଜର ଜଳିଲା ଆଖି ମିଳାଇ ରଖି କ୍ରୋଧରେ ଗୁମୁରୁଛି ମାଧବୀ । ଶେଷରେ ଦାନ୍ତରେ ଦାନ୍ତ ଚାପି କହିଲା—ଲଜ୍ଜା ଲାଗିଲାନି ହାତ ଉଠାଇବାକୁ ? ସାରା ଜୀବନ ତ କିଛି ମତେ ଦେଇନ । ଆଉ ଆଜି ମୋ ପିଲାକୁ ଟିକିଏ ପିତୃ ପରିଚୟର ଧନ୍ୟ କରି ମତେ ଟିକିଏ ସମ୍ପୂର୍ଣ୍ଣ କରିଥିଲେ କି କ୍ଷତି ହୋଇଥାନ୍ତା ତୁମର !! ଭାବିଛ କି ଏ ପିଲା ଏ ଘରୁ ଭାଗ ନେବ ବୋଲି ? ଭୁଲ-! ଭୁଲରେ ବି ଭାବନି ସେକଥା । ମାଧବୀ ନିଜେ ସମ୍ପୂର୍ଣ୍ଣହେବାକୁ ଯାଇ ଯାହା ଖୁସି ତା କରିଛି-। କରିଛି ନ ହେଲେ ବା ତୁମକୁଇ ଭରସା କରି । ତା’ ବୋଲି ତୁମ ସମ୍ପଦର ଭାଗିଦାର ହେବ ସିଏ.....କେବେ ନୁହେଁ । ଜାଣେ, ସୁଚରିତା ଡରି ମରୁଛି ଏଇ କଥାକୁ । ତୁମର ପଦବୀ ଟିକକ ଛଡ଼ା କିଛି ଆଉ ପିଲାଟା ଦାବି କରିବନି ଏ ଘରୁ । ବୋଉ ଥିବାତକ ମୁଁ ଥିବି । ବୋଉ ଆଖିବୁଜିଲେ ମୁଁ ଚାଲିଯିବି ଏ ଘରୁ । ଶୁଭାଭାଇ ବଞ୍ଚିଥିବାତକ ମୋର ଭାବିବାର କିଛି ନାହିଁ । ମାତୃତ୍ୱର ଯେଉଁ ତୃଷ୍ଣା ମୋ ଭିତରେ ବଢ଼ିଚାଲିଥିଲା ଲେଲିହାନ ଅଗ୍ନିଶିଖା ହୋଇ, ଜାଳିଦେଉଥିଲା ମୋର ଭିତର ବାହାର, ସେଇ ଶିଖାକୁ ନିର୍ବାପିତ କଲା ମୋର ତୃଷ୍ଣା । ଭରିଦେଲା ମୋର ଶୂନ୍ୟ ଜୀବନପାତ୍ରକୁ । ମୁଁ ଧନ୍ୟ ହୋଇଛି । କାହାରି ଭାଗ ନାହିଁ ମୋର ତୃଷ୍ଣା ଉପରେ ତୃଷ୍ଣା ମୋର ଏକାକୀ । ସିଏ ମୋରି ଝିଅ । ମୁଁ ତାର ବୋଉ । ମୋ ଖୁସିରେ ତୁମେ ତୁମର ଖୁସିକୁ ନ ମିଶାଇପାର—ତା’ବୋଲି ଅସହିଷ୍ଣୁ ହେବାର କୌଣସି କାରଣ ନାହିଁ । ସ୍ୱାମୀ ଲାଗି ସ୍ତ୍ରୀ ସତୀ ହୁଅ-। ସତୀ ହୋଇ ରହିବା ତାର ଯୁଗଯୁଗର ସଂସ୍କାର ।

 

କଥା କହୁ କହୁ ଟିକିଏ ଅଟକିଗଲା ମାଧବୀ । ନିର୍ବାକ ଆଖିମେଲି ତମାଳ ଚାହିଁରହିଛି ମାଧବୀର ଉଦାସୀ ମୁହଁଟିକି । ତାପରେ, ପୁଣି ରହି ରହି ମାଧବୀ କହିଲା—କାରଣରେ ହେଉ ବା ଅକାରଣରେ ହେଉ, ନାରୀର ଏଇ ଇଚ୍ଛାରେ ଘଟେ ବୈଚିତ୍ର୍ୟ । ସବୁ ଥାଇ ବି ସେଇ ନାରୀ ହୋଇଯାଏ ଘୋର ଉଦାସୀନ, ଅଥବା ଉଚ୍ଛୃଙ୍ଖଳ । ହୁଏ ପୁଣି ମିଥ୍ୟାଚାରିଣୀ, ହୁଏ ଆହୁରି କେତେ କଣ । ସବୁରି ତଳ ଖୋଜି ପାଇବ; ହେଲେ ନାରୀ ମନର ତଳ ଖୋଜି ପାଇବା ବଡ଼ କଷ୍ଟ, ବଡ଼ ଦୁଃସାଧ୍ୟ । ଯାହାହେଉ; ସବୁଠୁ ବଡ଼ କଥା ଯେ ତୁମ ଶଯ୍ୟାଧାରରେ ମୁଁ ଯେତେବେଳେ ଆଉ କେଉଁଦିନ ହେଲେ ଭାଗବସାଇବାକୁ ଯିବିନି, ସେତେବେଳେ ମୋ ଦେହର ମନର ପବିତ୍ରତା ନେଇ ତୁମେ କାହିଁକି ମନକୁ ତିକ୍ତ କରୁଚ !! କି ପ୍ରୟୋଜନ ତୁମର ମୋର ସତୀତ୍ୱରେ ?

 

ପୁଣି ଗର୍ଜିଉଠିଲା ତମାଳ । କହିଲା—ତା ବୋଲି ତୁମେ ମୋର ପୂର୍ବପୁରୁଷଙ୍କ ଏଇ ପବିତ୍ର ପୀଠରେ ବସି ମୋର ଆରା ଦେଖାଇ ବ୍ୟଭିଚାର କରିବ ? ଏଇ ରାସ୍ତା ଯଦି ତୁମକୁ ସମ୍ପୂର୍ଣ୍ଣକଲା ତେବେ ତୁମେ ମତେ ସେଇ କଥା କହିପଠାଇଥିଲେ ତ ମୁଁ ତୁମକୁ ସେଇ ମଲ୍ଲୀପୁରରେ ଥାଇ ବି ମା’ ହେବାର ସୁଯୋଗ ଦେଇଥାଆନ୍ତି । କି ଦର୍କାର ଥିଲା ତୁମର ମୋର ଏଇ ବାସଗୃହକୁ ଅପବିତ୍ର କରିବାରେ ?

 

ତୃଷ୍ଣାରେ କପାଳରେ ଓଠ ଛୁଆଉଁ ଛୁଆଉଁ ପୁଣି ସୁନ୍ଦର କରି ହସିଲା ମାଧବୀ । ସ୍ୱର ଲହରେଇ କହିଲା—ତୁମେ କଣ ଭାବିଛ ଦଶବର୍ଷ ତଳର ସେଇ ନିର୍ବୋଧ ମାଧବୀ ଆଜି ବି ଜୀଇଁରହିଛି ଏଇ ମୋର ଦେହଧାର ଭିତରେ ? ସେଠି ବସିବସି ମା’ ହେବି; ଆଉ କହିପଠାଇବି ଯେ ଶୁଣୁଚ ଗୋ, ମୋ ପିଲାକୁ ଟିକିଏ ନିଶ୍ଚୟ ଦୟା କରି ପିତୃ ପରିଚୟ ଦାନକରି—ନ ହେଲେ ଭାସିଯିବ ମୋର ପିଲା—ରହିଯିବି ମୁଁ ଅସମ୍ପୂର୍ଣ୍ଣ !

 

କଥା ସାରି ଖିଲିଖିଲି କରି ହସିଉଠିଲା ମାଧବୀ । ସେମିତି ହସୁ ହସୁ ପୁଣି କହିଲା—ଆଉ, ମୋରି ସେଇ ଅନୁରୋଧରେ ଧାଇଁଯାଇ ତୁମେ କୁହନ୍ତ–ଶୁଣ ହେ ଗ୍ରାମବାସୀ ମାନେ, ଶୁଣ, ଦେଖ, ଚୌଧୁରୀ ଘରର ପିଲା ଜନ୍ମ ନେଉଛି ମଲ୍ଲିପୁରରେ–ଅନ୍ୟଥା ଭାବିବ ନାହିଁଟି ।

 

କଥା ସାରି ପୁଣି ହସିହସି ଲୋଟିଗଲା ମାଧବୀ । ତଲଓ୍ୱାର ପରି ଦେହ ବଙ୍କାଇ ଶକ୍ତହୋଇ ଠିଆହୋଇ ରହିଛି ତମାଳ । ଘୃଣା ଆଉ କ୍ରୋଧଲାଗି ଶକ୍ତ ଦିଶୁଛି ତାର ହନୁହାଡ଼ ଦୁଇଟା । ଆଖିତାରାରୁ ଝରିପଡ଼ୁଛି ଅଗ୍ନିକଣା । କ୍ରୋଧରେ ଥରୁଛି ତମାଳ । ଜଳିଯାଉଛି ତାର ଭିତରଟା । ସେଇ ଜ୍ୱଳନରେ ହସର ଘୃତ ଢାଳୁଛି ମାଧବୀ ।

 

ଖୁବ୍‌ ଚଞ୍ଚଳ ପାଦରେ ଦୁଇ ହାତ ଆଗେଇଆସି ମାଧବୀ ମୁହଁ ପାଖରେ ଝୁଙ୍କିପଡ଼ିଲା ତମାଳ । ତାର ଦୁଇଟି ଶକ୍ତ ହାତରେ ଜାବୁଡ଼ି ଧରିଲା ମାଧବୀର ଗ୍ରୀବାଟିକୁ । ଦେହର ସମସ୍ତ ଶକ୍ତି ହାତରେ ଠୁଳକରୁଛି ତମାଳ । ମାଧବୀର ଗଳା ଚିରି ବାହାରିଆସିଲା କ୍ଷୀଣ ଗୋଟିଏ ଆର୍ତ୍ତନାଦ । ସେଇ ମୁହୂର୍ତ୍ତରେ ଚାନ୍ଦ ଆସି ଠିଆହେଲା ଦୁଆର ମୁହଁରେ । ଦେଖିଲା–ବଡ଼ମା’ର ବେକ ଚାପିଧରିଛନ୍ତି ବାବା, ଦୁଇହାତରେ ଛଡ଼ାଇବାର ଚେଷ୍ଟା କରୁଛନ୍ତି ମା’ ।

 

ଆର୍ତ୍ତନାଦ କରିଉଠିଲା ଚାନ୍ଦ ଚମକି ପଡ଼ି ପଛକୁ ଫେରି ଚାହିଁଲା ତମାଳ । ଘୁଞ୍ଚି ଆସିଲା ଦୁଇପାଦ ସିଏ ଓ ଛୁଟିଚାଲିଗଲା ଦୁଆର ଆଡ଼କୁ । ତଥାପି ସେ ଦେଖିଯାଇଛି ମାଧବୀର ଦେହଟା ଲୋଟିପଡ଼ିଲା ଭୂଇଁ ଉପରେ କୋଳରୁ ବୋଧହୁଏ ତାର ଗଡ଼ି ପଡ଼ିଥିଲା ତାର ନୟନମଣି ଆଦରର ଝିଅଟା—ତେଣୁ ଚିତ୍କାର କରି କାନ୍ଦିଉଠିଥିଲା ସେଇ ଝିଅ ।

 

ମାଧବୀ କଣ ମରିଗଲା ? ମୁଣ୍ଡଟା କେମିତି ଗୋଳମାଳିଆ ହୋଇଗଲା ତମାଳର । ନିଜର ଶୋଇଲାଘରେ ପଶିଯାଇ ଖଟ ଉପରେ ଲୋଟିପଡ଼ିଲା ସିଏ । ଦୁଇ ହାତରେ ଶକ୍ତ କରି ମୁଠାଇ ଧରିଲା ନିଜର କେଶଗୁଚ୍ଛଗୁଡ଼ିକ । ଜ୍ଞାନ ହରାଇଲା କି ନାହିଁ ସେକଥା ସେଇ ଜାଣେ ।

 

ଚାନ୍ଦ କିନ୍ତୁ ମୁହୂର୍ତ୍ତକେ ଧାଇଁଆସିଲା ତଳକୁ । ପାଣି ନୋଟାଏ ନେଇ ପୁଣି ଧାଇଁଗଲା ଉପରକୁ । ବଡ଼ମା’ ମନ ସମ୍ପର୍କରେ ଅନେକ ବେଶି ସଚେତନ ସିଏ । ଜାଣେ, ଏଇ ମୁହୂର୍ତ୍ତର ଘଟଣାକୁ ସେ ଯଦି ଆଉ ଥରେ ମୁହଁରେ ଧରେ, ତେବେ ସାରା ଜୀବନ ଲାଗି ମୁହଁ ତାର ଆଉ ବଡ଼ମା’ ଚାହିଁବେନି । ଅନ୍ୟଲୋକଙ୍କୁ କହିଲେ ଆଉ ତାର ରକ୍ଷା ରହିବନି । ତେଣୁ ନୀରବରେ ନିଜେ ଧା’ଧପଡ଼ କରୁଛି ଚାନ୍ଦ । ଆକୁଳ ହୋଇଯାଉଛି ପ୍ରାଣ ତାର । ବଡ଼ମା’ ତାର ବଞ୍ଚିଚି ତ ? ମରିଯିବାଟା ସ୍ଥିରଭାବରେ ନ ଜାଣିଲା ପର୍ଯ୍ୟନ୍ତ ସେ ତ କାହାରିକି କହିପାରିବନି ବଡ଼ମା’ କଥା !!

 

ମାଧବୀର ମଥାରେ ମୁହଁରେ ପାଣି ଛିଞ୍ଚୁଛି ଚାନ୍ଦ । ବିଞ୍ଚିପକାଉଛି କାନିରେ । ଅଧଘଷ୍ଟାକ ପରେ ଧୀରେ ଧୀରେ କମ୍ପିଉଠିଲା ମାଧବୀର ଦେହଟା । ମାଧବୀର ମଥାଟିକୁ ଧୀରେ ଧୀରେ ନିଜ କୋଳ ଉପରକୁ ଉଠାଇନେଲା ଚାନ୍ଦ । ରୁଦ୍ଧ ପ୍ରାୟ ଗଳାରେ ଡାକିଲା–ମା’ ମା’ ମାଆ......

 

ଭୂଇଁରେ ପଡ଼ି କ୍ଷୀଣ ସ୍ୱରତୋଳି ଲହରେଇ ଲହରେଇ କାନ୍ଦୁଛି ସେପର୍ଯ୍ୟନ୍ତ ମାଧବୀର ଝିଅଟା । ସେ ଆଡ଼କୁ କିନ୍ତୁ କାନ ମନ ଦେଉନି ଚାନ୍ଦ । ଅନ୍ଧକାରର କେଉଁ ଅତଳ ତଳରୁ ଧୀରେ ଧୀରେ ଭାସିଉଠୁଛି ମାଧବୀ । ଆହୁରି କିଛି ସମୟ ପରେ କୋଳଟାକୁ ଅଣ୍ଡାଳି ପକାଇଲା ସିଏ । ତାପରେ କଣ୍ଠରେ ଆର୍ତ୍ତନାଦ ଭରି ପଚାରିଲା–ଝିଅ, ମୋ ଝିଅ, କୁଆଡ଼େ ଗଲା ମୋର । ମୋ ଝିଅଅ.....

 

ପୂର୍ବପରି ସେମିତି ଅଶ୍ରୁରୁଦ୍ଧ କଣ୍ଠରେ କହିଉଠିଲା ଚାନ୍ଦ—ଏଇ ତ, ଏଇଠି ମା’ ଝିଅ; ତା ପାଇଁ ଭାବନି । ତାକୁ ଧରୁଛି ମୁଁ । ତୁମେ ଉଠନି, ଶୋଇଥାଅ ।

 

କଥା ଶୁଣିଲାନି ମାଧବୀ । ଉଠିବସି ସଙ୍ଗେ ସଙ୍ଗେ ଝିଅକୁ କୋଳରେ ଚାପିଧରିଲା । ସର୍ବାଙ୍ଗରେ ତାର ଛୁଆଇଁ ଦେଇଗଲା ନିଜର ସ୍ନେହସିକ୍ତ ଓଠ ଦୁଇଟି । ତା’ପରେ ତାକୁ ଛାତିରେ ଜାକି ନିଃଶବ୍ଦରେ ଫୁଲି ଫୁଲି କାନ୍ଦିଉଠିଲା ।

 

କିଛି ବୁଝିନି ଚାନ୍ଦ—ବୁଝିବାକୁ ସାହସ ବି କରିନି । ମନଟା ଖାଲି ମଥିହୋଇ ଯାଉଛି ତାର ଆଜିକାର ଏଇ ନୂଆ ଘଟଣା ଦେଖି । ବଡ଼ମା’ ଯଦି ମରିଯାଇ ଥାଆନ୍ତେ ! ଗୋଟିଏ ଭୟବିହ୍ୱଳ ମନ ନେଇ ଚାନ୍ଦ ବସିରହିଛି ମାଧବୀ ପାଖରେ । ହାତ ବୁଲାଇଦେଉଛି ପିଠିରେ ତାର । ପ୍ରଶ୍ନ ସିନା କରିବନି; ହେଲେ କାନ୍ଦନା ବୋଲି ଅନୁରୋଧ କରିବନି କି ? ତେଣୁ ଗଳାରେ ଅନୁନୟଭରି କହିଲା ଚାନ୍ଦ—ମୋ ରାଣଟି ବଡ଼ମା, କାନ୍ଦନି ଗୋ କାନ୍ଦନି ।

 

ମୁହୂର୍ତ୍ତକେ ଆଖିକୁ ଲୁହ ପୋଛିନେଲା ମାଧବୀ, ଚାହିଁଲା ଚାନ୍ଦ ମୁହଁକୁ । ଅଶ୍ରୁବିଜଡ଼ିତ କଣ୍ଠରେ କହିଲା—ତୁ ମତେ ମନଭରି ଟିକିଏ କାନ୍ଦିବାକୁ ବି ଦେବୁନି । ରାଣ ପକାଇଲୁ କାହିଁକି ଶୁଣେ ?

 

ବଡ଼ମା’ଙ୍କ କଥା ଏମିତି–ଆଉ ଭାବିବାର କିଛିନାହିଁ ଚାନ୍ଦର । କିଏ ସିନା ମନଭରି ହସେ, ଆନନ୍ଦ କରେ । ବଡ଼ମା’ଙ୍କର ଇଚ୍ଛା ସେ ମନଭରି କାନ୍ଦିବେ ନୀରବରେ ଚାନ୍ଦ କେବଳ ଚାହିଁରହିଲା ମୁହଁକୁ ତାଙ୍କର ।

 

ମାଧବୀ ଉଠି ଠିଆ ହେଉ ହେଉ ପଚାରିଲା—ଭଦ୍ରଲୋକମାନେ ଆସିଲେଣି ନା ?

 

ନିରୁତ୍ତାପ ଗଳାରେ ଚାନ୍ଦ କହିଲା—ହଁ, କେତେବେଳୁ ଆସିଲେଣି ସେମାନେ । ବାବାଙ୍କୁ ତଳେ ସବୁ ଖୋଜିଲେ ବୋଲି ସାନମା’ ମତେ ପଠାଇଥିଲେ ବାବୁଙ୍କୁ ଡାକିନେବାକୁ । ତୁମକୁ ବି ଖୋଜୁଥିଲେ ତଳ ଅଗଣାର ସାନ ସାଆନ୍ତାଣୀ ଆଉ କରବୀ ନାନୀ । ଯିବ ତୁମେ ତଳ ଅଗଣାକୁ ?

 

‘‘ଚାଆଲେ’’—କହି ପାହାଚ ଆଡ଼କୁ ପାଦ ବଢ଼ାଇଲା ମାଧବୀ ।

 

ଦୋତାଲା ବାରଣ୍ଡାରୁ ଭାସିଆସୁଛି କଥାର ଶବ୍‌ଦ । ନିଦ୍ରାବିଜଡ଼ିତ କଣ୍ଠରେ ତମାଳ ପ୍ରଶ୍ନ କରୁଛି–ମାଧବୀ, ମାଧବୀ କଣ ଗଲାଣି ତଳକୁ ?

 

ମଝିପାହାଚରେ ଠିଆହୋଇପଡ଼ିଲା ମାଧବୀ । ସୁଚରିତା କେମିତି ଗୋଟାଏ ଗଳାରେ ପଚାରିଲା—ନିଦ ଛାଡ଼ିନିକି ଆଖିରୁ ତୁମର ? ସେମାନେ ତୁମକୁ ଅପେକ୍ଷାକରି ବସିରହିଛନ୍ତି ଯେ । ଆଜିକାପରି ଦିନରେ ଶୋଇଲ, ପଚଣି ନିଦର ଉଠୁ ଉଠୁ ମାଧବୀ...

 

ଅସହିଷ୍ଣୁ କଣ୍ଠରେ ତମାଳ କହିଉଠିଲା—ଯାହା ପଚାରୁଛି ତାର ଉତ୍ତର ଦେବ, ନା ବାଜେ କଥା କହିବ ?

 

ମାଧବୀ ଜାଣେ ଏହାପରେ ଖୁବ୍‌ ଚଞ୍ଚଳପାଦରେ ଉପରକୁ ଧାଇଁଆସିବ ତମାଳ । ତେଣୁ ତ୍ରସ୍ତା ମାଧବୀ ନିଜ ପାଦରେ ଚଞ୍ଚଳତା ଭରି ଓହ୍ଲାଇ ଆସିଲା ତଳକୁ । ପାହାଚ ମୁଣ୍ଡରେ ଠିଆହୋଇଛନ୍ତି ତମାଳ ଆଉ ସୁଚରିତା । ସେଇମାନଙ୍କ କର କାଟି ଖୁବ୍‌ ଚଞ୍ଚଳରେ ଓହ୍ଲାଇଗଲେ ସେମାନେ—ଚାନ୍ଦ ଆଉ ମାଧବୀ । ମାଧବୀର କାନରେ ବାଜିଲା ତମାଳର ଛାତିତଳୁ ଉଠିଆସୁଥିବା ଚାପା ଏକ ଦୀର୍ଘଶ୍ୱାସ ।

 

ପୁରୁଷମହଲରେ ମିଶିଗଲା ତମାଳ; ଆଉ ନାରୀମହଲରେ ମାଧବୀ । ବେଳେବେଳେ ନାରୀମହଲର ଅତି ନିକଟକୁ ଆଗେଇ ଆସେ ତମାଳ । କୋଣେଇ କୋଣେଇ ଦେଖେ ଘୂରି ବୁଲୁଥିବା ହାସ୍ୟମୁଖୀ ମାଧବୀକୁ । ବ୍ୟଥା ଅବା ବେଦନାର ଏତେ ଟିକିଏ ବି ଚିହ୍ନ ନାହିଁ ମାଧବୀର ମୁହଁରେ; ସ୍ତବ୍‌ଧ ହୋଇଯାଏ ତମାଳ । ଫେରିଆସେ ତମାଳ ସଭାମଝିକି ।

 

କରବୀ ପସନ୍ଦ ହୋଇଛି ସମସ୍ତଙ୍କର । ଖାଇବା ପିଇବା ସରିଛି । ଏଥର ବିଦାୟ ନେବାକୁ ବସିଛନ୍ତି ସେମାନେ । ବିଦାୟ ନେବା ଆଗରୁ ରାଜେଶ୍‌ କିନ୍ତୁ ହାତ ଧରିଲା ତମାଳର । ନେଇଗଲା ନିଭୃତକୁ । ଗଳାରେ ଅଳିଭରି କହିଲା—ବାହାଘର ହେଲା ନହେଲା ସେ ସବୁ ପଛକଥା । ପରାଗର ବନ୍ଧୁ ମୁଁ—ଆପଣଙ୍କର ସାନଭାଇ । ପରାଗ କହେ–ମୋହନଭିଲା ଯାଇ ଯଦି ମୋ ମାଧବୀ ଭାଉଜକୁ ନ ଦେଖିଲୁ, ତେବେ ତୋର ଆଖିର କିଛି ମାତ୍ର ମର୍ଯ୍ୟାଦା ରହିବନି । କେମିତି ମୋର ସେଇ ମାଧବୀ ଭାଉଜ ? ତେଣୁ ମୋର ଅନୁରୋଧ ଯେ ଗଲା ଆଗରୁ ମୁଁ ଥରେ ଦେଖିଯିବାକୁ ଚାହୁଁଛି ସେଇ ମାଧବୀ ଭାଉଜଙ୍କୁ ।

 

ମୁହଁଟା ଶକ୍ତ ହୋଇ ଉଠିଲା ତମାଳର; କିନ୍ତୁ ପରମୁହୂର୍ତ୍ତରେ ନିଜକୁ ସଂଯତ କରିନେଲା ସିଏ । ମୃଦୁ ହସି ରାଜେଶ୍‍ର ହାତଧରି ଆଗେଇଗଲା ଉପର ଅଗଣାକୁ । ଚାନ୍ଦ ହାତରେ ଡକାଇପଠାଇଲା ମାଧବୀକୁ । ବୋଉର ତଳଘରେ ବସାଇଦେଲା ରାଜେଶ୍‌କୁ । ବସିଲା ନିଜେ । ମଥାରେ ହାତେ ଓଢ଼ଣା ଟାଣି ସେଇ ପିଣ୍ଡାରେ ଆସି ଠିଆହେଲା ମାଧବୀ । ଖଟ ଉପରୁ ଓହ୍ଲାଇଆସି ହାତଯୋଡ଼ି ପାଖରେ ଠିଆହେଲା ରାଜେଶ୍‌ । କହିଲା—ମତେ ଲାଜ କରନି ଭାଉଜ ! ମୁଁ ରାଜେଶ୍‌—ପରାଗର ବନ୍ଧୁ ମୁଁ । କେତେ ଶୁଣିଛି ମୁଁ ତୁମ କଥା ତା’ରି ମୁହଁରେ । କେତେ ବାହାନାକରି ସେ ପଟୁ ନଖାଇ ମୁଁ ପଳାଇଆସିଛି । ତୁମେ ନିଜ ହାତରେ ମତେ ପରଷିଲେ ମୁଁ ଖାଇବି ।

 

ଓଢ଼ଣା ଭିତରୁ ମୃଦୁସ୍ୱରରେ କହିଲା ମାଧବୀ–ବେଶ୍‌ ତ, ବସନ୍ତୁ । ଆଣୁଛି ମୁଁ ଜଳଖିଆ-

 

ଗଳାରେ ଆନନ୍ଦଭରି ରାଜେଶ୍‌ କହିଉଠିଲା–ଜଳଖିଆ ଥାଳି ହାତରେ ଧରି ଲେଉଟିଲା ବେଳକୁ ମଥାରେ ତୁମର ଓଢ଼ଣା ନଥିବ କି ପାଟିରେ ନଥିବ ସେ ଆସନ୍ତୁ, ବସନ୍ତୁ..... ନ ହେଲେ ମୁଁ ଖାଇବିନି କହିଦେଉଛି ।

 

ଠିଆହୋଇପଡ଼ିଲା ମାଧବୀ । ଅଧାକପାଳରେ ଓଢ଼ଣା ରଖି ମୃଦୁ କଣ୍ଠରେ କହିଲା—ଜାଣେ, ଅନେକ କଥା ଶୁଣିଛ ତୁମେ ପରାଗ ମୁହଁରୁ । ତେଣୁ ମୋ ଲାଗି ମନରେ ତୁମର ଅନେକ କୌତୂହଳ । ହେଲେ ଏତେ କୌତୂହଳୀ ହେବାର କୌଣସି କାରଣ ନାହିଁ । ଦୋଷ–ଗୁଣର ସାମାନ୍ୟ ଗୋଟିଏ ମଣିଷ ମୁଁ । ପରାଗ ମତେ ଭଲପାଏ; ତେଣୁ ତାର ସେ ସବୁ କଥାରେ କିଛି ଆତିଶଯ୍ୟ ରହିଛି । ତଥାପି ମନରେ ଆନନ୍ଦ ନେଇ ତୁମେ ଚାହିଁଚ ମୋ ହାତରେ ଖାଇବାକୁ, ସେଇ ମୋର ଯଥେଷ୍ଟ ।

 

କଥା ସାରି ତଳ ଅଗଣାଆଡ଼େ ଚାଲିଗଲା ମାଧବୀ । ଛାୟାନ୍ଧକାର ଭିତରେ ଏପର୍ଯ୍ୟନ୍ତ ପଦ୍ମହୋଇ ଫୁଟିରହିଥିଲା ମାଧବୀର ମୁହଁ । ସେଇ ମୁହଁକୁ ପଲକହୀନ ଆଖିରେ ଚାହିଁରହିଥିଲା ରାଜେଶ୍‌ । ଚାହିଁ ନଥିଲା ତ ସିଏ, ସତେ ଅବା ଦର୍ଶନ କରୁଥିଲା ମାଧବୀକୁ ।

 

ହିଂସାରେ ଜଳି ଜଳି ନୀଳ ହୋଇଯାଉଥିଲା ତମାଳର ଗୋଲାପି ରଙ୍ଗର ସୁନ୍ଦର ମୁହଁଟି-

 

ଅନେକ ରାତିରେ ସେଦିନ ଫେରିଯାଇଥିଲେ ଅତିଥିମାନେ ।

 

୨୨

 

ଦୁଇମାସ ହେବ ସରିଗଲାଣି କରବୀର ବାହାଘର । ସମସ୍ତଙ୍କ ମନକୁ ଶୂନ୍ୟକରି କରବୀ ଚାଲିଯାଇଛି ଶାଶୁଘରକୁ । ଖବର ଆସେ ସୁଖରେ ଅଛି କରବୀ । ଅଛି ଭଲରେ, ମଝିରେ ଥରେ ଆସିଥିଲା ସେ । ସାଥିରେ ଆସିଥିଲେ ରାଜେଶ୍‌ । ସାତଟି ଦିନ ଥିଲେ ସେମାନେ । ମାଧବୀର ପାଖଛାଡ଼ିନି ରାଜେଶ୍‌ । କୋଳରୁ ମୁହୂର୍ତ୍ତକଲାଗି ଓହ୍ଲାଇଦେଇନି ତାର ଝିଅଟାକୁ । ସେଇ କଥା ଦେଖି ଓଠ ଚିପି ହସିଛି ମାଧବୀ । କହିଛି—ପିଲାରେ ତୁମର ଭାରି ସଉକ । ନିଜର ଯେତେବେଳେ ହେବ ସେତେବେଳେ ତା’ରି ମୁହଁ ଚାହିଁ ତାକୁଇ ଛାତିରେ ଜାକି ଦୁନିଆ ଭୁଲିବ, ନୁହେଁ ?

 

ଟିକିଏହେଲେ ଲଜ୍ଜିତ ହୋଇନି ରାଜେଶ୍‌ ! କହିଛି—ତୁମେ ବୋଧହୁଏ ଭୁଲ କହୁଛ ଭାଉଜ ! ଏତେ ତ ତୃଷ୍ଣାର ରୂପର ତୁଳନା ନାହିଁ । ସେଥିରେ ତୁମରି ଗୁଣଗୁଡ଼ାକ ସେ ନିଶ୍ଚୟ ପାଇବ । ତେଣୁ ତା’ପରି କେହି କଣ କାହାରି ମନ ଟାଣିପାରିବ ? ତୃଷ୍ଣା ସାଥିରେ କାହାରବି ତୁଳନା ହୋଇପାରେନା । ତୁମେ ବଞ୍ଚିରହିବ ତୁମରି ଏଇ ତୃଷ୍ଣା ଭିତରେ । ତୁମକୁ ନଦେଖି ତୃଷ୍ଣାକୁ ଦେଖିଲେବି ତୁମେ ମନେପଡ଼ିବ ସବୁରି ।

 

ମାଧବୀ ମୃଦୁ ହସି କହିଲା—ମୋ କଥାଟା ମନେପଡ଼ିବା କଣ ଖୁବ୍‌ ବେଶି ଜରୁରି ?

 

କେମିତି ଗୋଟେ ଉଦାସ ହୋଇଗଲା ରାଜେଶ୍‌ର ମୁହଁଟା, ରହି ରହି କହିଲା—ତୁମ ମୂଲ୍ୟ ତୁମେ ନିଜେ କେମିତି ବୁଝିବ ଭାଉଜ ? ତୁମେ ଯେ ଆମ ପାଖରେ କଣ, ସେ କଥା କେବଳ ଆମେଇ ଜାଣୁ । କେତେ ଭଉଣୀ, କେତେ ଭାଉଜ, କେତେ ପିଉସୀ, କେତେ ମାଉସୀ ଦେଖିଲି—ହେଲେ ମା’ ବଦଳରେ ମା’ ହୋଇଯିବାର କ୍ଷମତା ତ କାହାରି ଦେଖିଲିନି ! ଆଜି ମନେ-ପ୍ରାଣେ ବୁଝେ ଯେ ଏତେ ଟିକିଏ ବି ବଢ଼େଇ-କୁଢ଼େଇ ତୁମ କଥା କହିନି ପରାଗ । ତେଣୁ ତୁମର ଯେ ଝିଅ, ସେ ଯେ ସବୁରି ଆଖିରେ ଅଲଗା ଦିଶିବ ବା ଅଲଗା ଲାଗିବ, ଏଥିରେ ଭାବିବାର କିଛି ନାହିଁ ।

 

ବାରଂବାର ନିଜର ପ୍ରଶଂସା ଶୁଣି ଲଜ୍ଜା ପାଉଥିଲା ମାଧବୀ । କଥା ବାଆଁରେଇବାକୁ ଯାଇ କହିଲା—ବାବାରେ ବାବା ! କୌଣସି ଦେବଦେବୀ ମନ୍ଦିରରେ ବସି ସ୍ତୁତିଗାନ କଲେ ଏତେବେଳକୁ ବର ପାଇସାରନ୍ତଣି, ଛାଡ଼ । ମୁଁ କିଛି ଦେଇ ନ ପାରିଲେ ବି ଅନ୍ତତଃପକ୍ଷେ ଚା’ କପ୍‌ଟେ ଯାଇ ନେଇଆସେ ।

 

ମାଧବୀ ମୁହଁରେ ବୁଣିହୋଇଯାଇଥିବା ରେଣୁ ରେଣୁ ଲାଜକୁ ମୁଗ୍‌ଧ ଆଖିମେଲି ଚାହିଁଲା ରାଜେଶ୍‌ । ମନେ ମନେ କହିଲା—କି ମନ ପାଇଛନ୍ତି ମାଧବୀ ଭାଉଜ !! ସେଇ ସୁନା ମନ ପ୍ରତିବିମ୍ୱିତ ହେଉଛି ତାଙ୍କରି ମୁହଁର ନିର୍ମଳ ଦର୍ପଣରେ । ନହେଲେ କଣ ଏଇ ବୟସରେ ଏମିତିକରି ଝଟକେ କାହାରି ମୁହଁ !!

 

ଦେବୀଦର୍ଶନର ଆନନ୍ଦରେ ନନ୍ଦିତ ହୋଇଉଠିଲା ରାଜେଶ୍‌ର ମନଟା । ଆଉ ଏଇ ମନଟାହିଁ ତାର ସେଦିନ ଆକୁଳ କରବୀକୁ କହିଥିଲା—ହଁ, ହଁ, ଯାଅ ନେଇ ଆସ ତୃଷ୍ଣାକୁ । ତୁମେ ପିଉସୀ, ତୁମର ଢେର୍‌ ଅଧିକାର ଅଛି ତୃଷ୍ଣା ଉପରେ । ମାଧବୀ ଭାଉଜ ଯେତେବେଳେ ଆଉ ନାହିଁ; ସେତେବେଳେ କାହାର ହେବ ତୃଷ୍ଣା !! ବୁଢ଼ୀ ତ ପଥରର ମୂର୍ତ୍ତି । ତମାଳ ଭାଇନା ତ ପାଗଳ-। ଆଉ ସାନଭାଉଜ—ତାଙ୍କର ଆଜିକାର ଏଇ ସ୍ତବ୍‌ଧ ଭାବଟା କଟିଯିବ ଆଉ କେଇଟା ଦିନ ପରେ । ତା ବୋଲି ସେ କଣ ନିଜ ପିଲାଙ୍କୁ ଆଡ଼େଇଦେଇ ଛାତିରେ ଜାକି ଧରିବେ ତୃଷ୍ଣାକୁ ? ପୋଛିଦେବେ ଆଖିରୁ ତାର ଲୁହ ? ସେ କଣ ମାଧବୀ ଭାଉଜ ହୋଇଛନ୍ତି ? ନା ନା, ତୁମେଇ ନେଇଆସ ତୃଷ୍ଣାକୁ । ମଣ୍ଟୁ କଥା ଆମେ ପଛେ ବୁଝିଲେ ତୃଷ୍ଣା କଥା ଆଗ । ମୁଁ ଜାଣେ—ତୁମେ କେବେ ହେଲେ ତୃଷ୍ଣାକୁ ଅବହେଳା କରିବନି–କାରଣ ମୁଁ ଜାଣେ, ନିଜକୁ ତୁମେ ଭାଙ୍ଗି ଚୁରି ଗଢ଼ିନେଇଛ ସେଇ ମାଧବୀ ଭାଉଜ ଛାଞ୍ଚରେ । ତୁମେ ଭଲ, ଭାରି ଭଲ ।

 

ଆଖି ଲୁହରେ ନିଜର ସମସ୍ତ ସତ୍ତାକୁ ଭସାଇ ଦେଉ ଦେଉ କରବୀ ସ୍ୱାମୀ ପାଖରୁ ବିଦାୟ ନେଇ ଧାଇଁଆସିଥିଲା ଚମ୍ପାପୁରକୁ ଛାତିରେ ନିବିଡ଼ କରି ଜାକିଧରିଥିଲା କ୍ରନ୍ଦନରତା ଅସହାୟ ତୃଷ୍ଣାକୁ ଓ ଶେଷରେ–ସମସ୍ତଙ୍କ ଆଖିରେ ବିସ୍ମୟ ଭରିଦେଇ ନେଇଯାଇଥିଲା ତୃଷ୍ଣାକୁ । ଝଡ଼ ବିଧ୍ୱସ୍ତା ଚାନ୍ଦ ଥରେ ଦୁଇହାତ ବଢ଼ାଇ ଆକୁଳ ସ୍ୱରରେ କହିଉଠିଥିଲା—ନାଇଁ ନାନୀ ନାଇଁ । ମୁଁ ତ ଜୀଇଁଛି, ତୁମେ ତାକୁ ନେଇଯାଉଚ କାହିଁକି.....

 

ଭୟ ବ୍ୟାକୁଳ ଆଖିରେ ଥରେ ଚାନ୍ଦ ମୁହଁକୁ ଚାହିଁଲା କରବୀ । ଧାଇଁ ଆସି ଚାନ୍ଦ ପୁଣି ବାଟ ଓଗାଳିଲା–ହାତ ବଢ଼ାଇଲା ତୃଷ୍ଣାଆଡ଼କୁ । ନିଜ ଦେହର ସମସ୍ତ ଶକ୍ତି ଠୁଳକଲା କରବୀ ନିଜର ହାତ ଦୁଇଟିରେ । ଆହୁରି ଶକ୍ତକରି ଜାବୁଡ଼ି ଧରିଲା ତୃଷ୍ଣାକୁ । ଭୟମିଶା ବିସ୍ଫାରିତ ଆଖି ଦୁଇଟିରେ ଲୋତକ ଭରି କରବୀ ଚାହିଁଲା ଚାନ୍ଦର ସ୍ଥିର ଅବିଚଳିତ ମୁହଁକୁ । ଶେଷରେ....ଶୁଖିଲା ଓଠରେ ଜିଭ ବୁଲାଇନେଇ କହିଲା—ତୁମ ଘରର ଝିଅକୁ ମୁଁ କଣ ରଖିପକାଇବି ଚାନ୍ଦ ? ନାଇଲୋ, ତମେ ସବୁ ସମ୍ଭାଳିନିଅ ନିଜକୁ, ତାପରେ ଯାଇ ନେଇ ଆସିବେନି କି ଭାଇନା !

 

ଟଳିଲା ଟଳିଲା ପାଦରେ ପାଖେଇ ଆସିଥିଲା ସୁଚରିତା ଓ ଅସ୍ୱାଭାବିକ ଗଳାରେ କହିଥିଲା—ନାଁ, କେହି ନେଇପାରିବେନି ମାଧବୀର ଝିଅକୁ । ସେ ଝିଅ ମୋର, ତାର ଗୋଟେ ମା’ ନଥିଲେ ବି ଆଉ ଗୋଟାଏ ମା’ ତ ଅଛି ! ସେ ତେବେ ପରଘରକୁ କାହିଁକି ଯିବ, ଶୁଣେ !

 

ଇସ୍‌, ଶ୍ୟାମଳୀ ସୁଚରିତା ଦିଶୁଛି କଳା କିଟିକିଟି । ପ୍ରେତିନୀପରି ଦିଶୁଛି ସୁଚରିତା । ଦିଶୁଛି ଭୟଙ୍କର । ତିର୍ଯ୍ୟକ୍‌ ଦୃଷ୍ଟିରେ ଘୃଣାଭରି କରବୀ ଚାହିଁରହିଥିଲା ସୁଚରିତାର ମୁହଁଟାକୁ । ସୁଚରିତାର କଥା ସାରିଲାକ୍ଷଣି ଗୋଟାଏ ବିକୃତ ଶବ୍‌ଦକରି ହସିଉଠିଲା କରବୀ । କହିଲା—ମାଆ.... ଆ ! ତୁମେ ହେବ ତୃଷ୍ଣାର ମାଆ !

 

ପୁଣି ଖିଲିଖିଲି ହୋଇ ହସିଉଠିଲା କରବୀ । ସେମିତି ହସୁ ହସୁ ସେଠୁ ଧାଇଁପଳାଇଲା ସିଏ, ଉଠିଲା ଯାଇ ସିଧା ଦାଣ୍ଡଦୁଆରେ—ବସିପଡ଼ିଲା ନିଜର କାର୍‌ରେ ।

 

କାର୍‌ ଉପରେ ହାତରଖି ଠିଆହେଲା ଆସି ପରାଗ । ଉଦାସ ଗଳାରେ କହିଲା—ଆଜି ଦିନଟା ରହିଲୁନି ଏଠି ?

 

ଉଦ୍‌ବିଗ୍ନଭରା କଣ୍ଠରେ କରବୀ କହିଉଠିଲା—ନାଇଁ ଭାଇନା, ନାଇଁ । ଆଉ ଦିନେ ଆସିବି । ତମେ ବାଟ ଛାଡ଼ିଦିଅ.... ମୁଁ ଯାଏଁ ବାହାରି । ମତେ ଡର ଲାଗୁଛି ସେଇ ସୁଚରିତା ଭାଉଜକୁ । ସେ ଆସି ହୁଏତ ପୁଣି ଝିଅଟାକୁ ଛଡ଼ାଇନେବ; ତାର ଯେତେବେଳେ ଅଧିକାର ଅଛି । ନାଇଁ ଭାଇନା ଛାଡ଼ିଦିଅ ମତେ । ମୁଁ ଯାଏଁ ବାହାରି ।

 

କାର୍‌ ଉପରୁ ହାତ ଖସାଇ ଆଣି ଘୁଞ୍ଚିଆସିଲା ପରାଗ । ନିର୍ନିମେଷ ଆଖିରେ କେବଳ ଚାହିଁରହିଲା କାର୍‌ଟାର ଗତିପଥକୁ ।

 

ଛାଡ଼, ଏ ସବୁ ଅନେକପରର କଥା । ସେଥରକ ରାଜେଶ୍‌ ଓ କରବୀ ଚାଲିଗଲା ପରେ ଉଦାସ ହୋଇ ଯାଇଥିଲା ମାଧବୀ । ତୁହାଇ ତୁହାଇ ତାର ମନେପଡ଼ୁ ଥିଲା ରାଜେଶ୍‌ର ପବିତ୍ର ନିର୍ମଳ ମୁହଁଟି । ମନେପଡ଼ୁଥିଲା ତାର ଶ୍ରଦ୍ଧା ଭକ୍ତି । ସେଇମାନେ ବେଳେବେଳେ ଆସିଲେ ଭରିଦେଇଯାଆନ୍ତି ତାର ଶୂନ୍ୟ ଜୀବନଟାକୁ । ବର୍ଷ ହୋଇଗଲାଣି ପରାଗ ନାହିଁ ପାଖରେ । ନାହିଁ ତାର ସାଥୀ । ବଡ଼ ଏକା ଲାଗେ ନିଜକୁ ତାର । ବେଳେବେଳେ ଝିଅର ଗାଲ ଚିପି ଦେଉ ଦେଉ କହେ—ଏଇ ଘୁଙ୍ଗି । କେବେ କଥା କହିବୁ ? କେବେ କରିବୁ ଅଳି ? ତୋ ସାଥିରେ କଥା କହିବାକୁ ଯାଇ କେବେ ମୁଁ କହିବି ଅନେକ ଅନେକ କଥା, ଉଁ ?

 

ଫିକ୍‌କରି ହସିଦିଏ ତୃଷ୍ଣା । ସତେ ଅବା ସେ ହସର ଅର୍ଥ ହେଉଛି—ଆରେ, କେଡ଼େ ପିଲାଲୋକ ମ ତାର ଏଇ ବୋଉଟା ! ଧୈର୍ଯ୍ୟ ବୋଲି ଟିକିଏ ନାଇଁ ।

 

ତୃଷ୍ଣାର ହସିଲା ଓଠରେ ଓଠ ଛୁଆଁଏ ମାଧବୀ ।

 

ହଠାତ୍‌ ମନେପଡ଼ିଯାଏ ତାର ଶୁଭେନ୍ଦୁର ମୁହଁଟା । ଅଭିମାନରେ ଭାରିହୋଇଯାଏ ମାଧବୀର ମନ । ସ୍ପୀତ ହୋଇଉଠେ ତାର ଓଷ୍ଠ ପାଖୁଡ଼ା ଦୁଇଟି । ମନେ ମନେ ଗୁଣୁଗୁଣୁ ହୋଇ କହେ—ତୃଷ୍ଣାର ପାଲାପଜାକୁ ଥରେ ଆସିଥିଲ । ସେ ହେଲାଣି ବରଷକ ତଳର କଥା । ଆଉ ଥରେ ମନେ ଦେଖିବାକୁ ଇଚ୍ଛାହେଉନି ତୁମର ! ଭୁଲିଗଲ ମତେ ତୁମେ !! ତୁମେ ସବୁ ଜାଣି ବି କହିଥିଲ ତୁମ ପୁଅ ସାଥିରେ ତୃଷ୍ଣାକୁ ମୋର ବାହାକରାଇବ, ଘରେ ସାଇତି ରଖିବ ମୋରି ସ୍ମୃତିରୂପେ ମୋରି ତୃଷ୍ଣାକୁ । ଆଜି ଜାଣୁଛି ଯେ ଏ ଖାଲି ତୁମର କଥାର କଥା; ନହେଲେ ମୁଁ ଏଇ ଜୀଅନ୍ତା ମଣିଷଟା, ମତେ ତ ଦେଖି ଯିବାକୁ ଥରେ ଥରେ ମନ କରୁନ–ଆଉ ମୋ ସ୍ମୃତିରୂପେ ତୃଷ୍ଣାର କି ମୂଲ୍ୟ ଦେବ ତୁମେ ? ହଉ ହଉ । ଦେଖିନେବି ତୁମକୁ ରହ ।

 

ସତରେ ପାଲାପୂଜାଦିନ ମାଧବୀକୁ କେଇଟି ମୁହୂର୍ତ୍ତଲାଗି ନିଭୃତରେ ପାଇ ଶୁଭେନ୍ଦୁ ଯେତେବେଳେ ନନ୍ଦିତ କଣ୍ଠରେ କହିଥିଲା—ମାଧବୀ, ତୁ ସିନା ଯାଇପାରୁନୁ ମୋ ଘରକୁ, ହେଲେ ଝିଅ ତୋର ନିଶ୍ଚୟ ଯିବ । ମୋରି ବୋହୂହୋଇ । ତେବେ ଚୌଧୁରୀ ଘରର ଝିଅ ସାମନ୍ତରାୟ ଘରକୁ ଗଲେ ଟିକିଏ ଚଳିବ ଅଭାବ ଅନଟନ ଭିତରେ । ତା’ ହଉ । ସ୍ମୃତି ହିସାବରେ ତୋରି ତୃଷ୍ଣାକୁ ମୋ ଘରକୁ ପଠାଇବାକୁ କେବେହେଲେ ତୁ ଅରାଜି ହେବୁନି, ମୁଁ ବି ଚେଷ୍ଟା କରିବି ଯେ ମୋ ପୁଅକୁ ତୋ ଝିଅର ଯୋଗ୍ୟ କରିବାକୁ ।

 

ବିବର୍ଣ୍ଣ ହୋଇଯାଇଥିଲା ସେଦିନ ମାଧବୀର ମୁହଁଟା, ଆଉ ତାର ସେଇ ମୁହଁ ଦେଖି ସଙ୍କୁଚିତ ହୋଇଯାଇଥିଲା ଶୁଭେନ୍ଦୁ । ସ୍ତିମିତ ଗଳାରେ କହିଥିଲା—କଣରେ, ଏମିତି ପଥର ପାଲଟିଗଲୁ କାହିଁକି ? ଭାବୁଚୁକି ଅସମ୍ଭବ କି କଥା କହୁଛି ଶୁଭଭାଇ । ବାମନ ହୋଇ ହାତ ବଢ଼ାଉଛି ଚାନ୍ଦକୁ । ନାଲୋ, ସେ କଥା ନୁହେଁ । କହିଦେଲି ଖାଲି ତୋର ଭରସାରେ ।

 

ଆକୁଳ କଣ୍ଠରେ ନା ନା କରିଉଠିଥିଲା ମାଧବୀ । ଅଶ୍ରୁଳ କଣ୍ଠରେ କହିଥିଲା–ସେ କଥା ନୁହେଁ ଶୁଭଭାଇ, ସେ କଥା ନୁହେଁ । ମୋଝିଅ ସାଥିରେ ତୁମ ପୁଅର ବାହାଘର, ସେ ଯେ ମୋ ପାଖରେ କି ଆନନ୍ଦର କଥା, ସେ କଥା ତୁମେ ବୁଝିବନି । ସେ କଥା ନୁହେଁ ଶୁଭଭାଇ, ଅନ୍ୟ କଥା କିଛି ମୁଁ ଲୁଚାଇ ପାରିବିନି ତୁମ ପାଖରେ । ସାରା ବିଶ୍ୱକୁ ଠକିଦେବି ମୁଁ ଅକୁଣ୍ଠ ଚିତ୍ତରେ, ହେଲେ ତୁମକୁ ! ନା ତୁମକୁ ନୁହେଁ । ଜୀବନର ଶ୍ରଦ୍ଧାଭକ୍ତି ସ୍ନେହ ପ୍ରୀତି ବିଶ୍ୱାସର କେନ୍ଦ୍ରସ୍ଥଳ ହେଲେ ଏକମାତ୍ର ତୁମେ । କିଛି ମୁଁ ଲୁଚାଇବିନି ତୁମକୁ । ଶୁଭଭାଇ, ତୁମେ ଭାବିଛ ବୋଧହୁଏ ଯେ ମଲ୍ଲିପୁରର ନଈଟା ବହିଆସି ଚମ୍ପାପୁର ସାଗରରେ ମିଶି ଏକାକାର ହୋଇଯାଇଛି; ନୁହେଁ ?

 

ଚିରିଲା ଆଖିରେ ବିସ୍ମୟ ଭରି ଶୁଭେନ୍ଦୁ ଚାହିଁ ରହିଲା—ମାଧବୀର ରହସ୍ୟଭରା ମୁହଁଟିକି ।

 

ତଳକୁ ଆଖି ନୁଆଁଇ ନେଇ ଓଠକଣରେ ହସିଲା ମାଧବୀ । ବଡ଼ କରୁଣ ଦିଶିଲା ତାର ସେଇ ହସଟିକକ । କୁଞ୍ଚିତ ହୋଇଗଲା ଶୁଭେନ୍ଦୁର ଭ୍ରୂଲତା ଦୁଇଟି । ତୀକ୍ଷ୍‌ଣ ହେଲା ତାର ଆଖିର ଚାହାଣି । ଆକାଶରେ ଆଖିରଖି ମାଧବୀ କହିଲା—ଗୋଟେ କଥା କହିବି ଶୁଭଭାଇ ! ଇଚ୍ଛାହେଲେ ବିଶ୍ୱାସ କର; ନହେଲେ ନାହିଁ । କାହାରି ବିଶ୍ୱାସ ଅବିଶ୍ୱାସ ସାଥିରେ କିଛି ମୋର ଯାଏନି କି ଆସେନି । ଶୁଭଭାଇ; ଜାଣ ମୁଁ—ମାନେ ପୁଅପିଲା ଯେମିତି ସ୍ତ୍ରୀର ସତୀତ୍ୱ ଖୋଜନ୍ତି, ମୁଁ ବି ସେମିତି ଖୋଜେ ରାମଚନ୍ଦ୍ରଙ୍କ ପରି ପୁରୁଷର ଶୁଦ୍ଧତା; ପୁରୁଷ ଯେମିତି ନାରୀର ଭଲମନ୍ଦ ଜାଣି ନ ପାରି ସତୀବୋଲି ଭାବି ମୁଣ୍ଡରେ ମୁଣ୍ଡାଏ, ଛାତିରେ ଲଗାଏ; ସେମିତି ମୋର ବି ଗୋଟାଏ ବିଚିତ୍ର ମନ । ସ୍ୱାମୀ ମୋର କୋଉଁଠି କେବେ କଣ କରିଛନ୍ତି କି ନାହିଁ ସେକଥା ମୁଁ ଜାଣେନି । ନ ଜାଣିଛି ଯେତେଦିନ, ସେତେଦିନ ମୋ ଦେହ-ମନ କାନ୍ଦିଛି ମୋ ସ୍ୱାମୀର ଦେହ–ମନ ଲାଗି । ହେଲେ ଯେତେବେଳେ ଜାଣିଲି ଯେ ମୋ ସ୍ୱାମୀ ଶଯ୍ୟାରେ ଭାଗ ନେଇଛି ଆଉ ଗୋଟିଏ ଝିଅ; ଆଉ ସେଇ ଝିଅ ଦେହରେ ଦେହ ମିଶାଉଛନ୍ତି ସ୍ୱାମୀ, ଠିକ୍‌ ସେଇ ମୁହୂର୍ତ୍ତରେ ବିଧବା ହୋଇଗଲା ମୋର ମନ । ଏତେ ଟିକିଏ ବି ଲୋଭ ରହିଲାନି ମୋର ମୋ ସ୍ୱାମୀଙ୍କ ଦେହଲାଗି । ତୁମେ ବିଶ୍ୱାସ କର; କେତେଦିନ ସେ ରାତିର ନିର୍ଜନରେ ଧାଇଁଆସିଛନ୍ତି ମୋରି ଶୋଇବା କୋଠରିର ନିବୁଜ ଦୁଆରମୁହଁକୁ । ହେଲେ—? ଦେହ ମନ ମୋର କି ଗୋଟାଏ ଅଶ୍ଳୀଳ ଚିନ୍ତାରେ ସଙ୍କୁଚିତ ହୋଇଯାଇଛି । ଘୃଣାରେ ସର୍ବାଙ୍ଗ ମୋର ଶିରି ଶିରି କରିଉଠିଛି । ଅସତୀ ସ୍ତ୍ରୀ ଲାଗି ସ୍ୱାମୀ ମନରେ ଜନ୍ମନିଏ ଯେଉଁ ଭାବ, ମୋ ଭିତରେ ଜନ୍ମନେଲା ମୋ ସ୍ୱାମୀ ଲାଗି ଠିକ୍‌ ସେଇ ଭାବ । ଶୁଭଭାଇ, ସବୁ ନାରୀ ମନ କଣ ଏମିତି ? ନୁହେଁ ତ; ଜାଣ ମୁଁ ନିଜେ ବି କ୍ଷମା କରିନି ମୋର ଏଇ ଅଦ୍ଭୁତ ଧରଣର ମନଟାକୁ । ଝଡ଼ ବହିଯାଏ ଭିତରେ ମୋର । ତଥାପି ମୁଁ କାନଦେଇନି ତାଙ୍କ ଡାକରେ ଖୋଲିନି ଦୁଆର । ଶୋଇରହିଛି ପଥରର ମନନେଇ ।

 

ମଥା ନୁଆଁଇଁ ନୀରବ ହୋଇଗଲା ମାଧବୀ । ତାର ଦୁଇ ଆଖିର ତଟ ବାହି ଝରିଆସିଲା ଅଶ୍ରୁର ଶ୍ରାବଣଧାରା । ଶୁଭେନ୍ଦୁ ତାର ମୁହଁକୁ ଚାହିଁରହିଛି ପଥରର ଆଖିମେଲି । ମିଛ ତ କହେନି ମାଧବୀ ! ମିଛତ ସେ କହିପାରେନା । ତେବେ—ଆଜି ସେ କଣ କହୁଛି ! ସତ କହୁଛି-! ଏଇ କଣ ତାର ସତ କଥା ! ତେବେ ଏଇ, ଏଇ ଝିଅଟା ?

 

ଶୁଖିଲା ଓଠରେ ଜିଭ ବୁଲାଇନେଇ ଶୁଭେନ୍ଦୁ କହିଲା—ତୋ ମନର ଇଚ୍ଛା ଅନିଚ୍ଛା ଭଲ ମନ୍ଦ ସାଥିରେ ମୋ’ରି ସବୁଠୁ ନିବିଡ଼ ପରିଚୟ । ହେଲେ ମାଧୁ—ଏଇ ଝିଅ ! ତୋରି ଏଇ ତୃଷ୍ଣା !

 

ଅଞ୍ଚଳରେ ଆଖି ପୋଛିଲା ମାଧବୀ । ବେଶ୍‌ କିଛି କ୍ଷଣ ନୀରବ ରହିବାପରେ ଫିସ୍‌ ଫିସ୍‌ କଣ୍ଠରେ କହିଲା—ଯାଣ ଶୁଭଭାଇ, ବାଧ୍ୟହେଲି ମୁଁ ମା’ ହେବାକୁ ।

 

ତା’ପରେ...... ସେମିତି ଫିସ୍‌ ଫିସ୍‌ କଣ୍ଠରେ ମାଧବୀ କହିଗଲା କେତେ କଣ । କହିବାକୁ ଯାଇ ତାକୁ ଲାଗିଥିଲା ଅନେକ ସମୟ । ସ୍ତବ୍‌ଧ ଦେହମନ ନେଇ ସବୁ ଶୁଣିଥିଲା ଶୁଭେନ୍ଦୁ । କଥା ସାରି ନୀରବରେ ବସିରହିଥିଲା ମାଧବୀ । ତା’ପରେ ଆହୁରି ଅନେକ ମାଧବୀ ସ୍ୱଚ୍ଛ ହସି କହିଥିଲା—କଣ ହେଲା ଶୁଭଭାଇ ! ସ୍ୱପ୍ନ ତୁମର ତୁଟିଗଲା ନା ? ଆଉ ସମୟ ପରେ ତୁମେ ବୋହୂକରି ନେବନି ତ ମୋର ତୃଷ୍ଣାକୁ ?

 

ଅଶ୍ରୁରେ ରୁଦ୍ଧ ହୋଇ ଆସିଥିଲା ଶୁଭେନ୍ଦୁର ଗଳା; ବିକୃତ କଣ୍ଠରେ କହିଥିଲା—ତେବେ ବି ଝିଅକୁ ତୋର ବୋହୂ କରି ନେବି; ମାଧବୀ, ନିଶ୍ଚୟ ନେବି । ତୋରି ଛାତିର ସ୍ପର୍ଶରେ, ତୋରି ମନର ସ୍ପର୍ଶରେ, ତୋରି ପ୍ରାଣର ସ୍ପର୍ଶରେ ଝିଅ ତୋର ସୁନା ପରି ଶୁଦ୍ଧ ଆଉ ଉଜ୍ଜ୍ୱଳ । ଏତେ ଟିକିଏ ବି ବାରଣ ଆସୁନି ତା’ ଲାଗି । ମନରେ ମୋର କିନ୍ତୁ କଥା ହେଉଛି ତମାଳ ଯେତେବେଳେ ଜାଣେ ଯେ ଝିଅ ତାର ନୁହେଁ, ସେତେବେଳେ କେମିତି ହେଉଥିବ ତାର ମନର ଅବସ୍ଥା ଏଇନେ ! ତୋ ଲାଗି କି ଶାସ୍ତିର ବ୍ୟବସ୍ଥା କରୁଛି ସିଏ ମନେ ମନେ ? ପୁରୁଷ ନିଜେ ଓହ୍ଲାଇଯାଏ ସାତତାଳ ପଙ୍କ ଭିତରକୁ; ହେଲେ କେଉଁଦିନ ତ ସିଏ ସହେନି ତା ସ୍ତ୍ରୀର ଏତେ ଟିକିଏବି ଭୁଲ–ଭଟକାକୁ ! ତେବେ-? ହତ୍ୟାକରିବ ସିଏ ତତେ, ନିଶ୍ଚୟ ହତ୍ୟାକରିବ ।

 

ହାତ ପାପୁଲିରେ ମୁହଁ ଢାଙ୍କି ନିଃଶବ୍ଦରେ କାନ୍ଦିଉଠିଲା ଶୁଭେନ୍ଦୁ । ଆଖିରେ ବିରକ୍ତି ଭରି ମାଧବୀ ଚାହିଁଲା ଶୁଭେନ୍ଦୁ ଆଡ଼କୁ । ସେମିତି ବିରକ୍ତିଭରା ଗଳାରେ କହିଲା–ଉଃ ତୁମେ ଗୋଟାଏ ଅଦ୍‌ଭୁତ ମଣିଷ, ହତ୍ୟାକଲେ କରିବେ । କି ମୂଲ୍ୟଟା ଅଛି କି ମୋ ଜୀବନର ! ଭାରିତଅ.... ଏଣିକି ମରିବାରେ ଏତେ ଟିକିଏବି ଦୁଃଖ ବା ଆପତ୍ତି ନାହିଁ ମୋ ମନରେ । ତମେ ଟିକିଏ କଥା କୁହ ତ ମୋ ସାଥିରେ । ବିରକ୍ତ ଲାଗୁଛି ତୁମ ଭାବ ଦେଖି । କେତେଦିନ ହେଲାଣି କାହା ସାଥିରେ ମନ ଆନନ୍ଦରେ ଟିକିଏ କଥା କହିନି । କୁହ ତ କଥା କୁହ ।

 

ମୁହଁରୁ ହାତ କାଢ଼ିଆଣି ଜଳିଲା ଆଖିରେ ମାଧବୀ ମୁହଁକୁ ଚାହିଁଲା ଶୁଭେନ୍ଦୁ । କ୍ରୋଧଭରା ଗଳାରେ କହିଲା—ଉଃ, କି ସାଂଘାତିକ—କି ସାଂଘାତିକ ତୁ ମାଧବୀ ବୁଢ଼ୀ କାଳେ ନା ପକାଇଲୁ । ଛୋଟ ହୋଇଗଲୁ ସ୍ୱାମୀ ଆଖିରେ; ତେବେ ବି ଆନନ୍ଦ ଆସୁଛି ତୋ ମନରେ ? ଲାଜ ଲାଗୁନି ତତେ ? ମର ତୁ ଏଇଠି, ମୁଁ ଯାଉଛି ବାହାରି ।

 

ଓଠପ୍ରସାରି ସୁନ୍ଦର ହସିଲା ମାଧବୀ । ଧରିପକାଇଲା ଶୁଭେନ୍ଦୁର ହାତଟା, ସ୍ୱର ଲହରେଇ କହିଲା—ତମେ କୁଆଡ଼େ ଯିବମ ? ମତେ ଛାଡ଼ି ସମସ୍ତେ ଯିବେ; ଏକା ଯାଇପାରିବନି ତୁମେ । ହେଇଟି କୁହ ଝିଅକୁ ମୋର ବୋହୂ କରିବଟି–ନ କହିଲେ ଛାଡ଼ିବନି କହିଦେଉଛି ।

 

ଅଲାଜୁକୀଟାକୁ କିଛିମାତ୍ର ଲଜ୍ଜା ନାହିଁ କି ଭୟ ନାହିଁ । ଦୁମ୍‌କରି ବସିପଡ଼ିଲା ଶୁଭେନ୍ଦୁ । କ୍ରୋଧବିଜଡ଼ିତ କଣ୍ଠରେ କହିଲା—କରିବି ଲୋ କରିବି । ତୋରି କଥାରଖିବି । ବୋହୂ କରିନେବି ଝିଅକୁ ତୋର ।

 

ସ୍ୱସ୍ତିର ଗୋଟାଏ ଲମ୍ୱା ନିଃଶ୍ୱାସ ଛାଡ଼ି ଶୁଭେନ୍ଦୁର ହାତ ଛାଡ଼ିଦେଇଥିଲା ମାଧବୀ । ଶୁଭଭାଇ ମିଛ କହେନି । ନିଶ୍ଚୟ ଶୁଭଭାଇ ଦିନେ ବୋହୂକରି ନେବ ତୃଷ୍ଣାକୁ ତାର ଆଖିରେ ଆବେଶ ଭରିଯାଏ ମାଧବୀର । ଆଖିବୁଜେ ମାଧବୀ ।

 

ସତରେ ଦିନେ କିନ୍ତୁ ତୃଷ୍ଣାକୁ ବୋହୂକରି ଶୁଭେନ୍ଦୁ ନେଇ ଯାଇଥିଲା ଘରକୁ । ପିତୃ ଆସନରେ ବସି ଦରପାଗଳା ବୈରାଗୀ ତମାଳ ନିଜ ହାତରେ ଦାନକରିଥିଲା ତୃଷ୍ଣାକୁ । ତୃଷ୍ଣା ଶାଶୁଘରକୁ ଗଲା ପରେ ଆଠଦିନ ଅନ୍ତରରେ ତମାଳ ଧାଇଁଯାଉଥିଲା ତୃଷ୍ଣା ପାଖକୁ । ମଥାରେ ଝିଅର ହାତରଖି ବସିରହୁଥିଲା ଘଡ଼ିଘଡ଼ି ଧରି । ବସି ରହୁଥିଲା ନୀରବରେ । ହୁଏତ ତୃଷ୍ଣା ଭିତରଦେଇ ଅନୁଭବ କରୁଥିଲା ସିଏ ମାଧବୀକୁ ।

 

ଅଦୂରରେ ଠିଆହୁଏ ପ୍ରୌଢ଼ ଶୁଭେନ୍ଦୁ । ନିର୍ବାକ୍‌ ତମାଳର ଭାବଭରା ମୁହଁକୁ ଚାହେଁ । ହାହାକାର କରିଉଠେ ଶୁଭେନ୍ଦୁର ଭିତର ବାହାର । ଦୁଇହାତରେ ମୁହଁ ଢାଙ୍କେ ଶୁଭେନ୍ଦୁ । ଆଖି ଆଗରେ ଭାସିଯାଏ ହାସ୍ୟମୁଖୀ ରହସ୍ୟମୟୀ ଅପରୂପ ରୂପସୀ ମାଧବୀ ।

 

ଆଃ । ଏତେ କଥା ଯେ ଘଟିଗଲା–ମାଧବୀର ଟିକି ତୃଷ୍ଣା ବଡ଼ ହୋଇ ସତରେ ଯେ ବୋହୂହୋଇ ଚାଲିଗଲା ମଲ୍ଲିପୁର । କିଛି ଆଉ ଜାଣିଲା ମାଧବୀ ? ନା, କିଛି ସେ ଜାଣିପାରିଲାନି-। ଥାଉ, ଏସବୁ ଅନେକ ପରର କଥା—କଣ ହେବ ଏଗୁଡ଼ାକ କହି । ଦେବା ହିଁ ଯାହାର ସାର ହେଲା, ଯିଏ ଏ ସଂସାରରୁ ପାଇଲାନି ଏତେ ଟିକିଏ ବି କିଛି, ତାକୁ ବାଦ୍‌ଦେଇ ଘଟଣା ପୁଣି ଗୋଟେ କଣ ? ତେବେ ଏଇଆ ଯେ ଘଟିଗଲା ଘଟଣାଲାଗି ମାଧବୀର ଆତ୍ମା ଯଦି ଶାନ୍ତି ପାଇଥାଏ, ତେବେ ସେଇ ଗୋଟାକ ଭାବିବାର କଥା—ନହେଲେ ଆଉ କିଛି ନାହିଁ । କାରଣ, ସେ ବଞ୍ଚିଥିବାତକ ତାର ବହୁତ ଦୁଶ୍ଚିନ୍ତା ଥିଲା ସେଇ ତୃଷ୍ଣାକୁ ନେଇ ।

 

ତୃଷ୍ଣା କେମିତି ବଡ଼ ହେବ । ମଣିଷ ହେବ । ସେ କେମିତି ଏ ସଂସାରମଝିରେ ଥାଇ ପାଞ୍ଚଜଣଙ୍କର ସାଥିରେ ସମାନ ହେବ । ହେଲା, ସବୁ ହେଲା । ଶୁଭେନ୍ଦୁ ଜାଣିପାରିଥିଲା ତା’ ମନର କଥା ବୋଲି ସବୁ ଇଚ୍ଛା ମାଧବୀର ପୂରଣ କରିଦେଇଥିଲା ସିଏ । ତାର ବିଶ୍ୱାସ, ତୃଷ୍ଣା ସୁଖୀ ହେଲେ ସୁଖୀ ହେବ ମାଧବୀର ଆତ୍ମା । ବଂଶମର୍ଯ୍ୟାଦା କଥା ଚୁଲିକି ଯାଉ, ନିଜର ଜୀବନଟାକୁ ତ ସିଏ ଦେଇଦେବ ମାଧବୀର ସୁଖଶାନ୍ତିଲାଗି । ହେଲା ମଧ୍ୟ । ଜାଣି ଜାଣି ଆନନ୍ଦଚିତ୍ତରେ ନିଜର ବଂଶମର୍ଯ୍ୟାଦାକୁ ବଳିଦେଲା ଶୁଭେନ୍ଦୁ ।

 

୨୩

 

ଦେଖୁ ଦେଖୁ ପାହିଗଲା ଏହାରି ଭିତରେ ଦୁଇଟି ବର୍ଷ । ଠୁକୁଠୁକ ହୋଇ ଚାଲିଲାଣି ତୃଷ୍ଣା । ନୂଆ ନୂଆ କଥା କହି ଶିଖି ଅନର୍ଗଳ ବକ୍‌ବକ୍‌ ହେଉଛି ଝିଅଟା । ତା’ ପାଟିର କଥା ଶୁଣି ଆନନ୍ଦରେ କଳ କଳ କରିଉଠୁଛି ମାଧବୀର ଛାତିତଳଟା । ଝିଅଟାକୁ ଘେରି ଘେରି ଘୂରିବୁଲୁଛି ମାଧବୀ । ସୁଚରିତାର ପିଲା ତିନିଟାଙ୍କ ସାଥିରେ ମିଶି ଘରବାହାର କରି ବୁଲୁଛି ତୃଷ୍ଣା । ତାରି ପଛେ ପଛେ ଧାଇଁବୁଲୁଛି ମାଧବୀର ଆକୁଳ ଆଖି ଦୁଇଟା । ଭୀଷଣ ଭାବରେ ଭୟ ସିଏ ପାଏ କଥାଟିଏ ଭାବି ଯେ—ଯଦି କେଉଁଠି ଏକା ପାଇ ତୃଷ୍ଣାର ତଣ୍ଟି ଚିପିଦିଏ ତମାଳ..... ତେବେ ? ଛୁଆହରା ବିଲେଇପରି ଆକୁଳ ହୋଇପଡ଼େ ମାଧବୀ । ଧାଇଁଧାଇଁ ଖୋଜିବୁଲେ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ।

 

ମାଧବୀର ଏଇ ଭାବ ଦେଖି କ୍ରୋଧରେ, ଘୃଣାରେ ଓଠ କାମୁଡ଼େ ସୁଚରିତା । ଓଠରେ ଲୁଗାଚାପି ହସେ ଚାନ୍ଦ । ହସନ୍ତି ଚାରୁଲତା, କହନ୍ତି–ଆଲୋ ହେ ମଲ୍ଲିପୁରିଆଣୀ ! ପିଲାଟାକୁ ସବୁବେଳେ କୋଳରେ ଜାକି ରଖିଲେ ସେ ପିଲା ବଢ଼ିବ କେମିତି ଲୋ ?

 

ଝିଅକୁ ଛାତିରେ ଜାକି ଲଜ୍ଜାମିଶା ହସ ଟିକିଏ ହସେ ମାଧବୀ । ବସିପଡ଼େ ଶାଶୁଙ୍କ ପାଦରେ ତେଲ ମାଲିସ କରିବାକୁ । ମା’ କୋଳରୁ ଛାଡ଼ ପାଇ ପୁଣି ଆଗକୁ ପାଦ ବଢ଼ାଏ ତୃଷ୍ଣା । ଆଖିରେ ଛାୟା ଘନାଇ ଆସେ ମାଧବୀର । ଚଞ୍ଚଳକଣ୍ଠରେ କହେ—ଏଇ ପୋଡ଼ାମୁହୀଁ ଚାନ୍ଦ । ଯାଆଲୋ ତା ପଚ୍ଛରେ ଟିକିଏ । କୁଆଡ଼େ ଯାଇ ଏଇନେ ପଡ଼ିଯିବ । ଯାଆଲୋ.....

 

ମୁହଁ ମୋଡ଼େ ସୁଚରିତା । ଚାନ୍ଦ କିନ୍ତୁ ହସି ହସି ଧାଏଁ ତୃଷ୍ଣାର ପଛରେ । ନିଶ୍ଚିନ୍ତ ମନନେଇ କରୁଥିବା କାମରେ ହାତଦିଏ ମାଧବୀ ।

 

ମଝିକବାଟ ଖୋଲି ଧାଇଁଆସିଲେ ନିରୁପମା । ପଛକୁ ମୁହଁ ଫେରାଇ ଚାହିଁଲା ମାଧବୀ-। ଚିର ଗମ୍ଭୀର ନିରୁପମାଙ୍କ ଆଖିରେ ମୁହଁରେ ଆଜି କିଶୋରୀର ଚଞ୍ଚଳତା । ଅବାକ୍‌ ଆଖିମେଲି ମାଧବୀ ଆଉ ସୁଚରିତା ଚାହିଁଲେ ତାଙ୍କର ସେଇ ଅସ୍ଥିର ଚଞ୍ଚଳ ମୁହଁଆଡ଼େ । ଓଠ ଫାଙ୍କରୁ ହସ ଉଛୁଳିପଡ଼ୁଛି ନିରୁପମାଙ୍କର । ମାଧବୀ ଆଉ ଚାରୁଲତାଙ୍କ ପାଖରେ ବସିପଡ଼ି ଧଇଁସଇଁ ହେଉ ହେଉ କହିଲେ—ଆରେ ବାପରେ ବାପ୍‌, ତୋ ଝିଅ ଦେହରେ ନିତି ନୂଆ ଗହଣା । ନୂଆ ପୋଷାକ ଦେଖି ହାଡ଼ ମୋର ଜଳିଯାଉଛି ଲୋ ମାଧବୀ ! କେତେ ତୁ ତାକୁ ସଜକରୁଚୁ ?

 

ମାଧବୀ ଲାଜରା ହସି କହିଲା—ମୁଁ ସେସବୁ କରେ କି । ବୋଉଙ୍କର ଯେତେ ସବୁ କଥା; ଦେଖୁନା ହାତ, ବେକ, ବାହୁ, ଅଣ୍ଟା, ଚାରିଆଡ଼ କାମ ସଇଲା । ଏଥର ଏମିତି ଟିକିଏ ଚଲାଚଲି କରିଛି, ସେମିତି ତ ଘୁଙ୍ଗୁରଲଗା ପାଉଁଜୀ ଦି’ହଳ କାଲି କରେଇ ଆଣିଲେ । ଉଃ, ପାଉଁଜୀ ପିନ୍ଧି, କି ଆନନ୍ଦ । ସବୁବେଳେ କହୁଛି ସେ ଖାଲି ଚାଲିବ ।

 

ନିରୁପମା ନିର୍ମଳ ହସି କହିଲେ—ଭଲ ଶାଶୁ ତୋର ଗହଣା ଯୋଗାଉଥାଉ—ଆଉ ଦି’ ଶଶୁରଯାକ ମିଶି ପୋଷାକ ଯୋଗାଉଥାଆନ୍ତୁ । କିଛି ସମୟରେ ନିରୁପମା କହିଲେ—କଣ କହିବାକୁ ଆସିଛି କହିଲ ନାନୀ ?

 

ଚାରୁଲତା ବି ବୁଝନ୍ତି ଯେ କିଛି ଗୋଟାଏ ଆନନ୍ଦର ଖବର ନେଇ ଆସିଛି ନିରୁପମା, ଆଣିଛି ଗୋଟାଏ ବେଶ୍‌ ଉତ୍ତେଜନାପୂର୍ଣ୍ଣ ଖବର । ତେଣୁ ନିଜେ ଉତ୍ତେଜିତ ହୋଇପଡ଼ିଛି ମଝିଆଣୀ-। ବଦଳିଯାଇଛି ତାର ସ୍ୱଭାବର ଧାରା । କଥା କହୁଛି ଅନେକ । ହସୁଛି ଶବ୍‌ଦକରି । ମୁହଁରେ ଆଖିରେ ଫୁଟିଦିଶୁଛି ଚାପା ଆନନ୍ଦର ଗୋଟିଏ ଅସ୍ଥିରଭାବ । ନୂଆ ଲାଗୁଛି ମଝିଆଣୀକୁ । ବୟସ ବି ତାର ଯେପରି କମିଯାଇଛି ହଠାତ୍‌ ପାଞ୍ଚ ସାତବର୍ଷ ।

 

ଚାରୁଲତାଙ୍କ ସାରା ମୁହଁରେ ବି ବିଛାଇ ହୋଇଗଲା ଆନନ୍ଦର ଏକ ନିର୍ମଳ ଆଭା । ମୃଦୁହସି କହିଲେ—ଜାଣେ ଲୋ ଜାଣେ । ଲେଉଟି ଆସୁଛି ବୋଧହୁଏ ପରାଗ, ନା ?

 

ଆନନ୍ଦାଶ୍ରୁରେ ରୁଦ୍ଧହୋଇ ଆସିଥିବା କଣ୍ଠରେ ନିରୁପମା କହିଲେ—ହଁ ଗୋ ଅପା, ହଁ । ସେ ଫେରିଆସୁଛି । ବମ୍ୱେରୁ ଟେଲିଗ୍ରାମ ଆସିଛି ଏଇନେ । କାଲି ସିଏ ବମ୍ୱେ ଛାଡ଼ୁଛି । ଗୋଟିଏ ଦିନ ଲାଗି କଟକରେ ତାକୁ ଅଟକାଇବେ କେତେ ଜଣ ଡାକ୍ତର ଆଉ ତାର ବନ୍ଧୁମାନେ । ତା’ପରେ ସିଏ ଏଠିକି ଆସିବ । କେତେଦିନ ତା’ହେଲେ ତାକୁ ଏଠିକି ଆସିବାକୁ ଲାଗିବ ନାନୀ ?

 

ନିରୁପମାଙ୍କ ଆଖି ସାମନାରେ ମୁହଁମୋଡ଼ିଲା ମାଧବୀ, କହିଲା—ବୁଢ଼ା ପୁଅଟା ଲାଗି ତୁମେ ଏ ଯେଉଁ ହଉଚନା ଖୁଡ଼ୀ, ଯାହା କୁହ ପଛେ ହାଡ଼ରେ ମୋର ନିଆଁ ଲାଗିଯାଉଛି ।

 

ଫିକ୍‌କରି ହସି ଦେଲେ ନିରୁପମା, କହିଲେ—ଦେଖୁଚ ନାନୀ, ମୁହୂର୍ତ୍ତକେ କେମିତି ମଲ୍ଲିପୁରିଆଣୀ ଫେରାଇଦେଲା ମୋର କଥା ମତେଇ । ମୋ ପୁଅ ଆଉ ତୋ ଝିଅ–ସମାନ ହେଲେ ଏମାନେ ? ବୋଲେ କାହିଁ ରାଣୀ, କାହିଁ ଚନ୍ଦ୍ରକାଣୀ ।

 

ମାଧବୀ ସ୍ୱର ଲମ୍ୱେଇ କହିଲା—ଆଉଉ.....ଚନ୍ଦ୍ରକାଣୀ । ତମେଇ କହୁଚ ଏ କଥା କକାମାନଙ୍କୁ ପଚାରିଲେ କଣ କହିବେ ସେମାନେ ?

 

ନିରୁପମା ମୁହଁ ଛିଞ୍ଚାଡ଼ି କହିଲେ–ଗରଜପଡ଼ିଛି ମୋର ପଚାରିବାକୁ । ହିଂସାରେ ସେମାନେ ହୁଏତ ଭଲ କହିବେ ତୋରି ଝିଅଟାକୁ । ଇଆବୋଲି ସେଇ କଥାଟା କଣ ସତ ?

 

‘‘ନହେଲେ ନାହିଁ’’—କହି ନିରୁପମାଙ୍କ ଅଲରାମୁଣ୍ଡଟା କୁଣ୍ଡାଇଦେବାକୁ ବସିଲା ମାଧବୀ-

 

ଏତେ ଆନନ୍ଦ, ଏତେ କଥା ଭିତରେ ବି ମନେମନେ ଗୁଣିହେଉଛନ୍ତି ନିରୁପମା—କେବେ ଆସିବ ତାଙ୍କର ନୟନମଣି । ଉଃ, ଦୁଇ ଦୁଇଟା ବର୍ଷ କେମିତି ଭାବରେ ଯେ କଟାଇଦେଇଛନ୍ତି ସେକଥା ସେଇ ଜାଣନ୍ତି । ଆଜି କିନ୍ତୁ ସକଳ ଧୈର୍ଯ୍ୟର ବନ୍ଧ ଭାଙ୍ଗିଛି ନିରୁପମାଙ୍କର; ଅସ୍ଥିର ହେଉଛି ତାଙ୍କର ଅନ୍ତରାତ୍ମା ।

 

ସବୁ ଉଦ୍‌ବେଗ, ସବୁ ଅସ୍ଥିରତାର ଅବସାନ ଘଟିଲା ଦିନେ । ଶେଷ ଆଶ୍ୱିନର ସୁନାଝରା ସକାଳେ ଦିନେ ଦୁଆରେ ଲାଗିଲା ଗୋଟାଏ ଟ୍ୟାକ୍‌ସି । ହସହସ ମୁହଁନେଇ ଓହ୍ଲାଇ ଆସିଲା ପରାଗ ।

 

ଅନେକଙ୍କ ଭିତରେ ଆଖିରେ ଅଭିନନ୍ଦନର ପ୍ରଦୀପ ଜାଳି କୋଳରେ ତୃଷ୍ଣାକୁ ନେଇ ଠିଆହୋଇଛି ମାଧବୀ । ଚଞ୍ଚଳ ହୋଇ ଗୁରୁଜନମାନଙ୍କୁ ମୁଣ୍ଡିଆ ମାରିସାରି ତୃଷ୍ଣାଆଡ଼କୁ ହାତ ବଢ଼ାଇଲା ପରାଗ । ମା’ କାଖରେ ହସିଉଠିଲା ତୃଷ୍ଣା । ଝୁପ୍‌କରି ସେ ଡେଇଁପଡ଼ିଲା ପରାଗର କୋଳକୁ । ସେ ସେମିତି–ଚିହ୍ନା ଅଚିହ୍ନା ତାର ନାହିଁ ।

 

ଏ ପର୍ଯ୍ୟନ୍ତ ନିର୍ବେଦ ସୁଚରିତା ଚାହିଁରହିଥିଲା ପରାଗ ଆଉ ମାଧବୀକୁ । କୁ’ ଗୋଟାଏ ଅବ୍ୟକ୍ତ ଘୃଣାରେ କୁଞ୍ଚିତ ହୋଇଯାଉଥିଲା ସାରାମୁହଁ । ଘୃଣା ! କି ଘୃଣା ? କାହାକୁ ଘୃଣା ?? ହଁ, ସେକଥା ଜଣା ସେଇ ସୁଚରିତାକୁ ହିଁ । ଘୃଣା ଯେତେବେଳେ ତାର; କାରଣ ସେତେବେଳେ ତାକୁହିଁ ଜଣା ।

 

ସୁରମାଙ୍କୁ ଲକ୍ଷ୍ୟ କରି ନିର୍ଲିପ୍ତ ଗଳାରେ ସୁଚରିତା କହିଲା—ମୁଁ ଯାଉଛି ଖୁଡ଼ୀ ! ପିଲାଗୁଡ଼ାକ ତେଣେ କଣ କରୁଛନ୍ତି କେଜାଣି ।

 

ସୁଚରିତା ମୁହଁକୁ କୋଣେଇ ଚାହିଁ ସାଙ୍ଗେ ସାଙ୍ଗେ ମାଧବୀ କହିଉଠିଲା—ମୁଁ କିନ୍ତୁ ଯାଉନି ଖୁଡ଼ୀ ! ଜାଣେ, ତୁମେ ତୁମ ପୁଅଝିଅପାଇଁ ନିଶ୍ଚେ ଆଜି ଭଲ ଭଲ କଣ ସବୁ ରାନ୍ଧିଥିବ । ସେମାନଙ୍କ ସାଥିରେ ସେସବୁ ବସି ନ ଖାଇଲେ ମୁଁ କଦାପି ଯିବିନି ଏଠୁ ।

 

ଅପୂର୍ବ ହସି ସ୍ନେହସିକ୍ତ କଣ୍ଠରେ ନିରୁପମା କହିଲେ—ମଲାଲୋ, ତୁ ଯିବୁ କାହିଁକି ମ ? ବଅସେ । ଭାଇଟାକୁ ଟିକିଏ ଦେଖିବାକୁ ସିନା କରବୀ ଆଜି ଆସିଛି—ହେଲେ ଚାଲିଯିବ ତ ପୁଣି କାଲିକି । ଖିଆପିଆ କର ସବୁ ସାଥିହୋଇ ।

 

ଧ୍ୟାତ୍‌ ! ସୁଚରିତା ଭାଉଜ ଠିଆହୋଇଛନ୍ତି, ତାଙ୍କୁ କାହିଁକି କିଛି କହୁନି ବୋଉ ! ଭୁଲିଗଲନା କଣ ତାଙ୍କ କଥା !! ବିରକ୍ତିରେ ଦୁଇ ଭ୍ରୂଲତା କୁଞ୍ଚିତ ହେଲା ପରାଗର । ଶେଷରେ ଲାଜୁଆ ହସି ସୁଚରିତା ଆଖିରେ ଆଖି ରଖି ପରାଗ କହିଲା—ତୁମେ ବି ଯାଅନି ଭାଉଜ ! ବସ, ମୋ ସାଥିରେ ଖାଇବ ।

 

ପରାଗ ମୁହଁରେ ତୀର୍ଯ୍ୟକ ଦୃଷ୍ଟି ହାଣିଲା ସୁଚରିତା । ଗୋଟାଏ କ୍ରୋଧ-ଅଭିମାନମିଶା ଅଦ୍ଭୁତ ଗଳାରେ କହିଲା—ମଲାରେ, ବାଟରେ ଦେଖିଲି କମ୍‌ହାର, ଲୁହା ପଜାଇ ଦେ ଆମର । ଦେଖିପକାଇଲ କି ମତେ ? ଆଉ ସବୁଠୁ ବଡ଼ କଥା ଯେ—ତୁମେ କଣ ମାଲିକ କି ଏ ଘରର ? ତମେ କିଏ ଡାକିବାକୁ ମ ।

 

ଉହାଡ଼ରେ ଠିଆହୋଇ ଜିଭ କାମୁଡ଼ିଲେ ନିରୁପମା । ଲାଜରେ ଝାଉଁଳି ପଡ଼ିଲା ତାଙ୍କରି ମୁହଁ । ସତରେ ତ, ବହୁତ ଭୁଲକରିଛନ୍ତି ସେ । ମାଧବୀ ସାଥିରେ ସଙ୍ଗେ ସଙ୍ଗେ ତାକୁ ବି କହିବାର ଉଚିତ ଥିଲା ତାଙ୍କର । ଅଥଚ ଦେଖତ ! ଛି ଛି ଛି.....

 

ସାଙ୍ଗେ ସାଙ୍ଗେ ଲାଜୁଆ ହସି ଆଗେଇଆସିଲେ ସିଏ ସୁଚରିତା ପାଖକୁ । ଗଳାରେ ସ୍ନେହଭରି କହିଲେ—ବାୟାଣୀଟେ କିଲୋ ? କଥା ପରା ସାରି ନଥିଲି ମାଧବୀ ସାଥିରେ କହି ନ ଥାନ୍ତି କି ତତେ ? ଆ ଆ, ବସିପଡ଼ ଯା ସେଠି ।

 

କ୍ରୋଧ ଅଭିମାନରେ ସେ ପର୍ଯ୍ୟନ୍ତ ଭିତରଟା କେମିତି ଗୋଟାଏ ଆଉଟିପାଉଟି ହେଉଛି ସୁଚରିତାର । ଶୁଖିଲା ଗଳାରେ କହିଲା—ନାଇଁ, ମୁଁ ଯାଏ । ମୋ ପିଲା ତେଣେ.....

 

ଖୁବ୍‌ ଚଞ୍ଚଳ ପାଦରେ ସେଠୁ ପଳାଇଗଲା ସୁଚରିତା । ପଛରୁ ରାଣ ପକାଇ ରହିବାକୁ କହିଲେ ନିରୁପମା । ସେ କଥାକୁ କାନରେ ପୂରାଇଲାନି ସୁଚରିତା; ଧାଇଁଲା ପରି ପଳାଇଲା ସେଠୁ-। ନିମିଷକ ଲାଗି ଶକ୍ତ ହୋଇଗଲା ନିରୁପମାଙ୍କ ମୁହଁଟା; ହେଲେ ସେଇ ନିମିଷକ ଲାଗି ।

 

ମାଧବୀ ଆସି ହାତ ଧରିଲା ନିରୁପମାଙ୍କର । ବ୍ୟଥିତ ଗଳାରେ କହିଲା—ଯାଉ ସିଏ । ଆଜିକା ପରି ଦିନରେ ମନରେ ତୁମେ ଦୁଃଖ କରନି ।

 

ହସିଦେଲେ ନିରୁପମା, କହିଲେ—ଆଲୋ ବଡ଼ମାନେ କଣ ରାଗ, ଦୁଃଖ, ଅଭିମାନ କରନ୍ତି ? ସେଗୁଡ଼ାକ ସେଇ ସାନମାନଙ୍କର ଏକଚାଟିଆ । ଏଇ ତୁ.....ତ ଏ ଘରର ବଡ଼ଟିଏ ହୋଇଚୁ ବୋଲି କଣ ତତେ ଊଣା ସହିବାକୁ ପଡ଼ୁଛି ? ଏଁ, କହୁନୁ କାହିଁକି ? ସେଇୟା....ବଡ଼ମାନଙ୍କୁ ଅନେକ କିଛି ସହିବାକୁ ପଡ଼େ—ଅନେକ କରିବାକୁ ପଡ଼େ ।

 

ମାଧବୀ ସେଦିନ ସେଇ ମଝିଅଗଣାରୁ ଉପର ଅଗଣାକୁ ଆସିଲାବେଳେ ପୂରାପୂରି ବେଳ ଗଡ଼ିଗଲାଣି । ସେ ଆସିଲାବେଳେ ବି ତା ସାଥିରେ ଆସିଲା ପରାଗ । ପରାଗର ଗୋଟାଏ ହାତରେ ତୃଷ୍ଣା ଆଉ ଗୋଟିଏ ଝୁଲିଲା ହାତରେ ଗୋଟାଏ ମସ୍ତବଡ଼ ବାସ୍କେଟ୍‌ । ବାସ୍କେଟ୍‌ ଭର୍ତ୍ତି ଗୁଡ଼ାଏ ବିଲାତି ପୋଷାକ ଆଉ ଖେଳଣା । ପରାଗକୁ ଦେଖୁ ଦେଖୁ ଘେରିଗଲେ ସୁଚରିତାର ପିଲାମାନେ । ଅଗଣାରେ ଥିବା ସିମେଣ୍ଟ ଚଉତରା ଉପରେ ବସିପଡ଼ିଲା ପରାଗ । ବସିପଡ଼ିଲା ମାଧବୀ ବି । ସଞ୍ଜ ଦେବାର ଉଦ୍ୟୋଗ କରୁ କରୁ ସୁଚରିତା କୋଣେଇଁ ଚାହିଁଲା ଦୁହିଁଙ୍କ ଆଡ଼କୁ । କୁଞ୍ଚିତ ହୋଇଗଲା ତାର ସାରା ମୁହଁଟି ।

Unknown

 

ଦୋତାଲାର ଜାଫ୍ରିଭିତରୁ ଚାହିଁରହିଛି ତମାଳ । ହିଂସ୍ର ଗୋଟାଏ ବ୍ୟାଘ୍ରପରି ଜଳୁଛି ତାର ଆଖି ଦୁଇଟି । ଇଚ୍ଛାହେଉଛି ମାଧବୀ ଉପରେ ଝାମ୍ପି ପଡ଼ି ଛିନ୍ନଭିନ୍ନ କରିଦେବାପାଇଁ ମାଧବୀର କଣ୍ଠନଳୀଟା । ନିର୍ଲଜ୍ଜାଟା ହସୁଛି ଦେଖ କେଡ଼େ ଶବଦ କରି । ଆଉ ଏ ପିଲାଗୁଡ଼ାଙ୍କୁ—ପରାଗର ଛାତିରୁ, କୋଳରୁ, ପିଠିରୁ ଟାଣିଆଣି ତଳେ କଚାଡ଼ିଦେବାକୁ ଇଚ୍ଛା ହେଉଛି । ବଦ୍‌ମାସ ! ଅରକ୍ଷିତିଆଗୁଡ଼ାକ, କେଡ଼େ ଲୋଭୀ ମ !!

 

ଚାରୁଲତାବି ହସି ହସି ବସିଲେ ଆସି ସେଇଠି । ପରାଗ ସେତେବେଳକୁ ଖେଳନା ଆଉ ପୋଷାକ ବାଣ୍ଟୁଛି ଚାରିପିଲାଙ୍କ ଭିତରେ । ବମ୍ବେରୁ ଆଣିଥିବା ଦୁଇଖଣ୍ଡ ଦାମିକା ଶାଢ଼ି ଖଣ୍ଡେ ବଢ଼ାଇଦେଲା ମାଧବୀ ହାତକୁ, ତାପରେ ସୁଚରିତାକୁ ଡାକି କହିଲା—ଆସ ସାନଭାଉଜ ନିଅ, ବମ୍ୱେରୁ ତୁମପାଇଁ ଆଣିଛି ଏଇଟା ।

 

ଖରାବେଳେ ଖୁଡ଼ୀଙ୍କ ସାଥିରେ ଦୁର୍ବ୍ୟବହାର କରି ସୁଚରିତା ଯେ ଗୋଟାଏ ଭୁଲ କରିପକାଇଛି, ସେକଥାଟା ଅନେକ ସମୟ ପରେ ଅନୁଭବ କରିଥିଲା ସିଏ । ତେଣେ ସେଇ କଥାଟାକୁ କିପରି ଘୋଡ଼ାଇପକାଇବ ସେଇ ଚିନ୍ତାଟା ଏପର୍ଯ୍ୟନ୍ତ ମନକୁ ତାର ଗ୍ରାସକରି ରଖିଥିଲା । ଏବେ ପୁଣି ପରାଗ ଆନନ୍ଦରେ ଡାକିବା ଦେଖି ମନଟା ଟିକିଏ ହାଲୁକା ହୋଇଗଲା ସୁଚରିତାର । ସ୍ୱଚ୍ଛ ହସି କହିଲା—ବମ୍ୱେଇ ଶାଢ଼ି ? ଉହୁଁ । ସେସବୁ ମୁଁ ନେବିନି । କାହିଁକିମ, ସେଇ ବିଲାତରୁ ବିଲାତି ଜିନିଷ କିଛି ଆଣିଲାନି ମୋ ପାଇଁ ?

 

ଆନନ୍ଦ-ଝଙ୍କୃତ ଗଳାରେ ପରାଗ କହିଉଠିଲା–କଣ ଗାଉନ୍‌ ଗୋଟାଏ ଆଣିଥାନ୍ତି ତୁମପାଇଁ ? ସେଇ କଥା ମତେ ଲେଖିଲନି ?

 

ସଞ୍ଜବତିଟା ଚଉରାମୂଳେ ରଖୁ ରଖୁ ସୁଚରିତା କହିଲା—ନ ଲେଖିଲେ କଣ ଆଣନ୍ତିନି-? ଆଣିଲେ କିନ୍ତୁ ମୁଁ ନିଶ୍ଚେ ପିନ୍ଧିଥାଆନ୍ତି ।

 

ପରାଗ ବି ସେମିତି ହସୁ ହସୁ କହିଲା—ଆଉ । ଏଇଠି ଗୋଟାଏ କରାଇଦେବି । ଶାଢ଼ିଟା ବି ରଖ ।

 

ପୋଷାକ ପିନ୍ଧି ହାତରେ ଖେଳନା ଧରି ସେଠୁ ଉଭେଇଗଲେଣି ପିଲାମାନେ । ଚାରୁଲତାଙ୍କ କୋଳରେ ବସି ଖାଲି ଝୁଲୁଛି ତୃଷ୍ଣା । ‘‘ଦିନଯାକ ଦେଖିନାଇଁଲୋ ମୋ ଧନକୁ—ମୋ ସୁନାକୁ—ମୋ ଚାନ୍ଦକୁ ।’’ ତୃଷ୍ଣାର ଗାଲରେ, ମୁହଁରେ, ମଥାରେ, ନିଜର ଗାଲ ଓଠ ଛୁଆଉଁ ଛୁଆଉଁ ଆଦର କରୁଛନ୍ତି ଚାରୁଲତା ।

 

ସର୍ବାଙ୍ଗ ଜଳୁଛି ତମାଳର । ଇଚ୍ଛା ହେଉଛି ପିଲାଟାକୁ ବୋଉକୋଳରୁ ଟାଣିଆଣି କୂଅରେ ପକାଇଦେବାକୁ ।

 

ନିଜ ପାଦରେ କାହା ହାତର ସ୍ପର୍ଶ ପାଇ ଚମକିଉଠିଲା ତମାଳ । ବିଭ୍ରାନ୍ତ ଆଖି ଦୁଇଟି ତୋଳି ଚାହିଁଲା ନିଜର କଡ଼ପଟକୁ । ତାକୁଇ ପ୍ରଣାମ କରି ଉଠି ଠିଆହେଉଛି ପରାଗ । ମୁହୂର୍ତ୍ତ କେଇଟି ଭିତରେ ନିଜକୁ ସମ୍ଭାଳିନେଲା ତମାଳ । ଶୁଖିଲା ଗଳାରେ କହିଲା ଓ..... ଓ.... ଓ..... ତାପରେ, କେମିତି ଅଛୁ ? କଟକ ମେଡ଼ିକାଲରେ ତ ତୋପାଇଁ ଚାକିରିଟା ଥୁଆ । ନା କଣ କହୁଚୁ-? କେବେ ପୁଣି ଜୟେନ୍‌ କରୁଚୁ ଚାକିରିରେ ? ଇତ୍ୟାଦି ସାଧାରଣ ପ୍ରଶ୍ନ ।

 

ଅସ୍ୱାଭାବିକ ଲାଗୁଛି ଭାଇନାଙ୍କର ବ୍ୟବହାର । କଣ ହୋଇଛି ତାଙ୍କର ? ଭଲ ନାହିଁ; କି ଦେହ ତାଙ୍କର ? କଣ ହୋଇଛି ?

 

ମନର ଭାବନାକୁ ମନରେ ରଖି ପରାଗ ବିବ୍ରତ କଣ୍ଠରେ କହିଲା—ମୁଁ ଠିକ୍‌ କରିଛି ଚାକିରି କରିବିନି । ଆମର ଏଡ଼େବଡ଼ ଚମ୍ପାପୁର ଗାଁ । ପାଖ ଗାଁ ମଲ୍ଲିପୁର । ପାଖପାଖରେ କେଉଁଠି ହେଲେ ଡାକ୍ତରଟିଏ ନାହିଁ । ତେଣୁ ଭାବିଛି ଆମରି ବୈଠକଖାନାଟାକୁ ଡିସ୍‌ପେନ୍‌ସାରି କରିନେବି । ଆରମ୍ଭ କରିଦେବି ଆର ମାସ ଆଡ଼କୁ ପ୍ରାକ୍‌ଟିସ୍‌ ।

 

ଶକ୍ତହୋଇ ଉଠିଲା ତମାଳର ମୁହଁଟା । ଚୋବେଇ ଚୋବେଇ କହିଲା—‘‘ଓ ଓ ଓ.....ଗାଁ ତେବେ ତୁ ଛାଡ଼ୁନୁ ? ଭଲ ଭଲ, ସାଧୁ ଉଦ୍ଦେଶ୍ୟ । ସବୁଆଡ଼କୁ ସୁବିଧା ।’’ ଶେଷରେ ଶୁଖିଲା ହସି କହିଲା—‘‘ଭଲକଲୁ । ଚାକିରିଟା ନେଇଥିଲେ ଶ୍ୟାମ ରଖେ ନା କୁଳ ରଖେ ହୋଇ ହୋଇ ମହା ଅଡ଼ୁଆରେ ପଡ଼ିଥାଆନ୍ତୁ । ଭଲକଲୁ, ଯା ।’’

 

ତମାଳର କଥାର ବିନ୍ଦୁବିସର୍ଗ ବୁଝିପାରୁନି ପରାଗ । ତା ବୋଲି ମାନେ ପଚାରିବ ନା କଣ ? କିଏ ବା ଶ୍ୟାମ, ଆଉ କ’ଣ ବା ସେଇ କୁଳ ? ମନ ଭିତରେ କଥାକୁ ଥରେ ଦି’ ଥର ଗୁଣିହୋଇ ସାରିବା ପରେ ବି କିଛି ବୁଝିଲାନି ପରାଗ । ହତାଶ ହେଲା ମନେ ମନେ ।

 

ଦୂର ଆକାଶର ନୀଳିମାରେ ଆଖି ଦୁଇଟି ନିବଦ୍ଧ କରି ଗୁମ୍‌ ହୋଇ ବସିରହିଛି ତମାଳ-। ସାରା ମୁହଁ ତାର ଏକ ବ୍ୟର୍ଥ ଆକ୍ରୋଶରେ ଥମ୍‌ଥମ୍‌ ହେଉଛି । ଅନେକ ସମୟ ଧରି ପରାଗ ଚାହିଁରହିଲା ତମାଳର ମୁହଁଟାକୁ । ତାର ସଦାନନ୍ଦ ଭାଇନାର ଏ ଗୋଟାଏ ସମ୍ପୂର୍ଣ୍ଣ ନୂଆ ରୂପ-। ବିସ୍ମୟରେ ପଥର ପାଲଟିଯାଉଥିଲା ମନଟା ତାର । ଶେଷରେ ସମ୍ଭାଳି ନପାରି ଆସ୍ତେ ପଚାରିଲା–ଦେହ କଣ ଆପଣଙ୍କର ଭଲନାହିଁ ଭାଇନା ?

 

ତା’ ଆଡ଼କୁ ମୁହଁ ଫେରାଇଲା ତମାଳ । ଦପ୍‌ଦପ୍‌ ହୋଇ ଜଳିଉଠିଲା ତାର ଆଖି ଦୁଇଟି । ତାପରେ କ୍ଳିଷ୍ଟ ହସି କହିଲା—କଣ ସର୍ବପ୍ରଥମେ ମୋରି ଉପରେ ଡାକ୍ତରୀ ବିଦ୍ୟାଟା ପ୍ରୟୋଗ କରିବୁ ନା କଣ ? ଦେହ ପୁଣି ମୋର କଣ ହେବ ?

 

ତମାଳ ମନର ଅତଳକୁ ଯେ ଓହ୍ଲାଇବାକୁ ପଡ଼ିବ ଏ କଥା ଭାବିପାରୁନି ପରାଗ । ଖାଲି ଉପର ଦେଖି ଅସୁସ୍ଥତାକୁହିଁ ସେ ଅନୁଭବ କରୁଛି । ତେଣୁ ଗଳାରେ ଅଳିଭରି କହିଲା—ଆପଣ ଯାହା ବି କୁହନ୍ତୁ ଭାଇନା, ଦେହ ଆପଣଙ୍କର ଆଦୌ ଭଲନାହିଁ । କ’ଣ ହୋଇଛି କହନ୍ତୁ ତ ?

 

ଏଥର ରାଗରେ ଫାଟିପଡ଼ିଲା ତମାଳର ଛାତିତଳର କଲିଜାଟା । ବିଷାକ୍ତ ଗଳାରେ ସେ କହିଲା—ତୁ ଜାଣିନୁ–ଜାଣିନୁ ମୋର କଣ ହୋଇଛି ? ନରକ, ନରକକୁ ଯିବୁ ତୁ । ସର୍ବାଙ୍ଗରେ ବ୍ୟାଧି ଘୋଟିବ ତୋର । ତୁ...

 

‘‘ମଝିଆଁ ବାବୁ ! ତୁମେ ଯାଅ ଭାରି ତଳକୁ । ସେ ସତରେ ଅସୁସ୍ଥ ।’’ –ପରାଗର କର କାଟି ସୁଚରିତା ଆଗେଇଗଲା ତମାଳ ପାଖକୁ । ଧୀରେ ଧୀରେ ନିର୍ବାପିତ ହୋଇ ଆସିଲା ତମାଳର ଜଳିଲା ଆଖି ।

 

ବିମୂଢ଼ ଆଖିରେ ପରାଗ କେବଳ ଚାହିଁରହିଲା ସୁଚରିତା ଆଉ ତମାଳର ମୁହଁକୁ । ଏତିକିବେଳେ ତଳୁ ଡାକପକାଇଲେ ଚାରୁଲତା—ଇରେ କୁଆଡ଼େ ଗଲୁକି ପରାଗ..ଆରେ ଜଳଖିଆ ବଢ଼ାହୋଇ ସାରିଲାଣି, ଖାଇବୁ ଆ...।

 

ମଥା ପୋତି ଦୋତାଲାରୁ ଧୀରେ ଓହ୍ଲାଇଆସିଲା ପରାଗ । ଓହ୍ଲାଇ ଆସିଲା ଗୋଟାଏ ଭାରାକ୍ରାନ୍ତ ମନନେଇ । ଭାଇନାଙ୍କ କଥାର କୂଳକିନାରା ପାଉନି ସିଏ । ମନରେ କଣ ଭାବି ଏତେ ସବୁ କଣ କହିଗଲେ ଭାଇନା ? ଭାଇନା ତାକୁ ଅଭିଶାପ ଦେଲେ କାହିଁକି ? କଣ କଲା ସିଏ ! ସିଏ ତ ସଦ୍ୟ ଆଜି ଆସି ପହଞ୍ଚିଛି ସୁଦୂର ଦେଶରୁ; କିଛି ତ କ୍ଷତି ସିଏ କରିନି ଭାଇନାଙ୍କର...ତେବେ !!

 

ମଥାରେ ହାତଦେଇ ଶେଷ ପାହାଚରେ ବସିପଡ଼ିଲା ପରାଗ । ପରାଗର ଡେରି ଦେଖି ପାହାଚ ଆଡ଼କୁ ପାଦ ବଢ଼ାଉଥିଲା ମାଧବୀ, ଶେଷ ପାହାଚରେ ପରାଗକୁ ସେମିତି ବସିଥିବାର ଦେଖି ଥମ୍‌କି ପଡ଼ିଲା ସିଏ । କଣ୍ଠରେ ବ୍ୟସ୍ତତାଭରି କହିଲା—କଣ ହେଲା ତୁମର ? ଆସ, ଖାଇବ ଆସ, କି ସୁନ୍ଦର ମାଛଚପ୍‌ କରିଛି ଅନାଦି । ଆସ, ଥଣ୍ଡା ହୋଇଯାଉଛି ।’’

 

ଟଳିଟଳି ଉଠି ଠିଆହେଲା ପରାଗ । ଗଳାରେ ଅନୁନୟଭରି କହିଲା–ମତେ କ୍ଷମାକର ଭାଉଜ, ଦେହଟା ମୋର ବହୁତ ଖରାପ ଲାଗୁଛି, କିଛି ମୁଁ ଖାଇବିନି ।

 

କଥା ସାରି ଖୁବ୍‌ ଚଞ୍ଚଳ ପାଦରେ ମଝିଅଗଣାକୁ ଚାଲିଗଲା ପରାଗ । ହତଚକିତ ଆଖିମେଲି ମାଧବୀ ଚାହିଁରହିଲା ତାରି ଗଲାବାଟକୁ । ମୁହୂର୍ତ୍ତକ ଆଗରେ ଥିଲା ଯିଏ ଆନନ୍ଦର ପ୍ରତିମୂର୍ତ୍ତି, ସିଏ ଅସୁସ୍ଥ ହୋଇପଡ଼ିଲା ଏତେ ଶୀଘ୍ର ! କଣ ହେଲା ?

 

ଚିନ୍ତାକୁଳ ମନ ନେଇ ଶାଶୁଙ୍କ ପାଖକୁ ଲେଉଟିଲା ମାଧବୀ ।

 

୨୪

 

ଦିନଗୁଡ଼ାକରେ ସତେ ଅବା ଡେଣା ଅଛି ପିଠିରେ–କୁଆଡ଼େ ବୋଲି କୁଆଡ଼େ ଉଡ଼ିଯାଆନ୍ତି ଫୁରର୍‌କରି । ଆଜିକାର ସୁଖ–ଦୁଃଖ କାଲିକି ପାଲଟିଯାଏ ସ୍ମୃତି, ହୋଇଯାଏ ପଛକଥା; କିନ୍ତୁ ସବୁ କଥା କଣ ପୁରୁଣା ହୁଏନି ? ହୁଏ । ହେଉନି ତ ତମାଳପାଇଁ ! ମାଧବୀକୁ ନେଇ ଯେଉଁ ଘଟଣା ଘଟିଲା, ସେ ଘଟଣା ତ ତମାଳ ଛାତିର କଲିଜାରେ ଘା’ ହୋଇ ଯନ୍ତ୍ରଣା ଦେଉଛି । ଦୁଇବର୍ଷଧରି ସେଇ ଘା’ତ କାୟା ବିସ୍ତାରୁଛି, ପୁରୁଣା ତ ହେଉନି ମାଧବୀର ସେହି ନିର୍ଲଜ୍ଜ ଘଟଣା ! ବାଣବିଦ୍ଧ ମୃଗପରି ଦିନରାତି ଏକ ଅବ୍ୟକ୍ତ ଯନ୍ତ୍ରଣାରେ ଛଟପଟ ହେଉଛି ତମାଳ-! ତେବେ କାହିଁକି କାଳସୁଅ ଆଉ ଭସାଇ ନେଇ ପାରୁଛି କୁଆଡ଼େ ଅତୀତଟାକୁ ? ନାଃ–ମଣିଷ ନମରି ପୋଡ଼ିଜଳି ନିଃଶେଷ ହୋଇନଗଲାତ କିଛି ପୋଛିହୋଇଯାଏନି କି କିଛି ଧୋଇ ହୋଇଯାଏନି ।

 

ତମାଳ କିନ୍ତୁ ଜୀଅନ୍ତାରେହିଁ ନିଃଶେଷ ହୋଇଯାଉଛି ତିଳ ତିଳ କରି । ବିବର୍ଣ୍ଣ ଦିଶୁଛି ତା ଦେହର ଗୋଲାପୀ ବର୍ଣ୍ଣ । ଏଡ଼େ ସୁନ୍ଦର ତାର ଯୋଡ଼ିଏ ଆଖି, ଅଥଚ ସେଇ ଆଖିତଳ ହୋଇଗଲାଣି ଗାଡ଼ୁଆ, କଳା ଜମିଛି ସେଇଠି । ସାମନାକୁ ଝୁଙ୍କିପଡ଼ିଛି ତାର ବଳିଷ୍ଠ କାନ୍ଧ ଦୁଇଟି । ପାଦ ଘୋଷାରି ଏବେ ବାଟ ଚାଲୁଛି । ସାରା ଦେହ ମୁହଁରେ ତାର ବିଛାଇ ହୋଇଯାଇଛି କ୍ଳାନ୍ତିର ଏକ କରୁଣ ଛାୟା ।

 

ଆଶ୍ଚର୍ଯ୍ୟ, ଏସବୁ କିଛି ପଡ଼ୁନି ଆଖିରେ ସୁଚରିତାର । ପଡ଼ିଲେ ସେ ଠିକ୍‌ ବୁଝନ୍ତା କଣ ହେଉଛି ତା ସ୍ୱାମୀର, କେଉଁ କଥା ରାହୁହୋଇ ଗ୍ରାସୁଛି ତାର ସ୍ୱାମୀର ଏଡ଼େ ସୁନ୍ଦର ଦେହ ଓ ମନକୁ । କାହିଁକି ଏମିତି ଝାଉଁଳିଯାଉଛି ଦିନକୁ ଦିନ ସ୍ୱାମୀ ତାର ? ତାର ଏବେ ପ୍ରଧାନ କାମ ହେଲା–ତମାଳ ଦେଖୁ ଓ ଜାଣୁ ଯେ ମାଧବୀ ଯେତେ ସୁନ୍ଦର ହେଲେ ବି ଡୁବିରହିଛି ଆକଣ୍ଠ କଳଙ୍କରେ । କୀଟଦଷ୍ଟ ଫୁଲଟା ଲାଗିବାର ନୁହେଁ କେଉଁ ଦେବପୂଜାରେ । ତେଣୁ ଦେଖା ନଦେଖା ଅନେକ କଥା କୁହେ ଆସି ସ୍ୱାମୀ ପାଖରେ ।

 

ଢେବା ଢେବା ଆଖିମେଲି ତମାଳ ଖାଲି ଚାହିଁରହେ ସୁଚରିତାର ମୁହଁକୁ । ସବୁକଥା ଶୁଣେ କାନପାରି । ଧୀରେ ଧୀରେ ନୀଳ ପଡ଼ି ଆସେ ତାର ମୁହଁଟା । ସାରା ମୁହଁରେ ବିଛାଇ ହୋଇଯାଏ ଏକ ମୂକ କାରୁଣ୍ୟ ।

 

ସୁଚରିତା କିନ୍ତୁ କଥା କହିଯାଏ ଧୀରେ ଧୀରେ, ଚୋବେଇ ଚୋବେଇ । ଆଜିବି ସେମିତି ବସି ବସ କହୁଥିଲା ସିଏ—ବୁଝିଲନା ବାରଟାବେଳେ ଏଠୁ ଗଣ୍ଡେ ଖାଇଦେଇ ପଳାଇଯାଉଛି ମଝିଅଗଣାକୁ ଯେ ଆସୁଛି ଯାଇ ସଞ୍ଜବେଳକୁ । ଭାବିଲି—ଯାଏ, ଦେଖେ, ଦୁଇମାସ ଧରି ନିତି ସିଏ କାହିଁକି ଦୌଡ଼ୁଛି ସେଠିକି । ପରାଗର କମ୍ପାଉଣ୍ଡର ହେବକି କଣ ଯେ ଆଜି ଦେଖିଲି ସଜଉଥିଲା ନିଜ ହାତରେ ଡିସ୍ପେନ୍‌ସରିଟା; ଆଉ କୁହାକୁହି ହେଉଛନ୍ତି–ଏ ଓଷଧର ସ୍ୱାଦ ଏମିତି, ସେ ଓଷଧର ସ୍ୱାଦ ସେମିତି; ଏଇଟା ଭୀଷଣ ବିଷାକ୍ତ ଅଥଚ ସ୍ୱାଦ ବୋଲି ଏତେ ଟିକିଏ ବି ନାହିଁ ଏଥିରେ । ବିଷଟା ଧରେ, କିନ୍ତୁ ଅନେକ ଡେରିରେ । ସାଙ୍ଗେ ସାଙ୍ଗେ ଧରିପକାଇଲେ ସୁଧାରି ହେବ—ହେଲେ ଧରିଗଲେ କାହାରି ଆଉ କିଛି କ୍ଷମତା ନାହିଁ, ଭାରି ସାଂଘାତିକ । ଏଣେ ତ ଖୁଡ଼ୀ ଶୋଇଛନ୍ତି—ତେଣେ ଲାଗିଛି ତାଙ୍କର ନାଟ । ଚାନ୍ଦ ତ ଅଛି ଛୁଆ ସମ୍ଭାଳିବାକୁ । ବାପରେ ବାପ୍‌, କାରଣ ଅକାରଣଟାରେ କି ହସା ଯେ ହସୁଛନ୍ତି ତା ଆଉ ଦେଖିପାରିବାର ନୁହେଁ । ଭାବିଲି ଖୁଡ଼ୀଙ୍କି ଏମିତି କଥା କହିବି ଯେ ଖୁଡ଼ୀ ଏକାଥରେ ଚମକି ପଡ଼ି ମୁହୂର୍ତ୍ତକେ ଛଡ଼ାଛଡ଼ି କରିଦେବେ ଦୁହିଁଙ୍କୁ । ଶୁଣିଲେ କାବା ହେବ ଯେ ଖୁଡ଼ୀ ଯେମିତି ଶୁଣିଲେ ଝିଅଟା ତୁମର ନୁହେଁ ସେ ସାଙ୍ଗେ ସାଙ୍ଗେ ମୁହଁ ଫଣଫଣ କରି କହିଲେ—ଜାଣେ, ଝିଅ ତମାଳର ନୁହେଁ–ହଅନ୍ତାନାଇଁ ବି, ମଝିରେ ଯେତେବେଳେ ତୁ ବାଡ଼ହୋଇ ରହିଚୁ, ସେତେବେଳେ ମାଧବୀ କୋଉଠୁ ପାଇବ ତମାଳର ଝିଅକୁ !! ହଉ, ଆଉ ତୋର କିଛି କହିବାର ଅଛି ? ବୁଝିଲୁ, ତୋ ଶାଶୁ ଥିଲାତକ—ତାପରେ ମାଧବୀ ଆସି ରହିବ ମୋରି ଘରେ । ଗୋଟେ ବୋଲି ତାର ଝିଅ, ସେଇ ଝିଅର ସବୁ ଭାର ନେବ ପରାଗ । ତମର ତମେ ସବୁ ସତୀ ହୋଇ ବତି ଜାଳୁଥା, ତା ଚିନ୍ତା କରିବାକୁ ତୁମମାନଙ୍କର ଲୋଡ଼ା ନାହିଁ । କୋଉ କଥାରେ କାନଦେଲେନି, ମନ ପୂରାଏନି ବୋଲି ପୁଅ ଘଇତାଠୁ ଦୁନିଆ ଭାବେ ଓଲୀଟା । ହେଲେ ଏ ଘରର ସବୁ ଗହନକଥା ମତେ ଜଣା ।

 

ଅବାକ୍‌ ହୋଇ ପଚାରିଲି—ତମେ ଜାଣିଚ ମାଧବୀର ଝିଅଟା ତୁମ ବଡ଼ପୁଅଙ୍କର ନୁହେଁ ବୋଲି ? ଆଶ୍ଚର୍ଯ୍ୟ । ତେବେ ବି ମୁଣ୍ଡରେ ତାକୁ ମୁଣ୍ଡାଇଧରିଚ ତୁମେ !!

 

ଓଠ ବଙ୍କେଇ ଖୁଡ଼ୀ କହିଲେ—ଆଲୋ ହେ, ମାଧବୀ କଣ ଜାଣିଛି ମୁଁ ଏତେକଥା ଜାଣିଛି ବୋଲି ? ଜାଣିନି । ଜାଣନ୍ତିନି ଆଉ କେହିବି, ହେଲେ ମୁଁ କିନ୍ତୁ ଜାଣେ, ମୋ କୋଳରେ ଯିଏ ଖେଳିବୁଲୁଛି ସେ ହେବ ଏ ଘରର ନୟନମଣି । ହେବା ଉଚିତ୍‌ । ଦୁଃଖ ପାଇ ପାଇ ଜୀବନଟାକୁ ଯିଏ ତିନିଭାଗ ପୁହାଇଦେଲା, ସେ ଯଦି ହଠାତ୍‌ ମା’ ହୋଇପଡ଼ି ଟିକିଏ ସୁଖ ପାଉଛି କି ଶାନ୍ତିରେ ଅଛି; ତେବେ ସେ ସୁଖ-ଶାନ୍ତିର ମୂଳ ଖୋଜିବାରେ ଆମର କି ଗରଜ ପଡ଼ିଛି ଶୁଣେ ?

 

ବେଳକୁ ବେଳ ଭୟଙ୍କର ଦିଶିଆସୁଥିଲା ଖୁଡ଼ୀଙ୍କ ମୁହଁ । ଘରର ମାନ ଇଜ୍ଜତକୁ ଡରି ପଳାଇଆସିଲି ସେଠୁ । ଜାଣେ ଯେ, ନିଜ ପୁଅକୁ ଘୋଡ଼ାଇବାକୁ ଯାଇ ସବୁ କଥାକୁ ବି ଘୋଡ଼ାଇପକାଉଛନ୍ତି ଖୁଡ଼ୀ । ଦେଖିବ ରହ, ପରାଗ ବାହାହୋଇ ସାରନ୍ତୁ, ମୁଣ୍ଡରେ କେତେ ମୁଣ୍ଡାଇବେ ସିଏ ଆଉ ମାଧବୀକୁ !

 

ତମାଳର ନିର୍ବାକ୍‌ ଆଖିରୁ ଆଖି ଘୁଞ୍ଚାଇ ନେଇ ଗୋଟାଏ ଉପନ୍ୟାସର ପୃଷ୍ଠା ଲେଉଟାଇଲା ସୁଚରିତା । ନିଝୁମ ଅନ୍ଧକାର ଭିତରେ ଧୀରେ ଧୀରେ ତଳେଇଗଲାପରି ଦିଶୁଛି ତମାଳକୁ । ଆଖି ଦୁଇଟି ତଳକୁ ନୁଆଇଁ ନିର୍ଜୀବ ହୋଇ ବସିରହିଲା ସେ । ମଥିହୋଇ ଯାଉଛି ତା ମନଟା । ମୁଠା ମୁଠା କରୁଛି ସିଏ ନିଜ ମଥାରେ କେଶଗୁଚ୍ଛକୁ । ସ୍ପୀତ ହୋଇଉଠୁଛି ତାର ବେକ ଆଉ କପାଳର ଶିରା ।

 

ହଠାତ୍‌ ସ୍ୱାମୀ ଉପରେ ଆଖି ପଡ଼େ ସୁଚରିତାର । କରୁଣ ଅଥଚ କି ଭୀଷଣ ଦିଶୁଛି ସ୍ୱାମୀ ତାର ! ବହି ରଖି ଦୁଇହାତରେ ଜଡ଼ାଇ ଧରିଲା ସ୍ୱାମୀଙ୍କୁ । କହିଲା–କଣ ଏତେ ଭାବୁଛ କହିଲ ? ନହେଲେ ସିଧା କହିଦେବା ତାର ସିଏ ରାସ୍ତା ଦେଖୁ । କହିଦେବା ଚୌଧୁରୀଘରର ମାନମହତକୁ ନେଇ ଅନେକ ଖେଳ ଖେଳିଲଣି । ଏଇ ଗୋଟିଏ ପିଲାକୁ ପଛେ ଆମେ ମାନି ନେଉଛୁ, ତେବେ ସେତିକିରେ ତୁମେ ଶାନ୍ତ ହୋଇ ତୁଷ୍ଟ ହୋଇ ଚାଲିଯାଅ ଏ ଘରୁ ! ଆଉ ପାଞ୍ଚ ସାତ ହଜାର ଟଙ୍କାବି ନେଇପାର ହାତରେ–ବାସ୍‌, ଗଲା–ଆଉ ଏତେ ଭାବୁଛ କାହିଁକି ?

 

ହଠାତ୍‌ ନିଜର ଦେହଟାକୁ ଝାଙ୍କି ଦେଲା ତମାଳ । ସୋଫାର ଗୋଟିଏ କୋଣକୁ ଛିଟିକି ପଡ଼ିଲା ସୁଚରିତା । ଅସ୍ଫୁଟ ସ୍ୱରରେ ଗର୍ଜିଉଠେ ତମାଳ କହିଲା–ଚାଲିଯିବ ? କୁଆଡ଼େ ଚାଲିଯିବ ସିଏ ? କିଏ ତାର ଅଛି ଏ ଦୁନିଆରେ ଶୁଣେ ? ନାହିଁ ବୋଲି ତ ତା’ ବୋଉ ମଲା ପରେ ପରେ ସେ ଏଇଠିକା କଥା ମନେକରି ଧାଇଁଆସିଲା ଏଇଠିକି । ଫେର୍‌ ଏଠୁ ତଡ଼ିଲେ, ସେ ଯିବ କୁଆଡ଼ିକି-? ତାର ଜୀବନର ସବୁ ଅଘଟଣ ମୂଳରେ କଣ ମୁଇଁ ନାହିଁ ? ଏ ଦୁନିଆରେ କେତେ ବଡ଼ ବଡ଼ ଧନୀପରିବାର ତ ନିଶ୍ଚିହ୍ନ ହୋଇଯାଉଛନ୍ତି ସନ୍ତାନହୀନତା ଲାଗି; ଆଉ ମୋରି ଏଇ ସାମାନ୍ୟ ସମ୍ପତ୍ତି ଲାଗି ମୁଁ କାହିଁକି ଖୋଜିଲି ସନ୍ତାନ ? ଖୋଜିଲି ଯେମିତି, ପାଇଲି ମଧ୍ୟ ସେମିତି । ହେଲେ ମାଧବୀପାଇଁ କଣ ଖୋଜିଥିଲି ମୁଁ ? କି ବ୍ୟବସ୍ଥା କରିଥିଲି ମୋର ସେଇ ନିରିମାଖୀ ଅର୍ଦ୍ଧାଙ୍ଗିନୀ ପାଇଁ ! ମଣିଷଟିଏ ତ ସିଏ । ଦେହମନରେ କ୍ଷୁଧା ତୃଷ୍ଣା ନେଇ ତ ଜୀବନ ତାର ବି । ତେବେ ଅନେକ ଦିନ ପରେ ମନତାର ଚହଲିଛି । ଅବାଟରେ ପାଦ ଦେଇଛି ସିଏ । ହେଲେ ମୋରି ଉପରେ ଦାଉ ସାଧିବାକୁ ଯାଇ ମୋରି ଘରେ ବସି ବ୍ୟଭିଚାର କଲା ସିଏ ! ମୂଲ୍ୟ ଦେଲାନି ସିଏ ଏ ଘରର ଠାକୁରଙ୍କୁ କି ବୋଉର ଅଖଣ୍ଡ ସ୍ନେହ–ବିଶ୍ୱାସକୁ । କେଉଁ ସଇତାନ ଆସି ଗ୍ରାସକଲା ତାର ଏଡ଼େ ସୁନ୍ଦର ମନକୁ ଯେ ସେ ପୋଡ଼ି ଖାଇଲା ସବୁ ଲାଜ, ସବୁ ସରମ । କେଡ଼େ ଦମ୍ଭ ନେଇ ସିଏ ଘୂରିବୁଲୁଛି ଏଇ ଘରେ । ନା, ନା, ବଞ୍ଚିବା ଆଉ ମୋର ସମ୍ଭବ ନୁହେଁ । ଏ ଘରେ ସେ ଥିଲେ ମୁଁ ମରିବି, ଏଘରୁ ସେ ଗଲେ ବି ମୁଁ ମରିବି । ଏ ଘରର ମାଧବୀ ନାହିଁ, ମାଧବୀଶୂନ୍ୟ ଏଇ ଘର ! ନା, ନା, କଦାପି ମୁଁ ସହିବିନି ଏକଥା । ନା, ନା-ନା.....

 

କଥା ସାରି ଦୁଇ ହାତ ପାପୁଲିରେ ମୁହଁ ଢାଙ୍କିଲା ତମାଳ—କାନ୍ଦିଉଠିଲା ଛୋଟ ପିଲାଙ୍କ ପରି । ବିମୂଢ଼ ଦୁଇଟି ଆଖିରେ ଦୁନିଆର ବିସ୍ମୟ ଭରି ମୁହଁକୁ ତାର ଚାହିଁରହିଲା ସୁଚରିତା ।

 

୨୫

 

ତମାଳର ମନ ଭିତରେ ଚାଲିଛି ଗୋଟାଏ ରାମ-ରାବଣର ଯୁଦ୍ଧ, ସେକଥା ମନେ ମନେ ବେଶ୍‌ ବୁଝୁଛି ମାଧବୀ । ହେଲେ ଆଖିଆଗରେ ତାର ଭାସିଉଠୁଛି ସମସ୍ୟାର ଏକ ସୀମାହୀନ ସମୁଦ୍ର । ଏତେ ଟିକିଏ ବି କୂଳ କିନାରା ପାଉନି ମାଧବୀ । ତାର ଆଖିଆଗରେ ତିଳତିଳ ହୋଇ ଶୁଖିଯାଉଛି ତମାଳ । ଯେତେ ଯାହାବି ଘଟୁ—ଏ ଘରେ ସେ ଅଛି ସେଇ ତମାଳର ସ୍ତ୍ରୀ ହୋଇ ତ-। ତାରି ଲାଗି ତ ମଥାରେ ତା’ର ସିନ୍ଦୁର ଝଟକୁଛି । ଝଟକୁଛି ତାର ଅହିଅ ଜୀବନ । ତେବେ-? କିନ୍ତୁ ସବୁଠୁ ବଡ଼କଥା, ଯାହା କିଛି ଘଟୁଛି ସବୁ ସେଇ ଭଗବାନଙ୍କ ନିର୍ଦ୍ଦେଶରେ । କାହିଁରେ କଣ ହାତ ଅଛି ମଣିଷର ? କେଡ଼େ ମନକରି ତାକୁ ଯିଏ ଖତକୁଢ଼ରୁ ଉଠାଇ ଆଣି ସୁନାସିନ୍ଧୁକରେ ରଖିଥିଲେ-। ସେଇ ପୁଣି ସୁନାସିନ୍ଦୁକରୁ କାଢ଼ି ଖତକୁଢ଼ରେ ପକାଇଦେବାକୁ ବ୍ୟସ୍ତ ହୋଇପଡ଼ିଲେ କିଆଁ-? ଭାଗ୍ୟ—କିଏ ଗଢ଼ିଲା ସେଇ ଭାଗ୍ୟ ? ଦିନରାତି ମଣିଷଜୀବନକୁ ନେଇ ଯିଏ ଓଲଟପାଲଟ କରିପକାଉଛି ସବୁ ଅଛି ତା’ରି ହାତରେ । ତେବେ କାହିଁକି ମଣିଷ ଉପରେ ଦୋଷ ଲଦିଦେବ ମଣିଷ ? ମଣିଷ କାହିଁକି ବିଚାର କରିବ ମଣିଷର ଦୋଷଗୁଣ ? ଏଇ ମୁଁ—ମୁଁ କଣ ଚାହିଁଥିଲି ଏମିତି ଭାବରେ ମା’ ହେବାକୁ ! ନାଇଁ ତ । ଏ କଣ ସେଇ ଅଦୃଶ୍ୟ ହାତର ଗୋଟାଏ ଖେଳ ନୁହେଁ-? ଅଥଚ ତାଙ୍କର ଏଇ ନିଷ୍ଠୁର ଖେଳଲାଗି ମୋରି ଆଖିଆଗରେ ତିଳ ତିଳ ହୋଇ ନିଃଶେଷ ହୋଇଯାଉଛନ୍ତି ସ୍ୱାମୀ ମୋର । ହେଲେ ମୁଁ କଣ କରିପାରିବି ! ପାରିବିନି, ପାରିବିନି–କିଛି କରିପାରିବିନି ।

 

ଦୁଇ ହାତରେ ଛାତିଟାକୁ ଚାପିଧରି ଖଟ ଉପରେ ମୁହଁମାଡ଼ି ପଡ଼ିଲା ମାଧବୀ, ତୁହାଇ ତୁହାଇ ଫୁଲି ଫୁଲି କାନ୍ଦୁଛି ମାଧବୀ । ସ୍ୱାମୀ ଲାଗି ମନରେ ଯେ ତାର ଏତେ ସ୍ନେହ, ଏତେ ପ୍ରେମ, ଏତେ ମମତା ଅଛି, ଏ କଥାକୁ ବହୁକାଳଧରି ଆଉ ଅନୁଭବ କରି ନଥିଲା ମାଧବୀ । ଆଜି ପ୍ରାଣ ତାର ଆକୁଳ ହୋଇପଡ଼ୁଛି ତମାଳର ଝାଉଁଳା ରୂପ ଦେଖି ।

 

—‘‘ମା’, ବଡ଼ମା’ ! ଝିଅ କାନ୍ଦୁଛି । ଖୋଜୁଚି ତମକୁ । ନବ ଝିଅକୁ ?’’

 

ଅନେକ ସମୟପରେ କୋହ ସମ୍ଭାଳି ନେଲା ମାଧବୀ । ବିଛଣା ଉପରେ ଉଠିବସିଲା ଧୀରେ ଧୀରେ; ଭିଜା ଭିଜା ଆଖିମେଲି ଚାହିଁଲା ଝିଅର ମୁହଁକୁ । ଆକୁଳ ହୋଇଉଠିଲା ତାରି ମାତୃତ୍ୱ ।

 

ଝିଅଟାକୁ ଛାତିରେ ଜାକୁ ଜାକୁ ମାଧବୀ କହିଲା—ଚାନ୍ଦ, ଆଜି ଏତେବେଳଯାଏ ତ ବାବା ତୋର କଚେରିରୁ ଫେରିଲେନିଲୋ । ଜଳଖିଆପତ୍ର ତ ଥଣ୍ଡା ହୋଇଯିବଣି ? ଦେଖିଲୁ, ଆସିଲେ କି ନାହିଁ ।

 

ବିସ୍ମିତ ହେଲା ଚାନ୍ଦ । ତିନିବର୍ଷ ଭିତରେ ନୂଆ କଥା । କେବେ ସିଏ ତ ବଡ଼ମା’ଙ୍କ ମୁହଁରୁ ଶୁଣିନି ବାବାଙ୍କ କଥା !! ଓଲଟି ସେଦିନ ସଞ୍ଜରେ.....ସେପରି ବାବାଙ୍କ କଥାତ ମନରେ ଆଣିବାର ନୁହେଁ ।

 

ଝିଅ ଉପରୁ ଆଖି ଉଠାଇ ଚାନ୍ଦ ମୁହଁକୁ ଚାହିଁଲା ମାଧବୀ । କୁଞ୍ଚିତ ହୋଇଗଲା ମାଧବୀର ଭ୍ରୂଲତା ଦୁଇଟି । ଗଳାରେ ଧମକଭରି କହିଲା—କାଲ ହୋଇଲୁ ନା ପଥର ପାଲଟି ଗଲୁ ମ ? ଯାଉଚୁ, ଦେଖିଆସିବୁ ନା ନାହିଁ ଯେ ?

 

ଢୋକଗିଳି ଚଞ୍ଚଳ କଣ୍ଠରେ ଚାନ୍ଦ କହିଉଠିଲା—ମା’, ବାବା ତ ଆଜି ପଳାଇଆସିଲେଣି ତିନିଟାବେଳୁ । ଆସିଲା ସାଙ୍ଗେ ସାଙ୍ଗେ ମତେ ଡାକି ପଠାଇ କହିଲେ—ଏ, ଗଲୁ ତୋ ବଡ଼ କକାକୁ ଡାକିଆଣିଲୁ । ମୁଁ ଯାଇ ଡାକି ନେଇ ଆସିଲି । ସେ ଆସି ବାବାଙ୍କ ପାଖରେ ଠିଆ ହଉ ହଉ ବାବା ତାଙ୍କ ହାତ ଧରି ଟାଣିନେଇଗଲେ ଉପରକୁ । ଧଡ଼କରି ବନ୍ଦ କରିଦେଲେ ଚିଲ କୋଠାର ଦୁଆରଟା-। ମୁଁ ଟିକିଏ ଠିଆହେଲି ସେଇଠି । ସାନମା’ ବି ଧାଇଁଯାଇ ଠିଆହେଲେ ଚିଲ କୋଠା ଦୁଆରମୁଁରେ-। ହେଲେ ସେପଟୁତ ବାବା ବନ୍ଦ କରିଦେଇଛନ୍ତି ଆଉ ଯିବେ କେମିତି । ସେଇ ଦୁଆରମୁହଁରେ କାନ ପାରି ଠିଆହୋଇ ରହିଲେ । ମତେ ତ ସେ ସବୁକଥା କାବାଲାଗିଲା । ମୁଁ ବି ଠିଆହୋଇ ରହିଲି । କେତେବେଳକୁ ଯାଇ ସାନମାଙ୍କ ଆଖିପଡ଼ିଲା ମୋ ଉପରେ । ତରାଟିକରି ଚାହିଁଲେ ମୁହଁକୁ ମୋର । ମୁଁ ତ ଏକାଡ଼ିଆଁକେ ଆସି ତଳେ ।

 

ମେଘ-ମେଦୁର ଆକାଶ ପରି ମୁହୂର୍ତ୍ତକେ ମ୍ଳାନ ହୋଇଗଲା ମାଧବୀର ମୁହଁଟି । ଚିନ୍ତା ବ୍ୟାକୁଳ କଣ୍ଠରେ କହିଉଠିଲା—ମତେ ଏତେବେଳଯାଏ ଏକଥା କହିନୁ କାହିଁକି ? ବଡ଼କଳା କେତେବେଳେ ପୁଣି ଓହ୍ଲାଇଲେ ଛାତ ଉପରୁ ?

 

ଝିଅଟାକୁ କୋଳକୁ ନେଉ ନେଉ ଚାନ୍ଦ କହିଲା—ଏଇ ଦଶ ପନ୍ଦର ମିନିଟ୍‌ ହେବ ।

 

ଉତ୍ତୀର୍ଣ୍ଣ ସନ୍ଧ୍ୟାର ଛାୟାନ୍ଦକାରରେ ମିଳିମିଶି ଏକାକାର ହୋଇଗଲା ମାଧବୀ-ମନର ସକଳ ଅନ୍ଧକାର । ନିର୍ଜୀବ ହୋଇ ସେ ଠିଆହୋଇ ରହିଲା ରେଲିଂଟାରେ ଭାରାଦେଇ—କଣ ସିଏ କହିଲେ ପରାଗକୁ । କାହିଁକି ସିଏ ଡାକିଥିଲେ ପରାଗକୁ ? ଏତେ ସମୟ ଧରି କଣ ଏତେ କଥା ହେଲେ ସେମାନେ ? ଉଃ, କେତେ ସିଏ ଶୁଏ ଆଜିକାଲି !!

 

ଝିଅକୁ କୋଳରେ ଧରି ବାରଣ୍ଡାରେ ବସି ଆଦର କରୁଥିଲା ଚାନ୍ଦ । ମାଧବୀ ରୁକ୍ଷ ସ୍ୱରରେ କହିଲା—ତୁ କାହିଁକି ସେତେବେଳେ ଡାକିଲୁନି ମତେ ?

 

ଚାନ୍ଦ ଏଥର ଗଳାରେ ବିରକ୍ତିଭରି କହିଲା—ଏଁ, ତମେ ତ ମୋ ଉପରେ ଆଦେଶ ଜାରି କରିଦେଇଛି ଯେ ତମେ ଶୋଇଥିଲାବେଳେ ଯଦି ଡାକିବି ତେବେ ମୁଣ୍ଡକୁ ମୋର ଫଟାଇଦେବ–ଆଉ ଡାକନ୍ତି କେମିତି, ଶୁଣେ ?

 

ଏଥର ଫିକ୍‌କରି ହସିପକାଇଲା ମାଧବୀ । କହିଲାବାଃ, ଘରେ ନିଆଁ ଲାଗିଯାଉ । ମୁଁ ପୋଡ଼ି ମରେ ତା ଭିତରେ; ହେଲେ ତୁ ତୋ ମୁଣ୍ଡ ଫାଟିଯିବା ଡରରେ ଆଉ ଡାକିବୁନି ମୋତେ । ଏଁ-?

 

ଏଥର ଲାଜୁଆ ହୋଇ ହସିଲା ଚାନ୍ଦ । କହିଲା—ବାଆରେ, ମୁଁ ସେଇଆ କହିଲିକି ? କୋଉ କଥାରୁ ଯେ କୋଉକଥା ଆଣି ତୁମେ କାଢ଼, କିଛି ମୁଁ ବୁଝିପାରେନି । ହେଲେ ଦେଖ, ସାନମା’ ସଞ୍ଜଦେଇ ଶଙ୍ଖ ଫୁଙ୍କିଲେଣି । ଆଉ ତମେ ଏମିତି ଶୁଆ ଶୋଇଲ ଯେ, ଗଲା.....ସଞ୍ଜ ହୋଇଗଲା । ମୁଣ୍ଡ ବାନ୍ଧିଲନି କି ଲୁଗା ପାଲଟିଲନି । ଯାଉନ କାହିଁକି ?

 

‘‘ହଁ ଯାଏ’’—ଯାଉ ଯାଉ ପୁଣି ଟିକିଏ ଠିଆହୋଇପଡ଼ି କହିଲା ମାଧବୀ–ଆଉ ଘଣ୍ଟାକ ପରେ ଟିକିଏ ଡାକିଦେବୁ କି ଯାଇ ତୋ ବଡ଼କକାକୁ ।

 

ଚାନ୍ଦ କହିଲା—ବଡ଼କକା ? ସେ ତ ଏଇ ଟିକିଏ ଆଗରୁ କଟକ ଚାଲିଗଲେ ।

 

ପୁଣି ପଥରର ମୂର୍ତ୍ତି ହୋଇ ଠିଆ ହୋଇ ରହିଲା ମାଧବୀ । କୌଣସି କଥାର ବା ପ୍ରଶ୍ନର କୂଳକିନାରା ପାଇଲାନି ସେ । ତା’ପରେ ଧୀରେ ଧୀରେ ଚାଲିଗଲା ଗାଧୁଆଘରକୁ । ଲାଇଟ୍‌ଟା ଲଗାଇଦେଲା । ଦର୍ପଣ ପାଖରେ ରଖାହୋଇଛି ନୂଆ ଗୋଟାଏ ଇଉଡ଼ିକୋଲନ ଶିଶି । ଆଖି ଆଗରେ ତାର ଭାସିଗଲା କାହିଁ କେତେ ବର୍ଷ ତଳର କଥା । ତମାଳ ତା’ ପାଇଁ ଆଣୁଥିଲା ଏଇ ଦରବଟି । ମାସକୁ ମାସ କେତେ ଯେ ଖର୍ଚ୍ଚ ହୁଏ ଏଗୁଡ଼ାକରେ, ତାର ଠିକଣା ନାହିଁ । ଏଇ ଗୋଟିଏ ଜିନିଷ ପ୍ରତି ଖୁବ୍‌ ସଜାଗ ଥିଲା ତମାଳ । ଗାଧୋଇଲା ପାଣିରେ ଉଇଡ଼ିକୋଲନ ନ ମିଶିଲେ ଗାଧୋଇ ଶାନ୍ତି ପାଏନି ମାଧବୀ । ସେଇ ଅଭ୍ୟାସ ତାର ଜୀଇଁ ରହିଥିଲା ସେଇ ଶେଷଦିନ ପର୍ଯ୍ୟନ୍ତ । ଆଜି ପୁଣି ଏତେଦିନ ପରେ ବୋତଲଟା ଖୋଲି ପାଣିରେ ଢାଳିଦେଲା ମାଧବୀ । ଭୁରୁ ଭୁରୁ ଗନ୍ଧରେ ଭରିଗଲା ବାଥ୍‌ରୁମଟା । ସେ ପାଣି ଦେହରେ ଢାଳିଲା ମାଧବୀ । ପବନର ସ୍ତରେ ସ୍ତରେ ଭାସିବୁଲିଲା ଇଉଡ଼ିକୋଲନର ମୃଦୁ ସୌରଭ । ସେଇ ବାସନାରେ ଆକୃଷ୍ଟ ହୋଇ ବା୍‌ଥରୁମ ଆଡ଼େ ଚାହିଁଲା ଚାନ୍ଦ । ଦୁଇ ଆଖିରେ ତାର ମୁଗ୍‌ଧ ବିସ୍ମୟ ।

 

ସବୁଦିନପରି ସେପଟ ବାରଣ୍ଡା କୋଣରେ ଆଜି ବି ନିଝୁମ ହୋଇ ବସିରହିଥିଲା ତ ମାଳ। ପବନରେ ଭାସିଆସିଲା ମୃଦୁ ଏକ ସୌରଭ । ଇଉଡ଼ିକୋଲନର ମିଠା ମିଠା ବାସନା । ପାଦପାଦକରି ବାଥ୍‌ରୁମ ଆଡ଼କୁ ଆଗେଇ ଆସିଲା ତମାଳ । ଢେବା ଢେବା ଆଖିରେ ମୁହଁକୁ ତାର ଚାହିଁଲା ଚାନ୍ଦ । ବାରଣ୍ଡାରେ ନୀରବରେ ଠିଆହୋଇ ରହିଲା ତମାଳ । ଧୀରେ ଧୀରେ ଆବେଶ ଭରିଗଲା ତାର ଦୁଇ ଆଖିରେ ଦୁଇଟି ଶାନ୍ତ ଡୋଳାରେ ।

 

ଝିଅକୁ ଛାତିରେ ଜାକି ପାଦ ଚିପି ଚିପି ତଳକୁ ଓହ୍ଲାଇଗଲା ଚାନ୍ଦ । ଓହ୍ଲାଇଗଲା ଆଗରୁ ଚାନ୍ଦ ଦେଖିଗଲା ଗୋଟାଏ ଖମ୍ୱ ଉହାଡ଼ରେ ଠିଆହୋଇ ରହିଛନ୍ତି ସାନମା’ । ଆଉ ସାନମା’ଙ୍କର ଆଖିର ଚାହାଣି ? ନାଃ, ସେ ଚାହାଣିର ଅର୍ଥ ବୋଧଗମ୍ୟ ନୁହେଁ ଚାନ୍ଦ ପାଖରେ । ଖାଲି ଏତିକି ଯେ ତାଙ୍କର ସେଇ ଚାହାଣି ଦେଖି ହଠାତ୍‌ ଟାଙ୍କୁରି ଉଠିଥିଲା, ତା ଦେହର ପ୍ରତିଟି ଲୋମମୂଳ । ଗୋଟାଏ ବିଚିତ୍ର ଅନୁଭୂତି ସ୍ତବ୍‌ଧ କରିଦେଇଥିଲା ଚାନ୍ଦର ଦେହ ଓ ମନକୁ । ଦୁଇଟା ପାହାଚ ପାରିହେବାପରେ ଠିଆହୋଇ ପଡ଼ିଥିଲା ଆନମନା ଚାନ୍ଦ ।

 

ବଡ଼ମା’ଙ୍କର ଗାଧୋଇଲା ଘର ଭିତରୁ ଭାସିଆସିଲା ଗୀତର ଗୁଣୁ ଗୁଣୁ ଶବ୍‌ଦ । ସେଇ ଶବ୍‌ଦରେ ସଚେତନ ହୋଇଉଠିଲା ଚାନ୍ଦ । ବଡ଼ମା’ଙ୍କ ଗଳାରେ ଗୀତ !! କେବେ ତ ଶୁଣିନି ସିଏ !! ଏ ମାଁ....ଶୁଭୁଛି ଠିକ୍‌ ରେଡ଼ିଓରେ କିଏ ଗାଇଲା ପରି !!

 

ହଠାତ୍‌ ସୁଚରିତାର ସୁନାଚୁଡ଼ିରେ ଶବ୍ଦ ହେଲା—ରିଣିଝିଣି । ଚମକିପଡ଼ି ଏକା ନିଃଶ୍ୱାସରେ ତଳକୁ ଧାଇଁଗଲା ଚାନ୍ଦ ।

 

ଚାନ୍ଦ ସିନା ଭୟରେ ଧାଇଁପଳାଇଲା—ହେଲେ ତମାଳ କିନ୍ତୁ ଅଚେତନ । ବାହାରର କୌଣସି ଶବ୍‌ଦ ପଡ଼ୁନି କାନରେ ତାରି ।

 

ବାଥରୁମ୍‌ ଭିତରେ ବନ୍ଦ ହୋଇଗଲା ପାଣିକଳଟା । ବନ୍ଦ ହୋଇଗଲା ମାଧବୀ କଣ୍ଠର ଗୁଣୁ ଗୁଣୁ ଶବ୍‌ଦ ବି । ସଚେତନ ହୋଇପଡ଼ିଲା ତମାଳ । ଘୁଞ୍ଚି ଆସିଲା ସେଠୁ । ତାର ଆହୁରି ଅନେକ ଆଗରୁ ଘୁଞ୍ଚିଯାଇଥିଲା ଚତୁରୀ ସୁଚରିତା, ପଳାଇଯାଇଥିଲା ଏକଦମ୍‌ ତଳକୁ ।

 

ଧାରପାଦରେ ଗାଧୁଆଘର ଭିତରୁ ବାହାରିଆସିଲା ମାଧବୀ ତାର ସୁଡ଼ୌଲ ଗୋଲାପୀ ପେଣ୍ଡା ଉପରେ ଜରୀକାମକରା କଳା ଚଉଡ଼ା ଧଡ଼ୀ, ସାରା ଅଙ୍ଗରେ ତାର ଜଡ଼ାଇଯାଇଛି ଭିଜାଶାଢ଼ି, କପାଳରେ ଜଡ଼ାଇ ରହିଛି ଚୂର୍ଣ୍ଣକୁନ୍ତଳର ଜାଲିକଟା ଅଳକା । ଆଃ, କି ଅପରୂପ ଦିଶୁଛି ମାଧବୀ ! ଗାଢ଼ ଗୋଲାପୀ ଦିଶୁଛି ମାଧବୀ । ମୁକୁଳା ବାହୁରେ ତାର ପାଣିର ଟିପିଟିପି ଟୋପା । ସତେ ଅବା ଗୋଲାପୀ ଭେଲଭେଟ୍‌ ଉପରେ ଖଞ୍ଜାହୋଇଛି କେତେ ଗୁଡ଼ିଏ ମୂଲ୍ୟବାନ ମୁକ୍ତା । ବାରଲାଇଟ୍‌ର ସବୁଜ ଆଭା ଭିତର ଦେଇ ନିଜର ଶୋଇଲା ଘର ଆଡ଼କୁ ଆଗେଇ ଯାଉଛି ମାଧବୀ । ମାଧବୀ !! ମାଧବୀ ତ ନୁହେଁ, ସତେ ଅବା ଛନ୍ଦମୟୀ ଏକ ସୁନ୍ଦର ମରାଳୀ ।

 

ଦୁଇଟି ଆବେଶଭରା ଆଖି ଧୀରେ ଧୀରେ ମୁଦି ହୋଇଆସିଲା ତମାଳର । ତା ମନର ଉଜାଣି ଯମୁନାରେ ଜାଗିଉଠିଲା ଜୁଆର । ଆନନ୍ଦରେ ଉତ୍ତାଳ ହୋଇଉଠିଲା ସେଇ ଯମୁନା, ବ୍ୟଥାରେ ବ୍ୟଥାରେ ନୀଳ ସେଇ ଯମୁନା । ସେଇ ଯମୁନାରେ ସ୍ତର ସ୍ତର ଢେଉ । ପ୍ରତିଟି ଢେଉ ଭାଙ୍ଗି ଭାଙ୍ଗି ପାଖକୁ ତାର ଆଗେଇଆସୁଛି ଗୋଲାପୀ ଗୋଟିଏ ମଣିମୟ ପଦ୍ମ । ଜୋର୍‌ କରି ହାତ ବଢ଼ାଇ ସେଇ ପଦ୍ମଟିକି ଯଦି ସିଏ ଧରି ନ ପକାଏ, ତେବେ—ତେବେ ହୁଏତ ପଦ୍ମ ଭାସିଯିବ ଦୂରକୁ । ବିଲୀନ ହୋଇଯିବ ସୀମାହୀନ କେଉଁ ଅକୂଳରେ ।

 

୨୬

 

ପରାଗ ନାହିଁ । ଖରାପ ଲାଗୁଛି ସନ୍ଧ୍ୟାଟା । ଅବଶ୍ୟ ଅନେକବେଳୁ ଉତ୍ତୀର୍ଣ୍ଣ ହୋଇଗଲାଣି ସନ୍ଧ୍ୟା । ତା’ବୋଲି କଣ ମଣିଷ ଶୋଇପଡ଼ିବ ଏଇ ରାତି ଆଠଟା ସାଢ଼େଆଠଟା ବେଳୁ । ଏଇ ସମୟଟା ତ ପରାଗ ସାଥିରେ କଟେ ତାର ଆନନ୍ଦରେ । ଦୂର୍‌, କି ଯେ ଗୋଟାଏ ଓଷଧ କିଣିବାକୁ ଯାଏ ସବୁବେଳେ, ବୁଝେନି ମାଧବୀ । ଥରକେ କଣ ବହୁତକରି ଗୁଡ଼ାଏ ନେଇଆସିଲେ ଯାଆନ୍ତାନି ଯେ ସତର ଥର କଟକ ଯିବା ଦରକାର ପଡ଼ୁଛି । ଅଗଣାରେ ସିମେଣ୍ଟ ଚଉତରା ଉପରେ ବସି ବିରକ୍ତିରେ ଭ୍ରୂକୁଞ୍ଚିତ କରେ ବାଧବୀ ।

 

ରୋଷେଇଘର ପିଣ୍ଡାରୁ ଧୀରେ ଓହ୍ଲାଇଆସି ପାଖରେ ତାର ଠିଆହୁଏ ସୁଚରିତା । କେମିତି ଗୋଟାଏ ଅବଶ ଗଳାରେ କହେ—ଏମିତି ନିଷ୍ମର୍ମା ଜୀବନ ମଣିଷକୁ ଭାରି ବାଧେ ନାନୀ, ଭଲ ଲାଗେନି । ଝିଅଟା ଶୋଇପଡ଼େ ଏମିତି ବେଳରେ । ଚାନ୍ଦ ବ୍ୟସ୍ତରହେ ତାର ଘରକରଣା ନେଇ । ଆଜିକାଲି ପ୍ରାୟ ରହନ୍ତିନି ମଝିଆଁବାବୁ । ବୁଝିପାରେ; ଖୁବ୍‌ କଷ୍ଟ ହୁଏ ତୁମର । ତୁମେ ବରଂ ଏଥର ପଶିଯାଅ ରୋଷେଇଘରେ ।

 

ଦପ୍‍କରି ଜଳିଉଠେ ମାଧବୀର ଆଖିତାରା ଦୁଇଟି । ଜାଣେ, ସବୁରି ମନର କଥାକୁ ଜାଣେ ସିଏ; ଥାଏ ଖାଲି ନ ବୁଝିବାର ବାହାନାକରି । ବୁଝିପାରିଛି ତ ସିଏ ଯେ ପରାଗଘରେ ଯେ ସବୁବେଳେ ଥାଏ ବୋଲି ମନେ ମନେ ଜଳନ୍ତି ସ୍ୱାମୀତାର; ଘୃଣା ଜମେ ଏଇ ସୁଚରିତାର ଆଖିରେ-। ଚୁଲିକି ଯାଉ ସୁଚରିତା । ସ୍ୱାମୀ ତାର ଯେ ଜଳି ଜଳି ଝାଉଁଳି ପଡ଼ୁଛନ୍ତି, ଏଇ କଥାଟା ଏଇ କେତେଦିନ ହେଲା ସେ କେଜାଣି କାହିଁକି ସହିପାରୁନି । ତେଣୁ ଦିନ ଦଶବାର ହେଲା କମେଇଦେଇଛି ସିଏ ତାଙ୍କ ଘରକୁ ଯିବା । ସେ ଜାଣେ, ତାକୁ ଆଉ ପରାଗକୁ ନେଇ ଦୁଇଟା ମନରେ ସୃଷ୍ଟି ହୋଇଛି ଅଦ୍‌ଭୁତ ଗୋଟାଏ ଚିନ୍ତା । ସେଇ ଚିନ୍ତାର ରୂପରେଖ କଥା ଭାବିଲେ ଦେହରେ ଗୋଟାଏ ଝିଟିପିଟି ଚାଲିଗଲା ପରି ଲାଗୁଛି ମାଧବୀକୁ । ଘୃଣାରେ ଶିର୍‌ ଶିର୍‌ ହୋଇଉଠୁଛି ତାର ମେରୁଦଣ୍ଡଟା । ଆଜି ବି ଛଳେଇ ଛଳେଇ କଥା କହୁଛି ସୁଚରିତା ।

 

ସର୍ବାଙ୍ଗରେ ନିଆଁ ଲାଗିଗଲା ମାଧବୀର । ଦାନ୍ତରେ ଦାନ୍ତ ଚାପି କହିଲା—କାନିର ଗଣ୍ଠିଟା ତୋର ହୁଗୁଳା ହୋଇଗଲା ପରି ତତେ ଲାଗୁଛି କି ? ମତେ ରୋଷେଇଘରେ ପୁରେଇଦେଇ ପୁଣି ବସିବୁ କି ଗଣ୍ଠି ପକାଇବାକୁ ?

 

X X X

 

ସବୁଦିନ ରାତିରେ ଖିଆପିଆ ସରିବାପରେ ଟୁଟୁ ପାଖରେ ତୃଷ୍ଣାକୁ ଶୁଆଇଦେଇ ଶାଶୁଙ୍କ ପାଦରେ, ଅଣ୍ଟାରେ ତେଲ ମାଲିସ କରେ ମାଧବୀ । କଥାରେ କଥାରେ ଆହୁରି ଡେରିରେ ଶୋଇବାକୁ ଛାଡ଼ନ୍ତି ସିଏ ମାଧବୀକୁ । ନିଦ ଟିକିଏ ଡେରିରେ ଆସେ ବୋଲି କଥା କହିବାକୁ ମନ ଡାକେ ଚାରୁଲତାଙ୍କର । ବର୍ତ୍ତମାନର କଥା କହୁ କହୁ ପଛେଇଯାନ୍ତି ଅତୀତକୁ । ସେ ତାଙ୍କର ବୋହୂକାଳର କଥା, ଝିଅକାଳର କଥା । ଅନାବନା ଆହୁରି କେତେକଥା....., ବିରକ୍ତ ହୁଏନି ମାଧବୀ । ଶାଶୁଙ୍କ ନିଦହେଲା ଯାଏଁ ବସିଥାଏ ପାଖରେ । ମନଦେଇ ଶୁଣେ ସବୁକଥା, ଭଲ ବି ଲାଗେ ତାକୁ । ଅନେକ ପ୍ରଶ୍ନ ପଚାରି ନିଜର ଉଚ୍ଛ୍ୱାସକୁ ସୁନ୍ଦର କରି ପ୍ରକାଶକରେ ମାଧବୀ । ବଡ଼ ଖୁସି ହୁଅନ୍ତି, ବଡ଼ ଶାନ୍ତି ପାଆନ୍ତି ଚାରୁଲତା । ଅନେକ ସମୟପରେ ଆଖିକୁ ତାଙ୍କର ଢୁଳ ଓହ୍ଲାଇଆସେ । ପରମ ଶାନ୍ତିରେ, ପରମ ଆନନ୍ଦରେ ଶୋଇଯାଆନ୍ତି । ଦେହରେ ତାଙ୍କର ଚଦର ଢାଙ୍କି, ତୃଷ୍ଣାକୁ ଛାତିରେ ଜାକି ସେ ଘରୁ ଧୀରେ ଧୀରେ ଚାଲିଆସେ ମାଧବୀ । ଦୁଆର ଦିଏ ନିଜ ଘରେ । ଆଦରକରେ ଟିକିଏ ଘୁମନ୍ତ ତୃଷ୍ଣାକୁ । ତା’ପରେ ବହି ପଢ଼େ ଟିକିଏ । ସେ ତାର ନିତିଦିନର ଅଭ୍ୟାସ ।

 

ସେଦିନ ବି ଘଟିଲାନି ନିତିଦିନର ନିୟମରେ କୌଣସି ବ୍ୟତିକ୍ରମ । ସବୁଦିନ ପରି ସେଦିନ ବି ଅନେକ ରାତିରେ ନିଜର ଶୋଇଲାଘରେ ପାଦଦେଲା ମାଧବୀ । ବନ୍ଦକଲା ଦୁଆର । ଆଦର କଲା ତୃଷ୍ଣାକୁ । ତା’ପରେ କ୍ଳାନ୍ତ ଦେହଟାକୁ ଲୋଟାଇଦେଲା ବିଛଣାରେ । ମେଲି ଧରିଲା ଆଖି ଆଗରେ ଗୋଟାଏ ଅଧାପଢ଼ା ଉପନ୍ୟାସ । ଠିକ୍‌ ସେଇ ମୁହୂର୍ତ୍ତରେ ହାତରୁ ତାର କିଏ ଛଡ଼ାଇନେଲା ବହିଟା । ଭୀଷଣ ଭାବରେ ଚମକିଉଠିଲା ମାଧବୀ । ଖଟ ଉପରେ ଅଧାଶୁଆ ହୋଇ ଡବ୍‌ଡ଼ବ୍‌ ଆଖିରେ ଚାହିଁଲା ସିଏ ପାଦ ଆଡ଼କୁ । ଭୟରେ ସର୍ବାଙ୍ଗ ଥରୁଛି ତାର । ବିସ୍ଫାରିତ ଆଖି ଦୁଇଟିରେ ତାରି ଅନେକ ଭୟ, ଅନେକ ବିସ୍ମୟ । ଖଟ କଡ଼ରେ ଠିଆହୋଇ ଅଦ୍‌ଭୁତ ହସୁଛି ତମାଳ । ସେ ହସରେ ତାର ଜଡ଼ିରହିଛି କିଛି ବ୍ୟଥା, କିଛି ଆନନ୍ଦ ।

 

କଣ୍ଠରୋଧ ହୋଇଛି ମାଧବୀର । ଦୁଇ ଆଖିଭରି କେବଳ ତାର ରାଶି ରାଶି ବିମୂଢ଼ତା-। ବହିଟାକୁ ଟେବୁଲ ଉପରେ ଫୋପାଡ଼ିଦେଇ ତମାଳ ଆଗେଇ ଆସିଲା ପାଖକୁ ତାର । ଠିଆହେଲା ମୁହୂର୍ତ୍ତେ । ତାପରେ..... ତାପରେ ସେଇ ପୁରୁଷଟି ଶିଶୁହୋଇ ଲୋଟିପଡ଼ିଲା ମାଧବୀର ବକ୍ଷଉପରେ । ଦୁଇ ହାତରେ ଜାବୁଡ଼ି ଧରିଲା ମାଧବୀର ନରମ ଦେହଟାକୁ । ମୁହଁ ଗୁଞ୍ଜିଲା ମାଧବୀର ବକ୍ଷରେ । ତା’ପରେ ନିଃଶବ୍‌ଦରେ ଫୁଲିଫୁଲି କାନ୍ଦିଉଠିଲା ତମାଳ ।

 

ସେ ପର୍ଯ୍ୟନ୍ତ ଜଡ଼ ମାଧବୀର ଆଖିଡ଼ୋଳା ଦୁଇଟି ସ୍ଥିରହୋଇ ରହିଛି ମହାଶୂନ୍ୟରେ । ସତେ ଅବା ଉପଲବ୍‌ଧି କରିପାରୁନି ସିଏ ଏ ପାର୍ଥିବ ଘଟଣାର ଏତେ ଟିକିଏ ସତ୍ୟତାକୁ । ତମାଳର ଆଖିଲୁହରେ ସିକ୍ତ ହୋଇଯାଉଛି ତାର ବକ୍ଷର ବସନ । ଅସହାୟ ଶିଶୁପରି ଥର୍‌ଥର୍‌ ହୋଇ ଥରୁଛି ତମାଳର ଦେହଟା । ଅନେକ ସମୟ ପରେ ମାଧବୀ ଖୋଜିପାଇଲା ନିଜକୁ । ମଥା ଉପରେ ବିଛାଇହୋଇ ରହିଥିବା ନିଜର ଅସହାୟ ହାତ ଦୁଇଟିକୁ ଉଠାଇ ଆଣି ତମାଳ ମଥାରେ ରଖିଲା ସିଏ । ଆଖିଡ଼ୋଳା ଦୁଇଟି ଘୂରିଗଲା ଘରର ଚାରିପଟେ ।

 

ଗୋଟାଏ ଅଦ୍‌ଭୁତ ସୁଖର ଆବେଶରେ ମୁଦିହୋଇଗଲା ତାର ଆଖିର ନିଘଞ୍ଚ ପାଖୁଡ଼ା ଦୁଇଟି । ଏ ସୁଖ ସିଏ ଜୀବନରେ କେବେ ହେଲେ ଅନୁଭବ କରନି—କରନି ତାର ସେଇ ମଧୁଶଯ୍ୟା ରାତିରେ ବି । ଅତୀତରେ ଗଲା ଆଠଟି ବର୍ଷ ଏଇ ଘରେ କଟାଇଯାଇଛି ସିଏ । ହୋଇଛି ତମାଳର ଶଯ୍ୟାସଙ୍ଗିନୀ । ଭୀରୁ କୋପତୀର କମ୍ପନନେଇ ଦୁର୍‌ଦୁର୍‌ ହୋଇଛି ତାର ବକ୍ଷ-। ଶୁଖି କାଠ ହୋଇଯାଇଛି ତାର ରସାଳା ଦୁଇଟି ଓଷ୍ଠପାଖୁଡ଼ା । ରକ୍ତ ଚଳାଚଳ ବନ୍ଦ ହୋଇ ଯାଇଛି ତା ଦେହର ଶିରା ଉପଶିରା ଭିତରେ । ନିଝୁମ ନିଃସାଡ଼ ହୋଇ ପଡ଼ିରହିଛି ମାଧବୀ । ତା ଦେହର ଖାଣ୍ଡବ ବନକୁ ଦହନ କରୁକରୁ ଜଡ଼ିତ ସ୍ୱରରେ ଗୋଟେ ଦୁଇଟା ଅସଂଲଗ୍ନ କଥା କହି ନିଦର ଅତଳ ତଳେ ତଳେଇଯାଇଛି ତମାଳ ।

 

ଶୁଖିଲା ଓଠରେ ଜିଭ ବୁଲାଇଦେଇ ମାଧବୀ ଭୀରୁ ଆଖିମେଲି ଦେଖୁଛି ଘୁମନ୍ତ ତମାଳକୁ । ଶୋଇପଡ଼ିଲା ପରେ କିନ୍ତୁ ଭାରି ସୁନ୍ଦର ଦିଶେ ତମାଳ । ଦିଶେ ବଡ଼ ଶାନ୍ତ, ବଡ଼ ବାଧ୍ୟ, ବଡ଼ ଅସହାୟ ।

 

ଅପୂର୍ବ ଏକ ମମତାରେ ପରିପୂର୍ଣ୍ଣ ହୋଇଗଲା ମାଧବୀର ମାୟାଭରା ମନ । ଆସ୍ତେକରି ଛାତି ଉପରେ ଚାପି ଧରିଲା ତମାଳର ମଥାଟାକୁ । ନୂଆଁ ଏକ ଅନୁଭୂତିରେ ଅଭିଭୂତ ହୋଇପଡ଼ିଲା ତାର ଅଙ୍ଗ-ପ୍ରତ୍ୟଙ୍ଗ । ଅଜଣା ସୁଖରେ ରୋମାଞ୍ଚିତ ହୋଇଉଠିଲା ତାର ତନୁ । ନବବଧୂର ମନନେଇ ଥରିଉଠିଲା ତାର ଛାତି । ମୁଣ୍ଡ ଉଠାଇ ମାଧବୀ ଧୀରେ ଓଠ ଛୁଆଁଇଲା ତମାଳର ମଥାରେ ।

 

ଆହୁରି ନିବିଡ଼କରି ତମାଳ ଜଡ଼ାଇଧରିଲା ମାଧବୀର କମ୍ପିତ ଦେହଟାକୁ । ଥରୁଛି ମାଧବୀର ଦେହ । ଏଥର ତମାଳ ମଥା ଉଠାଇ ଓଠ ରଖିଲା ମାଧବୀର କମ୍ପିତ ଓଠରେ । ଚଞ୍ଚଳ ହୋଇଉଠିଲା ମାଧବୀ ଦେହର ରକ୍ତ ।

 

ହଠାତ୍‌ ସଚେତନ ହୋଇପଡ଼ିଲା ମାଧବୀ । ନିଜର କ୍ଷୀଣ ବାହୁଲତାରେ କେଉଁଠୁ କେଜାଣି ଆସି ଜମିଗଲା ଅମାପ ଶକ୍ତି । ଜୋର୍‌ରେ ତମାଳକୁ ଠେଲିଦେଇ ଖଟ ତଳକୁ ଓହ୍ଲାଇଆସିଲା ସିଏ ।

 

କ୍ରୁଦ୍ଧାନାଗୁଣୀ ପରି ଜଳିଉଠିଲା ତାର ଦୁଇଆଖି । ହିସ୍‌ ହିସ୍‌ କଣ୍ଠରେ କହିଉଠିଲା—କଣ ! କାହିଁକି ଆସିଛ ତୁମେ ଏ ଘରକୁ ? କେମିତି ଆସିଲ ?

 

ବିମୂଢ଼ ଆଖିମେଲି ତମାଳ ଚାହିଁଲା ମାଧବୀର ନାଗୁଣୀ ଭଙ୍ଗିକୁ । ତା’ପରେ ରହି ରହି କହିଲା—ମୁଁ ତମରି ପାଖକୁ ଆସିଛି ମାଧବୀ, ଆସିଛି ତୁମରି ଝିଅ ପାଖକୁ । ଆସିଛି କ୍ଷମା ମାଗିନେବାକୁ । ମତେ ତୁମେ କ୍ଷମା......

 

‘‘ନା ନା ନା’’ ହଠାତ୍‌ କାନ୍ଦି ଉଠି ମାଧବୀ ଝାମ୍ପିପଡ଼ିଲା ତମାଳର ଛାତିଉପରକୁ । ଦୁଇଟି ମୁଷ୍ଟିବଦ୍ଧ ହାତକୁ ପିଟିଲାଗିଲା ତାର ଚଉଡ଼ା ଛାତିରେ ।

 

ନିଥର ହୋଇ ବସିରହିଛି ତମାଳ । ମାଧବୀର ଅଶ୍ରୁଜଡ଼ିତ କଣ୍ଠରେ କେବଳ ସେଇ ଗୋଟିଏ ଶବ୍‌ଦ—ନା ନା ନା । ପିଠିସାରା ବିଛାଇ ହୋଇପଡ଼ିଛି ମୁକୁଳା କେଶ । ଛାତିର ଅଞ୍ଚଳ ତାର ଲୋଟୁଛି ଭୁଇଁରେ । କାନ୍ଦ ସହିତ ତା ହାତର ମୁଷ୍ଟ୍ୟାଘାତ ଚାଲିଛି ଅବିରାମ ଗତିରେ !

 

ତମାଳ ତଟସ୍ଥ ହୋଇ ଦେଖୁଛି ମାଧବୀ ଭିତରର ଜମାଟ ବନ୍ଧା ଅଭିମାନ ଏଇ ଜୀବନ୍ତ ରୂପକୁ । ହଠାତ୍‌ ମାଧବୀ ତାର ବାଁ ହାତଟାକୁ ଧରି କାମୁଡ଼ି ଦେଲା ଜୋର୍‌ରେ । ସଚେତନ ହୋଇ ଉଠିଲା ତମାଳ । ନିଜର ଦୁଇଟି ହାତର ଘେର ଭିତରେ ବନ୍ଦୀ କରିନେଲା ସିଏ କ୍ଷିପ୍ରପ୍ରାୟ ଜ୍ଞ୍ୟାନଶୂନ୍ୟ ମାଧବୀକୁ । ତାର ଛାତିରେ ଗୁଞ୍ଜି ହୋଇଗଲା ମାଧବୀର ଟିକିମଥାଟି । ଅସହାୟ କ୍ରନ୍ଦନରେ ନିସ୍ତେଜ ହୋଇପଡ଼ିଲା ମାଧବୀ । ଲତାପରି ଲଟାଇ ହୋଇ ରହିଲା ସିଏ ତମାଳର ଛାତି ଉପରେ । ଫୁଲି ଫୁଲି ଲହରେଇ ଲହରେଇ କାନ୍ଦୁଛି ମାଧବୀ । ସ୍ତିମିତ ହୋଇଯାଉଛି କଣ୍ଠଦେଶରୁ ତାର ସେହି ନାନା ଶବ୍‌ଦ । ସାରା ଅଙ୍ଗଲତାରେ ତାର ଫୁଟି ଉଠୁଛି ସମର୍ପଣର ବିଷଣ୍ଣ ଭଙ୍ଗି । ଦୁଇ ହାତରେ ନିବିଡ଼ କରି ତାକୁ ଧରିରଖିଛି ତମାଳ ।

 

କାନ୍ଥ ଘଣ୍ଟାରେ ଢଂ ଢଂ ହୋଇ ବାଜିଲା ଦୁଇଟା । ଧୀରେ ଧୀରେ ନୀରବ ହୋଇ ଆସିଲା ମାଧବୀର କଣ୍ଠସ୍ୱର । ଶୀଥିଳ ଲାଗିଲା ତାର ଦେହବଲ୍ଲରୀ । ଅକଳନ କୋହ ଜମି ଥିବାରୁ ଏବେ ବି ଅଦ୍‌ଭୁତ ଗୋଟିଏ ଶବ୍ଦରେ ଥରି ଉଠୁଛି ତାର ଛାତି ତଳଟା । ତଥାପି ସେ ଶାନ୍ତ, ସ୍ଥିର, ଅଚଞ୍ଚଳ ହୋଇ ଲଟାଇରହିଛି ତମାଳର ଛାତିରେ ।

 

ଅପୂର୍ବ ସୁଖରେ ରୋମାଞ୍ଚିତ ହେଉଛି ତମାଳର ପ୍ରତିଟି ଅଙ୍ଗ । ଗଭୀର ଆବେଶଭରି ମାଧବୀ କାନରେ ମୁହଁ ରଖିଲା ସିଏ ଓ ଗାଢ଼ ସ୍ୱରରେ କହିଲା—ତୁମ ଶୁଭଭାଇ ନାଁଆରେ ରାଣଟା ତୁମ ପାଖରେ ଏତେ ବଡ଼ ହେଲା ମାଧବୀ, ଯେ ଥରେ ଫେରିଚାହିଁଲନି ମୁହଁକୁ ମୋର ? ଯେତେ ଅପରାଧ କଲେ ବି ମୁଁ ତୁମର ସ୍ୱାମୀ । ତେବେ..... ତେବେ କାହିଁକି ତୁମେ ଏମିତି କରି ନିଜକୁ ବୁଡ଼ାଇଦେଲ କଳଙ୍କର କଳା ପାଣିରେ ? ସହଜ ସ୍ୱଚ୍ଛନ୍ଦ ଭାବରେ ତୁମେ କାହିଁକି ତୁମ ଦୁଃଖର ଭାଗ ଦେଲନି ମତେ । ପରାଗ ସିନା ଆମ ସମ୍ପର୍କରେ ଅନ୍ଧ । ତେଣୁ ଶୁଭଭାଇର ରାଣ ପକାଇ ପାଟି ବୁଜି ଧରିଲା ତୁମର । ହେଲେ—ତୁମେ କାହିଁକି ବୁଝିଲନି ଯେ ଦାୟିତ୍ୱରେ ଯେଉଁ ପାହାଡ଼କୁ ତୁମେ ମୁଣ୍ଡାଇବାକୁ ଯାଉଚ ସେ ପାହାଡ଼ ଟେକିହେବ ଯାଇ ଆମରି ଦୁଇଟା ଯାକ ମଥା ଯୋଡ଼ିଲେ-। ତେବେ କାହିଁକି ତୁମେ ଛୋଟକଲ ନିଜକୁ । ଏତେ ଦୁଃଖ ସହିଲ, ଆଉ ଦୁଃଖ ଦେଲ ମତେ ?

 

ତମାଳର କୌଣସି କଥାର ଉତ୍ତର ଦେଲାନି ମାଧବୀ । ଖଟଧାରରେ ମାଧବୀକୁ ବସାଇଦେଇ ତମାଳ ଏଥର କୋଳରେ ତୋଳିନେଲା ନିଦ୍ରିତା ତୃଷ୍ଣାକୁ । ଆଦରରେ ଚୁମା ଦେଇ ଛାଇଦେଲା ତାର ଛୋଟ ଫୁଲପରି ଦେହଟାକୁ । ସେ ଆଡ଼କୁ ଫେରି ଚାହୁଁନି ମାଧବୀ । ବସିଛି ନିଶୀଥର ଆନତ ପଦ୍ମପରି ।

 

ହଠାତ୍‌ ଚମକିଉଠିଲେ ଦୁହେଁ ରାତ୍ରି ଶେଷର ପକ୍ଷୀମାନଙ୍କର କଳକାକଳୀରେ । ଖଟ ଉପରୁ ଓହ୍ଲାଇ ପଡ଼ିଲା ମାଧବୀ । ଦ୍ୱିଧାଜଡ଼ିତ କଣ୍ଠରେ କହିଉଠିଲା—ଏଥର ତୁମେ ଯାଅ ବାହାରି-। କେହି ଦେଖି ଦେଲେ ମତେ ବହୁତ ଲାଜ ଲାଗିବ ।

 

ଲାଜ ଲାଗିବ ! ବ୍ୟଥାରେ ବିବର୍ଣ୍ଣ ହୋଇଗଲା ତମାଳର ମୁହଁଟା । କିନ୍ତୁ ମୁହୂର୍ତ୍ତକେ ନିଜକୁ ସମ୍ଭାଳି ନେଇ ଧରିଲା ମାଧବୀର ଗୋଟାଏ ହାତ । କହିଲା—ମୁଁ ତେବେ ଯାଏ ?

 

ସାଥିରେ ତାର ଦୁଆରମୁହଁ ପର୍ଯ୍ୟନ୍ତ ଆଗେଇଆସିଲା ମାଧବୀ । ତମାଳ ଚାଲି ଯାଉ ଯାଉ ଠିଆହୋଇପଡ଼ିଲା । କବାଟରେ ଦେହ ଆଉଜାଇ ଠିଆହୋଇଛି ମାଧବୀ । ମାଧବୀର ଅତି ପାଖକୁ ଲାଗିଆସି ତମାଳ କହିଲା—ମାଧବୀ, ତୁମ ବିଛଣାରେ, ତୁମ ମା’ ଝିଅଙ୍କ ମଝିରେ କେବେ କଣ ଦିନେ ରହିବାକୁ ଦେବନି ମତେ ?

 

ଦୁଆର ପଛରେ ମୁହଁ ଲୁଚାଇ ଦେଉ ଦେଉ ମାଧବୀ ଅସ୍ଫୁଟ ସ୍ୱରରେ କହିଲା—ଦେବି ! ଦେବି ! ଆନନ୍ଦରେ ଅସ୍ଥିର ହୋଇଉଠିଲା ତମାଳର ମନ । ଚଞ୍ଚଳ କଣ୍ଠରେ କହିଲା–କେବେ ମାଧବୀ, କେବେ ?

 

ଓଠକୋଣରେ ଲାଜୁକ ହସିଲା ମାଧବୀ । ସ୍ୱର ନୁଆଇଁ କହିଲା—ଜାଣ ତ, ମୋ ଜୀବନରେ କେବେ ଆସିନି ମଧୁରାତି । ସେଇ ମଧୁରାତିକୁ ଅନ୍ତତଃ ଥରଟିଏ ଲାଗି ଆକୁଳ ପ୍ରାଣରେ ଆହ୍ୱାନ କରିବି ମୁଁ ଆସନ୍ତା ଚାରିଦିନ ପରେ ବୈଶାଖ ପୂର୍ଣ୍ଣିମା । ସେଇଦିନ ରଚିବି ମୋର ମଧୁରାତି । ସେଇ ଦିନ ଆସିବ ତୁମେ । ଚନ୍ଦନର ଟୋପାରେ ଚର୍ଚ୍ଚିତ କରିଦେବି ମୁଁ ତୁମର ଏଇ ସୁନ୍ଦର ଲଲାଟଟିକୁ । ବେକରେ ପିନ୍ଧାଇ ଦେବି ମଲ୍ଲିଫୁଲର ଗଜରା । ବିଛଣାରେ ଢାଳିଦେବି ଅଗୁରୁର ଅମୃତ ଧାରା । ଘରେ ଜାଳିଦେବି ଧୂପବତି । ତୁମେ ଆସିବ ।

 

କଥା କହିବା ସାଥିରେ ମାଧବୀର ଦୁଇ ଆଖିରେ ଓହ୍ଲାଇ ଆସିଥିଲା ଏକ ସ୍ୱପ୍ନମୟ ଆବେଶ । ଦୁଇ ଆଖିରେ ସ୍ୱପ୍ନଭରି ତମାଳ ବି ଚାହିଁରହିଥିଲା ମାଧବୀର ସେଇ ସୁନ୍ଦର ମୁହଁକୁ । ଛାତ କାର୍ନିଶରେ ବସିଲା ଆସି କାଉଟିଏ । ଡାକି ଉଠିଲା–କା କା କା । ସ୍ୱପ୍ନ ତୁଟିଲା ଚାରୋଟି ଆଖିରୁ । ମଥା ନୁଆଇଁଲା ମାଧବୀ । ଗଳାରେ ଆବେଗ ଭରି ତମାଳ କହିଲା—ଏଇ ଚାରିଦିନ ଭିତରେ ଆଉ କଣ ମୁଁ ଆସିପାରିବିନି ତୁମର ଏଇ ଘରକୁ ?

 

ଗଳାରେ ନୂତନ ବଧୂର ଲଜ୍ଜା ଜଡ଼ାଇ ନେଇ ମାଧବୀ ଆନତ କଣ୍ଠରେ କହିଲା—ଆସିବ ।

 

ପାହାନ୍ତିଆର ଫିକା ଆଲୁଅ ଭିତରେ ଧୀରେ ଧୀରେ ମିଳାଇଗଲା ତମାଳ । ମାଧବୀ କିନ୍ତୁ ସେଇଠି ଠିଆହୋଇ ରହିଲା ଅନେକ ସମୟ ଲାଗି । ଆଖି ଦୁଇଟିରେ ତାର ଶୂନ୍ୟ ଚାହାଣି । ସିଏ ଭାବୁଥିଲା–ଭାବୁଥିଲା–ଯାହା ସିଏ ନିଜେ ବି ଜାଣେନି ।

 

୨୭

 

ସେଇ ଯେ ବିଛଣା ଛାଡ଼ିଲା ମାଧବୀ ଆଉ ଶୋଇଲାନି । ଖାଲି ଥରେ ଆଗେଇଗଲା ତୃଷ୍ଣା ପାଖକୁ । ନିଘୋଡ଼ ନିଦରେ ଶୋଇରହିଛି ତୃଷ୍ଣା । ତା ମଥାର ଗହଳିଆ କୁଞ୍ଚିତ କେଶ ବିଛାଇ ହୋଇଯାଇଛି ତାର ଟିକି କପାଳରେ । ଅଦ୍‌ଭୁତ ସୁନ୍ଦର ଦିଶୁଛି ତୃଷ୍ଣା । ଝୁଙ୍କିପଡ଼ି ତୃଷ୍ଣାର ଟିକି କପାଳରେ ଓଠ ଛୁଆଁଇଲା ମାଧବୀ । ତାପରେ ଧୀରେ ଧୀରେ ଚାଲି ଆସିଲା ଦୁଆର ଆଡ଼କୁ । ତୃଷ୍ଣା ପଡ଼ିଯିବ, ଏଇ ଭୟଟା ଲାଗି ଏବେ ଖଟତଳେ ରଖି ଦିଆହୋଇଛି ଛୋଟ ଗୋଟିଏ ଷ୍ଟୁଲ । ନିଦରୁ ଉଠିଲେ ସେଇଥିରେ ପାଦ ଦେଇ ତଳକୁ ଓହ୍ଲାଇଆସେ ତୃଷ୍ଣା । ଠୁକ୍‌ ଠୁକ୍‌ ହୋଇ ଚାଲିଯାଏ ବୋଉକୁ ଖୋଜି । ସକାଳ ଆଉ ସନ୍ଧ୍ୟା ଦୁଇବେଳା ବୋଉକୁ ତାର ନିହାତି ପ୍ରୟୋଜନ । ମୁହୂର୍ତ୍ତକ ଡେରିରେ ବି କାନ୍ଦି ଘର ଫଟାଏ । ସମ୍ଭାଳିପାରେନି ତାକୁ ଚାନ୍ଦ କି ଅନ୍ୟ କେହି । ତେଣୁ ସଜାଗ ଥାଏ ମାଧବୀ ଏଇ ସମୟରେ । ଅନ୍ତତଃ ଘଣ୍ଟାଏ ଧରି ବୋଉ ପାଖରୁ ଆଦର ନ ଖାଇଲେ ମନ ବୁଝେନି । ତୃଷ୍ଣାର ।

 

ତାର ସେଇ ଆଦରଖିଆ କଥା ମନେପଡ଼ିଗଲା ମାଧବୀର । ଓଟ ଚିପି ହସିଲା ଛୋଟକରି । ତାପରେ ପଶିଲା ଯାଇ ଗାଧୁଆଘରେ । ଆଖିରେ ପଡ଼ିଲା, ଇଉଡ଼ିକୋଲନର ଶିଶିଟା-। ଛାତିତଳେ କିଶୋରୀର ଉଚ୍ଛ୍ୱାସ ନେଇ ଶିଶିଟାକୁ ହାତରେ ଉଠାଇନେଲା ମାଧବୀ-। ଢାଳିଲା କିଛି ପାଣିରେ । ବାୟୁମଣ୍ଡଳର ସ୍ତରେ ସ୍ତରେ ଭାସିବୁଲିଲା, ଇଉଡ଼ିକୋଲନର ମିଠା ମିଠା ବାସନା-। ମଗ୍‌ ମଗ୍‌ କରି ଦେହରେ ପାଣି ଢାଳିଲା ମାଧବୀ । ମୃଦୁସ୍ୱରରେ କଣ୍ଠରୁ ତାର ଝରିପଡ଼ିଲା ସଙ୍ଗୀତର ମୂର୍ଚ୍ଛନା । ଗାଧୋଇସାରି ଶୋଇବାଘରକୁ ଆସି ଲୁଗା ପାଲଟିଲା ମାଧବୀ । ସାରା ପିଠିରେ ବିଛାଇ ଦେଲା ତାର ଭିଜା ଭିଜା ଲମ୍ୱା କେଶ । ତା’ପରେ, ମଥାରେ ସିନ୍ଦୂର ଛୁଆଇଁ ଚାଲିଆସିଲା ତଳକୁ ।

 

ସେ ପର୍ଯ୍ୟନ୍ତ ନୀରବ ରହିଛି ମୋହନଭିଲା । ଶୋଇରହିଛନ୍ତି ସମସ୍ତେ । ସିଧା ଠାକୁରଘରେ ପଶିଲା ମାଧବୀ । ଦୀର୍ଘ ଦୁଇବର୍ଷ କରିନି ସିଏ ଏ ଘରର କାମ–ତଥାପି ଅସଜ ଲାଗୁନି ତାକୁ । ନିତିଦିନର ଅଭ୍ୟାସ ପରି ଗୋଟି ଗୋଟିକରି ସବୁ କାମ କରିଗଲା ସିଏ । ତା’ପରେ ଚାଲିଆସିଲା ରୋଷେଇଘରକୁ । ଚାହିଁଲା ଘରଟାର ଚାରିକୋଣକୁ । ନା; ଖୁବ୍‌ ବେଶି ଗୋଟିଏ ଅସଜଡ଼ା କରି ରଖିନି ସୁଚରିତା । ଅନେକଦିନ ତଳେ ଛାଡ଼ି ଚାଲିଯାଇଥିବା ତାର ଏଇ ନିଜସ୍ୱ ରୋଷେଇଘରଟି ଆଜି ତାକୁ ଦେଖି ହସିଉଠିଲା । ଅଣ୍ଟାରେ ଲୁଗାକାନିଟାକୁ ଜଡ଼ାଇ ନେଇ କାମରେ ଲାଗିପଡ଼ିଲା ମାଧବୀ । ଚୁଲିରେ ଡାଲିହାଣ୍ଡି ବସାଇ ଦେଇ ମସଲାପତର କାଢ଼ିଲାବେଳକୁ ଅନାଦି ଉଠିଲା । ଚାଲିଗଲା ବାରିଆଡ଼କୁ । ଉଙ୍କିମାରି ତାର ଯିବାବାଟାକୁ ଚାହିଁଲା ମାଧବୀ । ଆହୁରି ଟିକିଏ ପରେ....ଗାଧୋଇପାଧୋଇ ଆସି ଦୁଆରମୁହଁରେ ଠିଆହେଲା ଚାନ୍ଦ । ମସଲା ବାଟିବ । ଚୁଲିଆଡ଼ୁ ମୁହଁ ଫେରାଇ ତା ଆଡ଼କୁ ମସଲାଗୁଡ଼ାକ ବଢ଼ାଇଦେଲା ମାଧବୀ । ବିସ୍ମୟ ଆଉ ଆନନ୍ଦରେ ଉଜ୍ଜ୍ୱଳ ହୋଇଉଠିଲା ଚାନ୍ଦର ଆଖି ଦୁଇଟି ।

 

ଏପର୍ଯ୍ୟନ୍ତ ଉଠିନି ସୁଚରିତା, ତମାଳ ବି । ଗୋଟିଏ ଗୋଟିଏ ପାଦରେ ଚାରୁଲତା ଓହ୍ଲାଇ ଆସିଲେ ତଳକୁ । ତାଙ୍କରି କାନ୍ଧର ଲମ୍ୱିଲା ଅଞ୍ଚଳଟାକୁ ଧରି ଟୁକୁଟୁକୁ ହୋଇ ଓହ୍ଲାଇଆସୁଛି ତୃଷ୍ଣା । ସାରା ମୁହଁରେ ତାର ବିଛାଇ ହୋଇ ରହିଛି କାନ୍ଦୁରା ଗୋଟିଏ ଭାବ । ରୋଷେଇଘରେ ଥାଇ ମାଧବୀ ଦେଖିଲା ତୃଷ୍ଣାର ସେହି ମୁହଁକୁ । ଗୋଟିଏ କରୁଣ ଆନନ୍ଦରେ ବିମର୍ଷିତ ହୋଇଗଲା ତାର ପ୍ରାଣ । ଚାରୁଲତା ଜାଣନ୍ତି ତୃଷ୍ଣାର ଗୁଣକଥା । ଏଇନେ ଉଠିବ ଭେଁକରି । ତେଣୁ ଉଚ୍ଚସ୍ୱରରେ ଡାକ ପକାଇଲେ—ଆଲୋ ହେ ମାଧବୀ, ଆଲୋ ନେଏଲୋ ଏଇଟାକୁ । ନେଇଲେ ଏଇନେ ଏମିତି ପାଟି କରି ଉଠିବ ଯେ, ମୋ ମୁଣ୍ଡ କଣ ହୋଇଯିବ ।

 

ରୋଷେଇ ଘର ଭିତରୁ ମୁହଁ କାଢ଼ି ମାଧବୀ କହିଲା—ମୁଁ ଏଇଠି ଅଛି ବୋଉ, ଏଇ ରୋଷେଇଘରେ ।

 

ତୁ ଆଜି ରୋଷେଇଘରେ ? —ଆନନ୍ଦରେ ଉଜ୍ଜ୍ୱଳ ହୋଇଉଠିଲା ଚାରୁଲତାଙ୍କର ସାରା ମୁହଁ । ହସିଲେ ଟିକିଏ । ତାଙ୍କର ସେଇ ହସ ଦେଖି ହସିଦେଲା ମାଧବୀ ବି । ଦୁଇହାତ ବଢ଼ାଇ ଝିଅକୁ କୋଳକୁ ଟେକିନେଇ ଛାତିରେ ଜାକିଲା ମାଧବୀ । ଚାରୁଲତା ଧୀରେ ଧୀରେ ଚାଲିଗଲେ ବାରିପଟ ପୋଖରୀ ଆଡ଼କୁ । ପୋଖରୀରେ ଗାଧୋଇବା ତାଙ୍କର ବହୁ କାଳର ଅଭ୍ୟାସ । ଅନାଦି ଆସି ଠିଆହେଲା ରୋଷେଇଘର ଦୁଆର ମୁହଁରେ । ମାଧବୀକୁ ଦେଖି ଆନନ୍ଦଝରା କଣ୍ଠରେ କହିଉଠିଲା—‘‘ଆଲୋ ମୋ ବାପାଲୋ, ବଡ଼ମା’ ଆଜି ଏଘରେ ! ଭଲ ହେଲା ।’’ ତାପରେ ଅସ୍ଫୁଟ କଣ୍ଠରେ କହିଉଠିଲା—‘‘ମାନୁଛି....ମାନୁଛି ଏଥର ରୋଷେଇଘରଟା ।’’ ତାପରେ ଆଇଁଷ ଚୁଲି ଲଗାଇବାକୁ ନେଇଗଲା ନିଆଁ ଟିକିଏ ।

 

ମାଧବୀ କିନ୍ତୁ ଥରକୁ ଥର ପିଣ୍ଡାକୁ ଆସି ଚାହୁଁଛି ଦୋତାଲା ବାରଣ୍ଡାକୁ । ଏ ପର୍ଯ୍ୟନ୍ତ ଖାଲିପଡ଼ିଛି ପିଣ୍ଡାରେ ପଡ଼ିଥିବା ଆରାମଚେୟାରଟା । ଉଠିନାହାନ୍ତି କେହି । ଇଏ ନହେଲେ ସାରାରାତି ଜାଗି ଶୋଇଯାଇଛନ୍ତି; ହେଲେ–ରିତା ! ସେ ବି କଣ ରାତି ଅନିଦ୍ରା ହୋଇଛି ?

 

ଆହା..... ଯେଉଁ ଶେଷ କଥାଟା ମାଧବୀ ମନରେ ପ୍ରଶ୍ନ ହୋଇ ଦେଖାଦେଲା, ସେଇ କଥାଟା ଯେ କେଡ଼େ ସତ ସୁଚରିତା ଛଡ଼ା କିଏ ଆଉ ଜାଣିବ ସେ କଥା ? ଆଉ ସ୍ୱାମୀଙ୍କୁ ଶଯ୍ୟାରେ ନଥିବା ଦେଖି ଓ କାରଣ ଅନୁମାନ କରି ଲୁହରେ ଅନ୍ଧ ହୋଇଗଲା ସୁଚରିତାର ଦୁଇ ଆଖିଡ଼ୋଳା । ଶେଷ ରାତିରେ ଯେତେବେଳେ ବିଛଣାକୁ ଲେଉଟିଆସିଲା ତମାଳ; ଯେତେବେଳେ ନିବିଡ଼ କରି ଜଡ଼ାଇଧରିଲା ତାକୁ—ସେତେବେଳେ ମାନ ଅଭିମାନ ଭୁଲି ସୁଚରିତା ବି ଜଡ଼ାଇ ଧରିଲା ତମାଳକୁ । ଅଭ୍ୟସ୍ତ ପରିବେଶ ଭିତରେ ଥାଇ ଆରାମରେ ଶୋଇପଡ଼ିଲା ସୁଚରିତା । ତେଣୁ ନିଦ ଭାଙ୍ଗିଲାନି ତାର ମଧ୍ୟ ।

 

ଆଉ ଯେତେବେଳେ ଭାଙ୍ଗିଲା ନିଦ ସେତେବେଳେ କାହାକୁ ଆଉ ମୁହଁ ଦେଖାଇବାର ନୁହେଁ । ପଦାକୁ ଆସି ଦେଖିଲା ରୋଷେଇଘରୁ ଧୂଆଁ ଉଠୁଛି । ଭାବିଲା ବୋଉ ଯାଇ ପଶିଲେ କି ରୋଷେଇଘରେ ? ଚଞ୍ଚଳ ପାଦରେ ନିଦ ପଟର ବଥ୍‌ରୁମ୍‌ରେ ଯାଇ ପଶିଲା ସୁଚରିତା ।

 

ତାର ଆହୁରି ଟିକିଏ ପରେ ନିଦଭଙ୍ଗା ଫୁଲା ଫୁଲା ଆଖି ନେଇ ତମାଳ ଠିଆହେଲା ବାରଣ୍ଡାରେ । ସାରା ମୁହଁରେ ତାର ପରିତୃପ୍ତିରେ ଗୋଟାଏ ପ୍ରଶାନ୍ତ ଭାବ । ଆଖିତୋଳି ଚାହିଁଲା ଆକାଶକୁ । ଗାଢ଼ ନିଳ ଆକାଶରେ ତରଳ ରୂପାର ଉଜ୍ଜ୍ୱଳ ସୂର୍ଯ୍ୟ । ସେଇ ସୂର୍ଯ୍ୟ ଲାଗୁଛି ଆଜି ତମାଳକୁ । ଭଲ ଲାଗୁଛି ସୂର୍ଯ୍ୟର କରସ୍ପର୍ଶ । ତଳ ବଗିଚାରୁ ଭାସିଆସୁଛି ଫୁଟନ୍ତା ମଲ୍ଲୀଫୁଲର ସ୍ନିଗ୍‌ଧ ସୌରଭ । ଦୂରରୁ ଲହରେଇ ଲହରେଇ ବୋହିଆସିଲା ପବନ, ପବନ ତ ନୁହେଁ–ସତେ ଯେପରି ମୁଠା ମୁଠା ଶାନ୍ତି । ଅନେକ ଦିନପରେ ଭାରି ଭଲ ଲାଗିଲା ତମାଳକୁ ଆଉଜାଇ ଠିଆହୋଇରହିଛି ମାଧବୀ । ତାର ନିବିଡ଼ ଦୁଇଟି ଭ୍ରମର କଳା ଆଖି ମେଲି ସେ ଚାହିଁ ଦେଖୁଛି ତମାଳର ଆବେଶ ଭରା ରୂପକୁ । ତାର ସେଇ ବିମୁଗ୍‌ଧ ଆଖିରେ ଆଖି ରଖିଲା ତମାଳ । ନବବଧୂର ଲଜ୍ଜା ସେଇ ତଳକୁ ଆଖି ନୁଆଁଇଲା ମାଧବୀ । ମୁହୂର୍ତ୍ତକ ପରେ ପୁଣି ଚାହିଁଲା ଉପରକୁ-। ହାତଠାରି ତାକୁ ପାଖକୁ ଡାକିଲା ତମାଳ । ମୁଦିଲା ଓଠରେ ତାର ମୁଗ୍‌ଧ ହସ । ମୁଣ୍ଡ ହଲାଇ, ନା କହି ରୋଷେଇଘର ଭିତରକୁ ପଳାଇଲା ସିଏ ।

 

X X X

 

ମାଧବୀ ରୋଷେଇଘରେ ଅଳ୍ପ ସମୟ ଅନୁପସ୍ଥିତ ଥିବା ଭିତରେ ସୁଚରିତା ରୋଷେଇଘରେ ପଶି ଚାଲିଗଲାଣି ଉପରକୁ । ଛାତିତଳେ ଅନୁଭବ କରୁଛି ସିଏ ବ୍ୟଥାର ଗୋଟିଏ ସୂକ୍ଷ୍ମ ଅନୁଭୂତି । ସଜଳ ହୋଇଉଠୁଛି ତାର ଦୁଇ ଆଖିଡ଼ୋଳା । ଧୀରେ ଧୀରେ ପାହାଚ ଉଠୁଛି ସିଏ । ଦୁଇ ପାଦରେ ତାର କାହିଁ କେତେ ଦିନର କ୍ଳାନ୍ତି । ବଡ଼ ଗୋଟାଏ ଅଧିକାରରୁ ଗତ ରାତିରେ ସେ ବଞ୍ଚିତ ହୋଇଛି । ଆଜି ପୁଣି ରୋଷେଇଘରୁ ବିଦାୟନେଇ ଆସି ସେ ହୋଇଗଲା ସବୁରି ପାଖରେ ଅଲୋଡ଼ା ଗୋଟିଏ ମଣିଷ । ଆଜି ଭୋର ପରି ହୁଏତ କାଲି ଭୋରରେ ଆଉ ଲେଉଟି ଆସିବନି ତାର ସ୍ୱାମୀ ତମାଳ । ସେ ନିଃସଙ୍ଗ ଚକୋରୀ ପରି ଠିଆହେବ ଆସି ରାତିର ଆକାଶ ତଳେ; ଦିନ କଟିବ ଶୋଇ ବସି, ଆଉ ବହିପଢ଼ି । କହିବାର କିଛି ନାହିଁ । ମାଧବୀ କଣ ଯେ ସିଏ ! ମାଧବୀ ହେଲା ଏ ଘରର ରୂପବତୀ, ଗୁଣବତୀ ଆଦରର ବଧୂ । ତେରଟି ବର୍ଷକରି ତମାଳ ପାଖରେ ରାତି କଟାଇ ଆସିଛି ସୁଚରିତା । ତାରି ଦେହର ସ୍ପର୍ଶ ସୁଚରିତାର ଆଖିର ନିଦ । ସେଇ ଦେହଟା ନେଇ ଧୀରେ ଧୀରେ ଦୂରେଇ ଯିବ ତମାଳ । ହରିନେଇଯିବ ତା ଆଖିର ନିଦ । କାଢ଼ିନେଇଯିବ ତା ମନର ସକଳ ଶାନ୍ତି, ସକଳ ନିଶ୍ଚିନ୍ତତା !

 

ହାହାକାର କରିଉଠିଲା ସୁଚରିତାର ପ୍ରାଣ । ଦୁଇ ଆଖିରୁ ବହିଆସିଲା ଅଶ୍ରୁର ବହଳିଆ ଧାରା । ପାହାଚର ଶେଷ ମୁଣ୍ଡରେ ପାଦ ଦେଇ ସଚେତନ ହୋଇପଡ଼ିଲା ସୁଚରିତା; ଚଞ୍ଚଳ ହାତରେ ପୋଛିଦେଲା ଆଖିର ଲୁହ । ଭିତରର ପ୍ରବଳ ଇଚ୍ଛାଶକ୍ତିରେ ସତେଜ ସହଜ କରିନେଲା ନିଜର ଚାଲିଚଳନ । ଓଠକୋଣରେ ଉକୁଟାଇଦେଲା କ୍ଷୀଣ ଏକ ହାସ୍ୟରେଖା । ବାରଣ୍ଡାରେ ବସି ଖିଅର ହେଉଛି ତମାଳ । ସହଜ ସ୍ୱଚ୍ଛନ୍ଦ୍ୟ ଗଳାରେ ସୁଚରିତା କହିଲା–କଣ, ଏତେ ବେଳଯାଏ ଗାଧୋଇନ ? ଚା, ଜଳଖିଆ କଥା ତ ଛାଡ଼, ଭାତବି ଖାଇବନି ନା କଣ ? ମନେହେଉଛି କିଛି ଖୁସିର ଲଡ଼ୁ ଖାଇ ପେଟପୂରିଯାଇଛି ନା କଣ ?

 

ହୁଏତ ସାମାନ୍ୟ ଟିକିଏ ପରିହାସ—ଅଥଚ କି ଏକା ଲଜ୍ଜାରେ ଲାଲ ହୋଇଗଲା ତମାଳର ମୁହଁଟା । ମଥା ନୁଆଇଁ ନେଉ ନେଉ କହିଲା—ନା, ହେଇ ଉଠିଲି ଯେ—ଆଜି ପୁଣି ମୋର ଅନେକ କାମ ।

 

ପାଖ ଚେୟାରରେ ବସିପଡ଼ି ସୁଚରିତା ହସିଉଠିଲା ଖୁବ୍‌ ଶବ୍‌ଦ କରି । କହିଲା—ଦେଖ, ମନଦେଇ କାମ କରିବ । ଦିନର ଆଲୁଅରେ ବସି ବସି ଯଦି ରାତିର ସ୍ୱପ୍ନ ଦେଖ, ତେବେ ସବୁ ବିଗିଡ଼ିଯିବଟି–ନାଁ ଖରାପ ହୋଇଯିବ ।

 

ପୁଣି ରକ୍ତ ଉକୁଟିଉଠିଲା ତମାଳର ସାରା ମୁହଁରେ । ତମାଳର ସେଇ ମୁହଁକୁ ଚାହିଁ ବିଷାକ୍ତ ହସିଲା ସୁଚରିତା । କହିଲା–ଜାଣିଚ, ଆଜି ଖୁବ୍‌ ସୁନ୍ଦର ଦିଶୁଚ ତୁମେ । ଦିଶୁଚ ତେରବର୍ଷ ତଳର ଗୋଟିଏ ହଜିଗଲା ମଧୁଶଯ୍ୟା-ରାତ୍ରିର ମୋହମୟ ନାୟକ ପରି । ଓଢ଼ଣା ଫାଙ୍କରେ ମୁଁ ସେଦିନ ଦେଖିଥିଲି ତୁମର ଭାବଭଙ୍ଗୀ, ଚାଲିଚଳନରେ ଆଜିକାର ଏଇ ଉନ୍ମାଦନା । ତୁମକୁ ଦେଖି ସେଦିନ ଦୁଇଆଖିରେ ମୋର ଓହ୍ଲାଇ ଆସିଥିଲା ସ୍ୱର୍ଗୀୟ ସ୍ୱପ୍ନ । ବିଭୋର ହୋଇଯାଇଥିଲି ମୁଁ ।

 

ଘର ଭିତରକୁ ପାଦ ବଢ଼ାଉ ବଢ଼ାଉ ଫେରିପଡ଼ିଥିଲା ତମାଳ । ସ୍ଥିର ଆଖିମେଲି ଚାହିଁ ଦେଖିଥିଲା ସୁଚରିତାର ହିଂସା–ନୀଳ ମୁହଁକୁ । ବିସ୍ମୟରେ ପଥରପାଲଟିଗଲା ତାର ସାରା ସତ୍ତା । ଏଡ଼େ ହୀନ, ଏଡ଼େ ଈର୍ଷାପରାୟଣ କାହିଁକି ଏ ନାରୀଜାତି ! ମାଧବୀ । ମାଧବୀ ବି କଣ ଈର୍ଷା କରିଛି ଏଇ ତିନିବର୍ଷ ଧରି ସୁଚରିତାକୁ ! ହେଲେ—ତାର ଭାବଭଙ୍ଗୀ, ଚାଲିଚଳନ, କଥାବାର୍ତ୍ତା କାହିଁରେ ତ ପ୍ରକାଶ ପାଇନି ହିଂସାର ଭାବଟା ? ତେବେ ପ୍ରଚଣ୍ଡ ଅଭିମାନିନୀ ସିଏ । ଭଲ ତ–ସେଇ ତ ନାରୀର ଭୂଷଣ । ସେଇଥିରେହିଁ ତ ଦିନେ ନାରୀ ଜୟକରେ ପୁରୁଷର ଦେହ ଓ ମନକୁ । ଆଉ ରାଗ, କ୍ରୋଧ, ହିଂସା ଇଏତ ପ୍ରତି ନାରୀ ଜୀବନରେ ଆଣିଦିଏ ଦାରୁଣ ବ୍ୟର୍ଥତା । ଯେବେ କଲେଜପଢ଼ୁଆ ଝିଅ ସୁଚରିତା କଣ ତେବେ ଶିଖିଛି ପାଠ ପଢ଼ି ? ଇସ୍‌, କି ଅସୁନ୍ଦର ଦିଶୁଚି ସୁଚରିତାର ହିଂସୁକ ରୂପଟା । ଗୋଟିଏ ବ୍ୟର୍ଥ ଜୀବନର ଭାଗ୍ୟ–ସୂର୍ଯ୍ୟ ଢଳିଗଲାଣି ଆସି ପଶ୍ଚିମ ଆକାଶପଟେ । କିଛି ପାଇନି ସିଏ । ପାଇନି ବୋଲି କଲାନି ଦିନେହେଲେ ଅଭିଯୋଗ । କେହି ଦୂରେଇଦେବା ଆଗରୁ ନିଜେ ସିଏ ଦୂରେଇଗଲା । ସବୁ ଜାଣେ ସୁଚରିତା । କେତେ ଦିନ ନିଜ ମୁହଁରେ ତାକୁ ମୁଁ କହିଛି ଦୁଃଖିନୀ ମାଧବୀର କେତେ କରୁଣ କଥା; ଅଥଚ ସେଇ ମାଧବୀକୁ ହିଂସା କରୁଛି ସୁଚରିତା । ମାଧବୀ ଲାଗି ମନରେ ତାର ମାୟା ଜାଗୁନି ! ତିନିବର୍ଷ ଧରି ମାଧବୀ ସେବାକରିଆସୁଛି ସୁଚରିତାର ପିଲାମାନଙ୍କର..... ସେ କେଉଁ ମନ ନେଇ ?

 

ଘୃଣାରେ ବିବର୍ଣ୍ଣ ହୋଇଗଲା ତମାଳର ମୁହଁଟା । ସ୍ୱାମୀର ସ୍ଥିର ନୀରବ ଚାହାଣି ପାଖରେ ଘାବରେଇ ଯାଉଥିଲା ସୁଚରିତା । ହେଲେ—ଶେଷରେ ସ୍ୱାମୀ ମୁହଁରେ ଘୃଣାର ଛାୟା ଦେଖି ଭୀଷଣ ଅପମାନ ବୋଧକଲା ସିଏ । ଧୀରେ ଧୀରେ ମଥାଟା ତାର ନଇଁଗଲା ତଳକୁ । ତା ଉପରେ ଗୋଟାଏ ବିହଙ୍ଗ–ଦୃଷ୍ଟି ପକାଇ ଘରଭିତରକୁ ଚାଲିଗଲା ତମାଳ ।

 

ପରାଜୟର ଗ୍ଳାନିରେ ସ୍ତବ୍‌ଧ ହୋଇଗଲା ସୁଚରିତାର ଦେହ ମନ; ମଥାପୋତି ବହୁ ସମୟ ଲାଗି ସିଏ ଠିଆହୋଇରହିଲା ସେଇ ବାରଣ୍ଡାରେ । ଗାଧୋଇପାଧୋଇ ପୋଷାକପତ୍ର ପିନ୍ଧିଲା ତମାଳ । ବାହାରକୁ ଆସି ସୁଚରିତାର ହାତଧରି ଟାଣି ଟାଣି ନେଇଗଲା ତଳକୁ, ଦିହେଁ ପଶିଲେ ଡାଇନିଂ ହଲରେ । ଗୋଟାଏ ଚେୟାରରେ ସୁଚରିତାକୁ ବସାଇଦେଇ ତମାଳ ସହଜ କଣ୍ଠରେ କହିଲା—ବସ ଏଇଠି, ମୁଁ ଖାଏ ।

 

ସୁଚରିତା ଅଦ୍‌ଭୁତ ହସି କହିଲା—କଣ, ଏଥରଠୁ ତା’ ହେଲେ ମୁଁ ହେବି ତୁମର ଦିନର ସଙ୍ଗିନୀ ?

 

ଭାତଥାଳି ନେଇ ଘରେ ପାଦଦେଲା ଚାନ୍ଦ । ସବୁକିଛି ସଜାଡ଼ିଦେଲା ଟେବୁଲ ଉପରେ-। ସ୍ୱର ନୁଆଁଇ ତମାଳ କହିଲା—ଯାହା କହୁଥିଲ, ହେଲେ ବା ସେଇୟା ଆଜିଠୁ । ସଙ୍ଗିନୀ ତ । ଦିନର ସଙ୍ଗିନୀର କଣ ମୂଲ୍ୟ ନାହିଁ ?

 

ତମାଳର ଏଇ କଥାରେ ମନ ଭରିଲାନି କି ମନ ମାନିଲାନି ସୁଚରିତାର । ଓଲଟି ସାରା ସାରା ମନରେ ବିଦ୍ରୋହ ଭରି ବସିରହିଲା ସିଏ ନୀରବରେ । ଖାଇବାରେ ମନଦେଲା ତମାଳ । ତା ପରେ ଚାଲିଗଲା ସେ କଚେରିକୁ ।

 

ମାଧବୀ ହାତର ତରକାରିକୁ ଭାରି ସୁଖପାଏ ସୁଚରିତା; ଆଜି କିନ୍ତୁ କିଛି ସିଏ ଖାଇପାରିଲାନି । ବାର ବାର ତାର ଆଖି ଫାଟି ଲୁହ ଜମିଆସିଲା । ଶାଶୁ ଆଉ ଦୁଇ ବୋହୂ, ସବୁଦିନ ପରି ଆଜିବି ସାଙ୍ଗହୋଇ ସେମାନେ ଖାଇ ବସିଛନ୍ତି । ଭାତ ତରକାରି କିଛି ସରୁନି ସୁଚରିତା ଥାଳିରୁ । ସେଇ ଥାଳିରେ ଆଖିପଡ଼ିଲା ଚାରୁଲତାଙ୍କର । ରିତା ମଥାରେ ହାତ ବୁଲାଇ ଦେଉ ଦେଉ ସସ୍ନେହ କଣ୍ଠରେ ଚାରୁଲତା କହିଲେ–କଣରେ ମା, ଖାଉନୁ କିଆଁ ? ଭଲ ହୋଇଛି ତ ତରକାରି ସବୁ । ତେବେ ?

 

ଚାରୁଲତାଙ୍କର ମମତାଭରା ସ୍ପର୍ଶ । ଯେଉଁ ସ୍ପର୍ଶରେ ଶତଖଣ୍ଡ ହୋଇ ଫାଟିଗଲା ସୁଚରିତାର ଛାତି । ଝରଝର କରି କାନ୍ଦିପକାଇଲା । ନାଇଁ ବୋଉ । ମୋର ଭାରି ପେଟ ଟାଣୁଛି । କହି ହାତଟେକି ବସିରହିଲା ସିଏ ।

 

ସୁଚରିତାର ମୁହଁକୁ ଗଭୀର ଦୃଷ୍ଟିରେ ଚାହିଁଲା ମାଧବୀ । ବୁଝିବାକୁ ଚେଷ୍ଟାକଲା ତାର ମନଗହନର କଥା । କଣ ବୁଝିଲା ସିଏ କେଜାଣି, ଧୀରେ ନୁଆଇଁନେଲା ନିଜର ଆଖି ଦୁଇଟି ।

 

ଠିକ୍‌ ସାଢ଼େ ପାଞ୍ଚଟାରେ ଫେରିଆସିଲା ତମାଳ । ଲୁଗାପଟା ପାଲଟି ଖାଇବସିଲା । ମାଧବୀ ହାତତିଆରି ଚା ଜଳଖିଆ । ସବୁଦିନ ପରି ସାଥିରେ ଖୁଆଇଲା ସୁଚରିତା । ଗମ୍ଭୀର ହୋଇ ତମାଳ ସାଥିରେ ଖାଇଲା ସୁଚରିତା; ହେଲେ ଆଦୌ ମୁହଁ ଉପରୁ ତାର ଘୁଞ୍ଚୁନି ଗାମ୍ଭୀର୍ଯ୍ୟର ବହଳିଆ ପରଦାଟା ।

 

ତାର ସେଇ ମୁହଁ ଦେଖି ତିକ୍ତହୋଇଉଠିଲା ତମାଳର ମନ । ଖାଇପିଇ ସାରିଲା ପରେ ରହି ରହି କହିଲା— ‘‘ତମେ ମୁଁ ଯେ ଏତିକିବେଳେ ଏକାଠି ଖାଉ, ଏକଥା ଜାଣେ ମାଧବୀ । ତେଣୁ ଦେଖ, ସେ ଆଜି ବି ପଠାଇଦେଇଛି ଦୁଇଜଣଙ୍କ ପାଇଁ ଜଳଖିଆ । ଆଉ ତମେ....’’

 

ନାହି ପାଖରୁ କୋହ ଉଠିଆସିଲା ସୁଚରିତା । ତଳ ଓଠକୁ ଦାନ୍ତରେ ଚାପି ସେଇ କୋହକୁ ଚାପୁ ଚାପୁ କହିଲା–ଓଃ, ପ୍ରଶଂସାରେ ତ ଏକେବାରେ ପଞ୍ଚମୁଖ । ହେଲେ କୋଉ ଦିନଠୁ ମ ? ତା ଲାଗି ଯଦି ଏତେ ଦରଦ ଛାତିତଳେ ତୁମର ଗୁମୁରି ମରୁଥିଲା ତେବେ କାହିଁକି ଯାଇଥିଲ ମୋ ହାତ ଧରିବାକୁ ?

 

ଉଃ, କାହିଁରେ ବି ଶାନ୍ତ ହେବନି ଆଉ ସୁଚରିତାର ମନ । ଇଏ ତାର ମୋ ପ୍ରତି ଲୋଭ, ନା ମାଧବୀ ପ୍ରତି ହିଂସା ? କଳା ଟୋପା ଆଜି ପିନ୍ଧିନି ସୁଚରିତା । ସଜାଇନି ନିଜକୁ । ସେସବୁ ତାର ସବୁ ଦିନର ଅଭ୍ୟାସ, ଅଥଚ......

 

ସାରା ମୁହଁରେ ତମାଳର ବିଛାଇହୋଇଗଲା ଗୋଟାଏ ବିକ୍ଷୁବ୍‌ଧଭାବ । ତମାଳର ନୀରବତାରେ ଅସ୍ଫୁଟ ସ୍ୱରରେ କ୍ରୋଧରେ କହିଲା ସୁଚରିତା—କୁହ, କହୁନ କାହିଁକି—କାହିଁକି ଆଣିଥିଲ ମତେ ??

 

ଦପ୍‌କରି ଜଳିଉଠିଲା ତମାଳର ଆଖିତାରା ଦୁଇଟି । କହିଲା—ସେ.... ସେ ମୋର ଦୁର୍ଭାଗ୍ୟ ସୁଚରିତା !

 

କଥା ସାରି ଚଞ୍ଚଳ ପାଦରେ ତମାଳ ଉଠିଗଲା ତେତାଲାର ଛାତ ଉପରକୁ । ନିର୍ବାକ୍‌ ଆଖିମେଲି ସୁଚରିତା ଚାହିଁରହିଲା ତାରି ଗତିପଥକୁ ।

 

ସତରେ, ତେତାଲା ଉପରକୁ ଯାଇ ହାଲୁକା ବୋଧକଲା ତମାଳ । ବୁକୁଭରି ନେଲା ଲମ୍ୱା ଗୋଟେ ନିଃଶ୍ୱାସ । ପୂର୍ବ ଗଗନରେ ଉଜଳିଉଠିଛି ପ୍ରଥମ ତାରା—ସନ୍ଧ୍ୟାରାଣୀର ଲଲାଟର ବିନ୍ଦୁ । ପଶ୍ଚିମ ଆକାଶରେ ଏବେ ବି ଦିନର ଅସ୍ପଷ୍ଟ ଛାୟା । ଗୋଧୂଳିର ସର୍ବଶେଷ ଏଇ ଲଗ୍ନ । ଚାରିଆଡ଼େ ଆଖି ବୁଲାଉ ବୁଲାଉ ଦୃଷ୍ଟି ତାର ସ୍ଥିର ହୋଇଗଲା ସନ୍ଧ୍ୟାତାରା ଉପରେ । ଝଲ୍‌ମଲ୍‌ ଦିଶୁଛି ତାରାଟି । ଦିଶୁଛି ମାଧବୀ ନାକରେ ଥିବା ହୀରାଫୁଲଟା ପରି । ଏଇ କଥା ସଙ୍ଗେ ସଙ୍ଗେ ମନେପଡ଼ିଗଲା ମାଧବୀର ସାରା ମୁହଁଟି । ଲାଲ ଟକଟକ ହସିଲା ମୁହଁ ମାଧବୀର । ଆଃ, ଏକା କଣ ବ୍ୟର୍ଥ ହୋଇଛି ମାଧବୀ ! ତମାଳ ବି କଣ ବ୍ୟର୍ଥ ହୋଇନି ତାରି ସାଥିରେ । ଭୀରୁ କିଶୋରୀ ମାଧବୀକୁ ବୁଝିପାରିଲାନି ବୋଲି ତ ମନଟା ତାର ବିଷେଇଗଲା ସେଇ ପହିଲୁ ଦିନରୁ । ଭୁଲ କରିଗଲା ଗୋଟାଏ ପରେ ଗୋଟାଏ । ଆଉ ସେଇ ତାର ଭୁଲର ମାସୁଲ ଗଣିଲା ସର୍ବଂସହା ମାଧବୀ । ତା’ପରେ, ତା’ପରେ ବି ଯେତେବେଳେ ଏ ପୁରକୁ ଲେଉଟି ଆସିଲା ମାଧବୀ, ସେତେବେଳେ ବି ଯଦି ଅକାରଣ ଲଜ୍ଜାରେ ଝାଉଁଳିନଯାଇ କାଲିକାପରି ଜୋର୍‌କରି ଛାତିରେ ଜାବୁଡ଼ି ଧରିଥାଆନ୍ତା ମାଧବୀକୁ, ତେବେ କଣ ଦୂରେଇ ଯାଇପାରିଥାଆନ୍ତା ମାଧବୀ ? ପାରନ୍ତାନି । ଗଲା, ବ୍ୟର୍ଥ ହୋଇଗଲା ଗୋଟିଏ ବର୍ଷ । ତା’ପରେ ଆଉ ଦୁଇଟି ବର୍ଷ । ପରାଗ ଭାବିଥିଲା, ଏଇ ଘରେ ଯେତେବେଳେ ମାଧବୀ ଭାଉଜ ଅଛି ଭାଇନାଙ୍କ ପାଖରେ, ସେତେବେଳେ ସେଇ ଭାଉଜ ହାତଦେଇ ସୁଯୋଗଟା ନେବ ସିଏ ଏଇ ପରିସ୍ଥିତିରେ । ପ୍ରଥମେ ଶୁଭେନ୍ଦୁର ରାଣ ପକାଇ ନିର୍ବାକ୍‌ କରିଦେଲା ମାଧବୀକୁ । ମାଧବୀ ବି ଲଜ୍ଜା ବୋଧକଲା ସ୍ୱାମୀ ସାଥିରେ ତାର କୌଣସି ସମ୍ପର୍କ ନାହିଁ ଏଇ କଥାଟା ଜଣାଇବାକୁ । ହଁ, ଶେଷରେ ବାଧ୍ୟହେଲା ପରପିଲାର ମା’ ହେବାକୁ । କଲେଜରେ ପଢ଼ିଲା କରବୀ, ଏ ଘରର ପ୍ରଥମ ଝିଅ ପାଦଦେଲା କଲେଜରେ । ମୁଣ୍ଡ କିଣିଲା ବାପ ମା’ ବଂଶ ଗୋଟାକ ଯାକର । ଆଜି ପିକ୍‌ନିକ୍‌, କାଲି ଡ୍ରାମା, ପରଦିନ ଆଉ କିଛି ଫାଙ୍କସନ୍‌ । କାଲି ଯିବା ନରାଜ, ଏଠି ସେଠି ଦିନପରେ ଦିନ ରାତି ପରେ ରାତି ବେପରଓ୍ୟା ଫ୍ରେଣ୍ଡମାନଙ୍କ ସାଥିରେ ଘୂରିବୁଲିଲା କରବୀ । ଫଳରେ ଯାହା ହେବାର ହେଲା । ମା’ ହେବାକୁ ଗଲା କରବୀ । ଭୋରରୁ ଦିନେ ପଶିଲା ବାଡ଼ି ପଛପଟ ବଗିଚାରେ । ଚାହୁଁଥିଲା ଗୋଟାଏ ମୋଟା ଆମ୍ୱ ଗଛକୁ । ତାର ଦୁଇ ଗଣ୍ଡ ବାହି ଝରିଯାଉଥିଲା ଅଶ୍ରୁର ଶ୍ରାବଣଧାରା । ନିତିଦିନର ଅଭ୍ୟାସ ନେଇ ଦୋତାଲାରେ ପଦଚାରଣ କରୁଥିଲା ପରାଗ । ଆଖିରେ ପଡ଼ିଲା ତାର ଅଶ୍ରୁମୁଖୀ କରବୀ, ଅବାକ୍‌ ବିସ୍ମୟରେ ଛାତର କାର୍ନିଶ କୋଣରୁ ଚାହିଁରହିଥିଲା ସିଏ କରବୀର ମୁହଁକୁ । ହଠାତ୍‌ ଆଖି ଦୁଇଟା ଖୋସି ହୋଇଗଲା ତାର । ଗଛ ଉପରେ ଚଢ଼ି ଗୋଟାଏ ଶାଢ଼ି ବାନ୍ଧୁଛି କରବୀ । ତଳକୁ ଧାଇଁଗଲା ପରାଗ । ବେକରେ ଫାଶ ଗଳାଇ ଦେବାକୁ ଯାଉଥିଲା କରବୀ । ଖୁବ୍‌ ଶୀଘ୍ର ଗଛ ଉପରେ ଉଠି କରବୀକୁ ଧରିପକାଇଲା ପରାଗ, ଠାଏ ଠାଏ କରି କଷିଦେଲା ତାର ଦୁଇ ଗାଲରେ ଦୁଇ ଚାପୁଡ଼ା-। ଧରି ଧରି ତାକୁ ନେଇ ଆସିଲା ତଳକୁ । ମୁହୂର୍ତ୍ତକେ କରବୀର ସଂଜ୍ଞାଶୂନ୍ୟ ଦେହ ଲୋଟିପଡ଼ିଲା ପରାଗର କାନ୍ଧ ଉପରେ ।

 

ଏତେ କଥା କଣ ଜାଣିପାରନ୍ତା କେଉଁ ଦିନହେଲେ ତମାଳ ! ନା, ଯଦି ସେଦିନ ପରାଗକୁ ଜୋରକରି ଡାକିଆଣି ପଚାରି ନଥାଆନ୍ତା.....ହଁ, ସେଦିନ କ୍ଷିପ୍ତ ପ୍ରାୟ ତମାଳ ହରାଇଥିଲା ସକଳ ଧୈର୍ଯ୍ୟ । କେବେ ଯାଇ, ବୋଉ ମରିବ ନା ଏ ଘରୁ ଯିବ ମାଧବୀ । କେବେ, କେବେ ଘଟିବ ସେ ସବୁ ଘଟଣା !! କେତେ ଦିନ ଲାଗିବ ଆଉ । ସେ ପର୍ଯ୍ୟନ୍ତ କଣ ସେ ସହିଯିବ ମାଧବୀର ଏଇ ଛାତିଫୁଲା ଚାଲିକୁ । ନା ନା ନା—ଝିଅଟା ଦିଶୁଛି ତା ପରି ଅଥବା ପରାଗ ପରି । କେମିତି ଦିଶିଲା ସିଏ ଏ ଘରର ମଣିଷ ପରି ? ତେବେ, ତେବେ କଣ ପ–ପ–ପରାଗ..... ! ନିଜକୁ ସମ୍ଭାଳି ପାରିଲାନି ତମାଳ । ଚାନ୍ଦ ହାତରେ ସେଦିନ ଡାକିପଠାଇଲା ପରାଗକୁ । ଶକ୍ତ ହାତରେ ତାର ଦୁଇ କାନ୍ଧକୁ ଝାଙ୍କି ଦେଇ ବିଷଗୋଳା କଣ୍ଠରେ ପଚାରିଲା—ଜାଣେ ମୁଁ, ଭଲକରି ଜାଣେ ଯେ ମାଧବୀର ଝିଅ କାହାର; ଜାଣୁ ଏକା, ମାତ୍ର ଦୁଇ । ଏଇ ବର୍ଷକ ଭିତରେ କୌଣସି ସମ୍ପର୍କ ନାହିଁ ମୋର ତୋ ମାଧବୀ ଭାଉଜ ସାଥିରେ । ଅତଏବ ଝିଅ ତ ମୋର ନୁହେଁ । ତେବେ କହ, କହ କାହାର ସେଇ ଝିଅ । ଆଉ କାହିଁକି ସେ ଝିଅ ଦିଶୁଛି ତୋ ଅଥବା ମୋ ପରି ? କହ—ତୁଇ କହିବୁ ସବୁ କଥା ।

 

ନିର୍ବାକ୍‌ ବିସ୍ମୟରେ ଫାଟିପଡ଼ୁଥିଲା ପରାଗର ଆଖି ମଣିଦୁଇଟା । କ୍ରୁଦ୍ଧ ତମାଳ କିନ୍ତୁ କହ କହ ବୋଲି ଝାଙ୍କିଲାଗିଛି ତାର ଦୁଇ କାନ୍ଧକୁ ।

 

ଅନେକ ସମୟ ପରେ....ଧୀରେ ଧୀରେ ବିମୂଢ଼ ଭାବଟା କଟିଗଲା ପରାଗର ସାରା ମନରୁ । ଶୁଖିଲା ଓଠରେ ଜିଭ ବୁଲାଇ ନେଇ ଚାହିଁଲା ଅନ୍ୟ ଆଡ଼େ । ଧୀରେ କାନ୍ଧରୁ ଖସାଇଦେଲା ତମାଳର ହାତଟା । ଶେଷରେ ରହି ରହି କହିଲା–ଆପଣମାନଙ୍କର ଜୀବନରହସ୍ୟ ମୋର ଜାଣିବାର କଥା ନୁହେଁ; ତେଣୁ ମୁଁ ଜାଣିପାରିନି କିଛି । ହେଲେ ଭାଉଜ, ସିଏ କଣ ପାରନ୍ତେ ନାହିଁକରିଦେଇ ନିଜକୁ ଛୋଟ କରିବାକୁ ? ତେଣୁ ହେଉ ପଛେ କଳଙ୍କର ବୋଝ, ତଥାପି ଛାତିରେ ସାହସ ସଞ୍ଚୟକରି ସେ ହିଁ ଦେଖାଇଦେଲେ ନିଜର ମଥାଟି, ବରିନେଲେ ସବୁ ଅପମାନ । କିନ୍ତୁ ଉଃ.... ! କେତେ ବଡ଼ ଯେ ଭୁଲ କଲେ ସିଏ ! ହେଲେ ମୁଁ ତ ତାଙ୍କରି ଛଡ଼ା ଅନ୍ୟ ଆଶ୍ରୟ ସେତେବେଳେ ଖୋଜି ପାଇନି ଆଉ । ତଥାପି ‘ନା ନା’ କରି ପ୍ରଥମେ ପଳାଇ ଆସିଥିଲେ ଭାଉଜ । ସେଦିନ ବୁଝିପାରିନଥିଲି ତାଙ୍କର ସେଇ ଅମତର କାରଣ । ରାଣ ପକାଇ ଦେଇଥିଲି ଶୁଭଭାଇଙ୍କର ତୁମର । ନିର୍ବାକ୍‌ହୋଇ ଶେଷରେ ମୋରି କଥାକୁ ସେଦିନ ମାନିନେଇ ଚୌଧୁରୀ ପରିବାରକୁ ବଞ୍ଚାଇ ଦେଇଥିଲେ । କଳଙ୍କର ବନ୍ୟାରୁ ଆଜି ବି ତାଙ୍କରି ଦୟାଲାଗି ଚୌଧୁରୀ ଘରର ସମ୍ମାନ ବଞ୍ଚିରହିଛି ସମାଜର ଉଚ୍ଚ ଶିଖରରେ ।

 

ଏଇ କଥାଟା ତ କାହାରି ଜାଣିପାରିବାର ନୁହେଁ—ତେଣୁ କି ଦର୍କାର କାହାକୁ କହି ? ତେଣୁ ଦୁନିଆର ରାଣ ପକାଇ ଦେଇ ପାଟି ବୁଜିଦେଲି ଭାଉଜଙ୍କର । କିନ୍ତୁ ମୁଁ ତ ଜାଣେନି ଏତେ କଥା । ନିଭୃତରେ କରବୀକୁ ସାନ୍ତ୍ୱନା ଦେଇ ବୁଝାଇ ଦେଇଥିଲି ଯେ ସବୁ ମୁଁ ସମ୍ଭାଳିନେବି, କହିଥିଲି ଖାଲି ସେଇ ମାଧବୀ ଭାଉଜଙ୍କ ଭରସାରେ । ଭୀତ, ବିହ୍ୱଳ ଭାଉଜ ଭୟ ଓ ଭାବନାରେ ଝାଉଁଳିଗଲେ । ବଡ଼ମା’ ଘରକୁ ଦେଖିବାକୁ ଡାକିଲେ ମତେ । ମହା ସୁଯୋଗ ମିଳିଲା । ଏକାଥରକେ ଘୋଷଣା କରିଦେଲି ଭାଉଜଙ୍କର ମା’ ହେବା କଥା । ଖୁଡ଼ୀ ବି ସେଇଦିନ ଡାକିଲେ କରବୀକୁ ଦେଖିବା ପାଇଁ । ତାଙ୍କୁ ଦେଖି ହାଡ଼ ଜଳିଲା ମୋର । କହିଦେଲି ସତକଥା । କାନ୍ଦି ଉଠିଲେ ସିଏ । କଣ କରିବିରେ–କହି ଆକୁଳ ହେଲେ । ଶେଷରେ ମୁଇଁ ବତାଇଲି ସମାଧାନର ରାସ୍ତା । ପ୍ରଚାରକଲି ଟିଉମର୍‌ ହୋଇଛି କରବୀର । ଶେଷରେ ଦୁହିଁଙ୍କୁ ନେଇ ଚାଲିଗଲି ଭିଲାଇ । ଆପଣ ବୋଧହୁଏ କେବେ ଲକ୍ଷ୍ୟ କରିନାହାନ୍ତି ସେଇ କରବୀର ମୁହଁଟାକୁ । ମୁହଁଟା ବି ଠିକ୍‌ ଆମ ଦୁଇ ଜଣଙ୍କପରି ।

 

ସେଦିନ କଥା ସାରି ନିଜର ବାଳକୁ ମୁଠା ମୁଠା କରିଥିଲା ପରାଗ । ଅନେକ ସମୟପରେ ରହି ରହି ପଚାରିଥିଲା—ଆଚ୍ଛା ଭାଇନା, ଗତ ଦୁଇବର୍ଷ ଧରି କଣ ଭାଉଜଙ୍କୁ ଅନେକ ସହିବାକୁ ପଡ଼ିଥିଲା ?

 

ସେତେବେଳକୁ ସର୍ବାଙ୍ଗ ଶିଥିଳ ହୋଇଯାଇଥିଲା ତମାଳର । ଦୁଇ ଆଖିରେ ଦୁନିଆର ନୈରାଶ୍ୟ ଭରି କହିଥିଲା—ତାକୁ ଭ୍ରଷ୍ଟାଚାରିଣୀ ଭାବି ଏଇ ଦୁଇବର୍ଷକାଳ ରୋଷେଇଘରେ ପୂରାଇଦେଇନୁ ଆମେ । ବୋଉକୁ ପାଣି ଖୁଆଇନୁ ତା ହାତରେ । ଦେଇନୁ ତାକୁ ଠାକୁରଘରେ ପଶିବାକୁ । ଏ ଘରର କଳଙ୍କକୁ ଡରି ବୋଉ ଏଇ ବୟସରେ–ଆଘାତ ପାଇବ ଭାବି ଡରି ଆଜିଯାଏ ଏଇନେ ଏତେ ଟିକିଏ କଥା ବି ଆମେ ପଦାକୁ କାଢ଼ିନୁ । ହେଲେ କଥାର ଶୂଳରେ ବିନ୍ଧି ବିନ୍ଧି ଶତଖଣ୍ଡ କରିଦେଇଚୁ ଆମେ ତାର ଛାତିର କଲିଜାଟାକୁ । ସବୁ ସେ ସଇତାନୀଟା ସହିଯାଉଛି ନୀରବରେ । ଚାହିଁଛି ଆମକୁ ଦୁଇଟି ହାସ୍ୟୋଜ୍ଜ୍ୱଳ ଆଖିମେଲି । ହାଡ଼ରେ ନିଆଁ ଲାଗିଛି ଆମର, ନିଆଁ ଲାଗିଛି ମନରେ । ସ୍ତବ୍‌ଧ ହୋଇଛୁ ତାର ସ୍ପର୍ଦ୍ଧା ଦେଖି । ଅଥଚ..... ଦେଖ ତ.....

 

ଏଇଠୁ ଧାଇଁଯାଇ ମାଧବୀ ଭାଉଜର ପାଦ ଦୁଇଟାକୁ ଜାବୁଡ଼ି ଧରି ଖୁବ୍‌ ଜୋର୍‌ରେ ପାଟିକରି କାନ୍ଦିଉଠିବାକୁ ପରାଗର ଭୀଷଣ ଇଚ୍ଛା ହେଉଥିଲା । କିନ୍ତୁ, ନାଃ; ଦୁନିଆର ଲଜ୍ଜା ଆସି ଗ୍ରାସକଲା ମନକୁ ତାର । କି ଛାର ଗୋଟାଏ ସିଏ, ତାରି ଅନୁରୋଧ ଲାଗି ମୁର୍ଡରେ ମୁଣ୍ଡାଇନେଲା ଭାଉଜ ଏଡ଼େ ବଡ଼ ଗୋଟାଏ କଳଙ୍କର ବୋଝକୁ ! ପାଦତଳେ ଲୋଟିଯାଇ ଟିକିଏ କାନ୍ଦିଦେଲେ କଣ ସୁଝିହୋଇଯିବ ଗୁଣ ତାର ! ନା ନା ନା ।

 

ଔଷଧ କିଣିବା ବାହାନାରେ ସେଇଦିନ ଗାଁ ଛାଡ଼ି କଟକ ପଳାଇଗଲା ପରାଗ । ଲଜ୍ଜା ତାକୁ ଦୂରେଇ ଦେଇଛି ଦୂରକୁ । ଆଉ ତମାଳ, ସେ ନିର୍ଲଜ୍ଜ ? ତେଣୁ ସେ ଧାଇଁଯାଇ ମାଧବୀଘରେ ପଶି ଲୁଚି ଠିଆହେଲା ଆଲମାରି ପଛରେ ।

 

ଭାବନା ଶେଷରେ ପୁଣି ସେଇ ସନ୍ଧ୍ୟାତାରାକୁ ଚାହିଁଲା ତମାଳ । ଅପଲକ ଆଖିରେ ଚାହିଁରହିଥିବାରୁ କେତେବେଳେ ଗୋଟିଏ ତାରା ଦୁଇଟି ହୋଇ ଭାସିଉଠିଲା ତାରି ଆଖି ଆଗରେ । ଆଉ ହଠାତ୍‌ ତାର ମନେ ହେଲା ମାଧବୀର ଦୁଇଟି କ୍ଷମାସୁନ୍ଦର ଆଖିରେ ବିରାଜୁଛି ଏଇ ତାରା ଦୁଇଟି । ଆଖିରେ ମୁଗ୍‌ଧ ଆବେଶଭରି ଚାହିଁରହିଲା ସେଇ ତାରା ଆଡ଼କୁ ।

 

୨୮

 

ଆଜି ବୁଦ୍ଧପୂର୍ଣ୍ଣିମା । ଥାଳିପଟ ପରି ମସ୍ତବଡ଼ ଚାନ୍ଦ ଉଠିବ ଆକାଶପଟରେ । ଝଲମଲ ହୋଇ ଉଠିବ ଧରିତ୍ରୀ । ଜ୍ୟୋତ୍ସ୍ନାଧୁଆ ପାଣିରେ ସ୍ନାନକରି ଧ୍ୟାନମଗ୍ନ ହେବ ରାତ୍ରିର ନିର୍ଜନତାରେ । ଭାବିବ ଅନେକ କଥା; ମନେପଡ଼ିବ ଧରିତ୍ରୀର ଛୋଟ ଛୋଟ ଗୋଟିଏ ଶିଶୁର କାହାଣୀ ଆଜିକାର ଏଇ ଦିନରେ ଜନ୍ମ ନେଇଥିଲା ତାରି କୋଳରେ । ବଡ଼ ହୋଇ ମାନବରୁ ହୋଇଥିଲା ମହାମାନବ, ଗୌତମରୁ ନାଁ ହୋଇଥିଲା ତାର ବୁଦ୍ଧ, ଯେଉଁ ନାଆଁରେ ନାମିତ ହେଲା ଆଜିକାର ପୂର୍ଣ୍ଣିମାର ଏଇ ରାତ୍ରି—ବୁଦ୍ଧପୂର୍ଣ୍ଣିମା ।

 

ବୁଦ୍ଧଙ୍କ ସମ୍ପର୍କରେ ଅନେକ ପଢ଼ିଛି ମାଧବୀ । ଭାରି ସେ ଭଲପାଏ ତାଙ୍କ କଥା ଜାଣିବାକୁ, ଶୁଣିବାକୁ, ପଢ଼ିବାକୁ । ବୁଦ୍ଧଙ୍କର ଯୌବନରେ ଯୋଗୀ ସାଜିବା, ପୁଣି ସକଳ ସୁଖ ତ୍ୟାଗକରି ଉଦାସ ହୋଇଯିବା ଏ ସବୁକିଛିରୁ ମାଧବୀ ମନରେ ତାର କେମିତି କେଜାଣି ଗୋଟାଏ ଶକ୍ତି ସଂଗ୍ରହ କରେ । କିନ୍ତୁ ଯେଉଁ ବୁଦ୍ଧପୂର୍ଣ୍ଣିମାକୁ ସେ ଏତେ ଭଲପାଏ, ଆଉ ଯେଉଁ ବୁଦ୍ଧପୂର୍ଣ୍ଣିମା ଦିନ ତା ଜୀବନର ମଧୁଶଯ୍ୟା ଦିନେ ରଚିତ ହୋଇଥିଲା, ସେଇ ପୁଣ୍ୟ ତିଥିର ତାତ୍ପର୍ଯ୍ୟ ଥିଲା ତା ଜୀବନରେ ସମ୍ପୂର୍ଣ୍ଣ ପୃଥକ୍‌ ।

 

ଅନେକ ପରେ ବର୍ତ୍ତମାନ ତାରୁଣ୍ୟର ସର୍ବଶେଷ ପାହଚରେ ପାଦ ଦେବାକୁ ଯାଉଛି ସିଏ । ଆକାଶର ନୀଳ ନିଃସୀମ ବୁକୁରେ ସ୍ଥିର ହୋଇଯାଇଛି ତାର ଅଚଞ୍ଚଳ ଶୂନ୍ୟ ଆଖିର ତାରା ଦୁଇଟି । ଭାବୁଛି—ଠିକ୍‌ ସେଇ ରାତିରେ ମୁଁ କାହିଁକି ଭୀରୁ ହୋଇଗଲି ଠାକୁର ? କିଏ ମୋ ଭିତରେ ଭରିଦେଲା ଏତେ ଭୀତି ?? ପରୋକ୍ଷରେ ତୁମେ କଣ ମତେ ଆଦେଶ ଦେଇଥିଲ ବୁଦ୍ଧଙ୍କ ପରି ସନ୍ନ୍ୟାସିନୀ ହୋଇଯିବାକୁ ? ହେଲେ, ବୁଦ୍ଧ ତ ପରିପୂର୍ଣ୍ଣ ସଂସାରଜୀବନ ପରେ ହିଁ ତ୍ୟାଗ କରିଥିଲେ ସଂସାର । ପରିପୂର୍ଣ୍ଣ ଜୀବନରୁ ହିଁ ଶକ୍ତି ସଂଗ୍ରହ କରି ପାଦ ପକାଇଥିଲେ ସନ୍ନ୍ୟାସର କଠିଣ ପଥରେ । ଆଉ ମୁଁ ! ମୁଁ ତ ଅପୂର୍ଣ୍ଣତାର ଯନ୍ତ୍ରଣାରେ ଦଗ୍‌ଧ ହେଉଥିବି ସାରା ଜୀବନ । ତୁମେଇ ତ ଛଡ଼ାଇନେଲ ମୋ ଜୀବନର ସେଇ ଗଭୀର ପୂର୍ଣ୍ଣତାକୁ, କଲ ମତେ ଭୀରୁ, କଲ ଜଡ଼ । ତେବେ ଆଉ ମୁଁ କେମିତି ହେବି ସନ୍ନ୍ୟାସିନୀ ! ତୁମେ ଲଭିଲ ବୁଦ୍ଧତ୍ୱ । ଅମର ହେଲା ଏଇ ପୂର୍ଣ୍ଣିମା-। ନାଆଁ ହେଲା ତାର ବୁଦ୍ଧପୂର୍ଣ୍ଣିମା । ଆଉ ସେଇ ପୂର୍ଣ୍ଣିମା, ସେ କିନ୍ତୁ ହରିନେଲା ମୋ ଭିତରର ସକଳ ପୂର୍ଣ୍ଣତା, ଆଣିଦେଲା ଖାଲି ଅତୃପ୍ତି ଆଉ ହତାଶା ।

 

ତଥାପି ସେଇ ରାତିଟି ପ୍ରତି ରହିଯାଇଛି ମାଧବୀର ଆଜିଯାଏ ବି ଗଭୀର ଦୁର୍ବଳତା । ପୁଣି ସିଏ ସାଦରେ ନିମନ୍ତ୍ରଣ ଜଣାଇଛି ଆଜିକାର ବୁଦ୍ଧପୂର୍ଣ୍ଣିମାର ରାତ୍ରିଟିକୁ । ଆଜି ବି ନିଜ ଜୀବନର ପଟ୍ଟପରିବର୍ତ୍ତନ ବେଳେ ସେ ଚାହିଁଲା ସେଇ ବୁଦ୍ଧପୂର୍ଣ୍ଣିମାର ଶୁଦ୍ଧପୂତ ଉପସ୍ଥିତିକୁ । ସେ ବୋଧହୁଏ ତାର ଜନ୍ମ-ଲଗ୍ନର କାମନା ।

 

ଠାକୁରଘରର ସବୁ ପୂଜାବିଧିକୁ ସମ୍ପୂର୍ଣ୍ଣ କରିସାରିବାପରେ ନିଜ ଭାବନାରେ ନିଜେ ମଗ୍ନ ହୋଇଯାଇଛି ମାଧବୀ । ନିଜର ଶୋଇଲାଘରର ଗୋଟିଏ କୋଣରେ ବସି ଗୁନ୍ଥିଚାଲିଛି ସିଏ ମାଳା ପରେ ମାଳା । ବନ୍ଦ କରିଦେଇଛି ଘରର ସବୁ ଝରକା । ପରାଗ ଫେରିଆସିଛି କଟକରୁ । ଆସୁନି ତା ପାଖକୁ । ବେଶ୍‌ ନ ଆସୁ; କେହି ଆଜି ଲୋଡ଼ା ନାହିଁ ତାର । ଏ ରାତି ତାର । ଏ ଦିନ ତାର ନିଜର ହସ ନିଜର କଥା ଆଜି ଆଉ କାହାକୁ ଦେବନି ସିଏ । ସବୁ ସେ ସାଇତି ରଖିବ ତମାଳ ପାଇଁ । ଏଇ ଗୋଟିଏ ରାତି—ମାତ୍ର ଏଇ ଗୋଟିକ—ତାପରେ ତମାଳକୁ ନେଇ ତୋଳିଦେବ ସେ ସୁଚରିତାର କାମନାବ୍ୟାକୁଳ ହାତରେ । ଦୂରେଇଯିବ ସିଏ । ନିଜକୁ ସମର୍ପଣ କରିଦେବ ରାଧାମୋହନଙ୍କ ପାଦରେ । ସୁଚରିତା ତାର ସାନଭଉଣୀ । ସେଇ ସାନଟାକୁ ସେ ବଡ଼ ହୋଇ ଦୁଃଖ ଦେବ କିପରି ?

 

ମଲ୍ଲୀମାଳ ଦେଇ ଖଟଟାକୁ ଅପରୂପ କରି ସଜାଇନେଲା ମାଧବୀ । ତା’ପରେ ବସିଲା ଯାଇ ନିଜର ଡ୍ରେସିଂ ଟେବୁଲ ପାଖରେ । ଅଦ୍‌ଭୁତ ଛନ୍ଦରେ କେଶବିନ୍ୟାସ କଲା ମାଧବୀ । ମସ୍ତବଡ଼ ଖୋଷାଟାରେ ଖୋଷିଲା ସୁନାର ତାରାଫୁଲ । ସର୍ବାଙ୍ଗ ସଜାଇଦେଲା ଅପୂର୍ବ ଅଳଙ୍କାରରେ । ତାପରେ ବାହାରି ଆସିଲା ପଦାକୁ । ସତର୍କ ଦୃଷ୍ଟିରେ ଚାହିଁଲା ଚାରିଆଡ଼କୁ । ନାଃ, କେହି ନାହିଁ । କେହି ଆସି ଉଙ୍କିମାରିବେନି ତାର ଏଇ ଶୋଇଲାଘରକୁ । ସମସ୍ତଙ୍କ ଉପରେ କଡ଼ା ହୁକୁମ ଅଛି ଆଜି ଆଉ କେହି ଆସିବେନି ଏ ପଟକୁ ।

 

ଆକାଶକୁ ଚାହିଁଲା ମାଧବୀ । ଗୋଧୂଳିର ଲଗ୍ନ ଆସିବାକୁ ଏବେବି ଅନେକ ଡେରି । ନିଜର ବି ବାକି ଅଛି ଆହୁରି ଅନେକ କାମ । ଗାଧୋଇଲାଘରକୁ ପଶିଗଲା ମାଧବୀ । ଘରଭିତରୁ ଭାସିଆସିଲା ଓଡ଼ୀକୋଲନର ମୃଦୁ ମୃଦୁ ବାସନା । ତାରି ସାଥିରେ ଗୀତର ଗୁଣୁଗୁଣୁ ଶବ୍‌ଦ ।

 

ସ୍ତମ୍ଭ ଉହାଡ଼ରେ ରହି ବିସ୍ଫାରିତ ଆଖିମେଲି ସୁଚରିତା ଦେଖିଥିଲା ରୂପବତୀ ମାଧବୀକୁ-। ଦୁଇ ଆଖିର ପତା ତାର ନଇଁଆସିଥିଲା । ମାଧବୀ କିନ୍ତୁ ଆପଣା ଭିତରେ ହିଁ ଆପେ ନିମଗ୍ନ ଅନେକ ସମୟ ପରେ ପଦାକୁ ବାହାରିଲା ମାଧବୀ । ପଶିଗଲା ପୁଣି ନିଜର ଶୋଇଲାଘରେ-। ଓଦା ଲୁଗା ପାଲଟି ଅଙ୍ଗରେ ଜଡ଼ାଇନେଲା ରକ୍ତଲାଲ ବନାରସୀ ଶାଢ଼ି । ଆଖିରେ ଦେଲା କଜ୍ଜଳର ସୂକ୍ଷ୍ମରେଖା । କପାଳରେ ସିନ୍ଦୂର ବିନ୍ଦୁ । ଚାରିପଟେ ଆଙ୍କିଦେଲା ଚନ୍ଦନର ଚାରୁଟିପା, ଖୋଷାରେ ଜଡ଼ାଇ ଦେଲା ମଲ୍ଲିର ଗହଳିଆ ଗଜରା । ନିଜକୁ ଘୂରାଇ ଘୂରାଇ ଦର୍ପଣରେ ଦେଖିଲା ମାଧବୀ-। ତାର ପ୍ରବାଳ ରଙ୍ଗର ଓଠ ଉପକୂଳରୁ ଝରଣା ହୋଇ ଝରିଆସିଲା କ୍ଷୀଣ ଏକ ହାସ୍ୟରେଖା-। ହାତରେ ଅଳତା ନେଇ ଏଥର ଗୋଟାଏ ଷ୍ଟୁଲ ଉପରେ ପାଦମୋଡ଼ି ବସିଲା ମାଧବୀ-

 

ଠିକ୍‌ ସେଇ ମୁହୂର୍ତ୍ତରେ ଦୁଆରଟାକୁ ଅଳ୍ପ ଫାଙ୍କ କରି ମୁହଁ ଗଳାଇଲା ତମାଳ । ଚମକିପଡ଼ି ମୁହଁ ଟେକିଲା ମାଧବୀ । ତମାଳକୁ ଦେଖି ଉଠିଆସିଲା ଦୁଇପାଦ । ଗଳାରେ କପଟ କ୍ରୋଧଭରି କହିଲା—ଛି ଛି, କି ଅକଥା ଏଇ କୁହ ତ ? ମଧୁଶଯ୍ୟାର ଆଗରୁ କେଉଁ ବରର କେବେ ଘଟିଛି ବଧୂଦର୍ଶନ ! କୁହ ତ ? ଯାଅ, ଭାରି ଇଏ ତମେ । ଯା, ବାହାରି ମୁହୂର୍ତ୍ତରେ ପୁଣି ଦୁଆରକୁ ଟିକିଏ ଫାଙ୍କକରି ପଛରୁ ଡାକି କହିଲା—ଏଇ, ଶୁଣ.....

 

କୁର୍ଣ୍ଣିସ୍‌ କରୁ କରୁ ଚାରିପାଦ ପାଖକୁ ଆଗେଇଆସିଲା ତମାଳ । ଗଳାରେ କୌତୁକ ଭରି କହିଲା—ଫରମାୟୀଏ ବେଗମ୍‌ ସାହେବା, ବାନ୍ଦା ହାଜର ହାଏ ।

 

ଖିଲିଖିଲିକରି ହସି ଉଠିଲା ମାଧବୀ । କହିଲା—ଉଃ—ଭାରି କଥା କହିଶିଖିଛ ନା ? ଶୁଣ, ଚାନ୍ଦକୁ ଡାକି ଟିକିଏ କୁହ ମତେ ପାଣି ଗିଲାସେ ଦେଇଯିବ ।

 

ତମାଳ ମୁଗ୍‌ଧ ହସି କହିଲା—କହିବି, ତୁମେ ଯଦି ଏଇ ଦିନର ଆଲୁଅ ଭିତରେ ଅନ୍ତତଃ ଆଉ ଦୁଇ ମିନିଟ୍‌ ଲାଗି ତୁମ ମୁହଁଟା ଦେଖିବାକୁ ଦିଅ ।

 

—ନାଃ, ଭାରି ଦୁଷ୍ଟ । ଯାଅ ପଳାଅ, ଯାଅ ।

 

କଥା ନ ସରୁଣୁ ପୁଣି ଦୁଆରଟା କିଳିଦେଲା ମାଧବୀ । ପାଦରେ ଅଳତା ଦେଉ ଦେଉ ମନେ ମନେ ହାତ କାମୁଡ଼ିଲା ସିଏ । ଇସ୍‌, କି ଭୁଲ୍‌ହେଲା । ଚାନ୍ଦ ସାଥିରେ ମିଶି ଆଗରୁ ଘରେ ଗାଲିଚାଟା ବିଛାଇନେବା ପରେ ସିନା ଘରଦ୍ୱାର ସଜାଇଲେ ହୋଇଥାଆନ୍ତା । ଆଉ ଇଏ ଗୋଟାଏ କଣ ହେଲା ? ସେ ଦିନ ବି ତ ବିଛାହୋଇଥିଲା ସେଇ ଲାଲ ଗାଲିଚାଟା—ଆଉ ଆଜି ରହିବନି ? ପାଣି ଗିଲାସକ ମାଗିବା ସେ ତ ବାହାନା । ଅସଲରେ ଚାନ୍ଦର ସାହାଯ୍ୟ ଲୋଡ଼ା । ନୋହିଲେ ଏକା କଣ ସେ ବିଛାଇପାରିବ ଏଡ଼େବଡ଼ ଗାଲିଚାଟା ! ଦୁର୍‌—ସେଇ ପୋଡ଼ାମୁହୀଁଟା ଦେଖିବ ଆସି ଏଇନେ ଏଇ ଫୁଲରେ ସଜା ହୋଇଥିବା ଖଟଟାକୁ !! ଛି ଛି ଛି.....କଣ ଭାବିବ ସିଏ-?

 

ଲଜ୍ଜାରେ ଲାଲ ପଡ଼ିଗଲା ମାଧବୀ । ନା ନା ନା, ଲୋଡ଼ାନାହିଁ ଗାଲିଚା ପାରିବା । ନା, କଦାପି ନୁହେଁ । ଏ ଘରେ ଆଜି ସେ କାହାକୁ ପୂରାଇଦେବନି ।

 

ଠିକ୍‌ ସେଇ ମୁହୂର୍ତ୍ତରେ ପୁଣି ଠୁକ୍‌ ଠୁକ୍‌ ଆରମ୍ଭହେଲା ଦୁଆରମୁହଁରେ । ଚାନ୍ଦ ଆସିଲା କି ! ଝାଳ ଜମିଆସିଲା ମାଧବୀର କପାଳରେ । ହାତ ବଢ଼ାଇ ଗ୍ଲାସଟା ନେଇଆସିବ ମାଧବୀ—ଘରେ ପୂରାଇଦେବନି ଚାନ୍ଦକୁ ।

 

ଟୁକ୍‌ କରି ଦୁଆର ଖୋଲିଦେଲା ମାଧବୀ । ହାତରେ ପାଣିଗ୍ଲାସ ନେଇ ଠିଆ ହୋଇଛି ତମାଳ । ଗୋଟାଏ ଲଜ୍ଜାକର ଦୁର୍ଭାବନାରୁ ମୁକ୍ତି ପାଇ ଉଲ୍ଲସିତ ହୋଇଉଠିଲା ମାଧବୀର ମନ । ହାତରୁ ପାଣିଗ୍ଲାସଟା ଟାଣି ଆଣି ପିଇଦେଲା ଏକାନିଃଶ୍ୱାସକେ । ଓଠରେ ତାର ଆଙ୍କିହୋଇଗଲା ଛୋଟ ଗୋଟିଏ ହସ । ତାର ସେଇ ହସକୁ ମୁଗ୍‌ଧ ଆଖିରେ ମୁହୂର୍ତ୍ତେ ଦେଖିଲା ତମାଳ ।

 

ମନ କିନ୍ତୁ ମାନୁନି ମାଧବୀର । ଗାଲିଚାଟା ଥିଲା ସେଦିନ ରାତିରେ—ଆଜି ରହିବନି ? ଶେଷରେ ଅନେକ ଝାଳ ବୁହାଇ, ଅନେକ କଷ୍ଟରେ ଗାଲିଚାଟା ପାରିଲା ମାଧବୀ ନିଜେ ।

 

ଝାଳ ଭାସିଯାଉଛି ଦେହରୁ ତାର । ଧଇଁସଇଁ ହୋଇଯାଉଛି ସିଏ । ଖୁବ୍‌ ଦୁର୍ବଳ ଲାଗୁଛି ହଠାତ୍‌ । ଆଇନା ପାଖରେ ବସିପଡ଼ିଲା ମାଧବୀ । ଝାଳରେ ଅଧାଧୁଆ ହୋଇ ନେସେଡ଼ିଯାଇଛି ତା କପାଳର ସିନ୍ଦୁର ବିନ୍ଦୁ । ମୁହଁଟାକୁ ପୋଛିନେଇ ଆଉ ଥରେ ସିନ୍ଦୂର ଚନ୍ଦନ ପିନ୍ଧିବାରେ ମନଦେଲା ସିଏ ।

 

କିନ୍ତୁ ମାଧବୀ ଆଶ୍ଚର୍ଯ୍ୟ ହୋଇ ଦେଖିଲା, ତାକୁ ଭଲଭାବରେ ଦିଶୁନି ତାର କପାଳଟା । ଯେଉଁ ସିନ୍ଦୂରଟାକୁ ଅନ୍ଦାଜରେ ସିଏ ମାଡ଼ିଦେଇଛି କପାଳରେ, ସେଇ ସିନ୍ଦୂର ଆଇନାରେ ଦିଶୁଛି ବଡ଼ ଗୋଟାଏ ଲାଲ ଛାପାପରି । ମୁଣ୍ଡଟା ପ୍ରବଳଭାବରେ ବୁଲାଇ ଦେଉଛି ମାଧବୀର । ଭୟରେ ଅସ୍ଥିର ହୋଇଉଠିଲା ମାଧବୀର ମନ । ସେଇ ମନରେ ଅନେକ ଶକ୍ତି ସଂଗ୍ରହ କରି ଖୋଲିଦେଲା ଆସି ଦୁଆରଟା । ଡାକଦେଲା—ଶୁଣୁଚ.....

 

ମାଧବୀ ବୁଝିପାରିଲାନି କେମିତି ଶୁଭିଥିଲା ତାର ସେଇ ଡାକ । ମାତ୍ର ସେ ଡାକ ଶୁଣି ଥରିଉଠିଥିଲା ତମାଳର ଦେହଟା । ଧାଇଁଆସିଥିଲା ତମାଳ । ରକ୍ତଲାଲ ଗାଲିଚା ଉପରେ ଲୋଟିପଡ଼ିଛି ମାଧବୀ । ମାଧବୀକୁ ତଳୁ ସାଉଁଟିନେଇ ଖଟରେ ଶୁଆଇଦେଇଥିଲା ତମାଳ ଓ ନିଜେ ଆଡ଼ ହୋଇ ଶୋଇପଡ଼ିଥିଲା ତାରି ପାଖରେ, ଗାଲରେ, ଗାଲ ଘଷୁ ଘଷୁ ଆକୁଳକଣ୍ଠରେ ପଚାରିଥିଲା–କଣ ହେଲା ମାଧବୀ ତୁମର, କଣ ହେଲା ?

 

ସୁଚରିତା ଆସି ଠିଆହେଲା ଦୁଆରମୁହଁରେ । ବିସ୍ମୟ ବିସ୍ଫାରିତ–ଆଖି ଦୁଇଟାକୁ ଥରେ ବୁଲାଇନେଲା ଚାରିପଟେ । ଘର ତ ନୁହେଁ, ସତେ ଅବା କଳ୍ପଲୋକର ଅମରାବତୀ, ଫୁଲର ଝାଲର ଭିତରେ ଶୋଇ ଛଟପଟ ହେଉଛି ଇନ୍ଦ୍ରାଣୀବେଶରେ ମାଧବୀ । ମାଧବୀ ଗାଲରେ ଗାଲ ଘଷୁଛି ପାଗଳ ପ୍ରାୟ ତମାଳ ।

 

ନା ଆଁ ଆଁ.... ନା ନା ନା.... କହି ତଳକୁ ଧାଇଁଗଲା ସୁଚରିତା, ମୁହୂର୍ତ୍ତକ ଭିତରେ ଡାକିଆଣିଲା ପରାଗକୁ । ଘରେ ବିଛାହୋଇଥିବା ରକ୍ତଲାଲ ଗାଲିଚା ଉପରେ ନିମିଷକ ଲାଗି ପଥର ପାଲଟି ଠିଆହୋଇଗଲା ପରାଗ । କାହାରି ଉପସ୍ଥିତିକୁ ଭ୍ରୂକ୍ଷେପ କରୁନି ତମାଳ । ଦୁଇହାତରେ ନିବିଡ଼ କରି ମାଧବୀକୁ ଜଡ଼ାଇଧରିଛି ସିଏ । ବାରବାର କଣ୍ଠରୁ ତାର ନିଃସୃତ ହେଉଛି ସେଇ ଗୋଟିଏ ଶବ୍ଦ—କଣ ହେଲା !! କଣ ହେଲା ମାଧବୀ ତୁମର—କଣ ହେଲା ?

 

‘‘ପାଣି.... ପାଣି.... ପାଣି ଟିକିଏ.....’’ ମାଧବୀର କରୁଣ ନିବେଦନ ।

 

ପରାଗର ପାଦତଳେ ଭାଙ୍ଗିପଡ଼ିଲା ସୁଚରିତା । ଦୁଇହାତରେ ଜଡ଼ାଇଧରିଲା ପରାଗର ପାଦ ଦୁଇଟି । ଆକୁଳ ସ୍ୱରରେ କହିଉଠିଲା—ତାକୁ ବଞ୍ଚାଅ ଗୋ, ତାକୁ ବଞ୍ଚାଅ । ତୁମରି ଆଲମାରିରୁ ବିଷ ବୋତଲ ଆଣି ମୁଁ ଢାକିଦେଇଛି ତା’ର ପିଇବା ପାଣି ଗ୍ଲାସରେ ।

 

ଏଁ ବିଷ.....

 

ବିଜୁଳି ଗତିରେ ପରାଗ ଧାଇଁଗଲା ତଳକୁ । ନେଇଆସିଲା ତାର ଔଷଧ ବ୍ୟାଗ୍‌ଟା ।

 

ନିଷ୍ପଲକ ଆଖିମେଲି ତମାଳ ଚାହିଁଲା ଠିଆହୋଇ ଥରୁଥିବା ସୁଚରିତାର ଭୀତ-ନୀଳ ମୁହଁକୁ । ପରାଗ ସାଥିରେ ଧାଇଁଆସିଛନ୍ତି ନିରୁପମା; ଆଉ ସୁରମା । ସମସ୍ତିଙ୍କର ଧାଁଦଉଡ଼ ଦେଖି ତରତର ହୋଇ ଉପରକୁ ଉଠିଆସିଲା ଚାନ୍ଦ । କୋଳରେ ତାର ତୃଷ୍ଣା ।

 

ମାଧବୀ ଅନେକ କଷ୍ଟରେ ଦେହ ଉଠାଇ ମଥା ରଖିଲା ତମାଳର ଛାତି ଉପରେ । ରହି ରହି ଗୋଟିଏ ଗୋଟିଏ କରି କହିଲା—ତୁ ମତେ ବିଷ ଦେଇଦେଲୁ ! ତେରବର୍ଷଧରି ଗୋଟେ ମଣିଷକୁ ଜାବୁଡ଼ି ରଖିଛୁ ତୁ—ତଥାପି ମନରେ ତୋର ଆସିଲାନି ଏତେ ଟିକିଏ ବି ଉଦାରତା ! ଗୋଟିଏ ରାତିପାଇଁ.... ମାତ୍ର ଗୋଟିଏ ରାତି ଦେଲୁନି ତୁ ତାଙ୍କୁ ମତେ..... ପାରିଲୁନି ଦେଇ ! ତାଙ୍କୁ ଭଲପାଇବାର ତୋର ଯେଉଁ ରୂପ, ସେ ରୂପ ଏଡ଼େ ଭୟଙ୍କର !

 

‘‘କଥା କୁହନି ଭାଉଜ, କଥା କୁହନି.....’’ ଅନୁନୟରେ ଭାଙ୍ଗି ପଡ଼ିଲା ପରାଗର ବ୍ୟାକୁଳ ଗଳାଟା । ଚିକିତ୍ସା ଆରମ୍ଭ କରିଥିଲା ପରାଗ । ଖଟରୁ ତଳକୁ ଓହ୍ଲାଇଆସି ତମାଳ ପଥର ଆଖିରେ ଚାହିଁଲା ସୁଚରିତାର ମୁହଁକୁ । ଦୁଇ ହାତକୁ ମୁଠାଇ ଧରି ଥରୁଛି ସୁଚରିତା । ଶୁଖିଲା କଣ୍ଠନଳୀକୁ ଢୋକଗିଳି ଭିଜାଇନେଲା ତମାଳ, କହିଲା—ମାଧବୀ ଜୀଇଁଲେ ମୁଁ ଏ ପୁରର ସମସ୍ତିଙ୍କର–ନୋହିଲେ ତୃଷ୍ଣା ଛଡ଼ା କାହାକୁ ଆଉ ଚିହ୍ନିବିନି ମୁଁ ।

 

ଏଇ ମୁହୂର୍ତ୍ତରେ ଯାହା କହିଥିଲା ତମାଳ, ପରେ ସେଇ କଥାହିଁ ପାଳିଥିଲା ସିଏ । ଶେଷଦିନ ପର୍ଯ୍ୟନ୍ତ କଟାଇଥିଲା ସେ ମାଧବୀର ଏଇ ଘରେ । ଏଇ ଆଜିଠୁ ଆଉ ଦିନକ ଲାଗି ବି ସିଏ ଚିହ୍ନିଲାନି ସୁଚରିତାକୁ; କି ଚିହ୍ନିଲାନି ପିଲାଙ୍କୁ ତାର । ମଣିଷଟିଏ ଯଦି କେତେବେଳେ ପ୍ରୟୋଜନ ହୋଇଛି, ତେବେ ଆନମନା କଣ୍ଠରୁ ତାର ବାହାରି ଆସିଛି ଗୋଟିଏ ଶବ୍ଦ—ଚାନ୍ଦ.....

 

ତମାଳ ଛାଡ଼ିଦେଇଥିଲା ଓକିଲାତି । ଖାଏ, ପିଏ, ଶୁଏ—ନୋହିଲେ ତେତଲା ଉପରକୁ ଚାଲିଯାଇ ଦେଖେ ସନ୍ଧ୍ୟାତାରାଟିକୁ । ସନ୍ଧ୍ୟାତାରା ମନରେ ଭ୍ରମ ସୃଷ୍ଟି କରେ ତାର ! ଆଖିରେ ଭାସିଉଠେ ମାଧବୀ ନାକରେ ଥିବା ହୀରାଫୁଲଟି । ତାପରେ.....ଫୁଲି ଫୁଲି କାନ୍ଦି ଉଠେ ତମାଳ ।

 

ଶେଷଦିନ ପର୍ଯ୍ୟନ୍ତ ଚାନ୍ଦ ତମାଳକୁ ଆଖିରେ ଆଖିରେ ରଖିଥିଲା । ଏଇ ଆଡ଼ବାୟା ତମାଳକୁ ଦେଖି ଭୟ ଭାବନାରେ ଅସ୍ଥିର ହୋଇଉଠିଥିଲା ସୁଚରିତା । ହେଲେ କଣ ହେବ—ତମାଳ ପାଖକୁ ଯିବାର କ୍ଷମତା ତାର ନଥିଲା । ନଥିଲା ସେଇ ଶେଷଦିନ ପର୍ଯ୍ୟନ୍ତ । ତାକୁ ଦେଖିଲେ ମୁଣ୍ଡ ଖରାପ ହୋଇଯାଉଥିଲା ତମାଳର । ଭୟଙ୍କର ହୋଇଯାଉଥିଲା ତାର ଆଖିର ଦୃଷ୍ଟି । ପାଟିକରି କହିଉଠୁଥିଲା—ଏ ଚାନ୍ଦ, ଏଇ କୁଆଡ଼େ ଗଲୁଲୋ ! ଧାଇଁଆ । ଏଇ ଡାହାଣୀଟା କୁଆଡ଼ୁ ଆସିଲାଣି ଦେଖ୍‌ । ଦେଖଲୋ ! ମତେ ଏଇନେ ବିଷ ଦେଇଦେବ, ଧାଇଁଆଲୋ !

 

କୋହ ଚାପୁ ଚାପୁ ଦୁଇ ହାତର ପାପୁଲିରେ ମୁହଁ ଢାଙ୍କି ଧାଇଁପଳାଏ ସୁଚରିତା । ପଥର ପାଲଟି ଯାଇଥିବା ଶାଶୁ....ସେ ବି ଚହଲିଉଠନ୍ତି ତାକୁ ଦେଖିଲେ । ଚାହାଁନ୍ତି ମୁହଁକୁ ତାର ଡରିଲା ଆଖି ମେଲି । ଭୟବିଜଡ଼ିତ ସ୍ୱରରେ ଡାକନ୍ତି—ଚାନ୍ଦଅ.....

 

ନାହିଁ, ନାହିଁ କେଉଁଠି ହେଲେ ସ୍ଥାନ ନାହିଁ ସୁଚରିତାର । ବାପଘରକୁ ଚିଠି ଲେଖିଥିଲା ତାକୁ ଆସି ନେଇଯିବାକୁ । ଉତ୍ତର ଆଉ ଆସିଲାନି ସେଠୁ । ପାଖ ମାଡ଼ନ୍ତିନି ପିଲାମାନେ, ମା ମୁହଁକୁ ଚାହାଁନ୍ତି ଡରିଲା ଡରିଲା ଆଖିମେଲି । ସୁଚରିତା କାନ୍ଦି କାନ୍ଦି ଲୋଟିପଡ଼େ ନିଜର ଶୋଇଲାଘର ଖଟ ଉପରେ ।

 

ଦୁଇ ଘରର ସବୁ କିଛିକୁ ସୁଚାରୁରୂପେ ସମ୍ଭାଳିନିଏ ପରାଗ । ପିଲା ତିନିଟାଙ୍କର ସବୁ ଅଳି–ଅର୍ଦଳି ସେଇ ବଡ଼ କକାଙ୍କ ପାଖରେ । କରବୀ ଯେଉଁଦିନ ଆସିଲା ତୃଷ୍ଣକୁ ନେଇଯିବାକୁ, ସେଦିନ ଆହୁରି ବେଶି ଡରିଯାଇଥିଲା ସୁଚରିତା । ମନେହୋଇଥିଲା ଏ ଘରେ ତୃଷ୍ଣା ନଥିଲେ ହୁଏତ ସମ୍ପୂର୍ଣ୍ଣ ପାଗଳ ହୋଇଯିବ ତମାଳ । ତେଣୁ ‘ନା ନା’ କରି ଉଠିଥିଲା ସିଏ । କହିଥିଲା—କାହିଁକି ତାକୁ ନେଇଯାଉଚ କରବୀ ? ତାର ଗୋଟେ ମା’ ନଥିଲେ ଆଉ ଗୋଟେ ତ ଅଛି ।

 

ଆଉ ଗୋଟେ ମା’ !! ସୁଚରିତାର ମୁହଁରେ ଛାଟିଦେଇଥିଲା ବିଦ୍ରୂପର ମୁଠା ମୁଠା ହସ-। ଝିଅକୁ ନେଇ ଚାଲିଯାଇଥିଲା କରବୀ ।

 

ଛାଡ଼ । ଅବାନ୍ତର କଥାଗୁଡ଼ାକ । ଏ ସବୁ ହେଲା ମାଧବୀ ନଥିବା ଦିନର କାହାଣୀ । କଣ ହେବ ଏ ଗୁଡ଼ାକ କହି ? କି ମୂଲ୍ୟ ଅଛି ଆଉ ଏଇ କଥାଗୁଡ଼ାକର ?

 

ଏଇ ଆଜିକା କଥା, ମାଧବୀର ଶେଷଦିନ । ବିଦାୟୀ ସୂର୍ଯ୍ୟର କ୍ଷୀଣ ଆଲୋକରେ ଏବେ ବି ଆଲୋକିତ ଧରାପୃଷ୍ଠ । ବାହାରକୁ ଚାହିଁଲା ତମାଳ । ମାଧବୀର ନିମୀଳିତ ଆଖି ଡୋଳାପରି ମ୍ଳାନ ଦିଶୁଛି ଦିନାନ୍ତର ଏଇ ଶେଷ ଆଲୋକଟିକକ । ଛାତିତଳେ ଦାରୁଣ ବ୍ୟଥା ଅନୁଭବ କଲା ସିଏ । ପୁଣି ମୁହଁ ଫେରାଇ ଚାହିଁଲା ମାଧବୀର ମୁହଁକୁ । ହଠାତ୍‌ ଚମକିଉଠି ସ୍ଥିର ହୋଇଗଲା ତମାଳର ସର୍ବାଙ୍ଗ । ଖଟରୁ ଓହ୍ଲାଇଆସି ପାଦ ପାଖରେ ତାର ଭାଙ୍ଗିପଡ଼ିଲା ପରାଗ । ସୁରମା ଆଉ ନିରୁପମା ଦୁହିଁଙ୍କ ହାତରେ ସ୍ଥିରହୋଇ ରହିଗଲା ତାଳପତ୍ରର ପଙ୍ଖା ଦୁଇଟା ।

 

କାନ୍ଧ ଦୁଇଟା ସାମନାକୁ ଝୁଲିଆସିଛି ଚାନ୍ଦର । ଚାହିଁ ରହିଛି ଏଡ଼େବଡ଼ ଗୋଟାଏ ଆଁ କରି । ଚାରୁଲତା ଦୁଇଆଣ୍ଠୁରେ ଭରାଦେଇ ଚାହିଁରହିଛନ୍ତି ମାଧବୀର ବ୍ୟଥାନୀଳ ମୁହଁକୁ । ଝାଳରେ ଭାସିଯାଉଛି ମାଧବୀର ସର୍ବାଙ୍ଗ । ସେ ପର୍ଯ୍ୟନ୍ତ ଥରଥର ହୋଇ ଥରୁଛି ସୁଚରିତାର ଦେହଟା । ପାଦତଳେ ଲୋଟୁଥିବା ପରାଗକୁ କଠିଣ ଆଖିମେଲି ଚାହିଁରହିଚି ତମାଳ । ଅଶ୍ରୁ ବିଜଡ଼ିତ ସ୍ୱରରେ ପରାଗ କହିଉଠିଲା—ପାରିଲିନି—ପାରିଲିନି ଭାଇନା ମୁଁ ମାଧବୀ ଭାଉଜଙ୍କୁ ବଞ୍ଚାଇ ପାରିଲିନି, ବ୍ୟର୍ଥ ହୋଇଗଲା ମୋର ସକାଳ ପ୍ରୟାସ ।

 

ଅଦଭୁତ ଦୃଷ୍ଟିମେଲି ତମାଳ ଏଥର ଚାହିଁଲା ମାଧବୀ ଆଡ଼କୁ । ଦାରୁଣ କଷ୍ଟରେ କହିଉଠିଲା–ପାରିଲୁନି ! ପାରିଲୁନି !!

 

ହଠାତ୍‌ ଦୁଇହାତ ଉପରକୁ ଟେକି କଣ ଯେମିତି ଅଣ୍ଡାଳି ଅଣ୍ଡାଳି ଖୋଜିଲା ମାଧବୀ । ଥରିଲା ଓଠ ଦୁଇଟିରେ ତାର କଥା କହିବାର ବ୍ୟର୍ଥ ପ୍ରୟାସ । ତମାଳ ଧାଇଁଯାଇ ଲୋଟିଗଲା ମାଧବୀର ଛାତି ଉପରେ । ମାଧବୀ ଯେମିତି ଖୋଜିଲା ଦରବକୁ ପାଇଯାଇଛି ହାତ ମୁଠାରେ । ଦୁଇଟି ନିସ୍ତେଜ ହାତରେ ତମାଳର ମଥାଟି ଜଡ଼ାଇ ଧରିବାର ଥରେ ବ୍ୟର୍ଥ ଚେଷ୍ଟାକଲା ମାଧବୀ—ତା’ପରେ ଶିଥିଳ ହାତଦୁଇଟି ଝୁଲିପଡ଼ିଲା ଦୁଇଆଡ଼କୁ । ଛାତିରେ ତାର ମଥା ଘଷି ଘଷି ତମାଳ ବାର ବାର ଡାକିଲା—ମାଧବୀ, ମାଧବୀ, ମାଧବୀ......

 

ଗୋଟାଏ କଡ଼କୁ ଢଳିପଡ଼ିଛି ମାଧବୀର ମଥାଟି । ସତେ ଅବା ବ୍ୟର୍ଥ ଅଭିମାନରେ ମୁହଁ ବଙ୍କାଇ ଶୋଇରହିଛି ମାଧବୀ । ମାଧବୀ ଛାତିର ଦୁକ୍‌ ଦୁକ୍‌ ଶବ୍‌ଦଟାକୁ କାନପାରି ଟିକିଏ ଶୁଣିବାର ଚେଷ୍ଟାକଲା ତମାଳ । ତାପରେ, ଛିଟିକି ପଡ଼ି ପଦାକୁ ବାହାରି ଆସୁ ଆସୁ ହସିଉଠିଲା ଭୀଷଣ ଜୋରର । ଚାଲିଗଲା ବାରଣ୍ଡାର ଶେଷ ପ୍ରାନ୍ତରକୁ । ବସିପଡ଼ିଲା ଧୂଳିମାଟି ଉପରେ । ହସିଲା, ଆହୁରି ହସିଲା—ହସୁଛି ତମାଳ ଫୁଲି ଫୁଲି, ଝୁଲି ଝୁଲି ।

 

ବାରଣ୍ଡାକୁ ଆସି ଆକାଶରେ ଆଖି ରଖିଲା ପରାଗ । ଦିଗନ୍ତରେ ମେଘର ପତଳା ଆସ୍ତରଣ । ତା’ରି ତଳେ ସୁନା ଥାଳିପରି ଏଡ଼େବଡ଼ ଚାନ୍ଦ । ଆଜି ବୁଦ୍ଧପୂର୍ଣ୍ଣିମା—ମାଧବୀର ଆବାଙ୍‌କ୍ଷିତ ଦିନ । କେହି ଜାଣିବେନି ଏଇ ଦିନଟି ଲାଗି କେଡ଼େ ଦୁର୍ବଳ ଥିଲା ମାଧବୀର ମନ । କେହି ସିନା ଜାଣିବେନି । ହେଲେ ଜାଣିବନି କି ସେଇ ଚନ୍ଦ୍ର ? ସେଇ ଜାଣିବାଟାହିଁ ତ ଲଜ୍ଜାଦେଇଛି ଆଜି ତାକୁ । ନୋହିଲେ ଆଜିକାପରି ଦିନରେ କାହିଁକି ସିଏ ମୁହଁ ଢାଙ୍କି ଦେଇଛି ମେଘର ପତଳା ଉତ୍ତରୀୟରେ ? ମାଧବୀର ଏଇମିତି ବିଦାୟରେ ନିଜର ଲଜ୍ଜା ଓ ବିଶାଦ ଢାଙ୍କୁଛି ଚନ୍ଦ୍ର ।

 

ହଠାତ୍‌ ଶୁଭଭାଇ କଥା ମନେପଡ଼ିଲା ପରାଗର । ଅନ୍ତତଃ ଶେଷ ଦେଖାଟା ଥରେ ଦେଖିଯାଉ ଶୁଭଭାଇ ।

 

ଆସିଥିଲା ଶୁଭଭାଇ । ଚଞ୍ଚଳ ତ୍ରସ୍ତ ପାଦରେ ପଶିଥିଲା ମାଧବୀର ଶୋଇବାଘରେ । ଖଟ ଉପରେ ବସିପଡ଼ି ନିରେଖି ନିରେଖି ଦେଖିଥିଲା ମାଧବୀର ମୁହଁଟିକି । ହାତଟିଏ ତାର ତୋଳି ନେଇଥିଲା ନିଜ ହାତରେ । ଆଉଁସି ଦେଲା ପରମ ସ୍ନେହରେ । ସେତେବେଳକୁ ଭୂଇଁରେ ଲୋଟି କାନ୍ଦୁଛନ୍ତି ସମସ୍ତେ । ଏକା ଚାରୁଲତା—ସେଇ ଖାଲି ମାଧବୀର ବାହୁରେ ହାତରଖି ବସିରହିଛନ୍ତି ନିଥର ନିର୍ବେଦ ହୋଇ । ଦୁଇ ଆଖି ଡୋଳାରେ ତାଙ୍କର ରାଶି ରାଶି ଶୂନ୍ୟତା ।

 

ପାଖରେ ଆସି ବସିଲା ପରାଗ । ହାତ ରଖିଲା ମାଧବୀର ଅଳତାରଙ୍ଗା ପାଦ ଦୁଇଟିରେ । ଲୁହମିଶା ହସରେ ଘର କମ୍ପାଇ ଦେଉ ଦେଉ ଶୁଭେନ୍ଦୁ କହିଲା—ନାଃ, ଯୁଗଯୁଗର ଜନ୍ମଜନ୍ମରେ ରାଜେନ୍ଦ୍ରାଣୀଥିଲା ମାଧବୀ ମୋର । ଦେଖ ତ, ମରୁ ପଛେ ଯେଉଁ ଭାବରେ ହେଲେ, ମରଣର ରୂପଟା ଥରେ ତାର ଦେଖ, ଦିଶୁଛି ସତେ ଅବା ଅମରାବତୀର ଇନ୍ଦ୍ରାଣୀ, କି ସାଜରେ ଶୋଇରହିଛି ଦେଖ !

 

କଥା ସାରି ଲହରେଇ ଲହରେଇ ହସିଲା ଶୁଭେନ୍ଦୁ ।

 

ପୁଣି ଧୀର ପାଦରେ ଘରେ ପଶିଲା ତମାଳ । ଚାଲିରେ ତାର ଦୁନିଆର ସତର୍କତା । ଶୁଭେନ୍ଦୁ ପାଟିକରି କହିଉଠିଲା—ଦେଖୁଚୁ ତମାଳ, ରାଜେନ୍ଦ୍ରାଣୀର ଶୋଇବାର ଢଙ୍ଗଟା କିପରି ?

 

ଠିଆହୋଇପଡ଼ି ଦୁଇଟି ନିବଦ୍ଧ ଓଠରେ ଆଙ୍ଗୁଠି ରଖିଲା ତମାଳ । ଫିସ୍ ଫିସ୍‌ କଣ୍ଠରେ କହିଲା–ପାଟିକରନି ପାଟିକରନି । ଆଜି ମାଧବୀର ମଧୁରାତି । ଭାରି ମନ କରିଛି ସିଏ ସାରାରାତି ଚେଇଁ ରହିବ । ତେଣୁ ଘରଦ୍ୱଶର ସିଏ ସଜାଇଛି କେମିତଚି ଦେଖୁନ ! ଏଇକ୍ଷଣି ସିଏ ଶୋଇଛି—ବିଶ୍ରାମ ନେଉଛି ଜାଗିବ ବୋଲି ସାରାରାତି । ବଡ଼ ମନକରିଛି ଜୀବନକୁ ଆଜି ସମ୍ପୂର୍ଣ୍ଣ କରିବ ସିଏ । ଆଜି ତାର ମଧୁରାତି; ତେଣୁ ଶୋଇଯାଇଛି ସିଏ—ପାଟି କରନି କେହି, ପାଟି କରନି ତୁମେମାନେ, ଆଜି ତାର ମଧୁରାତି ।

Image